ରାକ୍ଷୀ ଚୋରଣୀ
ରାକ୍ଷୀ ଚୋରଣୀ


ଆରେ ଧର ତାକୁ । ଚୋରଣୀଟିଏ ଯାଉଛି । ମୋ ଦୋକାନରୁ ରାକ୍ଷୀ ଚୋରି କରି ଦୋୖଡି ପଳଉଛି । ଧର ଧର । କିଏ କୋଉଠି ଅଛ ? ଆରେ ହେଇ ଏ ଚୋରଣୀର ବୋହୁତ ସାହସ ତ । ଆଖିରେ ଧୂଳି ଦେଇ ମୋ ଦୋକାନରୁ ରାକ୍ଷୀଟା ଝାମ୍ପି ନେଇ ଚାଲିଗଲା । ଏମିତି ପାଟି କରି ପୁରା ବଜ଼ାରଟା କମ୍ପଉଥିଲେ ଦୋକାନୀ ମଉସା । ପ୍ରତିମା ସାତ ବରଷର ଝିଅଟିଏ । ଯିଏ କି ଏଇ ଟିକେ ଆଗରୁ ଦୋକାନୀ ମଉସାଙ୍କ ରାକ୍ଷୀ ଦୋକାନରୁ ରାକ୍ଷୀ ଟିଏ ଝାମ୍ପି ନେଇ ବସ୍ ଷ୍ଟାଣ୍ଡ ଆଡକୁ ଦୌଡ଼ି ପଳାଉଥିଲା । ମୁଁ ଏସବୁ ଦୃଶ୍ୟ ଦେଖୁଥାଏ ।
ହଠାତ ଇଚ୍ଛା ହେଲା ସେଇ କୁନି ଝିଅର କାର୍ଯ୍ୟ କଳାପ ଉପରେ ଟିକେ ନଜର ବୁଲାଇବାକୁ । ମୁଁ ସେଇ କୁନି ଝିଅ ପଛେ ପଛେ ଗଲି । ସେଇ କୁନି ଝିଅ ପ୍ରତିମା ବସ୍ ଷ୍ଟାଣ୍ଡ ପାଖ ଚା ଦୋକାନ ପାଖରେ ବସିପଡ଼ିଲା । ଦୋୖଡି ଦୋୖଡି ବୋହୁତ ହାଲିଆ ହେଇଯାଇଥିଲା ବୋଧହୁଏ । ତା ଦେହରୁ ଗମ୍ ଗମ୍ ଝାଳ ବହାରୁଥାଏ । ମୁଁ ଯାଇ ତା ପାଖେ ବସିପଡ଼ିଲି । ତାର କୁନି ହାତକୁ ଧରି ପଚାରିଲି - ଆରେ ମା ମୁଁ ଜାଣିଛି ଆଜି ରାକ୍ଷୀ ପୂର୍ଣ୍ଣିମା । ସବୁ ଭୋଉଣୀମାନେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିବେ ।ତମେ ବି ତମ ଭାଇଙ୍କ ପାଇଁ ରାକ୍ଷୀ ନେଉଛ ହେଲେ ଦୋକାନରୁ ଚୋରି କରି କାହିଁକି ନେଲ ? ତୁମ ଘରଲୋକଙ୍କୁ କହି ରାକ୍ଷୀ କିଣିକି ନେଲନି ? ତୁମ ଘର କୋଉଠି ? ମୋ ମୁହଁରୁ ଏମିତି ପ୍ରଶ୍ନ ଶୁଣି ସେଇ କୁନି ଝିଅଟିର ଆଖିରୁ ଧାର ଧାର ଅଶ୍ରୁ ଝରିପଡ଼ିଲା । ସେ ମୋ ମୁହଁକୁ ଏକ ଆକୁଳ ନୟନରେ ଚାହିଁ ରହିଲା କିଛି କ୍ଷଣ । ମୁଁ ପୁଣି ପଚାରିଲି -କଣ ହେଲା ତୁମର ? କାହିଁକି କାନ୍ଦୁଛ ? ଝିଅଟି କହିଲା - ମୋ ମାଆ ଆଉ ବାପା ଏଇ ଟିକିଏ ଆଗରୁ ମାମୁଘରକୁ ଚାଲିଗଲେ । ଆଉ ମୋ ଭାଇ ପ୍ରସ୍ତୁତ ହେଉଛି ମାମୁଘରକୁ ଯିବାପାଇଁ । ଆଜି ରାକ୍ଷୀ ପୂର୍ଣ୍ଣିମା । ମୋ ହାତରୁ ରାକ୍ଷୀ ନବାନ୍ଧି ସେ ମାମୁଘରକୁ ଚାଲିଯିବ ବୋଲି ମୁଁ କିଛି ଉପାୟ ନପାଇ ଚୋରି କରି ରାକ୍ଷୀ ନେଇଆସିଲି । ନହଲେ ବୋହୁତ ଡେରି ହେଇ ଯାଇଥାନ୍ତା ।ମୋ ପାଖରେ ପଇସା ନାହିଁ । ବାପା ଆଉ ମାଆ ରାକ୍ଷୀ କିଣିବାକୁ କିଛି ପଇସା ନଦେଇ ଚାଲିଗଲେ ମାମୁଘରକୁ । ଭାଇ ମଧ୍ୟ ପ୍ରସ୍ତୁତ ହେଇ ସାରିଲାଣି ଯିବାକୁ । ମତେ ଶୀଘ୍ର ଯାଇ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ହେବ । ନହେଲେ ସେ ବି ରାକ୍ଷୀ ନବାନ୍ଧି ଖାଲି ହାତରେ ଚାଲିଯିବ ।
ଏତିକି କହି କୁନି ଝିଅଟି ବସ୍ ଷ୍ଟାଣ୍ଡର ଆରପଟ ରାଜରାସ୍ତା ଆଡକୁ ଦୌଡ଼ିଲା । ମୁଁ ମଧ୍ୟ ତା ପଛେ ପଛେ ଗଲି । ଶେଷରେ ଯାହା ଦେଖିଲି ମୋ ଆଖିକୁ ବିଶ୍ୱାସ ହେଉନଥିଲା । ସେଇ କୁନି ଝିଅଟି ଜଣେ ଆଠ କି ନଅ ବର୍ଷର ପୁଅ ହାତରେ ରାକ୍ଷୀ ବାନ୍ଧୁଛି । ପୁଅଟି ରାଜରାସ୍ତାରେ ରକ୍ତ ଜୁଡୁବୁଡ଼ୁ ହେଇ ଶେଷ ନିଶ୍ୱାସ ତ୍ୟାଗ କରିବା ଉପରେ । ପାଖରେ ଲମ୍ବ ହେଇ ପଡିଛି ଆଉ ଦୁଇଟି ରକ୍ତ ଜୁଡୁବୁଡ଼ୁ ମୃତ ଦେହ । ଚାରିପାଖରେ ଲୋକରଣ୍ୟ । ମୁଁ ଲୋକମାନଙ୍କୁ ଆଡେଇ ସେଇ କୁନି ଝିଅ ପାଖକୁ ଗଲି । ସେତେବେଳକୁ ତାର ଭାଇ ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲା । କୁନି ଝିଅଟି ତା ଭାଇର ରାକ୍ଷୀ ବନ୍ଧା ହାତକୁ ଧରି ଭୋ ଭୋ ହେଇ କାନ୍ଦୁଥାଏ । ମୁଁ ତା ମୁଣ୍ଡକୁ ଆଉଁସି ତାକୁ ସାନ୍ତନା ଦେବାକୁ ଚେଷ୍ଟା କଲି । ପାଖ ଲୋକମାନେ କଥା ହେଉଥିଲେ କି କେହି ଜଣେ ଟ୍ରକ ଡ୍ରାଇଭର ମଦ ନିଶାରେ ଟ୍ରକ ତଳେ ଚାପିଦେଇଛି ଏହି ପରିବାରଟିକୁ । ଈଶ୍ୱରଙ୍କ ଦୟାରୁ କୁନି ଝିଅଟି ବଞ୍ଚିଯାଇଛି । ଆଜି ଭଳି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ କୁନି ଝିଅଟି ତାର ଏକମାତ୍ର ଭାଇ ଆଉ ବାପା,ମାଆଙ୍କୁ ହରେଇଲା । ମମୁଘର ବୋଲି ଯାହାକୁ କହୁଥିଲା ତାହା ଥିଲା ଜହ୍ନମାମୁ । ଓଃ କି କରୁଣ ଦୃଶ୍ୟ ! ଗୋଟିଏ ଛୋଟ ପିଲାର ସରଳ ମନ ଭାବୁଥିଲା ଯେ ତା ବାପା,ମାଆ ଆଉ ଭାଇ ଜହ୍ନମାମୁ ଘରକୁ ଯାଉଛନ୍ତି । ଏସବୁ ପାଇଁ ଦାୟୀ କିଏ ? ଆମ ମାନଙ୍କ ଭଳି ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭର ନୁହେଁ ତ ?