Lipi Sahoo

Tragedy

4.7  

Lipi Sahoo

Tragedy

ସ୍ବୀକୃତି

ସ୍ବୀକୃତି

10 mins
444


ମୀରା ହାତଘଣ୍ଟା କୁ ଚାହିଁଲା । ଆଠଟା ବାଜିବ । ଫାଇଲ୍ ବନ୍ଦ କଲା । ଆଖିରୁ ଚଷମା ଖୋଲି ଚେୟାର ରେ ଆଉଜେଇ ହେଇ ବସିଲା । ଅଫିସ ରେ ଆଉ ମାତ୍ର ଜଣେ ଦୁଇଜଣ ଦେଖାଯାଉ ଥାଆନ୍ତି । ଛଅଟା ସୁଦ୍ଧା ସମସ୍ତେ ଅଫିସ ଛାଡନ୍ତି । ହେଲେ ମୀରାକୁ ରହିବାକୁ ହୁଏ ଆହୁରି ଦୁଇ ଘଣ୍ଟା ଅଧିକା । ଓଭରଟାଇମ୍ କରେ ସେ । 

                   

            ହଠାତ୍ ମୋବାଇଲ୍ ବାଜି ଉଠିଲା । ହସ୍ପିଟାଲ ରୁ ଫୋନ୍ ଥିଲା । ସେ ହସ୍ପିଟାଲ ଯିବା କୁ ହିଁ ବାହାରୁ ଥିଲା । ଆଜିକାଲି ସେଠୁ ଫୋନ୍ ଆସିଲେ ମୀରାର ଛାତି ଥରି ଉଠେ । ଥରଥର ହାତରେ ଫୋନ୍ ରିସିଭ୍ କଲା ।             

          ସେପଟୁ ସରି ମ୍ୟାମ୍ !!!! ରୁଦ୍ର ସାର୍ ଏଇ ପାଞ୍ଚ ମିନିଟ୍ ପୂର୍ବରୁ ଚାଲିଗଲେ । ଆପଣ ଶାଘ୍ର ଆସନ୍ତୁ... । 

           

            ହୃତସ୍ପନ୍ଦନ କିଛି ସମୟ ପାଇଁ ଅଟକି ଗଲା । ଆଉ ସମୟ ବି ଥମିଗଲା ଯେମିତି । ଗୋଟେ ବିରାଟ କୋହ ଭିତରେ ଲହଡି ଭାଙ୍ଗୁଥିଲା । ହେଲେ ନିଜକୁ ସମ୍ଭାଳି ନେଲା । ଦିନେ ଏମିତି ଏକ ଖବର ଆସିବ ବୋଲି ସେ ଜାଣି ଥିଲା । ଝର୍କା ସେପାଖରେ କେବଳ ବହଳ ଅନ୍ଧାକାର ହିଁ ଥିଲା ।

               ସେପଟୁ ହ୍ୟାଲୋ..... ହ୍ୟାଲୋ ମ୍ୟାମ୍ ।

               ତମେ ମୋତେ ଆଗରୁ ବି ଫୋନ୍ କରି ପାରିଥାଆନ୍ତ । ଚାଲିଗଲା ପରେ ଜଣଉଚ ??? କମ୍ ସେ କମ୍ ଶେଷ ସମୟରେ ତାଙ୍କ ପାଖରେ ରହିପାରି ଥାଆନ୍ତି ।


         ମ୍ୟାମ୍ !! ରୁଦ୍ର ସାର୍ ନିଜେ ହିଁ କହିଲେ ମୁଁ ଗଲା ପରେ ମୀରାକୁ ଜଣେଇବ । ସେ ପାଖରେ ଥିଲେ ମୁଁ ଯାଇ ପାରିବିନି । ଖୁବ୍ କଷ୍ଟ ହେବ ମୋତେ । ହଉ ମ୍ୟାମ !! ମୁଁ ଫୋନ୍ ରଖୁଛି । ଆପଣ ଶିଘ୍ର ଆସନ୍ତୁ ।

          

           ମୀରା ଗୋଟେ ଦୀର୍ଘ ନିଃଶ୍ବାସ ମାରିଲା । ଲୁଚକାଳି ଖେଳିବା ତୁମର ଗୋଟେ ପୁରୁଣା ଅଭ୍ୟାସ । ଏଇ ଶେଷ ସମୟରେ ଲୁଚିକି ଯିବା କ'ଣ ଦରକାର ଥିଲା ?? କମ୍ ସେ କମ୍ ଆଉ କିଛି ସମୟ ତୁମ ସହ କଟେଇ ପାରିଥାନ୍ତି । ରୁମାଲ କାଢି ଲୁହ ପୋଛିଲା ।


            ନା !! ବସି ଆଉ ଲାଭ ନାହିଁ । ଟଳିଟଳି ବସ୍ ଙ୍କ ରୁମ୍ ଆଡେ ଗଲା ।           

             ଡୋର୍ ଖୋଲି ସେ କହିଲା , ମେ ଆଇ କମ୍ ଇନ୍ ସାର୍ ?? 

             ୟେସ୍ କମ୍ ଇନ୍ !! ମୟଙ୍କ ମୀରାର ମୁହଁ କୁ ଚାହିଁ ଚମକି ପଡିଲେ । ଏନିଥିଙ୍ଗ ରଙ୍ଗ୍ ???             

            ସାର୍ !! ରୁଦ୍ର ଚାଲିଗଲେ ହସ୍ପିଟାଲ ରୁ ଫୋନ୍ ଆସିଥିଲା । ମୁଁ ଏବେ କିଛି ଦିନ ଆସି ପାରିବିନି । ଦରଖାସ୍ତ ମେଲ୍ କରିଦେବି ।

            ଓଃ ନୋ !! ଆଇ ଆମ୍ ସରି । ମୁଁ ତମକୁ ଡ୍ରପ କରିଦେବି କି ??? 

            ନାଇଁ ସାର୍ ମୁଁ ଓଲା ବୁକ୍ କରିଦେବି , କହି ବାହାରି ଆସିଲା । ସେ ଆଉ ଠିଆ ହେବା ଅବସ୍ଥାରେ ନଥିଲା ।

               ଓଲାରେ ବସିଲା ପରେ ତା ଲୁହ ଆଉ ବୋଲ ମାନି ନଥିଲା । ଅନବରତ କାନ୍ଦି ଚାଲିଥିଲା । ସେ ଓଲାବାଲା ବି ସାହାସ କରି କିଛି ପଚାରି ପାରୁ ନଥାଏ । ସେ ଖାଲି ରିଅରଭିୟୁ ମିରର୍ ରେ ତାକୁ ଅନେଇ ଚାଲିଥାଏ । ଡେଷ୍ଟିନେସନ୍ ଯେତେବେଳେ ହସ୍ପିଟାଲ କିଛି ଅନୁମାନ କରି ନେଇଥାଏ ।

              ମୀରାର ମେନେ ପଡ଼ିଗଲା ଆଜି ସକାଳର କଥା । ରୁଦ୍ର ତା ହାତ ଧରି କହିଥିଲା , ମୋତେ ଏବେ ଯିବାକୁ ଦିଅ ମୀରା । ଖୁବ୍ କଷ୍ଟ ପାଉଛି । କାହିଁକି ବନ୍ୟା ଭଳି ପଇସା ବୁହାଇ ଚାଲିଛ ??? ତମେ ତ ଜାଣି ସାରିଛ , କ୍ୟାନ୍ସର ର ଲାଷ୍ଟଷ୍ଟେଜ୍ ବୋଲି । ତୁମେ ନିଜେ ବି କଷ୍ଟ ପାଉଛ ଆଉ ମୋତେ ବି ଦେଉଛ । 

              

            ରୁଦ୍ର ସତରେ ତୁମେ କେତେ ସ୍ୱାର୍ଥପର । ଏତେବଡ ଦୁନିଆରେ ମୋତେ ଏକଲା କରି ଚାଲିଯିବାକୁ ବସିଛ ?? ମୁଁ କାହାକୁ ନେଇ ବଞ୍ଚିବି ??? କୋଳକୁ ଗୋଟେ ଶେଷ ସନ୍ତକ ବି ଦେଇଗଲ ନାହିଁ । ମନ ଖୋଲି କାନ୍ଦିବାକୁ ବି ଦଉନ । ବରଂ ଦୁହେଁ ମିଶିକି ଚାଲିଯିବା ଭଲ ହେବ । ତମେ ଚାଲିଗଲା ପରେ କେତେଜଣ ଙ୍କ ଘୃଣାର ଶିକାର ହେବି ତମେ ଜାଣିଚ ?? ମୋତେ ନିରନ୍ତର ଜଳୁଥିବା ଏକ ଅଗ୍ନିକୁଣ୍ଡ ରେ ନିକ୍ଷେପ କରି ଚାଲି ଯିବାକୁ ବସିଚ ??? ରୁଦ୍ର ର ଆଖିରୁ ଧାରଧାର ହେଇ ଲୁହ ବୋହି ଆସିଲା । ସେ କିଛି ବି କହି ପାରିଲାନି । ଆରପଟ କୁ ମୁହଁ ବୁଲେଇ ଦେଲା ।

            ମୀରା ବ୍ୟସ୍ତ ହେଇ ରୁଦ୍ର ର ଲୁହକୁ ନିଜ କାନିରେ ପୋଛି ଦେଇଥିଲା । ସେ ସତରେ ଏଇ ଶେଷ ସମୟରେ ରୁଦ୍ର କୁ କୌଣସି ବି କଷ୍ଟ ଦେବାକୁ ଚାହୁଁ ନଥିଲା । କେମିତି କେଜାଣି ନିଜ ଭିତରେ ଚାପି ରଖିଥିବା ଦୀର୍ଘ ଛଅମାସର ଦୁଃଖ ଅଭିମାନ ସବୁ ଏକାଥରେ ବାହାରି ଆସିଲା ??? ମୀରା ଉଠି ଯାଇ କିଛି ସେଓ କାଟିଆଣି ରୁଦ୍ର କୁ ଖୁଆଇଥିଲା ।


                     ଗାଡି ଆଗକୁ ଆଗକୁ ମାଡି ଚାଲିଥାଏ । ତା ସହ ତାଳ ଦେଇ , ତା'ର ରୁଦ୍ର ସହ ସମସ୍ତ ସ୍ମୃତି ମନେ ପଡି ଯାଉଥାଏ । ଅଫିସ୍ ରେ ରୁଦ୍ର ସହ ତା'ର ପ୍ରଥମ ଦେଖା । ସେଇ ପ୍ରଥମ ଦେଖାରେ ହିଁ ରୁଦ୍ର ତା ପ୍ରେମରେ ପଡି ଯାଇଥିଲା । ରୁଦ୍ର ବହୁତ ଖୁସି ମିଜାଜ୍ ର ଥିଲା । ସେଥିପାଇଁ ଅଫିସ ର ସମସ୍ତେ ତାକୁ ଭଲ ପାଆନ୍ତି । ବହୁତ ଶିଘ୍ର ବି ସେ ପ୍ରମୋଶନ୍ ପାଇ ଯାଇଥିଲା । ବସ୍ ମୟଙ୍କ ର ସେ ଖୁବ୍ ଖାସ୍ ଥିଲା । ପ୍ରେମରୁ ବିବାହ ପ୍ରସ୍ତାବ । ହେଲେ ରୁଦ୍ର ଙ୍କ ଘରେ ରାଜି ନଥିଲେ ୟେ ବିବାହ ରେ । ସେମାନେ ଆଉ ଗୋଟେ ଝିଅ ଠିକ୍ କରିଥିଲେ । ହେଲେ ରୁଦ୍ର ର ଏକା ଜିଦ୍ ମୋତେ ହିଁ ବିବାହ କରିବ । ମୋ ପରିବାର ବି ୟେ କଥା ଶୁଣି ଭୀଷଣ ରାଗିଯାଇ ଥିଲେ । ମୋତେ ବାପା ବହୁତ ବୁଝେଇ ଥିଲେ । ସେ ପରିବାର ଯଦି ତୋତେ ଗ୍ରହଣ ନକରେ ଜୀବନ ସାରା ବହୁତ କଷ୍ଟ ପାଇବୁ । ବରଂ ଆମେ ଆଉ କୋଉଠି ଦେଖିବା । ହେଲେ ରୁଦ୍ର ର ଭଲପାଇବା ଆଉ ଜିଦ୍ ଆଗରେ ମୁଁ ହାରି ଯାଇଥିଲି । ଦୁଇ ପରିବାର ର ଇଚ୍ଛା ବିରୁଦ୍ଧରେ ଯାଇ ଆମେ ବିବାହ କଲୁ । 


                  ମତେ ତ ଲାଗିଲା ରୁଦ୍ର ମୋ ପାଦ ତଳେ ଆଣି ଯେମିତି ସ୍ୱର୍ଗ ରଖି ଦେଇଥିଲା । ଆକାଶ ସୁନେଲି ଆଉ ଦୁନିଆ ଗୋଲାପି ଦେଖା ଯାଉଥିଲା । ସବୁ କିଛି କାନଭାସ୍ ରେ ଅଙ୍କା ସୁନ୍ଦର ଜଳଛବି ପରି । ବେଳେ ବେଳେ ସନ୍ଦେହ ହୁଏ ୟେ ସବୁ ସତ ନା ସ୍ୱପ୍ନ । ମୁକ୍ତ ଆକାଶ ର ବିହଙ୍ଗ ପରି ସାଥେ ସାଥେ ଉଡି ବୁଲୁଥିଲୁ । ମୋ ବିନା ସେ ଗୋଟେ ମୁହୂର୍ତ୍ତ ବି ରହି ପାରୁ ନଥିଲା । ଅଫିସ୍ ରେ ବି ଅତି କମ୍ ରେ ଦୁଇ ତିନି ଥର ନିଶ୍ଚୟ କିଛି କହିବା ବାହାନାରେ ଆସି ଦେଖାକରି ଯାଉଥିଲା । ଏକାଠି ଲଞ୍ଚ୍ କରୁଥିଲୁ । ସବୁ କଲିଗ୍ ମାନେ ଥଟ୍ଟା କରି କହନ୍ତି ଅଫିସ୍ ର ଲୈଲା ମଜନୁ । ଛଅ ମାସ କେମିତି ଯେ କଟିଗଲା ଚାହୁଁ ଚାହୁଁ ଜଣା ପଡିଲାନି । କାହାର ନଜର ଲାଗିଲା କେଜାଣି ???

                 ସୁନେଲି ଆକାଶ ରେ ଘୋଟି ଆସିଲା ଦୁଃଖ ର କଳାମେଘ । ଆଜି ବି ମନେ ଅଛି ସେଇ କାଳରାତ୍ରୀ । ଅଫିସ୍ ସାରି ଦୁହେଁ ବାହାରେ ଡିନର କରି ଘରକୁ ଫେରି ଥିଲୁ । ଶୋଇବାକୁ ଯିବା ପୂର୍ବରୁ ରୁଦ୍ର କହିଲା ବାନ୍ତି ଲାଗୁଚି । ବାଥରୁମ ଭିତରେ କୁ ଉଠିଗଲା । ପଛେ ପଛେ ମୁଁ । ହଠାତ୍ ବେସିନ୍ ଟା ଲାଲ ରଙ୍ଗର ଛିଟାରେ ପୂରି ଗଲା । ରୁଦ୍ର ସ୍ତବ୍ଧ ହେଇ ରହିଗଲା ଆଉ ମୁଁ ବେହୋସ୍ ହେବା ଉପରେ । ସେ ମୋ ହାତ ଧରି ସମ୍ଭାଳି ନେଲେ । ମୁହଁ ଧୁଆଧୁଇ ହେଇ ଶୋଇବା ଘରକୁ ଫେରିଲା । ଆମ ଭିତରେ କିଛି ସମୟ ର ନିରବତା । ମୋ ଆଖିରେ ଅନେକ ପ୍ରଶ୍ନବାଚୀ ଆଉ ରୁଦ୍ର ଆଖିରେ ଅସରନ୍ତି ଅସହାୟତା । ଏମିତି ତ ଆଗରୁ କେବେ ହେଇ ନାହିଁ । ଅଚାନକ କେମିତି ????              

           ପର ଦିନ ସକାଳୁ ଆମେ ଡ଼କ୍ଟର ସବ୍ୟସାଚୀ ଙ୍କ ପାଖକୁ ଧାଇଁଲୁ । ସେ ରୁଦ୍ର ର ଆଗରୁ ଚିହ୍ନା । ରୁଦ୍ର ଙ୍କୁ ଚେକଅପ୍ କଲା ପରେ କେତେ ଗୁଡାଏ ଟେଷ୍ଟ ପାଇଁ ଲେଖିଲେ । ହେଲେ ତାଙ୍କ ମୁହଁ ରୁ ଜଣା ପଡୁଥିଲା ମ୍ୟାଟର୍ ସିରିୟେସ୍ ବୋଲି । ହେଲେ ସେ ନର୍ମାଲ ବିହେଭ୍ କରିବାକୁ ଚେଷ୍ଟା କରୁଥିଲେ । ଦୁଇ ଦିନ ପରେ ଟେଷ୍ଟ ରିପୋର୍ଟ ଆସିଥିଲା । ଫୋନ୍ କରି ସେ ମୋତେ ଡକେଇ ଥିଲେ । ହେଲେ ରୁଦ୍ର ଜିଦ୍ କରି ମୋ ସହ ଯାଇଥିଲା ।


                      ସବ୍ୟସାଚୀ ଙ୍କ ମୁହଁ ପୂରା ବିଷର୍ଣ୍ଣ ଦିଶୁଥିଲା । କ'ଣ କହିବେ ବୋଲି ଶବ୍ଦ ଖୋଜୁଥିଲେ ବୋଧ ହୁଏ । ତାଙ୍କ ଆଖିର ଭାଷା ବେଶ୍ ପଢି ହେଇ ଯାଉଥିଲା । ଖାଲି ୟେତିକି କହିଲେ , ଆଡମିଟ୍ ହିମ୍ ନାଓ, କ୍ୟାନ୍ସର ଡିଟେକ୍ଟ ହେଇଛି । ସମୟର ଚୋରାବାଲି ରେ ଯେମିତି ମୋ ପାଦ ପଡ଼ି ଯାଇଥିଲା । ଆଉ ମୁଁ ଭିତରକୁ ଭିତରକୁ ଧସେଇ ପଶି ଯାଉଥିଲି ।


                ରୁଦ୍ର ଙ୍କର ଟ୍ରିଟମେଣ୍ଟ ଆରମ୍ଭ ହେଲା । କିଛି ଦିନ ହସ୍ପିଟାଲ ରେ ରହୁଥିଲେ ପୁଣି କିଛି ଦିନ ଘରେ । ଏମିତି ଚାଲିଲା ମୀରାର ଜୀବନ । ଘର ଅଫିସ ଆଉ ହସ୍ପିଟାଲ ଏଇ ତିନି ପରିଧି ଭିତରେ ଅନବରତ ଘୂରି ବୁଲୁଥାଏ ସେ । ଥକିଗଲେ ରୁଦ୍ର କୋଳରେ ମୁଣ୍ଡ ରଖି ନୀରବରେ ଲୁହ ଝରାଏ । ରୁଦ୍ର ଚେଷ୍ଟା କରେ ତାକୁ ହସେଇବା ପାଇଁ ନିଜର ଚିରାଚରିତ ଢଙ୍ଗରେ । ହେଲେ ମୀରା ଯେତେବେଳେ ଭାବିନିଏ ରୁଦ୍ର ଚାଲିଗଲା ପରେ ..... ତା'ର କ'ଣ ହବ ?? ଗଭୀର ଅନ୍ଧକାର ଖାଇ ଭିତରେ ଖସିପଡେ ଯେମିତି , ଭୟରେ ରୁଦ୍ର କୁ ଖୁବ୍ ଜୋରରେ ଜାବୁଡି ଧରେ । ରୁଦ୍ର ର କ୍ଷୀଣ ଶରୀର ଆଖିତଳର କଳା ତା ଆଶାର କ୍ଷୀଣ ଦୀପଶିଖା କୁ ଉପହାସ କରେ । ଚେନାଏ ଜୀବନ ଖିଅରେ ଝୁଲୁଥିବା ରୁଦ୍ର , ମୀରା ର ପଣତରେ ଆଞୁଳା ଆଞୁଳା ସ୍ୱପ୍ନ ଆଉ ମୁଠାମୁଠା ଖୁସି ଭରିଦେବାର ଚେଷ୍ଟା ଜାରି ରଖିଥାଏ । ହେଲେ ଏମିତି ଆଉ କେତେଦିନ ??? ମୀରା ବେଳେ ବେଳେ ଅଣନିଃଶ୍ବାସୀ ହେଇଯାଏ । ୟା ଭିତରେ ତିନିମାସ କଟିଗଲା ।


                  ଦିନେ ଅଫିସ୍ ରୁ ଫେରି ହସ୍ପିଟାଲ ରେ ଦେଖେ ରୁମ୍ ଭିତରେ ଜଣେ ବୟୋବୃଦ୍ଧ ବ୍ୟକ୍ତି ଆଉ ଜଣେ ମଧ୍ୟବୟସ୍କ ବ୍ୟକ୍ତି ରୁଦ୍ର ଙ୍କ ମୁଣ୍ଡ ପାଖ ଚୌକିରେ ବସିଥିଲେ । ମୀରା ଠିକ୍ ଅନୁମାନ କରି ନେଇଥିଲା କି ସେ ଦୁହେଁ ତା'ର ଶଶୁର ଆଉ ଦେଢଶୁର । ସେ ଦୂରରୁ ମୁଣ୍ଡିଆ ମାରିଲା । ଦେଢଶୁର ଟିକିଏ ମୁଣ୍ଡ ଟୁଙ୍ଗାରିଲେ ଗ୍ରହଣ କରିବା ଢଙ୍ଗରେ । ଶଶୁର ତା ଆଡେ ଅନେଇଲେ ବି ନାହିଁ । 

                  ଦୁହେଁ ଏକାସାଙ୍ଗେ ଉଠିଲେ , ଶଶୁର ରୁଦ୍ର କୁ କହିଲେ ଆମେ ଆସୁଛୁ । ଅଳ୍ପ ସମୟ ପରେ ଆମେ ଟ୍ରେନ୍ ଅଛି କହି , ଏକ ମୁହାଁ ହେଇ ବାହାରି ଗଲେ । ନିର୍ବାକ ଭାବେ ମୀରା ସେମାନଙ୍କ ଯିବା ବାଟକୁ ଅନେଇ ରହିଗଲା । ରୁଦ୍ର ଆଡେ ଏକ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁଲା ।

                  ରୁଦ୍ର ନିଜେ ହିଁ କହିଲା । ବାପାଙ୍କୁ ମୁଁ ଫୋନ୍ କରିଥିଲି । ସେ ମୋତେ ଦେଖିବାକୁ ଆସିଥିଲେ ।                   

             ସେମାନେ 2/3 ରହିକି ବି ଯାଇ ପାରିଥାଆନ୍ତେ । ଏମିତି ହଠାତ୍ ଆସି ହଠାତ୍ ଚାଲିଗଲେ ???

                ରୁଦ୍ର ମୁହଁରେ ସେଦିନ ସେ ପ୍ରଥମ ଥର ଏକ ମଳିନ ହସ ଦେଖିଥିଲା । ବୋଧହୁଏ ସେ , ସେଦିନ ଭିତରୁ ଖୁବ୍ ଭାଙ୍ଗି ପଡ଼ିଥିଲା । କହିଲା , ଅଭିମାନ ର ପ୍ରାଚୀର ଖୁବ୍ ଶକ୍ତ ହେଇଥାଏ , ଖାସ୍ କରି ନିଜ ଆତ୍ମୀୟ ମାନଙ୍କ । ତାକୁ ସହଜରେ ଭାଙ୍ଗିବା ଅସମ୍ଭବ । ତା'ର ସେ ଶୁଖିଲା ହସ ମୋ ପାଇଁ ଅସହ୍ୟ ହୋଇ ପଡ଼ୁଥିଲା । ମୁଁ ଫୋନ୍ କରି ଅଫିସ୍ ର କିଛି କଲିଗ୍ ମାନଙ୍କୁ ଡକେଇଥିଲି । ସେମାନଙ୍କ ସହ ବସିଲେ ସେ ତା'ର ଦୁଃଖ ଭୂଲିଯିବ ବୋଲି । ସତ କୁ ସତ ସେଇୟା ହେଲା । ହସ ମଜା ଥଟ୍ଟା ଭିତରେ ସେ ମଜିଗଲା ।

                ଏମିତି ନୁହଁ କି ମୁଁ ମୋ ବାପା ମା'ଙ୍କୁ ରୁଦ୍ର ବିଷୟ ଜଣେଇ ନଥିଲି । ବାପା ତ ଖାଲି ୟେତିକି କହିଲେ , ମୁଁ ତତେ ଆଗରୁ କହିଥିଲି ତୁ ପୂରା ଏକଲା ହେଇଯିବୁ । ଏତିକି କହି ଫୋନ୍ ଟି ମା'ଙ୍କୁ ଦେଇ ଦେଇଥିଲେ । ବୋଧହୁଏ ଆଉ କିଛି କହିବା ଅବସ୍ଥା ରେ ସେ ନଥିଲେ । ମୋ ଉପରେ ଭାଙ୍ଗି ପଡିଥିବା ଦୁଃଖ ର ପାହାଡ଼ କୁ ସେ ସହ୍ୟ କରିପାରି ନଥିଲେ । ସେ ବେଶୀ ମୋ ଅନିଶ୍ଚିତ ଭବିଷ୍ୟତ କୁ ନେଇ ଚିନ୍ତିତ ଥିଲେ । ହେଲେ ମା ମୋର କଷ୍ଟ କୁ ବୁଝି ପାରିଥିଲା , କାରଣ ସେ ମା ଆଉ ଗୋଟେ ନାରୀ ବି । ସେ ମଝିରେ ମଝିରେ ଫୋନ୍ କରି ରୁଦ୍ର କଥା ପଚାରେ । ମୋ ପାଖକୁ ଆସିବାକୁ ଚାହିଁ ବି ସେ ଆସିପାରେ ନା । କାରଣ ବାପା ତିଆରି କରିଥିବା ଅଭିମାନ ର ମେଘନାଦ ପାଚେରୀ କୁ ଭାଙ୍ଗିବାକୁ ସେ ଅସମର୍ଥା । 

                ୟା ଭିତରେ ଆହୁରି ତିନି ମାସ କଟିଗଲା । ଅଫିସ୍ ର ସାଙ୍ଗସାଥୀ ଖୁବ୍ ସାହାଯ୍ୟ ସହଯୋଗ କରିଥିଲେ । କଥାରେ ଅଛି ନା ଭଗବାନ ଗୋଟିଏ ଦ୍ୱାର ବନ୍ଦ କଲେ ଆହୁରି ଅନେକ ଦ୍ଵାର ଖୋଲି ଦିଅନ୍ତି । ସେଥିପାଇଁ ମୁଁ ଚାହିଁକି ବି ଭଗବାନ ଙ୍କ ଉପରେ ଅଭିମାନ କରି ପାରୁନଥିଲି । ୟେତେ ସାହାଯ୍ୟ ସହଯୋଗ ମିଳିଥିଲା ଅନ୍ୟମାନଙ୍କ ଠାରୁ ଯେ , ମୁଁ ତାଙ୍କ ପାଖରେ କୃତଜ୍ଞ ହେବାକୁ ବାଧ୍ୟ ହେଉଥିଲି । ମୋ ମୁଣ୍ଡ ଆପେ ଆପେ ନଇଁ ଯାଉଥିଲା ତାଙ୍କ ପାଖରେ । 


               ରୁଦ୍ର ର ଅବସ୍ଥା ଆହୁରି ଖରାପ ଆଡ଼କୁ ଧୀରେଧୀରେ ଗତି କରୁଥିଲା । ମୃତ୍ୟୁ ଯେ ଏକ ଅମୃତମୟ ପରିବର୍ତ୍ତନ ଏଇୟା ମୋତେ ବୋଧ କରେଇବାରେ ସେ ଲାଗି ପଡୁଥିଲା । ହେଲେ ତା ଅନୁପସ୍ଥିତିରେ ମୋ ଅଭିଶପ୍ତ ଜୀବନ ବିଷୟରେ ସେ ନୀରବ ରହୁଥିଲା ।                

            ଦିନେ ତ କହି ବି ଦେଲା ମୁଁ ଚାଲିଗଲା ପରେ ତୁମେ ଆଉଥରେ ବିବାହ କରିନେବ ପ୍ଲିଜ୍ ....।             

               ମୁଁ ଅଭିମାନରେ ତାତ୍ସଲ୍ୟ କରି କହିଲି ବାଃ !! ତୁମ ପାଖରେ ୟେତେ ସୁନ୍ଦର ସମାଧାନ ରହିଛି । ଏଇଟା ତ ତମର ମୋତେ ଆଗରୁ ଜଣେଇ ଦେବାର ଥିଲା । ମୁଁ ଏତେ କଷ୍ଟ ପାଇ ନଥାନ୍ତି । ସେ ଆପେ ଆପେ ବୁଝି ଯାଇଥିଲା , ଏଇଟା କହି ସେ ମୋତେ ବହୁତ ଆଘାତ ଦେଇଛି । ସଙ୍ଗେସଙ୍ଗେ ପରିହାସ କରି ପରିସ୍ଥିତି କୁ ହାଲକା କରିବାକୁ ଚେଷ୍ଟା କରିଥିଲା । ସତରେ ରୁଦ୍ର ତମେ ଲୁଚକାଳି ଖେଳିବାରେ ମାହିର .....। ଖୁବ୍ ଶିଘ୍ର ନିଜ ଭାବନାକୁ ଲୁଚେଇ ଦେଇପାର ।


                    ହଠାତ୍ ଗାଡ଼ି ଜୋର୍ ରେ ବ୍ରେକ୍ ମାରିଲା । ସେ ଆଗକୁ ଝୁଙ୍କି ପଡ଼ିଲା । ଭାବନାର ଖିଅ ବି ଛିଣ୍ଡି ଗଲା ।

                    ମ୍ୟାମ୍ !! ହସ୍ପିଟାଲ ଆସିଗଲା । ମୁଁ ତାକୁ ପଇସା ଦେଇ ଆଗକୁ ବଢିଲି । ପାଦ ଖୁବ୍ ଭାରି ହେଇ ଯାଇଥାଏ । ଭୟ ବି ଲାଗୁଥାଏ ଆଗକୁ ବଢ଼ିବାକୁ । ସତରେ ସେ କ'ଣ ଦେଖିପାରିବ ???? ନୀରବ ନିଶ୍ଚଳ ହେଇ ଶୋଇଥିବା ରୁଦ୍ର ଙ୍କୁ । ମୋତେ ସାହାସ ଦିଅ ପ୍ରଭୁ !!! ମୋତେ ସାହାସ ଦିଅ !!! କୋଉଠି ଥିଲା କେଜାଣି ନର୍ସ ଆଭା ଦୌଡ଼ି ଆସି ମୋ ହାତ ଧରି ଆଗକୁ ବାଟ କଡେଇ ନେଇଗଲା ଜଲଦି ଆସ !! ଡକ୍ଟର ସବ୍ୟସାଚୀ ତୁମକୁ ଅପେକ୍ଷା କରିଛନ୍ତି । 


              ସେ ପହଞ୍ଚି ଦେଖିଲା ସଫେଦ ଚଦରରେ ଘୋଡା ହେଇଥିବା ରୁଦ୍ର ଙ୍କୁ । ପାଦ ଥରିଗଲା । ଧୀରେଧୀରେ ଯାଇ ଚଦର ଉଠେଇ ଦେଖିଲା । ଆଶ୍ଚର୍ଯ୍ୟ ମୁଖରେ ଏକ ନିଶ୍ଚିନ୍ତ ବୋଧର ଆଭାସ । କେମିତି ଏତେ ନିଶ୍ଚିନ୍ତ ଶୋଇଗଲା ରୁଦ୍ର ମୋତେ ଏକା କରିଦେଇ ??? ସାରା ଆକାଶ ଯେମିତି ଛିଡି ପଡ଼ିଲା ମୋ ଉପରେ । 

              ଆଭା ଆସି ମୋତେ ସମ୍ଭାଳିନେଇ କହିଲା , ସବ୍ୟସାଚୀ ସାର୍ ବହୁତ ବେଳୁ ତୁମକୁ ଅପେକ୍ଷା କରିଛନ୍ତି । ଚାଲ !! ସେ ତମ ସହ ଦେଖାକରିବାକୁ ଚାହୁଁଚନ୍ତି । ମୋ ହାତ ଧରି ତାଙ୍କ କ୍ୟାବିନ୍ କୁ ନେଇଗଲା ।


               ଭିତରକୁ ଯାଇ ଦେଖିଲି ତାଙ୍କ ପାଖରେ ମୋ ଶଶୁର ଆଉ ଦେଢଶୁର ବସିଥିଲେ । ଆଶ୍ଚର୍ଯ୍ୟ ହେଇ ଚାହିଁଲି, ୟେମାନେ କେମିତି ଖବର ପାଇଲେ ?? ସବ୍ୟସାଚୀ ଉଠି ଠିଆ ହେଲେ ଆଉ କହିଲେ , ତମ ଶଶୁର ତମ ସହ କଥା ହେବାକୁ ଚାହୁଁଛନ୍ତି । ଏତିକି କହି ସେ ବାହାରି ଗଲେ ।


                ଶଶୁର ଖୁବ୍ ବିଷର୍ଣ୍ଣ ଦେଖା ଯାଉଥିଲେ ।ସେ ଖୁବ୍ କାନ୍ଦିଛନ୍ତି ବୋଧେ । ଧୀରେ କହିଲେ , ଆମେ କାଲିଠୁ ଆସିଲୁଣି । ଆମକୁ ରୁଦ୍ର ଡକେଇଥିଲା । ତା'ର ଶେଷକୃତ୍ୟ ଘରେ ହେବ ଆଉ ତମକୁ ବି ଆମ ସହ ଯିବାକୁ ହେବ । ଟିକେ ଆଦେଶ ଦେବା ସ୍ୱରରେ କହିଲେ , ଖାଲି ସେଠାକୁ ଯିବନି ପରିବାରର ସଦସ୍ୟ ହିସାବରେ ସେଠାରେ ସବୁଦିନ ରହିବାକୁ ବି ପଡ଼ିବ । ତମେ ଚାହିଁଲେ ସେଠି ଚାକିରୀ କରିପାର । ହଁ , ତୁମ ବାପାଙ୍କ ନମ୍ବର ଟା ଟିକେ ଦିଅ । ତାଙ୍କୁ ବି ଏ ଖବରଟା ଜଣେଇବାର ଅଛି ।

                 

                    ଓଃ !! ଏବେ ବୁଝିପାରିଲି ରୁଦ୍ର ଙ୍କ ମୁଖର ଆଶ୍ୱସ୍ତି ଭାବର କାରଣ । ତା'ର ଧର୍ଯର ବନ୍ଧ ଏବେ ସଂପୂର୍ଣ୍ଣ ରୂପେ ଧରାଶାୟୀ ହେଇ ଯାଇଥିଲା । ଆଖିରୁ ଧାରଧାର ଲୁହ ବୋହିଯାଉ ଥାଏ । ଶଶୁର ଉଠିଆସି ତା ମୁଣ୍ଡ ରେ ହାତ ବୁଲେଇ ଦେଲେ । ସେ ଢଳିପଡିଥିଲା ତାଙ୍କ ଛାତି ଉପରକୁ । ମନେମନେ ଭାବିଲା ସତରେ କ'ଣ ଚେନାଏ ସ୍ବୀକୃତି ପାଇଁ ଜଣକର ବଳୀଦାନ ଦେବା ନିହାତି ଆବଶ୍ୟକ ???? ସେ ନିଜେ ଉପଲବ୍ଧି କରି ପାରିଛି ଅଭିମାନଟା କେତେ ବଳବାନ ।

                

               ଠିକ୍ ଏଇ ସମୟରେ ନର୍ସିଂହୋମ୍ ହତା ଭିତରେ ଥିବା ମନ୍ଦିରର ଘଣ୍ଟା ଟଙ୍ଗଟଙ୍ଗ ବାଜି ଉଠିଲା । ଏତେ ରାତିରେ ବୋଧହୁଏ କୋଉ ରୋଗୀର ନିଜଲୋକ ଅଭିମାନ ଭରା ଫେରାଦ ନେଇ ଯାଇଛି । ବନ୍ଦ ଦରଜା ସେପାଖରୁ ଚେନାଏ ସ୍ଵୀକୃତି ପାଇବା ପାଇଁ ........।।।।


Rate this content
Log in

Similar oriya story from Tragedy