Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ପ୍ରାତଃ ଭ୍ରମଣ

ପ୍ରାତଃ ଭ୍ରମଣ

2 mins
346



       ଜାଣିଲେଣି ଆଜ୍ଞା ! ଦାସ ବାବୁଙ୍କ ବୋହୁ ଥାନାରେ ରିପୋର୍ଟ୍ ଦେଇଛି ଶାଶୁ ଶ୍ୱଶୁରଙ୍କ ନାଆଁରେ ; କିଏ କହିଲାଣି, ପ୍ରଧାନ ବାବୁଙ୍କ ଝିଅ ସୁଆର ବାବୁଙ୍କ ପୁଅ ସାଙ୍ଗରେ ପଳେଇଛି l ପୁଣି କିଏ କହିଲାଣି, ବାହାରେ ସିଂହ ଭଳିଆ ଗର୍ଜନ କରୁଥିବା ଅରୁଣ ବାବୁ ଅସଲରେ ଗୋଟିଏ ମୂଷା l ଘରେ ତାଙ୍କର ସ୍ତ୍ରୀ ଓ ପିଲାଙ୍କ ରାଜୁତି ଚାଲେ l ଏମିତି ଅନେକ ପ୍ରକାର ଆଜେ ବାଜେ ଅର୍ଥହୀନ ଗପରେ ମୁଖରିତ ହୋଇ ଉଠେ ସକାଳୁ ସକାଳୁ ଘର ସାମ୍ନା ପାର୍କ୍ l କିଏ ସସପେଣ୍ଡ୍ ହେଲା, କାହାର ଦଣ୍ଡମୂଳକ ବଦଳି ହେଲା, କାହା ଘରେ ସୋରିଷ ଫୁଟିଲା, କାହା ଘରେ ରସୁଣ ଛୁଙ୍କ ହେଲା, ଏମିତି ଅନେକ କଥାବାର୍ତ୍ତା, ଢିଙ୍କି ଶାଳ ଠାରୁ ଆରମ୍ଭ କରି ଢେଙ୍କାନାଳ ଯାଏଁ l ମୁଁ ମନେ ମନେ ଭାବେ, ଏହାର ନାମ ପ୍ରାତଃ ଭ୍ରମଣ ନ ଦେଇ ପ୍ରାତଃ କଥନ ଦେଇଥିଲେ ଭଲ

ହୋଇଥାନ୍ତା l ଘର ସାମ୍ନାରେ ପାର୍କ୍ l ତେଣୁ ଅନେକ ସମୟରେ ଅନେକ କଥା ଆସି ପଡେ କାନରେ l ଆଉ ବେଶି ଚିଡା ଲାଗେ, ଯେତେବେଳେ ଦେଖେ ଆମ ପତିଦେବ ମଧ୍ୟ ସେମାନଙ୍କ ଗହଣରେ ଅଛନ୍ତି ଓ ସେମାନଙ୍କ କଥା ଉପଭୋଗ କରୁଛନ୍ତି ପୂର୍ଣ୍ଣ ପ୍ରାଣରେ l କେବଳ ସେତିକି ନୁହେଁ, ଅନେକ ସମୟରେ ସେ ମଧ୍ୟ କିଛି ନା କିଛି ଅରୁଚିକର ମନ୍ତବ୍ୟ ଦେଇଥାନ୍ତି l ସମସ୍ତେ ସିନା ଝିଅମାନଙ୍କୁ କହନ୍ତି ବାର ଚୁଗୁଲିର ଗନ୍ତାଘର l କିନ୍ତୁ ଏଠି ତ ପୁରା ଓଲଟା l ମୋତେ ଲାଗେ ଚୁଗୁଲି କରିବାରେ ପୁରୁଷମାନେ ବି କିଛି କମ୍ ନୁହନ୍ତି l

       ଦିନେ ପ୍ରତିବାଦ କଲି ୟାଙ୍କ ସାମ୍ନାରେ l କିଛି ସମୟ ଚୁପ୍ ହୋଇଗଲେ ସେ l ତା’ ପରେ କହିଲେ, ‘ଏବେ ବୁଝିପାରୁନୁ l ବୁଝିବୁ ଯେତେବେଳେ ଆମ ପୁଅ ଝିଅ ଆମ ପାଖରେ ନ ଥିବେ l ସେତେବେଳେ ଜାଣିବୁ ବାର୍ଦ୍ଧକ୍ୟଟା କେତେ ଅସହାୟ ସତରେ l ତୁ କ’ଣ ଭାବୁଛୁ, ଏମାନେ ଆସୁଛନ୍ତି ସ୍ୱାସ୍ଥ୍ୟଗତ କାରଣ ନେଇ ପ୍ରାତଃ ଭ୍ରମଣରେ ? ନାଃ..... କିଛି ସମୟ ଏହିପରି ଭାବରେ ଭାବର ଆଦାନ ପ୍ରଦାନ କରିଥାନ୍ତି ସେମାନେ l ଏହିଭଳି ଭାବରେ ଭୁଲିବାକୁ ଚେଷ୍ଟା କରନ୍ତି ନିଜର ଏକାକୀତ୍ୱକୁ l ଆମମାନଙ୍କ ସହ ମିଳାମିଶା କରି ଭୁଲିବାକୁ ଚେଷ୍ଟା କରନ୍ତି ସେମାନଙ୍କର ବାର୍ଦ୍ଧକ୍ୟ ଜନିତ ଯନ୍ତ୍ରଣାକୁ l ହୁଏତ ସେ ବୟସକୁ ଆସିଲେ ଆମେ ବି ସେମାନଙ୍କ ଭଳି ହୋଇଯିବା l’

       ୟା ପରେ ମୋର ଆଉ କିଛି କହିବାର ନ ଥିଲା l



Rate this content
Log in

Similar oriya story from Inspirational