Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Lipi Sahoo

Comedy


4.3  

Lipi Sahoo

Comedy


ପ୍ରାଣପ୍ରିୟା ର ପାନଡଲା

ପ୍ରାଣପ୍ରିୟା ର ପାନଡଲା

7 mins 190 7 mins 190

ଓଲେଇ ଗାଈର ଥୋମଣି ପରି ରଙ୍କ ମଉସାଙ୍କ ଥୋମଣି 24*7 ବୁଲୁଥାଏ । ସତେକି ଜାଇ ରଗଡା ଫେଶା । ସକାଳେ ତିରିଶି ସନ୍ଧ୍ୟାରେ କୋଡ଼ିଏ । ଗାଏ ମୋଟ ପଚାଶ । ଏଇଟା କ'ଣ ଏବେକାର ଚାଲିଶି ବର୍ଷର ଅଭ୍ୟାସ । ଅଣଚାଶ ବୋହୁ କି ସମୁଦ୍ର ମାଡି ଆସୁ , ଦିନ ରେ ସୂର୍ଯ୍ୟ ବଦଳରେ ଚନ୍ଦ୍ର ବାହାରୁ ସେଥିରେ କିଛି ଯାଏ ଆସେ ନାହିଁ । ହେଲେ ରଙ୍କ ମଉସା ଙ୍କର ସବୁଦିନେ ପଚାଶ ଦରକାର ମାନେ ଦରକାର । ରାତି ପାହିଲେ କାହାର କ'ଣ ବେଉସା ନା , ହେଲେ ଶୁକୁଟି ମାଉସୀ ସକାଳ ହେଲେ ଡଲା ମେଲେଇ ବସେ । ସେଇଟା ବି ଏମିତି ସେମିତି ଡଲା ନୁହଁ । ପିତଳ ଡଲା, ସେଥିରେ ପୁଣି କେତେ କୋଟୀକମ ହେଇଛି । ଏଇ ଡଲା ସେ ବାପ ଘରୁ ଆଣିଥିଲା । ଆଜକୁ ବୟାଳିଶ ବର୍ଷ ତଳେ । ସେଥିରେ ଥାଏ କେତେ ରଙ୍ଗବେରଙ୍ଗର ଛୋଟବଡ ମସଲା ଡବା । ଛୁଆ ସମାନେ ସକାଳୁ ୟେ ସବୁକୁ ମେଲେଇ ବସେ । ଡବାକଡରେ ଓଦାକନାରେ ଗୁଡା ହେଇ ଜରି ଭିତରେ ଥାଏ ଅସଲ ଜିନିଷ । ସେ ବି ବାଡି ତୋଳା ତଟକା ସବୁଜ ବଡ଼ ବଡ଼ ପାନପତ୍ର । 

         ଏଇ ଡଲାରେ ଅସରନ୍ତି ତିକ୍ତ ମଧୁର ସ୍ମୃତି ସାଇତା ହେଇରହିଛି । ବୟାଳିଶ ବର୍ଷ ତଳେ ରଙ୍କ ମଉସା ସହ ତା'ର ଯେବେ ପ୍ରଥମ ରାତିରେ ଦେଖାହେଲା । ଲାଜ ଜଡସଡ ହେଇ ନିଜ ହାତ ଭଙ୍ଗା ପାନ ଖଣ୍ଡେ ବଢେଇ ଦେଲା । ନା ନା ମିଠା ମସଲାରେ ଭର୍ତ୍ତି ମହମହ ବାସୁଥିବା ସେ ପାନ ଖଣ୍ଡକ ନିଜେ ନ ନେଇ ରସିକ ଭଳି କହିଲେ , ତୁମେ ନିଜ ହାତରେ ଖୁଏଇ ଦିଅ ପ୍ରିୟେ ! ଏତିକି ଶୁଣି ମୁରୁକି ହସି , ଥର ଥର ହାତରେ ସେ ପାନ ଟି ନେଇ ରଙ୍କ ମଉସା ଙ୍କ ପାଟିରେ ପୁରେଇ ଦେଲା । ଆଗରୁ ସେ କେବେ ବି ପାନବିଡି ପାଟିରେ ଦେଇ ନଥିଲେ । ହେଲେ ସେ ଦିନ ଶୁକୁଟି ମାଉସୀ ପାନ କି କିମିଆ କଲା ଯେ ତାପର ଠାରୁ ତ ପାନ ତାଙ୍କର ଅମଳ ହେଇଗଲା । ସାଧାପାନ ରୁ କଡାପାନ, ପୁଣି ବଢ଼ି ବଢ଼ି ଏବେ ପଶାଚ ଖଣ୍ଡ ପାନ ଖାଇବା ଅଭ୍ୟାସ ହେଇଗଲା । ଘଡିର କଣ୍ଟା ପଛେ ବନ୍ଦ ହେଇଯିବ ହେଲେ ରଙ୍କ ମଉସାଙ୍କ ପାଟି ବୁଲିବା ବନ୍ଦ ହେବନି । 

           ଏବେ ବୋହୂ ଆସିଲାଣି । ପାଠପଢୁଆ ବୋହୂ । ଶଶୁର ଙ୍କ ଅଭ୍ୟାସ ଦେଖି ତା ଆଖି ଖୋସି ହେଇଗଲା । ଏତେ ଗୁଡେ ପାନ ! ହେଲେ ବୋହୂ ପଣିଆ ତ ଦେଖେଇବାକୁ ହେବନା । ଜୋର୍ କରି ପାନ ଭାଙ୍ଗି ବସିଲା । ଚୂନରେ ହାତ ଦେଲା ବେଳକୁ ନାକ ଟେକି ହେଇଗଲା । କଅଁଳିଆ ଗୋଲାପି ଆଙ୍ଗୁଳିରେ ଚୂନ ଲାଗିଲେ ଖାଇଯିବ ନି । ଶାଶୁ ତା ଦୁଃଖ ବୁଝିଲେ । ସାଙ୍ଗେ ସାଙ୍ଗେ ଗୋଟେ ଦାନ୍ତକାଠି ଆଣି ତା'ର ଗୋଟେ ପଟ ଶିଳରେ ଛେଚି ଚୂନ କାଠି ବନେଇ ଦେଲେ । ପୁଣି ଗୁଣ୍ଡି ଡବାଟା ଖୋଲୁ ଖୋଲୁ କହିଲା ମା ମୋ ମୁଣ୍ଡ ବୁଲଉଚି । ସେଇ ଦିନରୁ ତା ପାନ ଭଙ୍ଗା ବନ୍ଦ ହେଲା । ଏମିତି ବି ରଙ୍କ ମଉସାଙ୍କୁ ଆଉ କାହା ହାତରେ ଭଙ୍ଗାପାନ ଭଲ ଲାଗେନି । ଚୂନ ଆଉ ଗୁଣ୍ଡି ଲାଗି ଲାଗି ଶୁକୁଟି ମାଉସୀ ର ଆଙ୍ଗୁଳି ଏକ ରକମ ଖାଇ ଗଲାଣି । ହେଲେ ସକାଳେ ସନ୍ଧ୍ୟା ରେ ପାନଭାଙ୍ଗାରେ ବିରାମ ନଥାଏ । ଅଫିସ୍ ରେ କେହି ଯଦି ଶହେ କି ପଚାଶ ମାଗେ ହସି ହସି ବଢେଇ ଦେବେ , ହେଲେ ଯଦି କେହି ପାନଖଣ୍ଡେ ମାଗି ଦିଏ ତେବେ ତାଙ୍କ ଅକଲ ଗୁଡୁମ୍ ହେଇଯାଏ । ସତେ କି ହୃଦୟ ରୁ ଖଣ୍ଡେ ମାଗିଦେଲା । ସବୁ ହିସାବ ଗଡବଡ ହେଇଯାଏ । ଦିନକୁ ପଚାଶେ ମାନେ ପଚାଶ । ସେ କିଣା ପାନ କେବେ ବି ଖାଇନାହାନ୍ତି । ଜୀବନର ଚକ ଏମିତି ଗଡି ଚାଲିଥାଏ ।

            

          ବୋହୂ ଦିନେ ଶଶୁର ଙ୍କ ଏମିତି ପାନ ଖିଆ ଦେଖି ସ୍ବାମୀ ଙ୍କୁ କହିଲା ଏଇ ଶୁଣୁଛ , ବାପାଙ୍କ ବୟସ ହେଲାଣି । ଏଇ ବୟସରେ ଏତେ ଗୁଡେ ପାନ ଖାଇବା ତାଙ୍କ ଦେହ ପାଇଁ ଭଲ ନୁହେଁ । ଧୀରେଧୀରେ ଛାଡ଼ିଦେବା ଉଚିତ୍ । କଥାଟା ପୁଅ ମନକୁ ପାଇଲା ଆଉ ସତ କଥା ବି । ହେଲେ ଓଲେଇ ଗାଈର ମୁହଁ ରେ ତୁଣ୍ଡି ବାନ୍ଧିବ କିଏ ଆଉ କେମିତି ???? ସେଇ ଚିନ୍ତାରେ ପଡ଼ିଲା । ବୋହୂ ହିଁ ଉପାୟ ବତେଇଲା । ଚାଲ ଗୋଟେ ଫରେନ୍ ଟ୍ରିପ୍ ରେ ଯିବା । ବାପା ମା ଖୁସି ବି ହେଇଯିବେ । ଆଉ ସେଇ ମାଡ଼ରେ ପାନଖିଆ ବି ଛାଡ଼ି ଦେବେ । ପାନଖିଆ ଛଡେଇବାକୁ ଏହା ଏକ ବ୍ୟୟବହୁଳ ପନ୍ଥା । ହେଲେ ବାପା ଏବେ ଯେଉଁ ବୟସରେ ଉପନୀତ , ଏହା ନିହାତି ଜରୁରୀ ।

           ଦିନେ ପୁଅ ଆସି କହିଲା ବାପା ଚାଲ ମୁଁ ତମ ମାନଙ୍କୁ ବିଦେଶ ବୁଲେଇ ଆଣିବି । ରଙ୍କ ମଉସା ଜାଣିଥିଲେ ପୁଅ ଆର୍ଥିକ ଦୃଷ୍ଟିରୁ ସଂପୂର୍ଣ୍ଣ ସ୍ୱଚ୍ଛଳ । ସେ ୟେ ଖର୍ଚ୍ଚ ସହଜରେ ବହନ କରିପାରିବ । ହେଲେ ସେ ପୁଅକୁ ୟେତେ ଖର୍ଚ୍ଚାନ୍ତ କରେଇବାକୁ ଚାହୁଁ ନ ଥିଲେ ‌। ତେଣୁ ସେ ଦୋ ଦୋ ପାଞ୍ଚ ହେଲେ । ହେଲେ ୟା ପଛର ଷଡ଼ଯନ୍ତ୍ରର ଟେର ପାଇ ପାରିନଥିଲେ । ଶୁକୁଟି ମାଉସୀ ବିଦେଶ ନାଁ ଶୁଣି ମନେ ମନେ ଭାରି ଖୁସି ହେଇଗଲା । କେବେ ରାଇଜ ବାହାରେ ପାଦ ଦେଇନି । ସିଧା ବିଦେଶ ! ନିଶ୍ଚୟ ପରି ରାଇଜ ପରି ହେଇଥିବ । ରଙ୍କ ମଉସା ଗଳା ସଫାକରି କହିଲେ ପ୍ରଥମ ଥର ବିଦେଶ ଯିବୁ ଆଗ ବୋହୂକୁ ନେଇ ଯା । ତମେ ଦୁହେଁ ବୁଲାବୁଲି କରି ଆସ ପରେ କେବେ ଆମେ ଯିବୁ । ବୋହୂ ଏକା ତୋ ସାଙ୍ଗରେ ଗଲେ ଖୁସି ହେବ । ଶୁକୁଟି ମାଉସୀ ଟିକେ ମନ ଊଣା କରି ବସିଲା । ପୁଅ କହିଲା ନାଇଁ ନାଇଁ ବାପା ତମ ବୋହୂ ପା ୟେ ପ୍ରସ୍ତାବ ଦେଇଛି । ଏତିକି ଶୁଣି ବୁଢ଼ାବୁଢ଼ୀ ଦୁହିଁଙ୍କ ଛାତି ଖୁସିରେ କୁଣ୍ଢେମୋଟ ହେଇଗଲା ।

          

      ପରେ ପରେ ସମସ୍ତ ଆୟୋଜନ ଆରମ୍ଭ ହେଲା । ଭିସା ପାସପୋର୍ଟ ଆଦି ବନାହେଲା । ଟିକେଟ ଆଦି କଟା ହେଇଗଲା । ମାଉସୀ ବସି ପାନ ଭାଙ୍ଗୁଥିବା ବେଳେ ପୁଅ ଆସି ମାକୁ ସଫା ସଫା ଶୁଣେଇ ଦେଲା । ମା ଯିବାବେଳେ ତୋର ସେଇ ପିତଳ ପାନଡଲା ବ୍ୟାଗରେ ପୁରେଇ କି ନେଇ ଯିବୁନି। ସେଟା ଯାଇ ପାରିବନି । ଏୟାରପୋର୍ଟ ରେ ସେଟା ଛଡ଼ା ଯିବନି । 

      

     ହୋଇରେ ! ସେମାନେ କେମିତି ଜାଣିବେ ବ୍ୟାଗ୍ ରେ କ'ଣ ଅଛି ?? 

      ମା ସେମାନେ ସବୁ ଜାଣିପାରିବେ । ତାଙ୍କର ଯନ୍ତ୍ର ଅଛି ।


ମା ପୁଅ କଥା ହେଉଥିବା ସମୟରେ ରଙ୍କ ମଉସା ପଶି ଆସିଲେ । କୋଉ ଯନ୍ତ୍ର କଥା ହେଉଛ ମା ପୁଅ ???


ଦେଖୁନ ବାପା ! ମା ପାନ ଡାଲା ପୁରେଇକି ବ୍ୟାଗ୍ ରେ ନେବ କହୁଛି । ବିଦେଶରେ ପୁଣି ପାନ ! ଛିଗୁଲେଇ କି କହିଲା ପୁଅ ।


ସେତିକିବେଳେ ଚେତା ପଶିଲା ରଙ୍କ ମଉସାଙ୍କ । ଆରେ ସତେତ ସେ ୟେ ବିଷୟରେ ଭାବି ନାହାନ୍ତି । ସତେ କି ଚଡକ ପଡ଼ିଲା ! ଏତେ ବର୍ଷ ର ଅମଳ କେମିତି ଛାଡ଼ିବେ ??? ବିଦେଶ ଯିବେ ବୋଲି ପ୍ରାଣପ୍ରିୟ ପାନକୁ ଛାଡ଼ିଦେବେ ! ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ପୁଅକୁ କହିଲେ ତୋ ମା ଆଉ ମୁଁ ନ ଗଲେ ଚଳିବନି ?? ତମେ ଦୁହେଁ ଆଗ ବୁଲି ଆସ ପରେ କେବେ ଆମେ ଯିବୁ । ଏତିକି ଶୁଣି ଶୁକୁଟି ମାଉସୀ ମୁହଁ ଫଣଫଣ କରି ବସିଲେ ।


ପୁଅ ଚଟକିନି କହିଲା , ବାପା ତମେ ଭଲ କଥା କହୁଛ । ଏତେ ଟଙ୍କା ଖର୍ଚ୍ଚ ହେଇ ସାରିଲାଣି । ସବୁ ବୁକ୍ ହେଇ ସାରିଛି । ଏବେ କହିଲେ କିଛି ହେଇ ପାରିବନି ।


ରଙ୍କ ମଉସା ବୁଝି ପାରିଲେ ୟେ ବି ସତକଥା । ପୁଅ ସବୁ ବ୍ୟବସ୍ଥା କରିସାରିଛି । ତା'ର ମନ କଷ୍ଟ ଆଉ ଅର୍ଥ ନଷ୍ଟ ହେବ । ଏପଟେ ପ୍ରାଣପ୍ରିୟା ପତ୍ନୀ ମୁହଁ ଫୁଲେଇଲେଣି । ଗୋଟେ ପଟେ ପାନ ଆଉ ଗୋଟେ ପଟେ ପତ୍ନୀ ଆଉ ପରିବାର । ମହା ଧର୍ମ ସଙ୍କଟରେ ପଡ଼ିଲା ମଣିଷ । ସେ ତ ପାନ ବିନା ମୁହୂର୍ତ୍ତେ ବଞ୍ଚି ପାରିବେନି । ପାନ ବିନା ଜୀବନ ବିଷମୟ ହେଇଯିବ , ସେ ବିଦେଶରେ ବୁଲିବେ କ'ଣ , ଦେଖିବେ କ'ଣ ???? ୟେ କଥା ମୁଣ୍ଡରେ ଆଗରୁ ପଶିଲାନି ନ ହେଲେ ଯେମିତି ହେଲେ ବାହାନା କରି ଟ୍ରିପ୍ ରେ ଯିବାକୁ ମନା କରି ଦେଇଥାନ୍ତେ । ସେ କେବେ ସ୍ୱପ୍ନ ରେ ସୁଦ୍ଧା ଭାବି ନ ଥିଲେ ଜୀବନର ଅଧା ରାସ୍ତାରେ ପ୍ରାଣପ୍ରିୟାକୁ ଛାଡ଼ିବାକୁ ହେବ । ଏପରି କି ପାନଡଲା ତାଙ୍କ ସହ ମଶାଣିକୁ ଯିବ ବୋଲି ଭାବିଥିଲେ । ସବୁ ସ୍ୱପ୍ନ ଭାଙ୍ଗିଗଲା । ଖାଲିତ ଭିତରେ ଭିତରେ ଛଟପଟ ହେଲେ ରଙ୍କ ମଉସା । ମନ ମାରି ବସି ଦିନ ଗଣିଲେ କେବେ ବିଦେଶ ଯିବେ ଆଉ ପ୍ରାଣପ୍ରିୟା ଠାରୁ ବିଚ୍ଛେଦ ହେବ । ଖାଇବା ପିଇବା ଆଉ ରୁଚିଲା ନି । ଅନ୍ୟମନସ୍କ ରହିଲେ ସବୁବେଳେ ।


 ବୋହୂ ରଙ୍କ ମଉସାଙ୍କ ସବୁ ତାମସା ଦେଖିଲା । ଦିନେ ଯାଇ ଶଶୁରଙ୍କୁ କହିଲା ବାପା ଯିବାକୁ ତ ଆହୁରି ପନ୍ଦର ଦିନ ଅଛି । ଆପଣ ଆଜିଠାରୁ ସକାଳେ ଦଶଟା ସନ୍ଧ୍ୟାରେ ପାଞ୍ଚଟା ପାନ ସଂଖ୍ୟା କମେଇ ଦିଅନ୍ତୁ । ଆପଣଙ୍କୁ ହଠାତ୍ ବନ୍ଦ କରିବାକୁ କିଏ କହୁଛି ??? ଧୀରେଧୀରେ ସଂଖ୍ୟା କମେଇ କମେଇ ଆସିଲେ ଦେଖିବେ ପନ୍ଦର ଦିନ ପରେ ବିନା ପାନରେ ବି ଚଳିପାରିବେ । ବୋହୂ କଥା ଶୁଣି ମନେ ମନେ ରକ୍ତଚାଉଳ ଚୋବେଇଲେ ମଉସା । ହେଲେ ବୋହୂକୁ ତ କିଛି କହି ପାରିବେନି । କୃତ୍ରିମ ହସ ଫୁଟେଇ ମୁଣ୍ଡ ଟୁଙ୍ଗାରିଲେ କେବଳ ।


ବୋହୂ ଯିବାପରେ ମୁଣ୍ଡ ଥଣ୍ଡା ହେଲାପରେ ସେ ଭାବିଲେ ସତେତ ସେ ଠିକ୍ କହୁଛି । ଏମିତି ଧୀରେଧୀରେ କମେଇବାକୁ ହିଁ ପଡିବ ତାଙ୍କୁ । ଯେତେ ବାଡ଼େଇ କଚାଡି ହେଲେ କ'ଣ ହେବ?? ସେଠି ତ ଆଉ ପାନ ମିଳିବନି । ଆଉ ଏଇ ସମୟରେ ଯାଇ ପାରିବେନି ବୋଲି ବି କହି ପାରିବେନି । ଭଲା ଫସିଲା ମଣିଷ । ଭାରାକ୍ରାନ୍ତ ସ୍ୱରରେ ଶୁକୁଟି ମାଉସୀ କୁ ଡାକ ପକେଇଲେ । ହେଇ ! ଶୁଣୁଚ ...

ମାଉସୀ ଆସି ଠିଆ ହେଲେ , କ'ଣ ହେଲା ????


               ଆଜିକାଲି ମାଉସୀ ଭାରି ଖୁସି । ବିଦେଶ ବୁଲିଯିବ ବୋଲି । ସେ ବି ଦିନ ଗଣୁ ଥାଏ କେବେ ସେଦିନ ଆସିବ ସେ ଉଡାଜାହାଜ ରେ ବସିବ । ଡର ଲାଗିଲେ ମଉସା ହାତକୁ ମାଡି ବସିବ ଏମିତି କେତେ ସ୍ୱପ୍ନ ଦେଖି ଯାଉଥାଏ । କାହାର ପୁଷମାସ ତ କାହାର ସର୍ବନାଶ । ଏମିତି ବଲବଲ କ'ଣ ଚାହିଁଚ , କହୁନ କ'ଣ ପାଇଁ ଡାକିଲ ??? ମଉସା ମନେମନେ ଭାବିଲେ ସତରେ ସେ ଶୁକୁଟିକୁ ଆଜି ପର୍ଯ୍ୟନ୍ତ କ'ଣ ସୁଖ ଦେଇଛନ୍ତି ଯେ ?? ଓଲଟି ତାଙ୍କ ପାଇଁ ସେ ଦିନରାତି ଖଟିଚି । କେବେବି କୌଣସି ଅଭିଯୋଗର ସୁଯୋଗ ଦେଇନାହିଁ । ହେଲେ ଏତେ ବର୍ଷ ପରେ ସେ ଏବେ ଭାରି ଖୁସି , ଆଖି ରେ ଅନେକ ସ୍ୱପ୍ନ । ସେ ଖୁସି ବି ସେ ଦେଇ ନାହାନ୍ତି ପୁଅ ଦେଇଛି । ଏଇ ସମୟରେ ଯଦି ସେ ସ୍ୱାର୍ଥପର ହେବେ ବହୁତ ବଡ଼ ଭୂଲ ହେଇଯିବ । ତାଙ୍କୁ ତ୍ୟାଗ କରିବାକୁ ହିଁ ପଡ଼ିବ । ଯଦିଓ ତାଙ୍କ ୟେ ଅଭ୍ୟାସ ପାଇଁ ଶୁକୁଟି ହିଁ ଦାୟୀ । ସେ ବିଚାରି ତା ଭଲପାଇବା କୁ ପାନରେ ଭରି ଭରି ମୋ ମନ ଜିଣି ନେଇଥିଲା । ଏବେ ମୋ ପାଳି ତାକୁ ମୋ ଭଲପାଇବା ଦେଖେଇବା ସମୟ ଆସିଛି । ତା ଖୁସିରେ ମୋତେ ସାମିଲ ହେବାକୁ ହେବ ବିନା ଦ୍ବିଧାରେ । ତେଣିକି ଯେତେ କଷ୍ଟ ହେଉ । ନାଇଁମ ! ମୁଁ କ'ଣ କହୁଥିଲି କି , କାଲି ମୋ ପାଇଁ ମାତ୍ର ଦଶ ଖଣ୍ଡ ପାନ ଭାଙ୍ଗିବ । ଆସ୍ତେ ଆସ୍ତେ ଏଇ ଅଭ୍ୟାସ କୁ କମେଇଲେ ସିନା ପୁରା ଛାଡି ପାରିବି । ବିଦେଶରେ ବାବୁ ଭଳିଆ ଚଳିବାକୁ ହେବ ନା ......

               ଶୁକୁଟି ମାଉସୀ ମୁହଁ ରେ ଲୁଗାକାନି ଦେଇ ମୁରୁକି ହସ ମାରିଲେ । ଆରେ ଏଇ ହସ ତ ସେଇ ପ୍ରଥମ ରାତିର ହସ ପରି ଏକଦମ୍ ନିଆରା । ଏତେ ବର୍ଷ ପରେ ଏଇ ବୟସରେ ସେଇ ହସ ଦେଖି ରଙ୍କ ମଉସାଙ୍କ ଛାତିରେ ବିଜୁଳି ଚମକି ଗଲା ଯେମିତି । ମାଉସୀ ଲାଜେଇ କହିଲା , ଏତେ ଦିନ କରେ ସଉତୁଣୀ ଠାରୁ ମୁକ୍ତି ମିଳିଲା । ମୁଁ ପାନ ଭିତରେ ମୋ ଭଲପାଇବା ଭର୍ତ୍ତି କରି ତୁମକୁ ଖୋଇ ଶିଖେଇଲି ସିନା , ହେଲେ ମୁଁ କ'ଣ ଜାଣି ଥିଲି ସେ ଏମିତି ମୋର ସଉତୁଣୀ ବନି ଯିବ ......ଆଉ ଦଣ୍ଡେ ତାକୁ ଛାଡ଼ିବନି ବୋଲି । 


Rate this content
Log in

More oriya story from Lipi Sahoo

Similar oriya story from Comedy