ପ୍ରତିବାଦ
ପ୍ରତିବାଦ
ଆମ ଗାଁ ଖଳାବାଡି ପାଳ ଗଦା ତଳେ ଗୋଟିଏ କୁକୁର - ଛୁଆ ଦେଇଥାଏ ଚାରି ପାଞ୍ଚୋଟି । ସେତେବେଳେ ଆମେ Xmas ଛୁଟିରେ ଗାଁକୁ ଯାଇଥାଉ । ମୋର ଝିଅ ପ୍ରତିଦିନ ସକାଳୁ ଉଠୁଉଠୁ ସେ କୁକୁରଛୁଆ ଗୁଡିକୁ ଦେଖିବାକୁ ସେ ପାଳ ଗଦା ମୂଳକୁ ପଳାଇଯାଏ । ପିଲା ଲୋକ କୁକୁରଛୁଆ ଦେଖିବା ଏବଂ ଧରିବାକୁ ଭାରି ଆଗ୍ରହ। ମାଆ କୁକୁରଟି ନ ଥିଲା ବେଳେ ମୋର ଝିଅ ସେଥିରୁ ଚିକ୍କଣିଆ ଛୁଆଟିଏ ଧରି ଘରକୁ ପଳାଇଆସେ । ଛୁଆଗୁଡ଼ାକର ଆଖି ଖୋଲି ନ ଥାଏ । ମୋର ବୋଉ ଠାରୁ ଖିର ମାଗି ଡ୍ରପରରେ ଛୁଆଟିକୁ ଖିର ପିଆଇଦିଏ ଛୁଆଟିର ଆଖି ଖୋଲି ନ ଥିଲେ ମଧ୍ୟ ଚାକୁରୁ ଚାକୁରୁ କରି ଖିର ପିଇନିଏ । ପଡିଶା ଘର ଗୁଡିଆ ମାଆ ନାତୁଣୀକୁ ତାଗିଦ କରି କହନ୍ତି - ତା ମାଆ ଖୋଜୁଥିବ, ତାକୁ ନେଇ ପାଳ ଗଦା ତଳେ ଛାଡିଦିଏ ।
ଆମେ Xmas ଛୁଟିରେ ଯେତିକି ଦିନ ଗାଁରେ ରହିଲୁ ଝିଅର ଏଭଳି ନଖରାମୀ । ଦିନେ ଦିନେ ଝିଅକୁ ସେଠାରୁ ଆଣିବା ବାହାନାରେ ମୁଁ କୁକୁରଛୁଆ ଗୁଡିକୁ ଦେଖିବାକୁ ପଳାଇଯାଏ । ସେ ଛୁଆ ଗୁଡିକ ତା ମାଆ ପାଖରେ ଯାକଯୁକି ହୋଇ ଶୋଇଥାନ୍ତି ।
ଧିରେ ଧିରେ ଛୁଆ ଗୁଡିକର ଆଖି ଖୋଲିଲାଣି, ସେମାନେ ନୂତନ ଦୁନିଆ ଦେଖିବାକୁ ଆଗଭର ହେଲେଣି ! ! !
ମାଆ କୁକୁରଟି ସେମାନଙ୍କୁ ବାହାରକୁ ଯିବାକୁ ଦେଉନାହିଁ, ଟିକେ ବାହାରକୁ ବାହାରିଲେ ପାଟିରେ ଧରି ଟାଣି ଆଣୁଛି ଭିତରକୁ । ଛୁଆଗୁଡ଼ାକ କେଁ କାଁ ଭେଁ ଭାଁ ହେଉଛନ୍ତି । ମାଆ କୁକୁରଟି ବାରମ୍ବାର ଜିଭରେ ଚାଟିଚୁଟି ଶରୀରକୁ ଶକ୍ତିଶାଳୀ କରୁଛି ।
ଗୋଟିଏ ଛୁଆ ତାର ଗୋଡ ଲାଞ୍ଜ ସଳଖି ଚତୁର୍ଦ୍ଦିଗ ଦେଖିଲା ! ! !
ମାଆ ଖୁସି ହେଲା - ମୋର ଛୁଆ ଶକ୍ତିଶାଳୀ ହୋଇଗଲା ବୋଧେ...... ନୂତନ ଦୁନିଆ ଦେଖୁ....
ତେଣୁ ସେ ଟିକେ ଘୁଞ୍ଚିଗଲା, ତାର ଟିକି ଟିକି ଗୋଡକୁ ଚାଟି ମାଆ ଆହୁରି ଶକ୍ତିଶାଳୀ କରାଇବାକୁ ଲାଗିଲା ।
ଛୁଆଟି ପାଳ ଗଦା ଭିତରୁ ଦୁନିଆର ଆଲୋକ ଦେଖି କ'ଣ ଭାବୁଥାଏ ? ?
ତାପରେ ତା ମାଆ ଆଡକୁ ଚାହିଁ ଟିକେ ସମୟ ଆଖି ପକାଇ ଦେଲା ।
ମାଆ ଟିକେ ହସିବା ଭାବରେ କହିଲା - "ମୋର ଧନ ଏଥର ହୁସିଆର ହୋଇଗଲା" ।
ହେଉ ଧନ...... ଟିକିଏ - ଥୟ ଧରେ...... ତୋର ଗୋଡ ଗୁଡିକ ପୁରା ଶକ୍ତିଶାଳୀ, ବଳଶାଳୀ ହେଇଯାଉ ।
ମୁଁ ତୋତେ ଦଉଡିବା, ଚଢିବା, କୁଦିବା ସବୁ ଶିଖାଇଦେବି । ତୋତେ ଏ ମିଛମାୟା ସଂସାରରେ ବୁଲି ବୁଲି ସବୁ ନୂଆ ନୂଆ ଜିନିଷ ଦେଖେଇ ଦେବି , ଖୁଆଇ ଦେବି ତୁ ତାକୁ ସବୁ ଦେଖିବୁ ଉପଭୋଗ କରିବୁ ।
ତୁ ଏବେ ସିନା ଏ ଭିତରେ ଅଛୁ - ତୁ ବାହାରକୁ ବାହାରିଲେ ସୁର୍ଯ୍ୟଙ୍କର କିରଣ ଦେଖିବୁ, ରାତିରେ ସରଗର ତୋଫା ଜହ୍ନର ଆଲୁଅ ଦେଖିବୁ ତାରାମାନେ ଆକାଶରେ କେମିତି ସୁନ୍ଦର ଦେଖାଯାଉଛନ୍ତି ସବୁ ଦେଖାଇଦେବି । ମୁଁ ତୋର ପାଇଁ ସଂସାରର ଭଲ ଭଲ ଦରବ ଆଣି ଖୁଆଇଦେବି । ତୁ ଟିକେ ବଡ ହୋଇଯାଆ, ତୁ ଶକ୍ତିଶାଳୀ, ବଳଶାଳୀ ହୋଇଯାଆ ।
ତାର ମାଆ ତାର ଭାଷାରେ ତାକୁ କହୁଥାଏ । ମୁଁ ମୋର ଝିଅକୁ ବାଧ୍ଯ କରି ଡାକିଲି - ଆସେ ଖାଇବା......... କହି ତାକୁ ଘରକୁ ଆଣିଲି ।
ମୋର ଝିଅର ମନ ମୋଟେ ଘରେ ନ ଥାଏ। ଖାଇବା ସରିବା ସଙ୍ଗେ ସଙ୍ଗେ ପୁଣି ଦୌଡ଼ିଲା ପାଳଗଦା ପାଖକୁ, ତାର ମାଆ ବାହାରକୁ ପଳାଇବାର ଦେଖି - ଗୋଟିଏ ଛୁଆକୁ ଧରି ଘରକୁ ପଳାଇଆସିଲା । ମୋର ବୋଉ ମଧ୍ୟ ନାତୁଣୀକୁ ଆକଟ କରେନାହିଁ । ମୋର ବୋଉ ମାଆ କୁକୁରର ନାଆଁ ଦେଇଥାଏ "ପମ୍ପି"।
ପମ୍ପି କିଛି ସମୟ ପରେ ତାର ଛୁଆ ପାଇଁ ବରାଟିଏ ପାଟିରେ ଧରି ଆସିଲା । ପମ୍ପି ସେହି ବରାଟିରୁ ଟିକିଏ ଭାଙ୍ଗି ବଡ ଛୁଆ କୁକୁରର ପାଟିରେ ଗୁଞ୍ଜି ଦେଲା ।
ଛୁଆଟି ଆସ୍ତେ ଆସ୍ତେ ଖାଇବାକୁ ଲାଗିଲା - ଆଃ ! କି ସୁଆଦ !
ସେ ଭାବିଲା - ସେ ସଂସାରକୁ ଦେଖିବ ଏବଂ ସଂସାରଟି କେଡେ ସୁଆଦିଆ ହୋଇ ନ ଥିବ ? ? ?
ପମ୍ପି କୋଳରେ ସବୁ ଛୁଆ ଉଷୁମୁରେ ଶୋଇଯାଇଛନ୍ତି, ସେଥିରୁ ବଡ ଛୁଆଟିର ଆଖିରେ ନିଦ ନାହିଁ । ସେ ସପନ ଦେଖୁଛି - ସେ ବଡ ହୋଇଯିବ, ବଳଶାଳୀ ଶକ୍ତିଶାଳୀ ହୋଇଯିବ, ଧାଇଁବ କୁଦିବ.......
ହଠାତ୍ ମାଧିଆ ବାପାଙ୍କର ଆସିବାର ଶଦ୍ଦରେ ସେ ଚମକି ପଡ଼ିଲା । ମାଧିଆ ବାପା କୁକୁରକୁ ଦେଖିଲେ ଗୋଡେଇ ଗୋଡେଇ ପିଟନ୍ତି ।
ପମ୍ପି ତାର ସମସ୍ତ ଛୁଆଙ୍କୁ ଭିତତ୍ରସ୍ତ ଅବସ୍ଥାରେ ନିଜକୋଳକୁ ଟାଣି ଆଣିଲା । ବଡ ଛୁଆଟି ଭୟରେ କରଡା ପତ୍ର ଭଳି ଥରୁଥାଏ ।
ମାଆ ହସି ହସି କହିଲା - "ତ ଦୁନିଆକୁ ଆସିଛୁ" ତୋତେ ବାହାରକୁ ଯିବାକୁ ବା ଦୁନିଆ ଦେଖିବାକୁ ମନା ନାହିଁ କିନ୍ତୁ ତୁ ଆଗ ବଡ ହୋଇଯାଆ, ତୋ ଦେହରେ ଶକ୍ତି ହୋଇଯାଉ ନଚେତ୍ "ଦୁନିଆ ତୋତେ ଠକି ଦେବ" ଟିକିଏ ଧର୍ଯ୍ୟ ଧରିଯା ।
ମାଆ କୁକୁରଟିକୁ ବୁଝାଇ ସୁଝାଇ ଖାଦ୍ୟ ଅନ୍ବେଷଣରେ ବାହାରକୁ ଚାଲିଗଲା । ପମ୍ପି ଯିବା ସଙ୍ଗେ ସଙ୍ଗେ ବଡ କୁକୁରଛୁଆଟି ଆଉ ଗୋଟିଏ ଛୁଆକୁ ନେଇ ରାସ୍ତା ଉପରକୁ ଖେଳିବାକୁ ବାହାରିଗଲା ।
ବାହାରେ ଦୁଇଜଣ ଯାକ ଆନନ୍ଦରେ ଖେଳିଲେ, ବୁଲିଲେ, ଖାଇଲେ । ପମ୍ପି ଆସିବା ପୂର୍ବରୁ ପଳାଇ ଆସିଲେ ପାଳ ଗଦା ତଳକୁ ,ମାଆ ଜାଣି ପାରିଲା ନାହିଁ ।
ଧିରେ ଧିରେ ଛୁଆ ଗୁଡିକ ବଡ ହୋଇଗଲେଣି...... ନିଜେ ବୁଲିବା, ନିଜର ଖାଦ୍ୟ ଅନ୍ବେଷଣ ନିଜେ କରିବାରେ, ସେମାନେ ପାରଙ୍ଗମ ହୋଇ ଗଲେଣି । ମାଆ କୁକୁରଟି ବାରମ୍ବାର ଛୁଆମାନଙ୍କୁ ସତର୍କ କରାଉଥାଏ ।
ଦିନେ ଗୋଟିଏ ଛୁଆ ରାସ୍ତା ପାରି ହେଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଗାଡ଼ି, ଛୁଆର ମୁଣ୍ଡ ଉପରେ ଚଢାଇ ଦେଇ ଚାଲିଗଲା । ମାଆ - ଛୁଆଟିର ବିକଳ କ୍ରନ୍ଦନ ଧ୍ବନି ରେ ସଙ୍ଗେ ସଙ୍ଗେ ଆସି ସେଠାରେ ପହଞ୍ଚିଗଲା ।
ବଡ ଛୁଆଟି ବାହୁନେଇ ବାହୁନେଇ କାନ୍ଦୁଥାଏ । ମାଆକୁ ବାରମ୍ବାର ତାର ଭାଷାରେ ପଚାରୁଥାଏ ? ? ?
ତୁ କ'ହ ମାଆ - ଆମ ପାଇଁ କାହିଁକି ଏତେ ଅନ୍ୟାୟ ? ? ?
ସଂସାରରେ ଭଗବାନ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି ପ୍ରାଣ ଦେଇଛନ୍ତି ! ! ! ଆମେ ସମସ୍ତେ ଭଗବାନଙ୍କର ଅଂଶ ବିଶେଷ ! ! !
ମାଆ ତୁ ଦେଖିଛୁ ସେଦିନ - ସରପଞ୍ଚ ବାବୁଙ୍କର ପୁଅ ମଦ ପିଇ ଦ୍ରୁତଗତିରେ ଗାଡି ଚଳାଉଥିଲା । ଆଗରେ ଯାଉଥିବା ଏକ ଟ୍ରକକୁ ଓଭରଟେକ କରିବାକୁ ଯାଇ ବିପରୀତ ଦିଗରେ ଆସୁଥିବା ଏକ ଯାତ୍ରୀବାହି ବସ୍ ସହିତ ଭାରସାମ୍ଯ ହରାଇ ପିଟି ହୋଇ ମୃତ୍ୟୁବରଣ କଲା । ସଙ୍ଗେ ସଙ୍ଗେ କେତେ ଲୋକ କୁଆଡେ ଥିଲେ ଆସି ଜମା ହୋଇଗଲେ, ଦୁର୍ଘଟଣା ଘଟାଇ ଥିବା ବସ୍ ଟିକୁ ଜାଳି ଦେଲେ । ଟାୟାର ଜାଳି ରାସ୍ତା ଅବରୋଧ କଲେ । ଶହ ଶହ ଗାଡି ଦୁଇ ପାଖରେ ଜମା ହୋଇ ରହିଲା । ଆନ୍ଦୋଳନକାରୀ ରାସ୍ତା ଉପରେ ଶବରଖି କ୍ଷତିପୂରଣ ଦାବିକଲେ । ପୋଲିସ ଆସିଲା ବୁଝାସୁଝା କଲା - ଆନ୍ଦୋଳନକାରୀ ହଟିଲେ ନାହିଁ । ଶେଷରେ ସବକଲେକ୍ଟର ଆସି ଜିଲ୍ଲାପାଳଙ୍କ ରେଡକ୍ରସ ପାଣ୍ଠିରୁ ଦଶଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିବାରୁ ଆନ୍ଦୋଳନକାରୀମାନେ ହଟିଲେ ।
କିନ୍ତୁ ତୁ ମାଆ କ'ହ - ଭାଇର ମୋର ରାସ୍ତା କଡରେ ଖେଳୁଥିଲୁ, ହଠାତ୍ ସେ ବୋଲର ଗାଡିଟା - ଏ ଆଡକୁ ଆଣି ଭାଇ ଉପରେ ଚଢାଇ ଦେଇ ଚାଲିଗଲା । ଆମର କଥା କିଏ କ' ଣ ବୁଝିବାକୁ ନାହିଁ, ସରପଞ୍ଚ ପୁଅ ପାଇଁ ଆନ୍ଦୋଳନ କଲାଭଳି ଆମେ କ'ଣ ମିଶି ଆନ୍ଦୋଳନ କରିପାରିବା ନାହିଁ ? ? ?
ନା.... ଆମେ ଶ୍ବାନ ! ! ! ଆମେ ସମସ୍ତଙ୍କ ଠାରୁ ମାଡ ଗାଳି ଖାଇବା ଶୁଣିବା ସେଥିପାଇଁ ଆମର ଜନ୍ମ । ସାରଳାଦାସ କହିଲେ - "ଶ୍ବାନ ପଦରଜ ପଡନ୍ତେଣ ଅବେଳକେ ଆଷ୍ୟ ତୁଟଇ" । ପୁଣି ନା ଆମର ପାଦଧୂଳି ପଡିଗଲେ ଅବେଳରେ ଆୟୁଷ ଚାଲିଯିବ ।
ଏହି ଭଳି ତାର ଭାଷାରେ ସେ ତାର ମାଆକୁ କହୁଥାଏ ।
ମାଆର ଆଖିରୁ ଲୁହ ଝରି ପଡୁଥାଏ ଛୁଆଟିକୁ କେମିତି ବୁଝାଇବ ? ଯେ ଆମେ ମନୁଷ୍ଯ ପରି ନୋହୁ । ମୃତ ଛୁଆଟିର ମୁଣ୍ଡରୁ ମୁଣ୍ଡା ରକ୍ତ ଗୁଡିକ ବୋହିଯାଇ କଳାର ପିଚୁ ରାସ୍ତାକୁ ଲାଲ କରିଦେଲାଣି ।
ମାଆ କହିଲା ନାଇରେ - ଆମେ ସମାଜରେ ମନୁଷ୍ଯ ପରି ନୋହୁ । ମନୁଷ୍ଯ ଖରାପ କାମ କଲେ ତାଙ୍କ ପାଇଁ ଆଇନ୍, କୋଟ କଚେରୀ ସବୁ ଅଛି । ଆମ ପାଇଁ ? ? ?
ଆମର ଜୀବନ ଧିକ ଜୀବନ ! ! ! କଥାରେ ଅଛି ପରା ଆମର ଜୀବନ "ନିରକତିଆ ଜୀବନ" । ଆମେ ସେମାନଙ୍କର ଦୁଃଖ ସୁଖରେ ସାଥୀ ହେବା । ସେମାନେ ଯାହା ଦେବେ ଆମେ ସେୟା ଅଇଁଠା ହେଲେ ମଧ୍ୟ ଖାଇବା । ଆମେ ସେମାନଙ୍କର ସେବା କରିବା, ରାତି ଦିନ ସେମାନଙ୍କୁ ଜଗି କରି ରହିବା । ଆମକୁ କହିବେ ସମାଜରେ ଅସଭ୍ୟ କିନ୍ତୁ ସେମାନେ ସମାଜରେ ମୁଖାପିନ୍ଧା ଅସଲି ଅସଭ୍ୟ । କେତେକ କ୍ଷେତ୍ରରେ ସେମାନେ ନିଜର ହିତାହିତ ଜ୍ଞାନ ବ ଭୁଲି ଯାଆନ୍ତି, ସେଥିରୁ ଜଣାପଡେ ସେମାନଙ୍କର ମାନବିକତା ନାହିଁ । କିନ୍ତୁ ଆମେ......
ଆଜି ଯଦି ଏଭଳି ନେତା ଛତାଙ୍କର ଅବସ୍ଥା ହୋଇଥାନ୍ତା ! ! !
ନାହିଁ ମାଆ - ମୁଁ ସେମାନଙ୍କୁ ଛାଡ଼ିବି ନାହିଁ ? ? ?
ମାଆ ତାକୁ ବୋଧ ଦେଇ ବୁଝାଇ ସୁଝାଇ କାନ୍ଦି କାନ୍ଦି କହିଲା - "ତୁନି ହଅରେ ପୁଅ...... ତୁନି ହଅ" । ଆମର ଜୀବନ ସେମିତି.......... ତୁ ଏମିତି ପ୍ରତିଶୋଧ ପରାୟଣ ହେଲେ କ'ଣ ସେମାନେ ତୋତେ ଛାଡି ଦେବେ ? ? ପ୍ରତିଶୋଧ ପରାୟଣ ହୋଇ ପାଇବୁ କଅଣ ? ? ? ଦୁଃଖ, ଅଶାନ୍ତି, ମାନସିକ ଦୁଃଶ୍ଚିନ୍ତା, ଅସନ୍ତୋଷ ଏହା ହିଁ ଲାଭ ହେବ । ତୁ ଯେଉଁ ମାନଙ୍କ ପ୍ରତି ପ୍ରତିଶୋଧ ପରାୟଣ ହେବୁ ସେମାନେ କ'ଣ ତୋତେ ଛାଡ଼ିଦେବେ ? ? ?
ମାଆର କଥାରେ ଛୁଆଟି ରାଗି କରି କହିଲା - ଦିନେ ଜନମ ଦିନେ ମରଣ ! ! ! ମରିବା ବୋଲି କ'ଣ ଆମର ସ୍ବାଧୀନତା ନାହିଁ, ଆମେ କ'ଣ ସଦାସର୍ବଦା ପରାଧୀନ ? ? ? ଆମ ଉପରେ ସମସ୍ତେ ଜୁଲମ କରିବେ ? ? ?
ମାଆ ତାକୁ ପାଖକୁ ଆଣି ବୋଧକଲା - "ମୋର ଧନଟା ପରା..... ମୋର କଥା ଶୁଣୁ......... ତୁ ସମ୍ପୂର୍ଣ୍ଣ ବଡ ହୋଇଯାଆ । ତୁ ବଡ ହୋଇ ଚାଲାକ ଚତୁର ହୋଇଗଲେ, ସମସ୍ତଙ୍କ ଭିତରେ ତୁ" ନେତା" ହୋଇଯିବୁ । ତୋତେ ଆଉ କିଏ ଡରାଇ ପାରିବେ ନାହିଁ ।
ଧିରେ ଧିରେ ପଶ୍ଚିମାକାଶରେ ସୂର୍ଯ୍ୟ ବୁଡିବାକୁ ଯାଉଛନ୍ତି, ଗୋଧୂଳି ଲଗ୍ନ ହେଲାଣି ।
ଗାଁ ର କିଛି ଯୁବକ ମଲା କୁକୁରଟିକୁ ଟେକି ନେଇ ବାହାରେ ଫୋପାଡି ଦେବାକୁ ଚେଷ୍ଟାକଲେ । ବଡ ଛୁଆଟି ପ୍ରତିବାଦ କଲା, ତାର ପ୍ରତିବାଦରୁ ଯେମିତି ଜଣା ପଡୁଥିଲା - ସରପଞ୍ଚର ପୁଅ ପାଇଁ ଯେମିତି ଗାଁ ଲୋକେ ପ୍ରତିବାଦ କରୁଥିଲେ ସେମିତି ପ୍ରତିବାଦର ସ୍ବର ! ! ! ଛାଡିଲା ନାହିଁ ମୃତ ଶବକୁ .........
କେଉଁଠି ଥିଲା ସେ ମଜବୁତିଆ ଟୋକାଟା - ଗୋଟିଏ ବାଉଁଶ ମୂଳି ଆଣି ବଡ ଛୁଆଟିର ମୁଣ୍ଡକୁ ଜୋରରେ ପିଟିଦେଲା । ବଡ ଛୁଆଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଆ ପାଖକୁ ଦୌଡ଼ିଲା. ..........
ମାଆ ପ୍ରଥମ ସନ୍ତାନ ହରାଇବାର ଦୁଃଖରେ ଥିଲା, ଦ୍ବିତୀୟ ସନ୍ତାନର ଏଭଳି ଦୃଶ୍ୟ ଦେଖି କୋହ ସମ୍ଭରଣ କରିପାରି ନ ଥିଲା ।
ବଡ ଛୁଆଟି ମୂମୁର୍ଷୁ ଅବସ୍ଥାରେ କହିଥିଲା - ମାଆ ତୁ କାନ୍ଦନା ! ! ! ମୋର ଅନ୍ୟ ଭାଇମାନଙ୍କୁ କହିଦେବୁ - ଆମେ ମନୁଷ୍ଯ ପରି ହକ୍ ପାଇବାକୁ ପ୍ରତିବାଦ କରିବାରୁ - ଆଜି ମୋର ଜୀବନକୁ ବଳିଦାନ ଦେଇଛି ....... ମାଆ ମୁଁ ଚାଲିଗଲେ କ'ଣ ହେଲା ମୋର ଜାତି ଭାଇ ଏଥିରୁ ନିଶ୍ଚିତ ଶିକ୍ଷା କରିବେ.......
ଶେଷରେ ବଡଛୁଆଟି ଚିରଦିନ ପାଇଁ ଆଖିବୁଜି ଦେଇଥିଲା.........