ସାନ ଭଉଣୀ
-------------
ସାନ ଭଉଣୀ ଆସିଥିଲା।
ବଡ ଭଉଣୀ ତାକୁ ପାଖରେ ବସେଇ ଦୁଃଖରେ କହିଲା - ' ଏ ଯାଏ ମୋର ପିଲା ରହିଲା ନାହିଁ।ସେ ଆଉ ଗୋଟେ ବାହା ହେବାକୁ କହିଲେଣି।ତୁ ରାଜି ହେଲେ ଭଲ ହୁଅନ୍ତା।ଆଉ କିଏ ଆସିଲେ ମୋର ଦୁଃଖ ବଢିବ। '
ସାନ ଭଉଣୀ ହୁଁ କି ହାଁ କହିଲାନି।
ବଡ ଭଉଣୀ ପୁଣି କହିଲା - ' ତୋ ପାଇଁ ତ ବର ମିଳୁନି।ତା'ଛଡ଼ା ବାପାଙ୍କ ଅବସ୍ଥା ଭଲ ନାହିଁ।ତୁ ଉଦ୍ଧାର ପାଇଯାନ୍ତୁ।ଭାବି ଦେଖ୍। '
- ' ହେଲେ ସେ ମୋତେ ରାଜି ହେବେ ତ ? ' ସାନ ଭଉଣୀ ଲାଜେଇ ଲାଜେଇ କହିଲା।
- ' କାହିଁକି ସେମିତି ଭାବୁଛୁ ? ' ବଡ ଭଉଣୀ ପଚାରିଲା ।
ସାନ ଭଉଣୀ କହିଲା - ' ମୁଁ ସୁନ୍ଦରୀ ନୁହେଁ।ପାଠ ପଢିନି।ଚାଲାକ,ଚତୁର ବି ନୁହେଁ। '
ବଡ ଭଉଣୀ ହସିଲା।କହିଲା - ' ତୁ ତାଙ୍କ ଶାଳୀ। ସେଇଟା ତୋର ସବୁଠାରୁ ବଡ ଯୋଗ୍ୟତା। '
ସାନ ଭଉଣୀ ମୁର୍କି ହସିଲା। କହିଲା - ' ତେବେ ମୁଁ ରାଜି।କ'ଣ କେମିତି ସବୁ କରିବାକୁ ହେବ ମତେ ଟିକେ ବତେଇ ଦେବୁ। '
ବଡ ଭଉଣୀର ଖୁସି କହିଲେ ନ ସରେ।ସେ କହିଲା - ' ତୁ ବ୍ୟସ୍ତ ହେବା ଦରକାର ନାହିଁ।ସେ ଦାୟିତ୍ୱ ମୋର। '
ଏହାପରେ ଭିଣୋଇଙ୍କ ସହିତ ଶାଳୀର ବାହାଘର ହୋଇଗଲା।
ଯେଉଁଦିନ ସାନ ଭଉଣୀର ବାସର ରାତି ହେବ ସେଦିନ ତାକୁ ଗୋଟେ ନିରୋଳା ଜାଗାକୁ ଡାକି ନେଇ ବଡ ଭଉଣୀ ବହୁତ କଥା ବୁଝାଇ ଦେଲା।କେଉଁ କେଉଁ ଦିନ ସବୁ ସହବାସ ପାଇଁ ଉଚିତ, କେଉଁ ଦିନ ଏହା ପାପ,ପୁଣି କେଉଁ ଦିନ ସହବାସ କଲେ ଗର୍ଭ ଧାରଣର ଶତ ପ୍ରତିଶତ ସମ୍ଭାବନା ଥାଏ, ଆଉ ପ୍ରଥମ ସହବାସ ପରେ କ'ଣ କରିବାକୁ ହୁଏ ଇତ୍ୟାଦି ଇତ୍ୟାଦି।ଶେଷରେ କହିଲା - ' ଆଦୌ ଡରିବୁନି।ପ୍ରେମ କେମିତି କରିବାକୁ ହେବ ପରଦା ଆଢୁଆଳରେ ରହି ସବୁ ବୁଝାଇ କହିଦେବି।ମୋ ଆଡକୁ ଟିକେ କାନ ଦେଇଥିବୁ ସେତେବେଳେ।ବାସ୍। '
ସାନ ଭଉଣୀ ମୁଣ୍ଡ ଟୁଙ୍ଗାରିଲା।ହସିଦେଇ ଚୁପ୍ ରହିଲା।
ବାସର ରାତି । ସତେଜ ରଜନୀଗନ୍ଧା ଆଉ ଗୋଲାପ ଫୁଲ ବାସ୍ନା ଘେରରେ ଥିଲା ସାନ ଭଉଣୀ।ପରଦା ପଛରେ ଥାଇ କେବେ ପଢି ନ ଥିବା, କେବେ ବୁଝି ନ ଥିବା ମୋଟା ମୋଟା ବହିର ପୃଷ୍ଠା ଖେଳେଇଲା ପରି ତରତର ହୋଇ ସାନ ଭଉଣୀକୁ ସବୁ ବତେଇ ଦେଲା ବଡ ଭଉଣୀ।
ରାତି ପାହିଗଲା।
ଖୁସି ଦିଶୁଥିଲା ବଡ ଭଉଣୀ।
ଲଜ୍ଜା, ଅପମାନବୋଧ ସାନ ଭଉଣୀକି ଆକ୍ତାମାକ୍ତା କରୁଥିଲା।ଖୁସି ଦିଶୁ ନ ଥିଲା ସେ।ସୁଖ ନ ଥିଲା ମନରେ।
ବର୍ଷ ପରେ ବର୍ଷ ସାତ ବର୍ଷ ବିତିଗଲାଣି।ତଥାପି ମା' ହୋଇ ପାରିନଥିଲା ସାନ ଭଉଣୀ।ଅନେକ ଅକୁହା କଥାକୁ ପେଟ ଭିତରେ ରଖି ତାକୁ ବଞ୍ଚିବାକୁ ପଡୁଥିଲା।କାହାକୁ ସେସବୁ କହି ପାରୁନଥିଲା ସେ।ଏପରିକି ତା'ର ବଡ ଭଉଣୀକି ମଧ୍ୟ।
ଗୋଟେ ଶୂନ୍ୟତାକୁ ଭୋଗୁଥିଲା ବଡ ଭଉଣୀ।କଷ୍ଟ ସବୁକୁ ଗୋପନ ରଖୁଥିଲା। ଲୁଚି ଲୁଚି କାନ୍ଦୁଥିଲା।
ସାନ ଭଉଣୀ ବି କମ୍ କାନ୍ଦୁ ନ ଥିଲା ଲୁଚି ଲୁଚି।
ଏ ବୋକାମୀ ଆତ୍ମବିଶ୍ୱାସର ନୁହେଁ କ'ଣ !
ସାନ ଭଉଣୀର ନା ବଡ ଭଉଣୀର ?
ନା, ଉଭୟଙ୍କର ? ??