Amiya Bej

Abstract Others

2.3  

Amiya Bej

Abstract Others

ସାଲୁ

ସାଲୁ

3 mins
7.5K


(୧)

ବୟସ ସହ ସମ୍ପର୍କ ମାନେ ବଢନ୍ତି। ପୁରୁଣା କିଛି ଭାଙ୍ଗିରୁଜି ଯା'ନ୍ତି। ନୂଆକିଛି ଯୋଡି ହେଉଥାନ୍ତି। କିଛିକୁ ଧରିରଖି ହୁଏ । ଆଉକିଛିକୁ ବାଧ୍ୟକରି ଏଡି ଦିଆଯାଏ।

ସାତମାସ ହେଲାଣି ଏ ଭଡାଘରକୁ ଆସିଲିଣି । ସାତଶହ ଥର ମୋ ଝର୍କା ଆଗଦେଇ ତା'ର ଯିବାଫେରିବାକୁ ଦେଖିସାରିଥିବି ମୁଁ । ସେ ମୋ ଘର ଭିତରକୁ ଚାହିଁବାକୁ ସବୁବେଳେ ଚେଷ୍ଟା କରେ । ମୁଁ ଅନ୍ଧାରରେ , ସେ ଆଲୁଅରେ ଥିବା ଯୋଗୁଁ ଏକଥା ମୁଁ ଠଉରେଇ ନିଏ।

ଏଇ ପଡାରେ ଯେବେଠୁଁ , ଗୋଟେ ଗାଡି ଡ୍ରାଇଭର ତା' ସାହେବର ନାବାଳିକା ଝିଅକୁ ନେଇ ଫେରାର୍ ହୋଇଗଲା, ସେଇଦିନୁ ସବୁ ଝିଅଙ୍କୁ ସେମାନଙ୍କ ମାବାପା ମାନେ ସନ୍ଦେହ କରିବା ଆରମ୍ଭ କରିଦେଇଥିଲେ।

କହିବାବାହୁଲ୍ୟ , ମୁଁ ବି ପେଶାରେ ଗୋଟେ ଗାଡିଚାଳକ ଥିଲି। ମୋର ସଂସାର ନଥିଲା ସତ, କିନ୍ତୁ ମୁଁ ଅସଂସ୍କାରୀ ନଥିଲି। ସମସ୍ତେ ମୋତେ ଭଲଚକ୍ଷୁରେ ଦେଖୁଥିଲେ ପ୍ରାୟ।

ଜଣାନାହିଁ ସେଲୋକଟା କାହିଁକି ଏ ଅପକର୍ମ କଲା , କିନ୍ତୁ ମୋତେଲାଗେ ଗୋଟେ ଡ୍ରାଇଭରର ଜୀବନ ନିହାତି ଅଯଥା । ସଂସାରଗଢିବା ପରି ଗୋଟେ ଗୁରୁଦାୟିତ୍ୱ ନେବାକୁ ସେମାନେ ଅକ୍ଷମ।

(୨)

ବହୁଦିନ ପରେ ଯାଣିଲି , ସେ 'ସାଲୁ' । ନା' ଟା ମୋତେ ଭାରି ଆଦରଣୀୟ ଲାଗିଲା। କାହିଁକି କେଜାଣି?

ଆଉରି ଯାଣିଲି ଯେ' ସେ ପାଠପଢିବାକୁ ଯାଏନି। ଯଦିଓ ବୟସରୁ ସାନ ଲାଗୁଥିଲା। କିନ୍ତୁ ସେ ଘରର ଯାବତୀୟ କାମ କରୁଥିଲା। ଏମିତିକି ମୋ ଭାଗର ବାରଣ୍ଡାକୁ ବି ସଫାପୋଛା କରିଦେଉଥିଲା । ବେଳେବେଳେ ଝୋଟିକୁ ବି ମୋ ଦୁଆରଯାଏଁ ଟାଣିଦେଉଥିଲା। ଭିତରେ ମୁଁ ଖୁବ୍ ଅସନା ଥିଲେବି , ତା'ପାଇଁ ମୋ' ବାହାରଟା ଘରଘର ଲାଗୁଥିଲା। ଆଉରି ଢେର୍ ଦିନପରେ ଜାଣିଲି , ସାଲୁ' ତା' ମାମୁଁ ଘରେ ଆସି ରହୁଥିଲା।

ପ୍ରତ୍ୟେକ ମାମୁଁଘରେ ବଢୁଥିବା ଝିଅଙ୍କ ପଛେ ଗୋଟେଗୋଟେ ଗପଥାଏ। ଏକଥା ମୋର ଜଣେ ଡ୍ରାଇଭର ସାଙ୍ଗ ଦିନେ ପିଇଦେଇ କହୁଥିଲା । ମୋତେ କିନ୍ତୁ ଲାଗୁନଥିଲା ସାଲୁ ପଛରେ କିଛି କାରଣଟେ ଥିବାପରି। ସେ ଖୁବ୍ ଧୀରଶାନ୍ତ ମନେହେଉଥିଲା ।

(୩)

ଦିନେ ମା' ଫୋନ୍ କରି କହିଲା, -

- ତୁ ଏବର୍ଷ ବା' ହ । ମୁଁ ମରିବି ଶିଘ୍ର।

ମା' ଶିଘ୍ର ମରିବ ବୋଲି ମୋତେ ବାହାହେବାକୁ ପଡିବ। ଧେତ୍ ! କେଉଁ ପୁଅଟା ଅନାଥ ହେବାକୁ ଚାହେଁ ଯେ ? ମା' କୁଆଡୁ ଜାଣିବ , ଗୋଟେ ଡ୍ରାଇଭର ଜୀବନଟା କେଡେ ଅସ୍ଥାୟୀ ବୋଲି ? ଶହଶହ ଲମ୍ବା ରାସ୍ତାରେ ଚାଲୁଚାଲୁ , କେବେ ନା କେବେ ଅସତର୍କ ହୋଇଯାଏ ମନ !!!

(୪)

ମୁଁ ପ୍ରାୟ ଦିନବେଳା ରୁହେନି। ରାତିରେ ଫେରିଲେ ଦେଖେ, ସାଲୁ' ତା' ମାଇଁର କଅଁଳା ଛୁଆକୁ କାନ୍ଧରେ ପକାଇ ଶୋଇବାକୁ ଚେଷ୍ଟାକରୁଥାଏ। ବାରଣ୍ଡାର ଏମୁଣ୍ଡରୁ ସେମୁଣ୍ଡ ହୋଇ ଗୁଣୁଗୁଣୁ ଗୀତ ଗାଉଥାଏ। ସ୍ପଷ୍ଟ ନଶୁଭିଲେବି , ଶୁଭୁଥିବା ସ୍ୱର ସେତେ ଖରାପ ଲାଗେନି। ମୁଁ କାନଡେରେ। ପିଲାଟି ଶୋଇସାରିଲାପରେ ବୋଧେ ସାଲୁକୁ ଖାଇବାକୁ ମିଳେ।

ବେଳେବେଳେ ତା' ମାଇଁ ଗାଳିକରିବାର ଶୁଭେ -

- ଅଲକ୍ଷଣୀ ! ମାବାପାକୁ ତ ଖାଇଆସିଛୁ , ଏଠି ମାମୁଁମାଇଁକୁ ବି ଖାଇପକା !!!

(୫)

ମା'କୁ ମୁଁ ବୁଝାଏ, ଡ୍ରାଇଭରର ଜୀବନ। କେତେ ଘାଟିମାଟି ଚଢି ଓହ୍ଲାଇବାକୁ ପଡେ ମା'! ସଵାରୀର ସୁରକ୍ଷା ଚିନ୍ତାରେ, ନିଜକଥା ଭାବିବାକୁ ବେଳ ନଥାଏ ମା' ! ଯାହା ରୋଜଗାର ହୁଏ ମା'କୁ ପୋଷିବାକୁ ନିଅଣ୍ଟ, ସଂସାର କ'ଣ କରିବି ମା' ?

ମା' କୁହେ -

- ମଦ ପି'ବୁ ନି। ମଦ ପି'ଲେ ମଣିଷ ସଂପର୍କହରା ହୋଇପଡେ।

- ମୁଁ ପିଏନି ମା' । ଗାଡିରେ, ଅନ୍ୟର ଜୀବନ , ମୋ' ହାତରେ। ତାକୁ ନେଇ ମୁଁ ଖେଳ ଖେଳିପାରେନି ।

- ମୋ ପୁଅ ! ଆଉମାନଙ୍କର ଏତେ ଭଲ ଦାୟିତ୍ୱ ନେଉଛୁ , ନିଜକଥାଟିକେ ବୁଝ୍ ।

- ତୁ ପୁଣି ସେଇଠିକି ଆସିଲୁ। କହିଲି ପରା ଡ୍ରାଇଭର ମାନଙ୍କ ସ୍ତ୍ରୀ ମାନେ ଅସୁଖୀ !!

- ଯାଃ!!!

ମା' ବୁଝେନି।

(୬)

ସାଲୁର ମାମୁଁ , ମୋଠୁଁ ବି ଅସମୟରେ ଘରକୁ ଫେରେ। ମଦନିଶାରେ ଏମିତି ଉତ୍ପାତ୍ କରେଯେ, ଅଧାରାତିରେ ନିଦଭାଙ୍ଗିଯାଏ। କାନ୍ଥ ଆରପଟ ପାଟିରୁ ଜାଣିପାରେ ଯେ, ତା' ମାଇଁ ଶୋଇସାରିଥାଏ ଛୁଆକୁ ନେଇ। ମଦୁଆର ଦାୟିତ୍ୱ ସାଲୁ' ଉପରେ ଛାଡିଦେଇ !

ମୁଁ ଶୋଇବାକୁ ଚେଷ୍ଟାକରେ। କାରଣ ସକାଳୁ ଉଠି , ଗାଡିପାଖକୁ ମୋତେ ଯିବାକୁ ପଡେ।

(୭)

ମା' ଦିନେ ଧମକାଇଲା ମୋତେ ।

- ବା' ହେ । ନୋଇଲେ ବିଷ ଖାଇଦେବି।

- ହା ହା ତୁ ପାରିବୁନି ମା । ମା ମାନେ କେବେ ଅଯଥାରେ ମରନ୍ତିନି। ପୁଅଚିନ୍ତାରେ , ସେମାନଙ୍କ ଆୟୁଷ ଆଉରି ବଢିବଢି ଯାଏ।

- ଦେଖିବୁ , କଥାନମାନିଲେ , ଦୀକ୍ଷାନେଇ କୁଆଡେ ଚାଲିଯିବି।

- ସେତକ ବି ପାରିବୁନି ମା। ଫେରିଆଇବୁ।

- ହଉ ର' ଏଥର। ତୋତେ ଦଉଛି ପାନେ।

- ଏମିତି କ' ନା ଲୋ ମା ।

- ତୁ ସେ ସହର କାମ ଛାଡି ଚାଲିଆ। ଅଲଗା ବେଉସା କରି ଗାଁରେ ଘରକରି ଚଳିବୁ।

- ହୁଁ।

(୮)

ଦିନେ ଦି'ଦିନ ହେଲାଣି , ମୋତେ ଲାଗୁଥିଲା ପଡିଶା ଘରେ ପାଟିତୁଣ୍ଡ କମିଯାଇଛି। ପରେ ଜାଣିପାରିଲି ସାଲୁର ମାଇଁ ବାପଘର ଯାଇଛି।

ପିଲାଟି ନଥିବାରୁ ସାଲୁ' ମୋ'ପଟ ବାରଣ୍ଡାକୁ ଆସିବା କମ୍ କରିଦେଇଥିଲା। ମୋ' ମନ କାଇଁ ଭାରିଭାରି ହୋଇଯାଉଥିଲା। ଅଭ୍ୟାସରେ ପଡିଯାଇଥିଲି କି କଣ , କିନ୍ତୁ ସାଲୁକୁ ଠିକ୍ ସମୟରେ ବାରଣ୍ଡାରେ ନପାଇ ବ୍ୟସ୍ତ ହେଉଥିଲା ମୋ ମନ! ଝର୍କାଦେଇ ମୁଁ ଖୋଜୁଥିଲି ତା'କୁ। ସେ' କାନ୍ଥ ସେପଟେ ଥିଲା , କିନ୍ତୁ ଏପଟକୁ ଆସିବାକୁ କାରଣଟେ ତା'ପାଇଁ ନଥିଲା।

ଭୂଲିଯାଉଥିଲି ଯେ , ଗୋଟେ ଡ୍ରାଇଭର ଜୀବନ ଜୀଉଛି ବୋଲି ମୁଁ !!

(୯)

ରାତିଅଧାରେ , କିଏ ଗୋଟେ କାନ୍ଦୁଛି ! ଶବ୍ଦଟା ଠିକ୍ ମୋ' ଦୁଆରେ ପୁଣି ! ଆଲୁଅ ଜାଳି କବାଟ ଖୋଲିବାରୁ ଦେଖିଲି , ସାଲୁ' ବସିଛି ମୁହଁପାତି ।

- କଣ ହୋଇଛି ? ଏତେ ରାତିରେ ?

ଆଖିଟେକି ମୋ' ଆଡେ ଚାହିଁଲା ଥରେ। ପୁଣି ମୁହଁ ପୋତି ଦେଲା।

- ପାଗିଳିଟା କିରେ ? କହୁନୁ କିଛି ? ତୋ' ମାମୁଁ କାଇଁ?

- ମାମୁଁ !!!! ଶୋଇପଡିଲାଣି ନିଶାନିଦରେ ।

ଏତିକି କହି , ଆଉରି ଜୋର୍ ରେ କାନ୍ଦିଲା ସାଲୁ' ।

ପ୍ରଥମ କରି ଛୁଇଁଲି ତାକୁ । ହାତବାହା ଧରି ଛିଡାକଲି। ତା' ଜଙ୍ଘଦେଇ ରକ୍ତଧାରଟିଏ ପାଦପାଖେ ଆସି ଜମିଯାଇଥିଲା କେତେବେଳୁ!

କହିଲି -

- ଆ' ଭିତରକୁ । ଡ୍ରାଇଭର ହେଲେବି , ମୁଁ ମଦ ପିଏନି !!!!!!!

■ ଅମୀୟ ବେଜ୍ , ଘଟଗାଁ, କେନ୍ଦୁଝର ■


Rate this content
Log in

Similar oriya story from Abstract