Gayatri Behura

Abstract Romance

4  

Gayatri Behura

Abstract Romance

ପଶ୍ଚାତାପ

ପଶ୍ଚାତାପ

4 mins
19



          ରେଷ୍ଟୁରାଣ୍ଟ୍ ର ଗୋଟେ କଣ କୁ ବସି ରହିଥିଲା ସୁରେନ୍ , ସ୍ତ୍ରୀ ପାରୁଲ୍ ସହ । ଖାଇବା ଅର୍ଡର ଦିଆ ସରିଛି । ଆଜି ତା' ପସନ୍ଦର ସମସ୍ତ ଖାଇବା ବରାଦ କରିଛି ପାରୁଲ୍ । ନାନ୍, ଚିକେନ୍ ସହ ଫ୍ରେଞ୍ଚ ରୋଲ୍ ଆଉ ମସୃମ୍ ସୁପ୍ ପାରୁଲ୍ ର ବହୁତ ପସନ୍ଦ । ହେଲେ ସେଗୁଡା କିଛି ବି ଭଲ ଲାଗେନି ସୁରେନ୍ କୁ । କିନ୍ତୁ ତାକୁ ସବୁ ମନ ଖୁସିରେ ଖାଇବାକୁ ପଡିବ । ନହେଲେ ଘରେ ମହାଭାରତ ସୃଷ୍ଟି ହୋଇଯିବ । ବାହାଘର ସାତ ବର୍ଷ ହୋଇଗଲେ ମଧ୍ୟ କୋଳକୁ କୌଣସି ସନ୍ତାନ ଆସି ପାରି ନାହାନ୍ତି । ସ୍ତ୍ରୀ ର ଇଚ୍ଛା ବିରୋଧରେ କିଛି କରିବାର ଶକ୍ତି ନାହିଁ ତା'ର ।ଆଉ କିଛି ଦିନ ପରେ ସନ୍ତାନ ପାଇଁ ସେ ଚିନ୍ତା କରିବ ବୋଲି କହିଛି । ହେଲେ କାହାକୁ କହିବ ? ନା କହି ହେଉଛି ନା ସହି ହେଉଛି ।


         ହଠାତ୍ ଗୋଟେ ଛୋଟ ପୁଅର ବାବା ମାମା ଡାକରେ ତା'ର ଧ୍ୟାନ ଭଗ୍ନ ହେଲା । ଦୁଇଟି ସିଟ୍ ଛାଡି ବସିଛନ୍ତି ଛୋଟ ପିଲାଟାର ବାପା, ମାଆ । ହଠାତ୍ ତାକୁ ଲାଗିଲା ପିଲାଟିର ମାଆ କୁ ସେ ଯେପରି ଚିହ୍ନିଛି । ମନେ ପକାଇବାକୁ ଚେଷ୍ଟା କଲା । 


         ସ୍ମୃତିର ଆଲ୍ ବମ୍ ର ଚିହ୍ନା ଚିହ୍ନା ମୁହଁ । ବୋଧ ହୁଏ ମୌସୁମୀ ,ମୌସୁମୀ ମହାନ୍ତି । ଦୀର୍ଘ ପନ୍ଦର ବର୍ଷ ତଳେ ମୌସୁମୀ ସହ ଶେଷ ଦେଖା ହୋଇଥିଲା ସ୍କୁଲ୍ ର ଫାଟକ ପାଖରେ । ମନରେ ଅସରନ୍ତି କୋହ ଆଉ ଲୁହ ଭିଜା ନୟନରେ ସେ ଚାଲି ଯାଇଥିଲା ଘରକୁ । ହେଲେ କିଏ ଜାଣିଥିଲା ସେହି ଦିନଟି ସ୍କୁଲ୍ ର ତା' ପାଇଁ ଶେଷ ଦିନ ହେବ ବୋଲି । ହେଲେ ସେ ପାଇଁ ତ ସେ ହିଁ ଦାୟୀ । 


         ମୌସୁମୀ ଥିଲା ତା'ର କ୍ଲାସ୍ ମେଟ୍ । ଅଷ୍ଟମ, ନବମ ଓ ଦଶମ ତିନି ବର୍ଷ ସେମାନେ ଏକାଠି ପଢୁଥିଲେ । ଶାନ୍ତ, ସରଳ ଝିଅ ମୌସୁମୀ । ଶ୍ୟାମଳାଙ୍ଗୀ ହେଲେ ମଧ୍ୟ ଦେଖିବାକୁ ଅସୁନ୍ଦରୀ ନଥିଲା । ଆଖିରେ ଚଷମା ବ୍ୟବହାର କରୁଥିଲା ଆଖି ଖରାପ ଯୋଗୁଁ । ତା'ର ସରଳତା ହିଁ ତା'ର ସୌନ୍ଦର୍ଯ୍ୟକୁ ଦଶ ଗୁଣ ବଢାଇ ଦେଉଥିଲା । ତା'ର ଅମାୟିକ ବ୍ୟବହାର ତାକୁ ସମସ୍ତଙ୍କ ନିକଟରେ ପରିଚିତ କରାଇଥିଲା ଏକ ଭଲ ଝିଅ ଭାବରେ। ସମସ୍ତେ ତାକୁ ଭଲ ପାଉଥିଲେ । ଭଲ ପାଠ ମଧ୍ୟ ପଢୁଥିଲା ସେ । 


          ସୁରେନ୍ ମଧ୍ୟ ବହୁତ୍ ଭଲ ପଢୁଥିଲା । ମୌସୁମୀ ସହ ମଧ୍ୟ ତା'ର ସମ୍ପର୍କ ବହୁତ ଭଲ ଥିଲା । କେମିତି କେଜାଣି ନିଜର ଅଜାଣତରେ ମୌସୁମୀ ତା' ନିକଟକୁ ଟାଣି ହୋଇ ଆସୁଥିଲା । ଟେଷ୍ଟ ପରୀକ୍ଷା ସରି ଯାଇଥାଏ । ସେଦିନ କୌଣସି କାରଣରୁ ସ୍କୁଲ୍ ଅଧାରୁ ଛୁଟି ହୋଇ ଯାଇଥାଏ । କ୍ଲାସ୍ ରୁ ସମସ୍ତ ପିଲା ନିଜ ନିଜ ଘରକୁ ଚାଲି ଗଲେଶି । ନିଜର ବକ୍ସଟି କ୍ଲାସ୍ ରେ ଭୂଲି ଯାଇଥିଲା ମୌସୁମୀ । ଫେରି ଆସିଲା ନେବ ବୋଲି । କ୍ଲାସ୍ କୁମ୍ ରେ ସୁରେନ୍ ଆଉ ଜୀବନ ବସି କଥା ହେଉଥିଲେ । ସୁରେନ୍ କୁ ଦେଖି ଲାଜେଇ ଯାଇଥିଲା ମୌସୁମୀ । ନିଜର ବକ୍ସ୍ ନେବାକୁ ଆସିଛି କହିବାରୁ ସୁରେନ୍ ବତ୍ସ୍ ଟି ତା' ହାତକୁ ବଢାଇ ଦେଲା । ବକ୍ସ୍ ଟିକୁ ନେଉ ନେଉ ମୌସୁମୀ ପର ଦିନ ତା' ଘରକୁ ତାକୁ ନିମନ୍ତ୍ରଣ କରିଥିଲା ଯିବାକୁ । ହସି ହସି ମଧ୍ୟ ସମ୍ମତି ଜଣାଇଥିଲା ସୁରେନ୍ । 


          ଖୁସି ହୋଇ ଚାଲି ଯାଉଥିଲା ମୌସୁମୀ । ଝରକା ପାଖରୁ ହଠାତ୍ ଜୀବନ ର ତାଚ୍ଛଲ୍ୟ ତା' କାନରେ ପଡିଥିଲା । ସୁରେନ୍ କୁ କହୁଥିଲା ସେ " ମୌସୁମୀ ତୋତେ ଭଲ ପାଉଛି ସୁରେନ୍ " । ଉତ୍ତରରେ ସୁରେନ୍ କହିଥିଲା " ମୌସୁମୀ ଭଲ ଝିଅ ହୋଇପାରେ , ହେଲେ କାହାର ପ୍ରେମିକା ହୋଇ ପାରିବନି " । ତାପରେ ଦୁଇ ଜଣ ଜୋର୍ ରେ ହସି ଉଠିଥିଲେ ।


          ଅଟକି ଗଲା ସେ । ତାପରେ ଯାହା ଶୁଣିଲା ସେଥିରେ ତା'ର କୋମଳ ମନଟି ଖାଳି କ୍ଷତାକ୍ତ ହେଲାନି , ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲା ସେ । ତା' କାନରେ ସୁରେନ୍ ସେହି କଥା କେତେ ପଦ ପ୍ରତିଧ୍ବନିତ ହେଉଥିଲା । 

          "ନିଜକୁ ନିଜେ କେବେ ଆଇନାରେ ଦେଖିଛି ମୌସୁମୀ । କୌଣସି ଚିଡିଆ ଖାନାର ଜୀବ ପରି ଦେଖା ଯାଉଛି । ସେପରି ଝିଅ କେବେ କାହାର ପ୍ରେମ ପାତ୍ରୀ କିମ୍ବା ପ୍ରେମିକା ହୋଇ ପାରନ୍ତିନି ।"


           ଦୁଇଜଣଙ୍କର ହସ ତାକୁ ଯେପରି ନିଃସହାୟ କରି ଦେଇଥିଲା। ନିଜକୁ ବହୁତ ଅପମାନିତ ବୋଧ କରିଥିଲା ମୌସୁମୀ । ତା'ପରେ ସେ କିଛି ଦିନ ପାଇଁ ସ୍କୁଲ୍ କୁ ଆସି ନଥିଲା । ଯେଉଁଦିନ ସେ ସ୍କୁଲ୍ କୁ ଆସିଲା ,ସାର୍ଟିଫିକେଟ୍ ନେବା ପାଇଁ ଆସିଥିଲା । ଆଉ ଛଳ ଛଳ ଆଖି , ଭଗ୍ନ ହୃଦୟ ନେଇ ଫେରି ଯାଇଥିଲା ତା'ର ଗନ୍ତବ୍ୟ ସ୍ଥାନକୁ ।


          ପାଠ ପଢା ପରେ ସୁରେନ୍ ଯୋଗ ଦେଇଥିଲା ଗୋଟେ କମ୍ପାନୀରେ ଜେନେରାଲ୍ ମ୍ୟାନେଜର୍ ଭାବରେ । ବାପା ମାଆ ମଧ୍ୟ ମୋଟା ଅଙ୍କର ଯୌତୁକ ପାଇଁ ବାହାଘର କରିଦେଲେ ପାରୁଲ୍ ସହ । ପାରୁଲ୍ କୋଟିପତିଙ୍କ ଝିଅ ଥିଲା । ଦୁହିଁଙ୍କ ଚିନ୍ତାଧାରା କିନ୍ତୁ ଭିନ୍ନ ଭିନ୍ନ ଥିଲା । ତେଣୁ ସେମାନଙ୍କ ଭିତରେ ଅଶାନ୍ତି ଲାଗି ରହୁଥିଲା ବହୁ ସମୟରେ । ନିଜ ସମ୍ମାନକୁ ଡରି ସୁରେନ୍ ସବୁ ସମୟରେ ନୀରବ ରହୁଥିଲା । 


          ମୌସୁମୀ ର ପରିବାରକୁ ଲକ୍ଷ୍ୟ କରୁଥିଲା ସୁରେନ୍ । ସ୍ବାମୀ ଙ୍କ ସହ କିପରି ମନ ମିଳାଇ ଚାଲୁଥିଲା ମୌସୁମୀ । 

 

'କ'ଣ ଅର୍ଡର୍ କରିବା ମୌସୁମୀ ? '


'ତୁମ ଇଚ୍ଛା ....ଯାହା ତୁମକୁ ଭଲ ଲାଗେ ...ସବୁବେଳେ ତ ମୋ ମନ ପସନ୍ଦର ଖାଇବା ଅର୍ଡର୍ କରୁଛ । ଆଜି ତୁମ ପସନ୍ଦ ର ମଗାଅ ।'


         ହସ ଖୁସିରେ ଭରି ଯାଉଥିଲା ସେମାନଙ୍କ ସଂସାର । ପନ୍ଦର ବର୍ଷ ତଳେ ଯଦି ସେ ଚାହିଁଥାନ୍ତା ତାହେଲେ ମୌସୁମୀ ମଧ୍ୟ ତା' ଜୀବନର ସାଥୀ ହୋଇ ପାରି ଥାଆନ୍ତା । ହେଲେ ସେ ନିଜେ ନିଜେ ସେସବୁ କୁ ଜୀବନରୁ ଦୂରେଇ ଜେଇଛି । ଟାଣି ଆଣିଛି ନିଜକୁ ସେହି ନର୍କ ମଧ୍ୟକୁ । ଜଣଙ୍କ ମନରେ ଦୁଃଖ ଦେଇ ସେ ଆଜି ସେହି ଜ୍ବାଳା ରେ ଜଳୁଛି ।


         ଇଚ୍ଛା ହେଉଥିଲା ଉଠି ଯାଇ ମୌସୁମୀର ହାତ ଧରି ଜୀବନର ସମସ୍ତ ଦୋଷ ପାଇଁ କ୍ଷମା ମାଗିନେବ । ହେଲେ ପୁଣି ସେ ପଛକୁ ଫେରି ଆସିଲା । ସ୍ତୀ ର ରାଗ ଆଉ ନଜର ଆଗରେ ସେ ହାର୍ ମାନିଥିଲା ଗୋଟେ ନିଃସହାୟ ଶିଶୁ ପରି । ସେପଟକୁ ମୁହଁ ବୁଲାଇ ବସି ରହିଲା ସେ । 


"ଆରେ ଖାଉନ ଯେ...."

"ନା ଭୋକ ନାହିଁ ।"

"ଘରେ ଆଉ କିଛି ଖାଇବାକୁ ଦେଇ ପାରିବିନି ।"


         ଜାଣିଥିଲା ସୁରେନ୍ , ଆଜି ତାକୁ ଉପାସରେ ରହିବାକୁ ହିଁ ପଡିବ । ହେଲେ କ୍ଷମା ମାଗିବା ଠାରୁ ଭୋକଟା ତାକୁ ନଗଣ୍ୟ ଲାଗୁଥିଲା । 

          

        


Rate this content
Log in

More oriya story from Gayatri Behura

Similar oriya story from Abstract