Nibedita Mishraguru

Abstract Fantasy

4  

Nibedita Mishraguru

Abstract Fantasy

୩୨ନଂ ବିଲଡିଂ

୩୨ନଂ ବିଲଡିଂ

5 mins
367



ଗ୍ରୀଷ୍ମର ସେଇ ଉଦାସ ଗୋଧୂଳିରେ ଜାଗାଟି ଯେତେ ପାଖେଇ ଆସୁଥିଲା , ସେତିକି ବଢି ଚାଲିଥିଲା ମୋର ଉତ୍କଣ୍ଠା। ଦ୍ଵିତୀୟ ଥର ମୁମ୍ବାଇ ରହଣିର କେତେ ବର୍ଷ ପରେ ସତେ ଯେମିତି ମୋର ଏକ ସ୍ୱପ୍ନ ସାର୍ଥକ ହେବାକୁ ଯାଉଚି । କାର ଅଟକିବା ମାତ୍ରେ ତର ତର ହେଇ ଓହ୍ଲେଇ ପଡିଲି ମୁଁ । ଅଦୂରରୁ ଦିଶୁ ଥିଲା ମୋର ଅତି ପ୍ରିୟ ୩୨ ନଂ ବିଲଡିଂ । ପ୍ରଥମ ମହଲାର ସେଇ ଫ୍ଲାଟ ଆଉ ତାର ଛୋଟ ବାଲକନି , ଯିଏ ଦିନେ ମୋର ଅତି ପ୍ରିୟ ଥିଲା । ଥିଲା ମୋ ସ୍ବପ୍ନର ଘର । ଆରମ୍ଭ ହେଇଥିଲା ଯେଉଁଠି ମୋ ଜୀବନ ଧାରାର ନୂତନ ଏକ ମୋଡ । ବିବାହ ପରେ ଅଜସ୍ର ସୁନ୍ଦର ସ୍ବପ୍ନକୁ ସାଉଁଟି ଧରି ପ୍ରଥମ କରି ଆସିଥିଲି ପନଭେଲର ନୂଆ କରି ତିଆରି ହେଇଥିବା ଏଇ କମ୍ପାନୀ କ୍ୱାର୍ଟରକୁ । ପ୍ରଥମ ଘର କରଣା। ବେଶ ଆଦରରେ ମନ ଭରି ସଜେଇ ଥିଲି ମୋ ଘର । ମାତୃତ୍ତ୍ୱର ଅପୂର୍ବ ଅନୁଭବର ସୁଖରେ ଦିନେ ବିଭୋର ହେଇଥିଲି ବି । ପ୍ରଥମ କରି ଏଇ ଘରେ ମା ହେଇଥିଲି ମୁଁ ।  

 କନ୍ତୁ ଇଏ କଣ ମୋର ସେଇ ସ୍ବପ୍ନର ଘର ଯାହାକୁ ମୁଁ ଏବେ ମଧ୍ୟ ମୋ ହୃଦୟରେ କେତେ ଯତ୍ନରେ ସାଇତି ରଖିଚି। ୟା ଭିତରେ ଅନେକ ବର୍ଷ ଅତିବାହିତ ହେଇ ସାରିଲାଣି । ସମୟ ପ୍ରବାହରେ ସେ ବିଲଡିଂ ଏବଂ ତାର ଚାରିପାର୍ଶ୍ଵର ପରିବେଶ ସମସ୍ତ ଶ୍ରୀ ହରେଇ ବସିଚି। ମଥା ଉପରର ଆକାଶ ବି ଏବେ କେତେ ସଂକୀର୍ଣ୍ଣ ଠିକ ଆଜିର ମଣିଷର ମନ ପରି । ନିକଟରେ ଥିବା ବିଶାଳ ସବୁଜ ଆମ୍ବ ତୋଟା ସ୍ଥାନରେ ବିରାଟ କଂକ୍ରିଟ ଜଙ୍ଗଲ । ସେ ଉଦାସ ଗୋଧୂଳି ମୋ ପାଇଁ ଆହୁରି ଉଦାସ ହେଇ ଉଠିଲା । ମୁଁ କିନ୍ତୁ ଫେରି ଯାଇଥିଲି ମୋ ସ୍ୱପ୍ନର ସେଇ ପ୍ରଥମ ଘରକୁ ।  

୩୨ନ ବିଲଡିଂ ପ୍ରଥମ ମହଲାର ପ୍ରଥମ ଫ୍ଲାଟର ବାଲକନି। ବାଲକନିରେ ମୋ ହାତ ଲଗା ରଙ୍ଗ ବେରଙ୍ଗୀ ଫୁଲ ଗଛ ।ଦୁଇଟି ପ୍ଲାଷ୍ଟିକ ଚଉକି ମଝିରେ ଗୋଟେ କୁନି ଲାଲ ଚଉକି। ସାମନାରେ ଅଙ୍କା ବଙ୍କା ହେଇ ଲମ୍ବି ଯାଇଛି ପରିଷ୍କାର ପକ୍କା ସଡକ । ସଡକ ଧାରରେ ଫୁଲ ଭାରରେ ନଇଁ ପଡୁଥିବା ଅନେକ କନିଅର ଓ ଟଗର ଗଛ ଧାଡି ହେଇ । ସଡକ ସେ ପାଖରୁ ଆରମ୍ଭ ହେଇ ଯାଇଛି ବିସ୍ତୀର୍ଣ୍ଣ ଆମ୍ବ ତୋଟା ଅନେକ ଦୂର ପର୍ଯ୍ୟନ୍ତ । ପଛକୁ ଦୂର ଦିଗବଳୟ ନିକଟରେ ଦର୍ପର ସହ ଠିଆ ହେଇଚି ସହ୍ୟାଦ୍ରି ପର୍ବତ ମାଳା । ଧୂସର ଅପରାହ୍ନରେ ମ୍ଳାନ ସୂର୍ଯ୍ୟ ହଠାତ ଲୁଚି ଯାଏ ସହ୍ୟାଦ୍ରି ପଛ ପଟେ । ନଇଁ ଆସେ ଏକ ମନୋରମ ସନ୍ଧ୍ୟା ଆମ୍ବ ତୋଟା ଆଡୁ । ପୁଅକୁ ନେଇ ବାଲକନିରେ ବସି ରହେ ମୁଁ । ସେଇଠି ବିତେ ପ୍ରତୀକ୍ଷାର ଲମ୍ବା ଲମ୍ବା ସମୟ। କୁନିପୁଅକୁ କୋଳରେ ଧରି ମୁଁ ଜହ୍ନ ତାରା ଦେଖାଏ। " ଆ, ଜହ୍ନ ମାମୁ ସରଗ ଶଶୀ ମୋ କାହ୍ନା ହାତରେ " ଶିଖାଏ ତାକୁ, ଟ୍ୱିଙ୍କଲ ଟ୍ଵିଙ୍କଲ ଲିଟିଲ ଷ୍ଟାର .ତା ମୁହଁରୁ ଶୁଣିବାକୁ ଭାରି ମିଠା ଲାଗେ। ଆମ ଦୁହିଁଙ୍କର ପ୍ରତୀକ୍ଷା ଥାଏ କିନ୍ତୁ ଗୋଟିଏ ଶବ୍ଦକୁ । ଅଫିସ ଜୀପ ଅଟକିବାର ଶବ୍ଦ ଶୁଭେ । ଅନ୍ଧାରରେ ରାସ୍ତାର ଝାପସା ଆଲୁଅରେ ଜିପରୁ ଓହ୍ଲାଇ ଆସୁଥିବା ଛାଇ ମଣିଷଟିକୁ ଚିହ୍ନି ନେଇ ପୁଅ ମୋର ଆନନ୍ଦରେ ଉଛୁଳି ଉଠେ । ପାପା ପାପା । ମୋ ମୁହଁରେ ବି ଖେଳି ଯାଏ ସ୍ମିତ ହସ । ଡୋର ବେଲ ବାଜିଲା ବେଳକୁ ଖୁସିରେ ନାଚିବା ଆରମ୍ଭ କରିଦେଇଥାନ୍ତି କୁନି କୁନି ପାଦ । ମୋ ମୁହଁରେ ବି ଖେଳି ଯାଏ ପ୍ରତୀକ୍ଷାର ଅନ୍ତ ହେବାର ସନ୍ତୋଷ। କେବେ କେବେ ରାଗେ।ଓଃ, କେତେ ଡେରି.. ତୁମ ବାଟ ଚାହିଁ ଚାହିଁ ଥକି ଗଲୁଣି ଆମେ।

କେବେ କେବେ ଫେରିବା ଅଧୀକା ଡେରି ହେଲେ ଶୋଇ ପଡିଥାଏ ପୁଅ। ଏକାକୀ ବାଲକନିରେ ବସି ମୁଁ ଆକାଶକୁ ଚାହିଁ ରହେ ଅବା ଅଦୂର ଆମ୍ବତୋଟାର କଳା ଅନ୍ଧାରକୁ। ହଜେଇ ଦିଏ ନିଜକୁ ଶବ୍ଦଙ୍କ ଗହଳିରେ। ଅଙ୍କୁରି ଉଠେ ନୂଆ କବିତା। ଦିନେ ଦିନେ ଭାରି ମନେ ପଡନ୍ତି ବାପା ବୋଉ ଜେଜେ ଭଉଣୀମାନେ। ଆଖିରେ ଲୁହ ଜକେଇ ଆସେ। କେତେ ବଦଳି ଯାଇଛି ଜୀବନ। ସେମାନଙ୍କଠାରୁ କେତେ ଦୂରରେ ମୁଁ। ଭାବି ହୁଏନା ସେମାନଙ୍କ ବିନା କେମିତି ଆଗେଇ ଚାଲିଚି ମୋ ସମୟ।

ମୁମ୍ବାଇର ବର୍ଷା ଆସେ ଭିନ୍ନ ଏକ ଅନୁଭବ ନେଇ । ପ୍ରବଳ ବର୍ଷା ଯେତେ ହଇରାଣ କଲେ ବି ତାକୁ ଭଲ ନ ପାଇ କେହି କଣ ରହି ପାରିବ? ଛୋଟ ବାଲକନିରୁ ବର୍ଷା ଋତୁର ଅନନ୍ୟ ଶୋଭା ସତରେ ଅବର୍ଣ୍ଣନୀୟ । ସହ୍ୟାଦ୍ରି ଆଦୌ ଦିଶେନା। ମେଘୁଆ ପାଗରେ ଯେମିତି ଅଳସୁଆ ହେଇ ଶୋଇ ପଡିଥାଏ ଘୋଡ଼ି ହେଇ ମେଘର ବହଳ ଚାଦର । ଅନେକ ସମୟରେ ଚାଲି ଥାଏ ଖରା ଆଉ ମେଘଙ୍କର ଲୁଚକାଳି ଖେଳ । ବର୍ଷା ଆସିଲେ ବାରମ୍ବାର ମନେ ପଡେ ମୋର ବାପାଙ୍କ ଅନେକ ପୁରୁଣା ଡ଼ାଇରୀର ଧାଡିଟିଏ ..ମୁଁ ଯେ ଆଦ୍ୟ ଆଷାଢ଼ ବାରି ଧାରା ହେଇ ଧରଣୀ ବୁକୁରେ ଲୋଟି ଯିବି..ଠିକ ସେମିତି ହିଁ ସେ ଅପୂର୍ବ ଅନୁଭଵ । ବାଲକନିରୁ ମୁଁ ଅପେକ୍ଷା କରେ ବର୍ଷାକୁ । ମେଘ ଧୀରେ ଧୀରେ ଓହ୍ଲେଇ ଆସେ ସୁଉଚ୍ଚ ସହ୍ୟାଦ୍ରିର ଛାତିରୁ ତଳକୁ ଶୀତଳ ପବନ ସହ । ଅଦୁରରୁ ବର୍ଷା ଅସରା ଆଗେଇ ଆସୁଥିବାର ଦିଶେ । ଶୁଭେ ତାର ରିମ ଝିମ ନୂପୁର ନିକ୍ଵଣ। ଯେମିତି ସେ ଆସୁଥାଏ କେବଳ ମୋରି ଆଡକୁ । ମତେ ହିଁ ଭିଜେଇ ଦେବା ପାଇଁ । ମୁଁ ଆଗକୁ ହାତ ବଢାଏ ଭିଜିବାକୁ । ମୋ ହାତ ତଳେ ଲମ୍ବି ଯାଏ ଦୁଇଟି କୁନି ହାତ ମୋ ସହ ଭିଜିବା ପାଇଁ । ଘନ ଘୋର ବର୍ଷା ରାତିରେ ପୁଅକୁ ଶୁଆଇଲା ବେଳେ ଆପେ ଆପେ ଗାଇ ହେଇଯାଏ .."କି କରାଳ ଆଜି ରଜନୀ ବହେ ଝଞ୍ଜା ପବନ ..ତାରା ନ ଦିଶଇ ଗଗନେ .."ଆଖି ଆଗରେ ସେତେବେଳେ ଭାସି ଆସେ ସାନବେଳେ ବୋଉ କୋଳରେ ମୁଣ୍ଡ ରଖି ଏଇ ଗୀତ ଶୁଣି ମୋର ଶୋଇବାର ଦୃଶ୍ୟ।    

ଫଗୁଣର ଆଗମନରେ ଅସୁମାରୀ ବଉଳରେ ଭରିଯାଏ ଆମ୍ବ ତୋଟା । ଆଗାମୀ ସୁନ୍ଦର ମଧୁମୟ ଜୀବନକୁ ନେଇ ମୋ ଆଖିରେ ଧୀରେ ଧୀରେ ଖୁନ୍ଦି ହଉଥିବା ଅଜସ୍ର ମଧୁର ସ୍ବପ୍ନ ପରି ଖୁନ୍ଦି ହେଇ ଯାଏ ପ୍ରତି ଗଛରେ ଅସଂଖ୍ୟ ଆମ୍ବ କଷି । ଭାରି ମନ ହୁଏ ସାନବେଳ ପରି ଆମ୍ବ ଝଡ଼େଇ ଖାଇବାକୁ । 

ଗ୍ରୀଷ୍ମର ବିଳମ୍ବିତ ସନ୍ଧ୍ୟାରେ ତାରା ଭରା ଆକାଶ ତଳେ ଫାଙ୍କା ରାସ୍ତାରେ ଦୁହେଁ ସାଥି ହେଇ ଅନେକ ଦୂର ପର୍ଯ୍ୟନ୍ତ ଚାଲୁ ଆମେ।ଭାରି ଭଲ ଲାଗେ ନିକଟସ୍ଥ ଆମ୍ବ ତୋଟା ଆଡୁ ଭାସି ଆସୁଥିବା ପବନର ସାଇଁ ସାଇଁ ଶବ୍ଦ। ପୁଅ ବସିଥାଏ ପ୍ରାମରେ। ଖୁବ ଦୁଷ୍ଟାମୀ କରେ। କେବେ କେବେ ତାକୁ କୋଳରେ ଧରି ଖାଲି ପ୍ରାମ ନେଇ ଘରକୁ ଫେରୁ।

 ରବିବାରର ମନୋରମ ସକାଳକୁ ବାଲକନିରେ ଉଷୁମ ଚା ସହ ଉପଭୋଗ କରିବା , ହାଲକା ଶୀତର ବିଳମ୍ବ ରାତିରେ ଏକାଠି ବସି ପୁନେଇଁ ଜହ୍ନକୁ ଦେଖିବା , ଆହୁରି ଏମିତି ଅନେକ ଛୋଟ ଛୋଟ ଖୁସିର ମୁହୂର୍ତ୍ତ ଯାହା ମତେ ଆଜି ବି ଆନମନା କରେ । ଦୀପାବଳୀ ଉତ୍ସବ , ହୋଲି ଜୀବନକୁ ଭରି ଦିଏ ନୂତନ ଆଲୋକରେ, ନୂତନ ରଙ୍ଗରେ। ଆଖି ଆଗରେ ଭାସି ଆସେ ନୂଆ କରି ଚାଲି ଶିଖୁ ଥିବା ମୋ ପୁଅର ଦୁଷ୍ଟାମୀ ଶୁଭି ଯାଏ ତା ଗେହ୍ଲା ଡାକ । ଏମିତି ଅନେକ ମଧୁର ସ୍ମୃତି ଆଜି ବି ହାତ ଧରି ନେଇ ଯାଏ ମତେ ପନଭେଲର ସେଇ ସୁନ୍ଦର ଦିନମାନଙ୍କୁ ।

କେମିତି ତୀବ୍ର ବେଗରେ ସମୟ ଭସେଇ ନିଏ ମଣିଷକୁ ସ୍ରୋତସ୍ୱିନୀ ନିର୍ଝରିଣୀରେ ଏକ ଶୁଷ୍କ ପତ୍ର ପରି । ସାଥିରେ ଆଣି ଆସେ ଅନେକ ପରିବର୍ତ୍ତନ। କିଛି ସୁଖଦ ଆଉ କିଛି ଦୁଃଖଦ । ମୁଁ ବ୍ୟଥିତ ହେଇ ଉଠୁଥିଲି ଘନ କଂକ୍ରିଟ ଅରଣ୍ୟ ମଧ୍ୟରେ ଖୁବ ପରିତ୍ୟକ୍ତ ଓ ଅପରିଚିତ ମନେ ହେଉଥିବା ସେଇ ରଙ୍ଗ ଛଡା ବାଲକନିକୁ ଦେଖି ଯେଉଁଠି ଡାଳ ପତ୍ର ମେଲି ଅସୁମାରୀ ରଙ୍ଗୀନ ଫୁଲ ସହ ସୁନ୍ଦର ଲତାଟିଏ ହେଇ ଶୋଭା ପାଉଥିଲା ମୋର ବିତି ଯାଇଥିବା ସମୟ ମୋରି ମାନସ ପଟରେ । ଅତୀତର ସେଇ ମଧୁର ସ୍ମୃତି ସବୁ ଯେମିତି ଦୁରେଇ ଯାଉଥିଲେ ମୋ ପୃଥିବୀରୁ । ହଜି ହଜି ଯାଉଥିଲେ ସମୟର ଉତ୍ତାଳ ଲହରୀରେ । ହଠାତ ଫେରି ଆସି କାରରେ ବସିଲି ମୁଁ । ଅଣନିଶ୍ବାସୀ ଲାଗୁଚି। ଓଃ ଚାଲ, ଜଲଦି ଏଠୁ ଫେରି ଯିବା ଆମେ ।



Rate this content
Log in

Similar oriya story from Abstract