ଫାଲତୁ
ଫାଲତୁ
ସକାଳୁ ସକାଳୁ ଉଠି ରୋଷେଇ ଘର ଆଡ଼କୁ ଦୌଡ଼ି ଗଲି । ବାପରେ ବାପ ସାତଟା ବାଜିଲାଣି । ଫଟାଫଟ କାମ ଆରମ୍ଭ କରିଦେଲି । ସ୍ଵାମୀଙ୍କର ଜୋରେ ଜୋରେ ସେଇ ଚିଲ୍ଲା ସବୁ ଦିନ ଭଳି ଆଜିବି ମୋ କର୍ଣ୍ଣକୁ ବହୁତ ଆଘାତ କରୁଥିଲେ । କ’ଣ ମ’ ସିନି ଆଜିବି ଡେରିରେ ଉଠିଛ,ପୁରା ରାତିଟା କାହାଣୀ ଲେଖିକି ଶୋଉଛ ଆଉ ସକାଳୁ ସବୁବେଳେ ବିଳମ୍ବରେ ଉଠୁଛ । ଆଜିବି ମୋ ପାଇଁ ଖାଇବା ଡେରି ହବ । ତାଙ୍କର ସେଇ କଥା ମୋ କାମର ଗତିକୁ ତୀବ୍ର କରୁଥିଲା । ଖାଇବା ପାଇଁ ଜଳଖିଆ ଥାଳିଟା ବଢ଼େଇଲି ଆଉ ସେ ଖାଉ ଖାଉ କହି ହଉଥିଲେ କି ସିନି ଯାହାବି କୁହ ତମ ପାଖରେ ବହୁତ ଫାଲତୁ ସମୟ ରହୁଛି ନହେଲେ ଏତେ ଭଲ ଗପ କେମିତି ଲେଖନ୍ତ ! ମୋ ପାଖରେ ଯଦି ଏମିତି ଫାଲତୁ ସମୟ ଥାଆନ୍ତା ନା, ତାହେଲେ ମୁଁ ଯେମିତି ଶାୟାରୀ କରେ, ଗୁଲାମ ଅଲୀଙ୍କୁ ବି ଟପେଇ ଦିଅନ୍ତି । ତାଙ୍କ କଥାକୁ କାଟି ମୁଁ କହିଲି କି, ତମେ ରାଗିଲେ କେଡେ ସୁନ୍ଦର ଲାଗୁଛ ମ’,ଏଇଥି ପାଇଁ ତ ତମକୁ ସ୍ଵାମୀ ଭାବେ ବରିଥିଲି । ପୁଣି ଫାଲତୁ କଥା ଆରମ୍ଭ କଲଟି । ଦିଅ ଜଲଦି ମୋତେ ମୋ ଦ୍ଵିପହର ଖାଇବା ଡବାଟା ଦିଅ ମୁଁ ଅଫିସ ଯାଏ । ଆଉ ତମେ ବି ଏଇ ଫାଲତୁ କଥା ଛାଡି ପିଲାମାନଙ୍କୁ ରେଡି କର,ସ୍କୁଲ ସମୟ ହେଲାଣି । ଠିକ ଅଛି କିନ୍ତୁ ତମେ ଆଜି ଟିକେ ଅଫିସରୁ ଜଲଦି ଆସିଲେ ଭଲ ହୁଅନ୍ତା । ଶୁଣ ସିନି,ଗଲା ବେଳେ ଏମିତି ଫାଲତୁ କଥାବାର୍ତ୍ତା କରନି,ଅଫିସରେ କାମ କଲେ ଆଉ ଉପର ସାହେବଙ୍କ ଗାଳି ଖାଇଲେ ଠିକ ବୁଝିପାରିବ । ହଉ ମୁଁ ଆସୁଛି ତମେ ବି ଏଇ ସବୁ ଫାଲତୁ ଜିନିଷରେ ସମୟ ନଷ୍ଟ ନ କରି କିଛି ମୂଲ୍ୟବାନ କାମ କର ଆଉ ସମୟର ସଦୁପଯୋଗ କର । ଇଏ ଗାଡି ନେଇ କେତେବେଳେ ମୋ ଚକ୍ଷୁ ସାମ୍ନାରୁ ଅଦୃଶ୍ୟ ହେଇଗଲେ ଜାଣିପାରିଲିନି । ପିଲାମାନଙ୍କ ଡାକ ମୋତେ ବର୍ତ୍ତମାନ ପରିସ୍ଥିତରେ ଛିଡ଼ା କରିଦେଲା । ପିଲା ଦି’ଟାକୁ ସ୍କୁଲ ଛାଡିବାକୁ ଗଲା ବେଳେ ରାସ୍ତା ସାରା ଭାବୁହଉଥିଲି, ମୋ ସକାଳୁ ଉଠା, ଜଳଖିଆ ବନେଇବା, ଦ୍ବିପହର ଖାଇବା ବନେଇବା,ପିଲାଙ୍କୁ ରେଡ୍ଡୀ କରି ସ୍କୁଲରେ ଛାଡିବା,ଝାଡୁ,ପୋଛା,କପଡା ସଫା,ଯାବତୀୟ କାମ ଆଉ ତା ସହିତ ପୁଣି ସ୍ଵାମୀଙ୍କୁ ଆର୍ଥିକ ପରିସ୍ଥିତିରେ ଟ୍ୟୁସନ କରି ସାହାଯ୍ୟ କରିବା କ’ଣ ବାସ୍ତବରେ ଫାଲତୁ କାମ?କେତେବେଳେ ଛୁଆ ଦି’ ଟାଙ୍କୁ ସ୍କୁଲରେ ଛାଡି ଘରକୁ ଫେରି ଆସିଲି ଜାଣି ପାରିଲିନି । ଗୋଟେ ସ୍ମିତହାସ୍ୟ ସହିତ ଘର ଦରଯା ଖୋଲି ପୁଣି ନିଜର ଫାଲତୁ କାମରେ ଲାଗିଗଲି।।
ମିତାଲି