SIPRA NAMTA

Inspirational Romance Tragedy

3  

SIPRA NAMTA

Inspirational Romance Tragedy

ପରିଣୀତା

ପରିଣୀତା

10 mins
3.2K


" ଲଭ ୟୁ ଠୁ ଡାର୍ଲିଙ୍ଗ " ।ନିରାସକ୍ତ କଣ୍ଠରେ ଏତିକି କହି ମୋବାଇଲ ସଂଯୋଗ ଛିନ୍ନ କରି ଫେରି ପଡୁଥିବା ବେଳେ ମଧୁଲିତା ସହିତ ଧକ୍କା ଲାଗି ଚମକି ଉଠିଲା ହିତେନ ।ଖୁବ୍ ରୋମାଂଚିତ ହେଉଥିଲା ମଧ୍ୟ । ।ଆଜିକାଲି ମଧୁଲିତା ତା'ର ସମଗ୍ର ସ୍ଥିତିର ବଳୟ ଭିତରେ ଘୁରିବୁଲୁଛି ।ତା'ର ଶାନ୍ତ ,କମନୀୟ ମୁଖମଣ୍ଡଳ ନୀଳ କଇଁ ପରି ଢଳ ଢଳ ଆଖି ,ଅବୟବର ଦୋଳାୟମାନ ଗତି ଉପରେ ହିତେନର ଦୃଷ୍ଟି ଜେନ୍ଦ୍ରୀଭୂତ ହୋଇ ରହୁଛି । ସାରିକା ସହିତ ସବୁ ସମ୍ପର୍କର ରଙ୍ଗ ଫିକା ପଡିଯାଉଛି ।

ଅବିବାହିତ ଅବସ୍ଥାରୁ ଏମ ବି ଏ ପଢିବା ସମୟରୁ ସାରିକା ସହ ସମ୍ପର୍କ ;ଏକତ୍ର ସହାବସ୍ଥାନ ।ସମ୍ପୂର୍ଣ୍ଣ ସୁସ୍ଥ ମନରେ ,ପ୍ରାଣରେ ,ଶରୀରରେ କାୟିକ ,ବାଚିକ ,ମାନସିକ ସମ୍ପର୍କ ରକ୍ଷା କରନ୍ତି ଦୁହେଁ ,କେବଳ ବୈଦିକ ରୀତିର ଗୋଟିଏ ବିଧିକୁ ଛାଡିଦେଇ ।

ସାରିକା .....ଓଃ ..ଜ୍ଜ୍ୱଳନ୍ତ ଆଗ୍ନେୟଗିରିର ଉତ୍ତାପରେ ଟକ ଟକ ଫୁଟୁଥିବା ଉଷ୍ଣତା ,ଦିନ ଦ୍ଵି ପ୍ରହରର ଦୀପ୍ତିମାନ ରବିଙ୍କର ଝଲକରେ ଦାଉ ଦାଉ ଜଳୁଥିବା ଉଜ୍ଜ୍ୱଳ ଜ୍ୟୋତିପିଣ୍ଡ । ସତରେ ଏକ ଅଭିଶପ୍ତା ଅପ୍ସରାଟିଏ କି ? ତା'ଦେହର ସୁଗନ୍ଧ ବାୟୁମଣ୍ଡଳରେ ସବୁବେଳେ ବୁଣିହେଉଥାଏ ଯେମିତି । କିନ୍ତୁ ଅବିଶ୍ୱସନୀୟ ଅଭିମତଟିଏ ସର୍ଵ ଶେଷରେ ଶୁଣିବା ପରେ ହତବାକ ହୋଇ ଯାଇଥିଲା ସେ ।

---ଏଇଟା ତମର ଶେଷ ନିଷ୍ପତ୍ତି ?

ହିତେନର ପ୍ରଶ୍ନର ଉତ୍ତରରେ କହିଥିଲା ସାରିକା ।

----ଅଫକୋର୍ସ !ନିଜ ଇଛା ବିରୁଦ୍ଧରେ କୌଣସି ରିଲେସନ ମେଣ୍ଟେନ କରିବାକୁ ମୋତେ ଭଲ ଲାଗେନି ।ମ୍ୟାରେଜ ଇଜ ଏ ବୋଣ୍ଡେଜ ...ଏତେ ଦାୟିତ୍ତ୍ୱ ....ଏତେ ଫର୍ମାଲିଟିଜ ,ଏତେ ରାଇଚୁଆଲସ !! ନିଜ ମୁକ୍ତ ପଣକୁ ବଳି ଦେଇ ଅନ୍ୟମାନଙ୍କ ଇଛାରେ ଜୀବନ ବଞ୍ଚିବା ....ଓଃ...ନୋ ଇମ୍ପୋସିବଲ....।ନାଓ ଟାଇମ ଇଜ ଚେଞ୍ଜଡ ।ଉଇ କାନ ଲିଭ ଉଇଦାଉଟ ମ୍ୟାରେଜ।

----ଆମେ ରହୁନୁ କି ????

ଗଭୀର ଅବସାଦ ଆଉ ନୀରବ କ୍ରୋଧରେ ଜଳି ଉଠିଥିଲା ହିତେନ ।ପୁରୁଷର ଅହଂଟା ଚୁନା ଚୁନା ହୋଇଯାଇଥିଲା ।

ଅନେକ ବ୍ୟଥା ମନରେ ରଖି ବାପା ମାଆଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ମନୋନୀତ ପାତ୍ରୀ ସହ ବିବାହ ବନ୍ଧନରେ ଆବଦ୍ଧ ହେଲା ସେ ।ବିବାହ ଉତ୍ସବରେ ସାରିକାର ଉପସ୍ଥିତି ତାକୁ ଦୁଇଗୁଣ ଅସହାୟ ,ବ୍ୟସ୍ତ ବିବ୍ରତ କରୁଥିଲା ବେଳେ ସାରିକାର ବିନ୍ଦାସ ଫୋଟ ଉଠା ,ଭି ଡି ଓ ସୁଟ ଇତ୍ୟାଦି ବେପରୁଆ ଭାବେ ଚାଲିଥିଲା ।ଶେଷରେ ଗୋଟେ ରୁଢ଼ି ବାକ୍ୟ ଫିଙ୍ଗିଦେଇଥିଲା ତା ଉପରକୁ "ଅଵ ଆୟା ଉଁଟ ପାହାଡ଼ କେ ନୀଚେ । "

ବିବାହ ରୂପକ ପବିତ୍ର ବନ୍ଧନର ସ୍ୱାଦ ଆସ୍ଵାଦନ କରିବା ସମ୍ଭବ ହେଉ ନ ଥିଲା ତା ପକ୍ଷରେ ।ସାରିକାର ମୋହ ତ୍ୟାଗ କରିବାଟା ଖୁବ୍ କଷ୍ଟକର ମନେ ହେଉଥିଲା ।ସାରିକାର ମନସ୍ତତ୍ତ୍ୱ ଦୁର୍ବୋଧ୍ୟ ଲାଗିଲେ ବି ତା ପ୍ରତି ଆସକ୍ତି କମେ ନାହିଁ ବରଂ ଘାଇଲା ମନର ଓରମାନ ମେଣ୍ଟାଇବାକୁ ଯାଇ ବେଳେ ବେଳେ କ୍ରୁର ହୋଇଯାଏ ସେ ସାରିକା ପ୍ରତି ।ସାରିକା ସହିତ କେମିତି ଛନ୍ଦି ହୋଇ ଯାଇଥିଲା ବୁଝିପାରେନି ସେ ।ନିଜ ଗାଁ ,ସହର ,ରାଜ୍ୟ ବାହାରେ କିଏ କୋଉଠି କଣ କରୁଛି ସେ ଖବର ନିଜ ସମ୍ପର୍କୀୟଙ୍କ ପାଖରେ କ୍ଵଚିତ ଥାଏ ।କାହା କାହା ପାଖରେ ତ ବିଲକୁଲ ତ ନ ଥାଏ ।

ସାରିକା ସହିତ କେମିତି ସେ ଛନ୍ଦି ହୋଇଗଲା,ସେକଥା ବୁଝିପାରେନି ସେ ।ହୁଏତ ଏଇଟା ହିଁ ପୁରୁଷ ଓ ନାରୀଙ୍କ ମନସ୍ତତ୍ତ୍ୱ । ପରିବେଶ ,ପରିସ୍ଥିତି ,ସମୟକୁ ଅନୁଧ୍ୟାନ କରି ନ ପାରିଲେ ମଣିଷ ହାରିଯାଏ ବୋଧ ହୁଏ ।

ହଁ ,ସାରିକାର ମୋହ ...ତାକୁ ଆଛନ୍ନ କରି ରଖେ ।ପାଠ ପଢା ଓ ପରେ ପରେ ଚାକିରୀ ସବୁ କିଛି ତ ରାଜ୍ୟ ବାହାରେ ।ରହଣୀ ସହଣୀରେ ସମ୍ପୂର୍ଣ୍ଣ ଭିନ୍ନ ମାନସିକତାରେ ଜଡିତ ହୋଇ ଗଲା କେତେ ବେଳେ ....କିପରି .....ଆଉ ପଛକୁ ଫେରି ଚାହିଁବା ପାଇଁ ସାହସ ହୁଏ ନାହିଁ ହିତେନର । ବିବାହ ପରେ ପରେ ଯେଉଁ କେତୋଟି ଦିନ ବାଧ୍ୟ ବାଧ୍ୟକତାରେ ଘରେ ରହିବାକୁ ପଡିଲା ,ବିବାହିତା ପତ୍ନୀ ଶଯ୍ୟା ପାଖରେ ବସି ବସି ରାତି ପୁହାଉ ଥିବା ବେଳେ ସେ ସାରିକା ସହିତ ଚାଟିଂ ଓ ଭି ଡି ଓ କଲ ରେ ସମୟ ବିତାଏ ।ମଧୁଲିତାକୁ ବାଆଁରେଇ ଯାଏ କୌଣସି ନା କୌଣସି କଥାରେ ।।

ମଧୁଲିତାର ସାହସ ହୁଏ ନାହିଁ, କିଛି କହିବାକୁ । ଯେଉଁ ମଣିଷଟା ତା ମୁହଁକୁ ଭଲ କରି ଦେଖିନି କି ଚାହିଁନି କି ପାଖକୁ ଆସିନି ,କ'ଣ ବା କହିପାରିବ ସେ ?

ବୋଉ ଫୋନରେ ପଚାରେ ,ଭଲ ଅଛି କି ନାହିଁ ? ""ହଁ ,ସବୁ ଭଲ "ସଂକ୍ଷିପ୍ତ ଉତ୍ତର ଦେଇ କଥା ଛିଣ୍ଡେଇ ଦିଏ ।ଅତି ସାଧାରଣ ଦୁର୍ବଳ ମଧ୍ୟବିତ୍ତ ପରିବାରରୁ କୌଣସି ଯୌତୁକ ନ ଆଣି ବୋହୂ ହୋଇ ଆସିଛି ଏ ଘରକୁ ,ଯେତେବେଳେ ବାପା ବୋଉଙ୍କର ଅସୁମାରୀ ଖୁସିରେ କେମିତି କହିବ ସେ ଅସୁଖୀ ବୋଲି !! !କହି ବି ଲାଭ କ'ଣ ?

ଏ ଯେ ତା'ର ନିଜର ଯୁଦ୍ଧ ....ସମ୍ପୂର୍ଣ୍ଣ ରୂପେ ନିଜର ବ୍ୟକ୍ତିଗତ । ସ୍ୱାମୀ ସହିତ କିଛି ସମ୍ପର୍କ ନାହିଁ ... ।ସ୍ୱାମୀ ତାକୁ ଏ ଯାଏଁ ଛୁଇଁନି ....କହିଲେ ପ୍ରତିକ୍ରିୟା ହେବ?...ଓଃ କି ଲଜ୍ଜା !!! ଅସହ୍ୟ ଅପମାନ । କେମିତି ସହିବ ? ଗଭୀର ଗ୍ଲାନି ଓ ଆତ୍ମ ଦହନରେ ଜଳିଯାଏ ମଧୁଲିତା । କେତେବେଳେ କେତେବେଳେ ହିତେନର ଫୋନରୁ ଆସୁଥିବା ଚୁମ୍ବନର ଅସ୍ପଷ୍ଟ ଶବ୍ଦ ପବନରେ ଛିଟିକି ଆସେ ତା କର୍ଣ୍ଣ କୁହରକୁ ।ଏକ ଅଜଣା ଆବେଗରେ ତାଳୁରୁ ତଳିପା ଯାଏ ପ୍ରତିଟି ଅବୟବ ଶିର ଶିର କରି ଉଠେ ।ପର ମୁହୂର୍ତ୍ତରେ ଆକଣ୍ଠ ଲଜ୍ଜାରେ ଝାଉଁଳି ପଡେ ସେ ।

ବିବାହର ମୁହୂର୍ତ୍ତ ସବୁ ଅନାସ୍ୱା ରେ ବିତିଯାଉଥିଲା ।ଚାକିରୀ ସ୍ଥାନରୁ କେବେ କେବେ ଦୁଇମାସରେ ଥରେ ଆସେ ହିତେନ ଘରକୁ ବାପା ମାଆଙ୍କ ତାଗିଦାରେ ।ସେମାନେ ମଧ୍ୟ ଥରେ ଦୁଇଥର ଯାଇ ବୁଲିଆସିଛନ୍ତି ହିତେନ୍ ପାଖରୁ କିନ୍ତୁ କେବେ କିଛି ଅସ୍ୱାଭାବିକ ଜୀବନର ଗନ୍ଧ ପାଇନାହାନ୍ତି ପୁଅ ପାଖରୁ ।ତେଣୁ ପୁଅ ଉପରେ ଅଛି ଅଖଣ୍ଡ ବିଶ୍ୱାସ ।ଛୁଟି ପାଉ ନ ଥିବାରୁ ପୁଅ ଆସିପାରୁନି ଘରକୁ। ଏତିକିରେ ଢେର ସାନ୍ତ୍ଵନା ମିଳିଯାଏ ସମସ୍ତଙ୍କୁ ।

ଆବେଗର ଅପେକ୍ଷା ନେଇ ଅନେଇ ବସିଥାଏ ମଧୁଲିତା ,ହିତେନ୍ ର ଆସିବା ବାଟକୁ । ଫୁରୁସତରେ ଝରକା ଦେଇ ବଗିଚାକୁ ଚାହେଁ ,ଫୁଲ ଉପରେ ଉଡ଼ିବୁଲୁଥିବା ପ୍ରଜାପତିଟିକୁ ... କେତେବେଳେ ଫୁଲ ଉପରେ ବସି ମଧୁ ଶୋଷିବ । ମୁହୂର୍ତ୍ତ ଗଣେ ......,ଏଇ ଆଉ ଟିକିଏ ....ଆଉ ଟିକିଏ କିନ୍ତୁ ଶେଷ କ୍ଷଣରେ ସେ ପଲକ ପାତରେ ଉଡିଯାଏ ଅନ୍ୟତ୍ର ।ଧଡ ଧଡ ହେଉଥିବା ଛାତିଟା ହଠାତ ନିଃସ୍ପନ୍ଦ ହୋଇଯାଏ ।ରାଗ ଲାଗେ ବାୟା ପବନକୁ ,ଭାରି ଦୁଷ୍ଟ ଯାଃ ..ଠେଲି ଠେଲି ନେଇଗଲା ପ୍ରଜାପତି ଟିକୁ ।ଓଃ ----ଇଏ ପରା ମନକୁ ବୁଝାଇବାର ବିକଳ୍ପ ପନ୍ଥା ।ଆଖିରେ ଆଖିଏ ଶୂନ୍ୟତା ତା'ର ସେଇ ବାୟୁମଣ୍ଡଳର ମହାଶୂନ୍ୟତାରେ ମିଳେଇ ଯାଏ ।

ହିତେନ୍ ଆସିଲେ ଚଳଚଞ୍ଚଳ ହୋଇଉଠେ ସେ ହିତେନ୍ ପସନ୍ଦର ଶାଢ଼ୀ ରେ ସଜେଇ ହୁଏ ,ପସନ୍ଦର ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରେ ।ତା'ର ପ୍ରତ୍ୟେକ କାମ ,ପ୍ରତ୍ୟେକ ଜିନିଷକୁ ସଜେଇ ରଖେ ଯତ୍ନର ସହିତ ।ରାତି ଯେତେ ଘନେଇ ଆସେ ,ଏକ ଅନାଗତ ଭୟ ,ଆଶଙ୍କା ବ୍ୟସ୍ତ ବିବ୍ରତ କରିବା ସହ ଅବଚେତନ ମନର ମଧୁର ସ୍ବପ୍ନ ବି ଆଛନ୍ନ କରି ରଖେ ତାକୁ ।

କହିବ କି ,ନା... ନା... ଆଜି ଚାଟ କରନି ,...ମୋ ସହିତ କଥା ହୁଅ ,...ଅଟକାଇ ଦେବ କି ହାତକୁ ଧରି ନେଇ ,..ନା... ଆଜି ବାଲକୋନି କୁ ଯାଅନି ....। ପର ମୁହୂର୍ତ୍ତରେ ଏକ ଶକ୍ତ ପ୍ରତିରୋଧ ରେ ଅଟକି ଯାଏ ଦେହ, ମନ ,ପ୍ରାଣ ,,ଶୁଖିଯାଏ କଣ୍ଠ ...।ଉପଯାଚିକା ହୋଇ ଠିଆ ହେଲା ପରେ ଯଦି ପ୍ରତ୍ୟାଖ୍ୟାନ ମିଳେ ...ଓଃ କି ଭୟଙ୍କର ଅପମାନ ...ସହିପାରିବ ତ !

ସବୁ ଭାବନା ର ଜୁଆର ରେ ଭଟା ପଡିଯାଏ । ଅଭିମାନ ରେ ହୃଦୟ ଟା ଗୁମୁରି ଉଠୁଥିବା ବେଳେ କେମିତି ଏକ ଶକ୍ତ କଠୋରତା ଛାଇଯାଏ ମଧୁଲିତାରସମଗ୍ର ସତ୍ତାକୁ ।

ବିତିଯାଏ ମୁହୂର୍ତ୍ତ ,ଗଡିଯାଏ ଦିନ । ଏକତ୍ର ସହାବସ୍ଥାନରେ ଜନ୍ମ ନିୟନ୍ତ୍ରଣର ଅନେକ ଯୋଜନା କରିଥିଲେ ମଧ୍ୟ ସୃଷ୍ଟି ହୋଇଥିବା ମାତୃତ୍ବର ଉପକ୍ରମଟିକୁ ହିତେନ୍ ର ଅଜାଣତରେ ସାରିକା ଏବର୍ଟ କରିଦେଲା ପରେ ଏକ ଝଡ ସୃଷ୍ଟି ହୁଏ ତାଙ୍କ ସମ୍ପର୍କରେ ସାରିକାର ଉଦ୍ଭଟ ଯୁକ୍ତି ଆଗରେ ମର୍ମାହତ ହିତେନ୍ ।

"କେବଳ ଜନ୍ମ କରିଦେଲେ ବା କରିଦେବାଟା ହିଁ ମାତୃତ୍ବ ବୋଲି ମୁଁ ବୁଝେନା ।ମଣିଷ ପିଲାଟିକୁ ଉପଯୁକ୍ତ ତତ୍ୱାବୋଧନ ଓ ପରିଚୟ ଦେଇ ନ ପାରିଲେ ସେ ସମାଜ ପାଇଁ ଏକ ବୋଝ ହୋଇ ରହିଯିବ । ଅଯଥା ଦାୟିତ୍ତ୍ୱ ନେଇ ମୁଁ ବଞ୍ଚିବାକୁ ଚାହେଁନା । ଦରକାର ହେଲେ ଏଡପଟ କରିନେବି ।ଆମ ସମ୍ପର୍କର କଣ ସାମାଜିକତା ଅଛି ? ମୁଁ ମୋ ଲାଇଫ ଷ୍ଟାଇଲରେ ତମେ ତମ ଲାଇଫରେ ବେଶ ଖୁସି ଅଛୁ । ଲିଭ ଇନ ରିଲେସନ ରେ ଏସବୁର ପ୍ରୟୋଜନ ଅଛି ବୋଲି ମୋତେ ଲାଗୁନି । "

ମୁକ୍ତ ଅବାଧରେ ବଞ୍ଚିବାକୁ ଚାହୁଁଥିବା ନାରୀ ର ଯୁକ୍ତି ରେ ହତବାକ ହୋଇଯାଇଥିଲା ସେ । ହଁ ,ସତ ଯେ ତାଙ୍କ ଭିତରେ କୌଣସି ଏଗ୍ରିମେଣ୍ଟ ନାହିଁ ।ତଥାପି ସେ ତା'ର ମାନସମ୍ମାନକୁ ଖାତିର କରୁ ନ ଥିବା ବେଳେ ସାରିକାର ଯୁକ୍ତି ତାକୁ ଉଦ୍ଭଟ ଲାଗୁଥିଲା ।ହୁଏତ ସାରିକାର ପାରିପାର୍ଶ୍ବିକ ସ୍ଥିତି ଏଥିପାଇଁ ଦାୟୀ ଅଥବା ଆଉ କିଛି .....ବୁଝିପାରେନି ସେ ।ପରାଜିତ ସୈନିକର ମନ ନେଇ ସେଦିନ ଘରକୁ ଫେରିଆସିଲା ପରେ ଗଭୀର ଆକ୍ରୋଶ ରେ ଜଳୁଥିଲା ହିତେନ୍ । ଏକମାତ୍ର କାରଣ ସାରିକା ..।

ଦୀର୍ଘ ଚାରି ପାଞ୍ଚ ବର୍ଷର ସମ୍ପର୍କ ସାରିକା ସହିତ ।ଗୋଟିଏ ଛାତ ତଳେ ,ସମାଜର ଅନେକ ଟୁପୁର ଟାପୁର ,ଫୁସୁର ଫାସୁର ଟିପ୍ପଣୀକୁ ଆଡେଇ ଆସିଛନ୍ତି ସେମାନେ ,ନୂଆ ନୂଆ ମହୁରତର ନୂଆ ନୂଆ ପୋଷ୍ଟର ପରି । ବଡ ନଗର ମାନଙ୍କ ରେ କେହି କାହା ବିଷୟରେ ଦୀର୍ଘ ସମୟ ଧରି ଚିନ୍ତା କରି ପାରନ୍ତିନି ।ଆସ୍ତେ ଆସ୍ତେ ଦେହ ସୁହା ହୋଇଯାଏ ସବୁ କିଛି ।

କର୍ତ୍ତବ୍ୟ ,ଦାୟିତ୍ୱ ବନ୍ଧନରୁ ମୁକ୍ତ ହୋଇ ରହିବାକୁ ଚାହୁଁଥିବା ନାରୀ ଟିଏ ଜଣେ ପୁରୁଷ କୁ କେମିତି ସର୍ବସ୍ୱ ଦେଇ ଭଲ ପାଏ କିନ୍ତୁ ସେଇ ପୁରୁଷର ଇଛା ଅନିଚ୍ଛା କିଛିକୁ ଗୁରୁତ୍ୱ ନ ରଖିବାର ମାନସିକତା ଅତି ଅବୋଧ୍ୟ ହୋଇ ରହିଯାଏ ହିତେନର ।

ସାରିକା ତାକୁ ଭାଙ୍ଗି ଦେଇଛି ଖଣ୍ଡ ଖଣ୍ଡ କରି ।ବିବାହ ନ କରିବାର ନିଷ୍ପତ୍ତିରେ ଯେତିକି ଆଘାତ ସେ ପାଇଥିଲା ,ଅବାଂଛିତପିତୃତ୍ୱକୁ ଭାଙ୍ଗି ଦେଇ ସେ ତା' କ୍ଷତଟିକୁ ଦ୍ବିଗୁଣିତ କରିଦେଇଛି । ବଞ୍ଚିବାର ସବୁ ସାମର୍ଥ୍ୟ ହରାଇବା ପରି ଲାଗେ ହିତେନ୍ କୁ ।ସାରିକା ସହିତ ଅବାନ୍ତର ଯୁକ୍ତି ପରେ ଭୀଷଣ ମୁଣ୍ଡ ବ୍ୟଥାର ଶୀକାର ହୁଏ ସେ । ଠିକ୍ ସେତିକିବେଳେ ମଧୁଲିତାର ସେବା ତାକୁ ଆଶ୍ୱସ୍ତ କରେ ତାକୁ ।କେମିତି ପଢିପାରେ ?ସେ ହିତେନ୍ ମୁହଁର ଭାବନା !!! କିନ୍ତୁ ସେ ନିଜେ .......!!ହିତେନ୍ ର ଯେମିତି ନାରୀ ମନର ସଂଗୋପ୍ୟ କାମନାକୁ ପଢ଼ିବାର ଯୋଗ୍ୟତା ହିଁ ନାହିଁ ,ବୋଲି ଭାବେ ।

ମଧୁଲିତାର ଢଳ ଢଳ ନୀଳ କଇଁ ପରି ଆଖି ପୁଣି ସ୍ବପ୍ନ ଦେଖନ୍ତି ।ହିତେନକୁ ଆଉ ଚାଟ କିମ୍ବା ଭି ଡି ଓ କଲରେ ବ୍ୟସ୍ତ ରହିବା ଦେଖୁନାହିଁ ସେ ।କିନ୍ତୁ ସେଇ ବାଲକୋନିରେ ଥାଇ ସୂର୍ଯ୍ୟାସ୍ତ ଭିତରେ ହିତେନ୍ ନିମଗ୍ନ ରହୁଛି ସିଗାରେଟର ଧୂମ୍ର କୁଣ୍ଡଳୀ ଭିତରେ ।ସେଇ ଭିତରେ ଆସୁଥିବା ଫୋନ କଲକୁ ଅନେକ ଥର କାଟିସାରିଲାଣି ସେ ।ମଧୁଲିତାର ଛାତି ଭିତରଟା ମନ୍ଥି ହୋଇଯାଏ ।କାହିଁକି ଏମିତି ନିଃଶେଷ ହେବାକୁ ବସିଛି ହିତେନ୍ ? ବିଶେଷ କିଛି ବୁଝି ନ ପାରିଲେ ବି ବ୍ୟାପାରଟି ନାରୀ ଜନିତ ବୋଲି ବୁଝି ପାରିଛି ସେ ।

ନା ,....ହିତେନ୍ କୁ ସେ ସ୍ଥିତିରୁ ବାହାର କରିବା ପାଇଁ ଆତ୍ମା ଛଟପଟ ହେଲା ମଧୁଲିତାର ।ଅତି ବେଶୀରେ ଦିନେରୁ ଦୁଇଦିନ ରହୁଥିବା ହିତେନ୍ ତିନିଦିନ ହେଲାଣି ଘରୁ ଅଫିସ ଜାଗାକୁ ଯିବା ପାଇଁ ଆଦୌ ବ୍ୟସ୍ତ ହେଉନି ।ସୂର୍ଯ୍ୟ ସମ୍ପୂର୍ଣ୍ଣ ବୁଡ଼ିଗଲେଣି ,ଝାପ୍ସା ଅନ୍ଧାର ତା ସାମ୍ରାଜ୍ୟ ବିସ୍ତାର କରିବାକୁ ଆରମ୍ଭ କରିଦେଇଛି ।ଆଉ ଗୋଟେ ସିଗାରେଟ ଓଠରେ ଚାପିଲା ହିତେନ୍ । ପଛରୁ ଶୁଣାଗଲା --""ଥାଉ ,...ସେତିକି ।

.....ଆଉ ନିଅନି ,ମୁଣ୍ଡ ବିନ୍ଧିବ "।

ହାତଟା ଅଟକି ଗଲା ।ଏଇ ପ୍ରଥମ କରି ଏକ ଲମ୍ବା ପଦ ଶୁଣିଲା ହିତେନ୍ ମଧୁଲିତାର । ତା'ଚେହେରା ତୁଳନାରେ କଣ୍ଠ ସ୍ୱରଟି ବେଶୀ ମିଠା ଲାଗିଲା ତାକୁ । ଅନେକ ସାହସ କରି ଅନ୍ଧାରକୁ ସାହାରା କରି କହିଥିଲା ମଧୁଲିତା ।ହିତେନ୍ ଧୂଆଁ ଛାଡ଼ୁ ଛାଡୁ କହିଲା --"କ'ଣ ତୁମେ ବି କହିବ ମୋତେ ଭଲ ପାଉଛ " ।ଟିକିଏ ନୀରବ ରହି ,, "ମୁଁ କିନ୍ତୁ ତୁମର ଭଲ ପାଇବାର ଯୋଗ୍ୟ ନୁହଁ " ।

ଇଛା ତ ହେଉଥିଲା ମଧୁଲିତାର ହିତେନ୍ ଛାତିରେ ମୁଣ୍ଡ ଗୁଞ୍ଜିଦେଇ ଗଭୀର ଆଶ୍ୱାସନାରେ ବାନ୍ଧି ରଖନ୍ତା ।କିନ୍ତୁ ନା ,...ସେ ସେମିତି କିଛି କଲାନାହିଁ ....ବରଂ ମୁହଁଟା ଶକ୍ତ ହୋଇଗଲା ।କହିଲା --"" ଏଇଟା କ୍ଷଣିକ ଅବସାଦ ,ହୁଏତ କାଲି ସକାଳକୁ ଏଇ ମନ୍ତବ୍ୟଟା ତା'ର ସତ୍ତା ହରାଇଥିବ ।"

ଚମକି ପଡିଲା ହିତେନ୍ ।ମଧୁଲିତା ପରି ଆଉଟ୍ ଡେଟେଡ଼

ଝିଅ ଏମିତି କଥା କହୁଛି ? କେମିତି କହି ପାରୁଛି ସେ ......!

ଉଃଫ .....ଅନ୍ଧାରଟା ମାଡି ବସିଛି ,ହେଲେ ଏଇ ଅନ୍ଧାରଟା ବେଶ ଭଲ ଲାଗୁଛି । ଆଲୁଅରେ ଭୟ ଲାଗିବ । ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ ହିତେନ୍ ।ସିଗାରେଟ ଫିଙ୍ଗିଦେଇ ମଧୁଲିତାର ଦୁଇ ବାହୁ କୁ ଝୀଂଯୋଡି ଦେଇ କହିଲା ----"ଜାଣିଛ ମୋ ବିଷୟରେ ? ନା .....କିଛି ଜାଣିନ....।

ତା'ପାଟିରୁ ଛଡାଇ ନେଇ କହିଲା ମଧୁଲିତା ---"ନା ,ମୋର କିଛି ଜାଣିବା ଦରକାର ନାହିଁ ମୁଁ ଏତିକି ଜାଣେ ,ତୁମେ ମୋର ସ୍ୱାମୀ....ମୋର ସବୁକିଛି । ତୁମ ଭଲ ମନ୍ଦ ,ହସ କାନ୍ଦ ,ଦୁଃଖ ସୁଖ ସବୁ ମୋର ।

ମଧୁଲିତାର ଭାବାବେଗର ବନ୍ୟାରେ ହିତେନ୍ ଏଇ ପ୍ରଥମ କରି ତା'ର ବିବାହିତା ପତ୍ନୀକୁ ନିଜ ଛାତିରେ ଜଡାଇ ଧରିଲା ।ନୀଳକଇଁ ପରି ଆଖି ଯୋଡିକ ଆକାଶର ଚନ୍ଦ୍ରମାକୁ ନିବିଷ୍ଟ ଭାବରେ ଦେଖି ଆତ୍ମମଗ୍ନ ହେଉଥିଲା ବେଳେ ଓଠରେ ପ୍ରଶାନ୍ତିର ମୃଦୁ ହସ ଖେଳି ଯାଉଥିଲା ମଧୁଲିତାର ।

ଜୀବନର ଶାନ୍ତି ପାଖରେ ଅର୍ଥର ମାୟା କୁ ଛୋଟ କରି ମୋଟା ଅଙ୍କର ଦରମାକୁ ହରାଇବାକୁ ପ୍ରସ୍ତୁତ ହୋଇଯାଏ ହିତେନ୍ । ବାହାର ରାଜ୍ୟ ଓ ସାରିକାର ମାୟା ଠାରୁ ଦୂରେଇ ଆସେ ସେ ।ଅନେକ ଦିନ ପରେ ତା'ନୂତନ ଅଫିସ ଠିକଣା ରେ ଆସିଥିବା ଏକ ଚିଠିକୁ ବେଶ ଉତ୍ସୁକତାର ସହ ଖୋଲିବା ପରେ ତାହା ସାରିକାର ବୋଲି ଜାଣିବାକୁ ପାଏ ସେ ।

""ଓଃ ମାଇ ଗଡ ...!!" ଏବେ ବି ତା ହୃତ ସ୍ପନ୍ଦନ ତୀବ୍ର ହେଉଛି ସେ ନାଁ ଟିର ଉଚ୍ଚାରଣରେ ।ସମ୍ଭାଷଣ ଓ ଇତିକୁ ପଢ଼ିସାରିବା ପରେ ବିଷୟ ବସ୍ତୁ ଟିକୁ ଏଇମିତି ଜାଣିଲା ସେ ....। "କୈଶୋରରୁ ଡାଡ଼ ମମଙ୍କୁ ହରାଇ ବୋର୍ଡ଼ିଙ୍ଗ ସ୍କୁଲରୁ ପାଠ ପଢି ,ଫ୍ୟାମିଲିର ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହୋଇ ,ସମ୍ଭ୍ରାନ୍ତ ଓ ଆଧୁନିକତାର ପରିବେଶରେ ଅଭ୍ୟସ୍ତ ହେବା, ତମ ବିଷୟରେ କିଛି ନ ଜାଣି ନ ବୁଝି ଡିପଲି ଆଟଚ ହେବା ଓ ତମ ଠାରୁ ତମ ପରିବାରର ଆଶା ଆଙ୍କାକ୍ଷା ଜାଣିବା ପରେ ତମକୁ ବିବାହ ନ କରିବାର ନିଷ୍ପତ୍ତି ନେବା ମୋ ପକ୍ଷରେ ଉଚିତ ଥିଲା ।ମାତୃତ୍ତ୍ୱ ପରି ଏକ ପବିତ୍ର କାମନାକୁ ଜଳାଞ୍ଜଳି ଦେବା ପଛରେ ଏକ ଆତଙ୍କ ଥିଲା ମୋ ଭିତରେ ।

କ'ଣ ହେବ ମୋ ସନ୍ତାନର ପରିଚୟ ?ଯଦି ଝିଅ ହୁଏ ? କେମିତି ହେବ ? ମୋ ପରି ...? ଆଃ ...କି ଲଜ୍ଜା ....!!କେମିତି ସହି ଥାନ୍ତି ବଞ୍ଚି ଥାଉ ଥାଉ ....?? ନା -,ସେମିତି ଏକ ଅବାଂଛିତ ପରିଚୟ ନେଇ ବଞ୍ଚିବା ଅପେକ୍ଷା ପୃଥିବୀକୁ ନ ଆସିବା ହିଁ ଭଲ ବୋଲି ମୁଁ ଭାବିଲି । ତମେ ମୋ ସହ ସବୁ ସମ୍ପର୍କ କାଟିଦେଲା ପରେ ମୁଁ ପାଗଳ ପ୍ରାୟ ହୋଇଯାଇଥିଲି ।

କାରଣ ତମକୁ ହିଁ ମୋ ଜୀବନର ସବୁକିଛି ବୋଲି ଜାଣିଥିଲି ।

ବହୁ ଚିକିତ୍ସା ପରେ ମୁଁ ଏବେ ସାମାନ୍ୟ ସୁସ୍ଥ ହେବାରୁ ତମକୁ ଏ ଚିଠି ଦେଉଛି । ୟାକୁ ତମ ପାଖରେ ରଖିବ । ତମକୁ ବହୁତ ଭଲ ପାଏ ଆଉ ବିଶ୍ୱାସ କରେ ହିତେନ୍ । ଆଜି ଆମ ଭିତରେ ଅନେକ ଦୂରତା କିନ୍ତୁ ଦୀର୍ଘ ଛଅ ବର୍ଷର ସମ୍ପର୍କକୁ ଏଇ ଦୂରତାର ଦ୍ୱାହି ଦେଇ ଭୁଲିଯିବନି । ପ୍ଲିଜ଼ ହିତେନ୍ ମୋତେ ବିଶ୍ୱାସ କର , ମୁଁ ତମକୁ କେବେ ଆମ ନଗ୍ନ ସମ୍ପର୍କ ପାଖକୁ ଫେରିଆସିବା ପାଇଁ କହିବିନି । କେବଳ ତମ ହୃଦୟର ଛୋଟିଆ କୋଣରେ ଆମ ସ୍ମୃତିକୁ ସବୁଦିନ ପାଇଁ ସଜେଇ ରଖିଥିବ "। ଆଉ ଶେଷ ଆଡକୁ "ଲଭ ୟୁ "ସହିତ ଅନେକ ଲିପଷ୍ଟିକ ବୋଳା ଓଠର ଚୁମ୍ବନର ଚିନ୍ହ ।

କିଛିସମୟ ପାଇଁ ସ୍ତବ୍ଧ ରହିଗଲା ହିତେନ୍ ।ତା'ପରେ ମୋବାଇଲ ଆଡକୁ ଆପେ ଆପେ ହାତ ଚାଲିଗଲା କଲ କରିବାକୁ ।କିନ୍ତୁ ଅପର ପାର୍ଶ୍ଵରୁ ଯାନ୍ତ୍ରିକ ସ୍ୱର ଭାସିଆସିଲା - "ଦିସ ନମ୍ବର ଇଜ଼ ନଟ ଏକଜ଼ିଷ୍ଟେଡ଼ ।"

ଯେତେ ଆଧୁନିକା ,ଉଗ୍ର ଆଧୁନିକା ହେଲେ ମଧ୍ୟ ପ୍ରତିଟି ନାରୀ ଭିତରେ ଏକ ସଙ୍କୁଚିତ ପୃଥିବୀ ବି ଥାଏ ।ସତ ରେ ମଣିଷ କେତେ ଅସହାୟ !! ସମାଜକୁ ଯେତେ ଆଧୁନିକ ସଭ୍ୟତା ଦର୍ପଣ ଦେଖାଇଲେ ମଧ୍ୟ ସେଥିରେ ବି ଦାଗ ଦେଖାଯାଏ ।

ନିଜର ଅସହାୟତାକୁ ଲୁଚାଇବାକୁ ଯାଇ କିଛି ମାଧ୍ୟମର ସାହାଯ୍ୟ ନେବ କି ...?? ନା ...ଆଉ ହାରିବାକୁ ଭଲ ଲାଗୁନି । ହିତେନ୍ ଚିଠିଟିକୁ ଚଉତି ରଖିଲା ପକେଟ ରେ ।ମୁଣ୍ଡ ଉପରେ ହାତ ଛନ୍ଦି ଗଭୀର କ୍ଳାନ୍ତିରେ ଆଖି ବନ୍ଦ କଲା ସେ ।ଆଖି ଆଗରେ ନାଚି ଉଠିଲା କଳ କଳ ,ଛଳ ଛଳ ଶାନ୍ତ ସ୍ନିଗ୍ଧ ନୀଳ କଇଁ ପରି ଆଖି ଯୋଡିକ ....ସମ୍ମୋହିତ କରୁଛନ୍ତି ତାକୁ ।ସେ ସମ୍ମୋହନରେ ଅଛି ବାସ୍ତବ ଜୀବନର ଅମୃତର ସନ୍ଧାନ ଦିଗରେ ଯାତ୍ରା ....,ଏକ ସଭ୍ୟ ମଣିଷର ତା'ର ଉତ୍ତର ପିଢୀକୁ ଆଦର୍ଶ ଓ କର୍ତ୍ତବ୍ୟ ନିଷ୍ଠାର ଅବଦାନର ଆନନ୍ଦ । ତା' ପାଟିରୁ ନିଜ ଅଜାଣତରେ ଅସ୍ପଷ୍ଟ ଭାବରେ ବାହାରି ଆସୁଥାଏ ---"ଲଭ ୟୁ ..ଲଭ ୟୁ ..ମଧୁ ।

ସିପ୍ରା ନାମତା ,ନମ୍ରତା

ବାରିପଦା


Rate this content
Log in

Similar oriya story from Inspirational