Chinmayee Barik

Inspirational

3  

Chinmayee Barik

Inspirational

ପୁତୁଲ୍

ପୁତୁଲ୍

3 mins
7.3K


           ଲାଗ୍ ଲାଗ୍ ପାଂଚ ଝିଅ ଆମେ । ଆମଘରକୁ ଯିଏ ଆସନ୍ତି ବୋଉକୁ ସମସ୍ତେ ଆହା ..ଚୁ..ଚୁ କରନ୍ତି ।ଯେମିତି ଝିଅ ଜନ୍ମ କରି ବୋଉ ଗୋଟେ ଅପରାଧଟିଏ କରିଦେଇଛି ।ସଂପ୍ରକିୟ ମାନେ କୁହନ୍ତି ଆମ ପୁଅ ମାନେ ଯେଉଁ ସୁଖ ନ କରୁଛନ୍ତି ତୋ ଝୁଅ ଗୁଡା ସେତିକି ସୁଖ କରୁଛନ୍ତି ।ଗାଲ ଫୁଲେଇ ରଖିଛୁ ସେମାନଙ୍କୁ ।ତାଙ୍କ କଥା ଶୁଣିଲେ ମୋ ହାଡ ଜଳେ ।ସେମାନେ ଗଲା ମାତ୍ରେ ମୁଁ ଧଡାସ୍ କରି କବାଟ ଦେଇ ଦିଏ ।ଏହିସବୁ କଥା ଲାଗି ମୁଁ କାହା ଘରକୁ ଯାଏନି ବୋଉ ସହ ।ବାପା ହସି ହସି କୁହନ୍ତି ମୋ ପାଂଚ ଝିଅ ହିଁ ମୋର ପାଂଚ ପୁଅ ।ହଁ,ତ ମୁଁ ନିଜକୁ କେବେ ଝିଅ ଭାବିନି ।

.....ଏହାର କିଛି ଦିନ ପରେ ମୋର ଭାଈ ଟେ ହେଲା ।ବୋଉ ମୁହଁରେ ତୃପ୍ତିର ହସ।ବାପାଙ୍କ ମୁହଁ ପୂର୍ବ ପରି ଧିର ସ୍ଥିର ।ଆଉ ମୁଁ??ଖବରଟି ପାଇଲା ପରେ ମୋ ଦେହରୁ ଝଣଝଣ ହୋଇ କିଛି ଖସିଯାଉଥିଲା ବୋଧେ । ତାହା ଆଉ କିଛି ନୁହେଁ ମୋ ଭିତରେ ବଢି ଉଠୁଥିବା ପୁରୁଷ ପଣିଆର ଅହଂକାର ।

....ଭାବିଲି ସତରେ ଝାଡୁଖୁଣ୍ଟି ପରି ଚୁଟି ରଖି,ବାପାଙ୍କ ଟି ସାର୍ଟ ଆଉ ଟରକିସ୍ ପିନ୍ଧି ବି ମୁଁ ପୁଅ ହୋଇ ପାରିଲିନି। ବାପା,ବୋଉ ମିଛ କହିଛନ୍ତି ମୁଁ ତାଙ୍କ ପୁଅ ବୋଲି ।ଡାହା ମିଛ ।ମୁଁ ପୁଅ ହୋଇଥିଲେ ସେ ଆଉ ଗୋଟିଏ ପୁଅ ଆଣିଲେ କାହିଁକି?ଏମାନେ କେହି ବି ଭଲ ନୁହଁନ୍ତି ।ସବୁ ମିଛ ..ମିଛ ।

ନିଜକୁ ପରିପ୍ରକାଶ କରିବାକୁ ଜାଗାଟିଏ ବାଛି ନେଇଥିଲି ।ସିଢିଘର ତଳ ପାହାଚରେ ପାଟିରେ ଜାମା ପୁରାଇ ଧକେଇ ଧକେଇ କାନ୍ଦିଲି ।ମୋ ପିଠିରେ କାହାର ହାତର ସ୍ପର୍ଶ ଥିଲା । ପରିଚିତ ଥିଲି ମୁଁ ସେ ସ୍ପର୍ଶ ସହ ।ସେ ମୋ ବାପା ।ମୁଁ ଟିକେ ଘୁଂଚି ବସିଲି ତାଙ୍କ ଠାରୁ ।ସେଦିନ ଆଉ ,ଆହେ ଦୟାମୟ ଗାଇବା ହେଲାନି ମୋର । ସବୁ ଦିନ ପରି ବାପାଙ୍କ ଛାତିରେ ମୁଣ୍ଡ ଗୁଂଜି ଶୋଇବା ହେଲାନି ମୋର । ସାତ ଦିନ ଯାଏ ମୁଁ ଦେଖିନି ମୋ ଭାଈର ମୁହଁ ।ବାପା ପଚାରିଲେ ତୋ ଭାଈର ନାମ ପୁତୁଲ୍ ରଖିବା । କେମିତି ହେବ ?।କିଛି କହିଲିନି ମୁଁ । ମନେ ମନେ ଭାବିଲି ପୁତୁଲ୍ ରଖ କି ପୁତଲା ରଖ ,ମୋର କଣ ଯାଏ ଆସେ ?

....ମୋ ମନ ଭିତରେ ଅସୂୟା ପ୍ରବେଶ କରି ସାରିଥାଏ....

କେବେ ସ୍ନେହରେ ତାକୁ ଦେଖିନି ,ହାତ ମାରିନି ପୁତୁଲ୍ କୁ । ସେ କିନ୍ତୁ ମୋତେ ଦେଖିଲେ ହସେ ,ହାତ ବଢାଏ । ଆଉ ମୋ ଭିତରେ ଅସହିଷ୍ଣୁତା ଥାଏ ।

...ପୁତୁଲ୍ କୁ ଦୁଇମାସ ହୋଇ ଯାଇଥିଲା । ସେଦିନ ବାପାଙ୍କ ଶବ ଦାଣ୍ଡରେ ଶୋଇଥିଲା । ବାହାରେ ଲୋକଙ୍କ ଗଳା ଫଟା ଚିତ୍କାର ଆଉ ଘର ଭିତରେ ଖଟ ମଶାରୀ ଭିତରେ ପୁତୁଲ୍ ର ଚିତ୍କାର । ବୋଉ ବେହୋସ୍ ।କିଏ କୁଆଡେ ସବୁ ଗଡୁଛନ୍ତି ।ପୁତୁଲ୍ ଏକା କାନ୍ଦୁଛି ରାହା ଛାଡି ।ମୋତେ ଦେଖି ସେ ଆଁ ଆଁ ରୁ ଉଁ ଉଁ ହେଲା ।ଫେରି ଆସୁଥିଲି ..ସେ ଜୋର୍ ରେ କାନ୍ଦିଲା ।ମୋ ପାଦ ଅଟକି ଗଲା ।ଫେରି ଚାହିଁଲି ।ତା ପେଟ ପିଠିରେ ମିଶି ଯାଇଥିଲା ।ଆଖିକୋଣରୁ ଲୁହ ନିଗିଡି ଆସିଥିଲା । ତାକୁ କି ଜଣା ତା ବାପା ଶବ ପାଲଟି ଯାଇଛନ୍ତି ।ତା ମଥାରୁ ଛପର ଉଡିଯାଇଛି ।ସେ ତ କେବଳ ପେଟର ଭୋକକୁ ବୁଝି ପାରୁଛି ।ଖଣ୍ଡେ ଦୂରରେ ତା କ୍ଷୀର ବୋତଲ ପଡିଛି । ତା ପାଟିରେ କ୍ଷୀର ବୋତଲ୍ ଗେଂଜି ଦେଇ ଫେରି ଆସିଲି ।

ବାପା ଚାଲିଗଲା ପରେ ମୁଁ ତାକୁ ନିରେଖି ଦେଖେ । ନିଜକୁ ଦୋଷୀ ଦୋଷୀ ଲାଗେ ।ଦୁଇମାସର ଛୁଆ କଣ ଜାଣେ କେଜାଣି ମୋତେ ଦେଖି ଅମାୟିକ ହସଟିଏ ହସିଦିଏ ।ଯେମିତି ମୋତେ କ୍ଷମା କରିଦେଇଛି ମୋତେ ।ମୁଁ ତା ଗାଲରେ ମୁହଁ ଘସେ,ଛାତିରେ ମୁଣ୍ଡ ରଖି ଧକ୍ ଧକ୍ ଶୁଣେ ।ତା ଦେହରୁ ବାପାଙ୍କ ଦେହର ଗନ୍ଧ ଆସେ ।କେବଳ ଓଠରୁ ସିଗାରେଟ୍ ଗନ୍ଧ ଛାଡି ।ପାଦ,ଆଖି,ନାକ ସବୁ ବାପାଙ୍କ ପରି ।ମୁଁ ତାକୁ ଛାତିରେ ଜାବୁଡି ଧରେ ।ମୋ ପାଟିରୁ ବାହାରି ଆସେ...ବାପାଆଆଆ ...

ପୁତୁଲ୍ କୁ ଚାରି ମାସ ହୋଇ ଥାଏ ।ଦିନେ ରାତିରେ ଅଲିଫ୍ ଲୈଲା ସିରିଏଲ୍ ଦେଖିଲା ବେଳେ ବୋଉ କହିଲା ତୁ ଘରକୁ ଅନେଇ ଥା ।ପୁତୁଲ କୁ ଝାଡା ବାନ୍ତି ।ହସ୍ପିଟାଲ୍ ନେଇକି ଯାଉଛି ।ମୁଁ ଠାକୁର ଘରେ ଦୀପଟେ ଜାଳି ବସିଲି ।ରାତି ଦୁଇଟା ବେଳେ ଗେଟ୍ ପାଖରୁ ବୋଉର ଆଉ ସିଲୁ ଦେଇର ଚିତ୍କାର ଶୁଭିଲା ।କିଛି କୁକୁରଙ୍କ କାନ୍ଦଣା ଭି ଶୁଭୁଥିଲା ।ମୁଁ ସବୁ ବୁଝିପାରୁଥିଲି । ମୁଁ ଠାକୁର ଘର କୋଣରେ ଲୁଚିଗଲି ।ମୋ ଆଖିରେ ଲୁହ ବୋହୁ ନ ଥିଲା ।ମୋର ଅସହାୟତା କୁ ମୁଁ ବି ବୁଝିପାରୁ ନ ଥିଲି । ଜନ୍ମ ବେଳେ ଯେମିତି ମୁଁ ତା ମୁହଁ ଦେଖି ନ ଥିଲି ,ମଲା ବେଳେ ବି ତା ମୁହଁ ଦେଖିବାକୁ ସାହାସ ଜୁଟାଇ ପାରି ନ ଥିଲି ।

...ମୋ ଭାଈର ଯାତ୍ରା ମୋ ସହ ସିଢିଘର ପାହାଚ ପାଖରୁ ଠାକୁର ଘର କୋଣଯାଏଁ ଥିଲା ମାତ୍ର ଚାରି ମାସର ।ମୋ ନାକରୁ ସବୁ ଦିନଲାଗି ପୁରୁଷ ଗନ୍ଧ ହଜିଗଲା ।ମୋ ଭିତର ପୁରୁଷ ପଣିଆ ଭାଙ୍ଗି ଚୁର୍ ମାର୍ ହୋଇ ସାରିଥିଲା ।

...... ସ୍ୱର୍ଗରେ ଥାଇ ପୁତୁଲ୍ ମୋତେ ଛିଗୁଲେଇ କହୁଥିଲା...ଲୁସି ,ତୁ ଏବେ ବି ବାପାଙ୍କ ଗେହ୍ଲା ପୁଅ ..ଗେହ୍ଲା ପୁଅ..

ଉଫ୍....ସତେକି ମୋ କଲିଜାକୁ କିଏ ନଖରେ କୋରି ଲୁହର ରକ୍ତ ବୁହାଇ ଦେଉଥିଲା ।

****Lucy****


Rate this content
Log in

Similar oriya story from Inspirational