Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Gangadhar Nanda

Horror Crime Thriller

1.5  

Gangadhar Nanda

Horror Crime Thriller

ପ୍ରେତର ପ୍ରତିଶୋଧ ଭାଗ୧୨

ପ୍ରେତର ପ୍ରତିଶୋଧ ଭାଗ୧୨

4 mins
31



        ଫେରିବା ସମୟରେ କାଳୀ ପ୍ରସାଦଙ୍କର ଚରିତ୍ର , ବ୍ୟକ୍ତିତ୍ଵ ଓ ମନ୍ତବ୍ୟ ଉପରେ ଗଭୀର ଚିନ୍ତା କରୁଥିଲି । ସେ ମୋତେ ସ୍ପଷ୍ଟବାଦୀ ଓ ନୀରହଙ୍କାରୀ ଲାଗୁଥିଲେ । କିନ୍ତୁ ସେଇ ଅନୁପାତରେ ତାଙ୍କର ବ୍ୟକ୍ତିତ୍ଵ ବଡ ରହସ୍ୟମୟ ଓ ଗଭୀର ଥିଲା । ଜଣେ ସାଧାରଣ ଲୋକ ପକ୍ଷରେ ତାଙ୍କୁ ବୁଝିବା ସହଜ ଓ ସମ୍ଭବପର ନୁହେଁ ବୋଲି ମୋର ମନେ ହେଉଥିଲା । ସେ ମୋତେ କହିଥିବା କଥା ଗୁଡ଼ିକ , କେସଟିକୁ ଅଧିକ ଜଟିଳ କରୁଥିଲା । 

         କାଳୀ ପ୍ରସାଦଙ୍କର କହିବା ଅନୁଯାୟୀ ପଣ୍ଡିତଙ୍କୁ କେହି ହତ୍ୟା କରିନାହାନ୍ତି । ତେବେ କଣ ସେ ଆତ୍ମହତ୍ୟା କରିଥିଲେ ? ଜଣେ ବ୍ୟକ୍ତି ନିଜେ ନିଜ ମୁଣ୍ଡକୁ ଶରୀରରୁ ଅଲଗା କରିବା କେତେଦୂର ସମ୍ଭବ ? ଦ୍ଵିତୀୟରେ କାଳୀ ପ୍ରସାଦଙ୍କୁ ମୋ ପତ୍ନୀଙ୍କ ଅବସ୍ଥା କିପରି ଜ୍ଞାତ ହେଲା ? ସର୍ବଶେଷରେ ଗୋଟିଏ ପାରାକୁ ନିଜ ଭାଇ ବୋଲି କହିବା , କେତେଦୂର ସମୀଚିନ ? ମୁଁ ଗୋଟାଏ ପାଗଳ ହାବୁଡ଼ରେ ପଡ଼ିଯାଇନି ତ ? କିମ୍ବା ଏପରି ମଧ୍ଯ ହୋଇପାରେ , କାଳୀ ପ୍ରସାଦ ବାସ୍ତବିକ କୌଣସି ଆଲୌକିକ ଶକ୍ତିର ଅଧିକାରୀ ।

        ମନଭିତରେ ଗୁଡାଏ ପ୍ରଶ୍ନ ଓ ଦୁଶ୍ଚିନ୍ତା ଧରି ହୋଟେଲକୁ ଫେରିଲି । ରୁମକୁ ଆସି ଦେଖିଲି ପତ୍ନୀ ଟି.ଭି. ଦେଖୁଥିଲେ । ସବୁ ନର୍ମାଲ ଥିଲା । ମନେ ମନେ ଇଶ୍ୱରଙ୍କୁ ଧନ୍ୟବାଦ ଦେଇ ଡିନର ସାରି ବିଶ୍ରାମ ନେଲି ।

      ପରଦିନ ପ୍ରଭାତରୁ ଉଠି ବ୍ରେକଫାଷ୍ଟ ସାରିଦେଇ କାଳୀ ପ୍ରସାଦଙ୍କ ନିକଟକୁ ବାହାରିଲି । ପତ୍ନୀଙ୍କର ଲଞ୍ଚ ପାଇଁ ହୋଟେଲରେ ରୁମସର୍ଭିସ ଦେଇ ଦେବାକୁ ୱେଟରକୁ କହିଦେଇ ଗଲି । 

        ମନ୍ଦିରରେ ଘଣ୍ଟ ଓ ମୃଦଙ୍ଗ ବାଦନ ସହିତ ସକାଳର ଆଳତୀ ଚାଲିଥିଲା । ଅତଏବ ବାହାରେ ଥାଇ ମା'ଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରିସାରି କାଳୀ ପ୍ରସାଦଙ୍କ ରହିବା ସ୍ଥଳୀକୁ ଆସିଲି । କିଛି ସମୟପରେ କାଳୀ ପ୍ରସାଦ ମୋ ନିକଟକୁ ଆସି ମୋତେ ପ୍ରସାଦ ଦେଇ ସାରିବା ପରେ ଭିତରକୁ ଡାକିଲେ । 

        ଭିତରକୁ ଯାଇ ଦେଖିଲି ,ଗତକାଲି ଭଳି କୋଠରୀରେ ଧୂନି ଜଳୁଥିଲା ।

' ଆଜି ବାହାରେ ବସିବା । ଥଣ୍ଡା ଲାଗିବ' । ଦୁଇଟି ଚଉକି ଆଣିବା ଭିତରେ କାଳୀ ପ୍ରସାଦ କହିଲେ । ବାହାର ବାରଣ୍ଡାରେ ଟିକିଏ ଖୋଲାସ୍ଥାନ ଦେଖି ଉଭୟ ବସିଲୁ ।...

'ଆଉ କଣ ଜାଣିବାକୁ ଚାହାଁନ୍ତି ପଚାରନ୍ତୁ । ମୋତେ କାଲି ପ୍ରଭାତରୁ ଏକ ଜରୁରୀ କାମରେ ବାହାରକୁ ଯିବାକୁ ହେବ ' । ନିରବତା ଭାଙ୍ଗି କାଳୀ ପ୍ରସାଦ ପ୍ରଥମେ କଥା ଆରମ୍ଭ କଲେ ।

' ପଣ୍ଡିତ ଗଣନାଥ ଶର୍ମାଙ୍କର ମୃତ୍ୟୁର କାରଣ କଣ ହୋଇପାରେ '? ମୁଁ ସିଧା ସଳଖ ମୋ ପଏଣ୍ଟ ଉପରକୁ ଆସିଲି ।

' ପ୍ରତିଶୋଧ ; ଗଣନାଥ ତା'ର ଏକମାତ୍ର ପୁତ୍ରର ହତ୍ଯାକାରୀମାନଙ୍କ ଠାରୁ ପ୍ରତିଶୋଧ ନେବା ଲାଗି ନିଜର ଆତ୍ମବଳୀ ଦେଇଛି 'I ନିର୍ବିକାର ସ୍ଵରରେ କାଳୀ ପ୍ରସାଦ କହିଲେ ।

' ନିଜର ମୃତ୍ୟୁ ପରେ ସେ କିଭଳି ପ୍ରତିଶୋଧ ନେଇପାରିବେ '?

'ତା'ର ଆତ୍ମା ନେବ । ସେଇଥିପାଇଁ ତ ସେ ସ୍ଵଇଚ୍ଛାରେ ମୃତ୍ୟୁକୁ ବରଣ କଲା ।

'ଏକଥା କଣ ସମ୍ଭବ ? ଅପମୃତ୍ୟୁ ବା ଷଡ଼ଯନ୍ତ୍ରର ଶିକାର ହୋଇ ମରୁଥିବା ଲୋକମାନଙ୍କର ଆତ୍ମାମାନେ ତେବେ ପ୍ରତିଶୋଧ ନେଇ ପାରୁନାହାନ୍ତି କଣ ପାଇଁ '? ମୁଁ ପ୍ରଶ୍ନ କଲି ।

'ନେଇପାରୁ ନାହାନ୍ତି ବୋଲି ଆପଣ କିପରି ଜାଣିଲେ '? କାଳୀ ପ୍ରସାଦ ମୃଦୁ ହସି ପଚାରିଲେ ।

ମୁଁ ସାମାନ୍ୟ ଥତମତ ହୋଇ ନିରବ ରହିଲି ।

'ଦେଖନ୍ତୁ '! କାଳୀ ପ୍ରସାଦ ବୁଝେଇବା ଢଙ୍ଗରେ କହିଲେ , ' କିଛି ଅପରାଧି ଆତ୍ମହତ୍ୟା କାହିଁକି କରୁଛନ୍ତି ? କଣ ଅନୁତାପରେ ? ନା ; ସେମାନଙ୍କୁ ତାହା କରିବା ଲାଗି ବିବଶ କରାଯାଉଛି । ଆଉ କିଛି ଅପରାଧି ବିଭିନ୍ନ ଦୁର୍ଘଟଣାର ଶୀକାର ହୋଇ ମରୁଛନ୍ତି । ଆଉ କେତେକ ପାଗଳ ମଧ୍ଯ ହେଇଯାଉଛନ୍ତି । ହୁଏତ ଏସବୁ ପଛରେ କିଛି ଅଦୃଶ୍ୟ ଶକ୍ତିର ହାତ ଥାଇପାରେ , ଏକଥା ଆପଣ କାହିଁକି ଭାବୁନାହାନ୍ତି ? ଆପଣଙ୍କ ବୁଝିବା ପାଇଁ କହୁଛି । ଏ ସବୁ କ୍ଷେତ୍ରରେ ଆମେ ଆତ୍ମାକୁ ମୁଖ୍ୟତଃ ଦୁଇ ପ୍ରକାରର ଭାବି ପାରିବା। ଦୁର୍ବଳ ଓ ଶକ୍ତିଶାଳୀ । ନିକଟରେ ପଶୁରୁ ମନୁଷ୍ୟ ହୋଇଥିବା ବ୍ୟକ୍ତିର ଆତ୍ମା ଦୁର୍ବଳ । ନିଜର ମୃତ୍ୟୁ ପରେ ଏଭଳି ଆତ୍ମା କିଛି ମନେ ରଖିପାରନ୍ତି ନାହିଁ । କିନ୍ତୁ ବହୁତବାର ମନୁଷ୍ୟ ଜନ୍ମ ନେବା ପରେ ଆତ୍ମା ବଳଶାଳୀ ହେବାକୁ ଲାଗେ । ତାର ଉଚ୍ଚ ସଂସ୍କାର ହୁଏ ଓ ସେ ମୃତ୍ୟୁ ପରେ ମଧ୍ୟ ବହୁତ କଥା ମନେ ରଖିପାରେ । ଛୋଟ ଛୋଟ ଶିଶୁ ଅଦ୍ଭୁତ ଧିଶକ୍ତି ପାଇ ଜନ୍ମ ହେବା ଏହାର ପ୍ରମାଣ । ଏମାନେ ପୂର୍ବଜନ୍ମର ଜ୍ଞାନ ଓ ଅନୁଭୂତିକୁ ପାଶୋରି ନଥାନ୍ତି । ଗତଜନ୍ମର ସମସ୍ତ ମୁଖ୍ୟ ଘଟଣାବଳୀର ସାରାଂଶ ସଂସ୍କାର ଭାବେ ଏମାନଙ୍କର ଆତ୍ମା ସାଙ୍ଗରେ ପରଜନ୍ମକୁ ଯାଇଥାଏ । ଶଙ୍କରାଚାର୍ଯ୍ୟ ଶିଶୁ ସମୟରେ ବେଦ ଗାନ କରିବା , ସ୍ୱାମୀ ବିବେକାନନ୍ଦ ଶିଶୁ ଥିବା ବେଳେ ଧ୍ୟାନସ୍ଥ ହେବା ବା ପରମହଁସ ଶିଶୁଥିବା ବେଳେ ପ୍ରକୃତିର ଶୋଭାରେ ତନ୍ମୟ ହୋଇ ମୂର୍ଚ୍ଛା ଯିବା ଘଟଣା , ଏ ସବୁର ପ୍ରମାଣ । ଶିଶୁଟିଏ କୌଣସି ବାଦ୍ୟଯନ୍ତ୍ର ବାଦନରେ ଅଥବା କୌଣସି ବିଶେଷ କଳାରେ ପାରଦର୍ଶିତା ହାସଲ କରିବା ଇତ୍ୟାଦି, ସାଧାରଣ ଜୀବନରେ ଆମେ ଏପରି ଘଟଣା କେବେ କେବେ ଦେଖୁଛେ ମଧ୍ୟ । ମନୁଷ୍ୟ ଜାତିସ୍ମର ହୋଇ ନିଜ ପୂର୍ବଜନ୍ମ କଥା କହିବାର ଅନେକ ଦୃଷ୍ଟାନ୍ତ ଅଛି । ତନ୍ତ୍ରଶାସ୍ତ୍ର ପଢିଥିବା ବ୍ୟକ୍ତି ଏସବୁ ସହଜରେ ବୁଝିପାରିବ । ଗଣନାଥ ଏସବୁ ଭଲଭାବରେ ଜାଣିଥିଲା । ପୁଅର ମୃତ୍ଯୁ ପରେ ଶୋକରେ ଅଧିର ହୋଇ ଏହି ବ୍ୟାକୁଳିତ ଅବସ୍ଥାକୁ ସେ ନିଜ ଆତ୍ମା ସଙ୍ଗରେ ସଂସ୍କାର ଭାବରେ ନେବାକୁ ଚାହିଁଲା । ତେଣୁ ମୃତ୍ୟୁପରେ ଏ ସବୁ ଭୁଲି ନଯାଇ ନିଜ ଇଚ୍ଛା ମୁତାବକ କିଛି କାର୍ଯ୍ୟ କରିପାରିବାର ଶକ୍ତି ପ୍ରାପ୍ତି ଲାଗି ସେ , ସମସ୍ତ ଶକ୍ତିର ମୂଳକେନ୍ଦ୍ର ତଥା ଆଦିଶକ୍ତି ମା' ମହାକାଳୀଙ୍କୁ ଆବାହନ କରି ଦେବୀଙ୍କୁ ନୈବେଦ୍ୟ ଭାବରେ ନିଜ ପ୍ରାଣକୁ ସମର୍ପଣ କରିଦେଲା '। .... ଟିକିଏ ନିରବ ହୋଇ କାଳୀ ପ୍ରସାଦ ବିଶ୍ରାମ ନେଲେ ।

'ତା'ପରେ '? ମୁଁ କୌତୁହଳରେ ପଚାରିଲି । କାଳୀ ପ୍ରସାଦଙ୍କ କଥାରେ କିଛିଟା ସତ୍ୟତା ଥିଲେ ବି ସବୁକଥାକୁ ମୁଁ ପୂର୍ଣ୍ଣରୁପେ ବିଶ୍ୱାସ କରିପାରୁ ନଥିଲି।

'କାଲି ଗଣନାଥ ମୃତ୍ୟୁର ଏକ ପକ୍ଷ ପୂର୍ଣ୍ଣ ହେଉଛି । ଏହାପରେ ସେ ସଂପୂର୍ଣ୍ଣ ପ୍ରେତଲୋକରେ ପ୍ରବେଶ କରିବ । ପନ୍ଦରଦିନ ହେଲା ମୁଁ ସେ ଧୂନିରେ ଆହୁତି ଦେଇ ଚାଲିଛି । ପ୍ରତ୍ୟେକ ଥର ତା'ର ସଂକଳ୍ପକୁ ପୂର୍ଣ୍ଣସ୍ମରଣ ପୂର୍ବକ ମନ୍ତ୍ରପୁଟ କରି ଅଗ୍ନିରେ ଘୃତାହୁତି ପ୍ରଦାନ କରୁଛି । ଏବେ ସେ ସମସ୍ତ ଘଟଣା ମନେ ପକାଇ ପାରୁଛି । ଏହାପରେ ସେ ତା ସଂକଳ୍ପ ପୁରା କରିବ' । କାଳୀ ପ୍ରସାଦ ଏତକ କହିସାରି ଦୀର୍ଘ ନିଶ୍ଵାସ ଛାଡିଲେ ।

' ପଣ୍ତିତ ଗଣନାଥ ଶର୍ମା ଏବେ କ'ଣ ପାରା ରୂପରେ ଅଛନ୍ତି '? ପରିସ୍ଥିତିକୁ ହାଲକା କରିବା ଉଦ୍ଦେଶ୍ୟ ନେଇ ମୁଁ ସାମାନ୍ୟ ଥଟ୍ଟାଳିଆ ସ୍ଵରରେ  ପଚାରିଲି 'I 

' ପାରା ରୂପରେ ନୁହେଁ , ପାରାକୁ ଆଧାର କରି ଅଛନ୍ତି । ମନୁଷ୍ୟର ଶରୀର ପଞ୍ଚ ମହାଭୂତର ତତ୍ତ୍ଵକୁ ନେଇ ଗଠିତ । ମୃତ୍ୟୁପରେ ପୃଥିବୀ ଓ ଜଳ ତତ୍ତ୍ଵ ,ଏ ଦୁଇଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଏ । ବାକି ତିନୋଟି ଦୃଶ୍ୟମାନ ନୁହଁନ୍ତି । ବିନା ଆଧାରରେ ଆପଣ ଅଗ୍ନିକୁ ଦେଖିପାରିବେ ନାହିଁ କିମ୍ବା ବାୟୁକୁ ଅନୁଭବ କରିପାରିବେ ନାହିଁ । ତେଣୁ ବାୟୁ ଓ ଅଗ୍ନି ତତ୍ତ୍ଵକୁ ଆଶ୍ରୟ କରିଥିବା ଆତ୍ମା ,ବିନା ଆଧାରରେ ନିଜର ଉପସ୍ଥିତି ଜାହିର କରିପାରିବ ନାହିଁ । କେବଳ ପାରା ନୁହେଁ , ଏଠାରେ ଆହୁରି ଅନେକ ଆତ୍ମା ,ପଶୁପକ୍ଷୀଙ୍କୁ ଆଶ୍ରୟ କରି ମା'ଙ୍କ ନିକଟରେ ନିଜର ମୁକ୍ତି ଅପେକ୍ଷାରେ ବିଚରଣ କରୁଛନ୍ତି 'I

       ମୋର ଆଉ କିଛି ବୁଝିବାର ନଥିଲା । ପଣ୍ଡିତଙ୍କର ମୃତ୍ୟୁ ହେବା ପଛରେ ଯେ ତାଙ୍କ ନିଜର ଇଚ୍ଛା ବା ସ୍ଵୀକୃତି ରହିଛି , ଏଥିରେ ମୁଁ ଏକମତ ଥିଲି । ଏବେ ଆଗକୁ ତାଙ୍କର ଆତ୍ମା କିଭଳି ଭାବରେ ପ୍ରତିଶୋଧ ନେଉଛି , ସେକଥା ଦେଖିବା ପାଇଁ ଅପେକ୍ଷା କରିବା ବ୍ୟତିତ ଅନ୍ୟ କିଛି ବାଟ ନଥିଲା ।

 ****  କ୍ରମଶଃ  ****



Rate this content
Log in

More oriya story from Gangadhar Nanda

Similar oriya story from Horror