ଫେସବୁକ ପ୍ରେମ
ଫେସବୁକ ପ୍ରେମ


ଆଜିକାଲି ଜିଓ ଏବଂ ଫେସବୁକର ଜମାନା। ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଜିଓ ଫୋନ୍। ଆଉ ଭଳିକି ଭଳି ସାଙ୍ଗସାଥୀ ସହ ଚାଟିଙ୍ଗ୍। ଜିଓତ ଆଣିଦେଇଛି ହାଇସ୍ପିଇଡ୍ ନେଟ୍ଓ୍ବାର୍କ ,ଆଉ ପ୍ରୋବଲମ କ'ଣ ? ପିଲାଠୁ ବୟସ୍କ ସମସ୍ତେ ବ୍ୟସ୍ତ ! କିଏ ନିଜର ଫୋଟକୁ ସୁନ୍ଦରରୂପ ଦେଉଛନ୍ତି ଆଉ କିଏ ଟିକଟକରେ । ଵିଭିନ ପୋଜ୍ ରେ ଫଟୋ ଉଠାଇବା ପରେ ତାକୁ ଫେସ୍ ବିୟୁଟିରେ ସୁନ୍ଦର କରାଇ ଫେସବୁକରେ ଅପଲୋଡ କରୁଛନ୍ତି।
ସେମିତି ଏକ ନିଶାରେ ରେ ପଡିଯାଇଛନ୍ତି ବେଙ୍ଗ ମାଉସୀ ।ବୟସ ପାଖାପାଖି ଷାଠିଏ ହେବ କିନ୍ତୁ ଦେଖିଲାବେଳକୁ ଲାଗନ୍ତି ତାଠୁ କମ୍।ଏତେ ବୟସରେ ମଧ୍ୟ ନିଜ ଶରୀର ପ୍ରତି ଆଦୌ ଅବହେଳା କରନ୍ତି ନାହିଁ ବେଙ୍ଗ ମାଉସୀ।ନିଜକୁ ନିଜେ ଷୋଡଶି ବୋଲି ଭାବନ୍ତି।ସ୍ନୋ ପାଉଡର ଅତରରେ ଗମଗମ ଦେହ।ତନୁ ପାତଳିକୁ ଲମ୍ବା ଶରୀର ବେଶ ମାନେ।ମୁଣ୍ଡରେ ଡ୍ରେସକୁ ମ୍ୟାଚିଙ୍ଗ୍ କଲାଭଳି ନକଲି ଚୁଟି ଲଗାଇ ଦିଅନ୍ତି ଆଉ ସନ୍ଧ୍ୟା ହେବାକ୍ଷଣି ଘରୁ ବାହାରି ପଡନ୍ତି ବୁଲିବାକୁ।ନକଲି ଚୁଟି ଖୋଲିଦେଲେ ଅସଲି ଚୁଟି କେତେ ଜଣା ପଡିଯାଏ। ବାହାରୁ ଅର୍ଡର ଦେଇ ବିଭିନ୍ନ ରକମର ନକଲି ଚୁଟି ଆଣିଥାନ୍ତି ପିନ୍ଧିବାକୁ।
ବେଙ୍ଗ ମାଉସୀ ନକଲି ଚୁଟି ଲଗାଇ ଭଳିକି ଭଳି ଫୋଟ ନିଜେ ଉଠାଇ ଫେସବୁକରେ ଅପଲୋଡ କରନ୍ତି କେତୋଟି ଲାଇକ ମିଳିଗଲେ ମନରେ ଭାରି ଖୁସି....।ତାର ସୀମା ନଥାଏ। କେହି କେହି ଜାଣି ନଥାନ୍ତି ତାଙ୍କର ନକଲି ଚୁଟି ବିଷୟରେ।ଅନ୍ୟମାନଙ୍କର ରୂପ ବଦନକୁ ଦେଖି ବାହୁନି ଦିଅନ୍ତି।କାହାକୁ କହନ୍ତି ଇଏ ବାଘ ଭଳି ଦିଶୁଛି ଆଉ ତା ମୁହଁଟା ନା ଠିକ୍ ବଳଦ ପରି।ଆଉ କାହାକୁ ଭାଲୁ ବୋଲି ଆଖ୍ୟା ଦିଅନ୍ତି ସତେ ଯେମିତି ନିଜେ ଜଣେ ସେ କନ୍ଧର୍ପ।କଥା କଥାକେ ଇଏ ଏମିତି ସିଏ ସେମିତି।ସମସ୍ତଙ୍କର ରୂପବଦନକୁ ନେଇ ତାତ୍ସଲ୍ୟ। ସେ କେବେ ଭାବନ୍ତି ନି ଯାହାକୁ ଦଇବ ଯେମିତି ଗଢିଛିି ସେ ସେମିତି ରହିବ।
ହାତରେ ବିଭିନ୍ନରକମର ମୋବାଇଲ।ତା ସାଙ୍ଗକୁ ଜିଓ ସିମ୍ ଓ ଇଣ୍ଟରନେଟ୍ ପ୍ଯାକ୍ ,ଖାଇବା ପିଇବା ସବୁ ଭୁଲି ଫେସବୁକ୍ ପଛରେ ଲାଗିପଡନ୍ତି ବେଙ୍ଗ ମାଉସୀ।କେତେ ଫୋନ ଚୋରି ଯାଇଛି ସମୂହ ମିଶାଇଲେ କମ୍ ସେ କମ ଆଠ ଦଶଟି ହେବ। ନକଲି ଚୁଟି ଠିକ୍ କରୁ କରୁ ଫେସବୁକ୍ ଦେଖୁ ଦେଖୁ ଦିନରାତି ତ କେଉଁଆଡେ ଚାଲିଯାଏ। ସିନେମା, ଗୀତ, ନାଚ, ଧାରାବାହିକ ଦେଖି ସବୁ ସମୟ ଚାଲିଯାଏ ଆପେ ଆପେ। ଟେଲିଭିଜନ ଆଗରେ ବସିବା ଦରକାର ନାହିଁ କି ଧାରାବାହିକର ସମୟକୁ ଅପେକ୍ଷା କରିବାର ନାହିଁ। ଯେତେବେଳେ ଯାହା ମନ ହେବ ଦେଖି ଦିଅନ୍ତି ଏଥିରୁ । କେବଳ ସେତିକି ନୁହଁ, ଫେସବୁକ, ହ୍ବାଟସଆପ୍, ଟୁଇଟର ଓ କେତେ କଣ ଜିନିଷ ଖୁନ୍ଦି ହୋଇ ରଖିକରି ମୋବାଇଲରେ ଦିନରାତି ଏହାର ପଛରେ ଲାଗିପଡନ୍ତି।
ପଢାପଢି ମାନେ ମୋବାଇଲରେ ଓଡିଆ ପେପରର ହେଡିଙ୍ଗ୍ ମାନ ପଢିବା।ପ୍ରତ୍ୟେକ ଦିନ ନିତ୍ୟକର୍ମ ସାରି ଦେଇ ମୋବାଇଲରେ ଦୈନିକ ଖବର କାଗଜର ଦୁଇ କିମ୍ବା ତିନି ଲାଇନ ବଡ ପାଟିରେ ପଢନ୍ତି। ଆଉ ବୋହୁକୁ ବଡପାଟିରେ ଡାକ ଛାଡି କହନ୍ତି ଆଲୋ ରାବି ଆଜି ଅମକ ତିଥି ଆଜି ଅମକ ବାର ଆଜି ଅମକ ଓଷାଲ......।
ଆଜି ବର୍ଷାହେବ ଦୁଇଦିନ ହେଲାଣି ଲଘୁଚାପ ସୃଷ୍ଟି ହୋଇଛି।ଆଉ ବଢି ପାମ୍ପଡ ତିଆରି କରେନି ଲ ରାବି...। ଆଉ ଆଚାର ଶୁଖେଇ ହେବନି।ଆମ ନବିନା ,ମୋଦିର ଖବର ଟିକେ ଜାଣିଦବା।ହଁ ହଁ ଚତୁର୍ଥ ପୃଷ୍ଠାରେ ଦେଇଛି। ପୁଅକୁ ବଡ ପାଟିରେ ଡାକ ଛାଡି କହନ୍ତି ହଇରେ ମକରା ଦେଖେ ସପ୍ତମ ପୃଷ୍ଟାରେ ଦେଇଛି ଯୌତୁକ ଆଣିଲାନି ବୋଲି ତା ଘଇତା ତା ମାଇପକୁ ତଣ୍ଟିଆ ମାରି ଘରୁ ବାହାର କରିଦେଲା।ଏମିତି ବେଙ୍ଗ ମାଉସୀ ଆରାମ ଚୌକି ଖଣ୍ଡିଏରେ ବସି ମୋବାଇଲଟିକୁ ହାତରେ ଧରି ନିତି ରାବେ। ବେଳେ ଵେଳେ ମୋବାଇଲ ଦେଖୁ ଦେଖୁ ବେଙ୍ଗ ମାଉସୀ ଆଖିକୁ ନିଦ ଆସିଯାଏ। ଏହା ସହ ଦୈନିକ ଖବର କାଗଜଟି ପଢିବା ସମୟରେ ବେଙ୍ଗ ମାଉସୀକୁ ଚା କପେ ଦରକାର।ସେ ଚା କପଟା ଗୋଟେ ହାତରେ ଥିବ ଅନ୍ୟ ହାତରେ ପେପର, ପାଖରେ ମୋବାଇଲ । ଏହା ଭିତରେ କେତେବେଳେ ଢୁଳେଇ ଆସିଲା ଯଦି ବେଙ୍ଗମାଉସୀକୁ ସରିଲା କଥା । ପେପରତ ଛାଡନ୍ତିନି,ଚାକପ ମଧ୍ୟ ଛାଡନ୍ତିନି ମୁଣ୍ଡଟା ଖାଲି ଉପରରୁ ତଳକୁ ହେଉଥାଏ ହାଣ୍ଡି ଝୁଲିଲାପରି।ଠିକ୍ ମା ବୁଢୀ ଠାକୁରାଣୀ ପ୍ରସନ୍ନ ।
ନଇଁଲା କ୍ଷଣି ପୁଣି ମୁଣ୍ଡଟା ଉପରକୁ ଉଠାଇଦିଅନ୍ତି।ଦୁଇଟୋପା ଲାଳ ଭୂଇଁରେ ଗଳିପଡେ ଫାଙ୍କା ଦାନ୍ତପଟେ। ନାତି ନାତୁଣୀ ଟାହି ଟାପରା କରି କହନ୍ତି ଜେଜେମା ଶୋଇଛ ନା ପେପର ପଢୁଛ?ସଙ୍ଗେ ସଙ୍ଗେ ବେଙ୍ଗ ମାଉସୀ କହନ୍ତି କିଏ ଢୁଳାଉଛି କାହାକୁ କହୁଛୁ ? ପେପରରେ ଆଜି ଦେଇଛି ପ୍ରାଇଭେଟ ଇସ୍କୁଲର ପରିକ୍ଷା ଫିଜ୍ ଦୁଇଗୁଣ ହୋଇଗଲାଣି। ତୁ ପାଠ ପଢୁଛୁ ନା ମତେ ଚାହୁଁଛୁ। କହୁଛି ନା କଣ ଢୁଳାଉଛି ଆଲୋ ହେଇ......।ତୁ ଢୁଳାଉଥିବୁ।
ଖାଲି ସେତିକି ନୁହଁ ବେଙ୍ଗମାଉସୀ ଠାକୁର ଘରେ ପୂଜାପାଠ ସାରି ଗିତା ଭାଗବତ ,ରାମାୟଣ ବହିସବୁ ଆଣି ତଳେ ଆସନଟିଏ ପାରି ଦେଇ ବଡ ପାଟିରେ ପଢନ୍ତି ସବୁତକ।ଏହାରି ଭିତରେ ମଝିରେ ମଝିରେ ନିଦ୍ରାଦେବୀଙ୍କ ପ୍ରସନ ହୋଇଥାଏ।ପୁଣି ସେ କଥା।ମୁଣ୍ଡଟା ତଳକୁ ଟିକେ ଝୁଲିଯାଉଥାଏ କେତେବେଳେ ଆଉ କେତେବେଳେ ନାକପଟୁ ପାଟିପଟୁ ଆସ୍ତେ ଘୁଂ ଘୁଂ ଶବ୍ଦ।ହାତରୁ କେତେଥର ବହିଖସି ଥିବ।ବହିଖସିବା କ୍ଷଣି ଜୋରସେ ବଡପାଟିରେ ଦୁଇ ଲାଇନ ପଢିଦିଅନ୍ତି ପୁଣି ଯେଉଁ କଥାକୁ ସେ କଥା।କିନ୍ତୁ ପଢାବନ୍ଦ କରନ୍ତି ନାହିଁ।
ଦିନେ ସେ ନିଜ ନାତୁଣୀର ବିବାହ ପ୍ରସଙ୍ଗ ହେବା ଲାଗି ତାର ଏକ ଫୋଟ ଓଡିଆ ମେଟ୍ରିମୋନିରେ ଦେଇଥିଲେ ଏହାଛଡା ନିଜେ ବେଙ୍ଗ ମାଉସୀ ଫେସବିୟୁଟିରେ ନିଜର ମୁହଁକୁ ସୁନ୍ଦର କରାଇ ନିଜର ଅନ୍ୟ ଗୋଟିଏ ନାମ ଦେଇ ବୟସ କମାଇ ,ଅବିବାହିତ ଦର୍ଶାଇ ନିଜର ଗୋଟିଏ ସୁନ୍ଦର ଫୋଟ ଓଡିଆ ମେଟ୍ରିମୋନିରେ ଦେଲେ। ନିଜର ଫୋନ୍ ନମ୍ବର ମଧ୍ୟ ଏଥିରେ ରଖିଦେଲେ।ଘରକୁ ବାରମ୍ବାର ଫୋନ ଆସିଲା ବେଙ୍ଗମାଉସୀ ନିକଟକୁ ପ୍ରସଙ୍ଗ ବିଷୟରେ।ଏ କଥା ମକରନ୍ଦ ମଉସାଙ୍କ କାନରେ ପଡିଲା।
ନାତୁଣୀକୁ ଦେଖିବାପାଇଁ ଆସୁଛନ୍ତି ପୁଅଘର ତରଫରୁ।କିନ୍ତୁ ମକରନ୍ଦ ମଉସାକୁ ଜଣାନଥାଏ ବେଙ୍ଗମାଉସୀ ନିଜର ଏକ ଫୋଟ ଓଡିଆ ମେଟ୍ରିମୋନିରେ ଛାଡିଛନ୍ତି ଵୋଲି । ପୁଅଘର ସଠିକ୍ ଠିକଣାରେ ପହଞ୍ଚିଗଲେ । କନ୍ୟା ଦେଖା ଆରମ୍ଭ ହେଲା। ନାତୁଣୀ ମିରା ହାତରେ ଚା ଧରି, ଶାଢି ପିନ୍ଧି ମୁଣ୍ଡିଆ ମାରି ସୋଫାରେ ବସିଲା। ଝିଅକୁ ଦେଖିବା କ୍ଷଣି ପୁଅ ସଙ୍ଗେ ସଙ୍ଗେ ଉତ୍ତର ଦେଲା ନାହିଁ ତ ସିଏ ଏ ଝିଅ ନୁହଁ ! ମୁଁ ତାର ଫୋଟ ଡାଉନଲୋଡ କରିଛି।ଦେଖିବାକୁ ସିଏ ଗୋରୀ ସୁନ୍ଦର ମଧ୍ୟ।ଆପଣଙ୍କ ନାତୁଣୀ ଶ୍ୟାମଳ ବର୍ଣ୍ଣ । ଆମେ ବୋଧେ ଭୁଲ୍ ଠିକଣାରେ ପହଞ୍ଚିଗଲୁ। ସରି ଆଜ୍ଞା ।ପସନ୍ଦ ହେଉନି।ଠିକ୍ ଏ ସମୟରେ ବେଙ୍ଗ ମାଉସୀ ଘର ଭିତରୁ ବାହାରି କହିଲେ କ'ଣ ମୋ ନାତୁଣୀକୁ ମନ ପାଉନି।ଥଟା ପରିହାସ କରି କହିଲେ ଆଉ ମତେ ବାହାହେବୁକି? ନାତୁଣୀ ଯୋଇଁ ରାଗିଯାଇ କହିଲା କ'ଣ କହୁଛ ଜେଜେମା ତୁମ ବୟସ କେତେ?
ତୁମ ମୁଣ୍ଡ ଖରାପ ହେଲାକି? ଆରେ ଶୁଣୁ ମୋ ମୁଣ୍ଡ ଖରାପ କଣ ହେବ ତୋ ମୁଣ୍ଡ ଖରାପ, ତୋ ଆଖିବି ଖରାପ ।ତତେ କଳା ,ଗୋରା କିଏ ଜଣାପଡୁନାହିଁ।ତୁ ହାତରେ ଯାର ଫୋଟ ଧରିଛୁ ସିଏ ହେଉଛି ମୁଁ ମାନେ ମିରାର ଜେଜେମା।
ଆରେ ଚଣ୍ଡାଳ ମୁଁ ଫେସବ୍ୟୁଟିରେ ମୋ ଚେହାରକୁ ସୁନ୍ଦର କରି ବୟସ କମାଇ ମେଟ୍ରିମୋନିରେ ଦେଇଥିଲି।ତୁ ମୋ ପ୍ରେମରେ ପଡିଗଲୁ। ଛି.... ଛି..... ସତରେ ତୁ କେଡେ ମୁର୍ଖ।ନିଜ ନାମରେ ମୁଁ ଏକ ଫେସବୁକ୍ ଏକାଉଣ୍ଟ ଖୋଲି ଭଳିକି ଭଳି ଫୋଟ ରଖିଲି।ତୁ କିଛି ନ ଜାଣି ମୋ ସହ ଚାଟିଙ୍ଗ୍ କଲୁ।ଆରେ କୁଳଙ୍ଗାର ଫେସବୁକ ପ୍ରେମରେ ନପଡି ଜିଓର ପିଛା ଛାଡେ।ମୋ ନାତୁଣୀର ହାତ ଧର। ଶେଷରେ ମୋ ପରି ଆହୁରି କେତେ ବୁଢୀର ପ୍ରେମରେ ପଡିଯିବୁ। ସମସ୍ତେ ସବୁ ବିଷୟରେ ଜାଣି ହା ହା ହୋଇ ହସିଉଠିଲେ। ନାତୁଣୀ ଯୋଇଁର ମୁଣ୍ଡ ତଳକୁ ହୋଇଗଲା ସେ ଯାଇ ସଙ୍ଗେ ସଙ୍ଗେ ମିରାର ହାତ ଧରି ପକାଇଲା ।