STORYMIRROR

Sachidananda Kar

Tragedy

2.5  

Sachidananda Kar

Tragedy

ପର ଜୀବନ

ପର ଜୀବନ

2 mins
1.0K


ଭୋର୍। ଗୌରା ଓ ଗୀତାର ଦିନ ଆରମ୍ଭ ହେବାର ସମୟ ଇଏ।

ରାସ୍ତା କଡରେ ଗୋଟିଏ ଛୋଟ ଦୋକାନ।ଦୁହିଁଙ୍କର ହାତର ସ୍ପର୍ଶରେ ତାହା ଧୀରେଧୀରେ ଚଳଚଞ୍ଚଳ ହୋଇଉଠେ ଏଇଠୁ।

ରାସ୍ତାରେ ଆରମ୍ଭ ହୋଇ ଯାଇଥାଏ ମଣ୍ଣି ଓ୍ବାକ୍। ଧୀରେଧୀରେ ଫର୍ଚ୍ଚା ହେଉଥାଏ ଆକାଶ। ଗରାଖ ଆସିବାକୁ ଆରମ୍ଭ କରନ୍ତି।

ବିକ୍ରିବଟା ଆରମ୍ଭ ହୋଇଯାଏ। ଦୁହିଁଙ୍କର ହାତକୁ ଫୁରୁସତ୍ ନଥାଏ। ଚୁଲିରେ ଚା ଫୁଟୁଥାଏ।ଗୀତା ସହିତ ଟିକେ ମଜା କରିବାକୁ ଯାଇ ଚୁଲି ପାଖରୁ ଗୌରା କହେ - ଆଲୋ, ତୋର କେବେ ବାବୁଆଣୀ ହେବାକୁ ମନ ହୁଏନି ?

ଟିଫିନ୍ ପ୍ଲେଟରେ ବାଢୁବାଢୁ ଗୀତା କହେ - ତୁମେ ବାବୁ ହେଲେ ସିନା ମୁଁ ବାବୁଆଣୀ ହୁଅନ୍ତି।

ଦିନେ ଜଣେ ବାବୁଆଣୀ ଚା ପିଇ ସାରି ଉଠିଗଲେ ନାହିଁ।ଗୀତାକୁ କହିଲେ - ଆଜି କାହିଁକି ତମମାନଙ୍କ ସହିତ ଦୁଃଖ ସୁଖ ହବାକୁ ମନ ହେଉଛି।

ଗୀତା ଆଶ୍ଚର୍ଯ୍ୟ ହେଲା।ମୁର୍କି ହସିଲା।ପାଖରେ ଥାଇ କହିଲା - ଆମ ସହିତ ଆପଣଙ୍କର କି ସୁଖଦୁଃଖ ? ଗରିବ ଆମେ। ଏଇ ଦୋକାନ ଖଣ୍ଡିକରେ ଗୁଜୁରାଣ ମେଣ୍ଟୁଛି।

ବାବୁଆଣୀ କହିଲେ - ଏତେ ଅଭାବରେ ଥାଇ ବି ତୁମ ମଧ୍ୟରେ ଥିବା ମଧୁର ସଂପର୍କ ଆଉ ଉତ୍ତମ ବୁଝାମଣା ମୁଁ ଦେଖି ଆସୁଛି।ହିଂସା ଆସୁଛି ମନରେ।ତେଣୁ ଭାବୁଥିଲି ଦୁଃଖ ସୁଖ ହୋଇ ମନକୁ ବୁଝାଇଦେବି।

ଗୀତା ପୁଣି ହସିଲା। କହିଲା - ବାବୁଆଣୀ ହେବାର ସ୍ବପ୍ନ ନାହିଁ।ଯେମିତି ଅଛି ଭଲରେ ଅଛି।ତାଙ୍କ ଭଲପାଇବା ହିଁ ମୋର ସବୁକିଛି।ଏମିତିରେ ସମୟ ଗଡିଗଲେ ଯାଏ।

- ବାବୁଆଣୀମାନେ ବେଶ୍ ଭଲରେ ଥାଆନ୍ତି।ବୋଧହୁଏ ଏଇ କଥା କହିବାକୁ ଚାହୁଁଛୁ ତୁ ?  ବାବୁଆଣୀ କହିଲେ।

ଗୀତା କହିଲା - ହଁ,ଏଠି କୋଉ ଝିଅ ନ ଚାହେଁ ବାବୁଆଣୀ ହେବାକୁ ?ସବୁଦିନ ବିରି ବାଟିବାଟି ମୋ ହାତ ଦୁଇଟା ଛିଣ୍ଡି ପଡିଲା ପରି ଲାଗୁଛି।ସୁଖ ନିଦ୍ରା ଭାଙ୍ଗିଯାନ୍ତା।ମଣ୍ଣି ଓ୍ବାକ୍ ପାଇଁ ବାହାରି ଯାଆନ୍ତି।ସେପରି ମନ ହେଉଛି।

କଥାଟି କହି ଦେଇ ପୁଣି ହସିଲା ଗୀତା।

ବାବୁଆଣୀ ପୁଣି କହିଲେ - ଠିକ୍ ଅଛି।ଆରଜନ୍ମରେ ତୁ ବାବୁଆଣୀ ହେବୁ।ତାହେଲେ ଯାଇ ଦେଖି ପାରିବୁ ଏ ବାବୁଆଣୀମାନଙ୍କ ଜୀବନ କେମିତି।ମୁଁ କିନ୍ତୁ ଗୀତା ହେବାକୁ ଚାହିଁବି।  କହି ଉଠିଗଲେ ସେ।

- ବୁଝିଲ ! ଆରଜନ୍ମରେ ମୁଁ ବାବୁଆଣୀ ହେବି।ତୁମେ ବାବୁ ହୁଅ କି ନ ହୁଅ।

ବାବୁଆଣୀ ଚାଲିଗଲେଣି କେତେବେଳୁ।ଗୀତା କଣ ବୁଝିଲା ନ ବୁଝିଲା କେଜାଣି ! ଏଇ କଥାକୁ ଗୌରା ଆଗରେ ବାରମ୍ବାର ଘୋଷି ହେଉଥିଲା।

ପର ହେଉଥିଲା ଆପଣାର ଜୀବନ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy