Sachidananda Kar

Tragedy Classics

3  

Sachidananda Kar

Tragedy Classics

ପ୍ରେମ ପୃଥିବୀର ସନ୍ଧାନରେ

ପ୍ରେମ ପୃଥିବୀର ସନ୍ଧାନରେ

3 mins
317


     ସାଥୀଟିଏ ଖୋଜୁଥିଲା ସେ । ଖୋଜୁଥିଲା ଗୋଟେ ପ୍ରେମର ପୃଥିବୀ । କଇଁ ଫୁଲର ଦୁଃଖ ବିହୀନ ପାଖୁଡାରେ ଏକାକୀ ପହଁରୁଥିଲା । ନିଜ ଗଢା ଗୋଟେ ସୁନ୍ଦର ପ୍ରେମ ରାଜ୍ୟରେ ଇଚ୍ଛାରେ ବିଚରଣ କରୁଥିଲା ।  


     କାଳେ ମୁଠାଏ ସୁଖ ଆଲୁଅ ହୋଇ ତା'ର ଭାଗ୍ୟକୁ ଝଲସାଇ ଦେବ, ଆଉ ରୋଗିଣା ଭାଗ୍ୟର ଅନ୍ଧାରକୁ ଅଗ୍ନାଅଗ୍ନି ବନସ୍ତକୁ ଠେଲି ଦେବ! ସବୁ ସମୟରେ ଏମିତି ଭାବୁଥିଲା ସେ ।  


     ସେ ସୁନ୍ଦରୀ । ଅନ୍ୟର ଆଖିରୁ ନିଦ ଉଡାଇ ଦେଲା ଭଳି ଚମକ ଥିଲା ତା' ଚେହେରାରେ । ତେଣୁ ତା'ର ସବୁ କାମ ଭିତରେ ବି ସେ ଭାବୁଥିଲା କେହି ଜଣେ ଟାଣି ହୋଇ ଆସିବ ତା' ଆଡକୁ । ତାକୁ ଭଲପାଇବ । ତା'ର ଜୀବନସାଥୀ ହେବାକୁ ତାକୁ ପ୍ରସ୍ତାବ ଦେବ ।  


     ଦିନ ପରେ ଦିନ ବିତୁଥିଲା, ହେଲେ ସେମିତି ହେଉନଥିଲା । ଦେହରେ ତା'ର ଭରା ଯୌବନ ଲହଡ଼ି ଭାଙ୍ଗୁଥିଲା । ହେଲେ କ'ଣ ହେବ, ଘର ଭିତରେ ଲହଡ଼ି ଭାଙ୍ଗୁଥିଲା ଅଭାବ, ଅନଟନ । ନିଜର ଘର ଓ ଘରର ପ୍ରତ୍ୟେକ ଜିନିଷପତ୍ରରେ ସ୍ପଷ୍ଟ ଦିଶୁଥିଲା ଅଭାବର ଛାପ ।  


     ଏଠି ଗରିବ ଝିଅର ଭାଗ୍ୟ ତ ପଥର ତଳେ ଥାଏ । ସୁଖ ଆଉ ଜୀବନ ପଛେ, ଦୁଃଖ ଆଉ ମରଣ ଆଗେ । ଏଇଟା ହେଉଛି ଏଠି ଗରିବ ଝିଅର ଧର୍ମ । ଧୀରେ ଧୀରେ ଏକଥା ବୁଝିଗଲା ସେ । ବୁଝି ମନଦୁଃଖ କଲା । ମନ ମାରି ବସିଲା ।  


     ତାକୁ ଘେରି ରହିଥିଲା ଅନ୍ଧାର - ଦୁଃଖ ଓ ଦୁଶ୍ଚିନ୍ତାର । ତା'ର ଜୀବନ ପାଲଟି ଯାଇଥିଲା ଅଧା ଛିଣ୍ଡା ସୂତାର ଗୁଡି ପରି । ଗୋଟିଏ ନିଃଶ୍ୱାସରେ ଜୀଉଥିଲା ତ ଆର ନିଃଶ୍ୱାସରେ ମରୁଥିଲା ସେ ।  


ଏପରି ଅବସ୍ଥାରେ ତାକୁ ଦେଖି ତା'ର ମାଆ ଖୁବ୍ ବିଚଳିତ ହୋଇପଡିଲେ । ମନେମନେ ଭଲ ପାତ୍ରଟିଏ ପାଇଁ ଦି' ଚାରି ଜାଗା ଆଖି ପକେଇଲେ । ଦିନେ ବି ସୁଯୋଗ ଦେଖି ତାକୁ ପାଖକୁ ଡାକି କହିଲେ - "ବାପ ନଥିବା ଝିଅମାନଙ୍କର ଭାଗ୍ୟ ପ୍ରାୟତଃ ଏହିପରି । ଭାଇଟିଏ ଥାଆନ୍ତା ହେଲେ? ତେବେ ତୁ ବ୍ୟସ୍ତ ହେବା ଦରକାର ନାହିଁ । ମୁଁ ତୋ ପାଇଁ ବରପାତ୍ର ଖୋଜା ଲୋଡା କରୁଛି । ମୋର ବିଶ୍ୱାସ ବାହାଘର ପରେ ନିଶ୍ଚେ ତୋର ଭାଗ୍ୟ ଖୋଲିଯିବ ।" 


      ଥୟ ଧରି ପାରୁନଥିଲା ସେ । ଠିଆ ହୋଇ ପାରୁନଥିଲା ଦୃପ୍ତ ଭଙ୍ଗୀରେ । ଠିଆ ଗଛକୁ ପବନ ଅସ୍ଥିର କଲା ପରି ବେଶ୍ ଅସ୍ଥିର ହେଉଥିଲା ସେ । ତା' କୁଆଁରୀ ଇଚ୍ଛାର କଅଁଳ ଆୟୁଷ ବିଷାଦରେ ବୁଢା ହୋଇ ଯାଉଥିଲା । ସେ ହାରି ଯାଉଥିଲା ଶତ ପ୍ରତିଶତ ସ୍ୱପ୍ନ ଦେଖାରୁ,ସୁଖ ସାଉଁଟି ବାରୁ । ପ୍ରେମ କଥା କିଏ ପଚାରେ? ସିଏ ତ ଥିଲା ସାତ ସପନ । ସାଥୀ କିଏ ଖୋଜେ?ସିଏ ତ ଦୂର ଆକାଶର ତାରା ପରି ।  


      ମାଆର ଆଶ୍ୱାସନା । ଏ ବେଳରେ କେବଳ ଏତିକି ହିଁ ଥିଲା ତା'ର ପ୍ରାପ୍ତି । ତାକୁ ତାହା ଚନ୍ଦନ ସମ ମନେହେଲା । ସେ ହୃଦୟର ସହିତ ସେସବୁକୁ ଗ୍ରହଣ କରିନେଲା । ମନକୁ ବୁଝାଇ ଦେବା ପାଇଁ ଗୋଟେ ଦୀର୍ଘଶ୍ୱାସ ବାହାରକୁ ଦେଲା । ନିରବ ରହିଲା ।  


     ଏବେ ଘର ଅଳିଆ କରୁଥିବା କିଛି ଅଦରକାରୀ କାଗଜ ଟୁକୁଡା ପରି ଘରେ ପଡି ରହିଥିଲା ସେ । ନିଜକୁ ନିଜେ ନାରଖାର କରୁଥିଲା । ତା' ଛାତି ଭିତରୁ ଉଠି ଆସୁଥିବା ଦୀର୍ଘଶ୍ୱାସ ସବୁକୁ ବାରମ୍ବାର ଢୋକି ନେଉଥିଲା ସେ । କ୍ୟାଲେଣ୍ଡର ପୃଷ୍ଠା ଲେଉଟାଇ ଦେଖୁଥିଲା କେବେ ଆସିବ ସୁଦିନ ତା' ଜୀବନରେ । ତା'ର ଭାଗ୍ୟର ପରିବର୍ତ୍ତନ ହେବ । ତାକୁ ଜୀବନସାଥୀ ମିଳିବ । 

  

     ଅକସ୍ମାତ ଦିନେ ଜଣେ ଲାଗିଆସିଲେ ତା' ପାଖକୁ । ତା' ସହିତ ଆପଣାର ମଣିଷ ଭଳି କଥାହେଲେ । ତାକୁ ଭଲପାଇଲେ । ସ୍ନେହ, ଶ୍ରଦ୍ଧା ଦେଲେ ।  


     ସେ ପୁଣି ସ୍ୱପ୍ନ ଦେଖିଲା । ଇଚ୍ଛା ପୂରଣ ହେବ, ସ୍ୱପ୍ନ ସାକାର ହେବ, ମନେକଲା । ଭାବିଲା, ସିଏ ନିଶ୍ଚେ ତାକୁ ନିଜର କରିନେବ ।  


      କିଛି ଦିନ ପରେ..... । 

    

      - " ମୋର ଭଉଣୀ ନାହିଁ । ମୋତେ ଲାଗୁଛି ମୁଁ ଯେପରି ଗୋଟିଏ ଅପୂର୍ଣ୍ଣ ଜୀବନ ବଞ୍ଚୁଛି । ତୁମେ ମୋର ସେତିକି ଇଚ୍ଛା ପୂରଣ କରିପାରିବ?" ତାକୁ ଚମକାଇ ଦେଇ ଦିନେ କହିଲା ସେ ।  


      ପାଖକୁ ଲାଗି ଆସୁଥିବା ସମସ୍ତେ ପ୍ରେମିକ ହୁଅନ୍ତିନି । ତେଣୁ ଆପେ ମନରୁ ପାଶୋରି ହୋଇଗଲା ସେକଥା । 

   

      ଭାଇ ନ ଥିଲା । ଯଦି ଭାଇଟିଏ ମିଳୁଛି ମିଳୁ । ସେଇ ଭାଇ କ'ଣ କାଲି ତା'ର ଭଉଣୀ ପାଇଁ ଖୋଜି ଆଣି ଦେବନି ଜୀବନସାଥୀ! 


      ନିଜକୁ ବୁଝାଇଦେଲା ସେ । ସେଦିନ ଥିଲା ଗହ୍ମା ପୂର୍ଣ୍ଣିମା । ନିଜ ଓଢଣୀରୁ ଟିକିଏ ଚିରି ଆଣି ତା' ହାତରେ ଗୁଡେ଼ଇ ଦେଲା ସେ । ହସିଦେଇ କହିଲା - " ହେଉ,ରାକ୍ଷୀ ବାନ୍ଧିଲି । ଆଜିଠାରୁ ତୁମେ ମୋର ଭାଇ ହେଲ । " 


      ପୁଣି ହାରିଗଲା ସେ । କିଏ ଯେମିତି ତା'ର ଇପ୍ସିତ ଇଚ୍ଛାର ବେକ କାଟି ରକ୍ତ ବୁହାଇ ଦେଲା ।  


      ଦିନ ବିତୁଥିଲା । ସମୟ ତ ସ୍ରୋତ ପରି । ବହିଯାଏ ।  


      ୟା ଭିତରେ ତିରିଶଟି ବସନ୍ତ ପାରି କରି ସାରିଥିଲା ସେ । ମାଆ କି ତା'ର ଭାଇ କେହି ହେଲେ ଜଣେ ପୂରଣ କରି ପାରି ନ ଥିଲେ ତା'ର ଇଚ୍ଛା । କଇଁଫୁଲର ଉଦାସ ଆଖିରେ ଏବେ ଲୁହ ହୋଇ ପହଁରୁଥିଲା ସେ । ନିଜକୁ ପଚାରୁଥିଲା - ପ୍ରେମର ପୃଥିବୀ ଆଉ କେତେ ଦୂର?କେବେ ମିଳିବ ମୋତେ ମୋ ମନର ମଣିଷ? ......କେବେ? 


      ଏବେ ବି ତା'ର ପ୍ରେମ ପୃଥିବୀର ସନ୍ଧାନରେ ସେ । ....ପ୍ରେମ ପୃଥିବୀର ସନ୍ଧାନରେ ! ! !



Rate this content
Log in

Similar oriya story from Tragedy