Gangadhar Nanda

Horror Crime Thriller

3  

Gangadhar Nanda

Horror Crime Thriller

ପ୍ରେତର ପ୍ରତିଶୋଧ ଭାଗ୮

ପ୍ରେତର ପ୍ରତିଶୋଧ ଭାଗ୮

3 mins
27



       ମୋ ପତ୍ନୀଙ୍କର ଏଭଳି ରୂପ କେବେ ଦେଖିବି ବୋଲି ସ୍ଵପ୍ନରେ କଳ୍ପନା କରିନଥିଲି । ପ୍ରଥମେ ମୁଁ ମୋ ଅସ୍ତିତ୍ତ୍ଵ ସଂପର୍କରେ ସଚେତନ ହେବାକୁ ନିଜ ଜଙ୍ଘକୁ ଚିମୁଟିଲି । ନା , ଏ ସ୍ଵପ୍ନ ନୁହେଁ ,ସଂପୂର୍ଣ୍ଣ ବାସ୍ତବ । ଧିରେ ଧିରେ ଯାଇ ପତ୍ନୀଙ୍କ କାନ୍ଧ ଉପରେ ହାତ ରଖିଲି । କୌଣସି ପ୍ରତିକ୍ରିୟା ନାହିଁ । ଦୁଇ ବାହୁକୁ ଧରି ଆସ୍ତେ ଆସ୍ତେ ହଲାଇ ଡାକିଲି । ଦୁଇ ତିନି ଥର ଡାକିବାରେ ମମତା ନିଜ ମୁହଁ ଉପରକୁ କରି ମୋତେ ଚାହିଁଲେ । ମୁହଁ ଉପରେ ଚୁଟି ଗୁଡାକ ପଡିଥିବାରୁ ଆଖି ଦୁଇଟିକୁ ଭଲ ଭାବରେ ଦେଖିପାରୁନଥିଲି ।

          ତା'ରି ମଧ୍ୟରେ ଯେତିକି ଦେଖିଲି , ସେତିକିରେ ଚମକି ପଡି ତିନି ଚାରି ଫୁଟ ପଛକୁ ଚାଲି ଆସିଲି । ଆଖି ଭିତରେ ଡୋଳାର ଦର୍ଶନ ନ ଥିଲା । ଡୋଳାର ଅଶୀଭାଗ ଅଂଶ ଭ୍ରୁଲତା ମଧ୍ୟରେ ଅଦୃଶ୍ୟ ହୋଇଯାଇଥିଲା । ଭୟରେ କଣ କରିବି କିଛି ବୁଝିପାରୁନଥିଲି ।

'ସାର ! ଆପଣ ଡରନ୍ତୁନି । ମୁଁ ପଣ୍ଡିତ ଗଣନାଥ ଶର୍ମା କହୁଥିଲି । ମୁଁ ଆପଣଙ୍କର କିମ୍ବା ଆପଣଙ୍କ ପତ୍ନୀଙ୍କର କିଛି କ୍ଷତି କରିଦିନି I ଏବେ ଆପଣଙ୍କ ପତ୍ନୀଙ୍କର ଶରୀର ,ମନ ଓ ଚେତନା ସଂପୂର୍ଣ୍ଣ ଭାବରେ ମୋ ଅଧିନରେ ଅଛି'। ମୋ ସ୍ତ୍ରୀ ମମତା ସେଇଭଳି ଭାବରେ ବସିରହି କହୁଥିଲେ । ମୋର ଗୋଡ ହାତ ଧିରେ ଧିରେ ଅବଶ ହୋଇ ଆସୁଥିଲା । କେହି ଜଣେ ମୋତେ ସମ୍ମୋହନ କଲାଭଳି ନିରବରେ ଠିଆ ହୋଇ ଶୁଣୁଥିଲି ।

'ଆପଣ କାଳୀପ୍ରସାଦଙ୍କୁ ଖୋଜୁଛନ୍ତି , ଏ କଥା ମୁଁ ଜାଣେ । ସେ ମୋ ଗୁରୁଦେବ , ମୋ ଜ୍ୟେଷ୍ଠ ଭ୍ରାତା । କିନ୍ତୁ ସେ ନିର୍ଦ୍ଦୋଷ । ମୁଁ ମୋ ନିଜ ଇଚ୍ଛାରେ ନିଜକୁ ବଳି ଦେଇଛି । ଏହାପରେ ମଧ୍ୟ ଯଦି ଆପଣ ତାଙ୍କୁ ସାକ୍ଷାତ କରିବାକୁ ଚାହାନ୍ତି , ତାହେଲେ ସହରର ଉତ୍ତରପାର୍ଶ୍ଵରେ ଥିବା କାଳୀ ମନ୍ଦିରକୁ ଯାଇ ତାଙ୍କୁ ଦେଖା କରିପାରିବେ । କିନ୍ତୁ ସାବଧାନ , ଆପଣ ଏକୁଟିଆ ଯିବେ । ନଚେତ ତାଙ୍କ ସାକ୍ଷାତ ପାଇବା ତ ଦୂରର କଥା , ଆପଣ ନିଜେ ବହୁତ ଅସୁବିଧାରେ ପଡ଼ିଯିବେ । ମୋ କଥା ମାନିବେ ସାର'। ଶେଷ ଆଡକୁ ସ୍ଵର ଅସ୍ପଷ୍ଟ ହୋଇଆସିଲା ।

           ମୁଁ ନିର୍ବାକ ହୋଇ ସମସ୍ତ କଥା ଶୁଣୁଥିଲି । ନିଜେ ବସିଥିବା ସୋଫା ଉପରେ ମୋ ପତ୍ନୀ ଢୁଳେଇ ପଡିଥିଲେ । ସମ୍ବିତ ଫେରିପାଇ କିଛି ପାଣି ମୁହଁକୁ ଛାଟିଲି । କିଛି ସମୟପରେ ପ୍ରକୃତିସ୍ଥ ହେବାରୁ ତାଙ୍କୁ ଧରିନେଇ ଶଯ୍ୟାରେ ଶୁଆଇ ଦେଲି । ଏ ସମୟରେ କିଛି ପଚାରିବା ଉଚିତ ହେବନାହିଁ ଭାବି ନିଜେ ଶୋଇବାକୁ ଚେଷ୍ଟା କଲି ।

         ସକାଳ ହେବାମାତ୍ରେ ପତ୍ନୀଙ୍କୁ ଜଣେ ଭଲ ମନସ୍ତତ୍ତ୍ୱବିଦ ଡାକ୍ତରଙ୍କ ପାଖକୁ ନେଇଯିବା ମୋର ପ୍ରଥମ କର୍ତ୍ତବ୍ଯ ଥିଲା । ତାହା ହିଁ କଲି । କିନ୍ତୁ ଚେକପ୍ ହେବାରୁ ସବୁ ନର୍ମାଲ ଜଣା ପଡିଲା । ଆଶ୍ଚର୍ଯ୍ୟର କଥା ହେଉଛି , ଗତ ରାତିର କୌଣସି କଥା ତାଙ୍କର ମନେ ନ ଥିଲା । ପୂର୍ବପରି ପତ୍ନୀଙ୍କର ବ୍ୟବହାର ଓ ଚାଲିଚଳନ ସବୁ ଠିକ ଠାକ ଥିଲା ।

            ତେବେ ସତରେ କଣ ମୋ ସ୍ତ୍ରୀ ଏକ ପ୍ରେତର ଶୀକାର ହୋଇଥିଲେ ? ବାରମ୍ଵାର ଏଇ ପ୍ରଶ୍ନଟି ମୋ ମନରେ ଉଙ୍କି ମାରୁଥିଲା । ତେବେ ପ୍ରେତ କହିଥିବା କଥାଟିର ସତ୍ୟତା ପରୀକ୍ଷା ଲାଗି ସ୍ଥିର କଲି । ଦ୍ଵିପହର ଖାଇବା ସାରିଦେଇ ଥାନାରୁ ଗୋଟାଏ ବାଇକ ନେଇ ସହରର ଉତ୍ତର ଦିଗରେ ବାହାରିଲି । କିଛି ବାଟ ଅତିକ୍ରମ କରିସାରିବା ପରେ କିଛି ସ୍ଥାନୀୟ ବାସିନ୍ଦାଙ୍କୁ ପଚାରିବାରୁ କାଳୀ ମନ୍ଦିରର ଠିକଣା ମିଳିଗଲା ।

        ମନ୍ଦିରର ଅନତିଦୂରରେ ଏକ ପ୍ରାଚୀନ କୋଠାଘରଟିଏ ଦୃଷ୍ଟିଗୋଚର ହେଉଥିଲା । ସଂପୂର୍ଣ୍ଣ ପରିବେଶ ଶୁନ୍ ଶାନ୍ ଲାଗୁଥିଲା । ପ୍ରଥମେ ମନ୍ଦିର ଭିତରେ ପ୍ରବେଶ କଲି । ଭିତରେ ମା'ଙ୍କୁ ପ୍ରଣାମ କରିସାରି ପୂଜକଙ୍କୁ କାଳୀପ୍ରସାଦଙ୍କ ବିଷୟରେ ପଚାରିଲି । ପୂଜକ ପ୍ରଥମେ ମୋ ମୁହଁକୁ କିଛି ସମୟ ଆଶ୍ଚର୍ଯ୍ୟ ହୋଇ ଚାହିଁବା ପରେ ପୂର୍ବୋକ୍ତ ପୁରୁଣା କୋଠା ଆଡକୁ ଆଙ୍ଗୁଠି ଦେଖାଇ ଇଶାରା କଲେ ।

           କୋଠା ଭିତରକୁ ବେଶ ସନ୍ତର୍ପଣରେ ପଶିଲି । ଦୁଇଟି କୋଠରୀ ଅତିକ୍ରମ କରିବା ପରେ ହଠାତ କାହାର ସମ୍ବୋଧନ ଶୁଣି ଚମକି ପଡିଲି ।

'ଆସନ୍ତୁ ଆସନ୍ତୁ ପୋଲିସ ବାବୁ ! ମୁଁ ଏହିଠାରେ ଆପଣଙ୍କୁ ଅପେକ୍ଷା କରିଛି । ମୁଁ ହିଁ ଆପଣ ଖୋଜୁଥିବା 'କାଳୀପ୍ରସାଦ' ' l

   *** କ୍ରମଶଃ ***


Rate this content
Log in

Similar oriya story from Horror