Gangadhar Nanda

Horror Crime Thriller

4  

Gangadhar Nanda

Horror Crime Thriller

ପ୍ରେତର ପ୍ରତିଶୋଧ ଭାଗ୯

ପ୍ରେତର ପ୍ରତିଶୋଧ ଭାଗ୯

3 mins
26



           ଶବ୍ଦ ଆସୁଥିବା କୋଠରୀ ଭିତରକୁ ଅତ୍ୟନ୍ତ ସନ୍ତର୍ପଣରେ ପଶିଲି । ଭିତରେ ରକ୍ତ ରଙ୍ଗର ପାଟବସ୍ତ୍ର ପରିହିତ ଜଣେ ଦୀର୍ଘକାୟ ବ୍ୟକ୍ତି ବସିଥିଲେ । ବୟସ ଅନୁମାନିକ ଷାଠିଏ ପାଖାପାଖି ହେବ ।କପାଳରେ ରକ୍ତ ଚନ୍ଦନର ତିନିରେଖା ମଧ୍ୟରେ ଏକ ବଡ ସିନ୍ଦୁର ଟୋପା ମନରେ ଭୟ ଉଦ୍ରେକ କରୁଥିଲା । ଆଗରେ ବିଭିନ୍ନ ପୂଜା ଉପକରଣ ଖେଳାଇ ହୋଇ ରଖାଯାଇଥିଲା । ଛୋଟିଆ ଯଜ୍ଞକୁଣ୍ଡ ମଧ୍ଯସ୍ଥ ଧୂନି ଜ୍ଵଳନ୍ତ ଅବସ୍ଥାରେ ଥିଲା ।

            ନମସ୍କାର କରି ତାଙ୍କ ସମ୍ମୁଖସ୍ଥ ଏକ ଚଟେଇରେ ବସିଲି ।

'ଆପଣଙ୍କ ନାମ କାଳୀ ପ୍ରସାଦ '? 

'ହଁ 'I ବ୍ୟକ୍ତି ଜଣକ ସ୍ମିତ ହସି ଉତ୍ତର ଦେଲେ ।

'ପଣ୍ଡିତ ଗଣନାଥ ଶର୍ମାଙ୍କୁ ଆପଣ ଜାଣନ୍ତି '? ମୁଁ ଦ୍ଵିତୀୟ ପ୍ରଶ୍ନ ପଚାରିଲି ।

'ହଁ , ଜାଣେ ; ଭଲଭାବରେ ଜାଣେ 'I

'କିପରି ଆଉ କେଉଁଭଳି ଭାବରେ ଜାଣନ୍ତି '? ମୋର ଏ ପ୍ରଶ୍ନରେ କାଳୀ ପ୍ରସାଦ ତଳକୁ ମୁହଁ କରି କିଛି ସମୟ ମୌନ ରହିଲେ । ମୁଁ ତାଙ୍କ ଉତ୍ତରକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲି । କିଛି ସମୟ ପରେ ସେ ଉର୍ଦ୍ଧ୍ଵକୁ ଚାହିଁ ଦୀର୍ଘ ନିଶ୍ଵାସ ଛାଡ଼ିଲେ ।

          ଘରଟିର ଛାତରେ ଦୁଇ ତିନୋଟି ପାରା ଫଡ଼ ଫଡ ହୋଇ ମଝିରେ ମଝିରେ ଘୁମୁରୁ ଥିଲେ । କୋଠରୀର ବାତାବରଣ ବଡ ଅଦ୍ଭୁତ ମନେ ହେଉଥିଲା । ଲାଗୁଥିଲା , ଯେମିତି ଆମ ଦୁଇଜଣଙ୍କୁ ଛାଡ଼ି ଆଉ କିଛି ଲୋକ ଅଦୃଶ୍ୟ ଭାବରେ ମୋ ପାଖରେ ଚଳପ୍ରଚଳ ହେଉଛନ୍ତି । ଘର ମଧ୍ୟରେ ମଝିରେ ମଝିରେ ପବନର ଗତି ବଢିଯାଉଥିଲା । କିନ୍ତୁ ମୁଁ ଝରକା ଦେଇ ଅଦୂରରେ ଥିବା ଅଶ୍ଵତ୍ଥ ବୃକ୍ଷକୁ ଚାହିଁଲା ବେଳକୁ ଗୋଟାଏ ପତ୍ର ମଧ୍ୟ ହଲିବାର ଦେଖାଯାଉନଥିଲା ।

           'ଆପଣଙ୍କର ପତ୍ନୀଙ୍କର ଦେହ ଭଲ ଅଛି '? କାଳୀ ପ୍ରସାଦ ମୋତେ ଉଦ୍ଦେଶ୍ୟ କରି ପଚାରିଲେ । ମୁଁ ଚମକି ପଡି ତାଙ୍କ ଆଡକୁ ଚାହିଁଲି । ମୋ ଦେହରେ ଶିହରଣ ଖେଳିଗଲା । ମୋ ପତ୍ନୀଙ୍କ ଦେହ ଖରାପ ବିଷୟରେ ଏ କାଳୀ ପ୍ରସାଦ କେଉଁ ସୂତ୍ରରୁ ଖବର ପାଇଲେ , ଏକଥା ଭାବି ଆଶ୍ଚର୍ଯ୍ୟ ହେଉଥିଲି । ତେବେ ମନର ଭାବନାକୁ ଚାପିରଖି ଉତ୍ତରରେ ଭଲ ଅଛି ବୋଲି କହିଲି ।

'ମୁଁ ତାକୁ ବାରମ୍ଵାର ମନା କରିବା ପରେ ବି ସେ ମୋ କଥା ଶୁଣିଲା ନାହିଁ'। କାଳୀ ପ୍ରସାଦ ଉଦାସ ସ୍ୱରରେ କହିଲେ'।

'ଆପଣ କାହାକୁ କେଉଁ ବିଷୟରେ ମନା କରୁଥିଲେ ? ଆପଣ ମୋ ପୂର୍ବ ପ୍ରଶ୍ଚର ଉତ୍ତର ଏପର୍ଯ୍ୟନ୍ତ ଦେଲେ ନାହିଁ ! 

'ଦଉଛି ; ସମସ୍ତ କଥା ଆପଣଙ୍କୁ କହିବି । ମୋର ପ୍ରକୃତ ନାମ ହେଉଛି ଦେବବ୍ରତ ଶର୍ମା । ଗଣନାଥ ମୋ ସାନ ଭାଇ । ମୁଁ ପିଲା ଦିନୁ ମା କାଳୀଙ୍କ ଭକ୍ତ ଥିଲି । ଏଣୁ ବିବାହ ନକରି ବ୍ରହ୍ମଚର୍ଯ୍ୟ ବ୍ରତଧାରଣ ପୂର୍ବକ ଗୃହ ତ୍ୟାଗ କରି ବିଭିନ୍ନ ଶକ୍ତିପିଠ ସନ୍ଧାନରେ ବୁଲିଲି । ପିତାମାତାଙ୍କର ଆମେ ଦୁଇଟି ସନ୍ତାନ ଥିଲୁ । ମୋ ଅନୁପସ୍ଥିତିରେ ଗଣନାଥ ପିତାମାତାଙ୍କ ପାଖରେ ରହି ସେମାନଙ୍କର ସେବା କରିବା ସହିତ ବିଦ୍ୟା ଅଧ୍ଯୟନରେ ମନ ଦେଲା । ବହୁତ ଭଲ ପଢୁଥିଲା ମଧ୍ଯ । ସଂସ୍କୃତ ଭାଷା ତାର ପ୍ରିୟ ବିଷୟ ଥିଲା । ପାଖ ସହରରେ ଉଚ୍ଚ ଶିକ୍ଷା ସମାପ୍ତ କରିସାରି ସଂସ୍କୃତରେ ଅଧିକ ଜ୍ଞାନ ଅର୍ଜନ କରିବା ନିମନ୍ତେ ସେ ବନାରସ ଆସିଲା । ଭଲ ରେଜଲ୍ଟ ଥିବାରୁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ତାର ଆଡମିଶନ ମଧ୍ୟ ହୋଇଗଲା । ଗାଁ'ରେ ଥିବା ଜମି ବାଡ଼ିର ଆୟ ପ୍ରବଳ ନଥିଲେ ମଧ୍ୟ ଖୁସିରେ ଚଳିଗଲା ଭଳି ଥିଲା । ଏଣୁ ପଇସାପତ୍ରର ଅଭାବ ସେ କେବେ ଅନୁଭବ କରିନଥିଲା । ତା'ପରେ ସେ ନିଜେ ମଧ୍ୟ ଖୁବ ମିତବ୍ଯୟୀ ଥିବା ସହିତ ଅଳ୍ପରେ ଚଳିଯିବାରେ ଅଭ୍ୟସ୍ତ ଥିଲା ।

        ଏତେଗୁଡାଏ କଥା ଏକାବେଳେ କହିସାରି କାଳୀ ପ୍ରସାଦ ଟିକିଏ ବିଶ୍ରାମ ନେଲେ । ମୁଁ ମନ୍ତ୍ରମୁଗ୍ଧ ହୋଇ ତାଙ୍କ କଥା ଶୁଣୁଥିଲି । ତାଙ୍କର ସମସ୍ତ କଥା ବିନା କୌଣସି ଅତିରଞ୍ଜିତରେ ନିଛକ ବାସ୍ତବ ଓ ସତ୍ୟ ବୋଲି ମୋର ଅନୁଭବ ହେଉଥିଲା ।

' ଆପଣ ଅନେକବେଳୁ ଆସିଲେଣି । ମୁଁ ଟିକିଏ ଚା ର ବ୍ୟବସ୍ଥା କରେ'। ଏତକ କହିସାରି କାଳୀ ପ୍ରସାଦ ବାହାରକୁ ଚାଲିଗଲେ । ମୁଁ ମଧ୍ୟ ତାଙ୍କ ପଛରେ ବାହାରକୁ ଆସିଲି ।

          ଗୋଧୂଳି ସମୟ । ଅସ୍ତ ସୂର୍ଯ୍ୟର କିରଣ ମନ୍ଦିରର ଚୂଡାରେ ପଡୁଥିଲା । ସେଇ ମୂହୁର୍ତ୍ତରେ ମୁଁ ଭିନ୍ନ ଏକ ପୃଥିବୀରେ ରହିବା ଭଳି ମନେ ହେଲା । ନିଜର ପରିବେଶଗତ ସତ୍ତାକୁ ମୁଁ ମଝିରେ ମଝିରେ ଭୁଲିଯାଉଥିଲି । ସେଇଠାରେ ଛିଡାହୋଇ ଅଦୂରସ୍ଥ ମନ୍ଦିରରେ ଉପବିଷ୍ଟ ଥିବା ଜଗତ୍ଜନନୀ ମା ମହାକାଳୀଙ୍କ ଉଦ୍ଦେଶ୍ୟରେ ହାତ ଯୋଡି ନମସ୍କାର କରିବା ପୂର୍ବକ ଅନ୍ତର ମଧ୍ଯରେ ଭୂମିଷ୍ଠ ପ୍ରଣାମ କଲି ।

           କାଳୀ ପ୍ରସାଦ ମନ୍ଦିର ଭିତରୁ ବାହାରି ମୋ ପାଖକୁ ଆସୁଥିଲେ । ପଛେ ପଛେ ପୂଜାରୀ ଚା ନେଇ ଆସୁଥିଲେ ।

     **** କ୍ରମଶଃ ****


Rate this content
Log in

Similar oriya story from Horror