Arabinda Rath

Tragedy Inspirational

4  

Arabinda Rath

Tragedy Inspirational

ପରିଚୟ

ପରିଚୟ

12 mins
290


 

 

ପ୍ଲାଟଫର୍ମର ସବା ଶେଷ ଭାଗରେ ଥିବା ବେଞ୍ଚ ଉପରେ ବସି ସେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଥିଲା। ଶାଢୀ ଓ ଇମିଟେସନ୍ ଗହଣା ପିନ୍ଧା ସରିଥିଲା, କେବଳ ଯାହା ମୁହଁର ବେଶଭୂଷା ବାକି ଥିଲା। ହ୍ଯଣ୍ଡବ୍ଯାଗ୍ ରେ ରଙ୍ଗୀନ ଜରିବ୍ଯାଗ୍ ରେ ରଖା ଯାଇଥିବା ଜିନିଷକୁ କାଢି ଆଉଥରେ ଭଲରେ ପରଖି ନେଇ ପ୍ରସାଧନ ସାମଗ୍ରୀ ର ଏକ ଡବା ବାହାର କରି ସେ ରେଳ ଧାରଣା ଆଡକୁ ଦେଖିଲା। ହାତଘଣ୍ଟାକୁ ଚାହିଁ ଗୁଣୁଗୁଣୁ ହୋଇ କହିଲା - - - ଟ୍ରେନ୍ ଆସିବାକୁ ଆହୁରି ସମୟ ଅଛି। ସେତିକି ସମୟ ଭିତରେ ନିଜକୁ ବଲିଉଡ୍ ହିରୋଇନ୍ ପରି ସଜେଇ ଦେଇ ପାରିବି। ଆଜି ଦିନର କାମ ସରିଗଲା ପରେ, କାଲି ଠାରୁ ମୋ ଗାଁଆ ଭଲ ତ ମୁଁ ଭଲ।

ଓଠରେ ରକ୍ତିମ ଲିପଷ୍ଟିକ୍, ଆଖିରେ କଜ୍ଜଳ ଓ ଗାଲରେ ମସ୍କାରା ମାରିବା ପରେ, ମୁହଁକୁ ଆଉଥରେ ଆଇନାରେ ପରଖି ନେଲା। ଭ୍ରୁଲତାର ରଙ୍ଗ ଫିକା ପଡି ଆସୁଥିବା ଲକ୍ଷ୍ୟ କରି ଭଲରେ କଳାରଙ୍ଗ ମାଖିଦେଲା। ଆଖି ପତାରେ ଗୋଲାପି ରଙ୍ଗ ଓ ବେକରେ ହାଲୁକା ପାଉଡର ଛିଞ୍ଚି, ମୁଣ୍ଡର ଘନ କେଶମାଳାକୁ ତରଙ୍ଗାୟିତ କରିବା ବେଳକୁ ପଛପଟରୁ କିଏ ଜଣେ ଛିଗୁଲାଇ କହିଲା

- - - ଆଲୋ ମଣି ସେତିକି ଥାଉ। ଏମିତି ବେଶ ହେଲେ ରେଳ ଟେସନ୍ ରେ ନିଆଁ ଲାଗିଯିବ ଯେ.....

- - - ବାଡିପୋଡା ମରଣ ହଉନି ତୋତେ। ଯାଉନୁ ତୋ ଘରେ ମାଆ ଭଉଣୀଙ୍କୁ ଏମିତି ଛିଗୁଲାଇବୁ। ଏତିକି କହି ସେ ମୁହଁ ମୋଡି ଜୋରରେ ତାଳି ବାଡେଇ ଲୋକଟାକୁ ଘଉଡାଇ ନେଲା। ବିଚରା ଲୋକଟା ଡରିମରି ସେ ଜାଗାରୁ ଦୌଡି ପଳାଇଗଲା। 

  ସେତିକି ବେଳକୁ ଟ୍ରେନ୍ ର କର୍ଣ୍ଣବିଦିର୍ଣ୍ଣକାରୀ ଶବ୍ଦରେ ଷ୍ଟେସନ କମ୍ପି ଉଠିଲା। ହ୍ଯାଣ୍ଡବ୍ଯାଗ୍ କୁ କାନ୍ଧରେ ପକାଇ, ଲମ୍ବା ପାହୁଣ୍ଡ ପକାଇ ସେ ପ୍ଲାଟଫର୍ମରେ ଅଗ୍ରସର ହେବାକୁ ଲାଗିଲା।

         xxxxx

ସେଦିନ ସହରରୁ ଘରକୁ ଫେରି ମୁହଁ ଫୁଲେଇ ବସିଥିଲା ବସନ୍ତ। ଭେଣ୍ଡିଆ ପିଲାଟା, ପାଠଶାଠ ସବୁଥିରେ ଆଗୁଆ। କିନ୍ତୁ ଚାକିରି ଖଣ୍ଡେ ଖୋଜିଖୋଜି ଚପଲ ଛିଣ୍ଡି ଗଲାଣି ସିନା ଚାକିରି ମିଳୁନି। ଯାହା ପାଖକୁ ଚାକିରି ପାଇଁ ଗଲା ସେମାନେ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି। ଗରିବ ଚାଷୀର ପୁଅ ଏତେ ପଇସା ଯୋଗାଡ କରିବ କେଉଁଠାରୁ। ଚାଳଘର ଓ ପାଞ୍ଚ ଗୁଣ୍ଠ ଚାଷ ଜମିକୁ ଛାଡିଦେଲେ ତାଙ୍କର ସମ୍ପତ୍ତି ବୋଲି କିଛି ନାହିଁ। ବାପ ଚାଷ କରି ପେଟକୁ ଦାନା ଦେଲା ଓ ମାଆ ପରଘରେ ବାସନ ମାଜି ପୁଅର ପାଠପଢା ପାଇଁ ଟଙ୍କା ଯୋଗାଡିଲା। ବାପାମାଆ ଦି ପ୍ରାଣୀ ସାରା ଜୀବନ ପିଲା ଟା ପଛରେ ଲଗାଇ ଦେଲେ। ପିଲା ଭଲରେ ପାଠଶାଠ ପଢି ନିଜ ଗୋଡରେ ଛିଡା ହୋଇ ପାରିଲେ ତାଙ୍କ ଦୁଃଖ ଯିବ। ବଡ ଚାକିରି ନ କରୁ ଛୋଟମୋଟ ଚାକିରି ଟେ କରି କିଛି ରୋଜଗାର କଲେ ସେମାନଙ୍କ ଯତ୍ନ ତ ନେଇ ପାରିବ। ପୁଅ ଯୋଗ୍ଯ ହେଲେ ଘରକୁ ସୁନାନାକି ବୋହୁଟେ ଆସିବ। ନାତି ନାତୁଣୀଙ୍କୁ ଧରି ଜୀବନର ଶେଷ କାଳ ସେମାନେ ଆନନ୍ଦରେ କାଟିବେ। କିନ୍ତୁ ଏତେ ସ୍ବପ୍ନ କୁ ରାତି କାହିଁ? ପିଲା ଟା ସବୁଦିନ ସକାଳୁ ଗାଧେଇ ପାଧେଇ ସହରକୁ ଯାଉଛି ଚାକିରି ଖୋଜି। କିଏ ଗାଉଁଲି ପିଲା ବୋଲି ଦୂରଦୂର କଲାଣି, ତ କିଏ ଟଙ୍କା ପଚାଶ ହଜାର ନ ହେଲେ ଚପରାଶି ଚାକିରି ବି ମିଳିବନି ବୋଲି କହିଲାଣି। ସବୁଦିନ ସେଇ ଏକା କଥା, ଚାକିରି ନ ପାଇ ପିଲାଟା ମନ ଉଣା କରି ଘର ଭିତରେ ବସି ରହୁଛି।

ଗାଁଆ କଲେଜ୍ ରେ ସବୁଠାରୁ ଅଧିକ ନମ୍ବର ରଖି ବସନ୍ତ ଗ୍ରାଜୁଏସନ ସାରିଥିଲା। ତାଙ୍କ ଗାଁଆରେ ସବୁଠାରୁ ବୁଦ୍ଧିଆ ପିଲା ବୋଲି ତା ନାମଡାକ ଥିଲା। ଗୁଣରେ ଯେମିତି ସୁନ୍ଦର,ପିଲା ଟା ରୂପରେ ସେହିପରି ସୁନ୍ଦର। ଦେଖିବା ଲୋକ ଭାବିବ ଖାନଦାନିଆ ଘରର ପିଲା ବୋଲି। ବାପାମାଆ କାଳିଆ କୋତରା ହେଲେ କଣ ହେବ, ବସନ୍ତର ରଙ୍ଗ ଗୋରା। ତା ଡେଙ୍ଗାଚୌଡା ଓ ବଳିଷ୍ଠ ଦେହକୁ ଦେଖି ଗାଁଆ ଝିଅ ମାନେ କେତେ ଯେ ଟୁପୁରୁଟାପୁରୁ ହୁଅନ୍ତି ତା'ର ହିସାବ ନାହିଁ। କିନ୍ତୁ, ଚମ୍ପା ଭୟରେ ସେମାନେ ମୁହଁ ଖୋଲି ପାରନ୍ତିନି। ଦୁନିଆଦାରି ବିଷୟରେ ହେଜ ହେବା ଦିନରୁ ଚମ୍ପା ମନରେ କେବଳ ବସନ୍ତର ଛବି ଦିନରାତି ଖେଳୁଥିଲା। ତାଙ୍କ ଘର ସାମନାରେ ବସନ୍ତ ସାଇକେଲରେ ଯିବାବେଳେ, ସେ ଗଛ ଉହାଡରୁ ଲୁଚିଲୁଚି କେବଳ ତାକୁ ହିଁ ଦେଖୁଥିଲା। କଦବା କ୍ବଚିତ୍ ସାମନା ରେ ବସନ୍ତ କୁ ଦେଖି ଦେଲେ ତା ପାଟି ଖନି ମାରି ଯାଉଥିଲା, ତଣ୍ଟି ଶୁଖି ଯାଇ ଚାରିଆଡ ଅନ୍ଧାର ଦିଶୁଥିଲା। ଚାରିପଟରେ କଣ ସବୁ ଘଟି ଚାଲିଛି ସେ ଆଡକୁ ଖିଆଲ ନ କରି କେବଳ ବସନ୍ତକୁ ରଙ୍କୁଣୀଙ୍କ ପରି ଦେଖିବାରେ ଲାଗୁଥିଲା।

ଚମ୍ପାର ଭାଉଜ ସଦାବେଳେ ତାକୁ ଚିଡାଇ କହୁଥିଲା- - ଯଦି ତାକୁ ଦେଖି ତୁମେ ଏମିତି ପାଗେଳି ପରି ହେଉଛ, ଥରେ ମନ କଥା ଖୋଲି କହୁନ କାହିଁକି? ନ ହେଲେ "ମାରିନେଲେ ମହାପାତ୍ରେ ଚାହିଁଥାରେ ଜଳକା" ଅବସ୍ଥା ହୋଇଯିବ ଯେ। ବସନ୍ତକୁ କେହି ତା ପାଖରୁ ଛଡାଇ ନେଇ ଯିବା କଥା କହିଲେ ଚମ୍ପା ଆଖିରୁ ଲୁହ ଝରି ଯାଉଥିଲା। ସେ ଗୁମ୍ ମାରି ବହୁତ ସମୟ କାନ୍ଦୁଥିଲା। ତା ମନର କଥା ବସନ୍ତ କୁ ଅଛପା ନ ଥିଲା। ସବୁଜାଣି ସେ ଚୁପ୍ ରହିବାକୁ ବାଧ୍ଯ ହେଉଥିଲା। ପାଖରେ ଟଙ୍କା ନ ଥିଲେ ପ୍ରେମ କରିବା ବି ନିଷେଧ। ଚମ୍ପା ହାତ ଧରିଲେ, ସେ ତାକୁ କଣ ବା ଦେଇ ପାରିବ। କେବଳ ଅଭାବ ଅନଟନରେ ବିଚାରି ହନ୍ତସନ୍ତ ହେବ ଯାହା।

ବସନ୍ତର ଆର୍ଥିକ ସ୍ଥିତି, ଚାକିରି ଖୋଜା ଓ ପ୍ରେମ ପରସ୍ପର ଠାରୁ ନିରାପଦ ଦୂରତା ରେ ସମାନ୍ତରାଳ ରେଖାରେ ଗତି କରି ଚାଲିଥିଲେ। ଯଦି କୌଣସି ଉପାୟରେ କର୍ମସଂସ୍ଥାନ ଯୋଗାଡ ହୋଇ ପାରନ୍ତା, ସେହି ସମାନ୍ତରାଳ ରେଖା ମାନେ ଏକାକାର ହୋଇ, ତା ଜୀବନ ରେ ଅଫୁରନ୍ତ ଆନନ୍ଦର ବର୍ଷା କରିବେ ବୋଲି ଜାଣିଥିଲେ ମଧ୍ଯ ନିରୁପାୟ ଥିଲା। ଶେଷରେ ନିଷ୍ପତ୍ତି ନେଲା, ସହରରେ ରହି କାମ ସନ୍ଧାନରେ ଲାଗିବ। କୌଣସି ଉପାୟରେ ଟଙ୍କା ରୋଜଗାର କରିବା ତା ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ କାର୍ଯ୍ଯ ପାଲଟି ସାରିଥିଲା। ସେଦିନ ସଂନ୍ଧ୍ଯାରେ ଗାଁଆ ପୋଖରି ପାଖରେ ଚମ୍ପାକୁ ବସନ୍ତ ନିଜ ମନକଥା ଖୋଲି କହିଲା। କଥା ମଧ୍ଯ ଦେଲା ଯେ, ସହରରେ କିଛି କାମ ଯୋଗାଡ କରିବା ପରେ ତା ମଥାରେ ସିନ୍ଦୁର ଓ ଗଳାରେ ମଙ୍ଗଳସୂତ୍ର ଦେବ। ଚମ୍ପାର ନୀରବ ପ୍ରେମର ଭାଷା ବସନ୍ତ ପଢି ପାରିଥିବାରୁ ତା ମନରେ ଆନନ୍ଦ ରୁପକ ବନ୍ଯାଜଳ ବନ୍ଧ ଭାଙ୍ଗୁଥିଲା। ଭବିଷ୍ଯତରେ ବସନ୍ତର ଅର୍ଦ୍ଧାଙ୍ଗିନୀ ହେବାର ଖୁସି ସମ୍ମୁଖରେ, ଅଳ୍ପ ଦିନର ବିରହ ନ୍ଯୁନ ମନେ ହେଉଥିଲା। ସେ ବସନ୍ତକୁ କୁଣ୍ଢେଇ ଧରି ସମ୍ମତି ଜଣାଇବା ଅବସରରେ, ବେକରେ ପିନ୍ଧିଥିବା ପତଳା ସୁନା ଚେନ୍ ଟି ପ୍ରେମର ସନ୍ତକ ରୂପରେ ସମର୍ପି ଦେଇଥିଲା। ଅନ୍ଯପକ୍ଷରେ କେବଳ ଦୀର୍ଘନିଶ୍ବାସ ଛଡା ବସନ୍ତ ପାଖରେ କିଛି ମଧ୍ଯ ନ ଥିଲା ଚମ୍ପା ପାଇଁ। ଧିର ସ୍ବରରେ କହିଲା-- - ଚମ୍ପା, ଏତେ ପାଠ ପଢିଲି, ଯଦି ନିଜର ଏକ ପରିଚୟ ସୃଷ୍ଟି ନ କରି ପାରିଲି ତେବେ କଣ ଲାଭ ଏ ଜୀବନ ର। 

- - ମୋ ଆତ୍ମା କହୁଛି, ତୁମେ ଦିନେ ବହୁତ ବଡ ଲୋକ ହେବ। ଭଲ ଚାକିରି କରିବ, ଘୋଡାଗାଡି ଚାକର ବାକର ତୁମ ଆଗ ପଛରେ ବୁଲିବେ। ବହୁତ ବଡ ଉଆସ ମଧ୍ଯ ତୋଳିବ, ଆମ ଗାଁଆ ମହାଜନ ଉଆସ, ତା ସାମନା ରେ ଝୁମ୍ପୁଡିଘର ପରି ଦେଖାଯିବ। ସେହି ଉଆସ ରେ ତୁମେ ଓ ମୁଁ ରାଜାରାଣୀ ହୋଇ ରହିବା। ଖୁସି ରେ ଉତଫୁଲ୍ଲିିତ ହୋଇ ଏସବୁ କହିବା ବେଳକୁ ଚମ୍ପାର ଆଖି ଦୁଇଟି ହୀରା ପରି ଜଳି ଉଠୁଥିଲା ଓ ତା ମାନସପଟରେ ସେହି କଳ୍ପିତ ଦୃଶ୍ଯରାଜି ଭାସି ଉଠୁଥିଲା।

ଚମ୍ପା କୁ ଦେଇଥିବା ପ୍ରତିଶୃତି ଓ ବୃଦ୍ଧ ବାପାମାଆଙ୍କର ଆଶାର ସୌଧ ନିର୍ମାଣ କରିବା ଲକ୍ଷ୍ଯରେ ବସନ୍ତ ସହର ଅଭିମୁଖେ ବାହାରିଲା। ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଥିଲା। ସହରରେ ତାର କେହି ଚିହ୍ନଜଣା ନ ଥିଲେ। କେବଳ ତାର ସାଙ୍ଗ ବିଜୟ ଏକ ହୋଟେଲରେ କାମ କରୁଥିଲା ବୋଲି, ତା ପାଖରେ ଖବର ଥିଲା। ବହୁତ ଖୋଜିବା ପରେ ସେ ବିଜୟ ର ସନ୍ଧାନ ପାଇଲା। ତାଙ୍କରି ଗାଁଆର ପିଲା ବିଜୟ । ବହୁ ବର୍ଷତଳୁ ଗାଁଆ ଛାଡି ସହର ଚାଲି ଆସିଥିଲା ଟଙ୍କା ରୋଜଗାର ପାଇଁ। ଏତେ ଦିନପରେ ବସନ୍ତକୁ ଦେଖି ସେ ମଧ୍ଯ ଖୁସି ହୋଇଗଲା ଓ କଥା ଦେଲା ଯେ , କୋଣସି ଉପାୟରେ ହେଉ ପଛେ ସେ ଚେଷ୍ଟା କରି, ବସନ୍ତ ପାଇଁ କାମ ଯୋଗାଡ କରିଦେବ। ତା ସହ କଥାବାର୍ତ୍ତା ହେବା ପରେ ଜାଣିଲା, ବିଜୟ ଏବେ ହୋଟେଲରୁ କାମ ଛାଡି ଅନ୍ଯ ଧନ୍ଦାରେ ମାତିଛି। କିନ୍ତୁ ସେ କଣ କରୁଛି ବୋଲି ଚେଷ୍ଟା କରି ମଧ୍ଯ ଜାଣି ପାରି ନଥିଲା ବସନ୍ତ। ଭଗବାନଙ୍କ ଦୟାରୁ ସହରରେ ମୁଣ୍ଡ ଗୁଞ୍ଜିବା ପାଇଁ ଠିକଣା ମିଳିଗଲା ଓ ଖାଇବା ପିଇବା ପାଇଁ ବିଜୟର ମେସ୍ ରେ ବ୍ଯବସ୍ଥା ହୋଇଗଲା। କିଛିଦିନ ଭିତରେ କିଛି କାମଧାମ ଯୋଗାଡ କରି ବିଜୟକୁ ଦାୟିତ୍ବ ମୁକ୍ତ କରି ଦେବାକୁ ସେ ନିଶ୍ଚିତ ଥିଲା। ଦିନ ଦୁଇଟା ବିତିଛି କି ନାହିଁ ସେ ବିଜୟ ର ହାବଭାବ ଓ ବ୍ଯବହାରରେ ଅଜବ ପରିବର୍ତ୍ତନ ଲକ୍ଷ୍ୟ କଲା। ରାତିରେ ଡେରିରେ ଘରକୁ ଫେରିବା ଓ ସଦାବେଳେ ଭୟାତୁର ହୋଇ ରହିବା ଦେଖି ସେ ଥରେ ଘଟଣା କଣ ବୋଲି ବିଜୟକୁ ପଚାରିଲା। ମାତ୍ର ବିଜୟ ରାଗରେ ଗରଗର ହୋଇ ତା ବିଷୟରେ ମୁଣ୍ଡ ନ ଖେଳାଇବାକୁ ଧମକ୍ ଦେଲା। ବସନ୍ତ ସ୍ପଷ୍ଟ ଜାଣି ପାରୁଥିଲା ଯେ ବିଜୟ କୌଣସି ଏକ ନିଷିଦ୍ଧ ଅଞ୍ଚଳର ନିତିଦିନିଆ ଗ୍ରାହକ ସାଜି ସାରିଛି ଓ ବିଭିନ୍ନ ପ୍ରକାର ନିଶା ସେବନ କରିବାରେ ପାରଙ୍ଗମ ହୋଇ ସାରିଛି। ଏମିତି ଏକ ସାଙ୍ଗ ପାଖରୁ କିଛି ସାହାଯ୍ଯର ଆଶା କରିବା ବୃଥା ବୋଲି ସେ ଜାଣି ପାରୁଥିଲା ।

ସେଦିନ ଏକ ଅଫିସ୍ କୁ ସାକ୍ଷାତକାର ପାଇଁ ଯିବା ସମୟରେ ଜଣେ ଲୋକ ଦେଖା ହେଲା। ସେ କହିଲା 

- - - ଆରେ ଚାକିରି ପାଇଁ ଚିନ୍ତା କରନି, ମୁଁ କରେଇ ଦେବି। ଟଙ୍କା ଦଶ ହଜାର ଦିଅ , ବିନା ସାକ୍ଷାତକାରରେ ଚାକିରି କରାଇ ଦେବାର ଦାୟିତ୍ବ ମୋର। ଅଗ୍ରୀମ ପାଞ୍ଚ ହଜାର ଏବେ ଦିଅ, ବାକି ପଇସା ଚାକିରି ହେବା ପରେ ଦେବ। ମୁଁ ଚୋର କି ତସ୍କର ବୋଲି ଭାବନି। ଏଇ ଅଫିସ୍ ର କର୍ମଚାରୀ।

ଲୋକଟାର ହାବଭାବ ସହଜ ଜଣା ପଡୁଥିଲା ଓ କୌଣସି ଦିଗରୁ ସେ ଠକ ପରି ଲାଗୁ ନଥିଲା। ପ୍ରକୃତରେ ସେ ସେହି ଅଫିସ୍ ରେ କିରାଣୀ ରୂପେ କାମ କରୁଥିଲା। ବସନ୍ତର ବିଶ୍ବାସ ସେ ଲୋକ ଉପରେ ସେତିକି ବେଳେ ବେଶି ବଢିଗଲା ଯେତେବେଳେ ସାକ୍ଷାତକାର ନେଉଥିବା ଅଫିସର ସେ ଲୋକକୁ ପାଖକୁ ଡାକି ତା କାନରେ କିଛି କହିଲେ। ଅଫିସରୁ ଫେରିବା ବେଳକୁ ତା ମନରେ କେବଳ ଗୋଟିଏ କଥା ବାରମ୍ବାର ଆନ୍ଦୋଳିତ କରି ଚାଲିଥିଲା- - ତାକୁ ପାଞ୍ଚ ହଜାର ଟଙ୍କା ଦେବ କିଏ? ଇଚ୍ଛା ନଥିଲେ ମଧ୍ଯ ସେ ବିଜୟକୁ ସବୁ କଥା କହିଲା। ମାତ୍ର ବିଜୟ ମୁହଁ ଉପରେ ମନା କରିଦେଲା। ବେଶ୍ କିଛି ସମୟ ଚୁପ୍ ହୋଇ ସେ ବସି ରହିଲା ବସନ୍ତ। ଲକ୍ଷ୍ଯର ଏତେ ପାଖରେ ଥାଇ ମଧ୍ଯ ସେ ବିଫଳ ହେବାର ସମ୍ଭାବନା ସ୍ପଷ୍ଟ ଦିଶି ଯାଉଥିଲା। 

   ସେତିକି ବେଳେ ବିଜୟ କହିଲା- - ଦେଖ୍ ସାଙ୍ଗ ମୋତେ ଭୁଲ୍ ବୁଝିବୁନି। ମୁଁ ତୋତେ ଟଙ୍କା ପଇସାରେ ସାହାଯ୍ଯ କରି ପାରିବିନି, କିନ୍ତୁ ଟଙ୍କା ରୋଜଗାରର ବାଟ ଅବଶ୍ୟ ବତେଇ ଦେଇ ପାରିବି। କିନ୍ତୁ ସେ ବାଟ ତୋତେ ଅବାଟ ପରି ଲାଗିପାରେେ। ମାତ୍ର ତୁ ସେହି ବାଟରେ କିଛିଦିନ କାଳ ଯାତ୍ରା କରି ତୋ ଦରକାର ମୁତାବକ ଟଙ୍କା ଯୋଗାଡ କର, ତା ପରେ ଯିବା ବନ୍ଦ କରି ଦେବୁ। ଜଦି ତୁ ରାଜି ହେବୁ, ମୁଁ ତୋତେ ଠିକଣା ବାଟ ବତେଇ ଦେବି।

ବସନ୍ତ ନିରୁପାୟ ଥିଲା, ତା ପାଖରେ ଅନ୍ଯ କୌଣସି ବାଟ ଆପାତତଃ ନ ଥିଲା। ସେ ମୁଣ୍ଡ ହଲାଇ ସମ୍ମତି ଦେଲା। ବିଜୟ ତାକୁ ଯାହା କହିଲା ସେ କଥା ଶୁଣି ତା ମୁଣ୍ଡ ଘୁରାଇଦେଲା। ରାଗରେ ସେ ବିଜୟ ଗାଲରେ ଶକ୍ତ ଚାପୁଡା ମାରି କହିଲା- - ଧିକ୍ ତୋ ପରି ସାଙ୍ଗକୁ। ତୁ ମୋତେ କଣ ଭାବିଲୁ କି? ଦରକାର ନାହିଁ ମୋର ଚାକିରି କି ତୋ କଥାରେ ରାଜି ହେବା। ତୁ ସହରକୁ ଆସି ମଣିଷରୁ ପଶୁ ପାଲଟି ଗଲୁଣି। ମୁଁ କାଲି ସକାଳୁ ଗାଁଆକୁ ଫେରିଯିବି, ତୋ ପାଖରେ ରହିଲେ ମୋତେ ଅଣନିଶ୍ବାସୀ ଲାଗୁଛି। 

ମାତ୍ର ବିଜୟ ମୁହଁରେ କୌଣସି ପ୍ରତିକ୍ରିୟା ନ ଥିଲା। ସେ କେବଳ ଏତିକି କହିଲା-- ଅଭାବ କଣ ମୁଁ ଜାଣିଛି। ଭୋକର ରୂପ କେତେ ଭୟଙ୍କର ମୁଁ ତାହା ମଧ୍ଯ ଅନୁଭବ କରିଛି। ରୂପା ଚାମଚରେ ତୋତେ କେହି ଖୁଆଇ ଦେବେନିରେ ସାଙ୍ଗ। ନିଜ ଶିଙ୍ଗରେ ନିଜେ ମାଟି ତାଡିପାରିଲେ ହିଁ ଜିତି ପାରିବୁ। ନହେଲେ ତୋ ପରି କେତେ ଲୋକ ଚାକିରି ଆଶାରେ ଆସି ଫୁଟପାଥ୍ ନ ହେଲେ ଷ୍ଟେସନ୍ ରେ ପଲିଥିନ୍ ପାରି ଶୋଇବାର ଉଦାହରଣ କିଛି କମ୍ ନାହିଁ। ତୋତେ ଯେତିକି ସାହାଯ୍ଯ କରି ପାରିବା କଥା ମୁଁ କଲି, ବାକି ତୋ ନିଷ୍ପତ୍ତି ଓ ତୋ ଭାଗ୍ଯ।

    ତା ପରଦିନ ସହରର ଟ୍ରାଫିକ୍ ପାଖରେ ନିଜକୁ କିନ୍ନର ବେଶରେ ସଜ୍ଜିତ କରି ଛିଡା ହୋଇଥିଲା ବସନ୍ତ। ତା ନୂତନ ନାମ ଥିଲା ବାସନ୍ତୀ। ପ୍ରଥମ ଦିନ ସାହାଯ୍ଯ କରିବାକୁ ପାଖରେ ଥିଲା ବିଜୟ। କେଇ ଘଣ୍ଟା ଭିତରେ ବେଶ୍ ରୋଜଗାର ହୋଇଗଲା। ସେ ନିଜେ ଆଶ୍ଚର୍ଯ୍ଯ ହୋଇଗଲା ଏହି ଘଟଣାକ୍ରମରେ। ବିନା ପରିଶ୍ରମରେ ଲୋକେ ତା ହାତକୁ ପାଞ୍ଚ ଟଙ୍କା ଦଶ ଟଙ୍କା ବଢାଇ ଦେଇଗଲେ। ମନ ଭିତରଟା ରୋମାଞ୍ଚିତ ହୋଇଗଲା। ସେଦିନ ସେ ସହରର ବିଭିନ୍ନ ଜାଗାରେ ବୁଲିଲା, ଯେଉଁ ଆଡେ ଗଲା ରୋଜଗାର କଲା। ରାତିରେ ଟଙ୍କା ଗଣିଲା ବେଳକୁ ସେ ଆଶ୍ଚର୍ଯ୍ଯ ହୋଇଗଲା। ସେଦିନର ଆୟ ଅଠରଶହ ଟଙ୍କା। ତା ମନ ଭିତର ରୋମାଞ୍ଚିତ ହୋଇ ଉଠୁଥିଲା। ବିନା ପରିଶ୍ରମରେ ଏମିତି ବି ଟଙ୍କା ରୋଜଗାର କରାଯାଇ ପାରେ? ସେ ବିଜୟ ହାତକୁ ପାଞ୍ଚଶହ ଟଙ୍କା ବଢାଇ ଦେଲା ଓ କହିଲା ଧନ୍ଯବାଦ୍ ସାଙ୍ଗ ତୋତେ ବେକାରରେ ଭୁଲ୍ ବୁଝୁଥିଲି।  

ମାତ୍ର ବିଜୟ ଟଙ୍କା ଗ୍ରହଣ ନ କରି ତାକୁ କହିଲା- - ତୋ ଦରକାର ମୁତାବକ ଅର୍ଥ ଯୋଗାଡ ହୋଇ ସାରିବା ପରେ ବାସନ୍ତୀକୁ ତୋ ମନ ଭିତରେ ହିଁ ସମାଧି ଦେଇ ଦେବୁ। କାମ ଟା ଯେତେ ସହଜ ମନେ ହେଉଛି ସେତେ ସହଜ ନୁହଁ। ଅନ୍ଯ କିନ୍ନର ମାନେ ତୋ ପଛରେ ଥରେ ପଡିଗଲେ ଅବସ୍ଥା ଅସମ୍ଭାଳ ହୋଇଯିବ। ସେମାନେ ସହଜରେ ତୋତେ ଛାଡିବେନି। ତେଣୁ ନିଜକୁ ସୁରକ୍ଷିତ ରଖି ଯାହା କରିବୁ। ବିଜୟର କଥା ତା କାନରେ ପଡୁଥିଲା ସତ ମାତ୍ର ସେ ସ୍ବପ୍ନ ଦୁନିଆରେ ଭାସି ଚାଲିଥିଲା। ସହରରେ ଚାକିରି କରି ଟଙ୍କା ରୋଜଗାର କରିବା ଲକ୍ଷ୍ୟ ସାମନା ରେ ନିଜକୁ କିନ୍ନର ବେଶରେ ସଜାଇ ଆୟ କରିବାଟା ବେଶି ସହଜ ମନେ ହେଉଥିଲା। ମନର ଭାବନା ମନରେ ଚାପି ସେ କେବଳ ମୁଣ୍ଡ ହଲାଇଲା।

ଦିନକୁ ଦିନ ବାସନ୍ତୀ ରୂପର ତେଜ ବଢି ଚାଲିଥିଲା ଓ ସେହି ଅନୁପାତରେ ଆୟ ମଧ୍ଯ ବଢୁଥିଲା। ନିଜେ ଏକ ଘର ଭଡା ନେଇ ସେ ରହୁଥିଲା ଓ କଦବା କ୍ବଚିତ୍ ବିଜୟ ସହ ତାର ଦେଖା ହେଉଥିଲା। ତା ନୂତନ କର୍ମସଂସ୍ଥାନ ବିଷୟରେ ବିଜୟ ପଚାରିଲେ ସେ ଚତୁରତାର ସହ କଥା ବୁଲେଇ ଦେଉଥିଲା। ବିଜୟ ଭାବୁଥିଲା ବୋଧେ ଟଙ୍କା ଯୋଗାଡ କରି ବସନ୍ତ କୌଣସି ଜାଗାରେ ଚାକିରି କରିଛି। ଏତେ ବଡ ସହର ଭିତରେ ବସନ୍ତର ଅସଲ ପରିଚୟ ଖୋଜି ପାଇବା କଷ୍ଟସାଧ୍ଯ ଥିଲା।  ଇତି ମଧ୍ଯରେ ବାସନ୍ତୀର କର୍ମକ୍ଷେତ୍ରର ପରିସୀମା ମଧ୍ଯ ଢେର୍ ବଢି ସାରିଥିଲା। ଟ୍ରାଫିକ ପୋଷ୍ଟ, ରେଳ ଷ୍ଟେସନ୍, ବସଷ୍ଟାଣ୍ଡ, ବଜାର , ହାଟ ସବୁ ଜାଗାରେ ଆବିର୍ଭାବ ହେଉଥିଲା ରହସ୍ଯମୟୀ ବାସନ୍ତୀର। ତା ରୂପଲାବଣ୍ଯରେ ଆକୃଷ୍ଟ ହୋଇ ଲୋକ ଟଙ୍କା ଫୋପାଡି ଚାଲିଥିଲେ। ଗ୍ରାହକଙ୍କ ବୟସ ଅନୁଯାୟୀ ସେ ନିଜର ରଣନୀତି ପ୍ରସ୍ତୁତ କରୁଥିଲା। ଯୁବ ଗ୍ରାହକଙ୍କ ଗାଲରେ ଚୁମ୍ବନ ଦେବାଠାରୁ ଆରମ୍ଭ କରି ପ୍ରୌଢ ଗ୍ରାହକଙ୍କୁ ଆଲିଙ୍ଗନ କରି ଟଙ୍କା ଝଡାଇବାର କଳାରେ ସେ ସିଦ୍ଧହସ୍ତ ହୋଇ ସାରିଥିଲା। ସହରର ଅନ୍ଯ କିନ୍ନର ମାନଙ୍କ ନଜରରେ ସେ ଆସି ସାରିଥିଲା। ବହୁ ଚେଷ୍ଟା ପରେ ମଧ୍ଯ ସେମାନେ ବାସନ୍ତୀକୁ ଧରି ପାରୁ ନ ଥିଲେ। ବିଜୁଳି ବେଗରେ ସେ ଆସୁଥିଲା ଓ ନିଜ କାମ ସାରି ଉଭାନ୍ ହୋଇ ଯାଉଥିଲା। 

ଇତି ମଧ୍ଯରେ ଅନେକ ଦିନ ବିତି ସାରିଥିଲା।  ରୋଜଗାର କରୁଥିବା ଟଙ୍କାର ପରିମାଣ ଆଶାତୀତ ଭାବରେ ବୃଦ୍ଧି ପାଇଥିଲା ଓ ତା ମନରୁ ଚାକିରି କରିବାର ନିଶା ବହୁଦିନ ତଳୁ ଉତୁରି ସାରିଥିଲା। ବସନ୍ତର ଶରୀରରେ ବାସ କରୁଥିଲେ ପରସ୍ପର ବିରୋଧି ଦୁଇଟି ବ୍ଯକ୍ତିତ୍ବ। ଦ୍ବେତବ୍ଯକ୍ତିତ୍ବର ଅଧିକାରୀ ବସନ୍ତର ଜୀବନରେ ବାସନ୍ତୀର ଆଧିପତ୍ଯତା ଆଶ୍ଚର୍ଯ୍ଯଜନକ ଭାବରେ ବଢି ଯାଇଥିଲା। ଟଙ୍କା ରୋଜଗାର କରିବା ନିଶାରେ ନିଜର ସ୍ବପ୍ନ, ଆଶା ଆକାଂକ୍ଷା ଓ ପ୍ରେମକୁ ସେ ଭୁଲିବାକୁ ବସିଥିଲା। ଗାଁଆରେ ବୁଢା ବାପାମାଆ ଓ ଚମ୍ପା ତା ଫେରିବା ବାଟକୁ ଯେ ଚାହିଁ ବସିଥିବେ, ସେ କଥା ମଧ୍ଯ ସେ ବିସ୍ମୁତ ହୋଇ ସାରିଥିଲା। ବାଘର ପାଟିରେ ମଣିଷ ରକ୍ତ ଲାଗିଲେ ସେ ଯେପରି ରକ୍ତପିପାଷୁ ହୋଇଉଠେ, ଟଙ୍କା ପାଇଁ ସେମିତି ହୋଇ ଉଠିଥିଲା ବସନ୍ତ।

ସେଦିନ ଟ୍ରେନ୍ ରେ ଜଣେ ଅଜଣା ବ୍ଯକ୍ତି ତାକୁ ଷଡଯନ୍ତ୍ରର ଭୟଙ୍କର ନାଗଫାଶରେ ଆବଦ୍ଧ କରି ଦେଇଥିଲା। ତା କହିବା ଅନୁସାରେ କାମ ନ କଲେ ସେ ବାସନ୍ତୀର ଅସଲ ରୂପ ପଦାରେ ପକାଇଦେବ ବୋଲି ଧମକ୍ ମଧ୍ଯ ଦେଲା। କାମ ବିଶେଷ କଷ୍ଟକର ନ ଥିଲା। ଟ୍ରେନ୍ ଭିତରେ ନିର୍ଦ୍ଦିଷ୍ଟ ଠିକଣାରେ କିଛି ପ୍ଯାକେଟ୍ ପହଞ୍ଚାଇବାର ଥିଲା। କାମ ପାଇଁ ଦାମ୍ ର ପରିମାଣ ଢେର୍ ଅଧିକା ଥିଲା। ତେଣୁ ସେ ପ୍ଯାକେଟ୍ ଭିତରେ କଣ ଅଛି ଜାଣିବାର ତିଳେ ମାତ୍ର ଜିଜ୍ଞାସା ବସନ୍ତର ନ ଥିଲା। ଦିନ କେତେଟାରେ ସେ ଢେର ଟଙ୍କା ଆୟ କଲା। କେବଳ ସେତିକି ନୁହଁ ରେଳଷ୍ଟେସନର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ପୋଲିସ୍ ଆଦି ତା ହାତମୁଠାରେ ରହିଲେ।  

କିନ୍ତୁ ସବୁ ଦିନ ସମାନ ଯାଏନି। ଦିନେ ସେ ପ୍ଲାଟଫର୍ମରେ ପଶିବା ବେଳକୁ ଦେଖିଲା ପୋଲିସ୍ ମାନେ ସବୁ କିନ୍ନର ମାନଙ୍କୁ ଛିଡା କରି ତଲାସି ନେଉଛନ୍ତି ଓ ବାଡିଆପିଟା କରୁଛନ୍ତି। ସେମାନେ ନେହୁରା ହୋଇ କାନ୍ଦିଲେ ମଧ୍ଯ ପୋଲିସ ମାନଙ୍କର ଅତ୍ଯାଚାର କମିବା ପରିବର୍ତ୍ତେ ବଢି ଚାଲିଛି। ଭୟରେ ସେ ଘରକୁ ଦଉଡିଲା ଓ କିଛି ସମୟ ପରେ ବସନ୍ତ ରୂପରେ ପୁଣି ଫେରିଲା। ଲୋକ ମାନଙ୍କ ଠାରୁ ଜାଣିଲା ଯେ ବେଶ୍ କିଛି ଦିନ ହେବ ଜଣେ କିନ୍ନର ଟ୍ରେନ ଭିତରେ ଲାକ୍ଷାଧିକ ଟଙ୍କାର ଡ୍ରଗ୍ସ କାରବାର କରୁଛି ଓ ଡ୍ରଗ୍ସ ବେପାରି ମାନେ ଅତି ଆରାମରେ ଏହି ନିଷିଦ୍ଧ ବେପାର ଚଳାଇ ଆସୁଛନ୍ତି। କଥାଟା ଶୁଣିବା ପରେ ବସନ୍ତର ହୃଦସ୍ପନ୍ଦନ ବଢି ଯାଇଥିଲା ଅସମ୍ଭବ ଭାବରେ। ସେହି ଲୋକ ତା ମାଧ୍ଯମରେ ଡ୍ରଗ୍ସ ବେପାର ଚଳାଇଥିଲା ବୋଲି ସେ ବିଶ୍ବାସ ମଧ୍ଯ କରି ପାରୁ ନ ଥିଲା। ସରଳ ବିଶ୍ବାସୀ ଲୋକର ଫାଇଦା ଏପରି ବି ଉଠାଯାଇପାରେ ବୋଲି ସେ କଳ୍ପନା କରି ପାରୁ ନ ଥିଲା। 

ଘରକୁ ଫେରିବା ପରେ ବେଶ୍ କିଛି ସମୟ ନୀରବ ହୋଇ ବସି ରହିଲା। ଚମ୍ପା ଦେଇଥିବା ସୁନା ଚେନ୍ ଟିକୁ କାଢି ଅନେକ ସମୟ କାନ୍ଦିଲା। ବିଚାରିର ନିରିହ ମୁହଁ ତା ଆଖି ସାମନାରେ ନାଚି ଯାଉଥିଲା। ତାକୁ ସେ କଥା ଦେଇଥିଲା ଯେ ଚାକିରି ହେବା ମାତ୍ରେ ଗାଁଆକୁ ଫେରି ତା ସୀମନ୍ତରେ ସିନ୍ଦୁର ଦେବ। ଚିରଦିନ ପାଇଁ ବସନ୍ତକୁ ପାଖରେ ପାଇବା ଆଶାରେ ଥିବା ଚମ୍ପା, କିଛି ଦିନର ବିରହ ବେଦନା ସହିବାକୁ ପ୍ରସ୍ତୁତ ଥିଲା। ସେ ବା କାହୁଁ ଜାଣିବ, ଇତି ମଧ୍ଯରେ ନିଜର ପ୍ରାଣପ୍ରିୟ ବସନ୍ତ ଭିତରେ ଆଉ ଏକ ଚରିତ୍ରର ଆବିର୍ଭାବ ହୋଇ ସାରିଛି ବୋଲି। ସେ ଭାବୁ ଥିଲା, ବୁଢା ବାପାମାଆ କଣ ସାରା ଜୀବନ ତପସ୍ଯା କରିଥିଲେ ନିଜ ପୁଅକୁ କିନ୍ନର ବେଶୀ ଭିକାରି ଓ ଡ୍ରଗ୍ସ ଚାଲାଣକାରୀ ବେଶରେ ଦେଖିବାକୁ? ସେ ଚିତ୍କାର କରି ଉଠିଲା--- ନାଃ ଆଉ ନୁହଁ। ବାସନ୍ତୀକୁ ଆଜି ରାତିରେ ହିଁ ଶେଷ କରିବାକୁ ହେବ। ସେ ମୋତେ ଆଉ ତା ଗୋଲାମ କରି ରଖି ପାରିବନି। ମୁଁ ଏ ସହର ଛାଡି କାଲି ସକାଳେ ଚାଲିଯିବି। ଜୀବନ ଥିବା ଯାଏଁ ସହର ର ମୁହଁ ଆଉ ଦେଖିବିନି।

କବାଟରେ ଠକଠକ ଆଓ୍ବାଜ୍ ଶୁଣି ଖୋଲିବା ବେଳକୁ ସେ ଦେଖିଲା ସେହି ଲୋକକୁ ଯିଏ ତାକୁ ସେଦିନ ଡ୍ରଗ୍ସ ବେପାର ପାଇଁ ବାଧ୍ଯ କରିଥିଲା। ତା ହାତରେ ଦୁଇଟି ପ୍ଯାକେଟ୍ ଥିଲା। ଗୋଟିଏ ପ୍ଯାକେଟ୍ ଖୋଲି ପୁଳାଏ ନୋଟ୍ ସେ ବସନ୍ତ ହାତକୁ ବଢାଇ କହିଲା- - ପୋଲିସ୍ ପାଖରେ ଖବର ପହଞ୍ଚି ସାରିଛି। ସେମାନେ ତୋତେ ପାଗଳ କୁକୁରଙ୍କ ପରି ଖୋଜୁଛନ୍ତି। କିନ୍ତୁ ତୋତେ ଯେମିତି ହେଲେ ଏ ପ୍ଯାକେଟ୍ ଟା ଟ୍ରେନ୍ ଭିତରେ ପହଞ୍ଚାଇବାକୁ ହେବ। ବହୁତ୍ ବଡ ଅର୍ଡର ଓ ଜିନିଷ ନେବା ଲୋକଟା ବି ବହୁତ୍ ଭୟଙ୍କର। ଟିକେ ଓଲଟପାଲଟ ହେଲେ ଆମେ ଦୁଇ ଜଣ ଯାକ ମରିବା। କାଲି ଏଗାରଟା ବେଳେ ମୁଁ ଷ୍ଟେସନ୍ ରେ ଥିବି। ଜିନିଷ ଠିକ୍ ଜାଗାରେ ପହଞ୍ଚାଇଲା ପରେ ତୁ ସହର ଛାଡି ଚାଲିଯିବୁ। କଣ ରାଜି ତ?

ମୁଣ୍ଡରେ ପିସ୍ତଲ ରଖି ଏ ପ୍ରଶ୍ନ ଯାହାକୁ ବି ପଚରାଯିବ ସେ ନାଁ କହିବାର ପଶ୍ନ ଉଠୁନି। ବସନ୍ତ ବା ବାଦ୍ ପଡନ୍ତା କିପରି। ସେ ଲୋକ ହାତରୁ ଦୁଇଟି ଯାକ ପ୍ଯାକେଟ୍ ଧରି ସେ କହିଲା-- ପିସ୍ତଲ ଦେଖାଇ ମୋ ଦ୍ବାରା ଏମିତି ଅପରାଧ କରିବାକୁ ତୁମକୁ ଖରାପ ଲାଗୁନି। ଧିକ୍ ତୁମ ଜୀବନ।  

- - ପାପପୂଣ୍ଯ, ନ୍ଯାୟ, ଅପରାଧ ପରି ଶବ୍ଦ ସବୁ ତୋ ପରି ପାଖଣ୍ଡୀ ଠକ ମୁହଁରେ ଶୋଭା ପାଉନି ବସନ୍ତ ଓରଫ୍ ବାସନ୍ତୀ। ତୋ ଭାଗ୍ଯ ଭଲ ତୁ ଅସଲ କିନ୍ନର ମାନଙ୍କ ହାବୁଡରେ ପଡିନୁ। ସେମାନେ ବି ତୋତେ ପାଗଳଙ୍କ ପରି ଖୋଜୁଛନ୍ତି। ଥରେ ପାଇଗଲେ କଣ ଯେ କରିବେ ତା ହିସାବ ନାହିଁ। ବେଶି ବକବକ ନ କରି ଯେମିତି କହିଲି ସେମିତି କରିବୁ,କାଲି ଦେଖାହେବ। ଲୋକଟା ସିଗାରେଟ୍ ଧୂଆଁ ଉଡାଇ ସେ ଜାଗାରୁ ଚାଲିଗଲା।

ସେଦିନ ସକାଳେ ନିଜକୁ ଭଲରେ ବେଶଭୂଷା କରି ସେ ପ୍ଲାଟଫର୍ମରେ ବସିଥିଲା। ଭାବୁଥିଲା, ସେ ବାସନ୍ତୀ ବୋଲି ଲୋକ, ପୋଲିସ୍ ବା ଅନ୍ଯ କିନ୍ନର ମାନେ ଜାଣି ପାରିବେନି । କୌଣସି ମତେ ପ୍ଯାକେଟ୍ ଟା ପହଞ୍ଚାଇ ଦେଇ ସାଙ୍ଗେସାଙ୍ଗେ ଗାଁଆକୁ ଚାଲିଯିବାକୁ ସେ ନିଷ୍ପତ୍ତି ନେଇ ସାରିଥିଲା। ପ୍ଲାଟଫର୍ମରେ ଟ୍ରେନ୍ ର ଗତି ସହ ତାଳ ଦେଇ ସେ ଦୌଡି ଚାଲିଥିଲା ଏକ ନିର୍ଦ୍ଦିଷ୍ଟ ବଗି କୁ। ତା ମନ ଭିତରେ ଉତ୍କଣ୍ଠା ବଢି ଚାଲିଥିଲା। କାହିଁକି କେଜାଣି, ଏକ ଅଜଣା ଭୟ ତାକୁ କବଳିତ କରିବାରେ ଲାଗିଥିଲା। ଟ୍ରେନର ସେହି ନିର୍ଦ୍ଦିଷ୍ଟ ବଗି ରେ ଚଢିବା ପୂର୍ବରୁ ତା କାନ ପାଖରେ ଅଚାନକ ଗୁଞ୍ଜରିତ ହେଲା ତାଳି ମାଡ। ଚମକିପଡି ପଛକୁ ଚାହିଁବା ବେଳକୁ ସେ ଦେଖିଲା ଶତାଧିକ କିନ୍ନର ବିକଟ ଚିତ୍କାର କରି ତା ଚାରିପଟରେ ତାଳି ମାଡ କରି ଘୁରି ବୁଲୁଛନ୍ତି। ତାଙ୍କ ମୁହଁରୁ ଝରି ପଡୁଥାଏ ଅଭିସମ୍ପାତ୍ ଓ ଅଭଦ୍ର ଗାଳିର ବଜ୍ରପାତ। ସେମାନେ ଟଣାଓଟରା କରିବା ଭିତରେ ବସନ୍ତ ମୁଣ୍ଡରେ ଲଗାଇଥିବା କୃତ୍ରିମ କେଶଗୁଚ୍ଛ ଓ ଶାଢୀ ଭୁଲୁଣ୍ଠିତ ହୋଇ ସାରିଥିଲା। ବିଧା ଚାପୁଡା ଗୋଇଠା ମାରି ସେମାନେ ତା ଚାରି ପଟରେ ଉଦ୍ଦଣ୍ଡ ନୃତ୍ଯ କରିବା ଆରମ୍ଭ କରି ଦେଇଥିଲେ। ବସନ୍ତ କୁ ପ୍ଯାକେଟ୍ ଦେଇ ଥିବା ଲୋକ କୌଶଳକ୍ରମେ ବ୍ଯାଗ୍ ଧରି ଦୌଡି ପଳାଇବା ବେଳକୁ ପୋଲିସ୍ ହାତରେ ଧରା ପଡିଗଲା। କିନ୍ତୁ କିନ୍ନର ମାନଙ୍କ କବଳରୁ ବସନ୍ତ କୁ ମୁକୁଳାଇବା ସମ୍ଭବ ନଥିଲା। 

ସେମାନେ ଚିତ୍କାର କରି କହୁଥିଲେ-- ଧିକ୍ ତୋ ପୁରୁଷପଣିଆକୁ। ଶେଷକୁ ଆମ ମାନଙ୍କ ବେଶ ଧରି ତୁ ନିଶା କାରବାର କଲୁ। ଆମ ପେଟରେ ନାତ ମାରି ତୁ ଲୋକଙ୍କ ପାଖରୁ ପଇସା ନେଉଥିଲୁ। ସେ ସବୁ ଜାଣି ମଧ୍ଯ ଆମେ ଚୁପ୍ ରହିଲୁ, କାରଣ କାହା ପେଟରେ ନାତ ମାରିବା ନିୟମ ବିରୁଦ୍ଧ। ଜଗତ ଯାକର ଟାହି ଟାପରାକୁ ହଜମ କରି ଦାନ୍ତ ନିକୁଟାଇ ଆମେ ବଜାର,ଷ୍ଟେସନ୍ ରେ ଦିନ ରାତି ପଡି ରହିଛୁ ଏଇ ପେଟ ଚାଖଣ୍ଡକ ପାଇଁ; ଗରିବ ଲୋକ କିଏ ଆମକୁ ପଚାରିବ? କିନ୍ତୁ, ଆମପରି ସମସ୍ତେ ଅଭାଗା ନୁହଁନ୍ତି। ତୁମରି ସଭ୍ଯ ସମାଜରେ ଆମ ପରି ଲୋକେ ଚାକିରି କରିଛନ୍ତି ଓ ନେତା ହୋଇ ଦେଶ ମଧ୍ଯ ଚଳାଉଛନ୍ତି। ସେମାନଙ୍କୁ ଶହେ ଲୋକ ସଲାମ୍ ଠୁଙ୍କୁଛନ୍ତି। ସେମାନଙ୍କ ପାଇଁ ଆମ ମନରେ ଯେତିକି ଗର୍ବ ଅଛି, ତୁମ ପରି ଅଣପୁରୁଷା ଲୋକଙ୍କ ହୀନମନ୍ଯତାର ଶିକାର ହୋଇ ସେତିକି ଦୁଃଖ ମଧ୍ଯ ଅଛି। ତୁମ ପରି କେତେଟା ଲୋକଙ୍କ ପାଇଁ ଆମ ଜନ୍ମ ଅଭିଶପ୍ତ ପାଲଟି ଯାଇଛି। ତୋ କାମ ପାଇଁ ଦଣ୍ଡ ଅବଶ୍ଯ ମିଳିବା ଦରକାର।

ପ୍ଲାଟଫର୍ମରେ ଲୋକେ ଜମା ହୋଇ ସବୁ ଦେଖୁଥିଲେ ମଧ୍ଯ କିଛି କହିବାର ସାହାସ କାହା ପାଖେ ନ ଥିଲେ। ବୋଧେ ସେମାନେ ହୃଦୟଙ୍ଗମ କରୁଥିଲେ ବାସନ୍ତୀ ରୂପୀ ବସନ୍ତ ପାଇଁ ଉପଯୁକ୍ତ ଦଣ୍ଡ ବିଧାନ ହେବା ଆବଶ୍ଯକ। କିନ୍ନର ମାନେ ମିଳିମିଶି ତାକୁ ଟେକି ନେଲେ ପ୍ଲାଟଫର୍ମ ବାହାରକୁ। ସେ ଚିତ୍କାର କରି ଚାଲିଥିଲା, ମାତ୍ର ତାହା କିନ୍ନର ମାନଙ୍କର କୋଳାହଳ ଭିତରେ ନିଶ୍ଚିହ୍ନ ହୋଇ ଯାଉଥିଲା। ଶରୀରର ନିମ୍ନାର୍ଦ୍ଧରେ ଏକ ଧାରୁଆ ଅସ୍ତ୍ର ଚାଲିବାର ଶବ୍ଦ ସେ ଶୁଣି ପାରିଥିଲା, କଷ୍ଟ ଓ ଯନ୍ତ୍ରଣାରେ ସେ ଚେତା ହରାଇଦେଲା।

ଡାକ୍ତରଖାନାରେ ନିଜକୁ ଆବିଷ୍କାର କଲା ବସନ୍ତ। ତା ହାତରେ ହାତକଡି ପଡିଥିଲା ଓ ଜଣେ କନେଷ୍ଟବଳ ତା ପାଖରେ ଜଗି ରହିଥିଲା। ମନୁଷ୍ଯକୁ ପୁରୁଷ ବୋଲି ବିବେଚିତ କରାଉଥିବା ଗୁରୁତ୍ବପୂର୍ଣ୍ଣ ଅଙ୍ଗ କିନ୍ନର ମାନଙ୍କ ଆକ୍ରମଣରେ ନିଶ୍ଚିହ୍ନ ହୋଇ ସାରିଥିଲା। ଶରୀରରେ ସୃଷ୍ଟ ଅଗଣିତ କ୍ଷତ ମାନଙ୍କର ପୀଡା ଅପେକ୍ଷା ଏହି କଷ୍ଟ ତାକୁ ନିସ୍ତେଜ କରିଦେଉଥିଲା। ତା ଆଖିରୁ ଲୁହ ଝରି ଚାଲିଥିଲା। ସେ ସହରକୁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆସିଥିଲା। କିନ୍ତୁ ଶେଷରେ ସେ ନିଜର ପରିଚୟ ହରାଇ ଦେଇଥିଲା। ନା ଥିଲା ସେ ବସନ୍ତ, ନା ଥିଲା ସେ ବାସନ୍ତୀ......ତେବେ କଣ ଥିଲା ତାର ପରିଚୟ ?



Rate this content
Log in

Similar oriya story from Tragedy