Mamatamanjari Das

Tragedy

3  

Mamatamanjari Das

Tragedy

ସ୍ୱାଭିମାନ

ସ୍ୱାଭିମାନ

3 mins
228



ଅପରାହ୍ନର ସୂର୍ଯ୍ୟଟା ଢ଼ଳି ଯାଉଥିଲେ ବାରୁଣୀ ଉହାଡରେ। ପୃଥିବୀ ରାଣୀଟା ସଜେଇ ହୋଇଥିଲା ସୂର୍ଯ୍ୟ ଦେବଙ୍କର ସୁନେଲି ରଙ୍ଗରେ ।ଶୀତୁଆ ସନ୍ଧ୍ୟାକୁ ଫୁଲର ମହକରେ ଭୁରୁ ଭୁରୁ ମହକୁ ଥିଲା ପୃଥିବୀ ରାଣୀ ।ବାଲକୋନୀର ଗୋଟେ କୋଣରେ ଛିଡା ହୋଇଥିଲେ ସିପ୍ରା ଦେବୀ ।ଆଉ ନିଜକୁ ହଜାଇ ଦେଇଥିଲେ ଭାବନା ରାଜ୍ୟରେ ।


ଧନିଆପତ୍ର ନେବ ଧନିଆପତ୍ର..... ବାଡି ତୋଳା ଧନିଆପତ୍ର.... ହଠାତ ଏକ ସ୍ତ୍ରୀ ଲୋକର ପରିବା ବିକା ଡାକରେ ନିଜ ଭାବନାରୁ ଫେରି ଆସିଲେ ସିପ୍ରା ।ମନକୁ ମନ କହିଲେ ଧନିଆପତ୍ର ଟିକେ ରଖିଲେ ହୁଅନ୍ତା ।ବାଲକୋନିରୁ ତଳକୁ ଝାଙ୍କି ଦେଖିଲେ ହେଲେ କାହାକୁ ପାଇଲେନି-ଭାବିଲେ ବୋଧେ ମୋ ମନର ଭ୍ରମ ।ପୁଣି ନିଜକୁ ହଜାଇ ଦେଲେ ଭାବନା ରାଇଜରେ ।କିଛି ସମୟ ପରେ ପଡିଶା ଘର ମାଉସୀ ଡାକପକାଇଲେ ,ସିପ୍ରା ଧନିଆପତ୍ର ରଖିବୁ କି ?ତାଙ୍କୁ ହଁ ଜବାବ ଦେଇ ତଳକୁ ଆସିଲେ ଚାରିଆଡ଼େ ନଜର ବୁଲାଇ କାହାକୁ ନପାଇ ଫେରି ଯାଉଥିଲେ, କେହି ଜଣେ ପଚାରିଲା ମାଆ ଧନିଆପତ୍ର ରଖିବ ? ସେପଟ ମାଉସୀ କହିଲେ ।ସିପ୍ରା ହଁ ମାରିଲେ। ସଙ୍ଗେସଙ୍ଗେ ସ୍ତ୍ରୀ ଲୋକଟି ମାଉସୀଙ୍କ ଘର ଆଡକୁ ଗଲା। ହାତରେ ଗୋଟିଏ ବ୍ୟାଗ୍ ,ଆଉ ତା'କାନ୍ଧରେ ହାତ ରଖି ଆସିଲେ ବୃଦ୍ଧ ଜଣେ ।ବୟସ ପାଖା ପାଖି ସତୁରି । ବୃଦ୍ଧ କାନ୍ଧରୁ ଅଖାଟି ଆଣି ଖୋଲିଲା।ଦୁଇବିଡା ଧନିଆପତ୍ର ସିପ୍ରା ଦେବୀଙ୍କୁ ବଢାଇ ଦେଉ ଦେଉ କହିଲା ମାଆ ଇଏ ଆମ ବାଡି ଧନିଆପତ୍ର ,ଚଟଣୀ କରିବ ଭଲ ଲାଗିବ ।ଗୋଟେ ବିଡାକୁ ଦଶ ଟଙ୍କାରେ ବିକୁ ଥିଲୁ ଏବେ ତ ଘରକୁ ଫେରିବା ବେଳ ହେଲାଣି ଦୁଇବିଡା ନିଅ ଦଶଟଙ୍କା ଦବ । ଆଉ ମୂଳା ଦୁଇବିଡା ବି ଅଛି ନେଇଯାଅ କମ୍ ପଇସାରେ ଦେଇ ଦେବୁ ।ସଖାଳ ପହରୁ ତୋଳା ହେଲାଣି ସେଥିପାଇଁ ଟିକେ ଝାଉଁଳି ଗଲାଣି ।


କାହିଁକି କେଜାଣି ସିପ୍ରାଙ୍କର ମନରେ ଉତ୍ସୁକତା ଆସିଲା ସେମାନଙ୍କ ବିଷୟରେ ଜାଣିବା ପାଇଁ ।ଆଜିର ସମୟରେ ଯୋଉଠି ଟଙ୍କିକିଆ ଚାଉଳ ପାଇ ଭେଣ୍ଡିଆ ଗୁଡା କାମ କରିବା ବନ୍ଦ କରି ଦେଲେଣି, ସେଠି ଏ ବୃଦ୍ଧ ଦମ୍ପତି ଏ ବୟସରେ ବୁଲି ବୁଲି ପରିବା ବିକୁଛନ୍ତି ?ମନରେ ଅନେକ ପ୍ରଶ୍ନବାଚୀ ?ଶେଷରେ ସାହସ କରି ପଚାରି ଦେଲେ।କଣ ମାଉସୀ ଆପଣଙ୍କ ର ପୁଅ ଝିଅ କେହି ନାହାଁନ୍ତି ?ଆଉ ସରକାରୀ ସହାୟତା କିଛି ମିଳୁନି ?


ହଠାତ ସ୍ତ୍ରୀ ଲୋକଟି ଆଖିରୁ ଠପ୍ ଠପ୍ ହୋଇ ଗଡି ଆସିଲା ଲୁହ।ଘାବରେଇ ଗଲେ ସିପ୍ରା ।ଭାବୁଥିଲେ ମୁଁ କଣ ଭୁଲ କରି ଦେଲିକି ? ସିପ୍ରା କହିଲେ ମୁଁ ପଚାରି ଯଦି ଭୁଲ କରିଛି ନକୁହ ପଛେ କାନ୍ଦନି ।ଲୁହକୁ ନିଜ କାନିରେ ପୋଛୁ ପୋଛୁ ସ୍ତ୍ରୀ ଲୋକଟି କହିଲା।ନାହିଁ ମାଆ ସେ ଆମ ଭାଗ୍ୟରେ ନାହିଁ ।

ବାଡିପଶା ଦିଅଁଟା ବକଟେ ଦେଇଥିଲା।ପେଟ ପାଇଁ ସୁରଟ ଯାଇଥିଲା, ହେଲେ ଆଉ ଫେରିଲାନି ମାଆ।କୋଉ ଗୋଟେ ଅଜଣା ରୋଗ ଧଇଲା ଯେ ଆମକୁ ଛାଡି ଚାଲିଗଲା।ପଇସା ନାହିଁ ବୋଲି ତା ଶବ ବି ଦେଖି ପାରିଲୁ ନାହିଁ ।ଭତ୍ତା ପାଇଁ ସରପଞ୍ଚ ପାଖକୁ ଦଉଡି ଦଉଡି ନିରାଶା ହେଲାପରେ ଘରକୁ ଲାଗିଥିବା ବାଡି ଖଣ୍ଡେ ଅଛି ସେଇଠି ପନି ପରିବା କରି ବିକ୍ରି କରି ଚଳୁଛୁ।ସରକାରୀ ସହାୟତା କେବଳ କାଗଜ କଲମରେ ମାଆ ।ସେ ସବୁ ବଡ ବଡିଆ ଧୋବ ଧାଉଳିଆ ବାବୁ ମାନଙ୍କ ପାଇଁ ।

ସବୁ ଶୁଣି ସାରିଲା ପରେ ସିପ୍ରା ଦେବୀଙ୍କ ଆଖି ବି ଭିଜି ଯାଇଥିଲା।କାରଣ ସେ ବି ଭୁକ୍ତ ଭୋଗି।କିପରି ବା ପଢି ପାରିବେନି ଗୋଟେ ମାଆର ଛାତି ତଳର ଦୁଃଖକୁ ।ତଥାପି ସେମାନେ ହାରି ନାହାନ୍ତି ଜୀବନ ଯୁଦ୍ଧରେ।ବରଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେମାନେ ।ଲୁହ ପୋଛୁ ପୋଛୁ ସିପ୍ରା କହିଲେ, ସନ୍ଧ୍ୟା ତ ହଲାଣି ମୋତେ ସବୁତକ ଦେଇ ଦେଇ ଘରକୁ ଯାଅ ଭାରି।ସ୍ତ୍ରୀ ଲୋକଟି କହିଲା ହଉ ମାଆ ରଖ ଚଟଣୀ କରିବ ।ମୋତେ ତିରିଶ ଟଙ୍କା ଦେବ ।


ସିପ୍ରା ଦେବୀ ଘର ଭତିରକୁ ଯାଇ ୫୦୦ ଟଙ୍କିଆ ନୋଟ୍ ଖଣ୍ଡେ ଧରେଇ ଦେଲେ ସେ ସ୍ତ୍ରୀ ଲୋକଟି ହାତରେ ।ସ୍ତ୍ରୀ ଲୋକଟି ଲୁହ ପୋଛୁ ପୋଛୁ କହିଲା, କ'ଣ ମା ଆମକୁ ଥଟ୍ଟା କରୁଛ ??ଏତେଗୁଡିଏ ଟଙ୍କାର ଖୁଚୁରା ଆମେ କୋଉଠୁ ପାଇବୁ ? ସିପ୍ରା ଦେବୀ କହିଲେ ନାହିଁ ଫେରାଇବା ଦରକାର ନାହିଁ ।ତୁମେମାନେ ଖର୍ଚ୍ଚ କରିବ ରଖ । ସ୍ତ୍ରୀ ଲୋକଟି ୫୦୦ଟଙ୍କିଆ ନୋଟ୍ ଟି ସିପ୍ରାଙ୍କୁ ଦେଉ ଦେଉ କହିଲା "ନାହିଁ ମାଆ ମୁଁ କେବଳ ମୋର ପ୍ରାପ୍ୟ ଚାହେଁ, ଦୟା ନୁହେଁ ।କାରଣ ମୋର ଏହି ସ୍ୱାଭିମାନ ପାଇଁ ଆଜି ଆମେ କାହାରି ପାଖରେ ହାତ ନ ପାତି ନିଜ ପେଟ ନିଜେ ପୋଷି ପାରୁଛୁ । ସେତକ ଯଦି ନ ରହିବ ଆମେତ ପଙ୍ଗୁ ହୋଇଯିବୁ ମାଆ,ଖାଲି ଅନ୍ୟର ହାତ ଟେକାକୁ ଅନେଇ.....

ତିରିଶ ଟଙ୍କା ନେଇ ସେମାନେ ତ ଚାଲିଗଲେ । ହେଲେ ତାଙ୍କ ମୁହଁର କେଇପଦ କଥା ତାଜୁବ କରିଦେଇଥିଲା ସିପ୍ରା ଦେବୀଙ୍କୁ ।ଆଉ ମନେ ମନେ ସେ କହୁଥିଲେ..... ଧନ୍ୟରେ ଉପରବାଲା...


Rate this content
Log in

Similar oriya story from Tragedy