Dr Jharana Satapathy

Tragedy Inspirational

3.8  

Dr Jharana Satapathy

Tragedy Inspirational

ପୁତ୍ର ଧର୍ମ

ପୁତ୍ର ଧର୍ମ

5 mins
657



ପୁତ୍ର ସନ୍ତାନଟିଏ ପାଇବା ନିମିତ୍ତ ପ୍ରତ୍ୟେକ ପିତାମାତା ଇଛା କରିଥାନ୍ତି।ଏଥି ନିମିତ୍ତ ବାର ଓଷା ତେର ବ୍ରତ,କେତେ ପୂଜା କେତେ ମାନସିକ କରିଥାନ୍ତି। କାହିଁ କେଉଁ କାଳରୁ ରହିଆସିଛି ଯେ,ପୁତ୍ର ପିତାମାତାଙ୍କର ମୃତ୍ୟୁପରେ ମୁଖାଗ୍ନିଦେଲେ ଓ ଶୁଦ୍ଧିକ୍ରିୟା କଲେ ଆତ୍ମା ମୁକ୍ତିପାଇ ସ୍ବର୍ଗଗାମୀ ହୋଇଥାଏ ।କିନ୍ତୁ ସେହି ପୁତ୍ର ବଡହେଲାପରେ ସବୁ ଭୁଲିଯାଏ।ସେ ଭାବେ ନିଜର ସ୍ତ୍ରୀ ଓ ନିଜର ସନ୍ତାନକୁ ନେଇ ହିଁ ତାର ସଂସାର।ଜନ୍ମଦାତା ପିତାମାତା ନିଜର ନୁହନ୍ତି ବରଂ ସେମାନେ ବୋଝ। ବିବାହ ପରେ ଘରକୁ ସ୍ତ୍ରୀ ଆସିବା ପରେ ସ୍ତ୍ରୀଟି ନିଜର ହେଉଛି,ନିଜ ବାପା ମାଆ ସାତପର ପାଲଟି ଯାଉଛନ୍ତି।


ଠିକ୍ ଉଦାହରଣ ଦେଖିବାକୁ ମିଳିଛି ଦାଶ ବାବୁଙ୍କ କ୍ଷେତ୍ରରେ । ସ୍ଥାନ ,କାଳ,ପାତ୍ରର ହୁଏତ ପରିବର୍ତ୍ତନ ହୋଇପାରେ କିନ୍ତୁ ବର୍ଣ୍ଣିତ ଘଟଣା ସତ୍ୟ ଉପରେ ଆଧାରିତ।


ଦାଶଵାବୁଙ୍କ ନାତି ଟୁନା ତାଙ୍କ ପାଖକୁ ଆସି କଇଁ କଇଁ କାନ୍ଦୁଥାଏ ଏବଂ କହୁଥାଏ ଜେଜେ ତୁମେ ମୋଠୁ ଅଲଗା ହୋଇଯିବ ।ଜେଜେ ଆଜି ବାପା ଆଉ ମା କଥା ହେଉଥିଲେ ମତେ ବୋର୍ଡିଙ୍ଗ ସ୍କୁଲରେ ଛାଡିଦେବା ପାଇଁ । ଆଉ କହୁଥିଲେ ଛୋଟବେଳୁ ନିଜ କଥା ନିଜେ ବୁଝିବା ଦରକାର । ନ ହେଲେ ବଡ ହେଲେ କଣକରିବି ? ଏଠି ତାଙ୍କୁ ଟାଇମ ନାହିଁ ମୋ କଥା ବୁଝିବାକୁ । ଦି ଜଣ ଯାକତ ଅଫିସ ଯିବେ, କାମକରିବେ । ଆଜିକାଲି ତ ଦି ଜଣଙ୍କ ଦରମା ନହେଲେ ଚଳିହବନି । ସବୁ ପାଇଁ ତ ପଇସା ଦରକାର ! ମତେ ସ୍କୁଲରୁ ଛାଡିବା ଆଉ ଆଣିବା ପାଇଁ ଭାରି ଅସୁବିଧା ହେଉଛି ।ଆଉ ଭଲ ହେବ ମୁଁ ଯଦି ବୋର୍ଡିଙ୍ଗ ସ୍କୁଲରେ ରହିଵି । 


ଆଉ ତୁମ କଥା ମଧ୍ୟ କଥା ହେଉଥିଲେ ଜେଜେ ତୁମକୁ ନେଇ ବୃଦ୍ଧାଶ୍ରମରେ ଛାଡିବାକୁ।ଜେଜେ ସେଠି ତୁମକୁ ତୁମ ବୟସର ସାଥି, ଭଲ ଖାଇବା, କାମକରିବାକୁ ନର୍ସ, ଡାକ୍ତର, ଏ.ସି. ରୁମ ମିଳିଯିବ । ମାସକୁ ମାସ ପଇସା ଦେଲେ ସବୁ ମିଳିଯିବ ।


ଜେଜେ କୁହନା ଜେଜେ ତୁମେ କାହିଁକି ବୃଦ୍ଧାଶ୍ରମକୁ ଯିବ?

ଜେଜେ ଜେଜେ ଆଇତ ଏଠି ରହୁଛନ୍ତି ତାଙ୍କୁ ବାବା କଣ ବୃଦ୍ଧାଶ୍ରମ ଛାଡିଦେବେ ?


ସେଦିନ ବାବା ତୁମକୁ କହୁଥିଲେ you go to hale ତା ଅର୍ଥ ଜେଜେ ତୁମେ ନର୍କକୁ ଯାଅ ବୋଲି।ବାବା କଣ ଜାଣିନାହାନ୍ତି ଜେଜେ ତୁମେ ପରା ତାଙ୍କୁ ଜନ୍ମ ଦେଇଛ ନର୍କରୁ ଉଦ୍ଧାର ହେବା ନିମିତ୍ତ।ନର୍କରୁ ଉଦ୍ଧାର ଯେଉଁମାନେ କରନ୍ତି ସେମାନେ ପୁତ୍ର।ଆଉ ବାବା ତୁମ ପ୍ରତି ଏପରି ବ୍ୟବହାର କାହିଁକି କରୁଛନ୍ତି?


ନିଜ ଆଖିରୁ ଅନାବରିତ ଝରି ଆସୁଥିବା ଲୁହ ପୋଛି , ସେ ଭୋ ଭୋ କାନ୍ଦି ଟୁନାକୁ କହି ଚାଲିଲେ --ଯେଉଁ କଷ୍ଟ ଯିଏ ନିଜେ ନ ଭୋଗିଛି ତାର ବେଦନା କାହୁଁ ବୁଝିବ ? ପୁଅ ଜନମ କରିବି ନ କଲା ଭଳିଆ ।ବାର୍ଦ୍ଧକ୍ୟଟା ସତରେ ବଡ ବୋଝ! ଏ ବାର୍ଦ୍ଧକ୍ୟ କାହିଁକି ଆସେ !


ଏ କଥାଗୁଡାକ ଟୁନାର ବାବା Mr. ଅଭିନାଶ ଅର୍ଥାତ୍ ଦାସ ବାଵୁଙ୍କ ପୁଅର କାନରେ ବାଜିଗଲା। ଅଭିନାଶ ସଙ୍ଗେ ସଙ୍ଗେ ଟୁନାକୁ ଟାଣି ଆଣି ତା ଗାଲରେ ଥାପଡ ଲଗାଇ ଅବାନ୍ତର ପ୍ରଶ୍ନମାନ ତୋ ଜେଜେକୁ ପଚାରୁଛୁ।କି ପାଲା ଲାଗିଛି ଜେଜେ ଆଉ ନାତି ଭିତରେ।ସବୁ ଡ୍ରାମା ଚାଲିଛି।ତତେ ନେଇ ବୋର୍ଡିଙ୍ଗ ସ୍କୁଲରେ ଛାଡି ଆସିଲେ ଟିକେ ଶାନ୍ତିରେ ରହିପାରିବି ଆଉ ସେ ବୁଢାକୁ ଜରାଶ୍ରମ। ଘରେ ଶାନ୍ତିରେ ରଖେଇଦେଉନ।ସବୁବେଳେ ଘରେ ପାଲା ଲାଗିଛି।


ଅଭିନାଶକୁ ଟୁନା କାନ୍ଦି କାନ୍ଦି କହୁଥାଏ ମୁଁ ଛୋଟ ବେଳୁ ଜେଜେମାଙ୍କ ଠାରୁ ଶୁଣିଥିଲି ଜନ୍ମଦାତା ପିତାମାତା ଆମ ଦେବତା ତୁଲ୍ୟ। ଜେଜେମା ସବୁବେଳେ ମତେ କହନ୍ତି ପିତାମାତାଙ୍କୁ ସନ୍ତୋଷ କଲେ ସମସ୍ତ ଦେବତା ପ୍ରୀତ ହୁଅନ୍ତି।ଆଉ ପିତାଙ୍କୁ ଧର୍ମ ଏବଂ ସ୍ବର୍ଗ ସହିତ ସମାନ କରାଯାଏ।ପିତା ମାତା ଦୁଇ ଯୁଗଳ ଦେବତାକୁ ପୂଜାକଲେ ,ଅନ୍ୟକୌଣସି ଦେବତାକୁ ପୂଜା କରିବାର ଆବଶ୍ୟକତା ନଥାଏ।


ଆଉ ଜେଜେମା ମୁଁ ଶୋଇଲାବେଳେ ମୋ ମୁଣ୍ଡ ଆଉଁସି ସବୁବେଳେ କହୁଥାନ୍ତି ତୁ ତୋ ବାବା ମାଆଙ୍କ ସବୁକଥାମାନିବୁ ତାଙ୍କୁ କେବେ ହତାଦର କରିବୁନି।ଜେଜେମା ସବୁବେଳେ ମତେ ଶ୍ରବଣ କୁମାର କଥା କହନ୍ତି।


ପୁତ୍ର ଶ୍ରବଣ କୁମାର ନିଜର ଅନ୍ଧ ପିତାମାତାକୁ ଭାରରେ ବସାଇ କାନ୍ଧରେ ବୋହି ବୋହି ତୀର୍ଥଭ୍ରମଣରେ ବାହାରିଥିଲେ।


ଆଉ ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ପିତାଙ୍କ ସତ୍ୟରକ୍ଷା ନିମିତ୍ତ ଅଯୋଧ୍ୟାର ରାଜସିଂହାସନର ମୋହକୁ ତୁଛ କରି ଚଉଦବର୍ଷ ବନବାସ ଯାଇଥିଲେ। 


ପର୍ଶୁରାମ ପିତୃଆଜ୍ଞା ପାଳନ କରି ସପ୍ତବାର ପୃଥିବୀକୁ କ୍ଷତ୍ରୀୟଶୂନ୍ୟ କରିବାର ଶପଥ ନେଇଥିଲେ।


ଟୁନା ତା ବାବା ଅଭିନାଶକୁ କହୁଥାଏ ଜେଜେମା ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କର ଏହି ହିତବାଣୀ ସବୁ ତିଳେ ତିଳେ ପାଳନ କରିବି। ଟୁନାର ସାମାନ୍ୟ ଏତିକି କଥାରେ ଅଭିନାଶ ଉତକ୍ଷିପ୍ତ ହୋଇ ଟୁନାକୁ ଜୋରସେ ଚଟକଣା ଲଗାଇ ନିଜ ଲାପଟପ ମେଲାଇ ଦେଇ ନିଜ କାମରେ ଲାଗିପଡିଲେ।


ଅଭିନାଶ କାମରେ ଭାରି ବ୍ୟସ୍ତ।ଅଭିନାଶ ବାବୁ ମୁମ୍ବାଇରେ ଏକ ପ୍ରତିଷ୍ଠତା ଇଞ୍ଜିନିୟର ରୂପେ କାର୍ଯ୍ୟରତ। ଘରେ ପତ୍ନୀ ରେଣୁବାଳା ଓ ଏକ ମାତ୍ର ପୁଅ ଟୁନା । ନିଜ ମାଆଙ୍କ ସ୍ବର୍ଗବାସ ପରେ ସେ ବାଧ୍ଯ ହୋଇ ନିଜବାପାଙ୍କୁ ରଖନ୍ତି ନିଜ ପାଖରେ। ଜେଜେକୁ ଦେଖି ଟୁନା ଆନନ୍ଦ କହିଲେ ନ ସରେ। ରେଣୁବାଳା ମଧ୍ଯ ଏକ ବେସରକାରୀ ଅଫିସ୍ ରେ କାର୍ଯ୍ଯରତା। ନାତି ଟୋକାକୁ ଦିନରେ ଥରେ ଦେଖିଦେଲେ ଆଶ୍ବସ୍ତି ଅନୁଭବ କରନ୍ତି ଜେଜେ ।ବୟସର ଅକର୍ମଣ୍ଯତା ଓ ଜେଜିଙ୍କ ଅନୁପସ୍ଥିତିର ପୀଡା ବେଶୀ ଜଣା ପଡୁ ଥାଏ ଦାଶବାବୁକୁ।ବାଣୀ ଯିବା ଦିନଠାରୁ ସେ ନିଜ ବଖରାରେ କୌଣସି ପୁରୁଣାକାଳିଆ ଜିନିଷ ପରି ପଡି ରହିଥାନ୍ତି।ଏମିତି ପରିସ୍ଥିତିରେ ତାଙ୍କ ଜୀବନଟା ଏକ ଲକ୍ଷହୀନ ନୌକା ପରି ଇତଃସ୍ତତଃ ହୋଇ ଭାସିଚାଲିଥାଏ। 


ଟୁନା ସବୁବେଳେ ଏମିତି ଶୁଣୁଥାଏ ତା ବାପା ତା ଜେଜେକୁ ତାଗିଦ୍ କରିବା ସହ ଘର ସଉଦାରେ କେତେ ପଇସା ଖର୍ଚ୍ଚ ହେଉଛି, ତାଙ୍କ ଔଷଧ କିଣାରେ କେତେ ଖର୍ଚ୍ଚ ହେଉଛି, ଆଦି ଅନେକ ଅନ୍ତହୀନ ଖର୍ଚ୍ଚର ହିସାବମାନ ।


ଅଭିନାଶ ସବୁ ଭୁଲିଯାଇଥାଏ ତା ବାପା ତାଙ୍କୁ ବଡ ମଣିଷ କରିବା ପାଇଁ ସେ ନିଜର ସର୍ବସ୍ବ ଖର୍ଚ୍ଚ କରିସାରିଛନ୍ତି। ବାକି ଯାହା ବଳକା ଥିଲା ରୁଗ୍ଣ ବାଣୀଙ୍କ(ଟୁନାର ଜେଜେମା) ଚିକିତ୍ସାରେ ଶେଷ ହୋଇ ଯାଇଥିଲା। କାଇଁ ସେତେବେଳେ ସେ କେବେ ଅବିନାଶ ପାଖରେ ଏମିତି ଖର୍ଚ୍ଚର ହିସାବ କରି ନାହାଁନ୍ତି ତ !


ସେଦିନ କାହିଁକି କେଜାଣି ଟୁନାର ଜେଜେକୁ ବହୁତ ବାଧିଥିଲା , ବୋହୁର ଏମିତି ମୁହଁ ମୋଡି ଚାଲିଯିବାଟା ଏଵଂ ନିଜ ପୁଅ ହୋଇ ବାପାକୁ ଆଲମାରିରୁ ଚୋରିହେବା ଘଟଣାରେ ଦୋଷ ଲଗାଇବାଟା। ଚୋର ବୋଲି କହିବାଶୁଣି ଟୁନାର ଜେଜେ ଆଖିରୁ ଲୁହ ଗଡାଇ ବାହାରକୁଚାଲିଯାଇଥିଲେ।


ବାହାର କବାଟ ଖୋଲିବାର ଶବ୍ଦ ଶୁଣି ଟୁନା ଧାଇଁ ଯାଇ ତା ମାମାକୁ ପଚାରିଲା-- ମାମା ମାମା ଜେଜେ କ'ଣ ଘର ବାହାରକୁଚାଲିଗଲଲେ ନାଁ କଣ? ବେଣୁବାଳା ଅଟ୍ଟହାସ୍ଯ କରି କହିଲେ ଆରେ ଯାଉ ବୁଢା କେତେବାଟ ଯିବ,ଏଇଟା ଗାଁଆ ନୁହେଁ, ସହର। ସେ ବାହରକୁ ବାହାରିଲେ ସହରର ରୂପରେଖ ଦେଖି ଭୟରେ ପୁଣି ଘରକୁ ବଳେ ଫେରି ଆସିବ। 


ସାରା ରାତି ଟୁନାର ଜେଜେ ବାହାରେ ପଡିରହିଲେ।ଟୁନା ସେମିତି ତା ଜେଜେ ପାଖରେ ବସିଥାଏ।


ନିଜେ ଶୋଇବାକୁ ଗଲେ ଅଭିନାଶ ବାବୁ। ବଡି ଭୋରରୁ ଦୁଇଜଣକୁ ଅଲଗା କରିଦେବେ ବୋଲି ନିଷ୍ପତ୍ତି ନେଇଥାନ୍ତି ଅବିନାଶ ବାବୁ। ପାଖରେ ଥାନ୍ତି ସହଧର୍ମଣୀ ବେଣୁବାଳା।ବେଣୁବେଳା ଟିକେ ଆଶ୍ବସ୍ତିକର ବୋଧ କରିକହିଲେ ଯାହା ହେଉ ଆଜି ଠିକ୍ କରିଛ।ଏ ବୁଢାକୁ ନେଇ ଜରାଶ୍ରମେ ଛାଡିଆସିବ।କେତେଦିନ ଆମ ପାଖରେ ରହିବେ।ବୁଢା ଏଠି ମରିବ ବୋଧେ।କେତେ ଦାଉ ସାଧିବ। ବୁଢାର ନା ଚାକିରି ନା ପେନସନ୍।କେତେ ଖର୍ଚ କରିବା ଵୁଢା ପାଇଁ ।ଆଉ ଆମର ଟୁନାକୁ ଅଳପ କେତେଦିନ ବୋର୍ଡିଙ୍ଗ ସ୍କୁଲରେ ଛାଡିଦବା ଏଥିମଧ୍ୟରେ ସେ ତା ଜେଜେ କଥା ସବୁ ଭୁଲିଯାଇଥିବ ପରେ ଯାଇ ଘରକୁ ଆଣିଦେବା।


ଅଭିନାଶଙ୍କୁ ବେଣୁବାଳାର କଥା କଣ ଶୁଭିବ ଟୁନାର ସାମାନ୍ୟ କେତୋଟି କଥା ଅଭିନାଶଙ୍କର ମନରେ ରହିଯାଇଥିଲା।ଅଭିନାଶ ରାତି ଅଧରେ ଟୁନାର ବେଡରୁମରେ ଯାଇ ଦେଖିଲେ ଟୁନା ସେଠି ନାହିଁ ତା ଜେଜେ ପାଖରେ ସାରା ରାତି ବାହାରେ ବସିଛି। 


ଟୁନା ଅଭିନାଶକୁ କହେ ଜେଜେମାଙ୍କ ଠାରୁ ଶୁଣିଥିଲି ବାପା , ପୁତ୍ରଧର୍ମ କେମିତି ପାଳନ କରାଯାଏ । ବାପା ମୁଁ ମଧ୍ୟ ବଡ ହେଲାପରେ, ତୁମେ ବୁଢାହୋଇଗଲା ପରେ ତୁମକୁ ନେଇ ବୃଦ୍ଧାଶ୍ରମରେ ଛାଡିଆସିବି ଆଉ ମୁଁ ମୋର ପୁତ୍ର ଧର୍ମ ପାଳନ କରିବି।ତୁମେ ଯେପରି ତୁମର ଧର୍ମ ପାଳନ କରିଛ। 


ଏମିତି ସବୁ କଥାବାର୍ତାଶୁଣି ଅଭିନାଶ ବିଛଣାକୁ ଗଲେ ତାଙ୍କୁ ଜମା ନିଦ ହେଲାନାହିଁ।ଏପଟ ସେପଟ କଡ ଲେଉଟିବା ଵେଳେ ଟୁନାର ସେହି କଥାମାନ ଆପେ ଆପେ କାନକୁ ଶୁଭୁଥାଏ।ସେପଟେ ବେଣୁବାଳା ଅଭିନାଶକୁ କହୁଥାନ୍ତି ଏଠି ଶୁଣୁଛ ସକାଳେ ହେଲେ ମୋ ବୋଉ ପାଇଁ ହର୍ଲିକ୍ସ, କିଛି ଭିଟାମିନ୍ ଟାବ୍ ଲେଟ୍ ଆଣିଦେବ।ମୋ ବୋଉଟା କିଛି ନ ଖାଇ ପିଇ ଭାରି ଦୁର୍ବଳ ଦିଶୁଛି।


ଅଭିନାଶ ଶେଷରେ ନିଜ ଭୁଲଟି ବୁଝିପାରିଛନ୍ତି ତାଙ୍କ ବାପାଙ୍କ ପାଖରେ କ୍ଷମା ମାଗିଛନ୍ତି ଆଉ ଟୁନାକୁ କୋଳକୁ ନେଇ ବହୁତ ଗେଲ କରିଛନ୍ତି ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ପୁତ୍ରଧର୍ମ ପାଳନ କରିଛନ୍ତି ।




Rate this content
Log in

Similar oriya story from Tragedy