ପ୍ରେମରେ ବିରହ କଷ୍ଟ
ପ୍ରେମରେ ବିରହ କଷ୍ଟ
ମାଆ ସୁଭଦ୍ରାଙ୍କ ସହ ଝିଅ ସ୍ନାତା ତାଜମହଲର ଦକ୍ଷିଣ ପାର୍ଶ୍ୱରେ ବସିଥାଆନ୍ତି। ଅନ୍ୟମାନେ ବୁଲିବୁଲି ଦେଖୁଥାଆନ୍ତି ତାଜମହଲ ସହିତ ଶୁଣୁଥାଆନ୍ତି ଗାଇଡ଼ଙ୍କ ଠାରୁ ଐତିହାସିକ ତଥ୍ୟ।ସୁଭଦ୍ରା ଓ ଝିଅ ସ୍ନାତା ବୁଲି ବୁଲି ଥକି ପଡିଥିଲା ବେଳେ ବସିଯାଇଥାଆନ୍ତି ଘଡିଏ। ଆଉ କୋଉ କଥା ମନକୁ ଆସୁନଥାଏ ଏହି କ୍ଷଣି। କେବଳ ପ୍ରେମ । ସେ କେମିତି ଜିନିଷ ଯେ ପ୍ରେମ ପାଇଁ ଏଡ଼େବଡ଼ ସ୍ମୃତି ସୌଧ ତାଜମହଲ। ଇତିହାସର ଏ ଅମର ପ୍ରେମ କେତେଜଣଙ୍କୁ ବା ମିଳେ ଜୀଵନରେ!ବହୁ ଐତିହାସିକଙ୍କର ଲେଖାରେ ଭିର୍ନ୍ନତା ଥିଲେ ମଧ୍ୟ କଥା ଗୋଟିଏ ତାହା ପ୍ରେମ। କିନ୍ତୁ ପ୍ରେମ ପାଇଁ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶାହାଜାହାନଙ୍କ ପ୍ରେମ କଣ ପ୍ରକୃତରେ ମମତାଜଙ୍କୁ ଖୁସି ଦେଇଥିବ? କେବେ ବି ତାଙ୍କ ସ୍ୱାମୀଙ୍କ କଥା ମନକୁ ଆସିନଥିବ ତାଙ୍କର ? କୋଉ ଐତିହାସିକ ମମତାଜଙ୍କୁ ପ୍ରେମ କରି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ଶହାଜାହାନ ବୋଲି ଲେଖିଛନ୍ତି ତ କେଉଁ ଐତିହାସିକ ବିଧବା ମମତାଜଙ୍କୁ ପ୍ରେମ ନିବେଦନ କରି ଜିତିଥିବା କାହାଣୀ ଲେଖିଛନ୍ତି।ଯୋଉଟା ସତ ହେଉନା କାହିଁକି ସୁଭଦ୍ରା ଭାବୁଥିଲେ ବୈଧବ୍ୟ ପରର ପ୍ରେମ ହେଉ ଅବା ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକାର ସ୍ୱାମୀକୁ କେହି ପ୍ରେମିକ ହତ୍ୟା କରୁ ଏଦୁଇଟି ଯାକ ଘଟଣା କାହିଁ ତାଙ୍କୁ ସନ୍ତୁଷ୍ଟ ଦେଇପାରୁନି। ହୁଏତ ମମତାଜଙ୍କର ବାଲ୍ୟ ବୈଧବ୍ୟ ହୋଇଥିଲେ ସେ ଅଲଗା କଥା। ଏତିକି ବେଳକୁ ବୁଲି ବୁଲି ସ୍ୱାମୀଙ୍କ ମୁହଁ ଶୁଖିଯାଇଥାଏ ତ ଆସି ବସିପଡିଲେ ମାଆ ଝିଅ ବସିଥିବା ସ୍ଥାନରେ କହିଲେ ଦେଖିଲ ପ୍ରେମର ସ୍ମାରକୀ କି ସୁନ୍ଦର। ସୁଭଦ୍ରା କହିଲେ ହଁ ଏ ଶଙ୍ଖ ମର୍ମଲ ମାର୍ବଲ ତାଜାମହଲ ସତରେ ବିଶ୍ବର ସପ୍ତାଶ୍ଚର୍ଯ୍ୟ। ଝିଅ ସ୍ନାତା ବାପାଙ୍କୁ ପାଣି ବଢ଼େଇ ଦେଉ ଦେଉ କହୁଥିଲା ସେତେବେଳେ ରାଜାମାନେ ତାଙ୍କ ପ୍ରେମକୁ ପାଇବାକୁ କଳ ବଳ କୌଶଳ ପ୍ରୟୋଗ କରି ଯେମିତି ହେଲେ ହାସଲ କରୁଥିଲେ କିନ୍ତୁ ଏବେ ଜାତିପ୍ରଥା, ପରିବାରର କଟକଣା, ଉଚ୍ଚନୀଚ ଭେଦଭାବ ତ ପ୍ରେମକୁ ପ୍ରେମୀ ଯୁଗଳଙ୍କ ଠାରୁ ଅଲଗା କରିଦେଉଛି। କାହିଁକି ତୋ ଭାଇର ପ୍ରେମକୁ ତ ଆମେ ସ୍ୱୀକୃତି ଦେଇଛୁ କହୁଥିଲେ ସୁଭଦ୍ରା । ହଁ ସେ ଜାତିରେ ପସନ୍ଦ କରିଥିଲା ବୋଲି ସ୍ବାଧୀ ଆମଘର ବୋହୁ ହୋଇପାରିଲା। ଏତିକି କହିଲା ବେଳକୁ ପୁଅ ଅର୍ଜୁନ ସହ ବୋହୁ ସ୍ବାଧୀ ଫେରିଆସିଥିଲା ତ ଚୁପ ହୋଇଯାଇଥିଲେ ସମସ୍ତେ।
ସୁଭଦ୍ରା ଜାଣନ୍ତି ଝିଅ ସ୍ନାତା ପ୍ରେମରେ ପଡିଛି। ପୁଅଟି ଇଂଜିନଅର ହେଲେ କଣ ହେବ ଛୋଟ ଜାତି ଓ ତାଙ୍କ ସମକକ୍ଷ ନୁହଁନ୍ତି ପରିବାର ତେଣୁ କଥାଟା ଆଗକୁ ବଢିନି ମାନେ ବାପା କି ଭାଇ ଏ ବିଷୟରେ ଜାଣିବାକୁ ପାଇଁନାହାଁନ୍ତି। ପୁଅ ଅର୍ଜୁନ ଓ ଝିଅ ସ୍ନାତା ଯାଆଁଳା ଭାଇଭଉଣୀ। ପୁଅ ଦୁଇ ମିନିଟ ଆଗୁଆ ଜନ୍ମ ହୋଇଥିବାରୁ ବଡ଼ ବୋଲଏ ସିନା ସବୁ ଏକା ଭଳି। ତାଜାମହଲ ବୁଲିବାକୁ ଆସିଲେ କି ଲାଭ ମନ ଯଦି ସଂକୀର୍ଣ୍ଣ ଥିବ ପ୍ରେମର ମୂଲ୍ୟ କଣ ବୁଝିହେବ କହୁଥିଲା ସ୍ନାତା ତ ଚୁପ ରହ କହୁଥିଲେ ସୁଭଦ୍ରା। ବାପା ଭାଇ କିନ୍ତୁ କହୁଥିଲେ ଠିକ କହୁଛି ସିଏ। ତାକୁ କହିବାକୁ ଦିଅ। ସେଇଥିପାଇଁ କି ତ ତୁମେ ରମାକୁ ଆମଘରେ କାମ କରିବାକୁ ରଖିଲନି ନା। ଏଠାରେ ରମା କଥା କାହିଁ ଉଠୁଛି ଯେ? ଉଠିବନି କେମିତି ରମାର ଝିଅ ଲଷ୍ମୀ ପରା ପ୍ରେମ କରି ଅନ୍ୟଜାତିରେ ଯାଇଛି ଶୁଣି ତୁ ରମାକୁ କାମ କରିବାକୁ ରଖିନଥିଲୁ କହୁଥିଲା ଅର୍ଜୁନ। ଏଥିରେ ରମାର କି ଦୋଷ? ତେବେ କଣ ତା ଝିଅର ଦୋଷ ବାପା? ନା ତା ଝିଅର ମଧ୍ୟ ଦୋଷ ନାହିଁ। ଦୋଷ ହେଲା ଅନ୍ଧବିଶ୍ୱାସର, ଦୋଷ ହେଲା ସଂକୀର୍ଣ୍ଣ ମନୋଭାବର. ଏଥର ଝିଅ ମୁହଁ ଉଜ୍ଜଳ ଦିଶୁଥିଲା ତ ଭାଇ ଅର୍ଜୁନ କହୁଥିଲା ତେବେ ଆମ ଝିଅ ସ୍ନାତା ଅଶୋକକୁ ବିବାହ କଲେ କ୍ଷତି କଣ? ଆକାଶ ଛିଣ୍ଡି ପଡିଲା ସୁଭଦ୍ରାଙ୍କ ମୁଣ୍ଡ ଉପରେ ଯେମିତି। ସମସ୍ତେ କଥାଟା ଜାଣିଛନ୍ତି ତେବେ ଭାବି ତାଙ୍କୁ ଖୁବ ଲାଜ ଲାଗୁଥିଲା ବେଳେ ସ୍ୱାମୀ କହୁଥିଲେ ଆରେ ତାଜମହଲ ଆସି ଆଉ କଣ ଶିଖିଲ? ସୁଭଦ୍ରା ଭାବୁଥିଲେ ଏଇ ଆସୁ ଆସୁ ତ ସେ ଭାବୁଥିଲେ କାଶ ଏମିତି କେହି ପୁରୁଷ ପ୍ରେମ କରି କୋଉ ସ୍ତ୍ରୀର ମନଜିଣି ତାକୁ ନିଜର କରିନେବା କେଡେ ଭାଗ୍ୟର କଥା ସତରେ। ତେବେ ନିଜ ଝିଅ ପାଇଁ ସେ ଏତେ କଠୋର କାହିଁକି? ବାପା କହୁଥିଲେ ମାଆ ଏଥର କାମରେ ତାକୁ ସାହାଯ୍ୟ କରିବାକୁ ରମାକୁ ରଖିବାକୁ ରାଜି ହେବ। ପାଖରେ ସ୍ବାଧୀ ରହୁନି ଆଗକୁ ସ୍ନାତାର ବାହାଘର। ନା କଣ କହୁଛୁ ମାଆ? ପଚାରୁଥିଲା ପୁଅ ଅର୍ଜୁନ। ସୁଭଦ୍ରା ନିରୁତ୍ତର ଥିଲା ବେଳେ ତାଙ୍କ ଅଲକ୍ଷରେ ଭାଇ ଭଉଣୀ ହାଇ ଫାଇ କରୁଥିଲେ ପଛପଟେ। ସୁଭଦ୍ରା ଫେରିଲା ବେଳେ ପଛକୁ ବୁଲି ବୁଲି ତାଜମହଲ ଦେଖୁ ଦେଖୁ କହୁଥିଲେ ଯିବାକୁ ଇଛା ହେଉନି। ସତରେ ପ୍ରେମର ମୂଲ୍ୟ ଦେହୁଏନା। ସେହିଦିନ ରାତିରେ ସୁଭଦ୍ରା ପଚାରିଥିଲେ ସ୍ୱାମୀଙ୍କୁ ହାଇ ଫାଇ କଣ କିଓ? ସ୍ୱାମୀ ହସି ହସି କହିଥିଲେ ମୋ ମାଆ ମୋ ବାପାଙ୍କୁ ଦିନେ ଏଇ ଟା ଟା ଓ ବାଇ ବାଏ ର ଅର୍ଥ ପଚାରୁଥିଲା। ଅପେକ୍ଷାକର ନାତି ନାତୁଣୀ ଆସନ୍ତୁ ସେମାନେ ବୁଝେଇଦେବେ।
ତଥାପି ସୁଭଦ୍ରା ପଚାରୁଥିଲେ ସ୍ୱାମୀଙ୍କୁ ତମେ ମତେ କେତେ ପ୍ରେମ କର କୁହନା ପୁଣି ଥରେ ପୁଅ ବୋହୁ, ଝିଅ ଜୋଇଁ ଓ ନାତି ନାତୁଣୀଙ୍କୁ ନେଇ ତୁମକୁ ତାଜମହଲ ନେବାରେ ଘାଟାରେ ପଡିଲା ମଣିଷ ଦେଖୁଛି। ଯାଅ ଯାଅ ଦେଖିବ ସେ ବ୍ୟାଗରେ କଣ ଅଛି। ବ୍ୟାଗ ଭିତରେ ଥିବା ନାଲି ରଙ୍ଗର ଶାଢ଼ୀଟିକୁ ଦେଖି ସୁଭଦ୍ରା ଖୁବ ଖୁସି ହୋଇଯାଉଥିଲା ବେଳେ ସ୍ୱାମୀ କହୁଥିଲେ କାଲି ଆମ ବାହାଘର ବିବାହ ବାର୍ଷିକୀ ଚଞ୍ଚଳ ଶୋଇଯାଅ। ସତକୁ ସତ ସକାଳୁ ସକାଳୁ ପହଞ୍ଚି ଗଲେ ପୁଅ ବୋହୁ। ସୁଭଦ୍ରାଙ୍କ ପାଇଁ ନେଇଆସିଥିଲେ ଚୁଡ଼ି, ଶାଢ଼ୀ, ଅଳତା, ସିନ୍ଦୁର, ପାଉଁଜି ଓ ଝୁଣ୍ଟିଆ। ସନ୍ଧ୍ୟାରେ ଝିଅ ସ୍ନାତା ଓ ଜୋଇଁ ଆକାଶ କେକ ନେଇ ପହଁଚିଲା ପରେ ସୁଭଦ୍ରା ଭାବୁଥିଲେ ତାଜମହଲ ନୁହେଁ ବରଂ ପରିବାର ହିଁ ପ୍ରକୃତ ପ୍ରେମର ସ୍ମାରକୀ। ନାତି ହାତମୁଠାରେ ଥିଲା ଗୋଲାପ ତୋଡ଼ା। ଉପରେ ଲେଖା ହୋଇଥିଲା ଲଭ କିନ୍ତୁ ନାତୁଣୀ ହାତରେ ଥିବା ଫୁଲ ଭିତରେ ଯେଉଁ ଲଭ ଲେଖା ଥିଲା ତାହା କେହି ଲେଖିନଥିଲା ବରଂ ସ୍ରଷ୍ଟାଙ୍କ ସୃଷ୍ଟିର ଏକ ଚମତ୍କାର ଥିଲା। ପାଖୁଡା ଗୁଡିକ ମୋଡି ମୋଡି ହୋଇ ଏପରି ଭ୍ରମ ସୃଷ୍ଟି କରୁଥିଲେ କି ଆଖି ବୁଝିଗଲେ ମନ ବୁଝୁନଥିଲା କି ମନ ବୁଝିଗଲେ ଆଖି ବୁଝୁନଥିଲା କାହିଁକି କେଜାଣି କିନ୍ତୁ ଏଲ ଓ ଭି. ଇ ପରି ନିଶ୍ଚୟ ଲେଖାଥିଲା। ବାହାରେ ମଧ୍ୟ ଖୁବ ବର୍ଷା ପଡୁଥିଲା ସେଦିନ ଭଳି ଯେମିତି ସ୍ୱାମୀ ଆଶୁତୋଷ ବରବେଶ ହେଲାବେଳେ ଓ ସୁଭଦ୍ରାଙ୍କ ସହ ବେଦୀରେ ହାତଗଣ୍ଠି ପଡିଲା ବେଳେ ଢାଳୁଥିଲା ଅମୃତବାରି।
ଏ ଭିତରେ ଦିନ, ବାର, ମାସ ବର୍ଷ ବିତୁଥିଲା ତା ବାଟରେ ଓ ସମୟ ବୟସକୁ ନିମିତ୍ତ ମାତ୍ର ଗୋଟେ ଗାଣିତିକ ସଂଖ୍ୟା କରି ଅଟକି ଯାଇଥିଲା ଆଶୁତୋଷ ଓ ସୁଭଦ୍ରାଙ୍କ ପାଖରେ। ପୁଅର ପୁଅ ନାତି ବାବା ସେହି ଝିଅକୁ ହିଁ ବାହା ହୋଇଥିଲା ଯୋଉ ଝିଅ ନାତି ବାବାର ଚାକିରିରୁ ଲେ ଅଫ ପରେ ମଧ୍ୟ ନାତିକୁ ହିଁ ଜୀଵନ ସାଥି ରୂପେ ବାଛି ଜର୍ମାନ ଯିବାକୁ ମନା କରିଦେଇଥିଲା। ସେହିଭଳି ଝିଅ ସ୍ନାତାର ଝିଅ ଡୁଗୁର ବିବାହ ସ୍ଥିର ହେବା ପରେ ଯାଇଥିଲା ନିଜ ଡ଼ାହାଣ ହାତର ପାପୁଲିରେ ଥିବା ଛଅଟି ଆଙ୍ଗୁଠିରୁ ବୁଢା ଅଙ୍ଗୁଷ୍ଠିରେ ଥିବା ଅଧିକା ଅଙ୍ଗୁଳିଟିକୁ ଅପରେସନ କରାଇବାକୁ ତ ଝଡ଼ ପରି ଭାବି ସ୍ୱାମୀ ଆକାଶ ସେଠି ପହଞ୍ଚି ଆଙ୍ଗୁଠିଟିକୁ ଅପରେସନ କରିବାରୁ ଡୁଗୁକୁ ନିବୃତ୍ତ ରଖିଥିଲା। କାରଣରେ କହିଥିଲା ମୋର ଯଦି କିଛି ଅସୁବିଧା ନାହିଁ ତୁମ ଦାହାଣ ପାପୁଲିର ସେଇ ଅଧିକା ଆଙ୍ଗୁଠି ଅପରେସନ ହେବା କଣ ଦରକାର। ଡୁଗୁ ଉତ୍ତର ଦେଇଥିଲା ସେଇଟି ସୌନ୍ଦର୍ଯ୍ୟ ହାନିର କାରଣ ହେଉଛି ତ ଆକାଶ କହିଥିଲେ ତାହା ବିୟୁଟି ସ୍ପଟ। ନହେଲେ ସେଇ ଗୀତଟିର ମୂଲ୍ୟ ନାହିଁ। କୋଉ ଗୀତ ପୁଅ ବୋଲି ପଚାରିଦେଇଥିଲେ ସୁଭଦ୍ରା ତ ନାତୁଣୀ ଜୋଇଁ ଆକାଶ କହିଥିଲେ ସେଇ, ଗାରଉ ଗାରଉ ଗାରେଇଦେଲି ପାପୁଲିରେ ତୋ ନାଆଁ। ହସରେ ଫାଟି ପଡୁଥିଲା ବେଳେ ଆଶୁତୋଷ କହୁଥିଲେ ଏଥର ବୁଝିଲ ଭାଲେଣ୍ଟାଇନ ର ଅର୍ଥ? ତ ଆଶୁତୋଷଙ୍କ ଖୋଲା ମୁଠାରେ ନିଜ ଖୋଲା ମୁଠା ବାଡେଇ ଓ ହାଇ ଫାଇ କହି ସୁଭଦ୍ରା କହୁଥିଲେ ଖାଲି କଣ ଭାଲେଣ୍ଟାଇନ, ଏମିତି ଅନେକ ପ୍ରେମର କଥା ମୁଁ ଜାଣିଗଲିଣି।
ସେଦିନ ସୁଭଦ୍ରା ଯେବେ ସଂସାର ଛାଡି ଚାଲିଗଲେ ସମସ୍ତେ କାନ୍ଦୁଥିଲେ କିନ୍ତୁ ଆଶୁତୋଷ କହୁଥିଲେ ସେ ଶୋଇଯାଉ ତା ପାଇଁ ପ୍ରେମ ଫୁଲର ଶେଜ ପ୍ରସ୍ତୁତ କରିଦିଅ। ସବୁବେଳେ କହୁଥିଲା ସେ ଯଦି ଆଗ ଯାଏ ତେବେ ମୋର ତା ପ୍ରତି ପ୍ରେମ ଥିଲା ବୋଲି ସେ କୁଆଡେ ପ୍ରମାଣ କରିଦେବ କିନ୍ତୁ ସେ ଜାଣେନା ମୁଁ ଆଗ ଯାଇଥିଲେ ପୁଅଟେ ହୋଇ ଜନ୍ମ ନେଇ ପୁଣି ଅ ଠାରୁ କ୍ଷ ପର୍ଯ୍ୟନ୍ତ ଲେଖିବା, ଏକ ଠାରୁ ଶହେ ଯାଏଁ ଗଣିବା, ପାଣିକିଆ ଶିଖୁ ଶିଖୁ ପାଠ ପଢି ମାଟ୍ରିକ, ଗ୍ରାଜୁଏସନ, ଡିପ୍ଲୋମା କି ଡ଼ିଗ୍ରୀ କରି ଚାକିରୀ କରି ବିବାହ ଯୋଗ୍ୟ ହେଲାବେଳକୁ ସେ ପଛରେ ଯାଇ ମତେ ସ୍କୁଲ କି କଲେଜ କି ଉଚ୍ଚଶିକ୍ଷା ସମୟରେ ବା ଚାକିରୀ କଲାପରେ କୋଉଠି ନା କୋଉଠି ଭେଟି ପ୍ରେମ କରି ପୁଣି ବିବାହ କରି ଆରଜନ୍ମରେ ସାଥି ରୂପେ ପାଇଥାଆନ୍ତା। ଏତିକି ନବୁଝି ଆଗୁଆ ଚାଲିଗଲା, ଆଉ କଣ ତାକୁ ପାଇହେବ। ସବୁବେଳେ ପଚାରେ ଏଇ ପୁରୁଷ ଲୋକମାନେ ଆଗ କାହିଁକି ମରିଯାଆନ୍ତି ସ୍ତ୍ରୀ ଆଗରୁ! ପାଗଳିଟା ବୁଝିନଥିଲା ଆଗୁଆ ମରନ୍ତି ଏଇଥିପାଇଁ କି ପୁଣି ନିଜକୁ ପ୍ରସ୍ତୁତ କରୁଥାନ୍ତି ଆରଜନ୍ମରେ ଏ ଜନ୍ମର ପ୍ରେମ ପାଇବା ପାଇଁ। ନାତି,ନାତୁଣୀ,ନାତୁଣୀ ଜୋଇଁ ଓ ନାତୁଣୀ ବୋହୁ ସମସ୍ତେ ଆଶୁତୋଷଙ୍କ ଏପରି ପ୍ରେମର ବାଖ୍ୟା ଶୁଣୁ ଶୁଣୁ ସ୍ତବ୍ଧ ହୋଇ କିଛି କହିବା ପାଇଁ ଚାଁହୁଥିଲେ। କଥାଟା ଏମିତି ହୁଅନ୍ତାନି ଯେମିତି କି ସ୍ତ୍ରୀ ଯଦି ଆଗେ ଚାଲିଯାଏ ସେ ପୁରୁଷ ହୋଇ ଜନ୍ମ ନେଲେ ପଛରେ ସ୍ୱାମୀ ପର ଜନ୍ମରେ ସ୍ତ୍ରୀ ହୋଇ ତା ପ୍ରେମକୁ ପାଇପାରନ୍ତା। କିନ୍ତୁ ସେମାନଙ୍କୁ କିଛି କହିବାର ସୁଯୋଗ ଦେଇନଥିଲେ ବଡ଼ମାନେ କେବଳ ଅନୁଭବ କରୁଥିଲେ ପ୍ରେମରେ ବିରହ ଭାରି କଷ୍ଟ। ସେଇଥିପାଇଁ ତ ଲଷ୍ମୀ ଦେବୀ ହେରାପଞ୍ଚମୀ ଦିନ ଭାଙ୍ଗିଥିଲେ ରଥରୁ କାଷ୍ଠ ଓ ଜଗନ୍ନାଥ ରସଗୋଲା ଦେଇ ଲଷ୍ମୀ ମହାମାୟୀଙ୍କୁ ତୁଷ୍ଟ କରି କରିଥିଲେ ମନ୍ଦିର ପ୍ରବେଶ।

