sushama Parija

Tragedy

3  

sushama Parija

Tragedy

ପରାସ୍ତ ସୈନିକ

ପରାସ୍ତ ସୈନିକ

5 mins
25


ଉଦୁଉଦିଆ ଖରାବେଳଟାରେ ସାଇକେଲ୍ ରେ ଜୋର୍ ଜୋର୍ ପେଡାଲ୍ ମାରି ଘରକୁ ଫେରୁଥିଲା ହୋମଗାର୍ଡ୍ ପାର୍ବତୀ ବେହେରା । କେମିତି ତରବରରେ ହୋଇ ଘରେ ପହଞ୍ଚି ଅସୁସ୍ଥ ଝିଅ କୁ ମୁଠାଏ ଭାତ ଖୁଆଇ ନିଜେ ଦି’ଟା କ’ଣ ଖାଇ ଦେଇ ପୁଣି ଫେରିବ ଡିଉଟି କୁ ।ମାତ୍ର ଅଧ ଘଣ୍ଟାଏ ପାଇଁ ବହୁତ କୁହାବୋଲା କରି ଆସିଛି ହାବିଲଦାର ଜେନା ସାର୍ ଙ୍କୁ । ଜେନା ସାର୍ ସବୁ କଥା ଜାଣନ୍ତି ତା’ ବିଷୟରେ , ତେଣୁ ଦୟା ପରବଶ ହୋଇ ଅନୁମତି ଦେଇଛନ୍ତି ତାକୁ ଘରକୁ ଆସିବାକୁ । ନହେଲେ ଏଇନା ଯୋଉ କଠିନ ସମୟ, କାହାରିକୁ ହଲିବାକୁ ଅନୁମତି ନାହିଁ ।

କୁଆଡେ ଥିଲା ଏ କରୋନା ମହାମାରୀ କେଜାଣି ଅଚାନକ ମାଡିଆସି ସାରା ବିଶ୍ବ କୁ ଘାଇଲା କରି ସାରିଲାଣି ।ଆମ ଦେଶର ପ୍ରଧାନମନ୍ତ୍ରୀ ଖୁବ୍ ସତର୍କତା ର ସହିତ ପ୍ରତିରୋଧ କରୁଛନ୍ତି ସେ କରୋନା ବିଶ୍ୱମାରୀ କୁ ତାଙ୍କର ସମସ୍ତ କଳ ବଳ କୌଶଳ ଲଗାଇ। ରାଜ୍ୟ ସରକାର ମଧ୍ୟ ତଦନୁରୂପ ପ୍ରତିରୋଧକ ବ୍ୟବସ୍ଥା ସବୁ ଲାଗୁ କରିଛନ୍ତି । ନିଜର ସକଳ ସାମର୍ଥ୍ୟ ଖଟାଇ ଲଢେଇ କରୁଛନ୍ତି କରୋନା ମହାମାରୀ ସହିତ।ଶହ ଶହ କୋଭିଡ୍ ହସପିଟାଲ୍ ସହିତ ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧା ଲଢେଇରେ ଲାଗି ରହିଛନ୍ତି ଅହରହ । ପାର୍ବତୀ ମଧ୍ୟ ସେଇ କୋଭିଡ୍ ଯୋଦ୍ଧା ମାନଙ୍କ ମଧ୍ୟରୁ ଜଣେ ବୋଲି ନିଜକୁ ଗର୍ବିତ ଅନୁଭବ କରୁଛି । ସିଏ ତା’ର ତେର ବର୍ଷ ର କ୍ୟାନସର୍ ପିଡିତା ଝିଅ ମାମୁନିକୁ ଏକା ଘରେ ଛାଡି ଲାଗି ରହିଛି ସେଇ ଲଢେଇରେ। ସାଇକେଲ୍ ଚଲାଉ ଚଲାଉ ଅନ୍ୟମନସ୍କ ହୋଇ ପାର୍ବତୀ ଫେରି ଯାଉଥିଲା ପଛକୁ ପଛକୁ।


ଏମିତି ଦେଖିବାକୁ ଗଲେ ପାର୍ବତୀ ର ଝିଅ ମାମୁନି ଛଡା ଏ ଦୁନିଆଁ ରେ ଆଉ କେହି ଜଣେ ହେଲେ ନାହିଁ ନିଜର ବୋଲି। ବଣ ଜଙ୍ଗଲ ଘେରା କେନ୍ଦୁଝର ଜିଲ୍ଲାର ଯୁବତୀ ଝିଅ ପାର୍ବତୀ କଞ୍ଚା ବୟସରେ ପ୍ରେମରେ ପଡି ଦିନେ ଭିନ୍ନ ଜାତିର ବେଣୁଆ ସାଥିରେ ରାତାରାତି ଭାଗି ଆସିଥିଲା ଏଇ ରାଜଧାନୀ କୁ ସୁଖରେ ସଂସାର ଗଢିବା ବୋଲି। ପିଲା ଦିନରୁ ମାଆ ନଥିଲା, ଯାହାର ପ୍ରେମ ରେ ପାଗଳୀ ହୋଇ ସ୍କୁଲ୍ ପାଠ, ଗାଆଁ ଗଣ୍ଡା, ଘରଦ୍ବାର, ବାପଭାଇଙ୍କ ମୋହ ତୁଟେଇ ସହର କୁ ଆସିଥିଲା, ସିଏ ବି ଝିଅଟିଏ ହେଲା ପରେ ପାର୍ବତୀ ଉପରୁ ମୋହ ତୁଟେଇ ଆଉ କାହାକୁ ଧରି ଫେରାର ହୋଇଗଲା ଦିନେ। ଅଧା ପାଠୋଇ ଅସହାୟା ମା’ ଟିଏ ନିଜର ଆଉ ନିଜ କୁଆର ଜୀବନ ବଞ୍ଚାଇବା ପାଇଁ ଘର ଘର ବୁଲି କାମ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା।ସେଇ କାମ କରିବା ଭିତରେ ଭେଟ ହୋଇଥିଲେ ସୁଲକ୍ଷଣା ଦେବୀଙ୍କ ସହିତ। ତାଙ୍କ ଘରେ ଦୁଇ ଓଳି ବାସନମଜା, ଝାଡୁପୋଛା କରୁଥିଲା ପାର୍ବତୀ। ବେଣୁଆ ଥିଲାବେଳେ ଶିଖରଚଣ୍ଡୀ ବସ୍ତିରେ ପଲା ଟିଏ ମାରି ରହୁଥିଲେ ସେମାନେ । ସେ ଯିବା ଦିନୁଁ ସେଇ ପଲାରେ କୁନି ଝିଅଟିକୁ ଧରି ଏକା ପଡି ରହିଛି ପାର୍ବତୀ ।


ଏକୁଟିଆ ଘରେ ଛୁଆକୁ ରଖିବାକୁ କେହି ନଥିବାରୁ ଝିଅକୁ କାଖରେ ଧରି କାମ କରିବାକୁ ଆସେ। ଖାଉନ୍ଦ ମାନଙ୍କ ଘର ବାରଣ୍ଡାରେ ଛୁଆ କୁ ଶୋଇଦେଇ କାମ କରେ, କାମ ସରିଲେ ଛୁଆକୁ ଧରି ଫେରିଯାଏ।ଏମିତି ଦିନେ କାମ କଲାବେଳେ ରାହା ଛାଡି କାନ୍ଦୁଥାଏ ମାମୁନି, ବାସନ ମଜା ଠାରୁ ବାରମ୍ବାର ଆସି ତା’କୁ କୋଳକୁ ନେଉଥାଏ ପାର୍ବତୀ ହେଲେ ସେ ମୋଟେ ଚୁପ୍ ହେଉନଥାଏ । ତା’ର କାନ୍ଦଣା ଶୁଣି ସେଦିନ ସୁଲକ୍ଷଣା ଦେବୀଙ୍କ ମନରେ ଦୟା ହେଲା । ସେ କହିଲେ ଏଡେ ବକଟେ ଛୁଆକୁ ସାଙ୍ଗରେ ନେଇ ଆସୁଛୁ କାମ କୁ,ଖାଇବାକୁ ଦେଉଛୁ ଯେ ତା’ ପେଟ ପୁରୁନି ବୋଧହୁଏ, ସେଇଥିପାଇଁ ରଡି ଛାଡି କାନ୍ଦୁଛି, କାହିଁକି ତା’ ବାପା କି ଆଉ କେହି ଘରେ ନାହାଁନ୍ତି କି ତା’କୁ ରଖିବାକୁ । ସୁଲକ୍ଷଣା ଦେବୀଙ୍କ ସ୍ନେହବୋଳା କଥା କେଇପଦ ଶୁଣି ଭୋ ଭୋ ହୋଇ କାନ୍ଦି ପକାଇଥିଲା ପାର୍ବତୀ, ନିଜର ଦୁଃଖ କାହାଣୀ ଶୁଣେଇଥିଲା ତାଙ୍କୁ ।ସବୁ ଶୁଣିବା ପରେ କିଛି ସମୟ ଗମ୍ଭୀର ହୋଇ ଚିନ୍ତା କରି କହିଲେ “ ତୁ ଗୋଟାଏ କାମ କର , ଆମର ବାଡି ପଟେ ଆଳିମାଳି ଜିନିଷ ପତ୍ର ରଖିବାକୁ ଛୋଟ ଘରଟିଏ ଅଛି , ତୁ ସେଇଠି ଆସି ରହ, ଆଉ ବାରଘର ବୁଲି କାମଧନ୍ଦା ନକରି ମୋ ଘରେ ମୋର ସହାୟିକା ଭାବରେ ରହ।ଏଇଠି ଖାଇବା ପିଇବା କରିବୁ, ମୋର କାମରେ ସାହାଯ୍ୟ କରିବୁ ଆଉ ତୋ’ ଛୁଆ କୁ ମଧ୍ୟ ଦେଖିବୁ। ସେଦିନ ପାର୍ବତୀ କୁ ମନେ ହୋଇଥିଲା ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ଉଭା ହୋଇଛନ୍ତି ତା’ ଦୁଃଖ ହରଣ କରିବାକୁ । ସୁଲକ୍ଷଣା ଦେବୀଙ୍କ ପାଦ ଦୁଇଟାକୁ ଜାବୁଡି ଧରି ଖୁବ୍ କାନ୍ଦିଥିଲା ଆଉ ଏଇ ଅୟାଚିତ ସାହାଯ୍ୟ ପାଇଁ ସାରା ଜୀବନ ତାଙ୍କର ଋଣୀ ହୋଇ ରହିବ ବୋଲି କହି ପରଦିନ ସକାଳୁ ନିଜର ଯତକିଂଚିତ୍ ସାମାନ ଥିଲା ତା’କୁ ପୁଟୁଳିରେ ବାନ୍ଧି ପହଞ୍ଚିଥିଲା । ସେଇଠୁ ଆରମ୍ଭ ହୋଇଥିଲା ତା’ର ନୂଆ ଜୀବନ। 


ପାର୍ବତୀ ନିଜର ମାଆ ଭଳି ଭକ୍ତି କରୁଥିଲା ସୁଲକ୍ଷଣା ଦେବୀଙ୍କୁ, ନିଷ୍ଠା ର ସହିତ ସବୁବେଳେ ସବୁ କାମରେ ସାହାଯ୍ୟ କରୁଥିଲା ତାଙ୍କୁ । ସୁଲକ୍ଷଣା ଦେବୀ ମଧ୍ୟ ନିଜର ଝିଅଭଳି ସବୁ ଦାୟିତ୍ଵ ନେଇଥିଲେ ପାର୍ବତୀ ର। ସମାଜ ସେବିକା ସୁଲକ୍ଷଣା ଦେବୀଙ୍କ ସାହାଯ୍ୟ ସହଯୋଗ ରେ ପାର୍ବତୀ ଘରୋଇ ଭାବରେ ପରୀକ୍ଷା ଦେଇ ମାଟ୍ରିକ୍ ପାଶ୍ କରିଥିଲା । ସୁଲକ୍ଷଣା ଦେବୀଙ୍କର ବଡଭାଇ ଥିଲେ ପୋଲିସ୍ ଡିଜି । ତାଙ୍କୁ କୁହାବୋଲା କରି ପାର୍ବତୀ କୁ ହୋମଗାର୍ଡ ରେ ଭର୍ତ୍ତି କରେଇ ଦେଇଥିଲେ ସୁଲକ୍ଷଣା ଦେବୀ । ଚାକିରି ହୋଇଯିବା ପରେ ମଧ୍ୟ ପୂର୍ବ ଭଳି ସେ ତାଙ୍କରି ଘରେ ରହୁଥିଲା ଆଉ ତାଙ୍କର ସବୁ କାମ କରୁଥିଲା ।ଏବେ ତିନି ବର୍ଷ ହେଲା ତା’ର ବଦଳି ହୋଇଛି ଖୋର୍ଦ୍ଧା ଜିଲ୍ଲା ସଦର ଥାନା କୁ, ତେଣୁ ଦଶ ବର୍ଷ ର ଝିଅକୁ ଧରି ସିଏ ଖୋର୍ଦ୍ଧା ଆସି ଭଡା ଘର କରି ରହିଲା । ମାମୁନି ସ୍କୁଲ୍ ଗଲା, ସିଏ ଅଫିସ୍, ମାଆ ଝିଅ ଦୁହେଁ ମିଶି ଘରକାମ ହାରୁଥିଲେ, ପାର୍ବତୀ ମାମୁନି ପାଇଁ ସୁଖର ଦିନ ସବୁ ସଜାଡୁଥିଲା ମନେମନେ।ହେଲେ ଈଶ୍ବର ପାର୍ବତୀ ଭାଗ୍ୟରେ ସୁଖ ଲେଖିନଥିଲେ। ଖୋର୍ଦ୍ଧା ଆସିବାର ଅଳ୍ପ ଦିନ ପରେ ମାମୁନି କୁ ଥରେ ଜର ହେଲା ଯେ ଆଉ ଛାଡିଲା ନାହିଁ । ବହୁ ଚିକିତ୍ସା ପରେ ଜଣା ପଡିଥିଲା ଯେ ତା’କୁ ବ୍ଲଡ୍ କ୍ୟାନସର୍ ହୋଇଛି। ଆକାଶ ଛିଡି ପଡିଥିଲା ପାର୍ବତୀ ଉପରେ । ତା’ର ଶେଷ ଆଶ୍ରାବାଡି ଟି କୁ ମଧ୍ୟ ଈଶ୍ବର ଏମିତି ଦଣ୍ଡ କାହିଁକି ଦେଲେ ସେ ଭାବି ପାରୁ ନଥିଲା, ନିଜର ସବୁ ଶକ୍ତି ସାମର୍ଥ୍ୟ ଲଗାଇ ଚିକିତ୍ସା କରାଉଥିଲା ମାମୁନି ର। ସ୍କୁଲ୍ ବନ୍ଦ କରି ମାମୁନି ଘରେ ରହୁଥିଲା ଔଷଧ ଖାଉଥିଲା। ଡାକ୍ତର କହୁଥିଲେ ମାମୁନି ଧୀରେ ଧୀରେ ସୁସ୍ଥ ହେଉଛି , ପାର୍ବତୀ ମନରେ ଆଶା ବାନ୍ଧୁଥିଲା। ପୂର୍ବ ଭଳି କାମକୁ ଯାଉଥିଲା ମାମୁନି କୁ ଘରେ ଛାଡି ଦେଇ।ସେଇ ଅସମୟରେ ରେ ଆସିଲା ଏ କରୋନା ମହାମାରୀ । ରାଜ୍ୟ ସରକାରଙ୍କ କଡା ଆଇନ୍ ରେ ବନ୍ଧା ପଡିଗଲା ପାର୍ବତୀ ର ଜୀବନ। ଏକା ପାର୍ବତୀ ବେହେରା କାହିଁକି ସମସ୍ତ ସରକାରୀ କର୍ମଚାରୀ ମାନେ ନିଜକୁ ଉତ୍ସର୍ଗୀକୃତ କରିଦେଲେ ମହାମାରୀ ସହିତ ଏଇ ଲଢେଇ ରେ । ନିଜର ଘର ପରିବାର , ସୁଖ ଦୁଃଖ ସବୁକୁ ଜଳାଞ୍ଜଳି ଦେଇ ଦିନ ରାତି ଏକାକାର କରି ସମସ୍ତେ ଲଢୁଛନ୍ତି କରୋନା ଯୋଦ୍ଧା ଭାବରେ। 


ଅନ୍ୟମନସ୍କତା ଭିତରେ କେତେବେଳେ ସେ ନିଜ ଘର ପାଖରେ ପହଞ୍ଚି ଯାଇଛି ଜଣା ନଥିଲା ପାର୍ବତୀ କୁ। ଘର ବାରଣ୍ଡାରେ ପାଦ ଲଗାଇ ସାଇକେଲ୍ ର ଘଣ୍ଟି ବଜାଇଲା ପାର୍ବତୀ । ସବୁଦିନେ ସିଏ ଅଫିସ୍ ଯିବା ବେଳକୁ ହାଏ ବାଏ କରି ହାତ ହଲାଇ ବିଦାୟ ଜଣାଇ କବାଟ ବନ୍ଦ କରି ଘରେ ରହେ ମାମୁନି।ମା’ର ନିର୍ଦ୍ଦେଶ ମାନି ରୀତିମତ ଔଷଧ ଖାଏ , ସ୍କୁଲ୍ ବହି ପଢି, ଖେଳେ, ଖାଏ, ପିଏ ,ଶୁଏ । ଅଫିସ୍ ଫେରନ୍ତା ମାଆର ସାଇକେଲ୍ ଘଣ୍ଟି ଶୁଣିଲେ ଚଟ୍ କରି ଆସି ଦରଜା ଖୋଲେ। ତା’ର ବସିଲା ମୁହଁ କୁ ଦେଖି ପାର୍ବତୀ ର ସବୁ ଦୁଃଖ କଷ୍ଟ ଉଣେଇଶହ ଯାଏ । ଆଜି କାହିଁକି ଦରଜା ଖୋଲୁନି । ପାର୍ବତୀ ସାଇକେଲ୍ ର ଘଣ୍ଟି ବଜାଇଲା ଆଉ ଥରେ... ଦୁଇଥର..., ତିନିଥର. । ତଥାପି ଦରଜା ଖୋଲୁନି । ପାର୍ବତୀ ର ମୁଣ୍ଡ ରେ ଦୁଃଶ୍ଚିନ୍ତା ପଶିଲା , କିଛି ଅଘଟଣ ଘଟିଛି କି ? ଘର ର ପଛ ପଟ କୁ ବୁଲି ଯାଇ ପଛ ଝରକା କୁ ହାତ ମାରିଲା ସେ ।ଝରକା ଅଧା ଖୋଲା ଥାଏ ସବୁବେଳେ, ସେଇ ପଟେ ଉହୁଁକି ଅଧା ଆଲୁଅ ରେ ଦେଖିଲା ମାମୁନି ଶୋଇଛି ଖଟ ଉପରେ , ବଡ ପାଟିରେ ଡାକିଲା “ ମାମୁନି, ମାମୁନି , ମାମୁନି ! ଏ ମା’ କବାଟ ଖୋଲ ରେ ମା’ । ବହୁତ ଭୋକ ହେଲାଣି, ଖାଇ ସାରି ପୁଣି ମତେ ଡିଉଟି କୁ ଫେରିବାକୁ ପଡିବ । ମା’ ରେ କବାଟ ଖୋଲ, କବାଟ ଖୋଲ, କବାଟ ଖୋଲ ରେ ମା’ ..... । ତା’ ର ଆକୁଳ ଚିତ୍କାର ଶୂନ୍ୟ ଘରଟାରେ ପ୍ରତିଧ୍ବନିତ ହୋଇ ଫେରି ଆସୁଥିଲା ତା’ରି ପାଖକୁ । ପାର୍ବତୀ କବାଟ ବାଡେଇ ବାଡେଇ ସେମିତି ପାଗଳୀଙ୍କ ଭଳି ଚିତ୍କାର କରି ଚାଲିଥିଲା। ଚିତ୍କାର ଶୁଣି ପାଖ ପଡୋଶୀମାନଙ୍କ ଗହଳି ଧୀରେ ଧୀରେ ଜଳୁଥିଲା ସେଇ ଘର ପାଖରେ । କେହି ଜଣେ ପୋଲିସ୍ କୁ ଖବର କରୁଥିଲା ......।



Rate this content
Log in

Similar oriya story from Tragedy