Anita Dash

Others

4.3  

Anita Dash

Others

ବ୍ୟସ୍ତ ଜୀବନର କିଛି ଅଭୁଲା ସ୍ମୃତି

ବ୍ୟସ୍ତ ଜୀବନର କିଛି ଅଭୁଲା ସ୍ମୃତି

3 mins
258



ଜୀବନ ଓ ଜଞ୍ଜାଳ ପରସ୍ପର ପରିପୂରକ । ଦୁଃଖ ନଥିଲେ ଯେମିତି ସୁଖର ସଂଜ୍ଞା ବୁଝି ହୁଏ ନାହିଁ, ସେମିତି ଜଞ୍ଜାଳ ବିନା ଜୀବନର ସ୍ୱାଦ ବାରି ହୁଏନା ।  

ଏଇମିତି ଟିକିଏ ଜୀବନ ଦର୍ଶନର ଭାବପ୍ରବଣତାରେ ମଜି ଯାଉଥିଲା ବେଳେ ଘଣ୍ଟା କଣ୍ଟାକୁ ଦେଖି ପ୍ରକୃତିସ୍ଥ ହେଲି ।  

ଆଜି ସୋମବାର ବୋଲି ସକାଳୁ ସକାଳୁ ଟିକିଏ ଈଶ୍ୱର ମନ୍ଦିର ଯାଇ ଆସି ସବୁକାମ ସାରିବା ବେଳକୁ ସାଢେ ୯ ଟା ହେଲାଣି । ମୁଣ୍ଡଟାକୁ ସାଉଁଳେଇ ଦେଇ ମୁହଁରେ ଟିକିଏ ପାଉଡର ଆଉ କପାଳରେ ନାଲି ଟିକିଲିଟେ ଥାପି ଭ୍ୟାନିଟି ବ୍ୟାଗଟି ଧରି ଝଅଟ ଝଅଟ ବାହାରି ଗଲି । ମେକ୍ଅପ ନେବାରେ ମୋର ସେମିତି ରୁଚି ନାହିଁ । ବୟସର ଅଠଚାଳିଶଟି ବସନ୍ତ ଅତିକ୍ରମ କରିସାରିଥିଲେ ମଧ୍ୟ ଥରେ ବି ଆଇବ୍ରୋ ସେପ୍ କରିନି କି ବିୟୁଟି ପାର୍ଲର ଯାଇନାହିଁ । କେବେ କେମିତି ଖରା ଦିନେ ମୁହଁ ହାତରେ ଘିମିରି ହେଲେ; ରାତିରେ ଟିକିଏ ନୁଖୁରା ହଳଦୀ ଲଗାଇ ଦେଲେ ସକାଳକୁ ସବୁ ଠିକ୍ ଠାକ୍ । ହଁ ଆଜିକାଲି ବାହାଘର ବ୍ରତଘର ଭୋଜିଭାତ ଇତ୍ୟାଦିରେ ଗଲାବେଳେ ଝିଅମାନେ ବାଧ୍ୟ କରି ଲିପିଷ୍ଟିକ୍ ଲଗେଇ ଦେଉଛନ୍ତି । ସେ ଯାହା ହେଉ, ଶରୀରର କୃତ୍ରିମ ସୌନ୍ଦର୍ଯ୍ୟଠରୁ ଆତ୍ମୀୟ ମୂଲ୍ୟବୋଧର ବିକାଶକୁ ମୁଁ ଅଧିକ ଭଲପାଏ ।  

ଛକରେ ପହଞ୍ଚୁ ପହଞ୍ଚୁ ବସ୍ ମିଳିଗଲା, ହେଲେ ସିଟ୍ ନଥିବାରୁ ଠିଆ ଠିଆ ୩୦ କି:ମି ବାଟ ଯିବାକୁ ପଡିଲା । ଏଇମିତି ପ୍ରାୟ ଘଟେ । ଗାଡିରୁ ଓହ୍ଲାଇ ଅଫିସ୍ ବାଉଣ୍ଡାରି ଛୁଇଁବା ବେଳକୁ ଦିନ ଏଗାରଟା ଟପିଲାଣି । ବାୟୋମେଟ୍ରିକ୍ ଦେଇସାରି ଆଉ ଲିଫ୍ଟ୍ ପାଇଁ ଅପେକ୍ଷା ନକରି ସିଧା ସିଡିରେ ଉଠି ଅଫିସ୍ ରୁମରେ ପହଞ୍ଚିଲା ବେଳକୁ ଆଉ ନିଃଶ୍ୱାସ ଘର ଧରୁ ନଥାଏ ।  

ଭ୍ୟାନିଟି ବ୍ୟାଗରୁ ଇନହେଲର୍ କାଢି ଲାଗ୍ ଲାଗ୍ ଦୁଇଟା ଡୋଜ୍ ନେଲା ପରେ ଯାଇ ଟିକିଏ ଠିକ୍ ଲାଗିଲା । ଢକ୍ ଢକ୍ ଅଧା ବୋତଲ ପାଣି ପିଇ ସିଷ୍ଟମ ଅନ୍ କଲାବେଳକୁ ମୋ ପ୍ରିୟ ଇରା ଦିଦି ଆସି କହିଲେ, "ଅନୀତା! ତୁମର ଆଜି ଏତେ ଡେରି ହେଲା ଯେ, ମୁଁ ୟା ଆଗରୁ ଥରେ ଆସି ଫେରିକି ଗଲିଣି । ତାପରେ ମୋତେ ମିଠାଟିଏ ଖୁଆଇ ହାତକୁ ଗୋଟିଏ ପ୍ୟାକେଟ୍ ଧରେଇ ଦେଇ କହିଲେ, ଏଇଟା ତମ ପାଇଁ ଆଣିଛି । ଖୋଲିକି ଦେଖିଲ ପସନ୍ଦ ହଉଛି ନା ନାହିଁ? ପ୍ୟାକେଟଟି ତତକ୍ଷଣାତ୍ ଖୋଲି ତା ଭିତରେ ଡାଇମଣ୍ଡର ସୁନା ନାକଫୁଲ ଆଉ ପାଉଁଜି ଦେଖି ତୁରନ୍ତ କହିପକେଇଲି, ଦିଦି ୟା ଆଗରୁ ତୁମେ କେତେ କଣ ଗିଫ୍ଟ୍ ଦେଇଛ ମୁଁ ଖୁସିରେ ଗ୍ରହଣ କରିଛି, କିନ୍ତୁ ଆଜି ଏଇ ସୁନା ରୂପା!!! ପ୍ଲିଜ୍ ପ୍ଲିଜ୍, ମତେ ଏହାର ମୂଲ୍ୟ କୁହ, ମୁଁ ଦେଇଦେବି । ନହେଲେ ନେବିନି ।  

ସେନେହ ମିଶା ଅଭିମାନ ଭରା କଣ୍ଠରେ ମୁହଁ ଫୁଲେଇ କହିଉଠିଲେ, ଉପହାରର କଣ ମୂଲ ପଚରାଯାଏ ଅନୀତା!!! ତମ ମାମା (ବୋଉ) ତୁମକୁ ଏତେ କଥା ଦେଉଛନ୍ତି; କାହିଁ କେବେ ତ ଏମିତି କହି ନଥିବ!!! ମୁଁ ଏତେ ଖୁସିରେ ଆଣିଛି! ମତେ ତେବେ ତୁମେ ନିଜର ବୋଲି ଭାବୁନ । ମମତାର ମୂଲ ଆଗରେ ଟଙ୍କା ପଇସାର ମୂଲ ଯେ ତୁଚ୍ଛ ନଗଣ୍ୟ ।  

ସରି ଦିଦି କହି ତତକ୍ଷଣାତ୍ ତାଙ୍କୁ ଜୋରରେ କୁଣ୍ଢେଇ ପକେଇଥିଲି । ଅନ୍ତରର ଆନନ୍ଦ ମିଶା କୋହ, ଆଖି କୋଣରେ ଉବୁଟୁବୁ ହୋଇ ଚଷମା ଫାଙ୍କ ଦେଇ ଚିବୁକକୁ ଛୁଇଁବା ଆଗରୁ ମୁଁ ଦୁଇ ଚାରିଟା କୃତ୍ରିମ ଛିଙ୍କ ଆଉ କାଶ ସହିତ ରୁମାଲରେ ମୁହଁ ପୋଛିବା ବାହାନାରେ, ପୋଛି ପକେଇଲି ।  

ସେଇଠୁ ଆରମ୍ଭ ହୋଇଗଲା ତାଙ୍କର ହିତ ଉପଦେଶର ଲମ୍ବା ଲାଇନ୍: ଅନୀତା ତମେ ଅଫିସ୍ କାମ ଘର କାମ ସବୁଥିରେ ପରଫେକ୍ଟ, କିନ୍ତୁ ନିଜକୁ ଏତେ ଅବହେଳା କରିବା ଜମା ଭଲ ନୁହେଁ । ଏତେ ଦିନ ହେଲା ସେ ଥାଇରଏଡ୍ ଟେଷ୍ଟ କାହିଁକି କରୁନ ? ଆସ୍ଥମା ପାଇଁ ଆଉ ଟିକିଏ କସସ୍ ହୁଅ । ଏତେ କମ୍ପ୍ୟୁଟର ପ୍ରୋଗ୍ରାମିଂ, ଡାଟା ଏଣ୍ଟ୍ରି ପ୍ୟାକେଜ୍, ଏଷ୍ଟିମେସନ୍ ଆଉ ଆନାଲିସିସ୍ ସବୁଥିରେ ପାରଙ୍ଗମ ହେଲେ କଣ ହେଲା; ତୁମେ ଏତେ ସରଳ ଯେ ଲୋକ ଚିହ୍ନି ଶିଖିଲନି । ଇତ୍ୟାଦି ଇତ୍ୟାଦି । ମୁଁ ଖାଲି ଚୁପ୍ ଚାପ୍ ବସି ଶୁଣୁଥିଲି । ଶେଷରେ ହସିହସି କହିଲି, ତମେ ତ ଅଛ ନାଁ ଦିଦି; ମୋ 'ଫ୍ରେଣ୍ଡ୍ ଫିଲୋସଫର୍ ଆଣ୍ଡ୍ ଗାଇଡ୍' ।  

ଏଇମିତି ମୋ ପ୍ରିୟ ଇରା ଦିଦି । ସହାସ୍ୟ ମୁଖମଣ୍ଡଳ, ନିର୍ଭୀକ ସତ୍ୟବାଦୀ ପରୋପକାରୀ ଆଉ ବାହାରକୁ କଠୋର ଜଣା ପଡୁଥିଲେ ବି ଗୋଟିଏ ସୁନ୍ଦର କୋମଳ ହୃଦୟର ଅଧିକାରିଣୀ । ଏଇ କେଇ ବରଷରେ ତାଙ୍କଠାରୁ ମୁଁ ଜୀବନ ଜୀଇଁବାର କଳା ଆଉ ଲୋକ ଚିହ୍ନିବାର କଳା ବହୁତ୍ ଶିଖିଛି । ପିତାମାତାଙ୍କ ଏକମାତ୍ର ସନ୍ତାନ ହୋଇଥିବାରୁ ମୋ ମନରେ ଥିବା ଅବଶୋଷ ତାଙ୍କ ସହିତ ମିଶିବା ପରଠାରୁ ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଯାଇଛି । ତାଙ୍କର ଅନାବିଳ ସ୍ନେହ ମମତା ଭିତରେ ମୁଁ ଗୋଟିଏ ମାତୃତୂଲ୍ୟା ବଡ ଭଉଣୀକୁ ଦେଖି ଆସିଛି ।  

କୌଣସି ରକ୍ତର ସଂପର୍କ ନଥାଇ ମଧ୍ୟ ତାଙ୍କ ସହିତ ଜନ୍ମ ଜନ୍ମାନ୍ତର ବନ୍ଧନର ନିବିଡତାକୁ ବେଶ୍ ହୃଦୟଙ୍ଗମ କରି ପାରିଛି । ମୋ ଜଞ୍ଜାଳମୟ ଜୀବନର କାନଭାସରେ ତାଙ୍କ ପ୍ରତିଛବି ଏମିତି ନିଖୁଣ ଆଉ ସୁନ୍ଦର ଭାବରେ ଆନ୍ତରିକତାର ଅଲିଭା କାଳିରେ ଆଙ୍କି ହୋଇ ଯାଇଛି ଯେ ଯେତେ ଘାତ ପ୍ରତିଘାତର ଝଡ ବର୍ଷା ଆସିଲେ ମଧ୍ୟ ତାହା ସେଇମିତି ଅଲିଭା ହୋଇ ରହିଥିବ ।  

ଦୀର୍ଘ ୭\୮ ମାସ ହେଲା ଚାକିରିରୁ ଅବସର ଗ୍ରହଣ କରିବା ପରଠାରୁ ତାଙ୍କର ସେହି ହସ ହସ ମୁହଁ ଆଉ ପ୍ରାୟତଃ ଦେଖିବାକୁ ପାଇ ପାରୁନାହିଁ ସତ; କିନ୍ତୁ ସେ ମୋ ହୃଦୟ ଭିତରେ ରହିଛନ୍ତି ଆଉ ରହିଥିବେ ସେଇମିତି; ସବୁଦିନ ପାଇଁ । ଲୀଳାମୟ ପ୍ରଭୁ ଜଗନ୍ନାଥଙ୍କ ପାଖରେ ତାଙ୍କର ସୁନ୍ଦର ସୁସ୍ଥ, ସୁଖୀ ତଥା ଦୀର୍ଘ ଜୀବନ କାମନା କରୁଛି ।  



Rate this content
Log in