STORYMIRROR

Gangadhar Nanda

Horror Crime Thriller

3  

Gangadhar Nanda

Horror Crime Thriller

ପ୍ରେତର ପ୍ରତିଶୋଧ ଭାଗ୧୦

ପ୍ରେତର ପ୍ରତିଶୋଧ ଭାଗ୧୦

3 mins
31



        ଘର ଭିତରେ ଗରମ ଲାଗୁଥିବାରୁ ବାରଣ୍ଡାରେ ଦୁଇଟି ଚଉକି ପକାଇ ଉଭୟ ବସିଲୁ ।

'ତାପରେ'? ମୁଁ ଚା' ପିଇବା ଅବସରରେ ପଚାରିଲି ।

'ଗଣନାଥ ବିଶ୍ଵବିଦ୍ୟାଳୟର ସର୍ବୋଚ୍ଚ ଡ଼ିଗ୍ରୀ ପରେ ଭାରତୀୟ ବୈଦିକ ଶାସ୍ତ୍ର ଉପରେ ପି.ଏଚ.ଡି ମଧ୍ୟ କଲା । ତା'ପରେ ଜୁନିୟର ପ୍ରଫେସର ହୋଇ କିଛି ଦିନ ବିଦ୍ୟାଦାନ କଲା । କିନ୍ତୁ ସବୁଦିନ ସମାନ ଯାଏନି । ସ୍ଥାନୀୟ ଜଣେ ଯୁବତୀର ପ୍ରେମରେ ପଡି ତାକୁ ବିବାହ ମଧ୍ୟ କଲା । ଯୁବତୀଟି ସେହି ବିଶ୍ଵବିଦ୍ୟାଳୟର ଛାତ୍ରୀ ଥିଲା । ଏହି ସମୟରେ ବାପାଙ୍କର ଦେହଖରାପ ସଂପର୍କିତ ଏକ ଖବର ଗାଁ'ରୁ ଆସିବାରୁ ଛୁଟିନେଇ ସସ୍ତ୍ରୀକ ଗାଁ'କୁ ଯାଇ ବାପାଙ୍କ ସେବା ନିମନ୍ତେ ସେଠାରେ ଅଧିକ ଦିନ ରହିଗଲା । ବାପା କିନ୍ତୁ ସୁସ୍ଥ ହେବା ବଦଳରେ ସ୍ଵର୍ଗବାସୀ ହେଲେ । ପରେ ପରେ ମା' ବି ଇହଧାମ ଛାଡିଲେ । ସେତେବେଳକୁ ଗଣନାଥର ପୁଅଟିଏ ଜନ୍ମ ହୋଇ ସାରିଥାଏ । 

         'ପିତାମାତାଙ୍କ ମୃତ୍ୟୁପରେ ଗଣନାଥ, ବିଶ୍ଵବିଦ୍ୟାଳୟରେ ପୁନଃନିଯୁକ୍ତି ଆଶାରେ ସପରିବାର ବାରଣାସୀ ଆସିଲା । କିନ୍ତୁ ନିଯୁକ୍ତି ମିଳିବାରେ ବିଳମ୍ବ ହେଲା । ଜୀବିକା ଆଶାରେ ଇତଃସ୍ତତଃ ବୁଲିବା ମଧ୍ୟରେ ଏକ ହିନ୍ଦୁ ସମ୍ମୀଳନୀରେ ମୋ ସହ ଗଣନାଥର ଆକସ୍ମିକ ଭେଟ ହୋଇଗଲା । ଯାହା ବି ହେଲେ ରକ୍ତର ଭାଇ । ରକ୍ତ ସଂପର୍କର ଆକର୍ଷଣ ରହିବା ସ୍ଵାଭାବିକ ଥିଲା । ଏଣୁ ତାକୁ ସାହାଯ୍ୟ କରିବାଲାଗି ନିଷ୍ପତ୍ତି ନେଲି । ତା ପାଇଁ ଦୁଇ ଚାରିଥର ଧାଁ ଧଉଡ କଲି । ଏହି ସମୟରେ ଗାଁ' ରେ ଥିବା ଜମିବାଡିକୁ ନେଇ କିଛି ସମସ୍ୟା ଉପୁଜିବାରୁ ପରିଶେଷରେ ଗାଁ'କୁ ଫେରିଗଲା । ମୁଁ ଏଠାରେ ମୂଖ୍ୟ ପୂଜକ ଭାବରେ ଦାୟିତ୍ଵରେ ଥିବାରୁ ତା' ସଙ୍ଗେ ଯାଇ ନପାରି ଏଠାରେ ରହିଲି ।

          ଗଣନାଥ ଗାଁ'କୁ ଯିବାପରେ ମଧ୍ୟ ସମସ୍ୟା ତା ପିଛା ଛାଡିଲା ନାହିଁ । ସେଠାରେ ଜମିବାଡିକୁ ନେଇ ବିବାଦ ଅଧିକ ହେବାରୁ ଶେଷରେ ଗାଁ' କୁ ଛାଡି ଦୂର ସ୍ଥାନରେ ଗୋଟିଏ କାଳୀ ମନ୍ଦିରରେ ପୂଜକ ଭାବରେ ରହି ନିଜର ଗୁଜୁରାଣ ମେଣ୍ଟାଇଲା । ଏହାର ଅଳ୍ପଦିନ ପରେ କୌଣସି ଏକ ଦୁଃସାଧ୍ୟ ରୋଗରେ ପତ୍ନୀଙ୍କର ବିୟୋଗ ଘଟିଲା 'I

          କାଳୀ ପ୍ରସାଦ କିଛି ସମୟ ବିଶ୍ରାମ ନେଲେ ।

'ଆପଣଙ୍କର ଘରକୁ ଯିବାରେ ଡେରି ହେଉନି ତ '?

ତାଙ୍କ ପ୍ରଶ୍ନର ଉତ୍ତରରେ ମୁଁ ନାହିଁ କଲି ।

'ଏହାପରର ଘଟଣା ସାଧାରଣ ଥିଲା । ଯେତେ ଯିଏ କହିଲେ ମଧ୍ୟ ଆଉ ବିବାହ ନକରି ପୁଅଟିର ଲାଳନ ପାଳନ କରି ସମୟ ବିତାଇଲା । ମଝିରେ ମଝିରେ ମୋ ପାଖକୁ ଆସେ । ମୋ ସାଙ୍ଗରେ

ଜ୍ୟୋତିଷ ଓ ତନ୍ତ୍ର ଶାସ୍ତ୍ର ସଂପର୍କରେ ଆଲୋଚନା କରେ 'I

'ଆପଣଙ୍କ ସଂପର୍କରେ କିଛି କୁହନ୍ତୁ 'I ମୁଁ ମଝିରେ ତାଙ୍କ କଥାରେ ବାଧା ଦେଇ କହିଲି 'I

' ମୁଁ ପ୍ରଥମେ ହିମାଳୟ ଯାଇ କିଛି ସିଦ୍ଧ ଯୋଗୀଙ୍କୁ ଖୋଜିଲି 'I ଟିକିଏ ରହି କାଳୀ ପ୍ରସାଦ ନିଜ କଥା ଆରମ୍ଭ କଲେ । 'ଉଦ୍ଦେଶ୍ୟ ଥିଲା ସଂସାରର ଅଦୃଶ୍ୟ ଶକ୍ତିମାନଙ୍କର ସନ୍ଧାନ କରିବା । ଗୁଡ଼ାଏ ବୁଲିବା ପରେ ଶେଷରେ ଜଣେ ସିଦ୍ଧ ପୁରୁଷଙ୍କର ସନ୍ଧାନ ପାଇଲି । ଗଙ୍ଗୋତ୍ରୀ ନିକଟସ୍ଥ ଗୋମୁଖରେ ବାବା ରହୁଥିଲେ । ତାଙ୍କର ଗୋଟିଏ ବଡ ବିଶେଷତ୍ଵ ଥିଲା କି ପ୍ରଚଣ୍ଡ ଥଣ୍ଡାରେ ସେ ଖୋଲା ଦେହରେ ରହୁଥିଲେ । ତାଙ୍କଠାରୁ ଅନେକ କିଛି ଶିକ୍ଷା କଲି । ମୋର ତନ୍ତ୍ର ପ୍ରତି ଆଗ୍ରହ ଦେଖି ବାବା ମୋତେ ଆସାମର କାମାକ୍ଷା ଦେବୀଙ୍କ ପୀଠକୁ ଯିବାକୁ ନିର୍ଦ୍ଦେଶ ଦେଲେ । ସେଠାରୁ ତନ୍ତ୍ର ବିଦ୍ୟା ଶିକ୍ଷା କରିସାରିବାପରେ ଏଠାକୁ ଆସି ମା'ଙ୍କ ସେବାରେ ନିଯୁକ୍ତ ହେଲି । ଏହାପରର ଘଟଣା ଆପଣ ଜାଣନ୍ତି 'I

'ଗଣନାଥ ଶର୍ମାଙ୍କର ମୃତ୍ୟୁର କିଛି ଦିନ ପୂର୍ବରୁ ଆପଣ ତାଙ୍କ ଘରକୁ ଯିବାର ପ୍ରମାଣ ଅଛି । ଆପଣ ସେଠାକୁ କଣ ପାଇଁ ଯାଇଥିଲେ '? ମୁଁ ପଚାରିଲି ।

'ହଁ ; ଯାଇଥିଲି । ସେ ହିଁ ମୋତେ ଡକାଇଥିଲା । ତା'ର କହିବା କଥା ଥିଲା କି ତା' ପୁଅ ପ୍ରଦୀପକୁ ହତ୍ୟା କରାଯାଇଛି । ହତ୍ୟାକାରୀମାନେ ବହୁତ ଚାଲାକ ଓ ଧୂର୍ତ୍ତ ଥିବାରୁ ପୋଲିସ ସେମାନଙ୍କୁ ଧରି ପାରିବନାହିଁ । ଏଣୁ ମୋର ସାହାଯ୍ୟ ଦରକାର ' ।

'ପଣ୍ଡିତେ ଆପଣଙ୍କଠାରୁ କେଉଁ ସାହାଯ୍ୟ ଆଶା କରୁଥିଲେ ? ଗୋଟିଏ ପୋଲିସ କେସରେ ଆପଣ ତାଙ୍କୁ କି ପ୍ରକାର ସାହାଯ୍ୟ କରିପାରିଥାନ୍ତେ '? ମୁଁ ସାମାନ୍ୟ ପରିହାସ ପୂର୍ଣ୍ଣ ସ୍ଵରରେ ପଚାରିଲି ।

'ପ୍ରତିଶୋଧ ; ସେ ପ୍ରତିଶୋଧ ଚାହୁଁଥିଲା । ଏଥିପାଇଁ ସେ ମୋ ସାହାଯ୍ୟ ଚାହୁଁଥିଲା ' । କାଳୀ ପ୍ରସାଦ ଉଦାସ ସ୍ୱରରେ କହୁଥିଲେ । 'ମୁଁ ତାକୁ ବହୁତ ବୁଝାଇଲି ; ପ୍ରଦୀପ ଅଳ୍ପାୟୂ ଥିଲା ।ଆମେ ଉଭୟ ଜୋତିଷଶାସ୍ତ୍ର ଜାଣିଥିଲୁ  । ତେଣୁ ତାକୁ ସମସ୍ତ ବିଷୟ ବୁଝାଇଲି । ତା'ର କିନ୍ତୁ ଯୁକ୍ତି ଥିଲା କି ମୋ ପୁଅର ମୃତ୍ୟୁ ଏକ ଆକ୍ସିଡେଣ୍ଟରେ ହୋଇଥିଲେ କଥା ଅଲଗା ଥିଲା । କିନ୍ତୁ କିଛି ଦୁଷ୍ଟ ଲୋକ ତାକୁ ମାରିଦେଲେ । ଏଣୁ ହତ୍ୟାକାରୀମାନେ ଦଣ୍ଡ ପାଇବା ଆବଶ୍ୟକ 'l

'ଅପରାଧର ଦଣ୍ଡ ବିଧାନ ପାଇଁ ଆଇନ ବ୍ୟବସ୍ଥା ଅଛି । ଆପଣ କାହିଁକି ଦଣ୍ଡ ଦେବେ ? କିଭଳି ବା ଦେଇପାରିବେ ? ଦୁଇଜଣ ବୃଦ୍ଧ ବ୍ୟକ୍ତି ସେମାନଙ୍କର କଣ କରିପାରିବେ '? 

          କାଳୀ ପ୍ରସାଦ ହସିଲେ । ମୋତେ ଲାଗିଲା ତାଙ୍କର ସେ ହସିବା ଥିଲା ମୋ ନିର୍ବୋଧ ପ୍ରଶ୍ନର ଉତ୍ତର ।

   **** କ୍ରମଣଃ ****



Rate this content
Log in

Similar oriya story from Horror