ସ୍ୱାଧିନତା
ସ୍ୱାଧିନତା
ନିଜ ସଂସାର ଉଜୁଡି ଯିବା ଭୟରେ ସେ ଅନେକ ଚେଷ୍ଠା କରିଛି ସଜାଡିବାକୁ । ହେଲେ ପ୍ରତି ଥର ହାରିଛି କାହା ପାଖରେ ନା କାହା ପାଖରେ । ବାହାଘର ପୂର୍ବରୁ ଘରେ କେବଳ ବାବା ମାଆ ତା ଉପରେ ଦୁଇଜଣ ଥିଲେ ତାକୁ ତାଗିଦ କରିବା ପାଇଁ କି ପ୍ରତି କଥାରେ ରୋକ ଠୋକ କରିବା ପାଇଁ । ହେଲେ ବାହାଘର ପରେ ଶାଶୁ ଘରେ ସାରା ପରିବାରର ତାଗିଦ ନିୟମ କାନୁନ କଡା ଶାସନରେ ସେ ଅଣନିଶ୍ୱାସୀ ହୋଇ ପଡିଲାଣି । ଶ୍ୱଶୁର ଶାଶୁ, ଦେଢଶୁର ଯାଆ, ନଣନ୍ଦ ଦିଅର ସ୍ୱାମୀ ସମସ୍ତଙ୍କ କଥାରେ ତାକୁ ଚଳିବାକୁ ପଡେ । ତାର କଥା କିଛି ଶୁଣାଯାଏନି କି ରଖାଯାଏନି । ତା କାମ ହେଲା ସକାଳୁ ରାତି ଯାଏ ଠିକ ସମୟରେ କାମ କରିବା ଠିକ ସମୟରେ ସମସ୍ତଙ୍କୁ ଖାଇବାକୁ ଦେବା, ପିଲାମାନଙ୍କର ଯତ୍ନ ନେବା । ବାସ୍ ଯଦି ଘରେ କିଛି କଥା କି କୌଣସି ପ୍ରସଙ୍ଗ ଉଠେ ତାହେଲେ ସମସ୍ତେ ମତ ଦିଅନ୍ତି ହେଲେ ତାକୁ କେହି ପଚାରନ୍ତି ନାହିଁ କି ତାର ଉତର ଶୁଣିବା ପାଇଁ କେହି ଇଚ୍ଛୁକ ନଥାନ୍ତି । ତାକୁ ଲାଗେ ଏ ଘରେ ଯେମିତି ତାର କୌଣସି ଆବଶ୍ୟକତା ହିଁ ନାହିଁ । ତାକୁ ନିଜକୁ ଭାରୀ ଅସହାୟ ଲାଗେ କଣ କରିବ ବାବା ମାଆ କହିଛନ୍ତି ଶାଶୁ ଘରେ ସମସ୍ତଙ୍କ ମନ ନେଇ ଚଳିବୁ । କାହା ମୁହଁ ସାମ୍ନାରେ ଉତର ଦେବୁ ନାହିଁ । ତା ଅର୍ଥ କଣ ସେ ଧାରାବାହିକ ଭାବରେ ଏମିତି ଅବହେଳିତ ହୋଇ ଚାଲିଥିବ । ମନ ତାର ବିଦ୍ରୋହ କରିଚାଲିଛି ଭିତରେ ଭିତରେ । ହେଲେ ଆଗକୁ କିଛି କହିପାରୁନାହିଁ । ଏମିତି ପରାଧିନତାର ଜୀବନ ତାର ଦରକାର ନାହିଁ । କାହିଁକି ସେ ସହିବ । କେଉଁଠି ଭୁଲ ରହିଯାଉଛି ତାର । ନିଜର ବୋଲି ସ୍ୱାମୀ । ସେ ତାଙ୍କୁ ଅନେକ ଥର କହିଛି ଯେ ମୁଁ ଏ ଘରେ ଅନନିଶ୍ୱାସୀ ହୋଇଯିବି । ମୋତେ କିଛିଦିନ ପାଇଁ ମୋ ବାପ ଘରେ ଛାଡିଦିଅ । ହେଲେ ଦୁଇଦିନ ରୁ ଅଧିକ ନାହିଁ । ସବୁଦିନ ସମାନ ଯାଏନାହିଁ । ଦିଅର ବାହାଘର ପରେ ସାନ ଯାଆ ଠାରୁ ସେ ଶିଖିଲା ସ୍ୱାଧିନତା । ପ୍ରଥମେ ପ୍ରଥମେ ତ ଆଡଜଷ୍ଟ ହୋଇଗଲା । ହେଲେ ପରେ ଅନେକ ସମସ୍ୟା ଦେଖାଦେଲା । ସେ ସମସ୍ୟାା ଭିତରୁ ମୁକୁଳିବା ପାଇଁ ଦୁଇ ଜାଆ ମିଶି ସାମନା କଲେ । ଘର ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ବିଭିନ୍ନ ସମୟରେ ମନ ନେଇ ଚଳିହେବ ପ୍ରତି କଥାରେ ଭୁଲ ବାଛୁଥିବା ଶାଶୁଙ୍କୁ ମଧ୍ୟ ସେମାନେ କଥାରେ କଥାରେ ବଶ କରିନେଲେ । ପ୍ରତି କଥାରେ ଅନୁମତି ଲୋଡୁଥିବା ବୋହୁଟି ଏବେ ସ୍ୱାଧିନତାର ସ୍ୱାଦ ଚାଖି ସାରିଲାଣି । ଏବେ ସ୍ୱାଧିନତା କଣ କିପରି ହାସଲ କରାଯାଏ ସେ ଖୁବ ଭଲ ଭାବେ ଜାଣିଗଲାଣି । ଏବେ ତାକୁ ଆଉ କାହାର ନାଲି ଆଖିକୁ ଭୟ ନାହିଁ ।
