Gayatri Singh

Abstract Inspirational Children

4  

Gayatri Singh

Abstract Inspirational Children

ସେ ବି ଜଣେ ମାଆ

ସେ ବି ଜଣେ ମାଆ

4 mins
302


ସେ ପିଲା ଜନ୍ମ କରିନି, ମାଆ ହେଇନି ତଥାପି ସେ ମାଆ । ଶହ ଶହ ପିଲାଙ୍କ ମାଆ ଡାକରେ ତା' ଛାତି ଫୁଲି ଉଠେ । ତାର ଠିକ ମନେ ଅଛି , ତା"ର ବି ପରିବାର ଥିଲା । ବାପା ମାଆ ଭାଇ ଭଉଣୀ ସମସ୍ତେ ଥିଲେ । ତା ମାଆ ତାକୁ ବହୁତ ଭଲ ପାଉଥିଲେ । ହେଲେ ପରିସ୍ଥିତି ତାକୁ ବାଧ୍ୟ କରିଥିଲା ଘର ଛାଡିବା ପାଇଁ । ବିଦ୍ୟାଳୟ ରେ ପିଲାମାନେ ତାକୁ ମାଇଚିଆ ବୋଲି ଚିଡାନ୍ତି । ଛୋଟ ବେଳେ ସେ ଜାଣି ପାରୁନଥିଲା । ବୟସ ବଢ଼ିବା ପରେ ମାଇଚିଆ ଡାକ ତାକୁ ଭାରି ଖରାପ ଲାଗିଲା । ନିଜ ବିଷୟରେ ନିଜେ ଜ୍ଞାତ ହେବା ପରେ ଚୁପଚାପ ଘର ଛାଡ଼ି ଚାଲିଗଲା । ଘର ଛାଡିବା ବେଳେ ମା'ଙ୍କ କଥା ଭାବି ବହୁତ କାନ୍ଦିଥିଲା । ତା ଜନ୍ମ ପାଇଁ ସେ ଦାୟୀ ନୁହେଁ କି କେହି ବି ଦାୟୀ ନୁହେଁ ତଥାପି ସେ ସମସ୍ତଙ୍କର ଉପହାସ୍ୟ ର ପାତ୍ର। ବାପା ତାକୁ ବହୁତ ବୁଝାନ୍ତି । ଏ ସବୁ କଥାରେ ଧ୍ୟାନ ନଦେଇ ପାଠ ପଢା ରେ ମନ ଦେ ଲୋକ ଙ୍କ ପାଟି ଆପେ ଚୁପ ହେଇଯିବ । ସତରେ ବାପା ଠିକ କହୁଥିଲେ । ଅର୍ଥ ବଳ, ଲୋକ ବଳ ଆଉ ପଦ ପଦବୀ ଥିଲେ ଲୋକ ଙ୍କ ପାଟି ଆପେ ଚୁପ ହେଇଯାଏ । ହେଲେ ସେ ସମୟ ରେ ସେ ଥଟ୍ଟା ପରିହାସ କୁ ସହି ନ ପାରି ଘର ଛାଡିଲା । ସେ କେଉଁ ଟ୍ରେନ ରେ ବସିଲା କେଉଁଠି ଓହ୍ଲାଇଲା ଜାଣିନି । ତା ଭାଗ୍ୟ ଭଲ ବୋଲି ତାକୁ ଜଣେ ଭଲ ମଣିଷ ମିଳି ଯାଇଥିଲେ । ବ୍ଲକ ରେ ଆଇପିଓ ଥିବା ଜଣେ ଭଦ୍ର ଲୋକଙ୍କ ସହିତ ତାର ଭେଟ ହେଇଥିଲା । ସାଥିରେ ତାଙ୍କ ପତ୍ନୀ ମଧ୍ୟ ଥିଲେ । ସେ ବହୁତ ଭଲ। ତାକୁ ସାଥିରେ ତାଙ୍କ ଘରକୁ ନେଇଗଲେ। ତାଙ୍କ ଘରେ ରହି ଘର କାମ ବୁଝିଲା, ତାଙ୍କ ପିଲାଙ୍କ କଥା ବୁଝିଲା । ତାଙ୍କୁ ବାପା ମାଆ କହି ରହିଲା । ୟା ଭିତରେ ସେ ଶିବା ରୁ ଶିବାନୀ ମଧ୍ୟ ହେଇସାରିଥିଲା । ମା ତାକୁ ଶିବାନୀ ବୋଲି ଡାକନ୍ତି । ମା ପାର୍ଲର କାମ କରୁଥିଲେ ତାଙ୍କ ସହିତ ମିଶି ପାର୍ଲର କାମ ମଧ୍ୟ କଲା ।କାମରେ ଆଗ୍ରହ ଥିବାରୁ ଧୀରେ ଧୀରେ ପାର୍ଲର କାମରେ ଅଭ୍ୟସ୍ତ ହୋଇଗଲା । ଏଥର ମାଆ ତା ଉପରେ ପୁରାପୁରି ପାର୍ଲର ଦାୟିତ୍ୱ ଦେଇଦେଲେ। ତା'ର ବି ଦିନକୁ ଦିନ ବୟସ ବଢୁଛି । ସେ ତା' ଭବିଷ୍ୟତ କଥା ଚିନ୍ତା କରି ତା ମନ କଥା ମାଆଙ୍କୁ କହିଲା। ମା ବାବୁଙ୍କୁ କହି ବ୍ୟାଙ୍କ ରୁ ଗୋଟେ ଲୋନ କରାଇଦେଲେ । ସେ ପାର୍ଲର କୁ ବଡ଼ ଆକାର ରେ କରିବାରୁ କାମ ବଢି ଚାଲିଲା । ଏକୁଟିଆ ବୁଝିବା ଆଉ ସମ୍ଭବ ହେଲାନି । କାମ ବୁଝିବା ପାଇଁ ଆଉ ଦୁଇଜଣ ଝିଅ ରଖିଲା । ଦିନେ ସେ ରାତିରେ ବାହାଘର ମେକଅପ କାମ ସାରି ଫେରୁଥାଏ । ରାସ୍ତା ପାର୍ଶ୍ଵରେ ଗୋଟେ ପିଲା ପଡିଥିବାର ଦେଖିଲା । ସେ ପାଖକୁ ଯାଇ କୋଳେଇ ଆଣିଲା। ଜୀବନ୍ତ ନା ମୃତ ଜାଣିବା ପାଇଁ ଡାକ୍ତରଖାନା ନେଇଗଲା ।ଡାକ୍ତର କହିଲେ ପିଲା ଠିକ ଅଛି । ଶୋଇପଡିଛି । ସଦ୍ୟଜାତ ଶିଶୁ ପୁତ୍ର ଟିଏ । ସେ ତାକୁ ଛାତି ରେ ଜାକି ଧରିଲା । ତାକୁ ଲାଗିଲା ସତେ ଯେପରି ମା ହେବାର ସୌଭାଗ୍ୟ ଲାଭ କଲା । ପିଲାଟି ନିହାତି ଭାବରେ କେଉଁ କୁଆଁରୀ ମାଆର ହେଇଥିବ ନ ହେଲେ ଜଣେ ମା ଏମିତି ଶିଶୁପୁତ୍ର ଟିଏ ଛାଡି ଯାଇନଥାନ୍ତା । ସେ ଯାହା ହେଉ ଭଗବାନ ଙ୍କ ଆଶୀର୍ବାଦ ମନେ କରି ତାକୁ ଘର କୁ ନେଇ ଆସିଲା ପାଳିପୋଷି ବଡ଼ କଲା । ପୁଅ ପ୍ରଥମେ ଯେବେ ତାକୁ ମା ବୋଲି ଡାକିଲା ଜନ୍ମ ନ ଦେଇ ବି ମାଆ ହେବାର ପରମ ସୌଭାଗ୍ୟ ଲାଭ କଲା । ପୁଅ ର ଭଲ ସ୍କୁଲରେ ନାଁ ଲେଖାଇଲା । ପୁଅ କୁ ମମି ବଦଳରେ ମାଆ ଶିଖାଇଲା । ପୁଅ ର ସାଙ୍ଗ ସାଥି ମାନଙ୍କୁ ମଧ୍ୟ ଆଣ୍ଟି ଡାକିବାକୁ ମନା କଲା । ସମସ୍ତେ ତାକୁ ମାଆ ହିଁ ଡାକନ୍ତି । ପୁଅ ଭଲ ପାଠ ପଢିଲା । ଏବେ ସେ ସୁଦୂର ବାଙ୍ଗାଲୋର ରେ ଆଇ .ଟି ସେକ୍ଟର ରେ ଭଲ ପଦବୀ ରେ ଅବସ୍ଥାପିତ । ମାଆ କହିଲେ ପୁଅ ର ଜୀବନ । ପୁଅ କୁ ବି ସେ ଉଭୟଙ୍କର ଅତୀତ ଶୁଣାଇ ସାରିଛି । ପୁଅ କିନ୍ତୁ ବର୍ତ୍ତମାନ କୁ ନେଇ ଭବିଷ୍ୟତ ଗଢିବା ପାଇଁ ଚାହେଁ । ଅତୀତ ର କଥାକୁ ତର୍ଜମା କରିବା କୁ ସେ ଚାହେଁ ନାହିଁ । ପୁଅ ଚାହେଁ ମା ତାା ପାଖରେ ରହୁ । ହେଲେ ଏଠାରେ ହଜାର ହଜାର ମା ଡାକକୁ ଛାଡି ସେ ଯାଇ ପାରିବନି । ଅନେକ ସଂଗଠନ ସହ ସେ ଜଡିତ। ସେ ସବୁଠି ଅର୍ଥ ଡୋନେଟ କରେ। ସବୁ ଚାରିଟେବୁଲ ଟ୍ରଷ୍ଟ ରେ ତା ନାଁ ରହିଛି। ଆଜି ବାଳାଶ୍ରମ ତ କାଲି ଅନାଥ ଆଶ୍ରମ, କେଉଁ ଦିନ ଜରାଶ୍ରମ ତ ଆଉ କେଉଁ ଦିନ ମହିଳା ମଞ୍ଚ ରେ ତାର ମିଟିଂ ଥିବ। ସବୁଠି ସେ ଶିବାନୀ ମାଆ ନାମରେ ପରିଚିତ। ପୁଅ କୁ ସେ ସ୍ୱାଧୀନତା ଦେଇ ଦେଇଛି ନିଜ ପସନ୍ଦର ଝିଅ ବାହା ହେଇ ଖୁସି ରେ ରହିବା ପାଇଁ ହେଲେ ସେ ମାଆ ଙ୍କ ପସନ୍ଦ ର ଝିଅକୁ ହିଁ ବାହା ହେଲା । ସବୁଠୁ ବଡ କଥା ଶିବାନୀ ର ସମସ୍ତ ଅତୀତ ଜାଣିବା ପରେ ସେମାନେ ନିଜକୁ ଗୌରବାନ୍ୱିତ ମନେ କରିଥିଲେ । ପୁଅ ବୋହୂ ସଂସାର କୁ ସେ କେବଳ ବୁଲିବା ପାଇଁ ଯାଏ ତାଙ୍କୁ ଖୁସିରେ ରହିବା ପାଇଁ ସେ

ଆଶୀର୍ବାଦ ଦେଇ ଆସେ । ଗୋଟେ ମାଆ ଡାକ ବଦଳରେ ତାକୁ ହଜାର ହଜାର ମାଆ ଡାକ ଶୁଣିବାକୁ ଭଲ ଲାଗେ । ସେଥିପାଇଁ ସେ ଏଇଠି ରହିଗଲା ସମସ୍ତଙ୍କ ଶିବାନୀ ମାଆ ହୋଇ ।


Rate this content
Log in

Similar oriya story from Abstract