ପାଉଁଶର ଅସ୍ତିତ୍ବ
ପାଉଁଶର ଅସ୍ତିତ୍ବ
★ କ୍ଷ
ଏଇଟା ହିଁ ନିଷ୍ଠୁର ସତ୍ୟ °°°
ଜୁଇ ଜଳିଗଲା ପରେ କ'ଣ ବା ଥାଏ ସେ ପାଉଁଶର ଅସ୍ତିତ୍ବ ?
ନା ,ସେ ପୋଛି ପାରେ ଆଖିର ଲୁହକୁ °°° ନା ,ସେ ମାପିପାରେ ଛାତିର କୋହକୁ । କେବଳ ଦୂର ଦିଗନ୍ତର କୁହେଳିକା ପରି ଦେଖାଯାଉଥାଏ ଆଖିକୁ ।
ନା ଥାଏ ସେଠୁ କିଛି ପାଇବାର ଆଶା °°° ନା କିଛି ପ୍ରତ୍ୟାଶା ! କେବଳ ବ୍ୟଥିତ କରେ କିଛି ନୀରବ ଯନ୍ତ୍ରଣାର ପରିଭାଷା ।
ପ୍ରୀତିପୁଷ୍ପା !
ତମେ ଗଲା ପରେ ପରେ ଫୁଲ ସବୁ ମଉଳି ଯାଇଛନ୍ତି ମନ ବଗିଚାରୁ ।ବାସ୍ନା ବିଭୋର ପୃଥିବୀଟା ଶ୍ରୀହୀନ ହୋଇଯାଇଛି କାଳକୁ ।ଦୁଃଖର ବୈଶାଖୀରେ ତୃଷ୍ଣା ସବୁ ଆଉଟୁ ପାଉଟୁ ହୋଇ ଖୋଜି ବୁଲୁଛନ୍ତି ଗୋଟାଏ ନିର୍ଦୟ ମୋହଗ୍ରସ୍ତ ଅତୀତକୁ ।
ଲାଗୁଛି ,ଆଜି ଆମ ପୁଅ ଲଗ୍ନ ଖୁବ ବଡ ହୋଇଯାଇଛି । କିଛି ଅମୀମାଂସିତ ପ୍ରଶ୍ନରେ ତା'ର ମୁଁ ଯେମିତି ମ୍ରିୟମାଣ ହୋଇପଡିଛି । ଏବେ ଆଉ ମିଛ କହି ତାକୁ ବୁଝେଇବାର ସାହସ ମୋର ନାହିଁ ବୋଲି ଭାବୁଛି °°° ତା କଅଁଳ ମନରେ କେଉଁଠି ନା କେଉଁଠି ଗୋଟାଏ ଅଭାବ ଦେଖୁଛି ମୁଁ °°° ବେଳେବେଳେ ପଚାରି ଦେଉଛି ସେ " ମାମା " କେବେ ଫେରିବେ ଜହ୍ନ ରାଇଜରୁ !
କୁହ ପ୍ରୀତିପୁଷ୍ପା °°°
କି ଉତ୍ତର ଦେଇ ବୁଝେଇବି ତାକୁ ?
ସତରେ ଆସିବାର ବାଟ ନୁହେଁ ଯିବା ବାଟ ପରି । କିଛି କମା ,ହାଇଫେନ୍ ଓ ପ୍ରଶ୍ନବାଚୀରେ ପରିପୂର୍ଣ୍ଣ ଏଠି ଜୀବନ କାହାଣୀ ।
ଆଜି ଆମ ବିବାହର ଷଷ୍ଠ ବାର୍ଷିକୀ °°°
ତମେ ଅହ୍ୟରାଣୀ ହେବା ପୂର୍ବରୁ କହିଯାଇଥିଲ ଏଇ ଶୁଭ ଅବସରରେ ମୋ ପାଇଁ କିଣୁଥିବା ଶାଢ଼ୀ ପ୍ରତ୍ୟକ ବର୍ଷ ଜଣେ ଅନାଥିନୀକୁ ଦାନ କରିବାକୁ ।
ମୁଁ ମୋର କର୍ତ୍ତବ୍ୟ ସୁଚାରୁ ରୁପେ ପାଳନ କରି ଆସୁଛି । ବାକି ରହିଗଲା ଏହି ହୀରା ମୁଦିଟା , ପ୍ରଥମ ଦେଖାରେ ଯାହାକୁ ତମେ ଉପହାର ଦେଇଥିଲ ମୋତେ ।ମନରେ , ଧ୍ୟାନରେ ଓ ଅନ୍ତରରେ ସାଇତି ରଖିଛି ସେ ଅଭୁଲା ସ୍ମୃତିକୁ ।
ତମେ କେଉଁଠୁ ବୁଝିବ ସେ କଥା ?
ଆଖି ଅଛି ନିଦ ନାହିଁ
ସ୍ମୃତି ଅଛି ସ୍ୱପ୍ନ ନାହିଁ !
କିଛି ଅବ୍ୟକ୍ତ ଭାବାନାକୁ ହୃଦୟରେ ଚାପି ରଖି ମୁଁ ଗଣି ଚାଲିଛି ଖାଲି କିଛି ବିଷାଦଗ୍ରସ୍ତ ମୁହୂର୍ତ୍ତକୁ ।
ରାତି ଅନେକ ହେଲାଣି ପ୍ରୀତିପୁଷ୍ପା
ଆଜି କାହିଁ ବହୁତ ଇଚ୍ଛା ହେଉଛି ,ମୁଁ ବଢ଼େଇଥିବା ହାତକୁ ଧରି ନେଇ ତମେ ଡାକି ନିଅନ୍ତ କେଉଁ ଗୋଟାଏ ନୂଆ ଦୁନିଆକୁ । ଯେଉଁଠି ତମେ / ମୁଁ ଆଉ ଆମ ପ୍ରେମ ବଞ୍ଚି ରୁହନ୍ତା ଯୁଗ ଯୁଗକୁ !
ହୁଏତ ଭୁଲିଯାଆନ୍ତି ମୁଁ
ବାସ୍ତବତାକୁ ଶାସ୍ତି ଦେଉଥିବା ଏଇ ଭାବପ୍ରବଣତାକୁ ।