ପ୍ରେରଣା
ପ୍ରେରଣା
ଭୁତୁଲୁ ବୋଲି ତା ନାଁଟି ତା ଚେହେରାକୁ ଠିକ୍ ମ୍ୟାଚ୍ କରେ l କାଳିଆ ମୁହଁକୁ ଢେଗା ଢେଗା ଆଖି l କୁଞ୍ଚୁକୁଞ୍ଚିଆ ତା ବାଳରେ ତେଲ ବାଜେନି l ସେଇଥିପାଇଁ ଭୁତ ଭଳି ଦିଶେ l ଗାଁରେ ବୁଲେ l ମନ ହେଲେ କିଛି କାମ କରେ ,ନହେଲେ ନାଇଁ l ଚାରି ଭାଇରେ ସବା ସାନ ସିଏ l ଆଉ କିଏ କ'ଣ ଭାବୁ କି ନଭାବୁ ବାପା ମାଆ ବି ଭାରୀ ଦିକଦାର ତା ପ୍ରତି l ସତେ ଅବା ପୁଅଟେ ନୁହଁ ତ ଶରୀରରେ ବଢିଥିବା ଅଯଥା ଗୋଟେ ଆବୁ l କାଟି କି ଫିଙ୍ଗି ହବନି କି କାହାକୁ ଦେଖେଇ ବୁଲି ହବନି l ଅନ୍ଯ ପୁଅମାନେ ଭଲରେ ଅଛନ୍ତି l କେବଳ ୟାରି ଚିନ୍ତା l ବାପା ଭାବନ୍ତି କୋଉଠୁ ଗରୀବ ଘର ଝିଅଟିଏ ଦେଖି ବାହା କରିଦେଲେ ସେ ଭୁତୁଲୁକୁ ସହନ୍ତା ଘର କାମ ବି କରନ୍ତା l
ଖୋଜିଲେ ଆଉ କ'ଣ ମିଳୁ କି ନମିଳୁ ପୁଅ ରତ୍ନପାଇଁ ଗରୀବ ଘରର ଝିଅ ଅଭାବ ହୁଏନି ଆମ ଦେଶରେ l ମାଳତୀ ସାଙ୍ଗରେ ଭୁତୁଲୁର ବାହାଘର
ହେଇଗଲା l ଦୂର ଗାଁର ଗରୀବ ଚାଷୀ ନଖିଆର ପାଞ୍ଚନମ୍ବର ଝିଅ ମାଳତୀ l ସାଧାରଣ ରୂପ ଭିତରେ ଅସାଧାରଣ ଗୁଣର ଝିଅଟି l ସ୍ବାମୀର ବେପରୁଆ ଚଳଣୀକୁ ନେଇ ବହୁତ ବୁଝାଏ ତାକୁ l ତା'ର ରୋଜଗାର ନଥିବାରୁ ଘରର ବହୁତ କାମ କରେ l ଦୁଇଟି ଛୁଆର ମାଆ ବି ହୁଏ ସମୟ ଭିତରେ l ହେଲେ ଯେତେ କାମ କଲେ ବି ପରହାତଟେକା ଜୀବନ ତାକୁ ବୋଝ ଭଳି ଲାଗେ l ଦିନେ ସମସ୍ତଙ୍କ ଆଗରେ ମାଳତୀ ମୁହଁ ଖୋଲେ l
ଘର ଜମି ଭାଗ ହଉ ବୋଲି ଶଶୁରଙ୍କୁ ଅନୁରୋଧ କରେ l ୟା ଦ୍ବାରା ଘରେ ସତେ କି ଝଡ ଉଠିଲା l ଫୁଲ୍ ଟାଇମ୍ କାମ କରୁଥିବା ମାଳତୀ ତ ହାତ
ଛଡା ହେଇ ଯିବ l ଆଉ କିଛି କରୁନିର ରବ ଭିତରେ ଭୁତୁଲୁ ଯେତିକି ବେଠି ଖଟେ ସେତକ କିଏ କରିବ ? ଭୁତୁଲୁକୁ ଶିଖେଇ ଘରଲୋକେ ମାଳତୀକୁ ମାଡ ଖୁଆଇଲେ l ହେଲେ ଭାଙ୍ଗି ପଡିବା ଝିଅ ସିଏ ନଥିଲା l ଯୋଉ ନlରୀ ନିଜେ ଶକ୍ତି ରୂପିଣୀ ତାକୁ ସଶକ୍ତିକରଣ କିଏ ଶିଖେଇବ ?ନିଜ ହକ୍ ପାଇଁ ଲଢୁଥିଲେ ଭଗବାନ୍ ବି ଆଶୀର୍ବାଦ ଢାଳି ଦିଅନ୍ତି l କିଛି ତ ଅନ୍ୟାୟ ସେ କହୁନି l ନିଜ ହକ୍ ଦାବୀ କରୁଛି l ବାଧ୍ଯ ହୋଇ ତା ଭାଗ ତାକୁ ଦିଆଯାଏ l
ନିଜ ଉପରେ ମାଳତୀର ଅଖଣ୍ତ ବିଶ୍ବାସ l କାଠିକୁଟା ସଂଗ୍ରହ କରି ତା ବସା ସିଏ ବାନ୍ଧେ l ଅବୁଝା ଭୁତୁଲୁ ନିଜର ମହତ୍ବ ବୁଝିପାରେ l ନିଜ ବାପପଣିଆର ଦାୟିତ୍ବ ନିଏ l ଏବେ ସେ ଜଣେ ସଫଳ ଦୋକାନୀ l ଏଭଳି ନିଦା ମଣିଷଟେ ସିଏ ହବ ବୋଲି କିଏ ବା ଜାଣିଥିଲା ?ନିଜ ସୁଗୁଣର ପ୍ରଭାବରେ ମାଳତୀର ସାଧନା ତାକୁ ଏଭଳି ମଣିଷଟିଏ କରାଇଲା ସିନା !