STORYMIRROR

Er. Prakash Majhi

Tragedy Inspirational

3  

Er. Prakash Majhi

Tragedy Inspirational

ପଲ୍ଲୀ ବଣ ର ମହକ ମଲ୍ଲୀ

ପଲ୍ଲୀ ବଣ ର ମହକ ମଲ୍ଲୀ

3 mins
297

          ଅନେକ ଦିନ ପରେ ପୁଣି ଗାଁ'କୁ ବୁଲି ଯିବାର ସୁଯୋଗ ମୋତେ ଜୁଟିଥାଏ। ଯେତେବେଳେ ତା' ବକ୍ଷ ଦେଶରେ ମୋ ଚରଣ ସ୍ପର୍ଶ କଲା ମୋ ହୃଦୟରେ ଖେଳି ଯାଇଥିଲା ଅପୂର୍ବ ସିହରଣ ଓ ଜାଗ୍ରତ ହୋଇଥିଲା ବିଚିତ୍ର ଅନୁଭବ। ଲାଗିଲା ଯେମିତି ସେ ମୋତେ ବହୁତ ଦିନରୁ ଅପେକ୍ଷା କରି ରହିଛି। ଅନେକ ଦିନ ପରେ ପୁଣି ସେଇ ବାସନା,ସେଇ ରଙ୍ଗ, ପ୍ରକୃତିର ବନ ପାହାଡର ଖୋଲା ପବନ.....ମୋ ଅତୃପ୍ତ ମନକୁ କରି ଦେଇ ଥାଏ ଭାବ ବିହୁଳ;ଯେଉଁଠୁ ମୁଁ ଜନ୍ମିଛି;ଯାହାର କୋଳରେ ମୋ ପିଲାଦିନର ସୁଖ,ଦୁଃଖ ଅତିବାହିତ ହୋଇଛି। ଗାଁର ସାଙ୍ଗସାଥୀ,ମା' ହାତ ରନ୍ଧା ପଖାଳ ଭାତ,ତା' ମିଠା ସ୍ୱରର କଅଁଳ ଡାକ;ବାପାଙ୍କର ଉପଦେଶ;ବରିଷ୍ଠ ମାନଙ୍କ ଆଦର୍ଶ ଓ ବିଶେଷ କରି ପ୍ରାଣ ନନାଙ୍କ ସହ ମୋର ଗୁଲିଗପ.....ଏହାକୁ ମନେ ପକାଇଲେ ମୋ ହୃଦୟର କୋହକୁ ମୁଁ ଅଟକେଇ ପାରେନା। ନୟନରୁ ବାହାରି ଆସେ ଲୋକାୟତ ହୋଇଥିବା ଅଶ୍ରୁର ଧାର। ବିଶେଷ କରି ବିଦ୍ୟା ଅଜାର ଟାହି ଟାପରା ଓ ଅର୍ଜୁନା ଅଜାର ଗାନ୍ଧୀବାଦ ନୀତିବାଣୀ ଅତି ସ୍ମରଣୀୟ। ସେଇ ସ୍ନେହ ସଂପର୍କର ଅତୁଟ ବନ୍ଧନ ସବୁବେଳେ ମୋତେ ହାତ ଠାରି ଡାକେ। କିନ୍ତୁ ମଣିଷ ସମୟର ଦାସ।ଅଭିଳାଷ ଥାଇ ମଧ୍ୟ ଦୂରରୁ ଥାଇ କେବଳ ମନେ ପକାଇବା ଛଡା ଅନ୍ୟ କିଛି ଉପାୟ ନଥାଏ। ତଥାପି ଭାବେ ସମୟ ଶୀଘ୍ର ଆସୁ କିପରି ଯାଇ ଏ ସହରର ଯନ୍ତ୍ରର ଆର୍ତ୍ତନାନ୍ଦ ଶବ୍ଦ,ଜନଗହଳି ପଥରେ ଗମନା ଗମନ ଯାନ ବାହାନ ର ପେଁ ପାଁ ଶବ୍ଦ ଓ ଅଣ ନିଶ୍ୱାସୀ ଭାବେ ଜୀବନ ଅତିବାହିତ କରୁଥିବା କଳକାରଖାନା ରେ ଭର୍ତ୍ତି ଦୂଷିତ ବାୟୁ ପରିବେଶ ରୁ ମୁକୁଳି ବୁଲି ଆସିବି ସେଇ ନିସ୍ତବ୍ଧ ମା'ର ସୁଗନ୍ଧ ମାଟିକୁ ଓ ଅନୁଭବ କରିଆସିବି ତା'ର ମୁକ୍ତ ପବନକୁ। ପ୍ରାଚୀର ସଦୃଶ ଚତୁଃ ପାର୍ଶ୍ବରେ ସୁସଜ୍ଜିତ ହୋଇ ଦଣ୍ଡାୟମାନ ଟାଙ୍ଗିରି ଶିଖରର ଅବର୍ଣ୍ଣନୀୟ ଶୋଭା ଓ ଦର୍ଶନ କରି ଆସିବି ଗୋହିରା ଝରଣାର ମଧୁର ସଂଗୀତକୁ;ବନ ବିହଙ୍ଗର କାକଳି, ସବୁଜ ଅରଣ୍ୟ ମାୟାକୁ। ପ୍ରକୃତିର ଏଇ ନିବିଡ ଆକର୍ଷଣରେ ମୁଁ ଆପେ ତା' ଆଡକୁ ଟାଣି ହୋଇଯାଏ। ବଣ ପାହାଡ ଘେରା ଓଡିଶା ରାଜ୍ୟରେ ଦେବଗଡ ଜିଲ୍ଲା ରେ ଅବସ୍ଥିତ ଏଇ ଛୋଟ ଗାଁ'ଟି। ନାମ ତା'ର ଗୁଣ୍ଡିଆପାଲି। ଏହାର ନିବିଡ ଅରଣ୍ୟ ର ରୂପ ମାଧୁରୀ ପଥିକ ପ୍ରାଣରେ ସୃଷ୍ଟି କରେ ଆନନ୍ଦ ର ଢେଉ। ସେଇଠି ଲୁଚି ରହିଛି ମୋର ଅନେକ ସ୍ମୃତି ଓ ଅନୁଭବ। ତା' ଠାରୁ ପାଇଛି ମୁଁ କେତେ ଯେ ଅଭିଜ୍ଞତା ତାହା ଅବର୍ଣ୍ଣନୀୟ। ଗୁରୁଣ୍ଡିବା ଠାରୁ ଆରମ୍ଭ କରି ଏଯାପତ ସିଏ ପ୍ରଦାନ କରିଛି ଅନେକ ଶିକ୍ଷା ଯାହା କେବଳ ନୀତି ନୁହଁ ଦୈନ ଦିନ ଜୀବନ ର ଚଲାପଥକୁ ସାହାସର ସହିତ ଅତିକ୍ରମ କରିବା ପାଇଁ ଦେଇଥାଏ ପ୍ରେରଣା। ଏଭଳି ଏକ ଦୃଶ୍ୟ ପଟ୍ଟ ରୁ ମୁଁ ଉପଲବ୍ଧି କରିଥିଲି ଆଉ ଏକ ଅଭିଜ୍ଞତା ଯାହା ମୋତେ ବାଧ୍ୟ କରିଥିଲା କଲମ ଧରିବା ପାଇଁ ଓ ଘଟଣାଟି ବର୍ଣ୍ଣନା କରି ପାଠକ ମନରେ ଭରି ଦେବା ପାଇଁ ଏକ ଚେତନା କିପରି ବିପଦ ସହ ସଂଗ୍ରାମ କରି ଆମେ ସାଉଣ୍ଟି ପାରିବା ସଫଳ ଓ ପ୍ରସ୍ତୁତି କରିବା ନିଜକୁ।

          ତା' ନା ନିର୍ମଳା। ସନାତନ ବାବୁଙ୍କର ୧୫ ବର୍ଷର ଝିଅଟିଏ। ଦେଖିବାକୁ ଭାରି ସୁନ୍ଦର। ପାଠ ପଢାରେ ମଧ୍ୟ ବହୁତ ଉତ୍ତମ। ଘରେ ତା'ର ରୋଗରେ ପୀଡିତା ମାଆର ସେବା ଶ୍ରୁଶୁଷା ବହୁତ ଭଲ ଭାବରେ କରେ। ତାଙ୍କ ଘର ଠାରୁ ବିଦ୍ୟାଳୟଟି ପାଖା ପାଖି ୪କିଲୋମିଟର। ପ୍ରତ୍ୟେକ ଦିନ ପାଦରେ ଚାଲି ଚାଲି ସେ ପାଠ ପଢିବାକୁ ଯାଏ। ଫେରିଲେ ଘରର ସବୁ କାମ ସହିତ ପାଠ ପଢା ବେଶ ଭଲ ଭାବରେ କରେ। ଏ ବର୍ଷ ଦଶମ ଶ୍ରେଣୀ ର ବୋର୍ଡ ପରୀକ୍ଷା। ସେ ଦିନ ଥାଏ ମାତୃଭାଷା। ସକାଳ ପାଇଲେ ସେ ପରୀକ୍ଷା ଦେବାକୁ ଯିବ। କିନ୍ତୁ ଭାଗ୍ୟର ବିଡମ୍ବନା, ସେ ଭାବିଥିଲା କିଛି ହେଲେ ଅନ୍ୟ କିଛି ହେଲା;ଦେଖି ଉଠେ ତ ତା' ମା' ତାକୁ ଛାଡି ଦେଇ ଚାଲି ଯାଇଛି ଆରପାରିକୁ। ସେତେବେଳକୁ ପରୀକ୍ଷା ର ସମୟ ହୋଇ ଆସୁ ଥାଏ। ବାପାଙ୍କୁ ବୁଝାଇ ସାନ୍ତ୍ବନା ଦେଇଥିଲା ନିର୍ମଳା। ଭଗବାନଙ୍କ ଲିଖନିକୁ କେହି ବଦଳାଇ ପାରିବେ ନାହିଁ;ଆପଣ ଧୈର୍ଯ୍ୟ ଧରନ୍ତୁ। ମାଆକୁ ତିନି ଘଣ୍ଟା ପାଇଁ ଘରେ ରଖନ୍ତୁ। ମୁଁ ପରୀକ୍ଷା ଦେଇ ଫେରିଲେ ଚିତା ଅଗ୍ନି ଦେବି। ଯେହେତୁ ତାଙ୍କର କୌଣସି ପୁତ୍ର ସନ୍ତାନ ନଥାନ୍ତି ତେଣୁ ନିର୍ମଳା କୁ ଅପେକ୍ଷା କରାଗଲା। ଏବଂ ତା'ର ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ପୋଡା ଯାଇଥିଲା। ଏହା ଦେଖି ମୁଁ ଅବାକ୍ ହୋଇ ଯାଇଥିଲି।ତିନିମାସ ପରେ ଶୁଣିଲି ସେଇ ଝିଅ ପରୀକ୍ଷା ରେ ସର୍ବୋଚ୍ଚ ନଂବର ରଖି ସଫଳତା ହାସଲ କରିଛି। ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଧୈର୍ୟ୍ଯ ମଣିଷ କୁ ସଫଳତା ପ୍ରଦାନ କରେ ଓ ମୋ ଗାଁ ମାଟିର ବୁକୁ ରେ ନିର୍ମଳା ଭଳି ଗୋଟିଏ ଗୋଟିଏ ପଲ୍ଲୀ ବରଣ ମହକ ମଲ୍ଲୀ ପ୍ରସ୍ପୁଟିତ ହୋଇ ସମାଜରେ ତାଙ୍କର ବାସ ବିତରଣ କରିଥାନ୍ତି। 


Rate this content
Log in

Similar oriya story from Tragedy