Anita Dash

Abstract Inspirational Others

4.4  

Anita Dash

Abstract Inspirational Others

ରଖେ ହରିତ ମାରେ କିଏ!

ରଖେ ହରିତ ମାରେ କିଏ!

3 mins
380



ରାତି ଏଗାରଟା ପଇଁତିରିଶ! ଟିଭିର ଏକ ସିରିୟଲ ଦେଖୁ ଦେଖୁ ଆଖିପତା ମାଡି ଆସିଲା କଳ୍ପନାଙ୍କର। ଉପରଘରେ ଏକାନ୍ତ ବାସରେ ସ୍ୱାମୀ। ଗତ ଚାରିଦିନ ହେବ ମହାମାରୀ କରୋନାରେ ଆକ୍ରାନ୍ତ ହେବାପରେ ସେ ଶଯ୍ୟାଶାୟୀ। ପାଖରେ ଥାଇବି କିଛି କରିପାରୁନଥିବା ଅଭାବବୋଧକୁ ଯେତିକି ଅନୁଭବ କରୁଛନ୍ତି, ତା ଠାରୁ ଅଧିକ ଅଣନିଶ୍ୱାସୀ କରୁଛି ଏ ସାମାଜିକ ବାସନ୍ଦ। ଘର ସାମ୍ନାରେ ନାଲି ରଙ୍ଗର ରିବନ୍ ବନ୍ଧାହେବା ପରଠୁ ଲାଗୁଛି ସତେ ଯେମିତି ସେମାନେ ଏବେ ନିହାତି ଏକୁଟିଆ ହୋଇ ଯାଇଛନ୍ତି ।


କଳ୍ପନା ଶୋଇବାକୁ ଯାଉଛନ୍ତି, ହଠାତ୍ ତାଙ୍କ ମୋବାଇଲ୍ ବାଜି ଉଠିଲା। ଏ ରାତି ଅଧରେ କାହାର ଏ କଲ୍ ! ନିଦ ମଳ ମଳ ହୋଇ ଆଖି ମକଚି ମକଚି ମୋବାଇଲ୍ ଟିକୁ ଅନାଇଲା ବେଳକୁ ସ୍ୱାମୀ ପଙ୍କଜଙ୍କ କଲ୍ ! କଲ୍ ରିସିଭ୍ କରୁ କରୁ "କଅଅଅ ପୁଉଉଉଉଉ", ଏମିତି ଅସ୍ପଷ୍ଟ ସ୍ୱରଟି ଶୁଣି ଦେହଟା ଶୀତେଇ ଉଠିଲା ତାଙ୍କର ! କିଛି ଉତ୍ତର ଦେବା ଆଗରୁ ଏକ ନିଶ୍ୱାସରେ ସିଡି ଡେଇଁ ଡେଇଁ ଯାଇ ଉପର ମହଲାରେ ପହଂଚି, ସ୍ୱାମୀଙ୍କୁ ଖଟ ବାଡ଼ରେ ଆଉଜିକି ଛଟପଟ ହେଉଥିବାର ଦେଖି ପାଦ ତଳର ଚଟାଣଟା ଧସିଯିବା ପରି ମନେହେଲା କଳ୍ପନାଙ୍କୁ ।


ପାଖକୁ ଯାଇ ଦେଖିଲା ବେଳକୁ ଗମ୍ ଗମ୍ ଝାଳରେ ଜୁଡୁବୁଡୁ ହୋଇ ଗଲେଣି ସେ। ତର ତରରେ ଡ୍ରୟର ଖୋଲି ସର୍ଭାଇକାଲ୍ ଟାବଲେଟଟିଏ ସ୍ୱାମୀଙ୍କ ଜିଭ ତଳେ ରଖି ଦେଇ, ଘରେ ମହଜୁଦ ଥିବା ସ୍ପାଇରୋମମନୋ ମିଟର ଓ ଗ୍ଲୁକୋ ମିଟରରେ ବ୍ଳଡ୍ ପ୍ରେସର୍ ତଥା ସୁଗାର୍ ମାପି ଦେଖିଲା ବେଳକୁ, ଦୁଇଟାଯାକ ଅସମ୍ଭବ ମାତ୍ରାରେ ବଢି ଯାଇଛି। ଚତୁର୍ଦ୍ଦିଗ ଅନ୍ଧାର ଦିଶୁଥିଲା କଲ୍ପନାକୁ। ପାଣି ଟୋପାଏ ବି ପାଟିରେ ଢ଼ୋକି ପାରୁ ନଥାନ୍ତି ତାଙ୍କ ସ୍ୱାମୀ। ତୁରନ୍ତ ମେଡିକାଲ ଏମର୍ଜେନ୍ସିରେ ପାଖ କୋଭିଡ୍ ହସ୍ପିଟାଲକୁ ନେଇଯିବାକୁ ୧୦୪ ନମ୍ବରକୁ କଲ୍ କରି, ସ୍ୱାମୀଙ୍କୁ ନିଜ ଛାତିରେ ଆଉଜେଇ କିଂକର୍ତ୍ତବ୍ୟ ବିମୂଢ ହୋଇ ତାଙ୍କ ଛାତିକୁ ଆଉଁସି ଆଉଁସି ଈଶ୍ବରଙ୍କୁ ସ୍ମରଣ କରି ଆମ୍ବୁଲାନ୍ସକୁ ଅପେକ୍ଷା କରୁଥାନ୍ତି କଳ୍ପନା। 


ଏ କଣ ! ଆସି ୧୫ ମିନଟ ହେଲାଣି, ହେଲେ ଆମ୍ବୁଲାନ୍ସର ଏ ପର୍ଯ୍ୟନ୍ତ ଦେଖା ନାହିଁ ! ଆରେ ! ପଙ୍କଜ ବେଳକୁ ବେଳ ଏମିତି ନିସ୍ତେଜ ହେଇଯାଉଛନ୍ତି କାହିଁକି? ଡାକିଲେବି ଆଉ ଶୁଣୁ ନାହାନ୍ତି ଯେ! ଚେତାଶୂନ୍ୟ ହେଇ ଗଲେକି ଆଉ! ସ୍ୱାମୀଙ୍କର ଏ ଅବସ୍ଥା ଦେଖି ଆଶଙ୍କା ଆଉ ଅନିଶ୍ଚିତତାରେ ବରଡା ପତ୍ର ପରି ଥରିବାକୁ ଲାଗିଲେ କଳ୍ପନା । ଡ୍ରାଇଭରର ଦୁଇ ଦୁଇଟା ନମ୍ବରକୁ କଲ୍ କରି ଥକି ଗଲେଣି ସିନା, କେହି ରିସିଭ୍ କରୁ ନାହାନ୍ତି । ଏବେ ତ ନାଲି ଫିତା ପାଇଁ କୋଉ ଓଲା ବା ଉବେର ବି ଆସିବେନାହିଁ। 


ସତରେ; "ବେଙ୍ଗ କହେ ବେଙ୍ଗୁଲୀଲୋ, ମହୀ କ୍ଷଣ କ୍ଷଣକୁ ଆନ"! ଏଇ ଦିନ ଚାରିଟାରେ ଦୁନିଆଟା କେତେଯେ ବଦଳି ଗଲା ସତେ !

ନାଁ ! ଆଉ କାହାକୁ ଅପେକ୍ଷା କରିବେନି ସେ। ଅଦୂରରୁ ହଠାତ୍ ଯେମିତି ପ୍ରତିଧ୍ୱନିତ ହେଲା  ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ଅତି ପ୍ରିୟ ସଂଗୀତଟି; " ଯଦି ତୋର୍ ଡାକ୍ ଶୁନେ କେଉ ନା ଆସେ ତୋବେ ଏକଲା ଚୋଲରେ ।....... "


ଅମାବାସ୍ୟାର ବର୍ଷଣ ମୁଖର ରାତ୍ରିରେ ବିଜୁଳିର ଚମକ ପଥିକଟିକୁ ପଥ କଢାଇବା ପରି, କଳ୍ପନାଙ୍କ ମନରେ ଏକ ଅପୂର୍ବ ସାହସର ସଂଚାର ହୋଇ ଉଠିଲା ତତ୍କ୍ଷଣାତ ! ଦୌଡ଼ି ଯାଇ ଗ୍ୟାରେଜ୍ ଖୋଲି ଗାଡି ବାହାର କରି, ପୁଣି ଉପର ମହଲାକୁ ଆସି ସ୍ୱାମୀଙ୍କୁ କାନ୍ଧରେ ପକାଇ, ଏକ ପ୍ରକାରରେ ଘୋଷାରି ଘୋଷାରି ନେଲାପରି ସିଡି ଓଲ୍ହାଇ ସିଧା କାର୍ ର ପଛ ସିଟ୍ ରେ ଶୁଆଇ ଦେଇ ଡ୍ରାଇଭର ସିଟ୍ ରେ ବସିପଡ଼ିଲେ ନିଜେ।


ଜୀବନରେ ଆଜି ପ୍ରଥମ ଥର ପାଇଁ ଏକେଲା ଡ୍ରାଇଭ୍ କରୁ ଥିବାରୁ ଷ୍ଟିଅରିଂରେ ହାତ ଥରୁଥିଲେ ମଧ୍ୟ, ଦୃଢ ମନୋବଳ ନେଇ ଆଗେଇ ଚାଲିଥାନ୍ତି ସେ କୋଭିଡ୍ ହସ୍ପିଟାଲ ଅଭିମୁଖେ। ଡ୍ରାଇଭିଂ ଶିଖାଇ ଦେବା ପାଇଁ କହି, ପଙ୍କଜ କେତେ ଥର ବାଧ୍ୟ କରି କରି ତାଙ୍କୁ ଘର ପଛ ପଡିଆକୁ ନେଇ ଯାଉଥିଲେ ମଧ୍ୟ ଏକଲା ଷ୍ଟିଅରିଙ୍ଗ୍ ଧରି ଗାଡି ଚଳାଇବାକୁ ଖୁବ୍ ଭୟ କରୁଥିଲେ କଳ୍ପନା। ମାତ୍ର ସେହି ସମୟର ସେହି କିଂଚିତ୍ ଜ୍ଞାନ ତାଙ୍କ ପାଇଁ ଆଜି ବରଦାନ ସାବ୍ୟସ୍ତ ହୋଇ ପାରିଥିଲା ଯେମିତି। 


ଅଧା ଘଂଟାର ବାଟକୁ ୧୫ ମିନଟରେ ପାର କରି କୋଭିଡ୍ ହସ୍ପିଟାଲ ଏମର୍ଜେନ୍ସିରେ ପହଞ୍ଚିବା ପରେ, ସେମାନେ ସଂଗେ ସଂଗେ ତାଙ୍କ ସ୍ୱାମୀଙ୍କୁ ନେଇ ଆଶୁ ଚିକିତ୍ସା ପାଇଁ କ୍ରିଟିକାଲ୍ କେୟାର୍ ୟୁନିଟରେ ଆଡମିଶନ୍ କରି ଦେଲେ।

 ଓହୋ! ସାମାନ୍ୟ ଆଶ୍ୱସ୍ତ ବୋଧ କରି ସମର୍ପଣ ମୁଦ୍ରାରେ ଉପରକୁ ଦୁଇ ହାତ ଟେକି ଦେଇ ସ୍ୱାମୀଙ୍କ ଦୀର୍ଘ ଜୀବନର କାମନା କରୁଥିଲେ କଳ୍ପନା।


ଦୀର୍ଘ ଚାରି ଦିନର ନିରବଚ୍ଛିନ୍ନ ପ୍ରତୀକ୍ଷା ପରେ ହସ୍ପିଟାଲରୁ ଭିତିରି ଖବରରୁ ଜାଣିବାକୁ ପାଇଲେ ଯେ, ସେଦିନ ପଙ୍କଜଙ୍କର ସେଇଟା ଗୋଟେ ବଡ ଧରଣର ଷ୍ଟ୍ରୋକ୍ ଥିଲା। ଆଉ କିଛି ସମୟ ବିଳମ୍ବ ହୋଇଥିଲେ ହୁଏତ କଳ୍ପନା ତାଙ୍କୁ ସବୁ ଦିନ ପାଇଁ  ହରାଇ ବସିଥାନ୍ତେ ବୋଧହୁଏ ! ଈଶ୍ବରଙ୍କୁ ମନେ ମନେ ଅଜସ୍ର ଧନ୍ୟବାଦ ଦେଇ ଗୁଣୁ ଗୁଣୁ ହୋଇ କହି ଉଠିଲେ ସେ; "ସତରେ! ରଖେ ହରି ତ ମାରେ କିଏ? ସବୁତ ତାଙ୍କରି ଲୀଳା ଖେଳା। ତାଙ୍କରି ଇଚ୍ଛା ପୂର୍ତ୍ତି ପାଇଁ ଆମେ ସବୁତ ଗୋଟିଏ ଗୋଟିଏ ମାଧ୍ୟମ ମାତ୍ର। ହେ ପତିତ ପାବନ ମହାବାହୁ! ମାନବ ସମାଜକୁ ଏହି ମହା ଵିପତ୍ତିରୁ ରକ୍ଷା କର ପ୍ରଭୁ !


Rate this content
Log in

Similar oriya story from Abstract