ସବୁଠାରୁ ଶେଷ୍ଠଅସ୍ତ୍ର
ସବୁଠାରୁ ଶେଷ୍ଠଅସ୍ତ୍ର


ଦିନେ ସମ୍ରାଟ ଆକବରଙ୍କ ଦରବାରରେ ସହଚରମାନେ ପ୍ରତିରକ୍ଷାପାଇଁ କେଉଁ ଅସ୍ତ୍ରଟି ସବୁଠୁ ଶ୍ରେଷ୍ଠ ସେ ସମ୍ପର୍କରେ ଆଲୋଚନା କରୁଥାନ୍ତି l କିଛି ସହଚରମାନେ କହିଲେ, “ଖଣ୍ଡା ହିଁ ସବୁଠାରୁ ଶ୍ରେଷ୍ଠ l” ଅନ୍ୟ ସହଚରମାନେ ଚିନ୍ତା କଲେ ଏହା ଛୁରୀ ଅବା ବର୍ଛା ହୋଇପାରେ l ସମ୍ରାଟ ଆକବର ବୀରବଲ୍ଲଙ୍କୁ ପଚାରିଲେ ଯେ ସେ ଏ ବିଷୟରେ କ’ଣ ଭାବୁଛନ୍ତି l ବୀରବଲ୍ଲ କହିଲେ, “ପ୍ରତିରକ୍ଷା ପାଇଁ କୌଣସି ଶ୍ରେଷ୍ଠଅସ୍ତ୍ର ନାହିଁ l ଯଦି ସେହିପରି କିଛି ଥାନ୍ତା ତେବେ ସମସ୍ତେ ତାକୁ ବ୍ୟବହାର କରୁଥାନ୍ତେ l”
ପୁନଶ୍ଚ ବୀରବଲ୍ଲ କହିଲେ “ବିପଦ ସମୟରେ ନିଜର ସୁରକ୍ଷା ପାଇଁ ଆମ ହାତରେ ଯେ କୌଣସି ଅସ୍ତ୍ର ଥାଉନା କାହିଁକି, ତାହାହିଁ ସବୁଠାରୁ ଶ୍ରେଷ୍ଠ l”
ସମ୍ରାଟ ଆକବର ଏଥିରେ ଏକମତ ହେଲେ ନାହିଁ l ଏହା ପର ଦିନ ସମ୍ରାଟ ଆକବର ଏବଂ ବୀରବଲ୍ଲ ଏକ ନଗର ଦେଇ ଚାଲି ଚାଲି ଯାଉଥିଲେ l ଠିକ୍ ସେହି ସମୟରେ ଏକ ପାଗଳ ହାତୀ ସେମାନଙ୍କୁ ଗୋଡାଇଲା l ସେମାନେ ଛାନିଆ ହୋଇ ପ୍ରାଣ ବିକଳରେ ଦୌଡିବାକୁ ଲାଗିଲେ l ଏହି ସମୟରେ ଆକବର ନିଜର ଖଣ୍ଡାଟିକୁ ବାହାର କରି ହାତୀ ଆଗରେ ଦେଖାଇ ତାକୁ ଡରାଇବାକୁ ଚେଷ୍ଟାକଲେ ହେଲେ ହାତୀ ଡରିବ କ’ଣ ଆହୁରି ଭୟଙ୍କର ଭାବେ ଚିତ୍କାରକରି ତାଙ୍କୁ ଗୋଡାଇ ଚାଲିଲା l
ସମ୍ରାଟ ଓ ବୀରବଲ୍ଲ ଦୌଡୁଥାନ୍ତି, ଏହି ସମୟରେ ବୀରବଲ୍ଲ ବାଟରେ ବୁଲୁଥିବା ଏକ କୁକୁର ଛୁଆକୁ ଧରି ହାତୀ ଉପରକୁ ଫୋପାଡିଦେଲେ l କୁକୁର ଛୁଆଟି ହାତୀ ଶୁଣ୍ଢରେ ଯାଇ ଲାଖିଗଲା l ତା’ର ମୁନିଆ ନଖ ଗୁଡିକ ହାତୀ ଶୁଣ୍ଢରେ ଫୋଡି ହୋଇଗଲା l ଫଳରେ ହାତୀଟି ଛାଟି ପିଟି ହୋଇ ପଛକୁ ଫେରି ଚାଲିଗଲା l
ହାତୀ କବଳରୁ ମୁକ୍ତିପାଇ ଆକବର ଏକ ଦୀର୍ଘ ନିଃଶ୍ୱାସ ନେଲେ ଏହାପରେ ବୀରବଲ୍ଲ କହିଲେ, “ମହାରାଜ ଆମର ବିପଦପୂର୍ଣ୍ଣ ଏହି ସ୍ଥିତିରେ କୁକୁର ଛୁଆଟି ହିଁ ଶ୍ରେଷ୍ଠ ଅସ୍ତ୍ର ଥିଲା ବୀରବଲ୍ଲ ସେଦିନ କହିଥିବା କଥାଟିକୁ ଆକବର ଏବେ ବୁଝିପାରିଲେ l ତାଙ୍କ ଜୀବନ ବଞ୍ଚାଇବା ଏବଂ ଶ୍ରେଷ୍ଠ ଅସ୍ତ୍ର ସମ୍ପର୍କରେ ତାଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ସେ ବୀରବଲ୍ଲଙ୍କୁ ପୁରସ୍କୃତ
କଲେ l