STORYMIRROR

Rishab K.

Abstract Tragedy Classics

4  

Rishab K.

Abstract Tragedy Classics

rickshaw

rickshaw

4 mins
4

ଦୟାକରି ସମ୍ପୂର୍ଣ ପଢିବାକୁ ଅନୁରୋଧ  ଆଖିରେ ଲୁହ ଆସିଯିବ - ମଉସା ବଡ଼ଦାଣ୍ଡ ଯିବ ? - ଯିବି ବାପା - କେତେ ଟଙ୍କା ନେବ? - ୧୦୦ ଟଙ୍କା ନିଏ ତୁମେ ୯୦ ଦେବ ବସ - କଣ ମଉସା ନିଜେ ନିଜେ ପଇସା କମ୍ କରି ଦେଉଛ, କଥା କଣ ବେପାର ଖୁବ୍ ହଉଛି ବୋଧେ... - ନାଁ ବାବୁ, ଆଜି କାଲି ରିକ୍ସା କୁ କିଏ ପଚାରେ ଆଉ ସେଥିରେ ଏଇ ଯେଉଁ ବର୍ଷା...ରିକ୍ସା ପାଲ ଚିରିଯାଇଚି ତେଣୁ ବର୍ଷା ହେଲେ ବେପାର ବନ୍ଦ ଆଉ ଅତି କଷ୍ଟରେ ଦିନକୁ ଜଣେ ଅଧେ ଗରାଖ ମିଳିଲେ ପେଟ ପୁରୁଚି ନହେଲେ ନାଇଁ ଭାରି କଷ୍ଟ ଲାଗୁଥିଲା, ହାତରେ ଚମ ଧୁଡୁଧୁଡୁ ମଉସା ଜଣକ ଆମ ଦି ଜଣଙ୍କୁ ବସେଇ ରିକ୍ସା ଟାଣୁଥିଲେ । ପ୍ରକୃତରେ ମଉସା ଙ୍କ ଅବସ୍ଥା ଦେଖି ମୁଁ ଭାବିଲି ମଉସା ଙ୍କୁ କିଛି ଟଙ୍କା ଦେଇଦେବି ହେଲେ ଗୁଗୁଲି ମୋତେ ଅଟକେଇଦେଲା। ଏମିତି ୧୦-୫୦ ଟଙ୍କା ଦେଇ ତାଙ୍କ ଆତ୍ମ ସମ୍ମାନ କାହିଁ ଖରାପ କରିବା ବରଂ ଚାଲ ତାଙ୍କ ରିକ୍ସା ରେ ବସି ମନ୍ଦିର ଯାଏ ଯିବା ଆଉ ସେଇ ବାହାନା ରେ ଅଧିକ ଟଙ୍କା କିଛି ଦେଇଦେବା । ଗୁଗୁଲି କଥା ରେ ଭାରି ଖୁସି ଲାଗିଲା, ସତେ ଯେମିତି ସାକ୍ଷାତ୍ ମା ଲକ୍ଷ୍ମୀ ସାଆନ୍ତାଣୀ ମୋତେ ବାଟ ବତେଇ ଦେଉଛନ୍ତି । କେହି ଜଣେ ପ୍ରଖ୍ୟାତ ଲୋକ ସତ କହିଥିଲେ, ଯଦି ତୁମ ପାଖେ ଆମେରିକୀୟ ଡଲାର ଆଉ ଭାରତୀୟ ନାରୀ ଅଛନ୍ତି ତେବେ ତୁମେ ସ୍ବର୍ଗ ରେ ଅଛ ବୋଲି ଜାଣ ! ଅଳ୍ପ ବାଟ ଆସିଚୁ କି ନାଇଁ ଝିପ୍ ଝିପ୍ ବର୍ଷା ହେଲା ମଉସା ରିକ୍ସା ରୁ ଗୋଟେ ଛତା ବାହାର କରି ପ୍ରାଚୀ ହାତରେ ଦେଇ କହିଲେ, "ନେ ମାଆ ଏ ବର୍ଷା ରେ ଭିଜିଲେ ଦେହ ଖରାପ ହେବ" । ଛତା ଟା ଖୁବ୍ ମାନ୍ଧାତା ଅମଳ ର, ଠା ଠା ତାଳି ପକା ହେଇ ସିଲା ହେଇଛି। ମଉସା ଙ୍କ ପୁରୁଣା ଦଦରା ରିକ୍ସା ଆଉ ଛତା ଦେଖି କଳି ହେଉଥିଲା ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ। ହେଲେ ବି ଏଇ ଦଦରା ରିକ୍ସା ରେ ଗୋଟେ ଭାରି ଦୁର୍ମୂଲ୍ୟ ଜିନିଷ ପାଇଥିଲୁ, ସେଟା ହେଲା ମଉସା ଙ୍କ ସ୍ନେହ ଭରା ବାପା ଆଉ ମାଆ ଡାକ। ମୋ ବାପା ମା ଆଉ ଗୁଗୁଲି ଙ୍କ ବାବା ବୋଉ ଙ୍କ ଛଡ଼ା ବୋଧହୁଏ ଏ ଡାକ କାଇଁ ଆଉ କାହାରି ପାଟିରୁ ବାହାରେ ନାହିଁ। ଗୁଗୁଲି ଭାରି ଖୁସି, ଆଜି ବର୍ଷା ରେ ଭିଜିବାକୁ ଆକଟ କରିବାକୁ ମାଆ ନାହିଁ । ମଉସା ଦେଇଥିବା ଛତା କୁ ଖୋଲି ସେ ମଉସା ଙ୍କ ହାତରେ ଧରେଇଦେଲା ତାଙ୍କ ଅନିଚ୍ଛା ସତ୍ତ୍ୱେ । ଝିପିଝିପି ବର୍ଷା, ସମୁଦ୍ର, ଖୋଲା ରିକ୍ସା , ପ୍ରାଚୀ, ତା ସଦ୍ୟ ଖୋଲା ଚୁଟି, ମୋ କାନ୍ଧ ରେ ତା ମଥା ଆଉ ମୁଁ । ଖୁସି ପ୍ରକୃତ ରେ ଆମ ହାତ ପାହାନ୍ତ ରେ ଥାଏ, ତାକୁ ସାଉଁଟି ପାରିଲେ ହେଲା । - ଆଉ ମଉସା ମାଉସୀ ଙ୍କୁ କେବେ ଏମିତି ସମୁଦ୍ର କୁଳ ରେ ବୁଲେଇ ଆଣିଛ ନା ନାଇଁ ? ତାଙ୍କ ନିରବତା ରୁ ଭାବିଲି ବୋଧେ ମଉସା ଆମର ଟିକେ ରୋମାଣ୍ଟିକ ମିଯାଜ୍ ର ନୁହନ୍ତି - ହଉ ହେଲା ସମୁଦ୍ର କୁଳ ନ ହେଲା ନାଇଁ, ଶ୍ରୀମନ୍ଦିର କୁ ତ ବସେଇକି ଆଣୁଥିବ? - ଆଣୁଥିଲି.... - ଆଉ ଏବେ ? - ମାଉସୀ ଏବେ ସେ ପାରିରେ। ସେ ପୁଣ୍ୟବତି ଥିଲା , କାର୍ତ୍ତିକ, ମାଘ, ବୈଶାଖ ବାର ମାସ ରେ ତେର ଓଷା ବ୍ରତ କରୁଥିଲା। ଗଲା କାର୍ତ୍ତିକ ରେ ବୁଢ଼ୀ ଶୀତ କାକର ନ ମାନି ବୁଡ଼ ପକେଇଲା। କି ରୋଗ ହେଲା ଭଲ ହେଲାନି। ଦିନେ ରାତି ରେ ତାତି କମିଲାନି। ଆମ୍ବୁଲାନ୍ସ ପାଇଁ କେତେ କାହାକୁ କହିଲି , ହେଲେ ଆମ ପରି ଗରିବ ଗୁରୁବା ଙ୍କ ପାଇଁ ଆମ୍ବୁଲାନ୍ସ କାହିଁକି ଆସିବ? ଏଇ ରିକ୍ସା ରେ ତାକୁ ଡାକ୍ତରଖାନା ଆଣିଲି। ଏଇ ରିକ୍ସା ରେ ଆଖି ବୁଜିଲା.... ଏକା ଛାଡ଼ି ଚାଲିଗଲା। ପିଲା ଛୁଆ ନଥିଲେ ବୋଲି ଗାଁ ରେ କେତେ କଥା କହିଲେ, ଗାଁ ଛାଡି ଏଠିକି ଚାଲି ଆସିଲୁ। ମୋତେ କହିଲା କାଳିଆ ବଳିଆ ଆମ ଦୁଇ ପୁଅ ଆଉ ସୁଭଦ୍ରା ଆମ ଝିଅ। ସକାଳୁ ଉଠି ବାଇଶି ପାହାଚ ନ ଚଢିଲେ ସେ ଜଳ ସ୍ପର୍ଶ କରେନି। ସେଥିପାଇଁ ବୋଧେ ସେ ଛଳିଆ ମାୟା କରି ଜଲଦି ନେଇଗଲା ବୁଢ଼ୀ କୁ । - ତେବେ ଏବେ ?... - ସେ ଘରକୁ ଯିବାକୁ ମନ ନାହିଁ, କେବେ କେମିତି ଯାଏ। ଏଇଠି ରିକ୍ସା ରେ ସୋଇପଡେ଼। ଏଇଠି ବୁଢ଼ୀ ର ସ୍ମୃତି ଅଛି, ଆଉ ଏଇଠି ମୁଁ ବି ଦିନେ ଆଖି ବୁଜିଦେବି - ଆଉ ବର୍ଷା ହେଲେ ? - ବଡ଼ ଦାଣ୍ଡ ରେ କଣ ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଭାବ ? ମଉସା ଙ୍କ କଥା ଶୁଣି ଗୁଗୁଲି ଆଖି ଛଳଛଳ ମଉସା ପ୍ରକୃତ ରେ କାନ୍ଦୁଥିଲେ ନା ସେ ବର୍ଷା ପାଣି କହିବା ମୁସ୍କିଲ ଥିଲା। ମନ୍ଦିର ଦେଖାଗଲା....ଅଳ୍ପ କେଇ କ୍ଷଣ ର ସ୍ନେହ ମମତା ର ଶେଷ ଅଧ୍ୟାୟ ଆସିଲା । - ହେଇଟି ଶୁଣିଲ, ଶ୍ରୀମନ୍ଦିର ରେ ବାନା ଲଗେଇବା ବଦଳ ରେ ମଉସା ଙ୍କ ରିକ୍ସା ରେ ପାଲ ଗୋଟେ ଲଗେଇଦେଲେ ହୁଅନ୍ତାନି । - ହେଲେ ଗୁଗୁଲି , ମାନସିକ ଥିଲା.....ଆଉ ମାଆ ବି କଣ କହିବ ଯଦି... - ମାଆ ଙ୍କୁ ବୁଝେଇବା ଦାୟିତ୍ଵ ମୋର, ତା ଛଡ଼ା ଜଗା କୁ ବାନା ନିଅଣ୍ଟ ନା ଭକ୍ତ ଅଭାବ ! - ତେବେ ଏଇ ଶୁଭ କାର୍ଯ୍ୟ ଟା ତୁମ ହାତ ରେ ହେଉ। ଆମ ଘର ର ଲକ୍ଷ୍ମୀ ସାଆନ୍ତାଣୀ ଯଦି ରାଜି ତେବେ ସେୟା ହିଁ ହେଉ । ଆରେ ମାଆ ୟେ କଣ, ଏତେ ଗୁଡ଼ାଏ ଟଙ୍କା.....ବୁଢ଼ା ଲୋକ ମୁଁ, କାଳିଆ ଦୟା ରୁ ଦି ଓଳି ପେଟ କୁ ମିଳୁଛି ଆଉ କଣ ଦରକାର ମୋର ! ମୋ ମାଆ ଟା ପରା ଏ ଟଙ୍କା ନେଇଯା। କଣ ମଉସା କାଳିଆ କୁ ପୁଅ ବୋଲି କହୁଛ ଆଉ ଭୁଲି ଯାଉଛ ମାଆ ସାଆନ୍ତାଣୀ ତୁମ ବୋହୂ । ସେ ଯାହା ଦେଉଛନ୍ତି ସ୍ନେହ ରେ ରଖ ଆଉ ଏ ରିକ୍ସା ରେ ରଙ୍ଗୀନ ପାଲ ଗୋଟେ ଲଗାଅ , ମାଉସୀ ଙ୍କ ସ୍ମୃତି ଅଛି ପରା, ପାଣି ପଡ଼ିଲେ ନଷ୍ଟ ହେଇଯିବନି ? ଆର ଥରକୁ ଆସିଲେ ସାରା ସମୁଦ୍ର କୁଳ ବୁଲିବୁ, ରିକ୍ସା କୁ ସଜାଡି ରଖିଥିବ କାରଣ ତୁମ ଝିଅ କୁ ବର୍ଷା ପସନ୍ଦ, ମୋତେ ନୁହଁ.....


Rate this content
Log in

More oriya story from Rishab K.

Similar oriya story from Abstract