Pravanjan Dash

Tragedy

3  

Pravanjan Dash

Tragedy

ଶେଷ ଦେଖା

ଶେଷ ଦେଖା

17 mins
224


ଆନନ୍ଦିନୀଙ୍କ ସହିତ ହସଖୁସିର କଥାବାର୍ତ୍ତା ଭିତରେ ପ୍ରତିବନ୍ଧକ ସାଜି ହଠାତ୍ ମୋର ମୋବାଇଲ୍ ଫୋନ୍ ବାଜି ଉଠିଲା। ନିଜର ଭଦ୍ରାମି ଦୃଷ୍ଟିରୁ କହିଲି, “ପ୍ଲିଜ୍ ସରି ମାଇ ଫୋନ୍।” ସମ୍ମତି ପ୍ରକାଶ କରି ହସିଦେଇ ଆନନ୍ଦିନୀ କହିଲେ, “ଓକେ ଓକେ ପ୍ଲିଜ୍ ରିସିଭ୍।”

--- “ଥାଙ୍କସ୍।”

ବୋଉର ଫୋନରୁ ମୁଁ ବେଶ୍ ଭଲ ଭାବରେ ଜାଣି ସାରିଥିଲି କାରଣଟିକୁ। ଫୋନର କାରଣ ସବୁବେଳେ ସେଇ ଗୋଟିଏ “ବାହାଘର”। ତା’ ସହିତ କିଛି ଇମୋସନ୍ ଫିଲିଙ୍ଗସ୍ ଆଉ କିଛି ପୁରୁଣା ଡାଇଲଗ୍। ଏଥରକ ବୋଉର କଥା ଶୁଣିବାକୁ ଆଉ ମୋର ଧୈର୍ଯ୍ୟ ନଥିଲା। ତଥାପି ଶୁଣିସାରି ଟିକେ ବିରକ୍ତିର ସହିତ ମୁଁ କହିଲି, “ବୋଉ ପ୍ଲିଜ୍ ତୁ ମତେ ଏବେ ଆଉ ସେ ବାହାଘର, ବୋହୂ, ସୁନ୍ଦରୀ ଝିଅ, ଧନ ସମ୍ପତ୍ତି, କୋଠା ବାଡ଼ି, ନାତି ନାତୁଣୀର ସ୍ୱପ୍ନ ଦେଖିବାକୁ ବାରମ୍ବାର ବାଧ୍ୟକରି ଡିଷ୍ଟର୍ବ୍ କରନା। ବର୍ତ୍ତମାନ୍ ମୋର କେବଳ ଗୋଟାଏ ଟାର୍ଗେଟ୍ ମାଇ ଏମ୍, ମାଇ ଡ୍ରିମ୍, ମାଇ କ୍ୟାରିଅର୍ ଦେନ୍ ଅଦର୍ ଥିଙ୍ଗସ୍। ବାହାଘର ପାଇଁ ସମୟ ଅଛି କିନ୍ତୁ ମୋ କ୍ୟାରିଅର୍ ପାଇଁ ନୁହେଁ। ସୋ ପ୍ଲିଜ୍ ଗିଭ୍ ମି ସମ୍ ଟାଇମ୍ ଟୁ ଫିନିସ୍ ମାଇ ଏମ୍ ଆଣ୍ଡ୍ ସେଟଲ୍ ମାଇ କ୍ୟାରିଅର୍”। ବିରକ୍ତିର ସହିତ ଫୋନଟିକୁ ରଖିଦେଲା ପରେ ନିଜ ଭ୍ୟାନିଟି ବ୍ୟାଗରୁ ପାଣି ବୋତଲଟି ମୋ ହାତକୁ ବଢ଼େଇ ଦେଇ ଅତି କୋମଳ, ମଧୁର ଭାଷାରେ ଆନନ୍ଦିନୀଙ୍କ କଣ୍ଠରୁ, “ଘରେ ମ୍ୟାରେଜ୍ ପାଇଁ ପ୍ରେସର୍ କରୁଛନ୍ତି ନା? ସିମିଲାର୍ ଟୁ ମାଇ ପ୍ରୋବ୍ଲେମ୍”। କଥା ପଦିଏ ଯେମିତି ମୋ ତତଲା ମନରେ ବରଫର ଚାଦର ଢାଙ୍କି ପ୍ରଶମିତ କରି ଦେଇଥିଲା।

---“ତା’ ମାନେ ଆପଣ ବି କଣ ମୋ ଭଳି ଜଣେ ଆଇ.ଏ.ଏସ୍ ଆସ୍ପାରିଆଣ୍ଟସ୍? କେତେ ବର୍ଷ ହେବ ପ୍ରିପାରାସନ୍ କରୁଛନ୍ତି? ମୁଁ ବି କରୁଛି।” ବେଶ୍ ଉତ୍ସୁକତାର ସହ ମୁଁ ପଚାରିଲି।

--“ନା ନା ମୁଁ ମୋ କ୍ୟାରିଅରରେ ସକଶେଷ୍ ପାଇ ସାରିଛି। ମୁଁ ଜଣେ ଟିଚର୍।”

--“ନାଇସ୍ ତା’ ହେଲେ ଆପଣଙ୍କର ମ୍ୟାରେଜରେ ପ୍ରୋବ୍ଲେମ୍ ଆଉ କଣ”? ମୋର ଏ ପ୍ରଶ୍ନରେ ଆନନ୍ଦିନୀ ଟିକେ ହଡବଡେଇ ଗଲେ। ଉତ୍ତର ଦେବାକୁ ଟିକେ ସଙ୍କୋଚ ମନେକରି ନୀରବ ରହିଲେ। ମୁଁ ବି ତାଙ୍କ ନୀରବତାକୁ ସମ୍ମାନ ଦେଇ କଥାବାର୍ତ୍ତାକୁ ଅଲଗା ମୋଡ ଦେଲି। ଯେତେହେଲେ ବି ଆନନ୍ଦିନୀ ମୋ ପାଇଁ ଜଣେ ଅଜଣା ଅପରିଚିତା। ନା ମୁଁ ତାଙ୍କର କେହି ସମ୍ପର୍କୀୟ ନା ସେ ମୋର କୋଉ ସାଙ୍ଗସାଥୀ। ଏକାକୀ ଟ୍ରେନରେ ଯିବା ଆସିବା ବେଳେ ଟାଇମ୍ ପାସ୍ ଲାଗି ପରସ୍ପର ମଧ୍ୟରେ କିଛି ସମୟ ପାଇଁ ଯେଉଁ ସାମହିକ ସମ୍ପର୍କ ଗଢିଉଠେ ଏ ସମ୍ପର୍କ ବି ଠିକ୍ ସେମିତି। ଗୋଟେ ଅସ୍ତିତ୍ୱ ନଥିବା ସମ୍ପର୍କକୁ ଏ ଦୁନିଆର ଲୋକ ଯେ କେଉଁ ଘୃଣ୍ୟ ନଜରରେ ଦେଖନ୍ତି ସେ କଥା ପ୍ରାୟ ଆମ ସମସ୍ତଙ୍କୁ ଜଣା। ସମ୍ପର୍କର ଲେଲିହାନରେ ସତୀ ସୀତାଙ୍କ ପରି ଚରିତ୍ର ଯେଉଁଠି କଳଙ୍କର ସନ୍ଦେହିତ ସେଠି ଆମମାନଙ୍କ ଚରିତ୍ର ଅବା ସମ୍ପର୍କର ମୂଲ୍ୟ ବା କଣ?

ବହୁତ ଦିନପରେ ସେଦିନ ମୁଁ ଘରକୁ ଫେରୁଥାଏ। ଦିଲ୍ଲୀରୁ ଟ୍ରେନ୍ ଧରିବା ପରେ ବଗିର ଗୋଟେ କୋଣରେ ମୁଁ ଏକାକୀ ଚୁପ୍ଚାପ୍ ବସିଥାଏ। ଦୁର୍ଭାଗ୍ୟକୁ ମୋ ସିଟ୍ ପାଖ ପ୍ରାୟ ସବୁ ସିଟ୍ ଗୁଡିକର ବୁକିଙ୍ଗ୍ କ୍ୟାନ୍ସଲ୍ ହୋଇଯାଇଥିଲା। ଏପଟେ କ୍ୟାରିଅର୍ ଟେନ୍ସନକୁ ସେପଟେ ଏକାକୀର କଷ୍ଟ ମନକୁ ଭାରାକ୍ରାନ୍ତ କରିଦେଉଥାଏ। କିଛି ସମୟ ପରେ ପରବର୍ତ୍ତୀ ଷ୍ଟେସନରୁ ଝିଅଟିଏ ଉଠିଲା। ସିଟ୍ କନ୍ଫର୍ମ ହୋଇନଥିବା ଝିଅଟି ମୋ ସମ୍ମୁଖ କ୍ୟାନ୍ସଲ୍ ସିଟଟି ପାଇ ନିଜକୁ ଖୁବ୍ ଭାଗ୍ୟବାନ୍ ମନେକଲା। ବୟସ ଜଣାନଥିଲେ ବି ଆନୁମାନିକରୁ ସେ ମୋ ସମବୟସ୍କା ଲାଗୁଥିଲେ। ବଗିର ଗୋଟିଏ ଶୁନଶାନ୍ କୋଣରେ ଚୁପଚାପ୍ ବସିବା ଉଭୟଙ୍କ ପକ୍ଷେ ବହୁତ କଷ୍ଟଦାୟକ ଥିଲା। କାରଣ ନୀରବତା ମଣିଷକୁ ବହୁତ କଷ୍ଟଦିଏ। କିଛି ସମୟର ବ୍ୟବଧାନ ପରେ ପରସ୍ପର ବିଷୟରେ କିଛି ଜାଣିବାକୁ ପାଇଲୁ। ଏହା ମଧ୍ୟ ଜାଣି ଖୁସି ହେଲୁ ଯେ ଆମେ ଦୁହେଁ ଗୋଟିଏ ରାଜ୍ୟ ମାନେ ଓଡ଼ିଶାର। ତା’ ପରେ ଖାଣ୍ଟି ଓଡ଼ିଆରେ ଗପସପର ମାହୋଲ ଜମି ଚାଲିଲା। ତାଙ୍କ ନାଁ ଆନନ୍ଦିନୀ ମହାନ୍ତି। ସେ ଅବିବାହିତା। ଗୋଟେ ଜରୁରୀ କାମରେ ସେ ଦିଲ୍ଲୀ ଆସିଥିଲେ ବାସ୍ ଏମିତି କିଛି। ଆନନ୍ଦିନୀ ଜଣେ ଗୌରବର୍ଣ୍ଣା,ତରୁଣୀ ତା’ ସହିତ ମିଷ୍ଟଭାଷୀ ଏବଂ ମେଳାପୀ ସ୍ୱଭାବର। ସେମିତି ନହେଇ ଥିଲେ ସ୍ୱଳ୍ପ ସମୟର କଥାବାର୍ତ୍ତା ଭିତରେ ଏତେ ନିବିଡ଼ତା ବଢ଼ିଯିବା କଣ ସମ୍ଭବ କି? ଅବଶ୍ୟ ଏକଥା ସତ ଯେ ମୋ ଭଳି ଜଣେ ଅବିବାହିତା ଯୁବକ ମନରେ ଯେ କୌଣସି ସୁନ୍ଦରୀ ଯୁବତୀ ପ୍ରତି ଆବିଳତା ରହିବା କିଛି ନୂଆ କଥା ନୁହେଁ। ହେଲେ ଆନନ୍ଦିନୀଙ୍କ ସହିତ ଗଢି ଉଠିଥିବା ଏ ସମ୍ପର୍କ କିନ୍ତୁ ପ୍ରେମ ନଥିଲା। ଲାଗୁଥିଲା ଯେମିତି କିଛି ନିବିଡ଼ ବନ୍ଧୁତ୍ୱ। ଏକଥା ସତ ଯେ ସବୁପ୍ରେମର ଆରମ୍ଭଟା ଏଇ ନିବିଡ ବନ୍ଧୁତ୍ୱରୁ ହିଁ ହୋଇଥାଏ। ସେ ଯାହାବି ହେଉ ଟ୍ରେନ୍ ଯେତିକି ଆଗକୁଆଗକୁ ମାଡି ଯାଉଥାଏ ଆମ ଭିତରେ ଗପସପଟା ବି ସେତିକି ଆଗେଇ ଚାଲିଥାଏ। ଏଇ ଯେମିତି ନିଜ ଜୀବନର ସବୁଠୁ ବଡ଼ ଖୁସି, ଅଭୁଲା ସ୍ମୃତି, ପ୍ରିୟ ଜିନିଷ, ପ୍ରିୟ ଖାଦ୍ୟ, ପ୍ରିୟ ସିନେମା, ପ୍ରିୟ ଜାଗା ଏମିତି ସବୁ ଆଳାପ ଭିତରେ ବୋଉର ଫୋନଟା ହଠାତ୍ ଟିକେ ଡିଷ୍ଟର୍ବ୍ କରିଦେଲା। ତଥାପି ଆମେ ଦୁହେଁ ଆମ କଥାବାର୍ତ୍ତାରେ ପୁରା ମସଗୁଲ୍ ଥାଉ। ସେଇ କଥାବାର୍ତ୍ତା ଭିତରେ ପରସ୍ପର ପାଇଁ ଆମେ କେତେବେଳେ ଆପଣ ତ କେତେବେଳେ ତମେ ବି ହୋଇସାରିଥାଉ। ଆଉ କଣ ବା କରିବୁ ଟାଇମ୍ ପାସ୍ ପାଇଁ ଇଏ ତ ଗୋଟେ ମାଧ୍ୟମ ନା। ବୋଉର ଏ ବାହାଘର କଥା ପରେ ଆନନ୍ଦିନୀ ପଚାରିଲେ, “ଆଛା ସମ୍ବିତ ବାବୁ ଯଦି କିଛି ନଭାବିବେ ତାହେଲେ ଗୋଟେ କଥା ପଚାରନ୍ତି”।

---“ଏସ୍ ଏସ୍ ପଚାରନ୍ତୁ ନୋ ପ୍ରୋବ୍ଲେମ୍”। (ବେଶ୍ ଦୃଢତାର ସହିତ କହିଲି)

ସାହସ କରି ଆନନ୍ଦିନୀ ପଚାରିଲେ, “ତମର କୋଉଠି ଲଭ୍ ହେଇଛି ଆଇ୍ ମିନ୍ ଫାଷ୍ଟ୍ ଲଭ୍, ମାନେ ପଚାରିବାର ସେମିତି କିଛି ଉଦ୍ଦେଶ୍ୟ ନାହିଁ ଜଷ୍ଟ୍ ଟାଇମ୍ ପାସ୍”। ଆନନ୍ଦିନୀଙ୍କର ଏ ପ୍ରଶ୍ନରେ ମୁଁ ବି ଟିକେ ହବଡେଇ ଗଲି। ଆନନ୍ଦିନୀ ବି ବେଶ୍ ଭଲ ଭାବରେ ଜାଣି ପାରୁଥିଲେ ମୋ ମନର ଭାବନାକୁ। ମୁହଁରୁ ସେ ପଢି ପାରୁଥିଲେ ମନର କଥା। ଜଣେ ବାହାର ଅଜଣା ମଣିଷକୁ ଏମିତି ପ୍ରଶ୍ନ କରି ନିଜକୁ ଟିକେ ସଙ୍କୋଚ ମନେ କରୁଥିବା ଆନନ୍ଦିନୀ, “ଆକ୍ଚ୍ୟୁଆଲି ଆଇ୍ ଆମ୍ ସରି”।

---“ନୋ ନୋ ଇଟିସ୍ ଓକେ”। (ମୁଁ କହିଲି)

କିଛି ସମୟ ବନ୍ଧୁତ୍ୱର ଏ ନିବିଡତା ଭିତରେ ନିଜ ମନକୁ ବୁଝି ପାରୁଥିବା ଜଣେ ଅଜଣା ଝିଅର ଗୋଟେ ପ୍ରଶ୍ନରେ ଚୁପ୍ ରହି ସମ୍ପର୍କକୁ ହାଲକା କରିବା ପାଇଁ ମୁଁ ଚାହୁଁନଥିଲି। ହେଲେ ଏ ପ୍ରଶ୍ନଟା ଛୋଟ ହେଲେ ବି ମୋ ପାଇଁ ବହୁତ ବଡ଼, ଅନ୍ୟ ପାଇଁ ଉତ୍ସାହଜନକ ହେଲେବି ମୋ ପାଇଁ ଟିକେ କଷ୍ଟଦାୟକ। ତଥାପି ଚେଷ୍ଟା କଲି କହିବା ପାଇଁ ସେ ଦୀର୍ଘ କୋଡିଏ ବର୍ଷ ତଳର ଅଭୁଲା ଅନୁଭୂତିକୁ ସରି ଅନୁଭୂତି ତ ନୁହଁ ପ୍ରଥମ ପ୍ରେମକୁ। ହେଲେ ଆରମ୍ଭ କରିବି କୋଉଠୁ? ଆଜିବି ସେ ଦିନ ସବୁ କାଲି ପରି ମନେ ହେଉଛି, ଘଟଣା ଗୁଡିକ ଫିଲ୍ମ ପରି ଆଖି ଆଗରେ ନାଚି ଉଠୁଛି, ସତ ହେଲେ ବି ସ୍ୱପ୍ନ ପରିଲାଗୁଛି। ଆରିଭିତରେ ବାହାରେ ବର୍ଷା ଆରମ୍ଭ ହୋଇଯାଇଥାଏ। ମେଘୁଆ ଶୀତୁଆ ପାଗରେ ଟ୍ରେନ୍ ବଗିର ଗୋଟେ କୋଣରେ ହାତରେ ଗରମ୍ କଫି ଧରି ପରସ୍ପର ଆଡକୁ ମୁହଁକରି ଆମେ ଦୁହେଁ କଥାବାର୍ତ୍ତାକୁ ଆଗେଇ ନେଉଥାଉ। ବଡ଼ ଉତ୍କଣ୍ଠାର ସହିତ ଆନନ୍ଦିନୀ ଶୁଣୁଥାନ୍ତି ମୋ କଥାକୁ। ମୁଁ ବି ସେ ଦୁଇ ଦଶନ୍ଧି ତଳର ମୋ ପ୍ରଥମପ୍ରେମକୁ ମନେ ପକାଇ ବେଶ୍ ଭାବ ପ୍ରବଣ ହୋଇପଡୁଥାଏ। ମୋ ମୁହଁରୁ,


---“ପିଲାଦିନ କଥା ନକହିଲେ ଭଲ, ସବୁ ପିଲାଙ୍କ ପରି ମୋ ପିଲାଦିନ ଏତେ ସୁଖମୟ ନଥିଲା। ତିନିବର୍ଷ ବୟସରେ ନିଜ ବାପାଙ୍କୁ ହରାଇ ବାପଛେଉଣ୍ଡ ସାଜିଥିବା ଗୋଟେ ପିଲାର ପିଲାଦିନ ଆଉ ବା କେମିତି କଟିପାରିବ? ତା’ ସହିତ ସେତେବେଳେ ପୁଣି ସମାଜର କଟାକ୍ଷ। ସ୍ୱାମୀ ମରିଗଲେ ସ୍ତ୍ରୀ ଗୋଟେ ପତିହନ୍ତା, ଅଲକ୍ଷଣି, ପୋଡାମୁହିଁ ବାସ୍ ଏମିତି ଅନେକ କିଛି। ଯନ୍ତ୍ରଣାଦାଉରେ ନିରୁପାୟ ହୋଇ ଆମେ ମାଆ ପୁଅ ଦିଟା କିଛି ଦିନ ମାମୁଁଘରେ ରହିଲୁ। ହେଲେ କିଏ ବା ଏଠି ନିଜର? ମାମୁଁଘରେ ମୁହଁରେ ସିନା କେହି କିଛି କହିପାରନ୍ତିନି କିନ୍ତୁ ମନରେ କାହାର ଟିକିଏ ଶ୍ରଦ୍ଧା, ଭଲପାଇବା କି ଆନ୍ତରିକତା ନଥାଏ। ତଥାପି ଆମେ ସେ ସବୁକୁ ମୁଣ୍ଡ ପୋତି ସହିନେଉ। ନହେଲେ ଉପାୟ ବା କଣ ଅଛି। ବାହାରେ କୋଉଠି ପଡ଼ି ମରିବା ଅପେକ୍ଷା ଏଠି ଟିକେ ସହିଯିବା ଭଲ। ମାମୁଁଘର ହରିଦାସପୁର ପ୍ରାଥମିକ ସ୍କୁଲରେ ମୋର ଖଡିଛୁଆଁ। ହରିଦାସପୁର ପୋଷ୍ଟ୍ ଅଫିସ୍ ର ପୋଷ୍ଟ୍ ମାଷ୍ଟରଙ୍କ ଝିଅ ଆନୀ ମୋ ପ୍ରିୟ ସାଙ୍ଗ। ତା’ ଭଲ ନାଁ ଟା ଆଉ ମୋର ମନେନାହିଁ କାହିଁକିନା ଏଇ ଡାକ ନାଁରେ ହିଁ ସେ ବେଶ୍ ଜଣାଶୁଣା। ମୁଁ କେବଳ ଏତିକି ଜାଣିଥାଏ ଯେ, ତାଙ୍କ ଘର କୁଆଡେ ବାହାରେ।

ତା’ ବାପାଙ୍କ ବଦଳି ଚାକିରୀରେ ସେମାନେ ଆସି ମୋ ମାମୁଁଘର ପାଖରେ ରହୁଥିଲେ। ଆନୀ ମୋ ସାଙ୍ଗରେ ସବୁଦିନ ସ୍କୁଲ୍ ଯାଏ, ପାଖରେ ବସେ, ପାଠପଢ଼ାରେ ସାହାଯ୍ୟ କରେ। ସେ ଭଲ ପଢେ। ସାଙ୍ଗହେଇ ଆମେ ବହୁତ ଖେଳୁ। ଏମିତିକି ସବୁଦିନ ସେ ତା’ ଟିଫିନ୍ ବି ମୋ ସହ ସେୟାର୍ କରେ। ଭାରି ବଢିଆ ଟିଫିନ୍ ଆଣେ ସେ। ଏମିତିରେ ତ ଆମର ଗରିବ ଘର। ଟିଫିନ୍ ନବା ତ ଦୂରର କଥା ଟିଫିନ୍ ବକ୍ସ୍ କିଣିବାକୁ ବି ଆମେ ଅକ୍ଷମ। ଏ ଭୋକିଲା ପେଟ ସବୁଦିନ ଚାତକ ପରି ଚାହିଁରହିଥାଏ ତା’ ଟିଫିନ୍ ଟିକକୁ। ସେ ବି ମତେ ବହୁତ ଖୁସିରେ ତା’ ଟିଫିନ୍ ଦିଏ। ଛୁଟିଦିନ ବା ତା’ ଅନୁପସ୍ଥିତି ଗୁଡାକରେ ତା’ ଟିଫିନ୍ କଥା ଭାରି ମନେପଡେ। ସେ ସ୍କୁଲ୍ ନ ଆସିଲେ ସେଦିନଟା ଭାରି କଷ୍ଟ ଲାଗେ। ପାଠରେ ଆଦୌ ମନ ଲାଗେନି। ପିଲାଳିଆମୀରେ ସେ ଦିନଗୁଡ଼ାକ କେତେ ଶୀଘ୍ର ଚାଲିଗଲା ମୁଁ କିଛି ଜାଣି ପାରିଲିନି। ବୟସ ଯେତିକି ବଢୁଥାଏ ଆନୀ ସହିତ ସମ୍ପର୍କ ବି ସେତିକି ନିବିଡ଼ ହେଉଥାଏ। ଅବଶ୍ୟ ସେତେବେଳେ ଏ ପ୍ରେମ, ଭଲପାଇବାର ମାନେ ହିଁ ମୋ ପାଇଁ ଅଜଣା ଥିଲା। ଖାଲି ମୋ ପାଇଁ କାହିଁକି ତା’ ପାଇଁ ବି। ପିଲାବେଳେ ସେସବୁ ଭାବନା ଆସିବ କୋଉଠୁ? ହେଲେ ଏକଥା ଯେ ସତ ଆନୀ ମୋର ଏକମାତ୍ର ଦୁର୍ବଳତା ଥିଲା। ତା’ର କିଛି ହେଲେ ମତେ ଭାରି କଷ୍ଟ ହୁଏ। ପ୍ରତିବର୍ଷ ଗଣେଶ ପୂଜା, ସରସ୍ୱତୀ ପୂଜାରେ ଆନୀ ମତେ ଗୋଟେ ଗୋଟେ ନୂଆ ପେନ୍ ଦିଏ। ନୂଆଡ୍ରେସରେ ସେ ବହୁତ ସୁନ୍ଦରୀ ଲାଗେ। ହେଲେ ମୁଁ ନୂଆ କଣ ମାଗିଆଣି ପୁରୁଣାଟେ ପିନ୍ଧିବା ବି ଆମର ସମର୍ଥ ବାହାରେ। ଆମର ଦାରିଦ୍ରତାକୁ ନେଇ ଆନୀ କେବେ ବି ମୋତେ ନୀଚ ଭାବେନି କି କେବେ ତା’ ବନ୍ଧୁତ୍ୱକୁ ଅଣଦେଖା କରେନି ବରଂ କେହି ଯଦି କେବେ ମୋ ଚିରା ପ୍ୟାଣ୍ଟ୍ ସାର୍ଟକୁ ନେଇ ମତେ କିଛି ତାତ୍ସଲ୍ୟ କରେ ଆନୀ ତାକୁ ଖୁବ୍ ଗାଳି କରେ, ବାଡାଏ ଏମିତି କି ମାଡ଼ମାରି ସାରଙ୍କଠାରୁ ନିଜେ ପନିଷମେଣ୍ଟ୍ ବି ପାଏ। ସେ ମାଡ଼ ଖାଇଲେ ମତେ ଭାରି ବାଧେ”। କଥାବାର୍ତ୍ତା ଭିତରେ ବାହାରେ ବର୍ଷାର ମାତ୍ରା ଢେର୍ ବଢିଯାଇଥିଲା। କାହିଁକି କେଜାଣି ସ୍ୱଳ୍ପ ସମୟରେ ଗଢି ଉଠିଥିବା ସମ୍ପର୍କରେ ଗୋଟେ ଅଜଣା ଝିଅ ଆଗରେ ନିଜ ଜୀବନର ଅଭାବ, ଅନାଟନ ଓ ଦାରିଦ୍ରତାର କରୁଣ କାହାଣୀ କହିବାକୁ ନିଜକୁ ଟିକେ ବି ଶଙ୍କା ଲାଗୁନଥିଲା। ସେ ବି କଫିକପ୍ ଧରି ମୋ କଥାରେ ନିମଗ୍ନ ଥିଲେ। ବର୍ଷାରାତିର ଶୁନଶାନ୍ ଭିତରେ ହଠାତ୍ ବିଜୁଳି ସହ ଘଡଘଡିର ଭୟଙ୍କର ଶବ୍ଦ ଛାତି ଥରାଇଦେଲା। ପାପୁଲି ଦୁଇଟିକୁ କାନରେ ଚାପିଧରି ଆନନ୍ଦିନୀଙ୍କ ମୁହଁରୁ ଭୟବତାର ଚିତ୍କାର, “ନାଇଁ”। ଟିକେ ଥମିଗଲା ପରେ ମୁଁ ପଚାରିଲି, “ତମକୁ କଣ ଘଡଘଡି ଡର ଲାଗେ”?

---“ହଁ ବହୁତ”।

---“କାହିଁକି?”।

---“କାହିଁକି ମୁଁ ନିଜେ ବି ଜାଣିନି କିନ୍ତୁ ପିଲାଦିନୁ”।

---“ଆନୀକୁ ବି ଘଡଘଡି ବହୁତ ଡର ଲାଗେ। ସ୍କୁଲରେ ଘଡ଼ଘଡ଼ି ମାରିଲେ ସେ ଏମିତି ଆଖି ବନ୍ଦକରି ପାଖ ପିଲାକୁ(ମତେ) କୁଣ୍ଢେଇ ଧରି ଚିତ୍କାର କରେ। ମତେ ବହୁତ ହସ ଲାଗେ ଆଉ ସେ ଲାଜେଇ ଯାଏ। ଆଜି ଏ ଘଡଘଡିରେ ତମକୁ ଦେଖି ଆନୀ କଥା ଭାରି ମନେପଡୁଛି”। ମୋ କଥାରେ ଆନନ୍ଦିନୀ ଟିକେ ହସିଲେ। ତାଙ୍କ ଗାଲରେ ଥିବା ଛୋଟ କଣା ଦ୍ୱୟ ସେ ହସକୁ ଆହୁରି ଅଧିକ ସୁନ୍ଦର କରିଦେଉଥିଲା। ତାଙ୍କ ସହିତ ତାଳ ଦେଇ ମୁଁ ବି ହସିଲି। ମୁଁ ପୁଣି କହିବାକୁ ଲାଗିଲି, “ସେତେବେଳେ ଆନୀ ଓ ମୁଁ ପଞ୍ଚମ ଶ୍ରେଣୀ ପଢୁଥାଉ। ହଠାତ୍ ଦିନେ ଖେଳଛୁଟିରେ ଆନୀ ମତେ ଡାକି କହିଲା “ଜାଣିଚୁ ସାନୁ ମୋ ବାପାଙ୍କର ଟ୍ରାନ୍ସଫର୍ ହୋଇଯାଇଛି”।

---“ଏ ଟ୍ରାନ୍ସଫର୍ ମାନେ କଅଣ”?(ଆଶ୍ଚର୍ଯ୍ୟ ଭାବରେ ମୁଁ ପଚାରିଲି)

---“ଓଏ ହିରୋ (ସମ୍ବୋଧନରେ) ଆରେ ଏତିକି ଜାଣିନୁ। ଟ୍ରାନ୍ସଫର୍ ମାନେ ଚାକିରୀ ବଦଳି। ଆମକୁ ବାହାରକୁ ଯିବାକୁ ପଡିବ”।

---“ତା ମାନେ କଣ ତୁ ବି ଯିବୁ?”

---“ହଁ ଆମେ ସମସ୍ତେ ପୁରା ପରିବାରଟା”।

 ---“ତୁ ଗଲେ ପୁଣି କେବେ ଆସିବୁ? ଗଣେଶ ପୂଜା, ସରସ୍ୱତୀ ପୂଜାକୁ ଆସିବୁ ନା? ରଜକୁ ତ ନିଶ୍ଚୟ ଆସିବୁ।

ଏଥର ଗୋଟେ ବଡ଼ ଦୋଳି ବାନ୍ଧି ମୁଁ ଅପେକ୍ଷା କରିଥିବି ଆସିଲେ ବହେ ଖେଳିବା। ବହୁତ ମଜ୍ଜା ହବ”।

---“ନାରେ ସାନୁ ମୁଁ ଆଉ କେବେ ଆସିପାରିବିନି। ଆମେ ବହୁତ ଦୂରକୁ ଯାଉଛୁ”।

---“ଏ ତୁ ଏମିତି କଣ କହୁଚୁ”।

---“ହଁରେ ସାନୁ ବାପା କହୁଥିଲେ ସେ ମତେ ନେଇ କୋଉ ବାହାର ସ୍କୁଲରେ ପଢ଼େଇବେ। ଗୋଟେ ବଡ଼ ସ୍କୁଲରେ ଆଠାରୁ ବି ବଡ଼ ସ୍କୁଲ୍”।

---“ତା ହେଲେ ଆମର ଆଉ କେବେ ଦେଖା ହବ”?

---“ଏବେ ତ ଆଉ ନୁହେଁ ଭାବିନେ ଆଉ କେବେ”।

---“ଦୂରୁକୁ ଯାଇ ତୁ ମତେ ଭୁଲି ଯିବୁନି ତ”।

---“ଆରେ ନା ନା କେବେ ନୁହେଁ ତୁ ପରା ମୋର ବେଷ୍ଟ୍ ଫ୍ରେଣ୍ଡ୍। ଆଛା ତୁ ମତେ ବହୁତ ମିସ୍ କରିବୁ ନା? ମୋ କଥା ମୋ ଟିଫିନ୍ କଥା ତୋର ବହୁତ ମନେ ପଡିବ ନା?”

---“ହଁ ହଁ ନିଶ୍ଚୟ। ତୋ କଥା ମନେ ପଡ଼ିବନି ତ ଆଉ କା କଥା ମନେ ପଡିବ। ତୁ ତ ମୋର ଗୋଟିଏ ବୋଲି ଭଲ ସାଙ୍ଗ”।

---“ହଉ ସାନୁ ଶୁଣ୍। ତୁ ଆଜି ସନ୍ଧ୍ୟାରେ ଟିକେ ଆମ ଘରକୁ ଆସିବୁ। ଆମ କ୍ୟାମେରାରେ ତୋର ମୋର ମିଶିକି ଗୋଟେ ଫୋଟୋ ଉଠେଇବା। ଗୋଟେ କପି ତୁ ନବୁ ଆଉ ଗୋଟେ ମୁଁ ପାଖରେ ରଖିବି। ଫୋଟୋରେ ଆମେ ଦୁହେଁ ସବୁବେଳେ ଦେଖା ଦେଖି ହବା”।

ଆନୀଠାରୁ ଏସବୁ କଥା ଶୁଣିସାରିଲା ପରେ ମତେ କିଛିବି ଭଲ ଲାଗିଲାନି। ସେଦିନ ସେ ଯେତେ ବାଧ୍ୟ କଲେ ବି ମୁଁ ତା’ ଟିଫିନ୍ ଖାଇଲିନି। ପେଟରେ ଯେତେବେଳେ ଭୋକ ନାହିଁ ଖାଇବାକୁ ଇଚ୍ଛା ଆସିବ କୋଉଠୁ? ଘରେ ବି ସେମିତି କିଛି ଦିନ ବିତି ଯାଇଥାଏ। ସେଦିନ ସ୍କୁଲ୍ ନଯାଇ ମୁଁ ଘରେ ଥାଏ। ଆନୀ ଆସି ମତେ ଖୋଜିଲା। ମୁଁ ବାରିଆଡେ ଲୁଚିଲୁଚି କାନ୍ଦୁଥାଏ। ତଥାପି ଆନୀକୁ ଦେଖି ମୁଁ ଟିକେ ହସିଦେଲି କାଳେ ମୋ କାନ୍ଦ ଦେଖି ତା’ ମନ କଷ୍ଟ ହବ ସେ ବି କାନ୍ଦିବ ସେଥିପାଇଁ। ମୋ ହାତକୁ ଫୋଟୋଟି ବଢ଼େଇ ଦେଇ ଆନୀ ମତେ କୁଣ୍ଢେଇ ଧରି କହିଲା, “ସାନୁ ତୁ ଜମା କାନ୍ଦିବୁନି। ମୁଁ ତୋ ପାଖେ ପାଖେସବୁବେଳେ ଅଛି”।

ଫୋଟୋଟିକୁ ଦେଖି ମୁଁ, “ଆରେ ବାଃ ବଢିଆ ଉଠିଛି ତ! ତୁ ବହୁତ ସୁନ୍ଦରୀ ଦିଶୁଚୁ”।

---“ଓଏ ହିରୋ ତୁ କୋଉ କମ କି? ହଉ ନେ ଏଇଟା ରଖ”।

---“କଅଣ ଏଇଟା”?

---“ଆରେ ରଖ ନା। ଏଇଟା ହେଉଛି ମା ମଙ୍ଗଳାଙ୍କ ଲକେଟ୍ ତୋ ପାଇଁ ମେଳାରୁ ଆଣିଥିଲି। ମୋ କଥା ମନେ ପଡିଲେ ଆକୁ ଦେଖି ଭାବିବୁ ଯେ ମୁଁ ତୋ ପାଖେ ସବୁବେଳେ ଅଛି”।

---“ତୁ ଟିକେ ରହ”। (ମୁଁ କହିଲି)

---“କଅଣ ହେଲା”? (ବିସ୍ମିତ ଭାବରେ ଆନୀ)

ମୋ ବେକରୁ ମହାବୀର ଲକେଟ୍ କାଢି ଆନୀ ହାତରେ ଦେଇ ମୁଁ କହିଲି, “ନେ ରଖ। ଇଏ ମହାବୀରଙ୍କ ଲକେଟ୍। ମୁଁ ପିଲାବେଳେ ଡରୁଥିଲି ବୋଲି ବୋଉ ମତେ ଦେଇଥିଲା। ତୁ ତ ଘଡଘଡି, ଅସରପା, ଝିଟିପିଟିକୁ ବି ଡରୁଛୁ। ଏ ମହାବୀରଙ୍କ ଲକେଟ୍ ତତେ ସାହସ ଦେବ। ଆକୁ ଦେଖି ଭାବିବୁ ଯେ ମୁଁ ତୋ ପାଖେ ପାଖେ ଅଛି”।

---“ଆରେ ବାଃ ବଢିଆ ତ। ହଉ ତୁ ଏ ପେନ୍ ବି ରଖ। ମୁଁ ଠାକୁରଙ୍କ ପାଖେ ପୂଜା କରି ଆଣିଛି। ଏଥିରେ ଲେଖିଲେ ଭଲ ନମ୍ବର ମିଳିବ”।

---“କେଡେ ସୁନ୍ଦର ଦାମୀ ପେନ୍! ଥାଙ୍କସ୍, ଥାଙ୍କ୍ ୟୁ ସୋ ମଚ୍ ଆନୀ”।

ସେଦିନ ରାତିରେ ବେକରେ ମହାବୀର ଲକେଟ୍ ନଦେଖି ବୋଉ ପଚାରିବାରୁ ମୁଁ ମିଛରେ କହିଲି “ହଜିଯାଇଛି”। ବୋଉ ବହୁତ ପିଟିଲା ତଥାପି ସତ ମାନିଲିନି। ପିଲବେଳେ ପଡିଶା ଘରେ ଗୋଟେ ଫିଲ୍ମରୁ ଦେଖିଥିଲି ଯେ ତମେ ଯାହାକୁ ବହୁତ ଭଲପାଅ ତାକୁ ତମେ “ଆଇ ଲଭ୍ ୟୁ” କହିଦିଅ। ସିଏ ବୁଝି ପାରିବ ଯେ ତମ ତାକୁ କେତେ ଭଲପାଅ। ହିରୋ ତ ଏଇ “ଆଇ ଲଭ୍ ୟୁ” କହି ହିରୋଇନକୁ ପଟେଇ ଦିଏ। ମୁଁ ବି ତ ଆନୀକୁ ବହୁତ ଭଲପାଏ। ଭାବିଲି ଶେଷ ସମୟରେ ହିରୋ ପରିକା ତାକୁ “ଆଇ ଲଭ୍ ୟୁ” ଟିକେ କହିଦେବି। ହେଲେ “ଏ ଆଇ ଲଭ୍ ୟୁ”ର ମାନେଟା କଅଣ? ମାନେ ସେ ଯାହାବି ହଉ, ମୋର ଜାଣିବା କଣ ଦରକାର ଯେ? ସିନେମାରେ ହିରୋ କହୁଛି ମାନେ ସେଇଟା ସେମିତି କିଛି ଖରାପ କଥା ହେଇନଥିବ। କାନ୍ଦକାନ୍ଦ ମୁହଁରେ ଆଉ କଅଣ ବା କହିବି? ଗୋଟେ କାଗଜରେ “ଆଇ ଲଭ୍ ୟୁ” ଲେଖି ଆନୀ ଗଲାବେଳେ ତା’ ହାତରେ ଦେଲି। ମୁହଁକୁ ଦେଖି ଆନୀ ବୁଝି ପାରୁଥିଲା ମନର କଥାକୁ। ଦୂରେଇ ଯିବା କଷ୍ଟରେ ସେ ବି ମନେମନେ ଖୁବ୍ କାନ୍ଦୁଥିଲା କିନ୍ତୁ ବାହାରକୁ ଜଣଉ ନଥିଲା କାଳେ ତା’ କାନ୍ଦ ଦେଖି ମୁଁ କାନ୍ଦିବି ଠିକ୍ ମୋରି ପରି। ମୋ ହାତରୁ କାଗଜଟିକୁ ନେଇ ସେ ଖୋଲି ପଢିଲା। ମୋ ଇଂଲିଶ୍ ଲେଖା ଟିକକରୁ ସେ କଣ ବୁଝିଲା କେଜାଣି ହସିଦେଇ ମତେ କୁଣ୍ଢେଇ ଧରି ମୋ ଗାଲରେ ପପିଟେ ଦେଲା। ମୁଁ କିଛି କହିବା ଆଗରୁ ସେ ଟିକେ ଲାଜେଇ ଯାଇ ଗାଡିଭିତରକୁ ଦୌଡ଼ିଗଲା। ଭାରି ଲାଜେଇ ଝିଅ ଆନୀ। ସେତେବେଳେକୁ ଗାଡି ଷ୍ଟାର୍ଟ୍ ହୋଇସାରିଥାଏ। ବହୁତ ଜୋରରେ ହାତ ହଲେଇ ଆନୀ ମତେ ବାଏ ବାଏ କହି ଶୁଭ ବିଦାୟ ଜଣେଇଲା। ଆନୀ ସହିତ ତାଳ ଦେଇ ମୁଁ ବି। କିନ୍ତୁ ସେଠି ଆଉ ରହିପାରିଲିନି। ଏପଟେ ମୁହଁର ଲାଜକୁ ସେପଟେ ମନର କଷ୍ଟ। ଗାଡି ପଛରେ ଦୌଡିଯାଇ ଆନୀକୁ କିଛି ବାଟ ଯାଏଁ ବିଦାୟ ଜଣେଇଲି। ହେଲେ ସେ ମୁହଁ ବାହାରକୁ ଦେଖଉ ନଥିଲା ଖାଲି ଯାହା ହାତ ହଲାଉଥିଲା। ତା’ କାନ୍ଦୁରି ମୁହଁକୁ ଦେଖି ମୁଁ ବା କେମିତି ସହିପାରିବି? ସେଦିନ ମୋ ମୁହଁରୁ ଯେମିତି ହସ କୁଆଡେ ଲିଭି ଯାଇଥିଲା। ଆନୀ ପଳେଇ ଯିବା ଦୁଃଖରେ ମୁଁ ବହୁତ ଦିନ ଯାଏଁ ଲୁଚିଲୁଚି କାନ୍ଦିଲି, ଖିଆପିଆ ଠିକ୍ ସେ କଲିନି, ପାଠ ପଢ଼ାରେ ମନ ଲାଗିଲାନି, ସ୍କୁଲ୍ ଗଲିନି, ଘରେ ବହୁତ ମାଡ଼ ଗାଳି ଖାଇଲି। ମନକୁ ଶାନ୍ତ କରିବାକୁ ବେଶ୍ କିଛି ଦିନ ଲାଗିଗଲା। ଆନୀ କଥା ମନେ ପଡିଲେ ମନକୁ ବୁଝେଇବାର କେବଳ ଗୋଟିଏ ସାହା ଥିଲା। ସେ ଦେଇଥିବା ଲକେଟ୍ ଆଉ ଆମ କମ୍ବାଇନ୍ ଫୋଟୋ। ଜାଣିନି ଆନୀ ମତେ ସେଠି କେତେ ମିସ୍ କରୁଥିବ କିନ୍ତୁ ଭାବିନିଏ ମୋ ଭଳି ବହୁତ। ଏମିତି କିଛିଦିନ ବିତିଗଲା ପରେ ବାପାଙ୍କ ମୃତ୍ୟୁର ରିହାବିଲେସନ୍ ସ୍କିମ୍ ରେ ବୋଉକୁ ଦୂର ଜାଗାରେ ଖଣ୍ଡେ ଚାକିରୀ ମିଳିଲା। ଆମେବି ଆଉ ମାମୁଁଘର ଉପରେ ବୋଝ ହବାକୁ ନଚାହିଁ ଦୂର ଜାଗାରେ ଖଣ୍ଡେ ଘରଭଡା ନେଇ ରହିଲୁ। ମୁଁ ହରିଦାସପୁର ସ୍କୁଲ୍ ଛାଡି ଦୂର ସ୍କୁଲରେ ମାଇନର୍ ପାସ୍ କରି ହାଇସ୍କୁଲରେ ପଢ଼ିଲି। ହେଲେ ଯେତେ ଯୁଆଡେ ଗଲେ ବି ଆନୀ କଥା ସବୁବେଳେ ମନେପଡେ। ତା’ ଗୋଲ ମୁହିଁ ହସ, ଦି ପଟେ ଛୋଟ କଣା ଥିବା ତା’ ପୁଚୁକି ଗୋରା ଗାଲ, ତା’ କରଣୀ ଆଖିର ଛବି ସବୁବେଳେ ମୋ ଆଖି ଆଗରେ ନାଚିଉଠେ। ତା’ର ସେ ପପି କଥା ମନେ ପକେଇ ମୁଁ ବହୁତ ହସେ, ଲାଜେଇ ଯାଏ କିନ୍ତୁ ତାକୁ କେବେ ଖୋଜି ପାଏନି। ଯେତେଥର ମାମୁଁ ଘର ଯାଏ ସବୁଥର ତାକୁ ବହୁତ ଖୋଜେ, ସମସ୍ତଙ୍କୁ ତା’ କଥା ପଚାରେ, ପୋଷ୍ଟ ଅଫିସ୍ ଯାଇ ତା’ ଚିଠି ଆସିଛି କି ନାଇଁ ପଚାରି ବୁଝେ କିନ୍ତୁ ଉତ୍ତର କିଛି ନଥାଏ। ସବୁଥିରେ ନିରାଶ ହବାକୁ ପଡେ। କୋଡିଏ ବର୍ଷ ତଳେ ଯୁଗବି ବହୁତ ଅଲଗା ଥିଲା। ନା ସେତେବେଳେ ଥିଲା ମୋବାଇଲ୍ ନା ଏ ଇଣ୍ଟରର୍ନେଟ୍। ତାକୁ ଖୋଜିବାକୁ ମୁଁ ବହୁତ ଚେଷ୍ଟା କରିଛି। ସ୍କୁଲ ସାଙ୍ଗସାଥୀ, ସାର୍ ମ୍ୟାମ୍ ସମସ୍ତଙ୍କୁ ପଚାରିଛି, ଫେସବୁକରେ ଆନୀ ନାଁରେ ବହୁତ ସର୍ଚ୍ଚ କରିଛି କିନ୍ତୁ କୋଉଠି କିଛି ବି ପାଇନି। ଏବେ କେବଳ ତା’ର ସେ ଲକେଟ୍, ଫୋଟୋ ଆଉ କିଛି ପୁରୁଣା ଦିନର ସ୍ମୃତିକୁ ମନେ ପକେଇ କିଛି ଦିନ ବଞ୍ଚିଯିବା କଥା।

ଟ୍ରେନ୍ ଭିତରୁ ଝରକାରେ ବାହାର ମେଘୁଆ ପାଗକୁ ଚାହିଁ ମୁଁ ସବୁକିଛି କହି ଚାଲିଥାଏ। ହଠାତ୍ ମୋ ନଜର ପଡିଲା ଆନନ୍ଦିନୀଙ୍କ ଉପରେ। ମୋ କଥା ସରିଲା ବେଳକୁ ଆନନ୍ଦିନୀଙ୍କ ଆଖିରେ ଲୁହ ଆସିଯାଇଥିଲା। ସେ ଟିକେ ତଳକୁ ମୁହଁ କରି ରୁମାଲରେ ପୋଛି ପକାଉ ଥିଲେ। ଆଉ ଏମିତିରେ ମୋ ରୁମାଲବି ଲୁହରେ ଓଦା ହେଇ ସାରିଥିଲା। ପରିସ୍ଥିତିକୁ ଟିକେସ୍ୱାଭାବିକ କରିବାକୁ ଯାଇ ମୁଁ କହିଲି, “ଇଏ କଣ ମ୍ୟାଡ଼ାମ୍? ଆପଣଙ୍କ ଆଖିରେ ଲୁହ! ଆପଣ କାନ୍ଦୁଛନ୍ତି?”

---“ନା ନା ସେମିତି କିଛି ନାହିଁ। ମୁଁ ଟିକେ ଭାବ ପ୍ରବଣ ହୋଇ ପଡିଲି।, ଛାଡନ୍ତୁ।” (ହସିଦେଇ ଆନନ୍ଦିନୀ କହିଲେ)

ମୁଁ କହିଲି, --“ଆକ୍ଚ୍ୟୁଆଲି ଆଇ ଆମ୍ ସୋ ସରି। ମୋର ଆପଣଙ୍କୁ ଏସବୁ କିଛି କହିବାର ନଥିଲା। ଅଯଥାରେ ଆପଣ ବହୁତ କଷ୍ଟ ପାଇଲେ”। ତତକ୍ଷଣାତ୍ ଆନନ୍ଦିନୀଙ୍କ ମୁହଁରୁ, “ନା ନା ସମ୍ବିତ ବାବୁ ଇଟିସ୍ ଓ.କେ. । ଆପଣ ଦୟାକରି ସେମିତି କିଛି ବି ଭାବନ୍ତୁନି”। ଟିକେ ହସିଦେଇ ଉତ୍ସୁକତାରେ ଆନନ୍ଦିନୀ, “ଆଚ୍ଛା ସମ୍ବିତ ବାବୁ ଆପଣ କଣ ଏବେବି ଆନୀକୁ ଭଲ ପାଆନ୍ତି? ସେ କଣ ଆପଣଙ୍କ ପ୍ରଥମ ପ୍ରେମିକା? ଆପଣ ଆଜି ବି କଣ ଆନୀକୁ ଅପେକ୍ଷା କରିଛନ୍ତି?” ଗୋଟିଏ ସମୟରେ ଆନନ୍ଦିନୀଙ୍କ ମୁହଁରୁ ଏତେ ଗୁଡାଏ ପ୍ରଶ୍ନ ଶୁଣି ମୁଁ ଟିକେ ଅସ୍ୱାଭାବିକ ମନେ କଲି। କହିଲି, “ହଁ ମ୍ୟାଡ଼ାମ୍। ମୁଁ ଏବେ ବି ଆନୀକୁ ବହୁତ ଭଲପାଏ। ନିଜ ଜୀବନଠୁ ବି ଅଧିକ। ସେ ହିଁ ମୋ ଜୀବନର ପ୍ରଥମ ପ୍ରେମିକା। ତା’ ସହିତ ସେ ବନ୍ଧୁତ୍ୱ ହିଁ ମୋର ପ୍ରଥମ ପ୍ରେମ। ମୁଁ ଆଜିବି ତା’ ଫେରିବା ବାଟକୁ ଚାହିଁ ବସିଛି, ସାରା ଜୀବନବି ତା’ ପାଇଁ ଅପେକ୍ଷା କରିବି। ଏ ଦୁନିଆରେ ଆଉ କେହିବି ତା’ ଜାଗା କେବେ ନେଇ ପାରିବେନି। ଆନୀ ପରି ଅନ୍ୟ କେହିବି ମତେ ଅବା ମୋ ମନକୁ ବୁଝି ପାରିବେନି। ମୋ ପାଇଁ ଆନୀ ହିଁ ଏ ଦୁନିଆର ସବୁଠୁ ସୁନ୍ଦରୀ ଝିଅ। ଖାଲି ସେ ମତେ ଗୋଟିଏ ଥର ମିଳିଯିବା ଦରକାର। ସେଦିନ ମୋ ଆଇ ଲଭ୍ ୟୁ ଲେଖାର ପ୍ରତି ଉତ୍ତରରେ ତା’ ପାଟିରୁ କେବଳ “ଆଇ ଲଭ୍ ୟୁ ଠୁ” ହିଁ ମୁଁ ଶୁଣିବାକୁ ଚାହେଁ। ଏ ଦୁନିଆର ସବୁ ଖୁସି ଆଣି ତା’ ପାଦ ତଳେ ମୁଁ ଅଜାଡି ଦେବି। କେବେ ବି ତାକୁ ମୋ ନିଜଠୁ ଅଲଗା କରିବାକୁ ଦେବିନି, କେବେ ନୁହେଁ। ଆଣ୍ଡ୍ ମୁଁ ସିଓର୍ ଆନୀ ବି ମତେ ବହୁତ ଭଲପାଏ। ମୋ ମନ କହେ ଆଜିବି ସେ ମତେ ଖୋଜୁଛି କିନ୍ତୁ ପାଉନି ଠିକ୍ ମୋରି ଭଳି।”

ମୋ ଉତ୍ତର ଶୁଣି ଆନନ୍ଦିନୀଙ୍କ ମୁହଁରୁ, “ଯଦି ଆନୀ ଆପଣଙ୍କୁ ମିଳିଯାଏ ତେବେ ଆପଣ କେତେ ଖୁସି ହେବେ। ଆନୀକୁ ନେଇ ଆପଣଙ୍କର ସ୍ୱପ୍ନ କଣ ଅଛି?”

ଉତ୍ତରରେ, “ଆନନ୍ଦିନୀ ମ୍ୟାଡ଼ାମ୍ ଖୁସିର କିଛି ବି ସଂଜ୍ଞା ନଥାଏ। ଖୁସିକୁ କେବଳ ଅନୁଭବ କରାଯାଇପାରେ, ଉପଭୋଗ କରିହୁଏ। ଆଉ ଆନୀକୁ ନେଇ ମୋ ମନର ସ୍ୱପ୍ନ ଅନେକ ହେଲେ ଆନୀର କେବଳ ଗୋଟିଏ ସ୍ୱପ୍ନ ଥିଲା ମୁଁ ଦିନେ ଆଇ.ଏ.ଏସ୍ ଅଫିସର୍ ହେବି। ଭାରତର ବଡ଼ ଚାକିରୀ କରିବି। ସେଥିପାଇଁ ତା’ ସ୍ୱପ୍ନକୁ ନିଜ ସ୍ୱପ୍ନ ଭାବି ମୁଁ ଆଗେଇ ଚାଲିଛି। ଖାଲି ଆନୀ ମତେ ଥରେ ମିଳିଯିବା ଦରକାର। ମୋର ଆଉ କିଛି ଦରକାର ନାହିଁ।

ଟିକେ ହସି ଦେଇ ଆନନ୍ଦିନୀ, “ଆଉ ଯଦି ଆନୀ ବାହାହୋଇ ସାରିଥାଏ ତାହେଲେ---”

ବ୍ୟସ୍ତତାର ସହିତ ମୁଁ, ---“ନା ନା ସେମିତି କେବେ ହେଇ ପାରିବନି। ମୁଁ ଆଗରୁ କହିଛିନା ଆନୀ ମୋ ମନ କଥା ବୁଝିପାରେ। ମୁହଁ ଦେଖି ସେ ମୋ ମନକଥା ପଢ଼ିପାରେ। ଆନୀ କେବଳ ମୋର ସେ ଆଉ କାହାର ହେଇ ପାରିବନି”।

ଏସବୁ କଥା ବାର୍ତ୍ତା ଭିତରେ ଟ୍ରେନ୍ ଓଡିଶା ଛୁଇଁ ସାରିଥିଲା। ମୋ କଥା ସରିଲା ବେଳକୁ ଆମେ ଆସି ବ୍ରହ୍ମପୁର ଷ୍ଟେସନ୍ ରେ ପହଞ୍ଚି ସାରିଥିଲୁ। ଆରି ଭିତରେ ମୁଁ ପଚାରିଲି, “ଆଛା ଆନନ୍ଦିନୀ ମ୍ୟାଡ଼ାମ୍ ଆପଣ ମୋ ଲଭ୍ ଷ୍ଟୋରୀ ତ ଶୁଣିଲେ। ଏବେ ଆପଣଙ୍କ ଉପରେ କିଛି କୁହନ୍ତୁ ଆଇ ମିନ୍ ଆପଣଙ୍କ ଫାଷ୍ଟ୍ ଲଭ୍ ବିଷୟରେ କିଛି।”

ଟିକେ ହଡବଡେଇ ଯାଇ ଆନନ୍ଦିନୀ କହିଲେ “ସିମିଲାର ଟୁ ଇଓର୍ ଷ୍ଟୋରୀ।”

---“ମାନେ?” (ମୁଁ ଟିକେ ଚମକି ପଡି)

ଆନନ୍ଦିନୀ, “ନାଇଁ ମାନେ ପାଖାପାଖି ଆପଣଙ୍କ ଲଭ୍ ଷ୍ଟୋରୀ ସହିତ ସମାନ।”

---“ଓକେ ଓକେ ଠିକ୍ ଅଛି। ତାହାଲେ ତ ବହୁତ ଇଣ୍ଟ୍ରେଷ୍ଟିଙ୍ଗ୍। ଟିକେ ଓଏଟ୍ କରନ୍ତୁ। ମୁଁ ଷ୍ଟେସନରୁ ଗୋଟେ ପାଣି ବୋଟଲ୍ ଆଉ କିଛି ସ୍ନାକ୍ସସ୍ ଆଇଟମ୍ ନେଇ ଆସେ। ବସି ଖାଇବା ଆଉ ଗପିବା। ଏଇ ଏବେତ ବ୍ରହ୍ମପୁର ହେଲା। ଭୁବନେଶ୍ୱରକୁ ଆହୁରି ଦି ଘଣ୍ଟା ଉପରେ ଲାଗିବ।” ଆନନ୍ଦିନୀ କିଛି କହିବା ଆଗରୁ ମୁଁ କିଛି ସମୟ ପାଇଁ ଷ୍ଟେସନ୍ ଯାଇ ଟିକେ ଫ୍ରେସ୍ ହେଲି। ଆଉ କିଛି ସ୍ନାକ୍ସସ୍ ଆଣ୍ଡ୍ ପାଣି ବୋଟଲ କିଣିଲି। ସେଥିରେ ପୁଣି ବୋଉର ଫୋନ୍, “ବାବୁରେ କୋଉଠି ହେଲୁଣି? ଆଉ କେତେ ସମୟ ଲାଗିବ? ମୁଁ ଅପେକ୍ଷା କରିଛି ଆସିଲେ ସାଙ୍ଗହେଇ ଖାଇବା”।

----“ଟିକେ ରହ ବୋଉ। ଏଇ ତ ବ୍ରହ୍ମପୁର୍ ଛାଡିଲି। ଭୁବନେଶ୍ୱରକୁ ଆଉ ପାଖାପାଖି ଦିଘଣ୍ଟା ଉପରେ ଲାଗିବ।” ଏକ ଭୟଙ୍କର ଗର୍ଜନ କରି ଟ୍ରେନ୍ ଛାଡିବା ଆଗରୁ ମୁଁ ସେ ସବୁ ସ୍ନାକ୍ସସ୍ ଆଉ ପାଣିବୋତଲ ଧରି ମୋ ସିଟ୍ ପାଖକୁ ଆସିସାରିଥିଲି। ହେଲେ ଏ କଣ! ଆନନ୍ଦିନୀ କାହାନ୍ତି? ବଗିର ଗେଟ୍ ପାଖେ ଯାଇ ବାହାରକୁ ଭଲକରି ଦେଖିଲି। ହେଲେ କୋଉଠିବି ଆନନ୍ଦିନୀଙ୍କୁ ପାଇଲି ନାହିଁ। ଟ୍ରେନ୍ ବି ଗଡ଼ିଲାଣି ଭାବିଲି ବୋଧହୁଏ ୱାସ୍ ରୁମକୁ ଯାଇଥିବେ। ହେଲେ ଆନନ୍ଦିନୀଙ୍କ ସିଟ୍ ପାଖେ ଏ ଲେଖା କାଗଜ କଣ? ବେଶ୍ ଉତ୍ସୁକତାର ସହିତ କାଗଜଟିକୁ ଉଠେଇ ଆଣିଲା ବେଳକୁ ଲାଗିଲା କଣ ଗୋଟେ ତଳକୁ ଖସିପଡିଲା।ବୋଧହୁଏ କେଉଁ ଫୋଟୋ ନା କଅଣ। ନଇଁପଡ଼ି ତଳୁ ଉଠେଇ ଆଣି ଯାହା ଦେଖିଲି ସେଥିରେ ମୋର ଅଧା ହୋସ୍ ଉଡ଼ିଗଲା। ମୁଁ ହଠାତ୍ ଚମକି ପଡିଲି। ମୋ ହାତରେ ଥିବା ସେ ଫୋଟୋଟି ଥିଲା ଦୀର୍ଘ କୋଡିଏ ବର୍ଷ ତଳେ ଆନୀ ସହିତ ମୁଁ ଉଠେଇ ଥିବା ସେହି କମ୍ବାଇନ୍ ଫୋଟୋ। ଯାହାକୁ ଆମେ ଦୁହେଁ ଆନୀ ଘରେ ତାଙ୍କ କ୍ୟାମେରାରେ ଉଠେଇଥିଲୁ। ଆନନ୍ଦିନୀଙ୍କ ସିଟ୍ ପାଖରୁ ଏ ଫୋଟୋକୁ ଦେଖି ମୁଁ କିଛି ବି ବୁଝି ପାରୁନଥିଲି। ମନର ବ୍ୟାକୁଳତାକୁ ଦୂରେଇବାକୁ ଯାଇ ମୁଁ ତରବର ହେଇ ସେହି କାଗଜଟିକୁ ପଢିବାକୁ ଲାଗିଲି। ଦୁଇ ପୃଷ୍ଠା ହାତଲେଖା ଥିବା ସେ କାଗଜ ଉପରେ ଲେଖା ଥିଲା, “ଶେଷ ଦେଖା” ଆଉ ତା’ପରେ,-----

“ପ୍ରିୟର ସମ୍ବିତ୍ ଅବା ମୋ ପିଲାଦିନର ସାନୁ”। “ଭାବୁଛି ତମେ ସେ ଫୋଟୋଟିକୁ ଦେଖିସାରି ନିଶ୍ଚୟ ବିସ୍ମିତ ହୋଇ ପଡ଼ିଥିବ। ଗୋଟେ ଅଜଣା ଅପରିଚିତା ଝିଅଠାରୁ ନିଜ ପିଲାଦିନର ଫୋଟୋ ପାଇ ତମର ଏ ବିସ୍ମିତ ହବା ମଧ୍ୟ ଖୁବ୍ ସ୍ୱାଭାବିକ। ହେଲେ ଏକଥା ସତ ଯେ ଏହି ଦୀର୍ଘ ସମୟର ଟ୍ରେନ୍ ଯାତ୍ରାରେ ତମ ସହିତ ଟ୍ରେନ୍ ଭିତରେ ଖୁବ୍ ପାଖରେ ବସି ହସ ଖୁସିରେ କଥା ହେଉଥିବା ସେହି ଆନନ୍ଦିନୀ ମାନେ ମୁଁ ନିଜେ ହିଁ ହେଉଛି ତମର ସେ ପ୍ରଥମ ପ୍ରେମିକା ଆନୀ। କଥାଟାକୁ ହୁଏତ ତୁମେ ସହଜରେ ବିଶ୍ୱାସ କରି ପାରୁନଥିବ। ସେଥିପାଇଁ ତ ମୁଁ ପ୍ରମାଣରେ ଆମ ପିଲାଦିନର ସେ ଫୋଟୋଟିକୁ ଦେଇଛି। ଖାଲି ସେତିକି ନୁହେଁ ସାନୁ। ତମର ସେ ମହାବୀର ଲକେଟ୍ ଆଜିବି ମୋ ସାଥିରେ ଅଛି। ହେଲେ ତାକୁ ମୁଁ ତୁମକୁ ପ୍ରମାଣରେ ଦେଇ ପାରିବିନି କାରଣ ସେ ହିଁ ମୋ ଜୀବନର ଶେଷ ସମ୍ପତ୍ତି, ଶେଷ ସ୍ମୃତି। କଥାଟା ଶୁଣିକି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନା। ହଁ ସାନୁ, ତମକୁ ମୁଁ ଆଜି ସବୁକିଛି କହିବାକୁ ଚାହେଁ। ତମକୁ କହିବିନି ତ ଆଉ କହିବି କାହାକୁ? ସାନୁ ଆଜି ବି ମୁଁ ତମକୁ ବହୁତ ଭଲ ପାଏ। ମୋ ନିଜ ଜୀବନଠୁ ବି ଅଧିକ। ତମେ ହିଁ ମୋ ଜୀବନର ପ୍ରଥମ ପ୍ରେମିକ ଆଉ ଆମ ପିଲାଦିନର ସେ ସମ୍ପର୍କ ହିଁ ସବୁ ପ୍ରେମଥିଲା। ମୁଁ ବି ସେଦିନ ତମଠୁ ଦୂରେଇ ଯାଇ ବହୁତ କଷ୍ଟ ପାଇଛି, ବହୁତ କାନ୍ଦିଛି, ବହୁତ ମାଡ଼ ଗାଳି ଖାଇଛି କିନ୍ତୁ କେବେ ବି ତମକୁ ଭୁଲି ପାରିନି। କେହି ଜଣେ ଠିକ୍ କଥା କହିଥିଲେ, “ଜୀବନରେ ପ୍ରଥମ ପ୍ରେମର ଅନୁଭୁତି ହିଁ କିଛି ନିଆରା”। ଏକଥା ଜାଣି ମୁଁ ବହୁତ ଖୁସି ଯେ ତମ ମନ ତଳେ ଆଜିବି ମୋ ପାଇଁ ବହୁତ ଜାଗା ଅଛି। ଯୋଉଠି ମୋ ପାଇଁ ବହୁତ ଭଲପାଇବା, ସ୍ନେହା, ଶ୍ରଦ୍ଧା ଆଉ ପ୍ରେମ ରହିଛି। ତମେ ଆଜିବି ମୋ ପ୍ରେମକୁ ଅପେକ୍ଷା କରି ମୋ ଫେରିଲା ବାଟକୁ ଚାହିଁ ବସିଛ। ମୋ ଉପରେ ବିଶ୍ୱାସ ରଖିଛ। ହେଲେ ମୁଁ ଆଉ କେବେବି ତମ ପାଖୁ ଫେରି ପାରିବିନି। ବୋଧହୁଏ ଏଇଟା ହିଁ ହେଉଛି ଆମ ଜୀବନର ଶେଷ ଦେଖା।

  ହଁ ସମ୍ବିତ୍ ସରି ସାନୁ,ସତ କଥା ହଉଚି ମତେ ବ୍ଲଡ୍ କ୍ୟାନ୍ସର୍। ଅତି ବେଶୀରେ ଆଉ ଛଅ ମାସ। ହେଲେ ଏକଥା ଘରେ କେହିବି ଜାଣି ନାହାନ୍ତି। ମୁଁ କେବେବି କାହାକୁ ଟେନ୍ସନ୍ ଦେବାକୁ ଚାହେଁନି। ମୋ ଭଳି ଗୋଟେ ଅନାଥ ଝିଅ ପାଇଁ ଅନ୍ୟ କେହି କଷ୍ଟ ପାଉ ସେ କଥା ମୁଁ ଆଦୌ ସହି ପାରିବିନି। ହଁ ସାନୁ ଚମକି ଯାଅନି ମୁଁ ଗୋଟେ ଅନାଥ। ଏ କଥା ମୁଁ ବି ଏଇ କିଛିଦିନ ତଳେ ନିଜେ ଗୋପନରେ ଜାଣିବାକୁ ପାଇଲି। ସାରାଜୀବନ ସମାଜରେ ବାଞ୍ଝ ବୋଲାଇ କଷ୍ଟ ପାଉଥିବା ନିଃସନ୍ତାନ ଦମ୍ପତିଙ୍କ ପାଇଁ ମୁଁ ଥିଲି ଭଗବାନଙ୍କ ଆଶୀର୍ବାଦ ସ୍ୱରୂପ। ରାସ୍ତାକଡ଼ରୁ ଗୋଟେଇ ଆଣି ସେମାନେ ମତେ ଯେଉଁ ସ୍ନେହ, ମମତା ଓ ସ୍ୱାଧୀନତା ଦେଇଛନ୍ତି ତା’ ପାଇଁ ମୁଁ ସବୁ ଜନ୍ମରେ ସେମାନଙ୍କ ପାଖେ ଚୀର ଋଣୀ। ସେମାନେ ବାପା ମାଆ ତ ନୁହଁନ୍ତି ମୋ ପାଇଁ ସାକ୍ଷାତ ଇଶ୍ୱର। ଚେକ୍ଅପ୍ ପାଇଁ ମୁଁ ଦିଲ୍ଲୀ ଯାଇଥିଲି। ସେଠିବି ଡାକ୍ତର ସେଇ କଥା କହିଲେ “ମାକ୍ସିମମ୍ ସରଭାଇବ୍ ସିକ୍ସ୍ ମନ୍ଥସ୍”। ଆସିଲାବେଳେ ଆକସ୍ମିକ ଭାବେ ତମ ସହ ଦେଖା ହେଇ ମୁଁ ବହୁତ ଖୁସି ହେଲି। ଅନ୍ତତଃ ଏ ଚିଠିଖଣ୍ଡକ ଲେଖିବାର ତ ସୁଯୋଗ ମିଳିପାରିଲା। ଦୟାକରି ମତେ କେବେ ଭୁଲ୍ ବୁଝିବନି। ହୁଏତ ମୁଁ ମୋ ପରିଚୟ ଦେଇଥିଲେ ତମେ ମତେ ବହୁତ ଭଲପାଇବା ଦେଇଥାନ୍ତ କିନ୍ତୁ ପରେ ମତେ ହରେଇବାର ଦୁଃଖରେ ତମେ ବହୁତ କଷ୍ଟ ପାଇଥାନ୍ତ। ସେଦିନର ତମର ସେ ସୁନ୍ଦରୀ ପ୍ରେମିକା ଆନୀ ଆଜି ଆଉ ସେମିତି ସୁନ୍ଦରୀ ହେଇ ନାହିଁ। କେମୋଥେରାପିରେ ମୁଁ ଲଣ୍ଡା ହବାକୁ ଲାଗିଲିଣି, ହାତ ଗୋଡ଼ ଶୁଖିଶୁଖି ଆସିଲାଣି, ନିଜ କଦାକର ଶରୀରକୁ ଓଢଣୀ ଆଡ଼ୁଆଳରେ ଢାଙ୍କିରଖିବା ମୋ ପାଇଁ କେବେଳ ଗୋଟିଏ ଉପାୟ ପାଲଟିଛି। ନିଜର ଶାରୀରିକ ଯନ୍ତ୍ରଣା ନିଜକୁ ବହୁତ କଷ୍ଟ ଦଉଛି। ତଥାପି ଆମ ପିଲାଦିନର ସେ ସବୁ ସମୟ,ସବୁ ସ୍ମୃତି ଆଉ ତମ ଭଲପାଇବା ମତେ ବଞ୍ଚିବା ପାଇଁ ବହୁତ ବାଧ୍ୟ କରୁଛି। ଜୀବନ ଉପରେ ସବୁ ଆସ୍ଥା ଛାଡିଦେଇ ମୃତ୍ୟୁକୁ ଅପେକ୍ଷା କରିଥିବା ଆନୀ ଆଜି ତମକୁ ଦେଖିଲା ପରେ ସବୁକଷ୍ଟ ଭୁଲିଯାଇ ପୁଣି ଥରେ ନୂଆ ଜୀବନ ପାଇବାକୁ ଚାହୁଁଚି। ବଞ୍ଚିବାକୁ ମୋର ବହୁତ ଇଚ୍ଛା ହଉଚି କିନ୍ତୁ ଦୁର୍ଭାଗ୍ୟ ମୋର ଆୟୁଷ ନାହିଁ। ମୁଁ ଜାଣେ ତମେ କେବେବି ମୋ କଷ୍ଟ ସହିପାରିବନି ସେଥିପାଇଁ ତ ମୁଁ ତମକୁ ନଜଣେଇ ଚାଲିଆସିଲି। ମୋ ଅନୁପସ୍ଥିତିରେ ମୋ ମନ କଥା କହିବା ପାଇଁ ବାଧ୍ୟହେଇ ଏ ଚିଠିଟି ଲେଖିଲି।ସବୁବେଳେ ମୁଁ ଭଗବାନଙ୍କ ଉପରେ ଅଭିମାନ କରି ବହୁତ ଗାଳି ଦିଏ। ତମ ସହ ଦେଖା ହବାକୁ ମୁଁ କେତେ ପ୍ରାର୍ଥନା କରେ ହେଲେ ଆଜି ଭଗବାନ ମୋର ସବୁ ଇଚ୍ଛା ପୁରଣ କରିଦେଲେ। ବୋଧହୁଏ ତମ ସହ ଦେଖା ହୋଇ ନଥିଲେ ମୋ ଜୀବନରେ ଗୋଟେ ବଡ଼ ଅବଶୋଷ ରହିଯାଇଥାନ୍ତା। ଏବେ ମୁଁ ଶାନ୍ତିରେ ମରିପାରିବି। ଶେଷରେ କେବଳ ଏତିକି ଲେଖୁଛି ଯେ ତମେ ନିଶ୍ଚିତ ରୂପେ ଆଇ.ଏ.ଏସ୍. ବନି ମୋ ସ୍ୱପ୍ନକୁ ସାକାର କର। ମତେ ଆଉ ଅପେକ୍ଷା ନକରି ନିଜର ଘର ସଂସାର କର। ଏ ଜନ୍ମରେ ନହେଲା ନାହିଁ ଆର ଜନ୍ମରେ ମୁଁ ନିଶ୍ଚୟ ତୁମ ବନ୍ଧୁ ଅବା ପ୍ରେମିକା ଅବା ସ୍ତ୍ରୀ ହବାର ସୌଭାଗ୍ୟ ଲାଭ କରିବି। ସେଦିନ ମତେ ଦେଇଥିବା ସେ ଚିଠିର ଉତ୍ତରକୁ ତମେ ଆଜିବି ଅପେକ୍ଷା କରିଛ ନା ସାନୁ? ଆଜିବି ମୁଁ ତୁମକୁ ବହୁତ ଭଲ ପାଏ। “ସାନୁ ଆଇ ଲଭ୍ ୟୁ, ଆଇ ଲଭ୍ ୟୁ ଠୁ ମଚ୍ ସାନୁ”।

               

                                  ।।ଇତି।। 

ତମ ପ୍ରଥମ ପ୍ରେମିକା ଆନୀ 

ଓଏ ହିରୋ----”

ଚିଠିଟିକୁ ପଢି ଚମକି ପଡିଲି। କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲି। ଆନୀର ମୋ ପ୍ରତି ଥିବା ସେଇ ମନୋଭାବ ସେଇ ନିଛକ ପ୍ରେମ, ଭଲପାଇବା ଆଉ ସେଇ ପୁରୁଣା ଡାଇଲଗ୍, “ଓଏ ହିରୋ” ଆଜିବି ସେମିତି ଅତୁଟ ରହିଛି। ସେ ଆଜିବି ମୋ ଆଖିର ଲୁହକୁ ଦେଖି ପାରିବନି। ସେ ଆଜିବି କାହାକୁ କଷ୍ଟ ଦେବାକୁ ଚାହେଁନି। ସେଥିପାଇଁ ତ ସେ ନିଜେ ଭିତରେ ଉଭୟ ଶାରୀରିକ ଆଉ ମାନସିକ କଷ୍ଟକୁ ଚାପି ଧରି ବାହାରେ ହସୁଛି।

ହାତଲେଖା ସେ ଚିଠିରେ ଥିବା ଆନୀର ଦୁଇଟୋପା ଲୁହ ଚିହ୍ନ ଉପରେ ନିଜ ଲୁହତକ ଢାଳି ହୋଇ ଯାଉଥିଲା। ପାଖରେ ବସିଥିବା ନିଜ ପ୍ରେମିକାକୁ ଚିହ୍ନି ନପାରିବାର ଦୁଃଖରେ ନିଜକୁ ଘୃଣା ଲାଗୁଥିଲା। ଅସହାୟତାରେ ଚିଠିଟିକୁ ନିଜ ଛାତିରେ ଚାପିଧରି ପିଲାଟି ପରି କଇଁ କଇଁ କାନ୍ଦିବାକୁ ଲାଗିଲି। ବାହାରେ ବର୍ଷା ପ୍ରବଳ କାଚୁଥିଲା ଆଉ ତା’ ସହିତ ତାଳ ଦେଇ ବିଜୁଳି ଘଡଘଡି ବି। ଦ୍ରୁତଗତିରେ ଟ୍ରେନଟି ଛୁକ୍ ଛୁକ୍ ଶବ୍ଦ କରି ମାଡିଚାଲୁଥିଲା। ବାହାରର ଏ ବର୍ଷା ହୁଏତ କିଛି ସମୟ ପରେ ଥମିଯିବ। ଆକାଶ ବି ଶାନ୍ତ ହେଇ ନୀରବି ଯିବ କିନ୍ତୁ ଆନୀର ବିରହରେ ଛାତିର କୋହ ଆଉ ଏ ଆଖିର ଲୁହ ଥମିଯିବା କଣ ଏତେ ସହଜ। କାନ୍ଦକାନ୍ଦ ମୁହଁରେ ମୁଁ କେବଳ ଖୁବ୍ ଜୋରରେ ଚିତ୍କାର କରୁଥାଏ, “ଆନୀ ଆନୀ----”। ଲାଗୁଥିଲା ଯେମିତି ନିଜ ମନର କୋହରେ ପାଟିରୁ ଚାଲିଆସୁଥିବା ଏ ଆନୀ ଶବ୍ଦଟା ବାହାରର ଘଡଘଡି ଠୁ ବି ଢେର ବଳି ଯାଉଥିଲା । 



Rate this content
Log in

Similar oriya story from Tragedy