Anita Dash

Abstract Tragedy Others

3.5  

Anita Dash

Abstract Tragedy Others

ବଡ ଘର ବଡ ଗୁମର କଥା

ବଡ ଘର ବଡ ଗୁମର କଥା

3 mins
290


ମା ସୁମି! ଏଇ ଦେଖିଲୁ ମା। ମୋ ଆଡେ ଟିକିଏ ଚାହାଁ। ମୁଁ ତୋ ବୋଉ ଆସିଛି ପରା। ତୋର ଅତି ପ୍ରିୟ ଚିନି ଆରିଷା ଆଣିଛି। ଟିକିଏ ପାଖକୁ ଆସିଲୁ ରେ ଧନ, ଆଁ କଲୁ। ଗୋଟିଏ ଆରିଷା ଖୁଆଇ ଦେବି। ଆଉ ଦେଖେ, ଆମ ତଳ ବାଡି ସୁନ୍ଦରୀ ଆମ୍ବ। କାଲି ଶନିଆଁ କୁ କହି ଗଛରୁ ତୋଳେଇ ଆଣିଛି ପରା।

ମା ରେ! ମନେ ପକେଇଲୁ ଦେଖି, କେମିତି ତୁ ଫି ସାଲ ଭଲ ଭଲ ସୁନ୍ଦରୀ ଆମ୍ବ ଆଗ ବାଛିକି ଲୁଚାଇ ରଖିଦଉ। ଏ ସନ ଗଛରେ ବହୁତ ଆମ୍ବ ହେଇଛିରେ ମା। ତୁ ଗଲେ ଖାଇବୁ। ତୋର କିଛି ହୋଇନିରେ ଧନ। ମୋ କୋଳରେ ଟିକିଏ ଶୋଇପଡେ। ମୁଁ ତୋ ମୁଣ୍ଡଟାକୁ ଟିକିଏ ଆଉଁସି ଦେବି। ମୋ ମା ର ଏଡେ ସୁନ୍ଦର ମୁହଁଟା ଏମିତି ଝାଉଁଳି କାହିଁକି ପଡିଛି ? ଏ ସୁମି! ସୁମିଲୋ! ମୋ ଆଡେ ଚାହୁଁନୁ କାହିଁକି? ତୋ ଜନମ କଲା ବୋଉକୁ ବି ତୁ ଚିହ୍ନି ପାରୁନୁ? ହେ ଭଗବାନ!! ଏଇଆ ଦେଖେଇବାକୁ ମତେ ଏତେ ସାଂଘାତିକ ରୋଗରୁ ବଂଚେଇକି ରଖଲ ପ୍ରଭୁ? ଭୋ ଭୋ ରଡି ପକେଇ କାନ୍ଦି କାନ୍ଦି ଡାକ୍ତରଖାନା କାନ୍ଥରେ ପାଗେଳି ପରି ମୁଣ୍ଡ ପିଟୁଥିଲେ ବାସନ୍ତୀ ମାଉସୀ ; ଜନ୍ମଦାତ୍ରୀ ମା। ହସ୍ପିଟାଲ ବେଡ୍ ରେ ମୁର୍ମୂଷ ଅବସ୍ଥାରେ ପଡି ରହିଥିଲେ ସହରର ନାମି ଦାମୀ ଶିଳ୍ପପତି ରମେଶ ରାୟଙ୍କ ଧର୍ମ ପତ୍ନୀ ମିସେସ୍ ସୁମିତ୍ରା ରାୟ।

××××××

ଗତ କାଲି ମଧ୍ୟ ରାତିରେ ଷ୍ଟେସନ ପାଖରେ ନାଇଟ୍ ଡିଉଟିରେ ଥିଲାବେଳେ ଜନୈକା ମହିଳା ଦୌଡି ଦୌଡି ଟ୍ରେନ୍ ଲାଇନ୍ ଆଡକୁ ଆସୁଥିବାର ଦେଖିଲେ ରେଲୱେ ମେଣ୍ଟେନାନ୍ସ ଜୁନିୟର ଇଂଜିନିୟର ବିପ୍ଳବ ମହାନ୍ତି। ଚାହୁଁ ଚାହୁଁ ସେ ଭଦ୍ର ମହିଳା କଣ ଲାଇନ୍ ଉପରେ ଶୋଇଗଲେ!!! ଆତ୍ମହତ୍ୟା ପାଇଁ ଆସିଥିବା ନିଶ୍ଚିନ୍ତ ହୋଇ ଜଣେ ରେଲୱେ କନେଷ୍ଟବଳ ସହାୟତାରେ ତାଙ୍କୁ ଲାଇନ୍ ବାହାରକୁ ଟାଣି ଆଣି ଉଦ୍ଧାର କରିଥିଲେ ।

ମହିଳା ଜଣଙ୍କ ବିକଳ ହୋଇ କାନ୍ଦି କାନ୍ଦି ଚିତ୍କାର କରି କହୁଥାନ୍ତି; ମତେ ଛାଡିଦିଅ ପ୍ଲୀଜ। ମୁଁ ବଂଚିବାକୁ ଚାହେଁନା। ଜୀବନର ଅସହ୍ୟ ଯନ୍ତ୍ରଣା ଠାରୁ ଦୂରେଇ ଯାଇ, ଚିର ଶାନ୍ତିର ନିଦରେ ଶୋଇ ଯିବାକୁ ଚାହେଁ । ମତେ ଟିକିଏ ଶାନ୍ତିରେ ରହିବାକୁ ଦିଅ।

ଇସ୍!! ତାଙ୍କ ପାଟିରୁ ଖାଲି ଉତ୍କଟ ଔଷଧୀୟ ଗନ୍ଧ। ଆରେ! ଇଏ ତ ମୋ ପ୍ରିୟ ସୁମି ନାନୀ। ଆମ ପଞ୍ଚାୟତର ସୁନାନାକି, ସର୍ବଗୁଣ ସମ୍ପର୍ଣ୍ଣା ଝିଅଟି। ମୋ ନିଜ ଆଖିକୁ ନିଜେ ବିଶ୍ବାସ କରି ପାରିଲିନି କିଛି ସମୟ ପାଇଁ। ସବୁବେଳେ ଜୀବନକୁ ଭରପୁର ଜୀଇଁ ଆସିଥିବା ଖୁସ୍ ମିଜାଜ୍‌ ଆଉ ହସୁକୁରୀ ସୁମି ନାନୀ ପୁଣି ନିଜ ଜୀବନକୁ ଶେଷ କରିବା ପାଇଁ ଏତେ ବ୍ୟଗ୍ର! ଅନ୍ୟ ମାନଙ୍କୁ ଜୀବନ ଦର୍ଶନର ଶିକ୍ଷା ଦେଉଥିବା ମୋ ପଡୋଶୀ ତଥା ବାଲ୍ୟ ଶିକ୍ଷୟତ୍ରୀ ସୁମି ନାନୀ ପୁଣି ଜୀବନ ପ୍ରତି ଏମିତି ବିତସ୍ପୃହ କଣପାଇଁ!

ଗୋଡ ହାତ ମୋର ଆଶଙ୍କାରେ ଥରିବାକୁ ଲାଗିଲା। ମନରେ ସାହାସ ବାନ୍ଧି ତାକୁ ମୋ ପରିଚୟ ଦେବାରୁ ସେ ମତେ ଜାବୁଡି ଧରି ଖନେଇ ଖନେଇ କହିବାକୁ ଲାଗିଲା; "ଆରେ ବୁଲୁ! ତୋର ତେବେ ଏଇଠି ପୋଷ୍ଟିଙ୍ଗ୍? ମୁଁ ତତେ ହାଇସ୍କୁଲ ଯାଏଁ କେତେ ଅଙ୍କ ବିଜ୍ଞାନ ଆଉ ଇଂରାଜୀ ପଢେଇଛି। ଦୀନା ମଉସା (ତୋ ବାପା) ଯେତେ ଥର ମତେ ମୋର ପାଉଣା (ଟଙ୍କା) ଯାଚିଛନ୍ତି, ମୁଁ ମନା କରିଛି। ତୋର ମନେ ଅଛି ନା, ତୁ ଚାକିରି କଲା ପରେ ମୋ ସବୁ ପାଉଣା ଶୁଝି ଦେବୁ ବୋଲି ତାଙ୍କୁ କହିବା ପରଠାରୁ ସେ ଚୁପ୍ ରହିଥିଲେ। ମୁଁ ଆଜି ତତେ ସେହି ପାଉଣା ମାଗୁଛିରେ। ---- ମୁଁ ୫୦୦ ମିଲି ଡେଟଲ୍ ପିଇ ଦେଇଛି। ତଣ୍ଟି ଛାତି ପୋଡି ଯାଉଛି। ଆଉ ଟିକିଏ ସହଜ ମରଣ ପାଇଁ ରେଳ ଧାରଣାକୁ ଧାଇଁ ଆସିଥିଲି ଯେ, ତୋ ହାବୁଡ଼ରେ ପଡ଼ିଲି। ତତେ ଗୁହାରି କରୁଛିରେ, ମୋ ଶାଶୁ ଘରକୁ ଆଉ ନେଏନି ମତେ। ମୋ ମରଣ ଯେମିତି ସେ ନର୍କପୁରୀରେ ନହେଉ। ପ୍ଳିଜ ....ପ୍ଳିଜ... ବୁଉଉଉ।"

ବାସ୍ ଏତିକି କହି ତଳେ କଚାଡି ହୋଇ ପଡିବା ଆଗରୁ କୋଳେଇ ନେଇଥିଲି ମୋ ପ୍ରିୟ ସୁମି ନାନୀ କୁ। ଡରରେ ଥରି ଥରି ନାକରେ ହାତ ମାରି ଦେଖିଲି ଯେ ସେ ଅଚେତ ହୋଇ ପଡିଛି ଆଉ ତାର ପାଦ ପୂରା ହିମ କାକର। ହାତ ମୁଠାରୁ ଗୋଟିଏ ହାତ ଲେଖା କାଗଜ ଟିଏ ପକେଟ୍ ଭିତରେ ରଖିଲି। ଆଉ ଆଗ ପଛ ବିଚାର ନ କରି ତୁରନ୍ତ ସେ କନେଷ୍ଟବଳର ସହାୟତା ରେ ମୋ କାର୍ ରେ ବସେଇ ସିଧା ମୋର ଗୋଟିଏ ଜଣା ଶୁଣା ପ୍ରାଇଭେଟ ହସ୍ପିଟାଲରେ ମୋ ନିଜ ରିସ୍କରେ ଆଡମିଶନ୍ କରିଦେଇ ଆଉ ସୁମି ନାନୀର ସାନ ଭାଇ ସନ୍ତୋଷକୁ ଫୋନ୍ କରି ଦେଇଥିଲି।

ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ଵେ, ସୁମି ନାନୀ ଆମର ଗଛ ପତର କନ୍ଦେଇ ଦେଇ ଚିର ଶାନ୍ତିରେ ଶୋଇଗଲା। ଅସହ୍ୟ ଦୁଃଖରେ ମାଉସୀ ବାରମ୍ବାର ସଜ୍ଞାହୀନା ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଆଡମିଶନ୍ କରି ଦିଆଗଲା। ସୁମି ନାନୀର ସାନ ଭାଇ ସନ୍ତୋଷ ମତେ କୁଣ୍ଢେଇ ଧରି ବଡ ପାଟିରେ କହିବାକୁ ଲାଗିଲା, " ନାନୀ ଏମିତି କଣ ପାଇଁ କଲା; ବୁନୁ ଭାଇ?? କେତେ ବଡ ଲୋକ ଘରେ ବାହା ହୋଇଥିଲା। ଭିଣୋଇ ଆମର ତାଙ୍କ ଆଡୁ ପ୍ରସଙ୍ଗ ପକେଇ ବହୁତ ଖୋସାମତ କରି ତାକୁ ରାଜି କରେଇ ଥିଲେ। ସୁମି ନାନୀର ତ ଏକା ଜିଦ୍ ଥିଲା କି ସେ ଓ:ଏ:ସ୍ ର ମେନ୍ ପାଇଁ ପଢା ପଢି କରିବ। ବାହାଘରର ଦୁଇ ବରଷ ବି ପୂରିନି ଏବେ ଯାଏଁ !"

ପ୍ରଶ୍ନବାଚୀର କାଠଗଡାରେ ଠିଆ ହୋଇ ମୁଁ ଅବାକ୍ ହୋଇ ଯାଇଥିଲି। ଆଖିରୁ ବୋହି ଯାଉଥିବା ଅମାନିଆଁ ଅଶ୍ରୁଧାରକୁ ପୋଛି ଦେଇ, ସନ୍ତୋଷକୁ ବୋଧ ଦେଉ ଦେଉ ମୋ ପାଟିରୁ ଆପେ ଆପେ ବାହାରିଗଲା;

"ବଡ ଘର ବଡ ଗୁମର କଥା।" ....


Rate this content
Log in

Similar oriya story from Abstract