Bismita Sahoo

Tragedy Inspirational

5.0  

Bismita Sahoo

Tragedy Inspirational

ସବୁ ଚୁଇଁଙ୍କ କାହାଣୀ

ସବୁ ଚୁଇଁଙ୍କ କାହାଣୀ

3 mins
555


ସକାଳ ସାତ ନବାଜୁଣୁ ରଇନନାର ଦୋକାନ ଆଗରେ ଇଡ଼ଲି ତରକାରୀ ପାଇଁ ଭିଡ଼ ହୁଏ। ଚାରିଟା ଇଡ଼ଲି ସାଙ୍ଗକୁ ଚଉପଦୀ ଭର୍ତ୍ତି ଘୁଗୁନି ମାତ୍ର ଦଶଟଙ୍କାରେ। ମୂଲିଆ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡବାବୁ ମାନଙ୍କର ଧାଡ଼ି ଲମ୍ବିଥାଏ। ମର୍ଣ୍ଣିୱାକ୍ କରି ଫେରୁଥିବା ବାବୁ ବାବୁଆଣୀ ମାନଙ୍କ ପାଦ ଏଇଠି କ୍ଷଣିଏ ରହିଯାଏ। ଇଡ଼ଲି ତରକାରୀ ପୁଡିଆଟେ କି ଦି ପୁଡ଼ିଆ ଧରି ଚାଲିଯାନ୍ତି ନିଜ ବାଟରେ। ବେଳେ ବେଳେ ସ୍କୁଲ ପୋଷାକ ପିନ୍ଧି ନିଜ ନିଜ ଟିଫିନ୍ ଧରି କିଛି ପିଲାଏ ଆସନ୍ତି। ଜଲଦି ଆମକୁ ଦିଅ ନହେଲେ ଆମ ବସ୍ ପଳେଇବ କହି ଚିଲ୍ଲାନ୍ତି। 


ଚୁଇଁ ଚୁପଚାପ ପିଲାମାନଙ୍କୁ ଦେଖେ। ତାର ବି ଇଛା ହୁଏ ଏଇ ପିଲାଙ୍କ ପରି ଏକା ପ୍ରକାର ପୋଷାକ ପିନ୍ଧି , କାନ୍ଧରେ ବ୍ୟାଗ ଓ ବେକରେ ପାଣି ବୋତଲ ପକେଇ ବସ୍ ରେ ବସି ସ୍କୁଲ ଯିବାକୁ।


    ଥରେ ଜଣେ ଧୋବ ଧୋବଳିଆ ପୋଷାକ ପିନ୍ଧା ବାବୁ ଚୁଇଁ କାମ କରୁଥିବା ହୋଟେଲକୁ ଆସିଲେ। ସେ ଚୁଇଁର ବିକଳ ଚାହାଣୀ ଦେଖି ତା ମନର ଭାଷା ପଢ଼ି ପାରିଲେ। କହିଲେ


    -ବ୍ୟସ୍ତ ହୁଅନା। ଏଇ ହୋଟେଲର ଅଇଁଠା ପ୍ଲେଟ ସଫା କରିବାକୁ ତୋର ଜନ୍ମ ନୁହେଁ। ତୁ ବି ପାଠ ପଢ଼ିବୁ। ବାବୁ ହେବୁ। 


ସେ ବାବୁ ଗଲାବେଳେ ଚୁଇଁ ଆଖିରେ ଆଖିଏ ସ୍ବପ୍ନ ଭରିଦେଇ ଗଲେ। 


 ତା ପରଦିନ ଦଳେ ପୁଲିସ ବାବୁ ଆସି ତାକୁ ତା ନାଁ, ଗାଁ ପଚାରିଲେ। ଖବରକାଗଜବାଲା ଆସି ତାର କେତେ ଫୋଟୋ ଉଠେଇଲେ। କହିଲେ ତା ଫୋଟୋ କୁଆଡ଼େ ତାଙ୍କ କାଗଜରେ ବାହାରିବ। ତାକୁ ସବୁ ଲୋକ ଚିହ୍ନିବେ, ଜାଣିବେ। ତା ଦୁଃଖଦିନ ସବୁ ଉଭେଇ ଯିବ। ସେମାନେ ତାକୁ ଆହୁରି କହିଲେ ଯେ ଚଉଦ ବର୍ଷରୁ କମ୍ ପିଲାଙ୍କୁ ସରକାର କାମ କରିବାକୁ ମନା କରିଛନ୍ତି। ତାଙ୍କ ପାଇଁ ମାଗଣା ଘର, ଖାଇବା ବ୍ୟବସ୍ଥା ମଧ୍ୟ ସରକାର କରି ଦେଇଛନ୍ତି। ସେ ବାବୁ ଜଣକ ତାକୁ ନେଇ ଗୋଟେ ବାଳଆଶ୍ରମରେ ଛାଡିଦେଲେ। ଆଖିରେ ସପନ ଭରି ଦେଇଥିବା ବାବୁ ଜଣକ ତା' ପିଠି ଥାପୁଡ଼େଇ ଦେଇ କହିଲେ…


- ବ୍ୟସ୍ତ ହୁଅନା। ତୋ ଦୁଃଖର ଦିନ ସରିଗଲା। ତୁ ଏଥର ମଣିଷ ପରି ମଣିଷଟିଏ ହେବୁ।


ଦିନେ ରାସ୍ତାରେ ସେଇ ବାବୁ ଜଣକ ଗଲାବେଳେ ହଠାତ୍ ଚୁଇଁକୁ ଭିକ ମାଗୁଥିବାର ଦେଖି ହତବାକ୍ ହୋଇଗଲେ। ବାବୁ ତାକୁ ପଚାରିଲେ… 


 - ଆଶ୍ରମରେ କ'ଣ ଅସୁବିଧା ହେଲା? ତୋତେ କଣ ଖାଇବାକୁ ଦେଲେନି? ଚାଲ ମୋ ସାଥିରେ, ମୁଁ ତତେ ଆଉ ଗୋଟେ ଭଲ ଆଶ୍ରମରେ ଛାଡ଼ିଦେବି।


  ଚୁଇଁ କହିଲା - ନା' ବାବୁ ସେଠି ମୋର କିଛି ଅସୁବିଧା ହେଉନଥିଲା, ମୁଁ ଖୁବ୍ ଆରାମରେ ଥିଲି। କିନ୍ତୁ....


 -ପୁଣି କିନ୍ତୁ କ'ଣ?


  -ବାବୁ ସେଠି ମୁଁ ଖୁବ୍ ଖୁସିରେ ଥିଲି। ଏମିତି ଦି ମାସ ବିତିଗଲା। ମୁଁ ପାଖରେ ଥିବା ସ୍କୂଲକୁ ପାଠ ବି ପଢିଯାଉଥିଲି। ଆଶ୍ରମର ବୁଢା ମାଳୀ ମରିଯିବା ପରେ ତାଙ୍କ ଜାଗାରେ ଆଶ୍ରମକୁ ନୂଆ ମାଳୀ ଭାବେ ଆମ ଗାଁର ସଦେଇ ଦାଦା ଆସିଲେ। ତାଙ୍କଠୁ ଜାଣିଲି ମୋ ବୁଢ଼ୀମା' ଖାଇବାକୁ ନ ପାଇ ଖୁବ ହଇରାଣ ହେଉଛି। ଚାଲିବାକୁ ତାର ବଳ ପାଉନି। ମାଟି କାମୁଡି ଘର ଭିତରେ ପଡିରହିଛି। ମୁଁ ହୋଟେଲରେ କାମ କଲାବେଳେ ମାଲିକ ମାସକୁ ମାସ ହଜାରେ ଟଙ୍କା ମୋ ବୁଢ଼ୀ ମା ପାଖକୁ ପଠାଇ ଦେଉଥିଲେ। ସେ କଷ୍ଟେ ମଷ୍ଟେ ଚଳିଯାଉଥିଲା। ହେଲେ ଆଶ୍ରମରେ ରହିବାରୁ ଜେଜେମା ଆଉ ପଇସା ପାଇଲା ନାହିଁ। ମୁଁ ସିନା ଖାଇ ପିଇ ଖୁସିରେ ରହିଲି କିନ୍ତୁ ମୋ ବୁଢ଼ୀମା ବିଚାରୀ ନ ଖାଇ ନ ପିଇ ଭୋକରେ ଛଟପଟ ହେଉଥିଲା। ବାପା ମା ଛେଉଣ୍ଡ ପିଲାଟା ମୁଁ। କେଡେ କଷ୍ଟରେ ବୁଢ଼ୀମା ମତେ ମାଗି-ଯାଚି ଏତେ ବଡ କରିଛି। ଏଇନା ମୋ ପାଳି।


   ସେଇଥିପାଇଁ ଆଶ୍ରମରୁ ଲୁଚି ପଳେଇଆସିଲି। କେଉଁ ଦୋକାନରେ କି ହୋଟେଲରେ ମତେ କାମ ମିଳିଲାନି। ସଭିଏଁ କହିଲେ ମୁଁ ଛୋଟ ପିଲାଟା। ମତେ ଚଉଦ ବର୍ଷ ହେଇନି। ମତେ ସେମାନେ ରଖିଲେ ପୋଲିସ ସେମାନଙ୍କୁ ଜେଲରେ ପୁରେଇବ। କଣ ଆଉ କରିଥାନ୍ତି? ମୋ ପେଟର ଭୋକକୁ ମୁଁ ପେଟରେ ମାରିଦେବି। ହେଲେ ମୋ ବୁଢ଼ୀ ମା? ସେଥିପାଇଁ ଏଠି ଭିକ ମାଗୁଛି। ଯେତେବେଳେ ପଇସା ବେଶି ହେଇଯାଉଛି ମୋ ବୁଢ଼ୀମା ପାଖକୁ ନିଜେ ଯାଇ ଦେଇ ଆସୁଛି। ବାବୁ ମୋର ଗୋଟେ କଥା ମାନିବେ?


 - ହଁ କହ, ନିଶ୍ଚୟ ମାନିବି।


 -ବାବୁ ଯଦି ତମର କେବେ ସରକାର ସାଙ୍ଗେ ଦେଖା ହେବ ତାଙ୍କୁ କହିଦେବ ଖାଲି ନିୟମ କରିଲେ ହେବନି। ତାଙ୍କର ଯଦି ଆମ ପାଇଁ ଏତେ ଦରଦ, ଆମେ କାମ କରିଲେ ତାଙ୍କୁ ବାଧୁଛି ତେବେ ଆମ ଘର କିପରି ଚଳିବ ତାର ସୁବିଧା କରିଦେବେ। ଆମ ପରି ପିଲାଙ୍କ ବାପା ମା କିପରି ରୋଜ଼ଗାର କରିବେ, ସବୁଦିନ ଆମ ଚୁଲି କିପରି ଜଳିବ ତାର ବ୍ୟବସ୍ଥା କରିଦେବେ ତେବେ କେବେ ବି କେଉଁ ଚୁଇଁ କେଉଁଠି ଅଇଁଠା ବାସନ ମାଜିବନି କି ବସ ଷ୍ଟାଣ୍ଡରେ ନଚେତ ରେଳଷ୍ଟେସନରେ ଭିକ ମାଗିବନି।ବାବୁ ମୋ କଥା ନିଶ୍ଚୟ ସରକାରକୁ କହିବେ। 


ଅଶିକ୍ଷିତ ଚୁଇଁ ମୁଁହରୁ ଏତେ କଥା ଶୁଣି ପାଠ ପଢୁଆ ବାବୁଙ୍କର ମଗଜଟା କିଛି କାମ କରୁନଥିଲା। ସେ ଚୁଇଁକୁ କିଛି ନ କହି ସେଠାରୁ ବାଟ ଭାଙ୍ଗି ଚାଲିଯିବା ଶ୍ରେୟସ୍କର ମଣିଥିଲେ।




Rate this content
Log in

Similar oriya story from Tragedy