Kartika chandra Tripathy

Romance Fantasy

4  

Kartika chandra Tripathy

Romance Fantasy

ପ୍ରିୟମ୍ବଦା କୁ ଚିଠି

ପ୍ରିୟମ୍ବଦା କୁ ଚିଠି

5 mins
241


ପ୍ରିୟମ୍ବଦା ,

ବହୁତ ଦିନ ପରେ ତୁମକୁ ଏ ଚିଠି ଟି ଲେଖିବାର ସାହସ ସଞ୍ଚୟ କରିପାରିଛି, ଜାଣିନି ଏ ଚିଠି ଟି ତୁମ ପାଖେ ପହଞ୍ଚିବ କି ନାହିଁ । ଏକଥା ବି ଜାଣିନି ତୁମେ ଏବେ କୋଉଠି ଅଛ , କେମିତି ଅଛ ଆଉ ମୋ ଭଳି ଜଣେ ପ୍ରାଣୀ ଏ ପୃଥିବୀ ରେ ଅଛି ତାହା ତମେ କେବେ ଅନୁଭବ ତ ଦୂର ର କଥା ଜାଣି ବି ନଥିବ । ପ୍ରିୟମ୍ବଦା ତୁମ ସହ ଦେଖା କୁହେ ପ୍ରଥମ କଲେଜ ଜୀବନ ରେ ( ଦେଖା ହୁଏ ର ଅର୍ଥ ମୁଁ ତୁମକୁ ଦେଖିଥିଲି )ସିନେମା ଷ୍ଟାଇଲ ରେ ତମ ଆଖି ମୋ ଆଖି ମିଶି ପ୍ରେମ ହେଇ ଯାଇଥିଲା ଏମିତି ଆଦୌ ନୁହେଁ । 

ତମେ ଜଣେ ଭଲ ଛାତ୍ରୀ ଥିଲ ଏକଥା ମୁଁ ଜାଣିଥିଲି , ତୁମେ ଆଦୌ ମେଳାପୀ ନଥିଲ କିଛି ନିର୍ଦ୍ଧିଷ୍ଟ ବନ୍ଧୁ ପରିସରକୁ ଛାଡିଦେଲେ ତୁମେ କାହାକୁ ଦେଖୁ ବି ନଥିଲ । ଯଦିଓ ମୁଁ ସିଓର ନୁହେଁ କିନ୍ତୁ ହୁଏତ ତୁମର ଗମ୍ଭୀର ସ୍ଵଭାଵ ମୋତେ ତୁମ ପ୍ରତି ଆକୃଷ୍ଟ କରିଥିଲା । ଏମିତି କଲେଜ ଜୀବନ ଆଗକୁ ଆଗକୁ ଚାଲିଲା ତୁମ ସହ କଥା ହେବାର ସାହସ ସଞ୍ଚୟ କରି ପାରୁ ନଥିଲି । ତେବେ ଏମିତି ଦିନେ କୋଉ ଗୋଟେ ଅକେଜନ ରେ ତୁମେ ମୋତେ ପଚାରିଥିଲ ଯେ ପୁରୁଷୋତ୍ତମ ସାର ଏବେ କୋଉଠି ଥିବେ କହିପାରିବ କି ? ଆଉ ହଷ୍ଟେଲ କୁ ଫେରିବା ପର୍ଯ୍ୟନ୍ତ ଓ ପରେ ପାଖା ପାଖି 1 ମାସ ପର୍ଯ୍ୟନ୍ତ ତୁମର ସେଇ ପ୍ରଶ୍ନ ମୋ କାନ ପାଖେ ଗୁଞ୍ଜରିତ ହେଉଥିଲା । ମନେ ମନେ ପୁରୁଷୋତ୍ତମ ସାର ଙ୍କୁ ଧନ୍ୟବାଦ ଦେଉଥିଲି ଯେ ତାଙ୍କ ପାଇଁ ଥରୁଟିଏ ହେଉ ପଛକେ ତୁମେ ତ ମୋ ସହ କଥା ହେଇଥିଲ ନା ପ୍ରିୟମ୍ବଦା । ଏତେ ସୋସିଆଲ ମିଡ଼ିଆ ଥାଉ ଥାଉ ଚିଠି ଲେଖିବାର ଆବଶ୍ୟକତା ତ ଏଇଆ ଯେ ଚିଠି ରେ ମନ ଖୋଲି ମନ କଥା ଲେଖି ପଢି ଲୁହ ଝରେଇ ତାକୁ ଚିରି ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଇ ହୁଏ । ଆଉ ସୋସିଆଲ ମିଡ଼ିଆ ରେ ସେ ଆନ୍ତରିକତା କାହିଁ ଯେ , ଛାଡ଼ ମୁଁ ମୁଖ୍ୟ ବିଷୟ ରୁ ବିରତ ହେଇଯାଉଛି ଆଉ ଯାହା ମୋର ପୁରୁଣା ଅଭ୍ୟାସ। ଆଉ ଜାଣିଛ ପ୍ରିୟମ୍ବଦା ପୁରୁଷୋତ୍ତମ ସାର ଙ୍କ ଦେହାନ୍ତ 5 ବର୍ଷ ତଳେ ହେଇଯାଇଛି। ଆଉ ଆମ ସହପାଠୀ ମାନେ ସବୁ ନିଜ ନିଜ ସଂସାର ରେ ବ୍ୟସ୍ତ , କାହାର ପୁଅ ଝିଅ ବାହା ହେଇ ନାତି ନାତୁଣୀ ହେଲେଣି ତ କିଏ ଅବସର ଜୀବନ ଯାଇ ବିଦେଶ ରେ କାଟୁଛନ୍ତି। ଆଉ ହଁ ସେଦିନ ତୁମେ ମୋ ସହ ପଦେ କଥା ହେଲାପରେ ବହୁତ ଥର ତୁମ ସହ କଥା ହେବାକୁ ଚାହିଁଛି ହେଲେ ହେଇପାରିନି , ଆଉ ତୁମର ନିରବ ପ୍ରେମିକ ଙ୍କ ସଂଖ୍ୟା ବି କିଛି କମ ନଥିଲା ଆଉ ସେମାନଙ୍କ ଭିତରୁ ମୁଁ ବି ଜଣେ ଥିଲି କହିବାକୁ ମୋର ଆଜି ଟିକିଏ ବି ସଂକୋଚ ନାହିଁ । ତୁମ କୁ ନେଇ କେତେ କବିତା ଲେଖୁଥିଲି ଆଉ କେତେ ନିଦ୍ରାହୀନ ରାତି ବିତିଛି ତାର ହିସାବ ନା ମୁଁ ରଖିଛି ନାଁ ମୋର ଡାଏରୀ। ଏମିତି ଆଉ ଦିନେ ବଜାର ରୁ ଫେରୁଥିବା ବେଳେ ପ୍ରବଳ ବର୍ଷା ହେଇଥିଲା, ବର୍ଷା ରୁ ରକ୍ଷା ପାଇବାକୁ ପାଖରେ ଥିବା ଘର ପାଖକୁ ଯାଇ ଛିଡା ହେଇଥିଲି ,କାହା ଘର ହେଇଥିବ ଓ କାଳେ କିଏ କଣ ଭାବିବ ସେଥିପାଇଁ ଅଧା ବର୍ଷା ରେ ଭିଜିଲେ ବି ବାହାରେ ଛିଡ଼ା ହେଇଥିଲି, କିନ୍ତୁ ତମେ ଭିତରୁ କହିଲ କି ତଳେ କାଇଁ ଠିଆ ହେଇଛ ବାରଣ୍ଡା ଉପରକୁ ଆସିଯାଅ ଆଉ ଝରକା ସେପଟୁ ତୁମକୁ ଦେଖି ମୁଁ ଚମକି ପଡିଲି । ତୁମ କଥା କୁ ସମ୍ମାନ ଦେଇ ମୁଁ ବାରଣ୍ଡା କୁ ଉଠିଗଲି,କିନ୍ତୁ ବେସି ସମୟ ସେଠାରେ ଠିଆ ହେଇ ପାରିଲିନି କାହିଁକି କେଜାଣି ସେଦିନ ର ସେ ଅଦିନିଆ ମେଘ ରେ ଭିଜିବାକୁ ବହୁତ ଇଚ୍ଛା ହେଲା ଆଉ ଭିଜି ଭିଜି ସେଠୁ ଆସିଲି ଏବଂ କିଞ୍ଚିତ ପଛକୁ ଚାହିଁ ଦେଖିଲି ତମେ ଚୌକୀଟେ ଧରି ଆସି ଠିଆ ହେଇଛ ଆଉ ପଛକୁ ପୁଣି ଫେରି ଆସିବାର ସାହସ ଯଦିଓ ନଥିଲା କିନ୍ତୁ ସେଦିନ ମୋତେ ସବୁ କିଛି ଭଲ ଲାଗୁଥିଲା, ସେ ବର୍ଷା ବି ରାସ୍ତା ବି ଆଉ ସେଇ ପାନ ଦୋକାନ ବି ଯୋଉଠୁ ସବୁବେଳେ ସିଗାରେଟ ର ଧୂଆଁ ଆସେ ବୋଲି ମୋତେ ବହୁତ ଚିଡା ଲାଗେ । ସେଦିନ ବର୍ଷା ରେ ଭିଜି ଭିଜି ହଷ୍ଟେଲ କୁ ଫେରିବା ପରେ ତିନି ଦିନ ଜ୍ୱର ରେ ପଡ଼ିଥିଲି, ଆଉ ଭାବୁଥିଲି ଏଥର କଲେଜ ରେ ତୁମେ ମୋ ସହ ନିଶ୍ଚୟ କଥା ହେବ ।ଆଉ ଅସୁବିଧା ମୋର ଏଇଆ ଥିଲା ଯେ ତୁମେ ଯେତେବେଳେ ବି ମୋ ସାମ୍ନା କୁ ଆସୁଥିଲ ମୋତେ ଆଉ ସେଠୁ ଯିବାକୁ ବାଟ ଦିଶୁ ନଥିଲା ତୁରନ୍ତ ଛୁ ମାରୁଥିଲି ସେଠୁ । ତେବେ ମୁଁ ଚାରି ଦିନ ପରେ ସୁସ୍ଥ ହୋଇ କଲେଜ କୁ ଆସିଲି ତୁମ ସହ ଦେଖା ହେଲା କିନ୍ତୁ ତୁମେ କିଛି ପ୍ରତିକ୍ରିୟା ଦେଖାଇଲ ନାହଁ, ମୁଁ ତ ଭାବୁଥିଲି ତୁମେ ପଚାରିବ ମୁଁ କାହିଁକି ବର୍ଷା ରେ ଭିଜି ଚାଲିଆସିଲି ବୋଲି ଓ ମୋ ଉପରେ ରାଗିବ ଅଭିମାନ କରିବ ,ହେଲେ ସେମିତି କିଛି ହେଲାନି । ଜାଣିଛ ପ୍ରିୟମ୍ବଦା ମୁଁ ସବୁବେଳେ ସ୍ୱପ୍ନ ଦେଖୁଥିଲି ତମେ ମୋତେ ପଚାରୁଛ ପୁରୁଷୋତ୍ତମ ସାର କୋଉଠି ଅଛନ୍ତି ମୁଁ ତୁମକୁ ତାଙ୍କ ପାଖକୁ ନେଇଯାଉଛି ଆଉ ଯିବା ରାସ୍ତା ରେ ତୁମେ ମୋତେ ବହୁତ କଥା ପଚାରୁଛ ଓ ଆଜ୍ଞାଧୀନ ଛାତ୍ର ଭଳି ମୁଁ ଉତ୍ତର ଦେଇଚାଲିଛି , ଆଉ ସେଦିନ ବର୍ଷା ରେ ଭିଜି କାହିଁକି ଚାଲି ଆସିଲି ତାର ବି ସଫେଇ ଦେଉଛି ଆଉ ଆମର ସେ ପୁରୁଷୋତ୍ତମ ସାର୍ ଙ୍କ ପାଖକୁ ଯିବାର ରାସ୍ତା ହେଇଯାଉଛି ଲକ୍ଷ ଲକ୍ଷ କିଲୋମିଟର, ଯେଉଁଠି ସାରାଜୀବନ ଏମିତି ଚାଲି ଚାଲି ଯାଇପାରିବା। ଏମିତି ଭିତରେ କଲେଜ ର farewell ଦିନ ଆସି ପହଂଚିଗଲା । କଲେଜ ଜୀବନ ସରିବାର ଦୁଃଖ ସହ ତୁମକୁ ଆଖି ଆଗରେ ନ ଦେଖି ପାରିବାର ଦୁଃଖ ଏସବୁ ମୋ ମୁହଁ ରେ ପ୍ରତିଫଳିତ ହେଉଥିଲା । ଆଉ ସେଦିନ ତୁମେ ଆସିଥିଲ ଗୋଟିଏ ନୀଳ ରଙ୍ଗ ର ଶାଢ଼ୀ ପିନ୍ଧି , ଆଉ ମୁଁ ଆଗରୁ ବି କହିଛି ଯେ ତୁମର ମୋ ଭଳି ନିରବ ପ୍ରେମିକ ଅନେକ ଥାଇ ପାରନ୍ତି ସେଠି ମଧ୍ୟ ରୁ ବୋଧେ କିଏ ଜଣେ କହିଲା ଯେ ପ୍ରିୟମ୍ବଦା ଆଜି ପୁରା ନୀଳ ଜହ୍ନ ପରି ଦିଶୁଛି ,ଯଦିଓ ତମକୁ କିଏ ଏମିତି କହିବା ମୁଁ ସହି ପାରୁ ନଥିଲି କିନ୍ତୁ ସେ ଶବ୍ଦ ନୀଳ ଜହ୍ନ ମୋତେ ବହୁତ ଛୁଇଁ ଥିଲା । ପ୍ରକୃତ ରେ ତୁମେ ଥିଲ ନୀଳ ଜହ୍ନ ମୋ ପାଇଁ ଯାହାକୁ ନେଇ ସ୍ୱପ୍ନ ଦେଖି ହୁଏ , ନୀଳ ଜୋଛନା ରେ ଭିଜି ରାତି କାଟି ହୁଏ ଠିକ ସେମିତି ପ୍ରିୟମ୍ବଦା ତୁମେ ଥିଲ ମୋ ପାଇଁ । ତାହା କଲେଜ ରେ ଶେଷ ଦିନ ଥିବାରୁ ମୋତେ ସାଙ୍ଗ ମାନେ ବାଧ୍ୟ କରିଥିଲେ ଗୋଟେ ଗୀତ ଗାଇବାକୁ ଆଉ ମୁଁ ମୋ ବେସୁରା କଣ୍ଠ ରେ ଗାଇ ଉଠିଲି ଖୋକା ଭାଇଙ୍କ ଗୀତ , "ପଶ୍ଚିମ ତୀରେ କ୍ଲାନ୍ତ ଗୋଧୂଳି ଆଗୋ ପୂର୍ବ ଦିଗ ପୁରବୀ ରାଗିଣୀ ତୁମକୁ ମୁଁ ଭୁଲି ନାହିଁ ତୁମକୁ ମୁଁ ଭୁଲି ନାହିଁ" , ଆଉ ଗୀତ ସରିବା ପରେ ମୋ ଗାଲ ଓଦା ହେଇଯାଇଥିଲା ବୋଧ ହୁଏ ମୁଁ କାନ୍ଦୁଥିଲି, ତୁମେ ଗୀତ ଶୁଣିଥିଲ ନା ପ୍ରଶଂସା କରିଥିଲ ନା କିଛି ପ୍ରତିକ୍ରିୟା ଦେଇଥିଲ । ଆଉ ସେଇଟା ହିଁ ଥିଲା ବୋଧେ କଲେଜ ଜୀବନ ର ଆମର ଶେଷ ଦେଖା, ଆଉ ମେନ ପରୀକ୍ଷାରେ ତୁମକୁ ଦେଖିବାକୁ ପାଇଲିନି ବୋଧ ହୁଏ ତୁମେ ଅଲଗା ରୁମ ରେ ପରୀକ୍ଷା ଦେଉଥିଲ କିମ୍ବା ମୁଁ ତୁମକୁ ଖୋଜିବାକୁ ଚେଷ୍ଟା ହିଁ କରି ନଥିବି । କଲେଜ ପରେ ଏ ଅଫିସ ରୁ ସେ ଅଫିସ ବୁଲି ଚାକିରୀ ଖଣ୍ଡେ ଯୋଗାଡ କରିବା ଓ ଆତ୍ମ ନିର୍ଭରଶୀଳ ହୋଇ ବଂଚିବା ମୋ ପାଇଁ ଥିଲା ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ । ଆଉ ମୋର ଛୋଟିଆ ତେଲ ଲୁଣ ସଂସାର ଭିତରେ ତୁମେ ଆଜି ବି ସେଇ ନୀଳ ଜହ୍ନ ଟିଏ ହୋଇ ମୋ ଜୀବନ ରେ ରହିଯାଇଛ।ବୁଝିଲ ପ୍ରିୟମ୍ବଦା ଆଜି ଅନେକ ବର୍ଷ ବିତିଗଲାଣି ମୋର ପିଲା ମାନେ ବି ନିଜ ସଂସାର ରେ ବ୍ୟସ୍ତ , ଆଉ ମୋର ବି ବୟସ ଆସି ସତୁରି ଛୁଇଁଲାଣି , ଆଉ ଆଜିକାଲି ଆଖି କୁ ବି ଭଲ ଦିସୁନି ଗୋଟିଏ ମୋଟ କାଚ ର ଚଷମା ପିନ୍ଧିବାକୁ ପଡୁଛି । ବାର୍ଦ୍ଧକ୍ୟ ମୋର ଶରୀର ମନ କୁ ଧୀରେ ଧୀରେ ନିସ୍ତେଜ କରି ଦେଉଛି । ତୁମକୁ ବି କଣ ବାର୍ଦ୍ଧକ୍ୟ ଛୁଇଁ ସାରିଥିବ ନାଁ ନାଁ ତାହା କେବେ ହେଇ ନପାରେ ତୁମକୁ କେବେ ବି ବାର୍ଦ୍ଧକ୍ୟ ଛୁଇଁ ପାରେନା । ତୁମେ ଆଜି ବି ସେହି ନୀଳ ଜହ୍ନ ପରି କାହା ଜୀବନ କୁ ଆଲୋକିତ କରୁଥିବ ନିଶ୍ଚୟ । ପ୍ରିୟମ୍ବଦା ମୁଁ ଜାଣିନି ଏସବୁ ମୋର ତୁମ ପ୍ରତି ପ୍ରେମ ନା ଆଉ କିଛି?ଆଉ ମୁଁ ମୋ ଜୀବନ ର ଅନୁଭୂତି ରୁ ଏଇଆ ଶିଖିଛି ଯେ ପ୍ରେମ କରିବାକୁ ନିହାତି ଗୋଟେ ଅଭାବ ପଣ ଜରୁରୀ ନୁହେଁ । ମୁଁ ଜଣେ ସ୍ୱାମୀ ଓ ପିତା ହିସାବରେ ମୋର ସମସ୍ତ ସଂସାରିକ ଧର୍ମ ପାଳନ କରିଛି , ପୂର୍ଣ୍ଣ ମନ ରେ ମୋ ପରିବାରକୁ ପ୍ରେମ ଦେଇଛି । ତୁମେ ମୋ ଜୀବନରେ ଗୋଟିଏ ଆଲୋକିତ ସ୍ମୃତି ଯାହା ମୋତେ କ୍ଷଣେ କ୍ଷଣେ ଆନମନା ନିଶ୍ଚୟ କରେ କିନ୍ତୁ ପ୍ରେରଣା ବି ଦିଏ । ଆଉ ବେଶି କିଛି ଲେଖିବାକୁ ଏ ବୃଦ୍ଧ ହାତରେ ଶକ୍ତି ନାହିଁ ।

  ଇତି,

ଯଦି ମୁଁ ମୋ ନାଁ ଲେଖିବି ଯଦି ତୁମେ ମୋ ସାମ୍ନା କୁ ଆସିଯିବ ତ, ବୟସ ର ଅପରାହ୍ନ ମୋର ସାହସ କିଛି ବଢାଇଥିଲେ ମଧ୍ୟ ଏବେ ବି ତୁମର ସାମ୍ନା କରିବାର ସାହସ ମୋର ନାହିଁ ।


(ଏହା ସମ୍ପୂର୍ଣ୍ଣ କାଳ୍ପନିକ)



Rate this content
Log in

Similar oriya story from Romance