Gangadhar Nanda

Horror Tragedy Thriller crime

3  

Gangadhar Nanda

Horror Tragedy Thriller crime

ପ୍ରେତର ପ୍ରତିଶୋଧ ଭାଗ ୪

ପ୍ରେତର ପ୍ରତିଶୋଧ ଭାଗ ୪

2 mins
23



        ପଣ୍ଡିତ ଗଣନାଥ ଶର୍ମାଙ୍କର ଷ୍ଟେଟମେଣ୍ଟ ଆଧାରରେ ସରପଞ୍ଚର ଝିଅ ମିତାକୁ ଜେରା କରିବାପାଇଁ ସ୍ଥିର କଲି ।ହୁଏତ ତା'ଠାରୁ କିଛି ସୁରାକ ମିଳିପାରେ । ମୁଁ କିଛି ଲିଙ୍କ ଚାହୁଁଥିଲି, ଯେଉଁଥିରେ ହତ୍ୟାର ମୋଟିଭ ପ୍ରୁଭ ହୋଇପାରିବ । ଅତଏବ ସରପଞ୍ଚ ଘରକୁ ବାହାରିଲି ।

        ପ୍ରଥମେ ମିତା ସହିତ ସାକ୍ଷାତ କରିବାକୁ ସରପଞ୍ଚ ମନା କରୁଥିଲେ । ଆରେଷ୍ଟ ଭୟ ଦେଖାଇବାରୁ ରାଜି ହେଲେ । କିଛି ସମୟ ପରେ ମିତା ଆସିଲା । ପ୍ରଦୀପ ସହ ଥିବା ସଂପର୍କକୁ ମଧ୍ୟ ସ୍ଵୀକାର କଲା । କିନ୍ତୁ ଘଟଣା ଘଟିବା ଦିନ ସଂଧ୍ୟାରେ ପ୍ରଦୀପକୁ ଖବର ଦେଇ ଡାକିବା କଥାଟିକୁ ସଂପୂର୍ଣ୍ଣ ଅସ୍ଵୀକାର କଲା । ମିତା କିଛି ଲୁଚାଉଛି ବୋଲି ମୋର ମନେହେଲା ।

        ସେଠାରୁ ଫେରି ପଣ୍ଡିତଙ୍କ ଘରକୁ ଆସିଲି । ଘରର ମୁଖ୍ୟ ଦ୍ଵାର ଭିତରୁ ବନ୍ଦ ଥିଲା ; ବୋଧହୁଏ ପଣ୍ଡିତେ ଘରେ ଥିଲେ । ଜଞ୍ଜିର ବାଡେଇ ଶବ୍ଦ କଲି । କିଛି ସମୟ ପରେ ଦ୍ଵାର ଖୋଲିଲା । ଦ୍ଵାର ନିଜେ ଶର୍ମା ମହାଶୟ ଖୋଲିଥିଲେ । ମୋତେ କିଛି ସମୟ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । ବୋଧହୁଏ ଏ ସମୟରେ ମୋ ଉପସ୍ଥିତି ସେ ଆଶା କରୁନଥିଲେ । କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ମୋତେ ଭିତରକୁ ଡାକିଲେ । ଘର ଭିତରକୁ ଯାଇ ଅଗଣାରେ ଠିଆ ହେଲି । ଛୋଟିଆ ଅଗଣାଟିରେ ବିଭିନ୍ନ ପୂଜା ଉପକରଣ ସଜେଇ ହୋଇ ରଖାଯାଇଥିଲା । ଅଗଣା ମଝିରେ ସପ୍ତରଙ୍ଗ ମୁରୁଜ ଦ୍ଵାରା ଏକ ବଡ ଚତୁର୍ଭୁଜ ମଣ୍ଡଳ ଅଙ୍କା ହୋଇଥିଲା । ଏହାର ଚତୁଃର୍ପାଶ୍ବରେ ରଖା ଯାଇଥିବା ପୂଜା ସାମଗ୍ରୀକୁ ଦେଖି ମୁଁ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିଲି । କାରଣ ଏହା କୌଣସି ସାଧାରଣ ପୂଜା ଅନୁଷ୍ଠାନ ଭଳି ଲାଗୁନଥିଲା ।ବାସଗୃହରେ ସାଧାରଣତଃ ବାସ୍ତୁ ଶାନ୍ତି ହୋମ କରାଯାଏ, କିମ୍ଵା ପିତୃ ପୁରୁଷଙ୍କ ନିମନ୍ତେ ଶ୍ରାଦ୍ଧ ଓ ପିଣ୍ଡଦାନ ପାଇଁ ଅନୁଷ୍ଠାନ କରାଯାଏ । ଏ ସବୁ କାର୍ଯ୍ୟ ପାଇଁ ଯେତିକି ପୂଜା ସାମଗ୍ରୀର ଆବଶ୍ୟକତା ରହିବା କଥା. ଏଠାରେ କିନ୍ତୁ ସେସବୁର କେତେଗୁଣ ଅଧିକ ସାମଗ୍ରୀ ମହଜୁଦ ଥିଲା ।

        'ମୁଁ ଗୋଟାଏ ତନ୍ତ୍ର ଅନୁଷ୍ଠାନ ଆରମ୍ଭ କରିବାକୁ ଯାଉଛି 'I ପଣ୍ଡିତେ ମୋ ମନରେ ଉଙ୍କିମାରୁଥିବା ପ୍ରଶ୍ନକୁ ବୁଝିପାରିଲା ଭଳି କହିଲେ ।' ବାମ ମାର୍ଗରେ ଆବାହନ, ପୂଜା ଓ ସମର୍ପଣ ହେବ । ବାମ ମାର୍ଗ ବିଷୟରେ କିଛି ଜାଣନ୍ତି କି '?

ମୁଁ ମୁଣ୍ଡ ହଲାଇ ନାହିଁ କଲି ।

'ବାମପନ୍ଥି ପୂଜାରେ ପ୍ରେତ ଆବାହନ କରାଯାଏ ।ମହାପ୍ରେତଙ୍କ ଆବାହନ ପୂର୍ବକ ଶକ୍ତିପ୍ରାପ୍ତି ପାଇଁ ଅନୁମତି ଭିକ୍ଷା କରାଯାଏ । ଛାଡନ୍ତୁ ; ଯେହେତୁ ବିଜ୍ଞାନ ଏସବୁ ମାନେନି , ଆପଣ ମଧ୍ଯ ମାନିବେନାହିଁ । କିନ୍ତୁ ମୁଁ ଆପଣଙ୍କୁ କଥା ଦେଉଛି , ଏ ଶକ୍ତିର ପରିଚୟ ଆପଣଙ୍କୁ ଖୁବଶୀଘ୍ର ମିଳିଯିବ 'I ପଣ୍ଡିତେ ସାମାନ୍ୟ ଉତ୍ୟକ୍ତ ସ୍ଵରରେ କହିଲେ ।

ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ କଥା ଶୁଣୁଥିଲି । ପୁତ୍ରଶୋକରେ ପଣ୍ଡିତଙ୍କର ମତିଭ୍ରମ ଘଟିଛି ବୋଲି ଭାବୁଥିଲି ।

'ଆପଣ ଏବେ ଆସନ୍ତୁ ସାର ।ଗୁରୁଦେବ ଆସିବା ସମୟ ହୋଇଗଲାଣି । ଆପଣଙ୍କୁ ଦେଖିଲେ ବିରକ୍ତ ହୋଇପାରନ୍ତି 'I

           ଆଗତ୍ୟା ଥାନାକୁ ଫେରିଲି । ଗୁରୁଦେବଙ୍କୁ ସାକ୍ଷାତ କରିବାର ଇଚ୍ଛା ଥିଲା । କେଉଁଭଳି ବ୍ୟକ୍ତି ପଣ୍ଡିତଙ୍କର ଗୁରୁ ହୋଇପାରନ୍ତି , ଜାଣିବା ପାଇଁ କୌତୁହଳୀ ଥିଲି ।

** କ୍ରମଶଃ **

         


Rate this content
Log in

Similar oriya story from Horror