Nibedita Mishraguru

Inspirational

3  

Nibedita Mishraguru

Inspirational

ଶ୍ରାବଣୀର ଲୁହ

ଶ୍ରାବଣୀର ଲୁହ

7 mins
7.4K


ଝିପ୍ ଝିପ୍ ବର୍ଷା ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କଲାଣି । କୁକୁରଟାଏ ଭୁକିଉଠିଲା ଦୂରରୁ । କିଏ ଇଆଡେ ଆସିଲାଣି ବୋଧେ । "ପଳେଇ ଆସ" ,କାହ୍ନା ବୋଉ ଦୌଡିକି କାକ ଗଛ ପଛଆଡେ ଲୁଚିଗଲା । ତା ପଛେ ପଛେ କାହ୍ନା ବାପା ବି ଦୌଡିଲା । "କେହି ନାହିଁ । ଚାଲିଲୁ ତୁ ଡରେଇ ଟା " । କାହ୍ନା ବାପା ବାହାରି ଆସି ପୁଣି ହାଣିବା ଆରମ୍ଭ କଲା । ଇଟାଗୁଡିକୁ ଏକାଠି କରି କାହ୍ନା ବୋଉ ଅଖାଟିରେ ସଜାଡି ରଖୁଚି। ଦୁହେଁ ମିଶିକି ବୋହି ନେବେ । ଅସୁବିଧା ହବନି । ବର୍ଷା ଟା ବଢିଲାଣି। ପୁଣି ଯୋଉ ଅନ୍ଧାର ରାତି , ନିଶା ଗର୍ଜୁଚି। ଅମାସିଆ ମୋଟେ ଆଉ ତିନି ଦିନ ରହିଲା । କାହ୍ନା ବୋଉ ଛାତି ଡରରେ ଧଡ ଧଡ ହଉଚି । ଏମିତିଆ ପାପ କାମ କିଏ କଣ କରେ ? ଦଇବ ସହିବନି । ହେଲେ ଏଡେ ଅମାନିଆ ଲୋକ ତା କଥା ଶୁଣିଲେ ସିନା! କାକ ଗଛ ରୁ ପେଚାଟିଏ ଉହୁଁକି ଉଠିଲା । ଡରରେ କାହ୍ନା ବୋଉ ଦୌଡି ଯାଇ କାହ୍ନା ବାପା କୁ ମାଡି ବସିଲା । ତୁମକୁ ନେହୁରା ହଉଚି । ଚାଲିଲ ତୁମେ । ମୋ ମନ ଜମା ମାନୁନି । "

କାହ୍ନା ବାପା ବଳିଆ ଏଥର ପାଟି କରି ଉଠିଲା । "ଚୁପ୍ ବେ , ବେଶୀ ଢଂଗ ଦେଖଉଚି । ତୋ ବୋପାକୁ ବେ କହୁନୁ ପଇସା ଦବ , ତୋ ପାଇଁ ମହଲାଟାଏ ଗଢିଦେବି । ଏତେ କଷ୍ଟ ମୁଁ କିଆଁ କରନ୍ତି ନ ହେଲେ ?" କାହ୍ନା ବୋଉ ତା ମସିଆ ସାତ ସିଆଁ କାନି ଖଣ୍ଡକରେ ମୁହଁ ପୋଛିଲା । ସବୁ ସହିବ । ମଦ ପିଇ ରାତିରେ ବଳିଆ ବାଡେଇଲେ ବି ସେ ଉଁ ଚୁଁ କରେନି । ହେଲେ ଏ ଦିହ ଜଳା କଥା ଜମାରୁ ସାହି ପାରେନି ସେ । ତିନି ବର୍ଷ ଉପରେ ହେଲାଣି ବଳିଆ ହାତ ଧରିଲାଣି ସେ । ଏବେ ବି ସେ ତାର ମା ବାପା ନାଁରେ ଏମିତି ଛୁନ୍ଚୀ ଫୋଡା କଥା ଜମା ସହି ପାରେନି । ଅଜାଣତରେ ଦୁଇ ଟୋପା ଲୁହ ଠପ୍ ଠପ୍ ଗଳି ପଡେ ।

ମୁହଁଟା ଖର ଖର ହେଲେ କଣ ହେଲା , ଏଇ କାହ୍ନା ବାପା ମଣିଷ ଟି ଭଲ । ମୁଲ ମଜୁରୀ କରି ବେଶ ଦୁଇ ପଇସା ଆଣୁ ଥିଲା । ପେଟ ପୁରେଇ ଦୁଇ ଗୁଣ୍ଡା ଖାଇ ପାରୁଥିଲେ ଦୁଇ ପ୍ରାଣୀ । ସେତେବେଳେ ଏମିତି ମଦ ବି ପିଉ ନ ଥିଲା । କେଡେ ସୁଖ ରେ ଥିଲେ । ବାହାଘର ପର ବର୍ଷ କାହ୍ନାର ଜନ୍ମ । ଖୁସିରେ ବଳିଆର ଗୋଡ ତଳେ ଲାଗୁନଥିଲା । କେଡେ ଆଦରରେ ନାମରଖି ଥିଲା କାହ୍ନା । କେତେ ସ୍ବପ୍ନ ତାର । କାହ୍ନା ମଣିଷ ହବ , ତା ପରି ଖଟିଖିଆ ହବନି । ପାଠ ପଢିବ , ବାବୁ ହବ । ହେଲେ ସେଥି ପାଇଁ ଦି ପଇସା ଦରକାର । ଖାଲି ପେଟକୁ ଦୁଇ ମୁଠା ଯୋଗେଇଲେ କଣ ହବ ? ଭାରି ଚିନ୍ତା କରେ । ରାତି ରାତି ଶୋଇ ପାରେନି। କେମିତି କାହ୍ନା ପାଠ ପଢା ପାଇଁ କିଛି ସଂଚନ୍ତା । ଅଧ ରାତିରେ ଉଠି ଯାଇ ବରଗଛ ପିଣ୍ଡିରେ ବସେ । କଳା କିଟି କିଟି ଆକାଶ ଟାକୁ କେମିତି ଏକ ଲୟରେ ଚାହିଁ ରହେ ।

କାହ୍ନା ବୋଉ ଡରି ଯାଏ । ତାକୁ ଭାରି ଚିନ୍ତା ହୁଏ ଏସବୁ ଦେଖିଲେ । ଉଠି ଯାଇ ପାଖରେ ବସେ । ମୁଣ୍ଡ ସାଉଁଳେଇ ଦେଇ କହେ, "ମା' ମଂଗଳା ଉପର ଭରଷା ରଖ ସବୁ ଠିକ ହେଇ ଯିବ । ଏଇମିତି ଆମେ ତ କେତେ ଭଲ ରେ ଅଛେ । ମୋ ରାଣ , ତୁମେ ଏମିତି ବ୍ୟସ୍ତ ହୁଅନି । " କାହ୍ନା ବାପା କିଛି କହେନି । ଉଦାସିଆ ହସଟିଏ ହସି ଦେଇ କାହ୍ନା ବୋଉ କୋଳରେ ମୁଣ୍ଡ ରଖେ । ତା ପରେ ଆରମ୍ଭ ହେଇଗଲା ମଦ ପିଆ । ଢେର୍ ରାତି ଯାଏ ମଦ ନିଶାରେ ଆଡୁ ସାଡୁ ବକେ । କାହ୍ନା ବୋଉକୁ ମାରି ଗୋଡ଼ାଏ । କାହ୍ନା ଡରରେ ମା' ଛାତି ରେ ମୁଣ୍ଡ ଗୁଂଜି ଦିଏ । କାହ୍ନା ବୋଉକୁ ଭାରି ଡର ମାଡେ । ଲୋକଟା କେମିତି ବଦଳି ଯାଉଚି । ଅବାଗିଆ ହେଇ ଯାଉଚି । କଣ ବା କରିବ ସେ ?

ଏଣିକି ବଳିଆ ବେଶୀ ବେଶୀ ପରିଶ୍ରମ କରିବାକୁ ଆରମ୍ଭ କଲା । ରାତିରେ ବି ଦିନେ ଦିନେ କୁଆଡେ ଯାଏ । ପଚାରିଲେ କିଛି କହେନା । ହେଲେ ଯେବେ ରାତିରେ ଯାଏ ଟନ୍କା ବିଡାଟାଏ ଅନ୍ଟାରେ ଖୋସିକି ଆସି ଥାଏ । କାହ୍ନା ବୋଉ ସବୁ ଦେଖି ଚୁପ୍ ରହେ । ସେ ଟନ୍କା କୁଆଡୁ ଆଇଲା , କିଏ ଦେଲା କିଛି ପଚାରେନା । ମନେ ମନେ ଧନ୍ଦି ହୁଏ । ମା' ମଂଗଲାଂକୁ ଡାକେ । ତା ଜୀବନଟା କେମିତି ଓଲଟା ପାଲଟା ହେଇ ଯାଉଚି।

ଏଇ କେତେ ମାସ ହବ , କାହ୍ନା ବାପାର ପେଟମରା ରୋଗଟା ଆରମ୍ଭ ହୋଇଚି । ଆଗ ପରି କାମକୁ ପାରୁନି । କେତେ ଦିନ ହବ କାମକୁ ଯାଇ ପାରୁନି । ବୋଝ ଉପରେ ନଳିତା ବିଡା ପରି କାହ୍ନା ପଛକୁ ଆଉ ଗୋଟାଏ ମଣିଷ ତାଂକ ଜୀବନରେ ଛନ୍ଦି ହେବାକୁ ବାହାରିଲାଣି । ଡରରେ ଏକଥା କାହ୍ନା ବାପାକୁ କେଇ ଦିନ ଲୁଚେଇ ରଖିଲା । ହେଲେ ଏ କଥା କଣ ଲୁଚେ ? ଚାରି ପ୍ରାଣୀ ଚଳିବେ କେମିତି କେଜାଣି ? କାହ୍ନା ବୋଉ ଆଖି ବୁଜି ମା' ମଂଗଳାକୁ ଡାକେ । ସେଇ ଏକା ବାଟ ବତାଇବେ , ତାର ଓଲଟା ପାଲଟା ଜୀବନ କୁ ସଜାଡି ଦେବେ ।

ବର୍ଷା ଦିନ ଆସିଗଲାଣି । ଘରେ ପାଣି ଗଲୁଚି । କାନ୍ଥ ଠାଏ ଠାଏ ଫାଟି ଗଲାଣି । କାହ୍ନାଟାକୁ ଥଣ୍ଡା ଛାଡୁନି । ପଇସା ଯୋଗାଡ ବି ହେଇ ପାରୁନି । କାହ୍ନା ବୋଉ ଲୁଚିକି ଦୁଇ ଘର ବାସନ ମଜା କାମ ଧରିଲାଣି । ଯେତେ ହେଲେ ବି ସବୁ ନିଆଣ୍ଟ । ଚିନ୍ତାରେ କାହ୍ନା ବାପାଟା କେମିତି ଦିଶିଲାଣି ।

ଆଜି ସନ୍ଧ୍ୟା ରେ ହଠାତ୍ ଝଡ ପରି ପଶି ଆସିଲା ଘର ଭିତରକୁ କାହ୍ନା ବାପା । ମୁଣ୍ଡରେ ଏମିତିକା ଅବାନ୍ତର କଥା କେମିତି ପଶିଲା କେଜାଣି ? ସେ ଭାତ ଗାଲିଲା ବେଳେ ପାଖରେ ବସିପଡି କହିଲା "ନୂଆ ପୋଖରୀ ସେପଟେ ଯେଉଁ ଖ୍ରୀଷ୍ଟିୟାନ୍ କବର୍ ଖାନା ଅଛି , ସେଥିରୁ କବରଟେ ହାଣି ଆଜି ଇଟା ନେଇ ଆସିବା । ଦୁହେଁ ମିଶି ଘର ମରାମତି କରିବା। " କାହ୍ନା ବୋଉ ଗୋଡ ତଳୁ ସତେ ଅବା ମାଟି ଖସି ଗଲା ।କେତେ କାକୁତି ମିନତି କଲା । ହେଲେ ତା କଥା ରହିଲାନି । କାହ୍ନା ଶୋଇବା ପରେ ଦୁହେଁ ବସି ରହିଲେ । ରାତି ବେଶୀ ହବା ପରେ ବଳିଆ ବାହାରୁ ଘେରେ ବୁଲି ଆସିଲା ।

"ଚାରି ଆଡ ଶୁନ୍ ଶାନ୍ ହେଇ ଗଲାଣି । ବେଗୀ ବେଗୀ ବାହାରି ପଡ ଅଖାଟାଏ ଧରି । ଇଟା ବୋହି ଆଣିବା ।" କୋଦାଳଟେ ଧରି ଦୁହେଁ ଚାଲିଲେ ସେ ଝିପି ଝିପି ବର୍ଷାରେ । ପୋଖରୀ ହୁଡାଟା ଭାରି କାଦୁଅ । କାହ୍ନା ବୋଉ ପାଦ ଚିପି ଚିପି ଚାଲି ଥାଏ ବଳିଆ ପଛେ ପଛେ । ସାତ ମାସ ହବାକୁ ବସିଲାଣି , କାଦୁଅରେ କଚଡେ ଖାଇଲେ ତା ସଂସାର ଉଜୁଡି ଯିବଟି । ବଳିଆ ପାଟି କଲା "ଆଲୋ ,ଶୀଘ୍ର ଚାଲେ । ଫେରିଲା ବେଳକୁ ଡେରି ହେଇଯିବ କାଳେ। " କାହ୍ନା ବୋଉ ମନ ମାନୁନି । ଛୁଆଟା ଏକୁଟିଆ ଘରେ ଶୋଇଚି। ତା ବାପା ଅଫିମ ଟିକେ ଚଟେଇ ଦେଇଚି ଉଠିବନି ବୋଲି । ଲଂଠଣଟା ତେଜି ଦେଇ କବାଟ ବାହାରୁ ବନ୍ଦ କରି ଦେଇଚି । ହେ ମା' ମଂଗଲା ଛୁଆଟା ତୁମକୁ ଲାଗିଲା ।

ଦୁହେଁ କବର୍ ଖାନା ସାମନାରେ ପହନ୍ଚିଲେ। ଅନ୍ଧାରରେ ଚୁନ ଲିପା କବର ଗୁଡିକ ଜଳ ଜଳ ହେଇ ଦିଶୁଚନ୍ତି । ବିଲୁଆଟାଏ ଦୌଡି ଗଲା । କାହ୍ନା ବାପା ହାତକୁ ସେ ଚାପି ଧରିଲା। " ତୁମକୁ ଭୂତ ପ୍ରେତ ଡର ନାହିଁ ? ଏମିତି ପଥର କେମିତି ପାଲଟି ଗଲ ତୁମେ ? " ବଳିଆ ତା କଥାର ଉତ୍ତର ନ ଦେଇ କବରଟେ ହାଣିବା ଆରମ୍ଭ କଲା । ଭାଗ୍ୟକୁ ଆଜି ବର୍ଷା ହଉଚି । ଏମିତି ପାଗରେ କେହି ପଦାକୁ ଆସିବେନି । "ମୁଁ ହାଣୁଚି , ତୁ ଇଟାତକ ଅଖାରେ ସଜାଡି ରଖ ।"

ବର୍ଷା ବଢି ଲାଣି । କାହ୍ନା ବୋଉ ଆଉ ପାରୁନି । ଦେହର ଭାର ସାଂଗକୁ ଏ ବର୍ଷା । ଗୋଟା ପଣ ଜୁଡୁ ବୁଡୁ ହେଇ ଗଲାଣି । କାହ୍ନା ବାପା ସାହାସ ଦେଲା । "ରାତି ଟାଏ କଷ୍ଟ କରିଦେବା । ଆମ ଘରଟି ମରାମତ ହେଇଯିବ । ଆମେ ଆଉ ବର୍ଷାରେ ହଇରାଣ ହବାନି । ଆମ ଅଭାବ କଥା ତ ତୁ ଜାଣୁଚୁ । ଆଉ କଣ କରିବା କହିଲୁ ?" ତିନି ପା' ଖୋଲି ସାରିଲେଣି । ଅଖାଟା ପୁରା ହେଇ ଗଲାଣି । ଶେଷକୁ ଇଟା ଯୋଡି ହେଇ ଥିବା ବଡ ଖଣ୍ଡଟାଏ ବାହାରି ଆସିଲା । କାହ୍ନା ବାପା କହିଲା ,"ମୁଁ ଏ ଖଣ୍ଡ ଟା ମୁଣ୍ଡେଇବି । ତୁ ଅଖାଟା ବୋହିବୁ ।" କାହ୍ନା ବୋଉ ଡରି ଗଲା । ଏଡେ ବସ୍ତାଟାଏ ସେ ନବ କେମିତି ଏ ଅବସ୍ଥାରେ ? ବଳିଆ ଆର ଖଣ୍ଡ ଟି ମୁଣ୍ଡରେ ଗାମୁଛା ବାନ୍ଧି ମୁଣ୍ଦେଇ ସାରି ଲାଣି । କହିଲା ବେଗି ବେଗି ବାହାରି ପଡ । ପାହାନ୍ତା ହେଇଗଲେ କିଏ କାଳେ ଦେଖି ପକେଇବେ । ଏମିତି ଦି ଚାରି ଥର ନେଇ ଗଲେ ତ ଆମ ଘରଟା ପୁରା ସଜାଡି ହେଇଯାଂତା , ନୁହେଁ ? "

କାହ୍ନା ବାପାର ମଳିନ ମୂଖମଣ୍ଡଳରୁ ଦୁଖଃର ବାଦଲ ସତେ ଯେମିତି ଧିରେ ଧିରେ ହଟିବାକୁ ଆରମ୍ଭ କରି ଦେଇଥିଲା । ତା ଭିତରୁ ସନ୍ତୋଷ ଭରା ସ୍ମିତ ହାସ୍ୟଟିଏ ଉଂକି ମାରି ଆସୁ ଥିଲା । କାହ୍ନାର କାନ୍ଦୁରା ମୁହଁ ଛଡା ତା ବୋଉକୁ କିଛି ଦିଶୁ ନ ଥିଲା । ଦୁହେଁ ବଡ କଷ୍ଟରେ ବାହାରିଲେ। ବର୍ଷା ଅଜାଡି ହେଇ ପଡୁଚି ବଡ ଯୋର୍ ରେ । ବାଟ ଟା ଅତି ବେଶୀ ନୁହେଁ , ହେଲେ ବଡ କଷ୍ଟରେ କାନ୍ଦି କୁନ୍ଥେଇ ବସ୍ତାଟିକୁ ଘୋଷାରି ଘୋଷାରି କାଦୁଆ ରାସ୍ତାରେ ଚାଲିଲା ସେ । ଘରେ ପହନ୍ଚିଲା ବେଳକୁ ଅଧା ପ୍ରାଣ ହେଇ ଗଲେଣି ଦୁହେଁ । ବସ୍ତାଟିକୁ ଦୁଆର ମୁହଁରେ ପକେଇ ଦେଇ କାହ୍ନାକୁ ଦେଖିବାକୁ ଧାଇଁଲା ସେ ।

କବାଟଟା ଖୋଲିଲା ବେଳକୁ ଘର ବର୍ଷା ପାଣିରେ ଭାସୁଚି । ଲନ୍ଠଣଟି ମିନଜି ମିନଜି ହେଇ ଜଲୁଚି ତେଲ ଅଭାବରୁ । ଇଏ କଣ ? ଖଟିଆରେ କଣ କାହ୍ନା ନାହିଁ ? ତା ବିଛଣାଟା ଜୁଡୁ ବୁଡୁ ଓଦା । ବିଛଣାରେ ପାଣି ପଡିବାରୁ ଆଉ କୋଉଠି ଶୋଇ ପଡି ଥିବ । କାଇଁ ଆଉ କୋଉଠି ଦିଶୁନି ତ ? ଦୌଡି ଗଲା ରନ୍ଧାଶାଳକୁ । ସବୁ ଆଡ କିଟି କିଟି ଅନ୍ଧାର । କାହିଁ କାହ୍ନା ତ ଦିଶୁନି ? ତା ଛାତିଟା ଫାଟି ଗଲା ପରି ଲାଗି ଲାଣି । ହଠାତ୍ ନଜର ପଡିଲା ଭାଡି ତଳେ କଣ ଗୋଟାଏ ଦିଶୁଚି । ଦୌଡି ଯାଇ କୋଳେଇ ନେଲା । କାହ୍ନାର ଆଖି ଦିଟା ତରାଟି ହେଇ ଯାଇଚି । ଜିଭଟା ପଦା କୁ ବାହାରି ଆସିଚି । ଛାତିରେ ଚାପି ଧରିଲା ତାକୁ । ସତେ ଅବା କାଠ ଖଣ୍ଡଟିଏ । ଭୋ ଭୋ ହେଇ କାନ୍ଦି ଉଠିଲା ସେ. ...ମୋ ସଂସାର ଉଜୁଡି ଗଲା ଲୋ ...ମୋ ଧନ ....ମୁଁ କଣ କରିବି ଲୋ ......ମୋ ଧନମଣି ....କୁଆଡେ ଗଲୁ =ରେ ବାପା .....କାହ୍ନା ବାପା ହାଉଳି ଖାଇ ଦୌଡି ଆସିଲା ।

ବାହାରେ ବର୍ଷା ଥମି ଗଲାଣି । ସିନ୍ଦୁରା ଫାଟି ଆସିଲାଣି । ଦୁହିଂକର ମିଳିତ କାନ୍ଦର ଏକ କରୁଣ ରାଗିଣୀ ନୁଆଣିଆ ଚାଳ ଘରକୁ ବିଦୀର୍ଣ କରି ଶୁନ୍ୟ ଆକାଶରେ ମର୍ମରିତ ହେଉ ଥିଲା ।


Rate this content
Log in

Similar oriya story from Inspirational