Lipi Sahoo

Comedy Others

4.1  

Lipi Sahoo

Comedy Others

ରାଜନୈତିକ ହରବଲ୍ ଟି

ରାଜନୈତିକ ହରବଲ୍ ଟି

4 mins
225


ରାଜଧାନୀ ଭୁବନେଶ୍ୱରର ଶୀତଋତୁ ବିଷୟ ନକହିବା ଭଲ । ଦୟା କଲା ଭଳି ପ୍ରତିବର୍ଷ ୧୦/୧୫ ଦିନ ସର୍ବମୋଟ ଶୀତ ହୁଏ । ସେ ବି ଥୁରଥୁରିଆ ଶୀତ ନୁହଁ । ଲୋକମାନେ ମନ ବହଲେଇବା ପାଇଁ ସ୍ବେଟର ମଫଲର୍ କାଢି ପିନ୍ଧନ୍ତି , ହେଲେ ତା'ର ଏତେ ଆବଶ୍ୟକତା ନଥାଏ । ସେ ସବୁ ଜିନିଷ ଲୋକ ପୁଣି ଦେଖିବା ଦରକାର ନା.... ନାହିଁ ?? ନ ହେଲେ ଟ୍ରଙ୍କରେ ପଡିପଡି ଖତ ଖାଇବ । ହେଲେ ଆମର ଆଲୋଚନା ର ବିଷୟ ଶୀତ ଋତୁ ନୁହଁ । ଆଲୋଚନାର ବିଷୟ ଅନ୍ୟ କିଛି । ଏକ ଫେଣ୍ଟାଫେଣ୍ଟି ଅନୁଭୂତି।


                   ଚଇନି ବାବୁଙ୍କ ଅଭ୍ୟାସ ସବୁ ଦିନ ସକାଳୁ ଓ୍ବାକ୍ ରୁ ଫେରିଲେ ଖାଣ୍ଟି କ୍ଷୀର ପଡି ରସବତୀଙ୍କ ହାତ ତିଆରି ଚା ପିଇବା । ହେଲେ ଆଜିକାଲି କ'ଣ ଗୋଟେ ହରବଲ୍ ଟି ର ପାଗଳାମି ସବୁ ବୟସ୍କ ମାନଙ୍କୁ ଚଢିଚି । ସବୁ ସେଇ ପାର୍କ ପାଖ ଟି ଷ୍ଟଲ୍ ରେ ଭିଡ ଜମାନ୍ତି । ଏବେ ହରିଆ ଚା ଦୋକାନରେ କାଁ ଭାଁ ଲୋକ ଦେଖା ଯାଆନ୍ତି । ସମୟ ବଦଳୁଛି ଆଉ ଲୋକଙ୍କ ରୁଚି ବି । ହେଲେ ଚଇନି ବାବୁଙ୍କ ରୁଚି ବଦଳିନି । ସେ ଆଗରୁ ରସବତୀ ଚା ପିଉଥିଲେ ଏବେ ବି ସେଇ ରସବତୀ ଚା ପିଉଛନ୍ତି । ଆଗରୁ ହରିଆ ଚା ଦୋକାନରେ ତେଜରାତି ରୁ ରାଜନୀତି ପର୍ଯ୍ୟନ୍ତ ଚର୍ଚ୍ଚା ହେଉଥିଲା । ଏବେ ହରବଲ୍ ଟି ଷ୍ଟଲ୍ ରେ ହେଉଛି । ଆଜିକାଲି ଭିଡ଼ ଟିକେ ବେଶୀ ଜମୁଛି କାହିଁକି ନା ପଞ୍ଚାୟତ ଇଲେକ୍ସନ ମୁଣ୍ଡ ଉପରେ । ରାଜନୈତିକ ମାହୋଲ ପୁରା ସରଗରମ୍ । ଖଟି ଟିକେ ଭଲକି ଜମେ । 


                   ଆଜି କାହିଁକି କେଜାଣି ଖଟି ତାଙ୍କୁ ଭାରି ଜୋରରେ ଭିଡ଼ିଲା । ପହଞ୍ଚି ଗଲେ ହରବଲ୍ ଟି ଷ୍ଟଲ୍ ପାଖରେ । 

                   ନଗିବାବୁ ଚଇନିଙ୍କୁ ଦେଖି ହସିହସି କହିଲେ , ଅଜଣା ଷଣ୍ଢ ଭୂଲ ଗଳିରେ ପଶି ଆସିଛି । ସବୁ ହୋ ହୋ ହେଇ ହସି ଉଠିଲେ । 

                   ଭାଉଜ ବୋଧେ ବାପଘରକୁ ପଳେଇଛନ୍ତି , ନ ହେଲେ ଚଇନି ବାଟ ହୁଡି ଥାଆନ୍ତା କାହିଁକି ?? ବୋଲି ଅଷ୍ଟକୀଳା ବାବୁ ଜୋଡିଲେ । ହଉ ହଉ ଆସ ଏଇଠି ବସ ମୋ ପାଖରେ । କ'ଣ ଗୋଟେ କପ୍ ଲାଗିବ ??? ପଚାରିଲେ ।


                    କୁନ୍ଥକୁନ୍ଥ ହୋଇ ଚଇନି କହିଲେ ହଉ , ଗୋଟେ ଦିଅ । ଖାଲି ବସିଲେ ଭଲ ଲାଗିବନି କି ୟେ ହରବଲ୍ ଚା ତଶ୍ଟିରେ ଗଳିବନି । ଖଟିରେ ବସିବାକୁ ହେଲେ ଚା ଟା ପି ବାକୁ ପଡ଼ିବ । କପେ ନାଲି ନାଲି ଚା ଆଣି ଧରେଇଲା ଦୋକାନି ଟୋକା । ସୁନ୍ଦର ବାସ୍ନା ଉଠୁଥିଲା ଗରମ ବାମ୍ଫରୁ । ଟେଷ୍ଟ ପଛେ ଯାହା ହେଇଥାଉ । ଦେହ ପାଇଁ ବହୁତ ଭଲ କହି ସବୁ ଏୟାକୁ ପିଇ ଯାଉଛନ୍ତି । ସେ ଢୋକେ ପିଇଲେ । ଆରେ ବାଃ !!! ପାଟିକୁ ଭଲ ଲାଗୁଛି ତ ..... ସେ ଯେମିତି ଭାବିଥିଲେ ସେମିତି କଷା କି ପିତା ନୁହଁ ଔଷଧ ଭଳିଆ ।

                    ଟାକରା ବାବୁ ଖବର କାଗଜକୁ ଓଲଟେଇ କହିଲେ ଆଜିକାଲି କ'ଣ ଗୋଟେ ସ୍ବାସ୍ଥ୍ୟକାର୍ଡ ବଣ୍ଟା ହେଉଛି । ଜିଲ୍ଲା ଜିଲ୍ଲା ବୁଲି ମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ।


                   ଚେଙ୍ଗୁବାବୁ କହିଲେ କହନା କହନା ୟେ ସବୁ ଇଲେକ୍ସନ ପେରପେରା । ୟେତେ ଯୋଜନା ପରେ ଯୋଜନା ଯେ ସମସ୍ତେ ଭାବିବେ , ସାଧାରଣ ଜନତା ଯେମିତି ଶାଶୁଘରେ ଯୋଇଁ । ହେଲେ ଅସଲ ଚିତ୍ର ବିଲକୁଲ ଓଲଟା । ରୋଗୀ ଖଟିଆରେ ବୁହା ହେଉଛନ୍ତି ଏଇଟା ସତ୍ୟ ।


                     ରଣାବାବୁ କହିଲେ , ଜନତା ଯେମିତି ଥିଲେ ସେମିତି ଅଛନ୍ତି । ଠକି ହେବା ଆମର ଅଭ୍ୟାସ ରେ ପଡିଗଲାଣି । ଭାତହାଣ୍ଡି ର ସବୁ ଭାତ ତ ସମାନ କାହାକୁ ବାଛିବୁ କହ ??? ରାଜନୀତି ଏବେ ଏକ ଅମୁହାଁ ଦେଉଳ ପାଲଟିଛି । ସାଧାରଣ ଜନତା ପଶିବିତ ପାରିବନି ନିଜ ଗୁହାରି ଶୁଣେଇବ କେମିତି ??? 

                     ଜନତା ଭୋଟ ଦେବେନି ଦେବେନି କହି ଡରଉ ଛନ୍ତି । ହେଲେ ଠିକଣା ବେଳରେ ମଦ ମାଂସ ଖାଇ ବଟନ୍ ଦବେଇ ଆସୁଛନ୍ତି । ଆମ ଗାଁ ଏବେ ରଣକ୍ଷେତ୍ର ପାଲଟିଛି । ଘର ଭିତରେ ଦୁଇ ତିନି ଅଲଗା ପାର୍ଟି । ବାପର ଗୋଟେ ପୁଅର ଗୋଟେ କୁ ଦାଦାର ଗୋଟେ । କ'ଣ କହିବୁ କହ ??? ପାଣିଚିଆ ବାବୁ କହିଲେ ।


                 ଖଡାବାବୁ ଏତିକି ଶୁଣ ଶୁଣ କହିଲେ , ଆମ ଗାଁ ରେ ଗୋଟିଏ ମର୍ଡର୍ ହେଇ ସାରିଲାଣି । ଗାଁ ମଝିରେ ହାଣିଛନ୍ତି । ଆମ ଦେଶରେ କାଳେ ସାଧାରଣତନ୍ତ୍ର ଚାଲିଛି ?? 


                   ଗାଁ ରେ ଅଧିକ ଉତ୍ପାତ ହେଉଛନ୍ତି । ମାରପିଟ୍ ହଣାକଟା ବେଶୀ ଚାଲିଛି । ଟୋକାଦଳ କ'ଣ ହେଉଛନ୍ତି ?? ଇନ୍ଦ୍ରଚନ୍ଦ୍ର ମାନୁ ନାହାଁନ୍ତି । ମନ୍ତ୍ରୀ ମାନଙ୍କ ପୋଷା କୁକୁର ସାଜିଛନ୍ତି । ତମେ ଯୋଉ ବେକାର କୁ ସେଇ ବେକାର ହେଇ ବସିଛ । ଖାଲି ଗୁଣ୍ଡାଗର୍ଦି କରିବା ସାର ହେଉଛି । ଏମାନେ କାଳେ ଆମ ଦେଶର ଭବିଷ୍ୟତ । ଆଗକୁ ବଞ୍ଚିବା ମୁସ୍କିଲ ହେଇଯିବ । ବିରକ୍ତ ହେଇ ଅଗାଡି ବାବୁ କହିଲେ ।


                 ଧପଡବାବୁ ବସିଥିଲେ ବସିଥିଲେ କହିଲେ , ଆମ ଗାଁ ରେ ଗୋଟେ ମଜା ଘଟଣା ଘଟିଛି କହୁଚି ଶୁଣ । ସମସ୍ତେ କାନ ଡେରିଲେ । ସେ ସବୁବେଳେ ମଜାଳିଆ କଥା ହିଁ ଶୁଣେଇ ଥାଆନ୍ତି । ସମସ୍ତେ ତାଙ୍କ କଥାରେ ମଜା ଉଠାନ୍ତି । ଆର ଥର ଇଲେକ୍ସନ ରେ ଆମ ଗାଁ ସରପଞ୍ଚ ପାଇଁ ମହିଳା କୋଟା ଥିଲା । ବିପକ୍ଷ ଦଳରୁ ଯେଉଁ ମହିଳା ଠିଆ ହେଇଥିଲେ ସେ ଜିତିଲେ । ତାଙ୍କ ସ୍ୱାମୀ ବିପକ୍ଷ ଦଳର ଟାଣୁଆ କର୍ମୀ । ପ୍ରକୃତରେ ତାଙ୍କୁ ଟିକଟ ମିଳିବା କଥା ଯେହେତୁ ମହିଳା ଙ୍କ ପାଇଁ ସଂରକ୍ଷିତ ଥିଲା ସେ ସ୍ତ୍ରୀ ଙ୍କୁ ଠିଆ କରେଇଲେ ଆଉ ଜିତିଲେ ବି । ହେଲେ କ'ଣ ହେବ ଯେହେତୁ ବିପକ୍ଷ ଦଳର ସେଥିପାଇଁ ସରକାରୀ ଯୋଜନା ସବୁ ଠିକ୍ ସେ ଗାଁ କୁ ଦିଆଗଲା ନାହିଁ । ନା ନା ଆଳ ଦେଖେଇ ଗାଁ ର ସବୁ ଉନ୍ନତିମୂଳକ କାମକୁ ଅଟକେଇ ରଖିଲେ । ଯେତେ ଧାଁ ଧପଡ କଲେ ବି କିଛି ଲାଭ ହେଲାନାହିଁ । ହେଲେ ଏଥର ସେ ସରପଞ୍ଚ ଚାଲାକ ହେଇ ସରକାରୀ ଦଳ କୂଜିନେତା ମାନଙ୍କୁ ହାତେଇ ସରକାରୀ ଦଳର ଟିକେଟ ନେଇ ଯାଇଛି । ସ୍ୱାମୀ କିନ୍ତୁ ବିପକ୍ଷ ଦଳ ଛାଡ଼ିବାକୁ ନାରାଜ । ସେ ଆଉ କିଛି ବାଟ ନପାଇ ତା'ର ମାଁ କୁ ବିପକ୍ଷ ଦଳର ଟିକଟ ଦିଆ କରେଇଚି । ଏଥର ଆମ ଗାଁ ରେ ଶାଶୁବୋହୂ ଙ୍କ ରାଜନିତୀକ ଲଢେଇ ଚାଲିଚି । ବୋହୂର ରାଲି ଚାଲିଚି ଆଉ ଶାଶୁର ବି ରାଲି ଚାଲିଚି । ଏଇଟା ଶୁଣିବା ପରେ ମୋତେ ଲାଗୁଚି ଆମ ଗାଁ ଢେର ଉନ୍ନତି କରିଛି । ସବୁଠି ଶାଶୁ ବୋହୂ ଘରକୋଣରେ ରହି ଘରକରଣାକୁ ନେଇ ଲଢେଇ ଲାଗୁଥିଲେ । ହେଲେ ଏଠି ଗାଁ ର ସେବା ପାଇଁ ରାଜରାସ୍ତାରେ ଶାଶୁବୋହୂ ଲଢ଼ୁଛନ୍ତି । ଆମ ଗାଁ ଆଗେଇଛି ନାଁ ନାହିଁ ଆପଣମାନେ ବିଚାର କରି କୁହନ୍ତୁ ???? ସମସ୍ତେ ଫେଁ ଫେଁ କିନା ହସି ଉଠିଲେ ।

         


                  ଚଇନି ବାବୁ ଥଟ୍ଟା କରି କହିଲେ , ଧନ୍ୟ କହିବ ସେଇ ସରପଞ୍ଚ ଙ୍କ ସ୍ୱାମୀଙ୍କୁ ବିପକ୍ଷ ସପକ୍ଷ ଦୁଇଟା ଯାକଙ୍କୁ ଗୋଟିଏ ଘରେ ସମ୍ଭାଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ବି ଗୁରୁତ୍ୱପୂର୍ଣ୍ଣ ଏବେ ତାଙ୍କ ଭୂମିକା । ଜୀବନ ଆଉ ରାଜନୀତି ଏକାକାର ହେଇଯାଇଛି । ଇୟେ ବି ଜୀବନ ର ଏକ ପ୍ରକାର ସ୍ୱତନ୍ତ୍ର ସ୍ବାଦ । ଆଜି ମୋର ଏକ ବିଶେଷ ଅନୁଭୂତି ହେଲା । କୌଣସି ବିଷୟରେ ନଜାଣି ବା ଜିନିଷ ନଚାଖି ତା ଉପରେ ଏକ ଧାରଣା କରିନେବା ଠିକ୍ ନୁହଁ । ଏଇ ଯେମିତି ହରବଲ ଟି । ମୁଁ ଭାବି ନେଇଥିବା ସ୍ବାଦ ଠାରୁ ବେଶ୍ ଅଲଗା । ଠିକ୍ ସେଇ ବ୍ୟକ୍ତିଙ୍କର ରାଜନୈତିକ ସ୍ବାଦ ପରି । ରୁଚି ଆଉ ଦୃଷ୍ଟିଭଙ୍ଗୀ ବଦଳୁଛି । କେତେବେଳେ ସାକାରାତ୍ମକ କେତେବେଳେ ନାକାରତ୍ମକ ।

                                      


Rate this content
Log in

Similar oriya story from Comedy