Jayashree Maharana

Horror Thriller Others

3  

Jayashree Maharana

Horror Thriller Others

ସ୍ୱପ୍ନର ଅନୁଭୂତି

ସ୍ୱପ୍ନର ଅନୁଭୂତି

2 mins
169


ଜୀବନରେ ଅନେକ ଥର ନିଦ୍ରିତ ନୟନରେ ହେଉ କିମ୍ବା ଉନ୍ମୁକ୍ତ ନୟନରେ ହେଉ ସ୍ୱପ୍ନ ଦେଖିଚି ।ସ୍ୱପ୍ନରେ ଉଲ୍ଲସିତ ହୋଇଛି,ଭୟଭୀତ ହୋଇଛି,କାନ୍ଦିଛି ହସିଛି ।ପ୍ରାୟତଃ ସୁପ୍ତ ଅବସ୍ଥାରେ ଆଖିରେ ଉଙ୍କିମାରିଥିବା ସ୍ୱପ୍ନ ସକାଳୁ ନିଦ୍ରାଭଗ୍ନ ପରେ ମୋର ମନେ ରୁହେନା ।କିନ୍ତୁ ଥରେ ଏମିତି ସ୍ୱପ୍ନ ଦେଖିଅଛି ଯାହା ଥିଲା ମୋ ପାଇଁ ଭୟାନକ ଏବଂ ଜୀବନରେ ଅଭୂଲା ।ସେ ସ୍ୱପ୍ନର ଅନୁଭୂତି କେମିତି କିଛି ଶବ୍ଦରେ ଲେଖୁଅଛି ।


 ଚାକିରିଆ ଜୀବନ ସମାଜ ଆଖିରେ ସୁଖପୂର୍ଣ୍ଣ ହେଲେ ମଧ୍ୟ ଘରଠାରୁ ଦୂରରେ ରହି କର୍ମରେ ଅଗ୍ରସର ହେବା କେତେ ଯେ କଷ୍ଟ ସେକଥା ଆତ୍ମୀୟଙ୍କଠାରୁ ଦୂରରେ ଥିବା ଅନୁଭବୀ ହିଁ ଜାଣେ ।କର୍ମସ୍ଥଳ ନିକଟରେ ଭଡାଘରେ ମୁଁ ସମ୍ପୂର୍ଣ୍ଣ ଏକା ରୁହେ ।ଅଵଶ୍ୟ ଏକ କଲୋନୀ ରେ ରହୁଥିବାରୁ ମୋ କୋଠରୀ ପାଖାପାଖି ପଡ଼ୋଶୀ ରୁହନ୍ତି ।ଏକାନ୍ତ ଜୀବନରେ କିଛି ଭାବନା ଆଉ ଦୁରଦର୍ଶନ ମୋର ସାଥି ଥିଲେ ।ସେତେବେଳେ ମୁଁ ଦୂରଭାଷ ର ଏତେଟା ବ୍ୟବହାର କରୁନଥାଏ ।


 ଦିନେ ରାତିରେ ଖାଇପିଇ ,ଟିଭି ଦେଖି ସୋଇଥାଏ ।ଜାଣେନା ସମୟ କେତେ ହେବ ।କିନ୍ତୁ ପ୍ରାୟତଃ ମଧ୍ୟରାତ୍ର ପରି ଅନୁମେୟ ।

ମୋତେ ପରିଶ୍ରା ଲାଗିବାରୁ ମୁଁ ଉଠିବାକୁ ଚେଷ୍ଟା କରୁଥାଏ ।ମାତ୍ର ଏ କଣ କେହିଜଣେ ମୋ ମୁଣ୍ଡ କୁ ଚପାଇ ରଖି ମୋତେ ଉଠିବାକୁ ଦେଉନାହିଁ ।ମୁଁ ଚେଷ୍ଟାରତ କିନ୍ତୁ ସେ ଅପିରିଚିତ ର ଶକ୍ତ ବାହୁ ଚାପ ରୁ ମୁଁ ମୁକୁଳି ପାରୁନଥାଏ ।କିଛି ସମୟ ଦୁହିଁଙ୍କ ଭିତରେ ଜିତିବାର ପ୍ରୟାସ ପରେ ମୁଁ ଉଠି ବସିଲି ।କିନ୍ତୁ ଯାହା ଦେଖିଲି ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।ଛୋଟିଆ ଝିଅଟିଏ ।ପରୀ ପରି ଡ୍ରେସ ରେ ଖୁବ ସୁନ୍ଦର ଦେଖାଯାଉଥାଏ ।ମାତ୍ର ଏ କଣ ତାହାର ମୁହଁ ଏତେ ବିକଟାଳ ।ମୁଣ୍ଡର କେଶ ଉନ୍ମୁକ୍ତ ଏବଂ ରୁକ୍ଷ ।ସେ ଚାଲିଗଲା ମୋର ଆଗେ ଆଗେ ।ସେ କିଏ ଜାଣିବାର ଇଛାରେ ମୁଁ ସାହସ ବାନ୍ଧି ତା ପଛରେ ଦୌଡ଼ିଲି ।ମାତ୍ର ଏ କଣ ସେ କୋଠରୀ ରୁ ବାହାରି ଅଗଣା ଦେଇ ସିଡ଼ି ନିକଟସ୍ଥ କାନ୍ଥରେ ମିଳାଇଗଲା ।କାନ୍ଥ ଡେଇଁ ତାକୁ ଅନୁସରଣ କରିବା ମୋ ପକ୍ଷରେ ସମ୍ଭବ ନଥିଲା ।ତେଣୁ ମୁଁ ଅଟକିଗଲି ।କିନ୍ତୁ ହଟାତ ମୋ ନିଦ୍ରା ଭଙ୍ଗ ହେଲା ।ଭୟ ଆଉ ବିସ୍ମୟରେ ଆଖି ଖୋଲିବା ବେଳକୁ ବିଦ୍ୟୁତ କଟିଯାଇଥିବାରୁ ଚତୁର୍ଦ୍ଦିଗ ଅନ୍ଧକାର । ମୋ ଦେହସାରା ଝାଳ ଜୁଡୁବୁଡୁ ।ମୁଁ କିଛି କ୍ଷଣ ସ୍ତବ୍ଧ ହୋଇଗଲି ।ପୁନଶ୍ଚ ସାହସ ସଞ୍ଚୟ କରି ଟର୍ଚ୍ଚ ଜଳାଇଲି ।ଚାରିଦିଗକୁ ଆଖିବୁଲେଇ ଆଣିଲି ।ତେବେ ମୁଁ କଣ ସ୍ୱପ୍ନ ଦେଖୁଥିଲି ।ନିଶ୍ଚିତ ହେଲି ଏ ସ୍ୱପ୍ନ ନୁହେଁ ତ ଆଉ କଣ ।ଟର୍ଚ୍ଚ ଧରି ପରିସ୍ରାଗାର ଆଡ଼କୁ ଚାଲିଲି ।କବାଟ ବନ୍ଦ ଥିଲା ଖୋଲିବା ମାତ୍ରେ କେଉଁ ଏକ ନିଶାଚର କୀଟର କ୍ଷୀଣ ଶବ୍ଦ ବହଳ ଅନ୍ଧକାରର ନୀରବତାକୁ ଭଙ୍ଗ କରୁଥିଲା ।ଟିକିଏ ଠିଆ ହୋଇ ଦୀର୍ଘ ଏବଂ ସଂକୀର୍ଣ୍ଣ ଅଗଣାକୁ ନଜର ପକାଇଲି ।କେଉଁଠି କିଛି ବି ନଥିଲା ।ପଡୋଶୀ କୋଠରୀ ରେ ସମସ୍ତେ ନିଦ୍ରାରତ ଥିଲେ ।ମୁଁ ପରିସ୍ରାଗାର ଆଡେ ଚାଲିଲି ।ମନରେ ଭୟ ଥିଲେ ବି ସାହସ ବାନ୍ଧି ।ଫେରିଆସି ବିଛଣାରେ ଶୋଇବାକୁ ଚେଷ୍ଟା କଲି କିନ୍ତୁ ନିଦ୍ରା ହେଲା ନାହିଁ ।ସକାଳ ଯାଏଁ କେବଳ ଆଖିବୁଜି ପଡିରହିଲି ।ସକାଳେ ପାଖ ପଡୋଶୀ ଙ୍କୁ ଜଣାଇଲି ।ସମସ୍ତେ ଏହା ସ୍ୱପ୍ନ ବୋଲି ଆଶ୍ୱାସନା ଦେଲେ ମୁଁ ମଧ୍ୟ ନିଶ୍ଚିତ ଥିଲି ତେଣୁ ଆଶ୍ୱସ୍ତ ହେଲି ।


 ସ୍ୱପ୍ନ ବି ଏତେ ଭୟଙ୍କର ହେଇପାରେ ପ୍ରଥମଥର ଅନୁଭବ କଲି ।


Rate this content
Log in

Similar oriya story from Horror