Sabitri Mohapatra

Horror Fantasy Thriller

4  

Sabitri Mohapatra

Horror Fantasy Thriller

ରାତ୍ରି ର  ଘନ  ଅନ୍ଧକାରେ

ରାତ୍ରି ର  ଘନ  ଅନ୍ଧକାରେ

4 mins
282


ରବି ବାବୁ ତାଙ୍କ ସ୍ତ୍ରୀ ସବିତା କୁ ଧରି ବାହାଘର ଭୋଜି ରୁ ଫେରୁ ଫେରୁ ଟିକେ ରାତି ବେଶି ହୋଇଯାଇଥିଲା l ପ୍ରାୟ ରାତି ବାରଟା ହବ ସେମାନେ ଦୁଇଜଣ ଗାଡିର କାଚ ବନ୍ଦ କରି ଖୁସି ଗପ ରେ ମଜ୍ଜି ଯାଇ ଘରକୁ ଫେରୁଥାନ୍ତି l ହଠାତ ତାଙ୍କର କଥା ବନ୍ଦ ହୋଇଗଲା l ଦୂରରୁ ଦେଖିଲେ ଗୋଟେ ଗୋଲାପୀ ରଙ୍ଗର ଶାଢ଼ୀ ର କାନି ମଝିରେ ମଝିରେ ଭାଷି ଆସୁଛି l ଏ କ'ଣ? କୌଣସି ସ୍ତ୍ରୀ ଲୋକ ର ଶାଢ଼ୀ କାନି ଉଡ଼ି ଆସୁଛି ବୋଧେ, ରବି ବାବୁ କହିଲେ l ଆରେ!ଏତ ଆମ ମୁନି ର ଶାଢ଼ୀ କାନି l ମୁନି ମାନେ ରବି ବାବୁଙ୍କ ମାଉସୀ ଝିଅ ଭଉଣୀ l ଏଇତ ଅଳ୍ପ ସମୟ ପୂର୍ବରୁ ମୁନି ତାର  ସ୍ୱାମୀ ଡାକ୍ତର ବାବୁଙ୍କ ସହିତ ସେହି ଏକା ବାହାଘର ଭୋଜି ରୁ ଫେରିଛି l ଏମାନଙ୍କର ଫେରିବାର ଅଳ୍ପ ସମୟ ପୂର୍ବରୁ ହିଁ ସେମାନେ ଗାଡ଼ିରେ ବସିଥିଲେ l ସବିତା ଭାବୁଥିଲା --ସେମାନେ ତ ଘରେ ପହଞ୍ଚି ସାରିବା କଥା l କିନ୍ତୁ ଏତେ ରାତିରେ ତାର ଶାଢ଼ୀ କାନି କ'ଣ ଗାଡି ଭିତରୁ ଉଡ଼ୁଛି ନା କ'ଣ? ନା!ଗାଡି ଭିତରୁ ତ କଦାପି ନୁହେଁ l ତେବେ କେମିତି ଶାଢ଼ୀ କାନି ଉଡ଼ି ଆସୁଛି? ଏଇଆ ଭାବୁ ଭାବୁ ଆଉ ଥରେ ଶାଢ଼ୀ କାନି ଉଡ଼ି ଆସିଲା l ଏଥରକ ଏମାନେ ଆହୁରି ପାଖେଇ ଆସିଲେଣି l ଏବେ ସ୍ପଷ୍ଟ ଜଣାପଡିଯାଉଛି ---ମୁନି ସେ ଦୋକାନ ବାରଣ୍ଡାରେ ଠିଆ ହୋଇଛି l ଏତେ ରାତିରେ ସବୁ ଦୋକାନ ବଜାର ବନ୍ଦ ହୋଇଗଲାଣି, କାଁ ଭାଁ ଲୋକ ଗାଡି ମଟରରେ ଯିବା ଆସିବା କରୁଛନ୍ତି l କୁକୁର ମାନେ ଗୋଟିଏ ଗୋଟିଏ ଏକାଠି ହୋଇ ବୋବାଳି ଛାଡ଼ୁଛନ୍ତି l ଏଟା କେମିତି ସମ୍ଭବ? ମୁନି ଏଠି ଏକା ଏକା କାହିଁକି ଠିଆ ହୋଇଛି? ତାର ସ୍ୱାମୀ ଡାକ୍ତର ବାବୁ କୁଆଡେ ଗଲେ? ଏମାନେ ଏସବୁ କିଛି ଭାବି ପାରିଲେନି l ଏମିତି ଭାବୁ ଭାବୁ ଆସି ପହଞ୍ଚି ଗଲେ ମୁନି ଠିଆ  ହୋଇଥିବା ଜାଗାରେ l ରବି ବାବୁ  ଓ ସବିତା ସେଠି ଗାଡି ରଖି, କାଚ ଖୋଲି ଏପଟ ସେପଟ କୁ ଚାହିଁଲେ l କାହିଁ ଡାକ୍ତର ବାବୁ କୋଉଠି ଭି ଦେଖା ଯାଉ ନଥିଲେ l ନା ତାଙ୍କ ଗାଡି , ନା  ଡ୍ରାଇଭର କିଛି ଭି ଦେଖାଯାଉ ନଥିଲା l ଖଣ୍ଡେ ଦୂର ଲମ୍ବି ଯାଇଛି ଖାଲି ଖାଁ ଖାଁ ରାସ୍ତା ଟି l ଏ କଣ ସ୍ବପ୍ନ ନା ସତ୍ୟ? ଏଠି ଏକା ଏକା ମୁନି କାହିଁକି ଠିଆ ହୋଇଛି? ଏକଥା ଭାବୁ ଭାବୁ ରବି ବାବୁ ତାଙ୍କ ଗାଡି ରଖି ଓହ୍ଲେଇବାକୁ ଉଦ୍ୟମ କରନ୍ତେ, ମୁନି ଆସି ତତକ୍ଷଣାତ ଗାଡ଼ିରେ ବସିଗଲା l ସତେକି ଏମାନଙ୍କ ଗାଡିକୁ ସେ ଅପେକ୍ଷାକରି ଠିଆ ହୋଇଥିଲାl କିଛି ବୁଝି ହେଲାନି କି ତାକୁ କିଛି ପଚାରିବାକୁ ସାହସ କଲେନି ସ୍ୱାମୀ ସ୍ତ୍ରୀ ଦୁହେଁଯାକ l

 

ଏମିତି ନୀରବତା ଭିତରେ ଗାଡି ଆସି ପହଞ୍ଚିଗଲା ରବି ବାବୁ ଙ୍କ ଘର ଆଗରେ, ରବି ର ମା ତାଙ୍କୁ ଅପେକ୍ଷା କରି ରହିଥିଲେ l ପିଲାମାନେ ଘରକୁ ନଫେରିବା ଯାଏଁ ମା ଙ୍କ ଆଖିକୁ ନିଦ ନଥାଏ l ସମସ୍ତେ ଘରକୁ ଫେରିଲା ପରେ ମା ଟିକେ ଆଶ୍ବସ୍ତିରେ ଶୋଇବାକୁ ଯାଆନ୍ତି l ହଟାତ ଏମାନଙ୍କ ସାଙ୍ଗରେ ମୁନି କୁ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଗଲେ l ଏତେ ରାତିରେ ମୁନି ଏକା କାହିଁକି ଏମାନଙ୍କ ସାଙ୍ଗରେ ଆସିଛି? କୋଉଠୁ ଆସିଛି ଆଉ କ'ଣପାଇଁ ଆସିଛି, ସେ କିଛି ବୁଝି ପାରିଲେନି l ମୁନି ତାଙ୍କ ସାନ ଭଉଣୀ ର ଝିଅ l ହଉ ହଉ ଘରକୁ ଆ ମୁନି l ନିଶ୍ଚୟ କିଛି ଅସୁବିଧା ରେ ପଡି ଏଠିକି ଆସିଛି ଭାବି ତାକୁ ଡାକି କୋଳକରି ନେଇ ଶୁଆଇଲେ l ତାର ଉଦାସୀ ଆଖି, ବ୍ୟସ୍ତ ବିବ୍ରତ ଚାହାଣୀ ତାଙ୍କୁ କିଛି ଅଜବ ଲାଗିଲା l କଣ ହୋଇଛି ତୋର ମୁନି, ମାଉସୀ କହିଲେ l ମାଉସୀ ର ସେହି ଆଶ୍ୱାସନା ଭରା କଥାରେ ମୁନି ଭୋ ଭୋ କରି କାନ୍ଦି ପକେଇଲା l କହି ବସିଲା ତା ଜୀବନର କାହାଣୀ କୁ l ମୁନି କହି ଚାଲିଥାଏ, ମାଉସୀ ଶୁଣି ଚାଲିଥାନ୍ତି l ମୁନି କହିଲା.....

 ସମସ୍ତେ ଭାବନ୍ତି, ମୁନି ବହୁତ ବଡଘରେ ବାହା ହୋଇଛି ନା, ବହୁତ ମଜ୍ଜା ରେ ଅଛି l ଦି ଦିଟା ଗାଡି, ଜମିଦାରୀ ଘର, ଚାକର ବାକର, କେଉଁ ଥିରେ କିଛି ଉଣା ନାହିଁ l ସବୁଦିନ ସନ୍ଧ୍ୟା ରେ ସଜବାଜ ହୋଇ ବୁଲିବା ଆଦି ସବୁ ଖୁସି ରେ ରହିବା ଲକ୍ଷଣ ନୁହେଁ ତ ଆଉ କଣ? ନା!ମାଉସୀ, ଯିଏ ପ୍ରକୃତରେ ବେଶି ଦୁଃଖି, ସେ ହିଁ ବେଶି ହସୁଥାଏ l ମୋର ବାହାଘର ର ଦୁଇମାସ ବହୁତ ଭଲରେ କଟିଥିଲା ମୋ ଜାଣିବାରେ l ମାତ୍ର ତାପରେ ମୋର ଦୁଃଖ ର ଦିନ ଆରମ୍ଭ ହୋଇ ଯାଇଥିଲା l 

ବାହାଘର ତ ଆଜକୁ ପ୍ରାୟ ଦଶବର୍ଷ ପୁରିଗଲାଣି l ସମସ୍ତ ଦୁଃଖକୁ ଚାପିରଖି ମୁଁ ଆଜିଯାଏ ଚାଲିଛି l କାହାକୁ  ଏ ଦୁଃଖ କାହାଣୀ ଶୁଣେଇବି? ବୋଉ ଜାଣିଲେ ମନଦୁଃଖ କରିବ l ତେଣୁ ତାକୁ କିଛି ନଜଣେଇ ଚୁପ ରହେ l ସହଜେ ମୋର ପିଲାଛୁଆ କିଛି ନାହିଁ ବୋଲି ତାର ମନଦୁଃଖ ର ସୀମା ନାହିଁ l କେତେ ଦିଅଁ ଦେବତା ଙ୍କୁ ପୂଜା କରୁଛି, ମାନସିକ କରୁଛି l ଆହୁରି ଏ ଦୁଃଖ ଜଣାଇଲେ ସେ ଭାଙ୍ଗି ପଡିବ ଭାବି ତାକୁ କିଛି କହେନି l ମୋ ନିଜଦୁଃଖ ନିଜ ମନ ଭିତରେ ହିଁ ମାରି ମୁଁ ହସି ହସି ଚାଲିଥାଏ l

ସେଦିନ ବାହାଘରର ଦୁଇମାସ ପରେ ଆମେ ଡାକ୍ତର ବାବୁ ଆଉ ମୁଁ ଗାଡ଼ିନେଇ ଶାଶୂଘର ଗାଁ କୁସୁପୁ୍ର ଯାଇଥିଲୁ l ସେଠି ଜମିଦାରୀ ଘର, ଆମ୍ବ ବଗିଚା, ପୋଖରୀର ମାଛ, ଜାମୁ ଗଛ ସବୁ ଦେଖି ମନ ଖୁସି ରେ ପୂରିଗଲା l ଲୋକ ମାନଙ୍କର ଖାତିରପଣିଆ  ଦେଖି ତାକୁ ବହୁତ ଭଲ ଲାଗିଲା lମାତ୍ର ସେଠି ଗାଁ ର ଲୋକମାନଙ୍କ ମୁଁହରୁ ଯାହା ଶୁଣିଲା.... ମନ ତାର ଦୁଃଖରେ ଭାଙ୍ଗିଗଲା l ଆଗରୁ ଡାକ୍ତର ବାବୁଙ୍କର ଗୋଟିଏ ନିଜର ପ୍ରାଇଭେଟ କ୍ଲିନିକ ଥିଲା ସେ ଗାଁ ରେ l ସେ ବାହାଘର ପୂର୍ବରୁ ସେଟା ପ୍ରତିଷ୍ଠା କରିଥିଲେl ସେଠି ଯେଉଁ ନର୍ସଟି ଥିଲା, ସେ ଅତ୍ୟନ୍ତ ସୁନ୍ଦରୀ l ତାରି ପ୍ରେମରେ ଡାକ୍ତର ବାବୁ ନିଜକୁ ହଜେଇ ଦେଇଥିଲେ l କ୍ଲିନିକ ପରେ ତା ସହିତ ବୁଲିବା, ଚାଲିବା, ଖାଇବା ପିଇବା ସବୁକିଛି ଚାଲିଥିଲା l କିନ୍ତୁ ଜମିଦାର ଘର ପୁଅ, ତାଙ୍କ ବାପା ସେ ପ୍ରସ୍ତାବ ରେ ଅରାଜି ହୋଇ ପୁଅକୁ ସହରକୁ ନେଇ ଖୋଜା ଖୋଜି କରି ମୋ ସହିତ ବାହାଘର କରି ଦେଇଥିଲେ l ଆମଘରେ କାହାକୁ ଏକଥା ଜଣ ନଥିଲା l ବାହାଘର ସିନା ହୋଇଗଲା, କିଂନ୍ତୁ ମନଟା ତାଙ୍କର ସେହି ନର୍ସ ପାଖରେ ହିଁ ରହି ଯାଇଥିଲା l ଯେବେ ସେ ଗାଁ କୁ ଯାଇ ଫେରନ୍ତି, ଟିକେ ଟିକେ କଥାରେ ଚିଡି ଚିଡି ହୁଅନ୍ତି l ମୋତେ ବିନା କାରଣ ରେ ଗାଳି ଗୁଲଜ କରନ୍ତି l ଆଉ ରାତିସାରା ମଦ ପିଇ ପିଇ କଟେଇ ଦିଅନ୍ତି |


ଗୋଟିଏ ଦିନର ଘଟଣା..... ସେଦିନ କୁଆଁର ପୁନେଇଁ ରାତି ହୋଇଥାଏ l ସାଙ୍ଗ ସାଥି ମାନେ  ଘରକୁ ଆସିଥାନ୍ତି, ମଉଜ ମଜଲିସ ଚାଲିଥାଏ l ହଟାତ ଡାକ୍ତର ବାବୁ ଗାଁ କୁ ଯିବାକୁ ବାହାରିଲେ l ସେ ଗାଁ କୁ ଯିବାକୁ ଅମଙ୍ଗ ହେଲା l ମାତ୍ର ଡାକ୍ତର ବାବୁ ଙ୍କର ଏକା ଜିଦି ଗାଁ କୁ ଯିବାକୁ l ମୁନି ରାଜି ନହେବାରୁ ଡାକ୍ତର ବାବୁ ରାଗିଯାଇ ନିଜେ ଗାଡି ଡ୍ରାଇଭର ନେଇ ଗାଁ କୁ ପଳେଇଲେ ଓ ତାପରଦିନ ଫେରି ବହୁତ କଷ୍ଟକର ଶାସ୍ତି ତାକୁ ଦେଲେ l ସେଦିନର କଥା କହୁ କହୁ ମୁନି ର ଆଖି ଛଳ ଛଳ ହୋଇଗଲା l ଡାକ୍ତର ବାବୁ ରାତି ସାରା ମଦ ପିଇ ପିଇ ବୋତଲ କୁ ଭାଙ୍ଗି ଘର ସାରା ବିଛାଡିକି ପକେଇଦେଲେ, ପାଣି ଦିବୋତଲ ଢାଳିଦେଲେ l କହିଲେ, ଭଙ୍ଗା କାଚ ଉପରେ ଚାଲି ଚାଲି ମୋ ପାଖକୁ ଆସେ, ମୁନି ର କିଛି ଉପାୟ ନଥିଲା l ଗୋଟେ ହାତରେ ଲୁହ ପୋଛି ପୋଛି ସେହି କାଚ ଉପରେ ଚାଲି ଚାଲି ଆସିଥିଲା l ଆଉ ଦିନକର ଘଟଣା l ଝଡି, ବର୍ଷା ରାତି, ବିଜୁଳି ଘନ ଘନ ମରୁଥାଏ l ଆମେ ଫେରୁଥାଉ ଗାଁ ରୁ l ରାତି ଆସି ଏଗାର କି ବାର ଟା ହବ l ମୋତେ ଗାଡ଼ିରୁ ଓହ୍ଲେଇ ବାହାରେ ଛାଡି ଘର କୁ ପଳେଇ ଆସିଲେ l ମୁଁ କୌଣସିମତେ ପୋଲିସ ର ସାହାଯ୍ୟ ରେ ଘରକୁ ଫେରିଥିଲି l ଏ ସବୁ କଥା ମୋ ପାଇଁ ଅସହ୍ୟ ହୋଇ ପଡ଼ିଲାଣି l ଏ ଗୋପନ କଥା କାହାକୁ ଦିନେ କହିପାରିନି ମାଉସୀ l ଏସବୁ କଥା ଶୁଣି ଶୁଣି ମାଉସୀ ଦୀର୍ଘଶ୍ୱାସ ମାରିଲେ l ଏସବୁ କଥା କଥାରେ ମାଉସୀ ଝିଆରୀ ଙ୍କୁ କେତେବେଳେ ନିଦ ହୋଇଯାଇଛି l ରାତି ପ୍ରାୟ ପାହି ଆସିଲାଣି ସେତେବେଳକୁ, ହଠାତ ମାଉସୀ ହାତ ବୁଲାଇ ମୁନି କୁ ଖୋଜିଲା ବେଳକୁ, ମୁନି କୁ ପାଇଲେନି l ଆରେ ମୁନି ଟା ଗଲା କୁଆଡେ? ମାଉସୀ ମନ ଵ୍ୟସ୍ତରେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଠାକୁର ପୂଜାରେ ଲାଗିଥାନ୍ତି l ମନଟା ଖାଲି ଗୋଳେଇଘାଣ୍ଟି ହଉଛି l କିଛି ଭଲ ଲାଗୁନି l ଏଣେ ମୁନି ଟା ସକାଳୁ ଉଠି କୁଆଡେ ପଳେଇଲା ଭାବି ମନଟା ଖାଲି ବ୍ୟତିବ୍ୟସ୍ତ ଲାଗୁଛି 

ହଟାତ ଜଳଖିଆ ଖାଇଲା ବେଳକୁ ଫୋନ ଟା କର୍କଶ ସ୍ୱର ରେ କ୍ରୀଙ୍ଗ କ୍ରୀଙ୍ଗ କରି ବାଜି ଉଠିଲା l ଏତେ ସକାଳୁ କିଏ ଫୋନ କରିଛି? ମାଉସୀ ଟିକେ ଅନ୍ୟ ମନସ୍କ ହୋଇ ପଡିଲେ l ରବି ଆସି ଫୋନ ଧରିଲା l ସେପଟରୁ ଡାକ୍ତର ବାବୁ ମାନେ ମୁନି ର ସ୍ୱାମୀ କରିଛନ୍ତି l କହିଲେ.... ରାତି  ବାରଟା ରେ ମୁନି ଛାତ ରୁ ଡେଇଁ ଆତ୍ମ ହତ୍ୟା କରିଛି l ଡାକ୍ତର ଖାନା କୁ ନେଇ ଯାଇଥିଲେ, କିଂନ୍ତୁ କିଛି ଲାଭ ହେଲାନି l ରାସ୍ତା ରେ ତାର ପ୍ରାଣ ବାୟୁ ଉଡ଼ିଗଲା l ଫୋନ ରିସିଭର ହାତରୁ ତଳକୁ ଖସି ପଡ଼ିଲା  ରବିର l ମା କ'ଣ ହେଲା କଣ ହେଲା କହି ପାଖକୁ ଦୌଡ଼ି ଆସିଲେ l ମା ସବୁ ଶୁଣି ସ୍ତବ୍ଧ ହୋଇ ରହିଗଲେ l ରବି ଭାବି ଚାଲିଲା.... ଆମେ ତେବେ ରାତି ବାରଟା ରେ ସାଙ୍ଗରେ କାହାକୁ ନେଇ ଆସିଥିଲୁ? ବୋଉ କାହା ସହିତ ରାତିସାରା କଟେଇ ଥିଲା l ଭାବନା ରେ ରହିଗଲେ

 ସମସ୍ତେ l


Rate this content
Log in

Similar oriya story from Horror