Nibedita Mishraguru

Abstract Children Stories

4  

Nibedita Mishraguru

Abstract Children Stories

ରଜ ମାଂସ ତରକାରୀ

ରଜ ମାଂସ ତରକାରୀ

5 mins
334



ହଠାତ ବାହାରୁ ଶୁଭିଲା ..ଛୁଆ ସାଆନ୍ତାଣୀ, ଛୁଆ ସାଆନ୍ତାଣୀ |ରାଗ ମୋର ପୁରା ପଞ୍ଚମକୁ ଉଠିଗଲା । ଦୌଡ଼ି ଆସିଲି ବାହାରକୁ । ମୁଁ କଣ ଛୁଆ ? କେତେ ଥର ମନା କଲିଣି ଛୁଆ ସାଆନ୍ତାଣୀ ଡାକିବାକୁ । ଟିକେ ହସି ଦେଇ ବନମାଳିଆ କହିଲା , "ଓହୋ ହୋ ...ଭୁଲ ହେଇଗଲା ଟିକି ସାଆନ୍ତାଣୀ ।" ପୁଣି ରାଗିକି ଚାହିଁଲି ତାକୁ। ଏଥର ସେ ପୁଣି ହସ ଚାପି କାନ ଧରି କହିଲା, "ନାଇଁ ନାଇଁ ..ଆମ ଝିଅ ସାଆନ୍ତାଣୀ ଟି ..ହେଲା ତ ଏଥର ?"ଏତେ ବଡ ଲୋକଟେ କାନ ଧରିବା ଦେଖି ମୁଁ ଟିକେ ଶଙ୍କିଗଲି । ସେମିତି ହସୁଥିଲା ସେ ।"

ହେଇଟି ଶୁଣ ମ, ସାଆନ୍ତାଣୀ ଡାକୁଚନ୍ତି ...ଡେରି ହେଲାଣି ବହୁତ... ଜଲଦି ଖାଇବ ଆସ ।"

 ସକାଳୁ ପରସ୍ତ ପରସ୍ତ ଅଳତା ଲଗାହେଇ ଗନ୍ଧିଆ ଦିଶୁଥିବା ମୋ ଦୁଇ ପାଦକୁ ଟିକେ ଚାହିଁ ନେଇ କହିଲି, "ଏଠି ସେ ନୂଆ ନୂଆବୋଉ ପରା ଅଳତା ଲଗେଇଦେବେ । ତା ପରେ ଯାଇ ଆସିବି ।" "ହଉ ହଉ ..ସାଆନ୍ତାଣୀ ଅପେକ୍ଷା କରିଚନ୍ତି ..ବେଶୀ ଡେରି କରିବନିଟି ..ହେଲା?" ବନମାଳିଆ ଫେରିଗଲା ।

ଭିତରକୁ ଆସିଲି । ମୋ ପାଳି କେତେବେଳେ ଆସିବ କେଜାଣି । ଧାଡିରେ ଆହୁରି ଦୁଇ ଜଣ ଅଛନ୍ତି । କେମିତିଆ ଅଳତା ଲଗଉଚନ୍ତି ଏ ବାଙ୍କୁ ଭାଇନାଙ୍କ ନୂଆବୋଉ । ସମସ୍ତଙ୍କର ସେଇ ଗୋଟିଏ ଚପଲ ଡିଜାଇନ କଣ ମ । ମତେ ଭଲ ଲାଗେନି ଜମା । ତଥାପି ଲଗେଇବାକୁ ପଡିବ, କଣ ଭାବିବେ ନ ହେଲେ ।ଏବେ ପୁଣି ପିଠା ଆଉ ନୂଆବୋଉ ଆଣିଥିବା ମିଠା । ଅଳତା ଲଗେଇ ରଜ ପାନ ଖଣ୍ଡେ ଚଢେଇ ବାହାରିଲି । ପାନ ଖାଇ ଖାଇ ପାଟି କେମିତି ଲାଗିଲାଣି । ବୋଉ ଥିଲେ ଦେଇଥାନ୍ତା ଧରି କି । ଜାଣେ, ମା ତ କିଛି କହିବେନି ।

ଘରକୁ ଯିବା ବାଟରେ ଧୁନ କକେଇଙ୍କ ଘର। ତାଙ୍କ ବଗିଚା ଲେମ୍ବୁ ଗଛରେ ଲେମ୍ବୁ ଭର୍ତ୍ତି । ଦେଖିଲେ ମନ ହଉଚି ଟକା ଟକ ଦି ଚାରିଟା ଛିଣ୍ଡେଇ ପକାନ୍ତି। ଟିକେ ଠିଆ ହେଇ ଚାହିଁଲି ..ନା ଥାଉ..ଆଉ କେବେ । ଆମ ଘର ଆଗ ପଡିଆରେ ବହୁତ ଲୋକ । କବାଡି ଖେଳ ଚାଲିଚି ଲୋକମାନଙ୍କର । ଠିଆ ହେଇ ଦେଖିଲି ଟିକେ । ରାମଲୀଳାର ରାମ , ଲକ୍ଷ୍ମଣ , ବିଭୀଷଣ ,ହନୁମାନ ବି ଖେଳୁଚନ୍ତି। ଚିହ୍ନି ପାରିଲି ବୋଲି ଭାରି ଖୁସି ଲାଗିଲା । ଏଥର ଗେଟ ଟପି ଭିତରେ ପଶିଲି । ମଣ୍ଡପରେ ଜେଜେ,ବୀର ଜେଜେ , ମୂଷା ଜେଜେ ଆଉ ଆହୁରି କେତେଜଣ ଜେଜେ ବସି ପଶା ଖେଳୁଚନ୍ତି । ଜୋରଦାର ହସରେ ସେମାନଙ୍କର ଚାରି ଆଡ କମ୍ପି ଉଠୁଚି । ଆଗକୁ ବଢି ଘରେ ପଶିଲି । ବନମାଳିଆ ବସି ଥିଲା ବାରଣ୍ଡାରେ। ନିଜ ଗୋଡ଼କୁ ଚିପୁ ଥିଲା ।

ମା ଚାହିଁକି ବସିଚନ୍ତି ''ଏ ଯାଏଁ ଖାଇନାହାନ୍ତି । ମୋ ମନ ଖରାପ ଲାଗିଲା ଟିକେ । ସକାଳୁ ଆଜି ସେ ମୋ ପାଇଁ ଭାରି ବ୍ୟସ୍ତ । ପହିଲି ରଜ ..ଆଉ ବୋଉ ପାଖରେ ନାହିଁ ବୋଲି । ଯଦିଓ ଖରା ଛୁଟି ପାଇଁ ମୁ ହିଁ ତାଙ୍କ ସାଙ୍ଗେ ଆସିଥିଲି ଗାଁ କୁ । କଟକରୁ ଗୋଲାପୀ ଛିଟ କନା କକେଇ ଆଣିଦେଇଚନ୍ତି । କିନ୍ତୁ ଫ୍ରକ ସିଲେଇ ହେଇ ପାରିଲାନି । ଗାଁ ରେ ଏଠି କିଛି ଭଲ ମିଳେନି । ରଜରେ ନୂଆ ଫ୍ରକ ନାହିଁ ବୋଲି ଜେଜେ ଆଉ ମାଆଙ୍କ ମନ ଭାରି ଦୁଃଖ । ବୁଲା ବିକାଳୀଠୁ ରିବନ, ଚୁଡ଼ି , ଅଳତା ,ଟିକିଲି ,କୁଙ୍କୁମ ,ନେଲପଲିଶ ବହୁତ କିଛି କିଣା ହେଇଚି ମୋ ପାଇଁ । ସକାଳୁ ସଜ ହେଇ ନାଲି ଫୁଲ ପକା ଫ୍ରକ ପିନ୍ଧି, ମା କରିଥିବା ପୋଡାପିଠା ଖିରୀ ଖାଇ ସାରି ପାନ ଖାଇ ବୁଲି ବାହାରି ଥିଲି ମୁଁ । ନାରାୟଣୀ ଖୁଡି ଆଉ ଥରେ ବାଳ ବାନ୍ଧି ଦେଲେ ମାଆଙ୍କୁ ଭଲ କରି ଆସେନି ବୋଲି । ଚନ୍ଦନ ବି ଲଗେଇ ଦେଲେ । ତା ପରଠୁ ନମା ,ମାମି,ସୁକାନ୍ତି ,ମିଲିଙ୍କ ସହ ସମସ୍ତଙ୍କ ଘର ବୁଲି ବୁଲି ପିଠା ଖିଆ, ପାନ ଖିଆ ଆଉ ଅଳତା ଲଗା ଚାଲିଚି । ଏଇ ଅଖଣ୍ଡ ସ୍ବାଧୀନତା ତ ଗାଁ କୁ ଆସିବାର ପ୍ରଥମ ଆକର୍ଷଣ ।

ଘରେ ପାଦ ଦଉ ଦଉ ମାଆ ଡାକ ପକେଇଲେ ..."ଜଲଦି ଆଲୋ ..ଖାଇବୁ । ଡେରି ହେଲାଣି । ତୋ ପାଇଁ ମାଂସ ରାନ୍ଧିଚି ।"

"ଓଃ ...ମତେ ଟିକେ ବି ଭୋକ ନାହିଁ ମାଆ ..ଜାଣିଚ ସକାଳୁ କେତେ ପିଠା ଖାଇଲିଣି ମୁଁ ..ତୁମେ କି ଜେଜେ କେହି ତ ଖାଇବନି ମାଂସ ..କାଇଁ ରାନ୍ଧୁଥିଲ ଯେ ..ମତେ ବିଲକୁଲ ମନ ନାହିଁ ।"

"ଟିକେ ଖାଇଦେ ଲୋ ମା ..ଖାସ ତୋରି ପାଇଁ ରାନ୍ଧିଚି ମୁଁ। କେମିତି ହେଇଚି ତ ଦେଖେ ।ଆ ମୋ ଧନ ଟା ପରା ..ଟିକେ ଖାଇଦେ ..ଆଉ କିଏ ଖାଇବ କହିଲୁ ।"

ଜମା ଖାଇବିନି କହି ସିଧା ଶୋଇବା ଘରକୁ ଚାଲିଲି ।" ତୁମେ ରଖି ଦିଅ ,ରାତିରେ ଖାଇଦେବି । ବନମାଳିଆକୁ ବି ଦିଅ ।

"ମୁଁ କଣ ଏ ନିଆଁଲଗା ବନମାଳିଆ ପାଇଁ ମାଂସ ରାନ୍ଧିଚି ?ଏତେ କଷ୍ଟ କରି ରାନ୍ଧିଲି । ଏ ଫୁଲେଇ ରାଧୀଟା ଜମା ତ ଶୁଣୁନି ।"ମାଆ କହି ଚାଲିଥିଲେ । ବନମାଳିଆକୁ ଆଗ ଖାଇବାକୁ ଦେଇ ନିଜେ ଖାଇ ବସିଲେ ମାଆ । ମୁଁ ଯାଇ ଶୋଇ ପଡିଲି ।

କେତେବେଳ ଶୋଇଚି ଜାଣିନି । ନମା ଡାକରେ ନିଦ ଭାଙ୍ଗିଲା। ପୁଣି ବୁଲି ବାହାରିଲି ମୁଁ । ପଛରୁ ମାଆଙ୍କ ଡାକ ଶୁଭୁଥିଲା ,"ଆଲୋ ମା ,କଣ ଟିକେ ଖାଇକି ଯା ଲୋ" ଶୁଣିଲିନି କିଛି ମୁଁ ...ମାଆ କହୁଥିଲେ, "ଫୁଲେଇ ରାଧୀ ଡେରି କରିବୁନି ..ଜଲଦି ଆସି ମାଂସ ଖାଇବୁ। ସନ୍ଧ୍ୟା ହେଇ ଯିବ।" 

ବୁଲି ବୁଲି ଡେରିରେ ଥକା ହେଇ ଫେରିଲି ।"ମାଆ, ମୁଁ ଜମା ଖାଇ ପାରିବିନି । ସମସ୍ତେ ଏତେ ଜୋର କରି ପିଠା ଖାଇବାକୁ ଦଉଚନ୍ତି , କଣ କରିବି ଯେ ।"

ମାଆ ଭାରି ବ୍ୟସ୍ତ । "କେତେ ଯତ୍ନରେ ମାଂସ ରାନ୍ଧିଥିଲି ଲୋ ଖାସ ତୋରି ପାଇଁ ..କାଳେ ତୋ ମନ ଦୁଃଖ ହବ ବୋଲି ...ଟିକେ ହେଲେ ଚାଖି ଥାନ୍ତୁ ... ସକାଳୁ ଯାହା ପିଠା ଟିକେ ଖାଇଥିଲୁ ଘରେ ...ପୁଣି ସେ ବନମାଳିଆ ସବୁତକ ମାଂସ ଖାଇବ ..ଆଜି ତ ଭାଗ୍ୟ କରିଚି ।" ମୁଁ ଶୁଣିବା ଅବସ୍ଥା ରେ ନ ଥିଲି କିଛି । ସାଙ୍ଗେ ସାଙ୍ଗେ ଶୋଇ ପଡିଲି ନିଘୋଡ଼ ନିଦରେ । ମାଂସ ଖିଆ ନ ହେଲେ ବି ବେଶ ଆନନ୍ଦ ଓ ମଜାରେ ବିତିଲା ଏଥର ପହିଲି ରଜ ।


ସମୟର ସୁଅ ବହି ଚାଲିଥିଲା ଆଗକୁ। ଗୋଟିକ ପରେ ଗୋଟିଏ ବିତି ଚାଲିଥିଲା କେତେ ରଜ । ଶୈଶବର ଅନେକ ସୁନ୍ଦର ସ୍ମୃତିଙ୍କ ଭିଡରେ କେଉଁଠି ହଜିଗଲା ମାଆଙ୍କ ରଜ ମାଂସ ରାନ୍ଧିବା ଆଉ ମୁଁ ନ ଖାଇବା କଥା । କାହାକୁ କେବେ କହିନି । ମୋର ସ୍କୁଲ ,କଲେଜ ,ବିବାହ ,ମୋର ମା ହବା ଭିତରେ କାଳର କରାଳ ସ୍ରୋତରେ ଭାସି ଯାଇଥିଲେ ଦୁରକୁ ଅତି ଆଦରର ଜେଜେ ଆଉ ମାଆ । ସେମାନେ ଦୁରେଇ ଗଲେ ସିନା ତାଙ୍କ ସହିତ ବିତାଇଥିବା ଅନେକ ସୁନ୍ଦର ସମୟ , ଗାଁରେ ଖରା ଛୁଟି , ରାମଲୀଳା, ଦଶହରା ଛୁଟି ମାନସ ପଟରେ ତାରା ହେଇ ସଦା ଝଟକୁ ଥାନ୍ତି । ସଦା ଝଟକୁ ଥିବେ ମଧ୍ୟ। ଯେବେବି ଆମ ପରିବାର ସଦସ୍ୟ କେତେ ଜଣ ଏକାଠି ହେଉ , ଏମିତି କେବେ ହେଇନି ଗାଁ ର ସେ ଅଭୁଲା ସ୍ମୃତି ରୋମନ୍ଥନ ହୁଏନା । ସୂର୍ଯ୍ୟଙ୍କୁ ଏକ ଲୟରେ ଚାହିଁ ରହି ଜେଜେଙ୍କର ଘଣ୍ଟା ଘଣ୍ଟା ଧ୍ୟାନ କରିବା କଥା। ଟିକେ ସମୟ ପାଇଲେ ମାଆଙ୍କର ବହି ପଢ଼ିବା କଥା। କମଳା ଚକୋଲେଟ୍, ଆଚାର ଚୋରୀ, ରାମଲୀଳା ଆହୁରି ଅନେକ ମଧୁର ସ୍ମୃତିର କଥା।

ଏମିତି ଥରେ ସମସ୍ତେ ଏକାଠି ହେଲା ବେଳେ ବାପା ଗପି ଚାଲିଥିଲେ ତାଙ୍କ ପିଲା ବେଳ ଦୁଷ୍ଟାମୀ କଥା ।ତାପରେ ଏକାଠି ବସି ମଜା କରି ସମସ୍ତେ ଖଳାରେ ମାଂସ ଖାଇବା କଥା । ଘର ଭିତରକୁ ମାଂସ ଆଦୌ ପଶେନା । ଘର ରାନ୍ଧୁଣିଆ ନନା ବି ରାନ୍ଧେନା । ବାହାର ଖଳାରେ ଉଠା ଚୁଲିରେ ରନ୍ଧା ହୁଏ । ଆକୁଳା ଆସି ରାନ୍ଧେ। ସେଦିନ ସମସ୍ତେ ବାହାରେ ଖାଆନ୍ତି। ସ୍ତ୍ରୀ ଲୋକ ମାନେ ସବୁ ଘରେ ସାଦା ଖାଆନ୍ତି । ଜେଜେ ମାଆ ଥିବା ପର୍ଯ୍ୟନ୍ତ କୁଆଡେ ଭିତରକୁ କେବେ ବି ପଶିନି ।

ହଠାତ ମୁଁ କହି ଉଠିଲି .."ଘର ଖଞ୍ଜା ଭିତରକୁ ମାଂସ ପଶିବା ତ ମୋର ମନେ ଅଛି।" ବାପା , ବୋଉ, ପିଉସୀ ନାନୀ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ .."କେବେ କା କଥା କହୁଚୁ ?" 

ମୋ ପଞ୍ଚମ ଶ୍ରେଣୀ ଖରାଛୁଟିରେ । ରୋଷେଇ ଘର ପାଖ ଅଗଣାରେ ଉଠା ଚୁଲିରେ ମାଆ ରଜରେ ମାଂସ ରାନ୍ଧି ଥିଲେ ମୋ ପାଇଁ । ବୋଉ ଓ ଖୁଡି କହିଲେ , "ନା ମ...ଅଲିଅଳି ସୁକୁମାରୀ ବୋଉ ଆମର ଅଗଣାରେ ବସି ପୁଣି ଉଠା ଚୁଲିରେ ମାଂସ ରାନ୍ଧିଥିବେ? "ପିୟୁସି ନାନୀଙ୍କ ଆଖି ଛଳ ଛଳ ହେଇ ଆସିଲା । "ବୋଉ ତୋ ପାଇଁ ଘରେ ମାଂସ ରାନ୍ଧିଥିଲା ? ରାନ୍ଧିବା ତ ଦୂରର କଥା ସେ ତ କେବେ ଛୁଇଁ ବି ନ ଥିବ ଆଗରୁ।" ଏ କଥା ଶୁଣି ଧାର ଧାର ବହି ଆସୁଥିବା ଅଶ୍ରୁକୁ ରୋକିବା ମୋ ପାଇଁ ଆଉ ସମ୍ଭବ ନ ଥିଲା | କାନ୍ଦି କାନ୍ଦି କହିଲି , ସେ ରାନ୍ଧିଥିଲେ ଅଥଚ ମୁଁ ଚାଖି ବି ନ ଥିଲି । ସବୁ ବନମାଳିଆ ଖାଇ ଥିଲା।" ଧୀରେ ଧୀରେ ମୋ ଆଖିର ଲୁହ ସଂକ୍ରମିତ ହେଉଥିଲା ସଭିଙ୍କ ଆଖିକୁ |

କେତେ ଆଦରରେ ରାନ୍ଧିଥିଲେ ସେ ତାଙ୍କ ଫୁଲେଇ ରାଧୀ ପାଇଁ । ତାଙ୍କ ମନ ରଖିବାକୁ ଟିକେ ଚାଖି ଥାନ୍ତି ଭଲା ...କାହିଁକି ବୁଝିଲିନି ମୁଁ ତାଙ୍କ ମନ ।କେତେ ହତଭାଗିନୀ ମୁଁ | ଓଦା ଆଖି ଓଦା ଓଦା ମନ ନେଇ ଭାବୁଥିଲି, କେମିତି ଲାଗୁଥିବ ସତେ ମାଆଙ୍କ ଅସୀମ ମମତାର ମସଲାରେ କଷା ସେ ମାଂସ ତରକାରୀ।



Rate this content
Log in

Similar oriya story from Abstract