Urbashi Satpathy

Others

5.0  

Urbashi Satpathy

Others

ମିଛଶାଗ

ମିଛଶାଗ

2 mins
303


**ମିଛଶାଗ**

ପୁନିଆଁ ପଧାନ ବୁଢାକୁ ଯେବେଠୁ ଅଶି ଛୁଇଁଲାଣି ବୁଢାର ଚିନ୍ତା ବଢିବାରେ ଲାଗିଛି । ଏମିତି ବୁଢାର କଫ, କାଶ, ବାତ, ପିତ ସବୁ ଲାଗି ରହୁଛି। ବେମାରିକୁ ନେଇ ବୁଢାର ପରବାୟ ନାହିଁ। ପାଚିଲା ପତର, ଆଜି ଅଛି କାଲି ଝଡିଯିବ।ହେଲେ ତା' ଅନ୍ତେ କୋଉ ପୁଅଟା ଏତେ ବଡ ଜମିଦାରୀ, ଚାଷବାସ, ଘର ବାହାର କଥା ବୁଝିବ , ସେଇ ଚିନ୍ତା ବୁଢାର । ତିନିତିନିଟା ଭେଣ୍ଡାପୁଅ । ବଡ ଦିଟା ତୁଚ୍ଛା ନିକମା ଆଉ ଅଳସୁଆ।ସାନ ପୁଅଟି ଯୋଗା,କିନ୍ତୁ ବଡ଼ ଦିଟା ଥାଇ ସାନଙ୍କୁ ଏ ଗୁରୁଦାୟିତ୍ୱ ଦେଲେ,ଯୁଦ୍ଧ ଅବଶ୍ୟମ୍ଭାବୀ।ବୁଢା ଏ କଥା ହାଡେ ହାଡେ ଜାଣେ।ସର୍ବଶେଷରେ, ବୁଢା ମୁଣ୍ଡକୁ ଏକ ଅଭିନବ ବୁଦ୍ଧି ଜୁଟିଲା।

ତିନିପୁଅଙ୍କୁ ପାଖକୁ ଡାକି କହିଲା ମୋର ଆଉ ବଳବପୁ କି ବୟସ ନାହିଁ।ପାଚିଲା ପତର , କେତେବେଳେ ଝଡିଯିବି । ତମ ତିନିଜଣଙ୍କ ମତିଗତି ମୁଁ ଜାଣେ। ମୁଁ ଗୋଟିଏ ପରୀକ୍ଷା କରିବି। ଯିଏ ଉତ୍ତୀର୍ଣ୍ଣ ହେବ ସିଏ ମୋ ଅନ୍ତେ ଯୋଗ୍ୟ ଉତ୍ତରାଧିକାରୀ ହେବ।

ବୁଢା ତିନିପୁଅଙ୍କ ହାତରେ ତିନିମୁଠା ଶାଗମଞ୍ଜି ଦେଇ କହିଲା , ଠିକ୍ ଏକମାସ ପରେ ଯିଏ ଶାଗଗଛ ଉତୁରେଇ ତାକୁ ଆଣି ମୋତେ ଆଣି ଦେଖାଇବ ସେଇ ହିଁ ମୋ ଅନ୍ତେ ଯୋଗ୍ଯ ଉତ୍ତରାଧିକାରୀ ହେବ ।

ଦେଖୁଦେଖୁ ଏକମାସ ବିତିଗଲା । ତିନିପୁଅ ଆସି ବାପା ପାଖରେ ହାଜର।ବଡ଼ ଆଉ ମଝିଆ ପୁଅ ହାତରେ ଶାଗବିଡା । କିନ୍ତୁ ସାନପୁଅଟି ଖାଲି ହାତରେ ଠିଆ ହେଇଥାଏ ।

ବୁଢ କହିଲା , କିରେ ,ତୁ କଣ ଶାଗ ଗଛଟାଏ ଉତୁରେଇ ପାରିଲୁନି । ତୋ ଦେଇ କିଛି ହବନି ।

ସାନପୁଅଟି ଶାନ୍ତ ଆଉ ନିର୍ଭୀକ ଭାବରେ କହିଲା ,ବାପା , ତୁମେ ଦେଇଥିବା ଶାଗମଞ୍ଜି ରୁ ଗୋଟିଏ ବି ଗଛ ହେଲାନି ।

ବୁଢାର ଆନନ୍ଦ କହିଲେ ନସରେ । କହିଲା, ସାନ ପୁଅକୁ ସମସ୍ତ ଦାୟିତ୍ୱ ଦେଇ ମୁଁ ଶାନ୍ତି ରେ ମରିପାରିବି । ବଡ ଦି ' ଟା ରାଗିକରି ନିଆଁବାଣ ।

ପୁନିଆଁ ପଧାନ ବୁଝେଇଦେଲା ,ମୁଁ ତମ ତିନି ଜଣଙ୍କୁ ଯୋଉ ଶାଗମଞ୍ଜି ଗୁଡିକ ଦେଇଥିଲି ସେଗୁଡିକ ସିଝା ମଂଜି ଥିଲା । ଯୋଉଥିରୁ କେବେବି ଶାଗଗଛ ହେଇ ପାରିବନି । ତମେ ଦି ଜଣ ମୋତେ "ମିଛ ଶାଗ" ଆଣି ଠକିବାକୁ ଚେଷ୍ଟା କରିଛ । ଏ ଶାଗ ମୁଁ ଦେଇଥିବା ମଞ୍ଜି ର ନୁହଁ । ବଡ଼ପୁଅ ଦି ଜଣ କାନମୁଣ୍ଡା ଆଉଁସି ରହିଲେ ।ସାନ ପୁଅକୁ ଯୋଗ୍ଯ ଉତ୍ତରାଧିକାରୀ କରି ବୁଢା ଶାନ୍ତିରେ ନିଶ୍ବାସ ମାରିଲା ।


Rate this content
Log in