ରଫ୍ ଖାତା
ରଫ୍ ଖାତା


ବଡ଼ଭାଇ ଆସିଛି ବୋଲି ମା'ର ପାଦ ଆଜି ତଳେ ଲାଗୁନି। ସକାଳ ପହରୁ ତା' ପାଇଁ ରୋଷେଇରେ ଲାଗିଛି। ଭାତ, ଦେଶୀ ମୁଗଡାଲି, ବଡ଼ ମାଛ ବେସର, ଚୁନା ମାଛ ପତ୍ର ପୋଡ଼ା ଆହୁରି କେତେ କଣ। ରୋଷେଇ ଘରେ କାହାରିକୁ ପଶିବାକୁ ଦେଉନି।
ମଝିଆ ପୁଅ ଭାବୁଛି ଆଜି ଯୋଉ ମା ଦେହରେ ରୋଷେଇ କରିବା ପାଇଁ ଏତେ ବଳ ଓ ଆଗ୍ରହ ଅଛି, ଗତ କାଲି କେଉଁଠି ଥିଲା? ଯେତେବେଳେ ତା ସ୍ତ୍ରୀ ୧୦୪ ଜ୍ବରରେ କମ୍ପୁଥିଲା ସେତେବେଳେ ମା ତ ଟିକେ ବି ତା ପାଖ ମାଡୁନଥିଲା?
ସୁମି ଶୋଇଥିଲା । ତାକୁ ନ ଉଠେଇ ମା'କୁ କହିଥିଲା ତା ପାଇଁ ଟିକେ ଖାଇବା ବାଢି ଦେବାପାଇଁ। ମା ତା କଥା ଶୁଣି ରାଗରେ ଗର୍ଜିଥିଲା
- ମାଇଚିଆ, ମାଇପ ବୋଲିଆ, ମାଇକିନା ଆରାମରେ ଶୋଇଛି , ମା ଟିକେ ଥିରି ହେଇକି ବସିଗଲେ ତୋ ଆଖିରେ ଯାଉନି। ଲାଜ ଲାଗୁନି ବୁଢ଼ୀ ମା' କୁ କହୁଛୁ ଖାଇବା ବାଢି ଦେବାପାଇଁ?
- ସୁମିର ଜ୍ୱର କଥା ଶୁଣି ମା'ର ପ୍ରତ୍ୟୁତ୍ତର ଥିଲା- ପେଖେଣା ଦେଖାଉଛି, ପେଖେଣା। ଯେତେସବୁ ଫେଚେକାମୀ ଖାଲି ତୋ ସ୍ତ୍ରୀ ର। ଗିଳିଲା ବେଳକୁ ତ କଂସାଏ ଭାତ ନିଅଂଟ ହେଉଛି। କାମ କଲାବେଳକୁ ହଂସା ଉଡିଯାଉଛି।
ହେଲେ ଆଜି ଏତେବଡ଼ ପରିବର୍ତ୍ତନ କଣ ପାଇଁ? ଭାଉଜ କିଛି କାମ ନ କରି ଘରଟାରେ ଶୋଇ ରହିଛନ୍ତି, ମା ତାଙ୍କୁ ଉଠେଇ ଗେଲେଇକି ଖୁଆଇ ଦେଉଛି। କଣ ପାଇଁ ଏପରି ଭେଦ ଭାବ? କଣ ମା ଖାଲି ଭାଇକୁ ଅନ୍ତଫାଡ଼ି ଜନ୍ମ ଦେଇଛି ଆଉ ତାକୁ ଅଳିଆ ଗଦାରୁ ଗୋଟେଇ ଆଣିଛି?
ଭାଇ ତ ରହିଲା ସୁଦୂର ମୁମ୍ବାଇରେ। ଦିନେ ବି ଜମିକଥା ବୁଝେନି। ବଳଦ ଦିଟା ସହ ନିଜେ ବି ବଳଦ ସାଜି ମାଟି ସାଙ୍ଗେ ମାଟି ହେଇ ସେ ଜମିରେ କାମ କରେ। ସୁନା ଫଳାଏ। ସେ ଖାଇଲା କି ନଖାଇଲା ମା କେବେ ବୁଝେନି। ହେଲେ ବର୍ଷକୁ ଥରେ ଭାଇ ଆସେ ଆଉ ତା ପାଇଁ ଏପରି ରାଜକୀୟ ଚର୍ଚ୍ଚା ଚାଲେ।
ମା - ବାପାଙ୍କ ସେବାରେ ସେ କେବେବି ଅବହେଳା କରେନି। ସାନଭାଇ କଲେଜରେ ପଢ଼େ ବୋଲି ତାକୁ କେବେ ବି ଘରର ଅଭାବ ଅସୁବିଧା କିଛି ଜଣାଏନି। ମନ ଟା ତାର ଭାରି ହେଇ ଯାଉଥିଲା। ତା ତଣ୍ଟି ଅଠା ଅଠା ଲାଗୁଥିଲା। ପାଣି ଟିକିଏ ପିଇବ ବୋଲି ରୋଷେଇ ଘରକୁ ଗଲାବେଳେ ଦେଖିଲା ଭାଇ ମା ହାତକୁ ଟଙ୍କା ବଢ଼େଇ ଦେଇ କହିଲେ
- ନେ ଦଶ ହଜାର ଟଙ୍କା ରଖ। ତୋ ପାଇଁ ହଳେ ସୁନା କାନଫୁଲ କରିବୁ। ଇମିଟେସନ ପିନ୍ଧି ପିନ୍ଧି ତୋ କାନ ଘୋରି ହେଇଗଲାଣି। ଦି ଖଣ୍ଡ ନୂଆ ଦାମୀ ଶାଢ଼ୀ କିଣିବୁ। ଏ କସ୍ତା ଲୁଗାଟା ଖାଲି ତେଲ ତେଲ ଗନ୍ଧଉଛି। ମୁଁ ଆର ବର୍ଷ ଆସିଲା ବେଳକୁ ଯେମିତି ସଫା ଶାଢ଼ୀ ପିନ୍ଧି ମୋ ପାଇଁ ରୋଷେଇ କରିବୁ। ଆର ଥର ପୋଡ଼ା ମାଂସ ଓ ଅରୁଆ ଭାତରେ ଦେଶୀ ଘିଅ ପକେଇ ଟିକିଏ ଦେବୁ। ଏଥର ଯାହି ତାହିରେ ଚଳେଇ ଦେଲି। ଏ ମୋବାଇଲ ଫୋନ ଟା ରଖ। ମୋ ପାଖରେ ବେକାର ଟାରେ ପଡ଼ି ରହିଛି। ହଁ ସଦାବେଳେ ଫୋନ କରି ଡିଷ୍ଟର୍ବ କରିବୁନି। ଅତି ଜରୁରୀ ଥିଲେ କରିବୁ। ମୁଁ କେବେ ପୁଣି ଆସିବି ତୋତେ ଫୋନ ରେ କହିବି। ଯାଉଛି।
ମା ଖୁସିରେ ଭାଇକୁ ଛାତିରେ କୁଣ୍ଢେଇ ଧରି କହିଲା
- ଧନ ତୁ ହି ମୋ ମନ କଥା ବୁଝୁଛୁ। ଏ ମଝିଆଟା ଖାଲି ଯାହା ଗଣ୍ଡେ ଖାଇବାକୁ ଦେଉଛି ବୋଲି ତା ପାଖେ ଏମିତି ପଡ଼ି ରହିଛି। ତୁ ତୋ ବାପାକୁ ଓ ମୋତେ ତୋ ପାଖକୁ ନେଇଯା।
- ହେ ତୁ ମୁମ୍ବାଇ ଆସି କଣ କରିବୁ। ନା ସେଠିକା ଭାଷା ବୁଝିପାରିବୁ, ନା ଚାଲିଚଳଣୀ । ଆର ଥର ଆଉ ପାଞ୍ଚ ହଜାର ଅଧିକା ଦେବି। ତୁ ଏଇଠି ରହ।
- ହଉ ବାପ ରାଗେନା। ମୋ ଧନ ଟା ପରା।
ଏହାକହି ମା ଅତି ଖୁସିରେ ଟଙ୍କା ଗୁଡ଼ିକୁ କାନିରେ ବାନ୍ଧିଲା।
ଓଃ ଏଥିପାଇଁ ଭାଇ ପ୍ରତି ମା ର ଏତେ ଆସକ୍ତି। ପ୍ରତିଦିନ ଶୋଇବା ପୂର୍ବରୁ ସେ ମା ବାପାଙ୍କ ଗୋଡ଼ ଘଷି ଦେଉଛି। ସୁମି ମା'ର ଲୁଗା କଚାଠାରୁ ଆରମ୍ଭ କରି ତାର ମୁଣ୍ଡ କୁଣ୍ଡା ଯାଏ ସବୁ ଟିକିନିଖି କାମ କରୁଛି , ଏସବୁର ତେବେ ମୂଲ୍ୟ କଣ ନାହିଁ? ବାପାଙ୍କ ଔଷଧ, ସାନଭାଇର ପାଠପଢା ଖର୍ଚ୍ଚ କେଉଁଥିରେ ବି ସେ ଅବହେଳା କରିନି।
ହଁ ଏଇଟା ସତ କଥା ଯେ ସେ ମା ହାତରେ କେବେ ଟଙ୍କାଟିଏ ଦେଇନି। ହେଲେ ଘରର ସବୁ ଆବଶ୍ୟକତା ପୂରଣ କରୁ କରୁ ତା ଅଣ୍ଟା ନଇଁ ଯାଏ। ନିଜ ଚପଲ ଟି ଛିଣ୍ଡି ଯାଇଥିଲେ ବି ସେଥିରେ ସେଫ୍ଟିପିନ୍ ଗେଞ୍ଜି କାମ ଚଳେଇ ଦେଉଛି। ଗରମ ଗରମ ଲୁହ କେଇବୁନ୍ଦା ତା ଅଜାଣତରେ ଆଖିରୁ ଖସି ଆସିଲା।
ତା ସାନଝିଅ ମାନି ତାକୁ ଦେଖି କହିଲା
- ବାବା ନେଲ ଏ ରଫ୍ ଖାତାଟିକୁ ଅଳିଆ ଗଦାରେ ଫୋଫାଡ଼ି ଦେବ। ଖାତାଟି ସରି ଯାଇଛି, ଖାଲିଟାରେ ବହି ଥାକ ଗହଳି ହେଉଛି।
ମଝିଆ ପୁଅ ଭାବୁଥିଲା ସିଏ ଆଉ ସେଇ ରଫ୍ ଖାତା ନୁହେଁ ତ? କୌଣସି ଜଟିଳ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରଫ୍ ରେ ତାକୁ ପ୍ରଥମେ କଷିବାକୁ ପଡ଼େ ହେଲେ ରଫ୍ ଖାତା ଟି ତା ଜୀବନ କାଳରେ କେବେ ବି ପ୍ରଶଂସା ସାଉଁଟେନି। ଏଇ ଜୀବନର ଅଙ୍କକଷାରେ ସେ କେତେବେଳେ ରଫ୍ ଖାତାଟିଏ ପାଲଟି ଗଲା ଜାଣିପାରିଲାନି।
-------