STORYMIRROR

ayiswarya maharana

Inspirational

4  

ayiswarya maharana

Inspirational

ପ୍ରତିବିମ୍ବ

ପ୍ରତିବିମ୍ବ

4 mins
357

ମଧୁବାବୁ ବୈଠକ ଘରେ ବସି ତାଙ୍କ ସ୍ତ୍ରୀ ମାଳତୀ ଦେବୀଙ୍କୁ ଡାକ ଦେଉଥାନ୍ତି।ଆରେ ମାଳ , ତମର ସରିଲା କି ନାହିଁ।ଉମେଶ ବାବୁ ଙ୍କ ପୁଅର ରିସେପସନ୍ ଅଛି ତମର ନୁହେଁ।ତିନି ଘଣ୍ଟା ଧରି ତୁମେ କ'ଣ ଏମିତି ସଜ ହେଉଛ କେଜାଣି, ଲାଗୁଛି ନବ ବଧୁର ବସିବା ସ୍ଥାନ ଟିକୁ ତୁମେ ହିଁ ଅଳଙ୍କୃତ କରିବ।ସମୟ ଆସି ରାତି ୮ ଟା ହେଲାଣି। ଗଲା ପାଞ୍ଚଦିନ ଧରି କେଉଁ ଶାଢ଼ୀ ପିନ୍ଧିକି ରିସେପସନ୍ ପାର୍ଟି କୁ ଯିବ ବୋଲି ସ୍ଥିର କରି ପାରୁନଥିଲ।ଏବେ ମଣିଷ ପାଖାପାଖି ଦୁଇ ଘଣ୍ଟା ହେଲା ପ୍ରସ୍ତୁତ ହୋଇ ବସିଛି ଯେ ,ତମର ସଜ ହେବା ସମାପ୍ତ ହିଁ ହେଉନାହିଁ।୪୫ ବର୍ଷ ବୟସରେ ବି ୨୦ ବର୍ଷ ର ଝିଅ ଙ୍କ ଭଳି ସଜ ହେଲେ କ'ଣ ବୟସ ଲୁଚିବ।

ପାଠକେ ଅନୁମାନ କରିପାରୁଥିବେ ବୈଠକ ଘରୁ କ୍ଷେପଣ ହୋଇଥିବା ଶେଷ ଉକ୍ତି ଟି ଶୋଇବା ଘର ଡ୍ରେସିଂ ଟେବୁଲ୍ ସାମନାରେ ଥିବା ମହିଳାଙ୍କ ଉପରେ କି ପ୍ରଭାବ ପକାଇଥିବ।

ମାଳତୀ ଦେବୀ ଶୋଇବା ଘରୁ ହାତ ଘଣ୍ଟା ଟି ପିନ୍ଧି ପିନ୍ଧି ଗର୍ଜନ କରି ବହାରିଆସି ମଧୁ ବାବୁ ଙ୍କୁ କହିଲେ ," କଣ କହିଲ ? ମୋତେ ୪୫ବର୍ଷ। ମୁଁ ତୁମକୁ ୪୫ ବର୍ଷର ବୁଢ଼ୀ ଲାଗୁଛି। ଗଲା ୨ ମାସ ତଳେ ପରା ମୋତେ ୩୬ ବର୍ଷ ହେଲା। ଆଉ ନିଜକୁ ଆଜି ଆଇନା ରେ ଦେଖିଛ ତ ? ମହାଶୟ ଅଫିସ୍ ଗଲାବେଳେ ଚୁଟି କଲର କରି ପ୍ରସ୍ତୁତ ଥିବେ; ଆଉ ଆଜି ଉମେଶ ବାବୁ ଙ୍କ ପୁଅର ରିସେପସନ୍ ଅଛି ଯେ ଚୁଟି ସବୁ ଝୋଟ କରି ରଖିଚ। କ'ଣ ନା ସମୟ ହେଲାନି।ନିଜର ନହେଲା ନାହିଁ ,ମୋ ସମ୍ମାନ କଥା ଟିକିଏ ଚିନ୍ତା କରିଲେ ନାହିଁ।"

ମଧୁ ବାବୁ କହିଲେ, ହଁ ,ତମେ ତ ଗଲା ୯ ବର୍ଷ ହେଲା ୩୬ ବର୍ଷ ବୟସରେ ହିଁ ଅଛ।ହଉ ଛାଡ଼ ଏମିତିରେ ବି ବହୁତ୍ ଡେରି ହେଲାଣି। ସବୁ ଅଫିସ୍ ଷ୍ଟାଫ୍ ଆସିଯିବେଣି। ଚାଲ ଯିବା।"

ରେସେପସନ୍ ପାର୍ଟି ରେ ପହଞ୍ଚିବା ପରେ ମାଳତୀ ଦେବୀ ଓ ମଧୁବାବୁ ନବ ଦମ୍ପତିଙ୍କୁ ଆଶିର୍ବାଦ, ଉପହାର ଭେଟି ଦେଲେ।ତା'ପରେ ମଧୁବାବୁ ତାଙ୍କ ବନ୍ଧୁଙ୍କଗହଣକୁ ଚାଲିଗଲେ। ମାଳତୀଦେବୀ ମଧୁ ବାବୁଙ୍କର ବନ୍ଧୁପତ୍ନୀମାନଙ୍କ ସହ ଗପର ଆସର ଖୋଲିଦେଲେ। ସେଠାରେ ସମସ୍ତେ ମାଳତୀ ଦେବୀ ଙ୍କ ରୁପଚର୍ଯ୍ୟା କୁ ପ୍ରଶଂସା ତ କରିଲେ।କିନ୍ତୁ ସାହୁ ବାବୁଙ୍କ ପତ୍ନୀ ମଧୁବାବୁ ଙ୍କୁ କଟାକ୍ଷ କରିବା ପାଇଁ କହିଲେ," ବୁଝିଲ ମାଳ ଅପା, ଭଗବାନ୍ ତୁମ ଦୁହିଁକୁ ଏମିତି ଯୋଡ଼ିସନ୍ତି ଯେ ଯେମିତି ଗୋଟିଏ ଫୁଲର ପାଖୁଡ଼ା ଗୁଡ଼ିକ ଥାଆନ୍ତି ।ଫୁଲ ରୁ ଗୋଟିଏ ପାଖୁଡ଼ା ଝଡିଗଲେ ଫୁଲଟି ଅସୁନ୍ଦର ଦିଶିଯାଏ। ନାଁ ମଧ୍ୟ ଦେଖ"ମଧୁ ମାଳତୀ"।ହେଲେ ତୁମେ ତ ଏତେ ସୁନ୍ଦର ସଜେଇ ହେଇଚ; ଆମ ମଧୁ ବାବୁଙ୍କ ଚୁଟି କୁ ଟିକିଏ କଲର କରିଦେଲନି??"ଏତିକି କହି ସେ ହସିଦେଲେ, ତାଙ୍କ ହସ ସହ ଅନ୍ୟମାନେ ମଧ୍ଯ ହସିଦେଲେ। ମାଳତୀ ଦେବୀ ଙ୍କୁ ଯେଉଁ କଥା ର ଭୟ ଥିଲା,ତାହା ହିଁ ହେଲା। ମନରେ ରାଗ ଆସୁଥିଲେ ମଧ୍ୟ ବାଧ୍ୟ ହୋଇ ମିଛରେ ଟିକିଏ ହସି ଦେଇ କହିଲେ ନା, ନା ତାଙ୍କର ଅଫିସ୍ ରେ ବହୁତ୍ କାମ ଆସିଚି ତ,ତେଣୁ ବ୍ୟସ୍ତତା ଭିତରେ ଚୁଟି ପ୍ରତି ଆଉ ଧ୍ୟାନ ଦେଇନାହାନ୍ତି।

           ଏହା ପରେ ଭୋଜନ କରି ସାରି ମଧୁବାବୁ ଓ ମାଳତୀ ଦେବୀ ଉମେଶ ବାବୁ ଙ୍କ ଠାରୁ ବିଦାୟ ନେଇ ଘରକୁ ଫେରିଲେ। ରାସ୍ତା ସାରା ମାଳତୀ ଦେବୀ ଚୁପ୍ ଥାଆନ୍ତି, ଯାହାକି ମଧୁବାବୁଙ୍କୁ ଅସହ୍ୟ ବୋଧ ହେଉଥିଲା।ସେ ଭାବୁଥିଲେ ପତ୍ନୀ ଫେରିବା ବେଳେ ଯିବା ସମୟର ରାଗ ସୁଝାଇବା ପାଇଁ କିଛି କହିବେ, କିନ୍ତୁ ପରିସ୍ଥିତି ତ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଘରକୁ ଆସି ମଧୁବାବୁ ପଚାରିଲେ,"ମାଳ ତମ ଦେହ ଠିକ୍ ଅଛି ତ?? ମାଳତୀ ଦେବୀ କେବଳ ହଁ ଟିଏ କଲେ। ମଧୁବାବୁ ପୁଣି ପଚାରିଲେ ତାହେଲେ ତମକୁ କିଏ କ'ଣ କହିଲା କି??"ପୂର୍ବ ପରି ମାଳତୀ ଦେବୀ ଛୋଟ ' ନାହିଁ' ରେ ଉତ୍ତର ରଖିଲେ। ମାଳତୀ ଦେବୀ ଙ୍କ ଏ ହବାଭବ ଦେଖି ମଧୁବାବୁ ନିଶ୍ଚିତ ହୋଇଗଲେ ଯେ ପାର୍ଟିରେ କିଛି ଘଟିଛି ଯାହାକି ମାଳ ଙ୍କୁ ଖୁବ୍ ଦୁଃଖ ଦେଇଛି, ତଥାପି କାରଣ ଟି ଅନୁମାନ କରିପାରିନଥିଲେ। କ୍ଲାନ୍ତ ଅନୁଭବ କରୁଥିବାରୁ ପରଦିନ କଥା ହେବାପାଇଁ ସ୍ଥିର କଲେ। ଏମିତିରେ ତ ସନ୍ଧ୍ୟାରେ ଘରେ ନିଜେ ଯେଉଁ ପରିସ୍ଥିତି ସୃଷ୍ଟି କରିଥଲେ ବର୍ତ୍ତମାନ ଚୁପ୍ ରହିଯିବା ଭଲ ହେବ ଚିନ୍ତା କରି ବାଥ୍ ରୁମ୍ ରୁ ଧୁଆ ଧୁଇ ହୋଇ ଆସି ପୋଷାକ ବଦଳାଇ ଶୋଇପଡ଼ିଲେ। ମାଳତୀ ଦେବୀ ଶୋଇବାକୁ ଆସିବା ବେଳକୁ ମଧୁବାବୁଙ୍କ ଘନ ଘନ ଘୁଙ୍ଗୁଡ଼ି ଶବ୍ଦରେ ଶୋଇବା ଘରର ନିରବତା ଭଙ୍ଗ ହେଉଥିଲା।

           ଶଯ୍ୟା ଉପରେ ବସି ମାଳତୀ ଦେବୀ ମଧୁବାବୁଙ୍କୁ ଏକ ବିରକ୍ତି ଭରା ଦୃଷ୍ଟିରେ ଚାହିଁଲେ। ମଣିଷ ଟି ଦୁଷ୍ଟ ହେଉ କି ଶିଷ୍ଟ ହେଉ ଶୋଇଲା ବେଳେ ଭାରି ନିରୀହ ଦିଶେ। ଶୟନରତ ମଧୁବାବୁଙ୍କ ମୁହଁଟି ମଧ୍ୟ ମାଳତୀ ଦେବୀ ଙ୍କୁ ନିରୀହ ଲଗୁଥିଲା। କିଛି ସମୟ ନୀରବରେ ପତିଙ୍କ ନିରୀହ ଚେହେରା କୁ ଦେଖି ମାଳତୀ ଦେବୀ ଭାବିଲେ ଲୋକଟି କେତେ ଶାନ୍ତିରେ ଶୋଇଯାଇଛି। ମୋତେ ଯେପରି ତାଙ୍କ ବନ୍ଧୁପତ୍ନୀ ବିଦ୍ରୁପ କରିଲେ , ତାଙ୍କୁ ମଧ୍ୟ ତାଙ୍କ ବନ୍ଧୁଗଣ ସେପରି କିଛି ଥଟ୍ଟା ମଜା କରିଥିବେ। କାହିଁ ତାଙ୍କ ମନରେ ତ କିଛି ଭାବାନ୍ତର ସୃଷ୍ଟି ହୋଇନାହିଁ। ତେବେ ମୁଁ କାହିଁକି ଏତେ ବ୍ୟସ୍ତ ହେଉଛି। ମୁଁ କ'ଣ ବାସ୍ତବତା କୁ ଗ୍ରହଣ କରିବା ପାଇଁ ଭୟ କରୁଛି।ଶଯ୍ୟା ଉପରୁ ଉଠିଯାଇ ଡ୍ରେସିଂ ଟେବଲ ଆଇନା ସାମ୍ନା ରେ ଛିଡ଼ା ହୋଇଗଲେ ମାଳତୀ ଦେବୀ। ସ୍ପଷ୍ଟ ଭାବରେ ଦେଖୁଥିଲେ ଆପଣାର ପ୍ରତିବିମ୍ବ। ମୁହଁରେ କୌଣସି ପ୍ରସାଧନ ସାମଗ୍ରୀ ର ପ୍ରଲେପ ନଥିଲା। ଆଜି ଯେପରି ତାଙ୍କର ପ୍ରତିବିମ୍ବ ତାଙ୍କୁ ଏକ ବାସ୍ତବତା ସହ ପରିଚୟ କରାଇ ଦେଉଛି। ଫେରିଯାଇଥିଲେ ବିଗତ ଦିନଗୁଡିକୁ। ତାଙ୍କର କଲେଜ ପଢିବା ସମୟ ରେ ସେ ହିଁ ତ ଥିଲେ କଲେଜ ର ସବୁଠାରୁ ସୁନ୍ଦରୀ ତରୁଣୀ। ପ୍ରସାଧନ ସାମଗ୍ରୀ ସମେତ ଅଳଙ୍କାର ପ୍ରତି ଥିଲା ଅହେତୁକ ଦୁର୍ବଳତା। ନିଜ ସୌନ୍ଦର୍ଯ୍ୟ ରେ ଖୁବ୍ ଗର୍ଵିତା ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ମୁଖରୁ ସେହି ଦୀପ୍ତି ଉଭାନ ହୋଇଯାଇଛି। ଆଖି ତଳେ କଳଦାଗର ସ୍ପଷ୍ଟି କରଣ ହୋଇଛି। ତ୍ଵଚାରେ ଭଙ୍ଗ ଆସିବା ଧୀରେ ଧୀରେ ଆରମ୍ଭ ହୋଇଯାଇଛି। ଯଦି ବାର୍ଦ୍ଧକ୍ୟ ଆସିବା ସତ୍ୟ , ତେବେ ବାର୍ଦ୍ଧକ୍ୟ ଯୋଗୁ ଶରୀର ର ପରିବର୍ତ୍ତନ ମଧ୍ୟ ସତ୍ୟ। ତଥାପି ଏହି ସତ୍ୟ କୁ ଲୁଚାଇବା ରେ କି ପ୍ରୟୋଜନ ରହିଛି।ନିଜର ଅସ୍ଥାୟୀ ସୌନ୍ଦର୍ଯ୍ୟକୁ ନେଇ ମଣିଷର ଆତ୍ମଗର୍ବ କାହିଁକି??? ଯେବେ ମନର ସୌନ୍ଦର୍ଯ୍ୟ ଚିରସ୍ଥାୟୀ ତେବେ ଏହି ଅସ୍ଥାୟୀ ସୌନ୍ଦର୍ଯ୍ୟକୁ ନେଇ ମଣିଷ ଏତେ ତତ୍ପର କାହିଁକି???

ଆଜି ଯେପରି ମିସେସ୍ ସାହୁ ନୁହନ୍ତି,ତାଙ୍କର ନିଜର ପ୍ରତିବିମ୍ବ ହିଁ ତାଙ୍କୁ ବିଦ୍ରୁପ କରୁଛି। ଜୀବନର ଏକ ସତ୍ୟତା ସହ ନିର୍ମମ ଭାବରେ ପରିଚିତ କରାଇଦେଇଛି। ରାତିର ଅନ୍ଧକାର ଭିତରେ ମାଳତୀ ଦେବୀଙ୍କ ମନରେ ଜମାଟ ବାନ୍ଧିଥିବା ଗର୍ବର ଅନ୍ଧାର ଯେପରି ଲୀନ ହୋଇଯାଇଥିଲା।

ତା ପରଦିନ ସକାଳ ରେ ମଧୁବାବୁ ପ୍ରାତଃ ଭ୍ରମଣରୁ ଫେରିବା ସମୟରେ ଗତ କାଲିର ସନ୍ଧ୍ୟାରେ ହୋଇଥିବା ଭୁଲ୍ ସୁଧାରିବାକୁ ଯାଇ ମାଳତୀ ଦେବୀ ଙ୍କ ପାଇଁ ସୁନ୍ଦର ଗଜରା ଟିଏ କିଣିନେଇଥିଲେ। ଘରେ ପହଞ୍ଚି ମାଳତୀ ଦେବୀ ଙ୍କ ହାତକୁ ଗଜରା ଟି ବଢ଼ାଇଦେଇ କହିଲେ,"ମାଳ ନିଅ ଏଇ ଗଜରା ଟି ପିନ୍ଧିବ। ତମ ଖୋସା କୁ ଭଲ ମାନିବ।"ମାଳତୀ ଦେବୀ ଲାଜେଇ ଯାଇ କହିଲେ,"ଧେତ୍, ମୁଁ ପରା ବୁଢ଼ୀ ହେଲିଣି। ଆଉ କଣ ଏସବୁ ଭଲ ଲାଗିବ।"ଏତିକି କହି ଗଭାରେ ଗଜରା ଟିକୁ ଗୁଡ଼ାଇ ଦେଲେ। ମଧୁ ଵାବୁ ସେଠି ଛିଡ଼ା ହୋଇ ଭାବୁଥିଲେ ସତରେ ଏଇ ନାରୀ ଜାତିକୁ ବୁଝିବା ଅତ୍ୟନ୍ତ କଷ୍ଟସାଧ୍ୟ।

              



Rate this content
Log in

Similar oriya story from Inspirational