STORYMIRROR

Sunita Kar

Abstract Classics Inspirational

4  

Sunita Kar

Abstract Classics Inspirational

ସାଗର ଓ ଧୃବତାରା

ସାଗର ଓ ଧୃବତାରା

4 mins
2

                 ସାଗର ଓ ଧ୍ରୁବତାରା

ଆରେ ଧ୍ରୁବ ! କୁଆଡ଼େ ଗଲୁ ? ଦେଖାଯାଉନୁ ଯେ !

ସିକତାର ସ୍ନେହବୋଳା ବେଳାଭୂମିରେ ପଦଚାରଣ କରୁଥିଲା ସାଗର । ବେଳେବେଳେ ରାଗ ଫଣଫଣ ହୋଇ ମଥା ପିଟୁଥିଲା ପରି ଲାଗୁଥିଲା । ସେତେବେଳେ ସେ ତାର ଗତି ବଢେଇ ସଁ ସଁ ହୋଇ ମାଡ଼ିଆସୁଥିଲା । ଧ୍ରୁବକୁ କିନ୍ତୁ ବହୁତ ମଜା ଲାଗୁଥିଲା ଏସବୁ ଦେଖି । ସାଗର ରାଗୁ କି ହସୁ ତାର କଣ ଫରକ ପଡିବ ଯେ !

ରାଗରେ ଦାନ୍ତ କଡମଡ କରୁଥିଲା ସାଗର । ଭାବୁଥିଲା – ଏଡିକି ଟିକିଏ ଏ ଧ୍ରୁବ, ମତେ ଆଖି ମିଟିକା ମାରୁଛି, ହୁଁ ! ଜାଣିନି ମୋର ଶକ୍ତି, ଚାହିଁଲେ ମୁଁ କଣ କରିପାରେ ।

ଏମିତି ଭାବୁଭାବୁ ମନର କଥାଟା ତାର ତୁଣ୍ଡକୁ ଆସିଗଲା । କହିଲା -  ଆରେ,ମୁଁ ପରା ସାରା ପୃଥିବୀଟାକୁ ଟାଣି ଆଣି ମୋ ଗର୍ଭରେ ରଖିପାରିବି । ତୁ ଖାଲି ଚକମକିଆ ସୁନ୍ଦରିଆ ଆଉ ଅନ୍ୟମାନଙ୍କଠୁ ଟିକେ ନିଆରା ସ୍ଵଭାବର ବୋଲି ତତେ ମୁଁ ବେଶି ଭଲପାଏ । ଥଳକୂଳ ପାଉନଥିବା ଦିଗ ହରେଇଥିବା ନାବିକଙ୍କୁ ତୁ ରାସ୍ତା ଦେଖାଉ । ତୋର ଏ ଗୁଣଟା ମତେ ବହୁତ ଭଲଲାଗେ ସେଥିପାଇଁ ତୁ ମୋର ସବୁଠୁ ପ୍ରିୟ ।

ସାଗରର କଥାସବୁ ଧ୍ରୁବ ଶୁଣୁଥାଏ ମନଦେଇ, ହେଲେ କଳାମେଘ ପଛପଟେ ମୁଁହ ଲୁଚେଇ ମୁରୁକି ମୁରୁକି ହସୁଥାଏ । ତାର ଏ ଦୁଷ୍ଟାମି ଦେଖି ମେଘ ତାକୁ ପଚାରିଲା –

ହଇରେ ଧ୍ରୁବ! ମୋତେ ଆଡ କରି ତୁ ଲୁଚୁଛୁ ଯେ କିନ୍ତୁ କେତେ ସମୟ ଏମିତି ପାରିବୁ ?ମୁଁ ତ ସ୍ଥିର ହୋଇ ରହିପାରିବିନି ତୋ ଭଳି । ମୋର ପ୍ରକୃତି ଅନୁସାରେ ମୁଁ ତ ସଦା ଚଳମାନ । ଧୀରେ ହେଉ କି ଜୋରରେ ହେଉ ମୁଁ ଚାଲୁଥିବି । ଆଉ ଯଦି ଥିର ହୋଇ ରହିଗଲି ଗୋଟିଏ ଜାଗାରେ ବେଶି ସମୟ , ତାପରେ ତ ଶରୀର ମୋର ଭାରୀ  ହୋଇଯିବ, ଆଉ ମୁଁ ଝରଝର ହୋଇ ଝରିଯିବି ଧରଣୀ ଉପରେ । ସିଧା ହେଉ କି ବୁଲିବାଲିକି ହେଉ ସେଇ ସମୁଦ୍ର ସହିତ ମିଶିବି । ତା ସହ ମୁଁ ଛଳ କପଟ କାହିଁକି କରିବି ? ମୁଁ ଯାଉଛି ମୋ ବାଟରେ । ତୋର ଏଡେ ସୁନ୍ଦର ଝକମକିଆ ଚେହେରା, ସାଗର ଠୁ ତୁ ଲୁଚୁଛୁ କାହିଁକି ?

ମେଘ କହିଚାଲିଥିଲା –

ଏମିତି ବି ଖୁବ୍ ବିଶାଳ ହିଆ ସାଗରର । କେତେ କୋଟି ଜୀବ ଜନ୍ତୁ, ଉଦ୍ଭିଦରାଜି ତାରି ଗର୍ଭରେ ସ୍ଥାନ ନେଇଛନ୍ତି ତୁ କଳନା କରିପାରିବୁନି । ସମସ୍ତଙ୍କୁ ସେ ତାର କୋଳରେ ଧରିଛି । ଏଇ ମଣିଷ ଜାତି କଣ ସମୁଦ୍ରଠୁ ଉପକାର ପାଉନି ? ସେ ଯାହା ପାଉଛି ତୋ ଆଖିକୁ  ପାଇବନି ରେ ! ଶୁଣିଲେ ତୋ କାନ ପରତେ ଯିବନି । ଅକଳନ ସମ୍ପତ୍ତିର ଭଣ୍ଡାର ଏ ସମୁଦ୍ର । ଭଳିକିଭଳି ରତ୍ନ ସାଇତି ରଖିଛି ସେ ତା ଗର୍ଭରେ । ସେସବୁ ମଣିଷ ବାହାରକରେ,ତା’ କାମରେ ଲଗାଏ ।

ଧ୍ରୁବ ମନଦେଇ ଶୁଣୁଥାଏ । ମେଘ ତାର ଆଗ୍ରହ ଦେଖି ଆହୁରି କହିଲା -

କଥାରେ ଅଛି ପରା – ‘ଫଳନ୍ତି ଗଛ ଫୋପଡ ସହେ’। ସେମିତି  ସମୁଦ୍ର ଉପରେ ଯେତେ ହରକତ କଲେ ବି ସେ  ସବୁ ସହିଯାଏ। କହିଲେ କହେ – ‘ସଭିଁଏ ତ ଏଇ ମାଟି ମାଆର ପିଲା ।‘ ଦେଖୁନୁ, କେତେ ତୋପ ବାରୁଦ ନେଇ ଭାସୁଛନ୍ ଭେଳାକୁ ଭେଳା ଜାହାଜ ସବୁ । କେବେ କେବେ କିନ୍ତୁ ସମୁଦ୍ର ରାଗିଗଲେ ତାର ବିଶାଳ ପ୍ରଶାନ୍ତ ଶରୀରରୁ ସୁନାମି ଆସି ଅସ୍ତବ୍ୟସ୍ତ କରିପକାଏ ମାନବ ଜୀବନ । ଧ୍ଵସ୍ତ ବିଧ୍ଵସ୍ତର ପାଦଚିହ୍ନ ଛାଡ଼ିଯାଏ ମାଟି ଉପରେ, ତାର ଫେରନ୍ତା ଯାତ୍ରାରେ ।

ସମୁଦ୍ର ଗର୍ଜନ କଲେ ଭୀତ ଜାତ ହୁଏ, ହେଲେ ସେଇ ଗର୍ଜନ ଭିତରେ ଲୁଚିଥାଏ ନୀରବତାର ଗଭୀର ସଙ୍ଗୀତ । ଅନନ୍ତ ତରଙ୍ଗରେ ସେ ଗତିଶୀଳ ହୋଇ ଜୀବନର ରହସ୍ୟ ବତାଏ । ତରଙ୍ଗ ଯେତେ ବି ଅଶାନ୍ତ ହେଉ, ନାଆ ଚଲାଉଥିବା ନାବିକର ଦୃଷ୍ଟି କିନ୍ତୁ ଥାଏ ତୋରି ଉପରେ ରେ ଧ୍ରୁବ, ଠିକ୍  ଯେମିତି ଜୀବନ ଯେତେ ବି ବିଚଳିତ ହେଉ ନା କାହିଁକି ମଣିଷର ବିଶ୍ବାସ ହିଁ ତାକୁ ଆଗକୁ ନେଇଯାଏ । ବୁଝିଲୁ ଧ୍ରୁବ, ତୁ ହେଲୁ ଆକାଶର ଧୈର୍ଯ୍ୟ ପରି ଅଟଳ, ସ୍ଥିର, ହେଲେ ସମୁଦ୍ର ପୃଥିବୀର ସ୍ବପ୍ନ, ସୁନ୍ଦରତା ଓ ମହାନତାର ପ୍ରତୀକ ।

ମେଘ ପଚାରିଲା – କହିଲୁ ଧ୍ରୁବ, ଆମେ ତ ସବୁ ଗତିଶୀଳ ହେଲେ ତୁ ଏମିତି ସ୍ଥିର କେମିତି ?

ଧ୍ରୁବତାରା ହସିଦେଇ କହିଲା – ମୁଁ ଜାଣିଛି ମୋର କେନ୍ଦ୍ର କୋଉଠି । ମୋର ସ୍ଥିତି ହିଁ ମୋର ସ୍ଥିରତାର କାରଣ ।

ଆରେ ବାଃ ତୁ ତ ମହାନ ତାହେଲେ । ହେଲେ ଧ୍ରୁବ ଭାଇ କହ ଏବେ ତୁ ମୋ ପଛରେ ମୁହଁ ଲୁଚେଇବାକୁ ଚେଷ୍ଟା କାହିଁକି କରୁଛୁ ? ସାଗର ତତେ ଦେଖିଲେ ଅସୁବିଧା କଣ ?

କିଛି ନୁହେଁ, ସେ ମତେ ଆଜିକାଲି ଚିଡାଉଛି । କହୁଛି – ଆଗରୁ ତତେ ଯେମିତି ସମସ୍ତେ ଖୋଜୁଥିଲେ ଆଉ ସେମିତି ଏ କାଳରେ କେହି ଖୋଜୁନାହାନ୍ତି । ସମସ୍ତଙ୍କ ପାଖରେ ତ ଆଧୁନିକ ଦିଗବାରେଣୀ ଯନ୍ତ୍ର । କାହା ଗରଜ ପଡିଛି, କିଏ କାହିଁକି ମୁଣ୍ଡଟେକି ଧ୍ରୁବତାରା କେଉଁଠି ଅଛି ଚାହିଁବାକୁ ଯିବ ଯେ ?

କହିଲୁ ମେଘ ଭାଇ ଏକଥା ଶୁଣିଲେ ହାଡ ଜଳିବ କି ନାହିଁ ? ତା ଟାହିଟାପରା ଶୁଣିବାକୁ ମୁଁ ତାକୁ ମୁହିଁ ଦେଖେଇବାକୁ ଯିବି ? ହୁଁ !!

ତାର ଏତେ ବଡ ହୁଁ ଶୁଣି ମେଘ ଟିପେ ହସିଲା । ଏମାନଙ୍କର କଥୋପକଥନ ସମୁଦ୍ର ଚୁପଚାପ ସବୁ ଶୁଣୁଥାଏ ଆଉ ମୁରୁକି ମୁରୁକି ହସୁଥାଏ ।

ମେଘ ପୁଣି କହିବାକୁ ଲାଗିଲା –

ଆରେ ଧ୍ରୁବ ବୁଝିଲୁ, ସମୁଦ୍ର ବକ୍ଷରେ ଯେତେବେଳେ ରାଶିରାଶି ତରଙ୍ଗର ଉଚ୍ଛ୍ୱାସ ଉଠୁଥାଏ, ସେତେବେଳେ କିନ୍ତୁ ସ୍ଥିର ଥାଉ ତୁ । ତୋ ଠୁ ହିଁ ମଣିଷଜାତି ଶିଖେ – ଅଶାନ୍ତ ପରିବେଶ ଭିତରେ ହିଁ ସ୍ଥିର ସତ୍ୟର ଉପସ୍ଥିତି ନିଶ୍ଚିତ । ସେ ଚଞ୍ଚଳ ସମୁଦ୍ର ଆଉ ତୁ ନିଶ୍ଚଳପ୍ରାୟ ତାରା, ତୁମେ ଦୁହେଁ ଜୀବନର ଛବି । ସେ ଦିଗ ଜାଣେନାହିଁ, ତାର ଅସୀମତା ଆନନ୍ଦ ଦିଏ । ତୁ କିନ୍ତୁ ଦିଗ ଦେଖାଉ କେଉଁପଟେ ଚାଲିବାକୁ ହେବ ଜୀବନର ଯାତ୍ରା । ତୁମେ ଦୁହେଁ ପରିପୂରକ, ଦୁହିଙ୍କର ସ୍ଥିତି ଅନିର୍ବାଯ୍ୟ ।

ଆରେ ଆରେ ଦେଖ ତ !- ହଡବଡେଇକି ମେଘ କହିଲା ।

କଣ ହେଲା ମେଘ ଭାଇ ? ଆଖୁକିଆରୀରେ ପଶିଲାଭଳି ହେଉଛୁ ଯେ !!

ଆରେ ନା, ତୋ ସହ ଏତିକି ସମୟ କଥାହେଇଗଲି ଏଇଠି ରହି, ଦେହ ମୋର ଭାରୀ ଲାଗିଲାଣି । ଲାଗୁଛି ଖସିଯିବି ଝରଝରହୋଇ ଏଇ ସମୁଦ୍ର ଉପରେ ।

ଧ୍ରୁବ ହାଁ ହାଁ କହୁକହୁ ମେଘ ଝରିବାକୁ ଲାଗିଲାଣି ।

ସମୁଦ୍ର ହସୁଥାଏ ଏ ଦୁହିଁଙ୍କୁ ଦେଖି – ସନ୍ତୁଷ୍ଟତାରେ ପରିପୂର୍ଣ୍ଣ ଖୁବ୍ ଆତ୍ମୀୟତାର ଏକ ହସ । ବାହୁ ମେଲାଇ ଅତ୍ୟନ୍ତ ଆନନ୍ଦରେ ସ୍ବାଗତ କରୁଥାଏ ସେ ମେଘରୁ ଝରୁଥିବା ସ୍ବଚ୍ଛ ନିର୍ମଳ ଜଳ ଧାରାକୁ । ଆଉ ଧ୍ରୁବତାରା ଚାହିଁ ରହିଥାଏ ପରମ ତୃପ୍ତିର ଏକ ଚାହାଣୀରେ । କାନରେ ତାର ବାଜୁଥାଏ ମେଘଭାଇର  ଶେଷୋକ୍ତି – “

ସମୁଦ୍ରର ହୃଦୟ ଖୁବ୍ ବିଶାଳ ଓ ଗଭୀର, ଯେତେସବୁ ନଦୀକୁ ନିଜଭିତରେ ସ୍ଥାନ ଦେଇଛି ସେ ।“

ମନେମନେ କହୁଥାଏ – ହେ ମଣିଷ ! ସାଗରପରି  ବିଶାଳ ହୃଦୟବାନ ହୁଅ ।

ମନକଥା ତାର ବୁଝିପାରି ସ୍ମିତହାସ ଦେଇ ସମୁଦ୍ର ତା ଆଡେ ଚାହିଁ କହିଲା – “ ହଁ , ଆଉ ତୋ ପରି ଲକ୍ଷ୍ୟରେ ସ୍ଥିର, ଅଟଳ ।“

ଦୁହିଙ୍କ ମଝିରୁ ଏବେ ଅପସରି ଯାଇଥିଲା କଳାମେଘ । ଦୁହେଁ ଦୁହିଁକୁ ଚାହିଁ ରହିଥିଲେ ପରିତୃପ୍ତିଭରା ମନନେଇ । ସାଗରକୁ ଲାଗୁଥିଲା ଧ୍ରୁବତାରା ଆହୁରି ଉଜ୍ଜଳ ଦେଖାଯାଉଛି, ଆଉ ଧ୍ରୁବତାରାକୁ ଦେଖାଯାଉଥିଲା ସତେ ଯେମିତି ତାକୁ କୋଳେଇ ନେବାଲାଗି ହସହସ ମୁଁହରେ ସାଗର ବାହୁ ପ୍ରସାରଣ କରୁଛି ।

କିଛି ତରଙ୍ଗର ଉଚ୍ଛ୍ଵାସ ମନଫୁଲା ଗୀତ ଗାଇ ଆନନ୍ଦରେ ଛୁଇଁ ଛୁଇଁ ଯାଉଥିଲେ ସିକତାର ବେଳଭୂମିକୁ ।

                ********                     ସୁନୀତା କର , ୯୯୩୭୦୩୯୭୮୫






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract