Mitali Paik "Akshyara"

Others

4.9  

Mitali Paik "Akshyara"

Others

ଭାଇ(ମୋ ସ୍ମୃତିରୁ ପଦେ)

ଭାଇ(ମୋ ସ୍ମୃତିରୁ ପଦେ)

4 mins
585


ବିବାହର ଛ ମାସ ପୂରି ଯାଇଥିଲା । ସ୍ୱାମୀଙ୍କ ସହିତ ଏବେ ନାସିକ କୁ ସୀଫ୍ଟ କରିଛି । ମୋ ସ୍ୱାମୀ ନାସିକ HAL ରେ ଜଣେ ଉପରିସ୍ଥ ଅଫିସର । ମୋତେ ସେ ବହୁତ ଭଲପାନ୍ତି କିନ୍ତୁ ତା ସହିତ ସେ ଜଣେ ଅନୁଶାସନ ପ୍ରିୟ ମଣିଷ । ସବୁ କାମରେ ତାଙ୍କୁ ପେରଫେକ୍ସନ ଦରକାର । ଆଉ ମୁଁ ଟିକେ ଖାମଖିଆଲି ଝିଅଟି । ସେଥିପାଇଁ ସେ ମୋତେ ସବୁବେଳେ ତାଗିଦ କରନ୍ତି ସାବଧାନରେ ଚଳିବା ପାଇଁ । ଆଉ ମୁଁ ତାଙ୍କ କଥାକୁ ଅନୁସରଣ କରି ଚଳେ ।


ମୋତେ ମୋ ଭଗବାନ ଶ୍ରୀକୃଷ୍ଣ ବହୁତ ପ୍ରିୟ । ଘରେ କାମ ସରିଗଲା ପରେ ତାଙ୍କ ସହିତ ହିଁ କଥା ହୁଏ । ସବୁ ସୁଖ ଦୁଃଖ ତାଙ୍କରି ଆଗରେ ଅଜାଡ଼ି ଦିଏ । ଏମିତି କୋଉ ଦିନ ଯାଇନି ଯଉ ଦିନ ତାଙ୍କୁ ମନେ ନ ପକେଇଛି । ସେଥିପାଇଁ ମୁଁ କେବେ ଦୁଃଖୀ ହୁଏନି କାରଣ ତାଙ୍କ ସହିତ ଯିଏ ସୁଖ ଦୁଃଖ ବାଟେ, ସେ ତା ଦୁଃଖ ହରିନିଅନ୍ତି ବୋଲି ମା' ମୋତେ ଛୁଆଟେ ବେଳୁ କହିଛି । ହଁ,ସିଏ ହିଁ ମୋର ଭାଇ, ବନ୍ଧୁ ଆଉ ସଖା । ମୋର ନିଜର ବୋଲି କେହି ଭାଇ ନାହାନ୍ତି । ସେଥିପାଇଁ ସବୁ ରାଖୀ ପୂର୍ଣ୍ଣିମାରେ ଆଖିରେ ଆଖିଏ ଲୁହ ନେଇ ବସିଥାଏ ।


ମା ଦିନେ ପଚାରିଲା, ଏତେ କାନ୍ଦ କଣ ପାଇଁ?ତୋର ପର ତିନି ତିନିଟା ଭଉଣୀ ଅଛନ୍ତି, ସେମାନେ ତୋର ସବୁକିଛି । ମୁଁ ମା କୁ ପଚାରିଲି, କହିଲୁ ମା, ଗୋଟେ ଭାଇ ର କର୍ତ୍ତବ୍ୟ କଣ?ମା' ମୋର ହସିକି ଉତ୍ତର ଦେଲା, ବିପଦ ଆପଦରେ ଯିଏ ପ୍ରଥମେ ଭଉଣୀର ରକ୍ଷା କରେ ସିଏ ହଉଛି ପ୍ରକୃତରେ ଭାଇ । ସେଥିପାଇଁ ରାଖି ପୂର୍ଣ୍ଣିମାରେ ଭଉଣୀ ଭାଇ କୁ ରାଖୀ ବାନ୍ଧେ ଆଉ ଭାଇ ଵଚନ ଦିଏ କି ମୁ ସାରା ଜୀବନ ତୋର ରକ୍ଷା କରିବି । ମୁଁ ଟିକେ ଅଭିମାନରେ କହିଲି,ତୋର ସିନା ଦୁଇ ଦୁଇଟା ଭାଇ ସେଥିପାଇଁ ସବୁ ରାଖିରେ ତୁ ତାଙ୍କୁ ରାଖୀ ବାନ୍ଧୁଛୁ । ଆଉ ମୋ ଦୁଖଃରେ କିଏ ମୋତେ ଦେଖିବ? ମା' ଟିକେ ମୁରୁକି ହସି କହିଲା ମୁ କେମିତି ଜାଣିବି?ଯାଇକି ସେଇ କଳିଆ କୁ ପଚାରେ ତୋତେ କହିଁକି ଭାଇ ଦେଲେନି?ମୋ ଆଖି ଛଳ ଛଳ ହେଇ ଆସିଲା,ମନରେ କଣ ଭାବିଲି କେଜାଣି ଦୌଡ଼ି ଯାଇ ଆମ ଘରେ ଥିବା କୃଷ୍ଣଙ୍କ ମୂର୍ତ୍ତି ରେ ରାଖି ବାନ୍ଧିଦେଲି ଆଉ କାନ୍ଦି କାନ୍ଦି କହିଲି ତୁ ମୋତେ ଭାଇ ଦେଇନୁ ନା,ସେଥିପାଇଁ ଆଜିଠୁ ତୁ ହିଁ ମୋର ଭାଇ । ତାଙ୍କ ସହିତ ମୁ ସାରା ଜୀବନର ଚୁକ୍ତି କରିଦେଲି । ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେଇଥିଲି ତାଙ୍କ ଚରଣରେ । ରୋକ ଠୋକ କରି କହିଦେଲି ତାଙ୍କୁ,ମୋତେ ତମେ ଯୁଆଡେ ନବ ମୁ ଆଖି ବନ୍ଦ କରି ଚାଲିବି । ବାସ ସେଇଦିନ ଠାରୁ ଗୋଟିଏ ବି ଦିନ ତାଙ୍କ ଛଡା କଟିନି ।          


କିଛି ଦିନ ପରେ ଦୁର୍ଗା ପୂଜା । ଶ୍ୱଶୁର ଘରକୁ ଯିବାକୁ ପଡ଼ିବ ସେଥିପାଇଁ ସ୍ୱାମୀଙ୍କ ସହିତ ଟିକେ ମାର୍କେଟିଂ କରିବାକୁ ବହାରିପଡ଼ିଲି । ଘରେ ତାଲା ଲାଗେନି । କଉଗୋଟେ ଇଣ୍ଟରଲକ ବ୍ୟବସ୍ଥା । କବାଟରେ ଗୋଟେ କଣା ଥାଏ,ସେଇଥିରେ ଚାବିଟା ଘୁରେଇ ଦେଲେ କବାଟଟା ବନ୍ଦ ହେଇଯାଏ । ସ୍ୱାମୀ ମୋର ଦରଜା ଟା ବନ୍ଦ କରି, ମୋତେ ଚାବିଟା ଧରେଇଦେଲେ ଆଉ ତାଗିଦ କରି କହିଲେ,ସମ୍ଭାଳି କି ରଖ,ନହେଲେ ବହୁତ ଅସୁବିଧା ହେବ । ମୁ ଚାବିଟା ତାଙ୍କ ଠାରୁ ନେଇ ପର୍ସରେ ରଖିଲି । ତାପରେ ମାର୍କେଟ ରେ ବହୁତ କିଣା କଟା କଲୁ । ସବୁ କାମ ସାରି ଘରକୁ ଫେରିଲୁ । ଘରେ ପହଞ୍ଚି ମୋତେ ୟେ ଯେତେବେଳେ ଚାବି ମାଗିଲେ,ମୁ ପୁରା ପର୍ସଟା ଅଣ୍ଡାଳି ପକେଇଲି, ହେଲେ ଚାବି ମିଳିଲାନି । ୟିଏ ପଚାରିଲେ, ଏତେ ସମୟ କଣ ଲାଗୁଛି, ଜଲଦି ଚାବି ଟା ଦିଅ । ମୋର ପୁରା ରକ୍ତ ଶୁଖିକି କଳାକାଠ ପଡିଗଲା । ବହୁତ ଡରିକି କହିଲି ବୋଧେ କଉଠି ଖସିପଡିଛି । ୟିଏ ମୋ ଉପରେ ଏମିତି ଗୋଟେ ଚିଲ୍ଲେଇଲେ ଯେ,ମୁ ପୁରା ଥରିବାରେ ଲାଗିଲି । ମୋତେ ଚିଲ୍ଲେଇ କହିଲେ ଜଲଦି ମନେ ପକେଇ କୁହ କଉଠି ଛାଡ଼ିଲ । ମୁଁ ମନେ ମନେ ଭାବୁଥିଲି, ଯଦି ଇଣ୍ଟରଲକ ନ ହେଇଥାନ୍ତା, ତାହେଲେ ତାଲା ଟା ଭାଙ୍ଗି ହେଇଥାନ୍ତା କିନ୍ତୁ ଏଥିରେ ତ ଖୋଲିବା ବହୁତ କଷ୍ଟ । ମନେ ହଉଥିଲା ଯେମିତି ମୁଣ୍ଡ ଟା କାମ କରିବା ବନ୍ଦ କରିଦେଇଛି । ସ୍ୱାମୀ ମୋର ସେମିତି ଚିଲ୍ଲେଇବାରେ ଲଗିଥାନ୍ତି । ବାସ ଦ୍ରୌପଦୀ କୁରୁସଭାରେ କୃଷ୍ଣଙ୍କୁ ଡାକିଲା ଭଳି,ମୁ ବି ମୋ ଭାଇ କୁ ଆଖି ବନ୍ଦ କରି ଡାକିବାରେ ଲାଗିଲି । ହଠାତ କଣ ଭାବିଲି କେଜାଣି, ୟାଙ୍କୁ କହିଲି ଟିକେ କାର ଯଉଠି ମାର୍କେଟରେ ପାର୍କିଂ ହେଇଥିଲା,ସେଇଠିକୁ ଟିକେ ଚାଲ । ବାସ ସ୍ୱାମୀ ମୋର ଗାଡି ଷ୍ଟାର୍ଟ କଲେ ଆଉ ମୁଁ ସାରା ପଥ ଖାଲି ମୋ ଭାଇକୁ ସୁମରୁଥିଲି । ଏକାଗ୍ର ଚିତ୍ତରେ ଧ୍ୟାନମଗ୍ନ ଥିଲି । ପାର୍କିଂ ପାଖରେ ପହଂଚିଲା ବେଳକୁ ରାତି ବାର'ଟା ହେଲାଣି । କାଉ କୋଇଲି ବି ଦେଖାଯାଉନଥାନ୍ତି । ପୁରା ଅନ୍ଧାର । ମୋ ସ୍ୱାମୀ ପୁରା ରକ୍ତ ଚାଉଳ ଚୋବେଇ ହଉଥିଲେ । ପୁଣି ଚିଲ୍ଲେଇବା ଆରମ୍ଭ କଲେ,ରାତି ବାର ଟା ରେ କଣ ଏଇଠି ଯାତ୍ରା କରିବା ପାଇଁ ମୋତେ ଆଣିଛ । ମୋର ପାଟିରୁ ଖାଲି ଏତିକି କଥା !ହେ କାହ୍ନୁ,ମୋତେ ରାସ୍ତା ଦେଖାଅ । ବାସ ଆଖି ଖୋଲିବା ମାତ୍ରକେ ଗୋଟେ ବାର ବର୍ଷର କାଳିଆ ପିଲାଟିଏ ଅନ୍ଧାର ଭିତରୁ ଦଉଡି ଆସି ଚାବିଟା କୁ ମୋତେ ବଢ଼େଇଦେଇ ଟିକେ ମୁରୁକି ହସି କହିଲା,ଅପା ଏଇ ଚାବି ଟା କୁ ଖୋଜୁଛ କି?ମୁଁ ଆଉ ମୋ ସ୍ୱାମୀ ଗୋଟେ ଲୟ ରେ ତାକୁ ଚାହିଁ ଥିଲୁ । ପଲକମାତ୍ରକେ କୁଆଡେ ସେ ଅନ୍ତର୍ଧ୍ୟାନ ହେଇଗଲା ଆମେ ବୁଝିପାରିଲୁନି ।   ଆଜି ବି ସେଇ ହସ ହସ ଚେହେରା ମୋ ଆଖି ଆଗରେ ଝଲସୀ ଉଠେ ।  ବେଳେ ବେଳେ ଭାବେ,ଜଦି ମୋର କେହି ମନୁଷ୍ୟ ରୂପି ଭାଇ ଥାନ୍ତେ, ତାହେଲେ ମୁଁ କଣ କେବେ ଏ ସାନ୍ନିଧ୍ୟ ପାଇପାରିଥାନ୍ତି?ଭାଇ ଶବ୍ଦର ଅର୍ଥ ଏ ଦୁନିଆରେ କେହି ଭଉଣୀ ବୁଝିଛନ୍ତି କି ନାହିଁ ମୁ ଜାଣିନି,କିନ୍ତୁ ପ୍ରକୃତ ଭାଇର କର୍ତ୍ତବ୍ୟ ଆଜି ବି ମୋ କାହ୍ନା ମୋ ସହିତ ତୁଲାଉଛନ୍ତି । ।


Rate this content
Log in