Urbashi Satpathy

Others

2  

Urbashi Satpathy

Others

ସାବିତ୍ରୀ

ସାବିତ୍ରୀ

2 mins
789


ସାବିତ୍ରୀ ! ମୁଁ ନାରୀଟିଏ । ଗୋଟିଏ ଶେଷହୀନ ଉପନ୍ୟାସ ତ ଆଉ କିଏ କହେ ଏକ ମହାକାବ୍ୟ ଅବା ଆଉ କିଏ କହେ ମୁଁ କାଳେ ଗୋଟିଏ ପଦ୍ମ ।

ଆଉ କିଏ କିଏ ମଧ୍ୟ ଚୁପି ଚୁପି କହନ୍ତି , ମୁଁ ଗୋଟିଏ ଭୋଗ୍ଯା, ବହୁଭୋଗ୍ଯା ।

ମୋତେ ଭାରି ଖୁସି ଲାଗେ ଏସବୁ ପ୍ରଶଂସା ଶୁଣିବାକୁ । କିଏ ବା ଭଲ ନ ପାଏ ଯେ । ରାଜା ଠାରୁ ରଙ୍କ ସମସ୍ତେ ଏହାର ବଶ । ହା......ହା.....ହା...... ମୁଁ ତ ସାବିତ୍ରୀ , ପୁଣି ଏ କଳି ଯୁଗର । ମୁଁ ବା ବାଦ୍ ଯିବି କେମିତି ?

ବେଶୀ ଭଲ ଲାଗେ ମୋତେ ପଦ୍ମ ନାଁ ଟି । କାହାର ପଦ୍ମ ମୁଁ ? ମୋ ସ୍ବାମୀର ? ନା ମୋର ପ୍ରେମିକର ? ବ୍ରହ୍ମା ଙ୍କର ନା ବିଷ୍ଣୁ ଙ୍କର ??କାହାର ପଦ୍ମ ମୁଁ ?

ପଦ୍ମ ର ସବୁଠି ଅବାଧ ପ୍ରବେଶ । ସବୁ ଜାଗାରେ ସେ ଫୁଟିପାରେ ।କୁଣ୍ଡରେ , ପୁଷ୍କରିଣୀ ରେ , ଡାକ ବଙ୍ଗଳା ରେ , ହୋଟେଲ୍ ରେ , କ୍ଲବ୍ ରେ ଆଉ ସବୁଠି ସବୁଠି ।

ଛୋଟ ଥିଲି , ଏବେ ମୁଁ ବଡ ହେଇ ଗଲିଣି । ମୋ ବୟସ ଯଥେଷ୍ଟ ବଢି ଯାଇଛି । ମୋତେ ନେଇ ମୋ ବାପା ମାଆ ଙ୍କର ଅସୁମାରୀ ସ୍ବପ୍ନ । କନ୍ଯାରତ୍ନ , ଦୁହିତା , ଦୁଇ କୁଳକୁ ହିତା । ଯା ବେ , ହିତା ନା ପିତା । ଝିଅ ବୋଲି ମୋର କ'ଣ ଏତେ ଟିକେ ସ୍ବାଧୀନତା ନାହିଁ ? ମୋ ନିଜ ଇଚ୍ଛା ରେ ମୁଁ ବଞ୍ଚିବାକୁ ଚାହେଁ । ହାତ ପାଦ ରୁ ଏ ଶୃଙ୍ଖଳ ମୁଁ ଛିଡେଇ ଦବାକୁ ଚାହେଁ । ମୁଁ ଉଗ୍ର ଆଧୁନିକା ନାରୀ । ମୁଁ ଏ ବିଂଶ ଶତାବ୍ଦୀର ନାରୀ । ମୋ ଦେହରେ ହଳାହଳ ବିଷ ।

ମୁଁ ଗଢିପାରେ ..... ମୁଁ ଭାଙ୍ଗିପାରେ...ମୁଁ ସଜାଡି ଦେଇପାରେ ଆଉ ଉଜାଡି ବି ଦେଇପାରେ ।

ପଳାଶ ଫୁଲ , କିଂଶୁକ ଗନ୍ଧହୀନ ମୁଁ ।ଏବେ ମୁଁ ପୋଡା ଭୂଇଁ ରେ ଆଘ୍ରାଣ କରୁଛି ମୋ ଆଗାମୀ କାଲି , ମୋ ଭବିଷ୍ୟତ , ମୋ ସୁନେଲୀ ଭବିଷ୍ୟତ ।

ସବୁ ଦେଇ ଦେଇ ମୁଁ ଏବେ ନିଃଶେଷ । ମୁଁ ବଳୀ , ମହାଦାନୀ । ଆଃ , ମୁଁ ପାତାଳଗାମୀ ଏବେ । ମୁଁ ମରି ପାରେନା । ମୁଁ କାଳଜୟୀ , ମୁଁ ଗତିସ୍ମାନ୍ ।

ମୁଁ ଗୋଟାଏ ଅଭିଶପ୍ତା । ହେ ପ୍ରଭୁ , ମୋତେ ସାବିତ୍ରୀ କରି କାହିଁକି ଜନ୍ମ ଦେଲ ? ମୁଁ ଏ ଜୀବନ ଚାହିଁ ନଥିଲି । ତୁମ ଇଚ୍ଛା କୁ ମୁଁ ପୂରଣ କରିଛି ମାତ୍ର । ଏ ଜୀବନ ତୋର , ପାପ-ପୂଣ୍ୟ ସବୁ ତୋର । ମୋର କିଛି ବି ନାହିଁ ।


Rate this content
Log in