Lipi Sahoo

Comedy Children

4.5  

Lipi Sahoo

Comedy Children

ପଖାଳ ଦିବସ ର ହଟହଟା

ପଖାଳ ଦିବସ ର ହଟହଟା

3 mins
301


ଏଡା ବାବୁ ସକାଳୁ ଫେସବୁକ୍ ଖୋଲି ପୋଷ୍ଟ ଦେଖୁ ଦେଖୁ ଆଖିରେ ପଡିଲା ପଖାଳ ଦିବସ । ହଠାତ୍ ତ କାହିଁକି ଜାତୀୟପ୍ରୀତି, ସଂସ୍କୃତିପ୍ରୀତି, ଐତିହପ୍ରୀତି ସବୁ ହାବୁକା ମାରି ଭିତରୁ ଉଠିଲା । ଆଉ ସମ୍ଭାଳି ପାରିଲେନି ଡାକ ଛାଡିଲେ "ଲବଣୀ" ଶୁଣ ମ !! ଆଜି ପଖାଳ ଦିବସ ପାଳିବା । 

  

       ଆଖି ତରାଟି ଶ୍ରୀମତୀ ଆସି ପଚାରିଲେ, ସେଟା ପୁଣି କ'ଣ ଲୋ ମା ?? ଏଡାବାବୁ ପ୍ରୀତି ଫୁଲିଆ ହସ ମାରି କହିଲେ , ତୁମେ ସେ କଥା ବୁଝିପାରିବନି କାରଣ କୌଣସି ଜିନିଷ କୁ ଭିତିରି କରି ଦେଖିବାର ମୁଣ୍ଡ ତୁମର ନାଇଁ । 


           ହଉ ଶୁଣ ଆଜି ପଖାଳ ସହ ଛଟପଚ ପୋହଳା ଭଜା, ଶୁଖୂଆ ଚଟଣୀ , ସାତ ପ୍ରକାର ଶାଗର ଚଡଚଡି ଆଉ ଚୂନା ଚିଙ୍ଗୁଡି ଶୁଖୂଆ ବେଷର ହେବ ବାସ୍ । ସଦର୍ପରେ ମେନ୍ୟୁ ବଖାଣି ବସିଲେ ।

           ସାଧା ସିଧା କହୁନ ପଖାଳ ଖାଇବ ୟେତେ କଥା କାହିଁକି ଜୋଡୁଚ ?? ପଖାଳ ଦିବସ , ଡାଲମା ଦିବସ ଏ ସବୁ କ'ଣ ଲୋ ମା !! ନିହାତି ଛୋପରା କଥା । 

            

         ଛାଡ , ଛାଡ !! ସ୍ତ୍ରୀମାନେ କେବେ ବି ସ୍ବାମୀ ମାନଙ୍କ ଅନ୍ତର କଥା ବୁଝିପାରନ୍ତି ନି । ଆଉ ଖୁଣ୍ଟ ଟା ଭଳି ଠିଆହେଲ କାହିଁକି ?? ବ୍ୟାଗ ଆଉ ଟଙ୍କା ଆଣ । କିଛି ସମୟ ପରେ ଟଙ୍କା ଆଉ ବ୍ୟାଗ୍ ଧରି ଏଡାବାବୁ ଏମିତି ବାହାରିଗଲେ ସତେକି ସିପାହୀ ବିଦ୍ରୋହରେ ଯୋଗ ଦେବେ । 


        ହାଟ ଭିତରେ ଘଣ୍ଟାଏ ଏପଟ ସେପଟ ହେବା ପରେ ସବୁ ପାଇଗଲେ , ହେଲେ ଫିରିଫିରା ଶାଗଟା କାହାରି ପାଖରେ ନଥିଲା । ତାଙ୍କ ଗାଁ ରେ ଏଇ ଶାଗ ବହୁତ ହୁଏ । ଆଉ ଏଇ ଶାଗ ଯିଏ ଥରେ ଖାଇଛି ତା'ର ସ୍ବାଦ ଜୀବନ ସାରା ଭୂଲିବନି । ହତାଶ ହେଇ ଶେଷମୁଣ୍ଡ ରେ ବସି ଥିବା ଶାଗବାଲାକୁ ଯାଇ ପଚାରେଲେ ଫିରିଫିରା ଶାଗ ଅଛି ?? ଏମିତି ଏଡାବାବୁଙ୍କୁ ଅନେଇଲା , ସେ ଯେମିତି ମଙ୍ଗଳଗ୍ରହରୁ ଆସିଥିବା ଏକ ଜନ୍ତୁ । 

       

ସେଟା କି ଶାଗ ସାର୍ ? ଏଡାବାବୁ ବି ଛାଡିବା ଲୋକ ନୁହଁ , ସେ ଗଛର ଡାଳ , ପତ୍ର, ଫୁଲ,ଫଳ, ଚେର ସବୁ ବର୍ଣ୍ଣନା କରିଗଲେ । ସତେକି ଜଣେ ଉଦ୍ଭିଦ ବିଶେଷଜ୍ଞ ।


ସେ କେବଳ ମୁଣ୍ଡ ଟୁଙ୍ଗାରି ମନା କରି ଦେଲା । ଅଧ ଘଣ୍ଟେ ଭାଷଣ ଶୁଣିବା ପରେ । 


ପରାଜିତ ସୈନ୍ୟପରି ଫେରିବା ବାଟ ରେ ହଠାତ୍ ତାଙ୍କ ଆଖି ପଡିଗଲା ଗୋଟେ ଘର ପାଚିରୀ କଡରେ । ପୁଞ୍ଜାଏ କଅଁଳିଆ ଫିରିଫିରା ଉଠିଥାଏ । ଏଡାବାବୁ ଙ୍କର ଆଖି ଝଲସି ଉଠିଲା । ସତେକି ଲକ୍ଷେ ଫଗୁଣର ମଳୟ ବୋହିଗଲା । ଝନଝନିଆ ଶାଗ କେରାକ ଦେଖି ଆଉ ସମ୍ଭାଳେ କିଏ ?? ବ୍ୟାଗ୍ ଟା ତଳେ ରଖିଦେଇ ଶାଗ ତୋଳାରେ ଲାଗିଗଲେ । ପ୍ରାୟ କୋଡିଏ ମିନିଟ୍ ଝାଳବୁହା ପରିଶ୍ରମ କରିବା ପରେ , ଶାଗ ତୋଳା ସରିଲା । ବ୍ୟାଗ୍ ରେ ରଖିବା ପାଇଁ ପଛକୁ ବୁଲି ପଡିଲା ବେଳକୁ ଦେଖିଲେ ମଣିଷ ଉଚ୍ଚ ଅର୍ଘାସୁର ଭଳି କୁକୁରଟେ ଠିଆ ହୋଇ ଜିଭ ଲହ ଲହ କରି ତାଙ୍କୁ ଅନେଇଚି । ଠପ୍ କରି ନିଶ୍ୱାସଟା ବନ୍ଦ ହୋଇ ଗଲାକି ଆଉ ? ମନେମନେ ବିରକ୍ତ ହୋଇ କହିଲେ , କେଡେ ଅଭଦ୍ର ??ଘର ମାଲିକଟା କିରେ !! ଗେଟ୍ ରେ ଲେଖିପାରିଲା ନି , "କୁକୁର ପ୍ରତି ସାବଧାନ" ବୋଲି । କିଛି ଉପାୟ ନ ପାଇ , ଏପଟ ସେପଟ ଅନେଇଲେ । ସେ ବି ଶିକାରୀ ଆଖିରେ ତାଙ୍କରି ଆଡକୁ ଅନେଇ ଥାଏ ଏକ ଲୟରେ । ଶାଗ କେରାକ ଫୋପାଡି ଦେଇ , ପ୍ରାଣ ବଞ୍ଚାଇ ଏକ ନିଶ୍ୱାସରେ ପବନ ବେଗ ରେ ଧାଇଁଲେ । କେତେ ବାଟ ଧାଇଁଲା ପରେ ମନେ ପଡ଼ିଲା ବ୍ୟାଗ୍ କଥା । ପ୍ରାଣ ଆଗ ନା ବ୍ୟାଗ୍ ଆଗ ?? କୋଉ ବେଳା ରେ ମଣିଷ ଘରୁ ବାହାରି ଥିଲା କେଜାଣି ?? ବ୍ୟାଗ୍ ବି ଗଲା ପଖାଳ ଖିଆ ନିଶା ବି ।   


         ଘରେ ଘରଣୀ ବାବୁଙ୍କୁ ଖାଲି ହାତରେ ଦେଖି , ତାଙ୍କ ରାଗ ପଞ୍ଚମକୁ ଉଠିଗଲା । କିହୋ !! ଜିନିଷ କାଇଁ , ବ୍ୟାଗ କାଇଁ ??? ତମ ମୁହଁ ଏମିତି କାହିଁକି କଳାକାଠ ପଡ଼ିଯାଇଛି ?? କଥା କ'ଣ ???

   

       ଓହଃ !! କିଛି ପଚାରନା , ଆଜି ବୁଝିଲି ଫିରିଫିରା ଶାଗ ବି ଜୀବନ ନେଇ ଯାଇ ପାରେ ହୋ !!! ବାଇଗଣ ଦୁଇଟା ପୋଡି ଦିଅ ତାକୁ ଲଗେଇ ପଖାଳ ଖାଇ ଦେବା । ହେଲେ କ'ଣ ହେବ ?? ଆଖିରେ ଖାଲି ତଟକା ଛଟପଟ ପୋହଳା ଆଉ ଚୂନା ଚିଙ୍ଗୁଡ଼ି ଶୁଖୁଆ ନାଚି ଯାଉଥାନ୍ତି । ଫିରିଫିରା ଶାଗ ଚକ୍କର ରେ ସବୁ ଚାଲିଗଲା । ପଖାଳ ଦିବସ ଟା ମାଡ ଖାଇଗଲା ........।।।

 

            

            


Rate this content
Log in

Similar oriya story from Comedy